Unknown

 

 

 

 

 

 

 

 

 

 

 

କାଗଜଡଙ୍ଗା

ଗୌରହରି ଦାସ

 

ସୂଚୀପତ୍ର

 

୧.

ବାପା

୨.

କାହ୍ନୁର ଘର

୩.

ସହିଦ

୪.

ବିସର୍ଜନ

୫.

ରିଲିଫ୍‌

୬.

ଗାନ୍ଧି ଜୟନ୍ତୀ

୭.

ସଂକୀର୍ତ୍ତନ

୮.

ଖରାପ ଲୋକ

୯.

ସମ୍ପର୍କ

୧୦.

ନିଜ ଭିତରର ଦୃଶ୍ୟ

୧୧.

ବାଉଁଶ ଗଛ

୧୨.

ଦାଗ

୧୩.

ଭୀରୁ ପୁରୁଷ

୧୪.

ଜୋତା

୧୫.

ମିଛଗଛ

୧୬.

ପରିବର୍ତ୍ତନ

୧୭.

କିଛି ବଦଳେ ନାହିଁ

୧୮.

କାଗଜଡଙ୍ଗା

☆☆☆

 

ନିଜକଥା

 

ପିଲାଦିନର ସବୁ କାମ ଭିତରେ କାଗଜଡଙ୍ଗା ଭସେଇବା ଥିଲା ଅଧିକ ରୋମାଞ୍ଚକର । ପୁରୁଣା ଖାତା କି ବହିର ପୃଷ୍ଠାରେ ତିଆରି କାଗଜଡଙ୍ଗାଟି ଥୁରୁଥୁରୁ ହୋଇ ପାଣିଧାରରେ ଭାସିଗଲା ବେଳେ ମନର ମହାସାଗରରେ କଳ୍ପନାର ବୋଇତ ଭାସିଚାଲେ । ମନେହୁଏ, କ୍ରମେ ସେଇ କାଗଜଡଙ୍ଗା ଗାଁ ଦାଣ୍ଡର ପାଣିସୁଅରୁ ଗାଁ ଗୋହିରି, ଗୋହିରିରୁ ନଈ, ନଈରୁ ସମୁଦ୍ର ଓ ସମୁଦ୍ରରୁ ମହାସମୁଦ୍ର ଦେଇ ଭାସିଯାଉଛି ପୃଥିବୀର ଆରକୋଣକୁ । ଗାଁ ପରେ ଗାଁ, ସହର ପରେ ସହର, ବନ୍ଦର ପରେ ବନ୍ଦର ଡେଇଁ କୁନି କାଗଜଡଙ୍ଗା ଭାସି ଭାସି ଯାଉଛି ସ୍ୱପ୍ନ ଓ କଳ୍ପନାର ପେଟରାମାନ ଧରି । ଦୁଇ କଡ଼ରେ ରହିଯାଉଛି ମାଇଲ୍‌ ମାଇଲ୍‌ ବ୍ୟାପୀ ଧାନ, ଗହମର କ୍ଷେତ, ପାହାଡ଼-ପର୍ବତ, ବଣ-ଜଙ୍ଗଲ ଓ ହାଟ-ବଜାର । ରହିଯାଉଛନ୍ତି ସାଙ୍ଗସାଥୀ, ପ୍ରିୟପରିଜନ ଓ ସ୍କୁଲ ପାଠପଢ଼ା ।

 

କଳ୍ପନା-ନିର୍ଭର ପିଲାଦିନ ସ୍କୁଲ ଜଞ୍ଜାଳରୁ ଅବସର ପାଇ ଚିନ୍ତାକରେ, ଗତକାଲି ଅପରାହ୍‌ଣରେ ଭସେଇଥିବା କାଗଜଡଙ୍ଗାଟି ଆଜି ଏତେବେଳକୁ କୋଉଠି ପହଞ୍ଚିବେଣି ? ଭୂଗୋଳ ସଂପର୍କୀୟ ଜ୍ଞାନ ଅକୁଳାଣ ପଡ଼ିଯାଏ, ଶେଷ ପର୍ଯ୍ୟନ୍ତ ସ୍ଥିର କରିପାରେ ନାହିଁ କେଉଁ ବନ୍ଦରରେ ଲଙ୍ଗର ପକେଇଥିବ କୁନି କାଗଜଡଙ୍ଗା!

 

କାଗଜଡଙ୍ଗାର ଭାଗ୍ୟ ସମ୍ବନ୍ଧରେ ବେଶି କିଛି ଜାଣି ନ ଥାଏ ବୋଲି ତାକୁ ନେଇ ଶୈଶବ ଏତେ ସ୍ୱପ୍ନ ଦେଖେ । ଯଦି ସେ ଜାଣିଥାଆନ୍ତା ଯେ ଡଙ୍ଗାଟିକୁ ଭସେଇ ଦେବାର ଟିକକ ପରେ ପାଣି ଓ ପବନର ପରିହାସରେ ବତୁରି ଧୋଇ ହୋଇଯାଏ ତାର ଭବିଷ୍ୟତ; ତାହାହେଲେ ସେ କଦାପି ତାର ଡଙ୍ଗାଟିକୁ ପାଣିଧାରର ମାର୍ଫତରେ ଛାଡ଼ି ଦିଅନ୍ତା ନାହିଁ; ଅନ୍ତତଃ ତାର ଅଭିଯାତ୍ରାକୁ ନେଇ ଏତେ ସ୍ୱପ୍ନ ଦେଖନ୍ତା ନାହିଁ ।

 

ମଣିଷର ଜୀବନ ବି ଏମିତି ଜାଗଜଡଙ୍ଗାର ଜୀବନ ପରି । କେତେ କେତେ ସ୍ୱପ୍ନ ଦେଖି ନ ଥାଏ ମଣିଷ ଜୀବନକୁ ନେଇ ? କେତେ ପ୍ରକାର ରଙ୍ଗରେ ରଙ୍ଗେଇ ନ ଥାଏ ନିଜର ଭବିଷ୍ୟତ-? ଅଥଚ ସ୍ୱପ୍ନ ଅପହଞ୍ଚ ଓ କଳ୍ପନାର ବନ୍ଦର ପୂର୍ବ ପରି ଦୂରବର୍ତ୍ତୀ ଥିବାବେଳେ ଆୟୁଷ ସରିଯାଏ, ଯାତ୍ରା ଶେଷ ହୋଇଯାଏ । କିନ୍ତୁ ତା ସତ୍ତ୍ୱେ ନୂଆ ନୂଆ କାଗଜଡଙ୍ଗା ତିଆରି ହେଉଥାଆନ୍ତି, ନୂଆ ନୂଆ କଳ୍ପନା ଖିଅ ମେଲୁଥାଆନ୍ତି ମନର ମାନଚିତ୍ରରେ, ନୂଆ ନୂଆ ସ୍ୱପ୍ନର ବୋଇତ ଲଙ୍ଗର ପକଉଥାଆନ୍ତି କଳ୍ପନାର ବନ୍ଦରରେ ।

 

‘କାଗଜଡଙ୍ଗା’ ସଂକଳନର ଅର୍ଦ୍ଧାଧିକ ଗଳ୍ପର ସ୍ୱର ଏହିପରି । ଅବଶିଷ୍ଟ ଗଳ୍ପ ଛଳନା ଓ ପ୍ରତାରଣାକୁ ନେଇ । ଗତ ତିନି ବର୍ଷ ଭିତରେ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ଏସବୁ ପ୍ରକାଶ ପାଇଛି । ସଂକଳନଟିର ପ୍ରକାଶ ଅବସରରେ ମୁଁ ସେଗୁଡ଼ିକୁ ପ୍ରଥମେ ପ୍ରକାଶ କରିଥିବା ‘ଗଳ୍ପ’, ‘ଅମୃତାୟନ’, ‘ସଚିତ୍ର ବିଜୟା’, ‘କ୍ରାନ୍ତିଧାରା’, ‘ପ୍ରତିବେଶୀ’, ‘ଅପୂର୍ବା’, ‘ସାଗରିକା’, ‘ହୃଦବାକ୍ୟ’, ‘ପଞ୍ଚବଟୀ’, ଓ ‘ସମ୍ବାଦ’ର ସଂପାଦକଙ୍କୁ କୃତଜ୍ଞତା ଜଣାଉଛି । ମୋ ନିଜର ଜଞ୍ଜାଳମୟ ଜୀବନ ହେତୁ କେତେକ ଗଳ୍ପ ପ୍ରତି ମୁଁ ଯଥାର୍ଥ ନ୍ୟାୟ କରିପାରିନାହିଁ ବୋଲି ମୋର ଆଶଙ୍କା ହୋଇଛି । ମାତ୍ର ମୋ ଆଗରେ ଅନ୍ୟ ପନ୍ଥା ନ ଥିଲା । ହୁଏତ ସେହି ସମୟରେ ସେ ଗଳ୍ପଟିକୁ ଲେଖିଥାଆନ୍ତି କିମ୍ବା ସବୁଦିନ ପାଇଁ ତାର କାହାଣୀଟିକୁ ହରେଇ ବସିଥାଆନ୍ତି । ଏସବୁ ସତ୍ତ୍ୱେ ଗଳ୍ପଗୁଡ଼ିକ ପାଇଁ କିଛି କିଛି ପାଠକୀୟ ଶ୍ରଦ୍ଧା ପାଇଛି । ଅନେକ ଅପରିଚିତ ପାଠକ ଚିଠି ଲେଖି ମୋତେ ଉତ୍ସାହ ଦେଇଛନ୍ତି ଏବଂ ମୋର ଆତ୍ମବିଶ୍ୱାସକୁ ଦୃଢ଼ କରିଛନ୍ତି । ସେମାନଙ୍କର ଶୁଭେଚ୍ଛା ବିନା ମୁଁ ବୋଧହୁଏ ନୂଆ ଗପ ଲେଖି ପାରନ୍ତି ନାହିଁ ।

 

‘କାଗଜଡଙ୍ଗା’ର ପ୍ରକାଶନ ଅବସରରେ ମୁଁ ପୁରୀର ବିଶିଷ୍ଟ ସମାଜସେବୀ ଓ ପୁରୀ ହୋଟେଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କୁମାର ହାଲ୍‌ଦାରଙ୍କୁ ତାଙ୍କର ସାହାଯ୍ୟ ଓ ଶ୍ରଦ୍ଧା ପାଇଁ ସ୍ମରଣ କରୁଛି । ବହିଟିକୁ ପ୍ରକାଶ କରୁଥିବାରୁ ଖ୍ୟାତନାମା ପ୍ରକାଶ ସଂସ୍ଥା ‘କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର୍‌’ର ଶ୍ରୀ ନୃସିଂହ ପ୍ରସାଦ ମିଶ୍ର ଓ ଶ୍ରୀ ରଘୁନାଥ ମିଶ୍ରଙ୍କୁ କୃତଜ୍ଞତା ଜଣାଉଛି । ପତ୍ନୀ ସଂଯୁକ୍ତା ତାଙ୍କର ଘର ଓ ଦପ୍ତରର ଜଞ୍ଜାଳ ସତ୍ତ୍ୱେ ବହିଟିର ପ୍ରେସ୍‌-କପି ପ୍ରସ୍ତୁତି ପାଇଁ ବହୁ ପରିଶ୍ରମ କରିଛନ୍ତି-। ଏଥିପାଇଁ ତାଙ୍କୁ ଓ ସହଯୋଗୀ ଅମର କୁମାର ବେହୁରାଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଯେଉଁ ଚରିତ୍ରମାନେ ଏ ଗପଗୁଡ଼ିକୁ ଲେଖିବା ଦିଗରେ ମୋତେ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ଅନୁପ୍ରେରିତ କରିଛନ୍ତି ସେମାନଙ୍କୁ ବିଶେଷ କୃତଜ୍ଞତା ଜଣାଇବା ସହ ପାଠକପାଠିକାମାନଙ୍କଠାରୁ ଶ୍ରଦ୍ଧା ଓ ଶୁଭେଚ୍ଛା ଆଶା କରୁଛି ।

 

ଗୌରହରି ଦାସ

☆☆☆

 

ବାପା

 

ନିଜ ଘର ଭିତରକୁ ପଶିଆସିଲେ ସଂଜୟର ବାନ୍ତି ଉଠେଇଆସେ । ଯେତେଥର ସେ ଶ୍ରଦ୍ଧା ଓ ଭଲପାଇବାର ଆଖିରେ ନିଜ ପରିବାରକୁ ଦେଖିବାକୁ ଚେଷ୍ଟାକରେ, ସେତେଥର ଗୁଡ଼ାଏ ମଇଳା, ଆବର୍ଜନା ଓ ପଚାଗନ୍ଧରେ ତାର ଆଖି ନାକ ବୁଜି ହୋଇଯାଏ । ସବୁଠି ଅଭାବ, ଅସାମର୍ଥ୍ୟ ଓ ଅସହାୟତା । ଏସବୁ ଭିତରେ ତାର ଉପସ୍ଥିତି ସଂକୁଚିତ ହୋଇଯାଏ । ସେ ମନେ ମନେ ଚିତ୍କାର କରି ଉଠେ ।

 

ଏସବୁ ପାଇଁ ସେ ତାର ବାପାଙ୍କୁ ହିଁ ଦାୟୀ କରେ । ପିଲାଛୁଆଙ୍କୁ ଯଦି ପୋଷିପାରିବ ନାହିଁ, ତାହାହେଲେ ଜନ୍ମ ଦେଉଥିଲ କାହିଁକି ? କାହିଁକି ଘରକରଣା ମେଲଉଥିଲ ? କଣ ଦରକାର ଥିଲା ଚାରି ଚାରିଟା ପିଲା ଜନ୍ମ କରିବା ? –ତାର ବାପା ଉଦ୍ଦେଶ୍ୟରେ ସେ ଏମିତି ପ୍ରଶ୍ନସବୁ ଫିଙ୍ଗିଦିଏ ।

 

ସଂଜୟ ଗ୍ରାଜୁଏଟ୍‌ । କଲେଜ ହତା ଛାଡ଼ିବାର ଚାରିବର୍ଷ ବିତିଗଲାଣି, କିନ୍ତୁ କୋଉଠି କିଛି ଚାକିରି ବାକିରି ମିଳିନାହିଁ । ମିଳିବାର ଆଶା ମଧ୍ୟ ନାହିଁ । ସବୁଠି ଚିହ୍ନା ପରିଚୟ ନ ହେଲେ ଲାଞ୍ଚ ରିସ୍‌ପତ୍‌ । ତାଠାରୁ କମ୍‌ ନମ୍ବର ରଖିଥିବା ବିଶ୍ୱକଲ୍ୟାଣ ଆଡ଼ହକ ଅଧ୍ୟାପକ ଚାକିରି ପାଇଗଲା । ତା ବାପା ଥିଲେ ଶିକ୍ଷା ବିଭାଗର ଡେପୁଟି ସେକ୍ରେଟେରି । ନରେଶ ତ ଚାକିରିଟା ପାଇଲା ଯୌତୁକରେ । ଅଥଚ ତା ବାପାର ନା ଅଛି କାହା ସାଙ୍ଗେ ସେଭଳି ପରିଚୟ ନା ପଚାଶ ଷାଠିଏ ହଜାର ଦେଇପାରିବାର ସାମର୍ଥ୍ୟ ।

 

ପ୍ରତିଦିନ ସକାଳ ଆସି ଚାଲିଯାଏ । ଆସେ ସଞ୍ଜ ଓ ରାତି । ଆକାଶର ତାରାମାନଙ୍କୁ ଚାହିଁ ଚାହିଁ ସଂଜୟ ରାତି ପୁହାଇଦିଏ । ଇଆରି ନାଁ ଜୀବନ, ଯେଉଁଠି ବଞ୍ଚି ରହିବା ପାଇଁ ସାମାନ୍ୟ ସ୍ୱପ୍ନଟିଏ ନାହିଁ, ଅବଲମ୍ବନ ନାହିଁ ।

 

କିଛି ମାସ ତଳେ ଗୋପୀନାଥ ତାକୁ ବିଧାୟକଙ୍କ ପାଖକୁ ଯିବା ଲାଗି ପ୍ରସ୍ତାବ ଦେଇଥିଲା-। ସଂଜୟ ଯିବାଲାଗି ମନସ୍ଥିର କରିଥିଲା ବି । କିନ୍ତୁ ଦିନେ ଗୋପୀନାଥ ଆସି ତା ଆଡୁ କହିଦେଲା, ବିଧାୟକଙ୍କୁ ଭେଟି ଲାଭ ନାହିଁ, କାରଣ ସଂଜୟର ବାପା ବିରୋଧୀ ଦଳର ସମର୍ଥକ ।

 

ସେଦିନ ତାର ନିଜ ବାପା ଉପରେ ରାଗ ହୋଇଥିଲା । ରୋଗ ବିଛଣାରୁ ବାପା ଆତ୍ମପକ୍ଷ ସମର୍ଥନ କରି କହିଥିଲେ, "ଗାନ୍ଧୀ ମହାତ୍ମାଙ୍କ ଦଳ କଂଗ୍ରେସକୁ କଣ ଆମେ ଛାଡ଼ି ପାରିଥାନ୍ତେ ।'

 

: କାହିଁକି ନୁହେଁ ? ଯୋଉ ଦଳରେ ମିଶିଲେ ମଣିଷର ଉନ୍ନତି ହେବ, ସେହି ଦଳରେ ଆମେ ମିଶିବା ଉଚିତ । ଆଦର୍ଶ, ମୂଲ୍ୟବୋଧକୁ ଧରି ପଡ଼ିଥିଲେ ଉପାସରେ ମରିବାକୁ ପଡ଼ିବ । ପବନ ଯୁଆଡ଼େ, ଛତା ସିଆଡ଼େ –ଏଇ ହେଉଛି ବୁଦ୍ଧିମାନ ମଣିଷର ଧର୍ମ ।

 

ବାପା ବୁଝି ନ ଥିଲେ । କିନ୍ତୁ ସଂଜୟ ପାଇଁ ସେଇଟା ବଡ଼ କଥା ନ ଥିଲା । କଥା ହେଲା, ବିଧାୟକଙ୍କ ସାଙ୍ଗେ ଭେଟ ହେବାର ଆଉ ଅବକାଶ ଆସି ନ ଥିଲା ।

 

ସେ ବାହାରକୁ ଅନେଇଲା । ଖରା ମଉଳିଲାଣି । ହସ୍‌ପିଟାଲ ଯିବାକୁ ହେବ । ରାତି ବେଳାର ଖାଇବା ଦେଇ ଆସିବାକୁ ହେବ ବାପାଙ୍କ ପାଇଁ । ହାତପାତାଳରେ ରୋଗ ବିଛଣାରେ ପଡ଼ିଥିବା ବାପାଙ୍କୁ ଦେଖି ଦେଖି ସଂଜୟର ବେଳେ ବେଳେ ଦୟା ହୁଏ, କିନ୍ତୁ ଅଧିକାଂଶ ସମୟରେ କ୍ରୋଧ । ସେତେବେଳେ ସେ ଭାବେ, ଏମିତି ମଣିଷମାନେ କାହିଁକି ପୃଥିବୀକୁ ଆସନ୍ତି ?

 

ବାପା, ମା ଓ ଭଉଣୀ ଦି ଜଣ ମିଶି ସଂଜୟ ଗୋଡ଼ରେ ବେଡ଼ି ବାନ୍ଧି ଦେଇଛନ୍ତି । ବାପାଙ୍କର ବ୍ୟାଧିଠୁଁ ବଳି ବଡ଼ ଭଉଣୀର କୀର୍ତ୍ତି ସଂଜୟର କାଳ ହୋଇଛି । ସେ ଘଟଣା ପରେ ରାସ୍ତାରେ ମୁହଁ ଟେକି ଚାଲିବା ସୁଦ୍ଧା ତା ପକ୍ଷେ ଅସମ୍ଭବ ହୋଇପଡ଼ିଛି ।

 

ଯାହାର ଭଉଣୀ କୋଳଛୁଆକୁ ଧରି ଅବିଶ୍ୱସ୍ତ ପ୍ରେମିକ ଦୁଆରେ ଧାରଣା ଦିଏ, ସେ ଭାଇର ଆଉ କିଛି ମାନ ସମ୍ମାନ ଅବଶେଷ ରହିପାରେ କି ?

 

ସୁଶୀଳା ସେଇଆ କରିଥିଲା । ନିଜ ଭୁଲ୍‌ର ଗଭୀରତା ବୁଝିବା ଆଗରୁ ସେ ଗର୍ଭବତୀ ହୋଇସାରିଥିଲା । ସେତେବେଳେ ତାକୁ ଗର୍ଭନଷ୍ଟ କରିବା ପାଇଁ ମା ପ୍ରରୋଚନା ଦେଇଥିଲା । କିନ୍ତୁ କୁଳରେ କଳଙ୍କ ଲଗେଇବା ପାଇଁ ମନ ସ୍ଥିର କରି ସାରିଥିବା ସୁଶୀଳା ତହିଁରେ ରାଜି ହୋଇ ନ ଥିଲା ।

 

ଏ ଘଟଣା ପରେ ସାନ ଭଉଣୀର ବାହାଘର ସଂଜୟକୁ ଅସମ୍ଭବ ମନେ ହେଉଥିଲା ଏବଂ ଏସବୁ ଦୁର୍ଭାଗ୍ୟ ପାଇଁ ସେ ତା ବାପାଙ୍କୁ ଦାୟୀ କରୁଥିଲା ।

 

ସଂଜୟର ନିଜ ଘରେ ରହିବା ପାଇଁ ଆଦୌ ଆତ୍ମା ଡାକେ ନାହିଁ । ସେ ଘରର ଚାରିପଟେ ଅଭାବ, ଅପମାନ ଓ ଅସହାୟତା । ଅଥଚ ଘରକୁ ଛାଡ଼ି କୁଆଡ଼କୁ ଯାଇପାରେ ନାହିଁ । ଗୋଟେ ଓଜନିଆ ବେଡ଼ି ପରି ଏସବୁ ଜଞ୍ଜାଳ ତା ଗୋଡ଼କୁ ଅଟକେଇ ରଖେ ।

 

ଘରେ ଚାରି ପ୍ରାଣୀ କୁଟୁମ୍ବ । ଡାକ୍ତରଖାନା ବିଛଣା ଉପରେ ଦୁରାରୋଗ୍ୟ ବ୍ୟାଧିର ଶିକାର ଦୁର୍ବଳ ବାପା । ଏମାନଙ୍କୁ ଛାଡ଼ି ସେ କୁଆଡ଼େ ଯିବ ? ଲୋକମାନେ କଣ କହିବେ ? କହିବେ, ଅସମର୍ଥ ପୁଅଟା ବାପା, ମା ଓ ବାହାଯୋଗ୍ୟା ଭଉଣୀକୁ ଛାଡ଼ିଦେଇ ନିଜ ସ୍ୱାର୍ଥରେ ପଳେଇଗଲା ।

 

ସବୁ କଥାର ସମାଧାନ ହୋଇପାରନ୍ତା, ଯଦି ସଂଜୟ କେଉଁଠି ଲାଖି ଯାଇପାରନ୍ତା । କଲେଜରେ ପଢ଼ୁଥିବାବେଳେ ତାର ମନେ ହୋଇଥିଲା, ପଢ଼ା ସରିଲେ ନିଶ୍ଚୟ କୋଉଠି ନା କୋଉଠି ଗୋଟେ ଚାକିରି ଜୁଟିଯିବ । କିନ୍ତୁ ଆଜି ସେ ଆଶାଟା ଗୋଟେ ସ୍ୱପ୍ନ ଭିନ୍ନ ଆଉ କିଛି ମନେ ହୁଏ ନାହିଁ । ସକାଳୁ ରାତିଯାଏ କେବଳ ବେକାର ହୋଇ ବସିବା ଏବେ ତାର କାମ । କାହାରି ଆଗେ ପରିଚୟ ଦେବା ଭଳି କୌଣସି ଜୀବିକା ତାର ନାହିଁ । ଏମିତି ଗୋଟେ ଜୀବନ ଜିଇବାର ଅର୍ଥ କଣ ?

 

ଯେଉଁଦିନ ତା ବାପାଙ୍କୁ କ୍ୟାନ୍‌ସର ହୋଇଛି ବୋଲି ସଂଜୟ ଶୁଣିଲା ସେଦିନ ତାର ମୁଣ୍ଡ ଘୂରେଇଗଲା । ସେ ଜାଣିଥିଲା ଯେ, ତା ବାପାଙ୍କର ଆଉ ବେଶିଦିନ ନାହିଁ । ଏତେ ବର୍ଷ ଧରି ଯେଉଁ ମଥାନଟା ତାଙ୍କ ମୁଣ୍ଡ ଉପରେ ରହି ସେମାନଙ୍କୁ ଖରାବର୍ଷାରୁ ନିରାପତ୍ତା ଯୋଗେଇ ଆସୁଥିଲା ଏବେ ସେଇ ମଥାନ ପୌଷର ଖରା ପରି ଘୁଞ୍ଚିବାକୁ ଆରମ୍ଭ କରିଛି । ସେ ଧାଇଁଯାଇ ତା ବାପାର ମୁହଁକୁ ଚାହିଁଥିଲା । ଅନ୍ୟଦିନମାନଙ୍କରେ ତାକୁ ଅସୁନ୍ଦର ଓ ଅଦରକାରୀ ମନେ ହେଉଥିବା ତା ବାପାଙ୍କ ମୁହଁଟି ଭାରି କରୁଣ ଓ ନିରୀହ ଦିଶିଥିଲା । କିନ୍ତୁ ବାପା ସଂଜୟର ହାତ ଚାପିଧରି କହିଥିଲେ, ‘‘ରୋଗ ନାଁଟା ତୋ ବୋଉ କି ଭଉଣୀମାନଙ୍କୁ କହିବୁ ନାହିଁ ।’’ ସଂଜୟ ବାପାଙ୍କ ପ୍ରସ୍ତାବରେ ହଁ ଭରିଥିଲା ।

 

ଡାକ୍ତର କହିଥିଲେ, ବହୁତ ଡେରି ହୋଇଯାଇଛି । ଏବେ ଆଉ କିଛି କରିହେବ ନାହିଁ । କେବଳ ଈଶ୍ୱରଙ୍କ ଉପରେ ଦାୟିତ୍ୱ ଛାଡ଼ିଦେବା କଥା । ଆଉ ତିନି ଚାରି ମାସର କଥା ।

 

କର୍କଟ ରୋଗର ଜୀବାଣୁଗୁଡ଼ିକ ତା ବାପାଙ୍କ ଦେହ ଭିତରେ ବହୁଦିନୁ ଖେଳିବାକୁ ଆରମ୍ଭ କରିଦେଇଥିଲେ । ସେଗୁଡ଼ିକ ମିଶି ତା ବାପାର ରକ୍ତରେ ଥିବା ପ୍ରତିରୋଧକାରୀ ଶକ୍ତିକୁ ଦୁର୍ବଳ କରି ଦେଉଥିଲେ । ତା ବାପା ପ୍ରତିଦିନ ତିଳ ତିଳ କରି ମୃତ୍ୟୁ ଆଡ଼କୁ ଆଗଉଥିଲେ ।

 

ସଂଜୟ ସକାଳରୁ ରାତି ଓ ରାତିରୁ ସକାଳ ଯାଏ ବାପାଙ୍କ ପାଖେ ରହୁଥିଲା । ତାର କର୍ମହୀନ ଜୀବନ ବାପାଙ୍କ ଚିକିତ୍ସାରେ ଚଞ୍ଚଳ ହୋଇପଡ଼ିଥିଲା । ସେ ଜାଣିଥିଲା ଯେ ତା ବାପା ଆଉ ତିନି ଚାରି ମାସର କୁଣିଆଁ । ତାପରେ ବାପା ରହିବେ ନାହିଁ ।

 

ସେତେବେଳେ ପ୍ରବୋଧନା ଦେବା ପାଇଁ କମ୍ପାନି ଡାକ୍ତରଖାନାର ଡାକ୍ତର କହିଥିବା ପଦେ କଥା ତାର ସବୁଠୁଁ ବେଶି ମନେପଡ଼ିଥିଲା । କାରଖାନା ନିୟମ ଅନୁସାରେ, ଏଭଳି ରୋଗରେ ମରିଯାଉଥିବା ଲୋକ ଯଦି ଅବସର ନେଇ ନ ଥାଏ ତାହାହେଲେ ତାର ମୃତ୍ୟୁ ପରେ ତା ପୁଅକୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିବ । ସେଇ ଚାକିରିର ଅବଲମ୍ବନରେ ସଂଜୟ ତା ମା ଓ ଦି ଭଉଣୀଙ୍କ ଦାୟିତ୍ୱ ସମ୍ଭାଳିବ । ବାପା ପାଇଁ କାତର ନ ହୋଇ ସେହି ସମୟ ପାଇଁ ବରଂ ସଂଜୟ ନିଜକୁ ପ୍ରସ୍ତୁତ କରୁ ।

 

ଏତେ ଦୁଃଖ ଭିତରେ ବି ସଂଜୟ ସେଦିନ ଆଶାର କ୍ଷୀଣ ରେଖାଟିଏ ଦେଖିଥିଲା । ସେଦିନ ତା ବାପା ଉପରେ ତାର ମାୟା ଆହୁରି ବଢ଼ିଯାଇଥିଲା । ତାର ମନେ ହୋଇଥିଲା ତା ଭିତରେ ବାପା ପାଇଁ ସଞ୍ଚିତ ଘୃଣା, ଅନାଦରର କଥା ଯେମିତି ତାର ବାପା ଜାଣିସାରିଥିଲେ । ସେଇଥିପାଇଁ ବାପା ତାକୁ ଜୀବିକା ଯୋଗାଇ ଦେବାପାଇଁ ଦୁରାରୋଗ୍ୟ ବ୍ୟାଧିକୁ ବରି ନେଇଥିଲେ-। ବାପାଙ୍କ ବୟସ ଏବେ ସତାବନ ପୂରି ଅଠାବନ ଚାଲିଛି । ଅନଉ ଅନଉ ଷାଠିଏ ପୂରିଯିବ ।

 

ମହଳଣ ଆଲୁଅ ଭିତରେ ବାପା ସଂଜୟକୁ ଡାକି କହନ୍ତି, ‘ଭଉଣୀ ଦି ଜଣଙ୍କୁ ଅବହେଳା କରିବୁ ନାହିଁ । ସୁଶୀଳା ଭଲ ଝିଅ ଓ ଭଲ ଝିଅମାନେ ଏ ଦୁନିଆରେ ଠକି ଯାଆନ୍ତି । ବୁଢ଼ୀ ବୋଉକୁ ଛାଡ଼ି କୁଆଡ଼େ ଯିବୁ ନାହିଁ । ତୋ ଛଡ଼ା ସେମାନଙ୍କର ଏ ଦୁନିଆରେ ଆଉ କିଏ ଅଛି-?’

 

ବାପାଙ୍କ ମୁହଁ ଜାଲୁଜାଲୁଆ ଦିଶେ । ବତୁରା ଆଖିପତା ପୃଥିବୀକୁ ଅସ୍ପଷ୍ଟ କରିଦିଏ । ପ୍ରସଙ୍ଗ ବଦଳେଇବା ପାଇଁ ସଂଜୟ କହେ, ‘‘ସେପାଇଁ ବ୍ୟସ୍ତ ହୁଅନା ବାପା । ମୁଁ ଅଛି ।’’

 

ଏସବୁ କଥାବାର୍ତ୍ତା ହେବାର ଦୁଇବର୍ଷ ହୋଇଗଲାଣି । ଡାକ୍ତର କହୁଛନ୍ତି, ତମ ବାପାଙ୍କର ବଞ୍ଚିବା ପାଇଁ ଇଚ୍ଛାଟା ଅତି ପ୍ରବଳ । ଔଷଧ କି ଚିକିତ୍ସା ନୁହେଁ, ସେହି ଇଚ୍ଛାଟା ତାଙ୍କୁ ଏତେଦିନ ବଞ୍ଚେଇ ରଖିଛି । ତା ନ ହେଲେ ଏଭଳି ଅବସ୍ଥାରେ କୌଣସି ରୋଗୀ ଏତେଦିନ ବଞ୍ଚି ରହିବା ସହଜ ନୁହେଁ ।

 

କଥାଟା ପ୍ରଥମେ ପ୍ରଥମେ ସଂଜୟକୁ ଭଲ ଲାଗିଥିଲା । ବାପାଙ୍କ ସାମର୍ଥ୍ୟକୁ ନେଇ ତା ଭିତରେ ସନ୍ତୋଷ ସୃଷ୍ଟି ହୋଇଥିଲା । ମାତ୍ର କମ୍ପାନି ଚାକିରିର ସର୍ତ୍ତାବଳୀ ମନେପଡ଼ିଗଲେ ସେ ବିଷାଦଗ୍ରସ୍ତ ହୋଇପଡ଼ୁଥିଲା । କିଛିଦିନ ହେଲା ତା ମନ ଭିତରେ ଦେଖା ଦେଇଥିବା ଆଶାର କ୍ଷୀଣରେଖାଟି ପୁଣି ଅନ୍ଧାର ଭିତରେ ମିଳେଇ ଯାଉଥିଲା । ମନେ ହେଉଥିଲା ତା ଜୀବନଟା ଗୋଟେ ସୁଡ଼ଙ୍ଗ ଭିତରର ଜୀବନ, ଯୋଉଥିରୁ ମୁକ୍ତି ପାଇବାର କୌଣସି ଉପାୟ ନାହିଁ ।

 

ଯଦି ଏମିତି ବିଛଣାରେ ପଡ଼ି ପଡ଼ି ତା ବାପା ଆଉ କିଛିଦିନ ଜିଇ ରହନ୍ତି, ତାହାହେଲେ ସେ ଆଉ ଅନୁକମ୍ପାମୂଳକ ଚାକିରି ପାଇପାରିବ ନାହିଁ । ସେଇ କମ୍ପାନିର ସର୍ତ୍ତ, ମୃତ୍ୟୁ ପୂର୍ବରୁ ଅନ୍ତତଃ ଚାକିରିର କିଛିଦିନ ବାକି ରହିଥିବା ଦରକାର । ଅବସର ପରେ କର୍ମଚାରୀ ମରିଗଲେ ସେ ନିୟମ ଲାଗୁ ହେବନାହିଁ ।

 

ସେ ତା ବାପାଙ୍କୁ ଅନାଏ –ଜରାଜୀର୍ଣ୍ଣ ଚେହେରା । ଉଠାବସା କରିବାକୁ କଷ୍ଟ ହେଉଛି । ଶରୀରର କୌଣସି ଅଙ୍ଗରେ ପ୍ରାଣ ଥିଲା ପରି ମନେ ହେଉନାହିଁ । ନା କୌଣସି କାମ କରିପାରୁଛନ୍ତି ନା କାରଖାନା ଯାଇପାରୁଛନ୍ତି; ବରଂ ବିଛଣାରେ ପଡ଼ି ରହିବା ଯୋଗୁଁ ଯାହାକିଛି ସଞ୍ଚୟ ଥିଲା ସେସବୁ ଚିକିତ୍ସା ପାଇଁ ଖର୍ଚ୍ଚ ହେଇଛି । ଭବିଷ୍ୟନିଧି ପାଣ୍ଠି ସରିଛି, ବୋଉର ସୁନାରୁପା ଗହଣା ମଧ୍ୟ ସବୁ ବିକା ସରିଲାଣି । ହାତଉଧାରି ଖର୍ଚ୍ଚ ଦେଢ଼ ଲକ୍ଷକୁ ଟପିଗଲାଣି, ଏମିତି ଅବସ୍ଥାରେ ବାପା ଯଦି ଆଉ ମାସ ଦୁଇଟା ବଞ୍ଚି ରହନ୍ତି ତାହାହେଲେ ସେ ମଲାବେଳକୁ ସଂଜୟ ଓ ଘରଲୋକମାନେ ମଧ୍ୟ ଦରମରା ହୋଇ ସାରିଥିବେ । ଦେଣାକରଜ ଭିତରେ କଣ୍ଠାଗ୍ରତ ହୋଇ ସାରିଥିବ ତାଙ୍କର ଜୀବନ । ସିଆଡ଼େ ଅନୁକମ୍ପାମୂଳକ ଚାକିରି ଯିବ, ଇଆଡ଼େ ବିକ୍ରି ହୋଇଯିବ ଘରର ସ୍ଥାବର ଅସ୍ଥାବର ସମ୍ପତ୍ତି । ବାପାଙ୍କର ବିଳମ୍ବିତ ମୃତ୍ୟୁର ପରିଣତି ସଂଜୟ ଆଗରେ ଗୋଟେ ଭୟଙ୍କର ଭୂତ ପରି ଛିଡ଼ା ହେଉଥିଲା ।

 

ଅନେକ ଦହଗଞ୍ଜ ହେଲେଣି ସମସ୍ତେ । ଗଲା ଅଢ଼େଇ ବର୍ଷ ଧରି ସେମାନଙ୍କ ଘରର ଖାଇବା, ପିନ୍ଧିବା ସବୁ ବଦଳିଯାଇଛି । ନା ପୂନେଇଁ ପର୍ବରେ ହସଖୁସି ଅଛି ନା ମେଳା ମଉଛବ ପାଇଁ ଉତ୍ସାହ ଅଛି । ଗୋଟେ ମଶାଣିର କରୁଣ ନିର୍ଜନତା ସେମାନଙ୍କ ଘରକୁ ଘୋଡ଼େଇ ରଖିଛି ଅଢ଼େଇ ବର୍ଷ ହେଲା । ସେ ଘରେ ଖୁସି ନାହିଁ, ସୁଖ ନାହିଁ, ଉତ୍ସାହ ନାହିଁ, ଅଛି କେବଳ କ୍ୟାନ୍‌ସର ପୀଡ଼ିତ ରୋଗୀର ଜୀବନ ପରି ମୁହୁର୍ମୁହୁଃ ମରଣର ଅନୁଭୂତି ।

 

ବର୍ତ୍ତମାନ ଅପେକ୍ଷା ଭବିଷ୍ୟତଟା ଆହୁରି ଭୟଙ୍କର ହୋଇ ସଂଜୟ ଆଖି ସାମ୍ନାରେ ଉଭା ହୁଏ । କଣ କରିବ ସେ ? କୁଆଡ଼େ ପଳେଇ ଯିବ ? ଆତ୍ମହତ୍ୟା କରି ଏ ପରିସ୍ଥିତିରୁ ନିସ୍ତାର ପାଇବ ? ଘର ଓ ପରିବାର କଥା ଭୁଲି ନିଜେ ଯାଇ କେଉଁଠି ମୂଲ ଲାଗି ଜୀବନ ବଞ୍ଚିଯିବ ।

 

ଏସବୁ ଚିନ୍ତା କଲେ ତା ଛାତି ଭିତରୁ ଉଷୁମ ଦୀର୍ଘଶ୍ୱାସ ବାହାରି ଆସେ । ତାର ରୁଢ଼ଭର୍ତ୍ତି ମୁହଁ, ଛିଣ୍ଡା ପୋଷାକ ଓ ବିଷଣ୍ଣ ଚେହେରା ତା ଛାତିର ଅନ୍ଦିକନ୍ଦିରେ ପୁଳାଏ ହୀନମଣ୍ୟତା ଭରିଦିଏ-। କଲେଜ ଦିନର ସ୍ୱପ୍ନ ମନେପଡ଼େ । ମନେପଡ଼େ କଲ୍ୟାଣୀର ପ୍ରେମ । ଏବେ କଲ୍ୟାଣୀ ଟେଲିଫୋନ୍‌ ଏସ୍‌ଡିଓର ପତ୍ନୀ । ସେଥିପାଇଁ ସେ କଲ୍ୟାଣୀକୁ ଦୋଷ ଦିଏ ନାହିଁ । ସେ ପ୍ରାକ୍ଟିକାଲ୍‌ ଝିଅ, ସ୍ୱପ୍ନକୁ ନେଇ ବଞ୍ଚିବା ତା ପାଇଁ ଅର୍ଥହୀନ ।

 

କିନ୍ତୁ ବାପା ଯଦି ଶୀଘ୍ର ମରିଯାଆନ୍ତେ ! ମାନେ ଏହି ସପ୍ତାହେ ଦି ସପ୍ତାହ ଭିତରେ ଯଦି ସେ ଆଖି ବୁଜି ଦିଅନ୍ତେ ! ତାହାହେଲେ ସଂଜୟର କମ୍ପାନି ଚାକିରି ପାଇବାଟା ପକ୍କା ହୋଇଯାଆନ୍ତା । ଥରେ ଚାକିରିଟା ପାଇଗଲେ ଧାର କରଜ କରି ସେ ବାପାଙ୍କ ଶୁଦ୍ଧିଘର କାମ ସାରିଦିଅନ୍ତା । ତାଙ୍କର ଅସ୍ଥି ବିସର୍ଜନ କରନ୍ତା ପ୍ରୟାଗରେ । ମାଆକୁ ତୀର୍ଥ ଯାତ୍ରା ସ୍ପେଶାଲ୍‌ ଟ୍ରେନ୍‌ରେ ପଠାନ୍ତା । ସୁଶୀଳାର ବର ନାଁରେ ମୋକଦ୍ଦମା ଦାୟର କରନ୍ତା ମହିଳା କମିସନ୍‌ରେ । ସାନ ଭଉଣୀକୁ ଭଲ ଘର ଦେଖି ବାହା ଦିଅନ୍ତା । ବାପାଙ୍କର ବାକିଆ କାମ ସବୁ ତୁଲେଇ ସାରିବା ପରେ ସେ ନିଜ ପାଇଁ ସ୍ୱପ୍ନଟେ ଦେଖନ୍ତା, ଯୋଉ ସ୍ୱପ୍ନଟାକୁ ସେ ବର୍ଷ ବର୍ଷ ଧରି ନିଜ ଛାତି ଭିତରେ ଲୁଚେଇ ରଖିଛି ।

 

କିନ୍ତୁ ବାପା ମରନ୍ତି ନାହିଁ । ଡାକ୍ତର ତାଙ୍କୁ ମରିବା ପାଇଁ ଦିଅନ୍ତି ନାହିଁ । ସଂଜୟ ଓ ଡାକ୍ତର ତା ବାପାର ଦୁଇ କଡ଼େ ଛିଡ଼ାହୋଇ ନିଜ ନିଜର ସାମର୍ଥ୍ୟ ଦେଖାନ୍ତି । ଡାକ୍ତର ଚାହାନ୍ତି ଦିନ ପରେ ଦିନେ ହୋଇ ଅଧିକ ଦିନ ସେ ବଞ୍ଚି ରହନ୍ତୁ । ସଂଜୟ ଚାହେ, କେତେ ଶୀଘ୍ର ତା ବାପା ମରିଯାଆନ୍ତୁ-। ଉଭୟେ ଭିଡ଼ାଓଟରା ହେଉଥାନ୍ତି ଭିତରେ ଭିତରେ ।

 

ଏହା ଭିତରେ ସଂଜୟ ଦୁର୍ବଳରୁ ଦୁର୍ବଳ ହେଉଥାଏ । କ୍ୟାନ୍‌ସର ରୋଗୀକୁ ଏତେଦିନ ବଞ୍ଚେଇ ରଖି ପାରିବାର ସଫଳତାରେ ଡାକ୍ତର ପ୍ରସନ୍ନ ହେଉଥାଆନ୍ତି ।

 

କିନ୍ତୁ ଦୁହିଁଙ୍କ ଉଦ୍ଦେଶ୍ୟ ଯଦି ଏକାଠି ହୋଇଯାଆନ୍ତା ! କଥାଟା ଚିନ୍ତା କରି ସଂଜୟ ଚମକି ଉଠିଲା । ସେ କଣ ତା ବାପାଙ୍କୁ ମାରିଦେବା ଲାଗି ଷଡ୍‌ଯନ୍ତ୍ର କରୁଛି ? ସେ ନିଜକୁ ବୁଝେଇଲା । ନା, ସେ ତା ବାପାକୁ ମାରିଦେବା ପାଇଁ ଚାହେନାହିଁ । କିନ୍ତୁ ସେ ତ ତାଙ୍କୁ ବଞ୍ଚେଇ ରଖିପାରିବ ନାହିଁ-। ଏଭଳି ଅବସ୍ଥାରେ ସମସ୍ତଙ୍କ ପାଇଁ ଯେଉଁଟା ଭଲ, ସେ ସେଇକଥା କେବଳ ଚିନ୍ତା କରୁଛି ।

 

ପୁରାଣରେ ପିତା ଯଯାତି ପୁଅ ପୁରୁଠୁଁ ଜୀବନ ଓ ଯୌବନ ମାଗିଥିଲେ । ପରିଣତ ବୟସରେ ପିତା ଯଦି ପୁଅକୁ ଆୟୁଷ ମାଗିବା ପାପ ନୁହେଁ, ଜୀବନ ଆରମ୍ଭ କରି ନ ଥିବା ପୁଅ ମୁମୂର୍ଷୁ ପିତାକୁ କେଇ ମାସର ଆୟୁଷ ମାଗିବା କାହିଁକି ପାପ ହେବ ?

 

ସଂଜୟ ଦିନରେ ଦୁଇଥର ଡାକ୍ତରଙ୍କୁ ଭେଟେ । ଡାକ୍ତର ସବୁବେଳେ ବ୍ୟସ୍ତ ଥାଆନ୍ତି । ପୁଣି ସବୁଦିନ ସେଇ ଏକା ପ୍ରଶ୍ନ ଓ ଏକା ଉତ୍ତରକୁ ଦୋହରାଇବାରେ ଉଭୟ ପକ୍ଷର ସ୍ପୃହା ନ ଥାଏ-। ସଂଜୟ କଣ କହିବ କହିବ ବୋଲି ଭାବେ, କିନ୍ତୁ କହି ନ ପାରି ଫେରିଆସେ ।

 

ଯେଉଁଦିନ ଔଷଧ କିଣିବାକୁ ପଇସା ରହେ ନାହିଁ, ଘରେ ରେସନ କିଣିବାଲାଗି ଟଙ୍କା ନ ଥାଏ, ସେଦିନ ସେ ହିତାହିତ ଜ୍ଞାନ ଭୁଲିଯାଏ । ‘‘ଅଦ୍ଭୁତ ମଣିଷ ତାର ଏ ବାପା, ନିଜେ ମରୁନାହାନ୍ତି କି ଅନ୍ୟମାନଙ୍କୁ ବଞ୍ଚିବା ପାଇଁ ଦେଉନାହାନ୍ତି ।’’ ସେତେବେଳେ ରାଗରେ ତା ହାତ ମୁଠା ମୁଠା ହୋଇଯାଏ । ଇଚ୍ଛା ହୁଏ ଡାକ୍ତରଖାନା ବିଛଣା ଉପରୁ ବାପାକୁ ଠେଲିଦେବ, ନ ହେଲେ...

 

ନା, ଆଉ ଆଗକୁ ସେ ଚିନ୍ତା କରିପାରେ ନାହିଁ । ସେ ନିଜେ ସେମିତି କିଛି କରିପାରିବ ନାହିଁ । ଏ କାମରେ କେବଳ ସାହାଯ୍ୟ କରିପାରନ୍ତେ ଡାକ୍ତର । ସେ ଯଦି କୌଣସି ଉପାୟରେ ବାପାଙ୍କୁ ଇଞ୍ଜେକ୍‌ସନ୍‌ଟିଏ ଦେଇ ସବୁଦିନ ଲାଗି ବିଦାୟ ଦିଅନ୍ତେ ତାହାହେଲେ କାହାରି କିଛି କ୍ଷତି ହୁଅନ୍ତା ନାହିଁ । ଏମିତି ଛଟପଟ ହୋଇ ବଞ୍ଚିବାରୁ ମୁକ୍ତି ପାଇଯାଆନ୍ତେ ବାପା । ପ୍ରତିଦିନ ପର ଆଗରେ ଗୋଡ଼ଭାଙ୍ଗି, ହାତ ପତେଇ ଚିକିତ୍ସା ଖର୍ଚ୍ଚ ଯୋଗାଡ଼ରୁ ମୁକ୍ତି ପାଆନ୍ତା ସଂଜୟ ।

 

କିନ୍ତୁ ଏକଥା ସଂଜୟ ଡାକ୍ତରଙ୍କୁ କହିପାରେ ନାହିଁ । କେବଳ ଯାଇ ବେଞ୍ଚ ଉପରେ ବସେ-। ଜଣକ ପରେ ଜଣେ ରୋଗୀ ଓ ନର୍ସ ଚାଲିଯିବା ପର୍ଯ୍ୟନ୍ତ ଅପେକ୍ଷା କରେ । ତାପରେ ଫେରିଆସେ ।

ତାକୁ ଦେଖି ଡାକ୍ତର ଚିନ୍ତିତ ହୁଅନ୍ତି । ହୁଏତ ଭାବନ୍ତି, ବାପା ପାଇଁ ପ୍ରୁଅ ବ୍ୟସ୍ତ ହେଉଛି । କହନ୍ତି, ‘‘ମୁଁ ସବୁପ୍ରକାର ଚେଷ୍ଟା କରୁଛି । ବାକି କଥା ଈଶ୍ୱରଙ୍କ ଉପରେ ।’’

ସଂଜୟ ରହିଯାଏ । କାହିଁକି କଥା ପଦକ ସେ ସଫା ସଫା କହିପାରେ ନାହିଁ ? କାହିଁକି କହିପାରେ ନାହିଁ ଯେ, ‘‘ବହୁତ ହେଲାଣି ଡାକ୍ତର, ଏବେ ଆଉ ତାଙ୍କୁ ବଞ୍ଚେଇ ରଖିବାର ଚେଷ୍ଟା କରନ୍ତୁ ନାହିଁ । ଏଣିକି ସେ ବଞ୍ଚି ରହିଲେ ଆମେ ସମସ୍ତେ ମରିଯିବୁ ।’’

ହସ୍‌ପିଟାଲ୍‌ ଚାରିପଟେ ସଞ୍ଜ ଘୋଟିଆସୁଛି । ଏବେ ଡାକ୍ତରଙ୍କ ଆସିବା ପାଳି । ସଂଜୟ ସାଇକେଲ୍‌ଟାକୁ ଡାକ୍ତରଖାନା ପାଚେରି କଡ଼ରେ ଡେରିଦେଇ ଭିତରକୁ ଆସିଲା ଓ ବେଞ୍ଚ ଉପରେ ବସିଲା ।

ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଡାକ୍ତର ତାଙ୍କ ଚେମ୍ବରକୁ ଗଲେ । ତାଙ୍କ ପଛେ ପଛେ କବାଟଟା ବନ୍ଦ ହୋଇଗଲା । ଓଜନିଆ ନୀଳ ପରଦାଟା କିଛି ସମୟ ଦୋହଲି ସ୍ଥିର ହୋଇଗଲା ।

ସଂଜୟ ପ୍ରଥମେ ତାଙ୍କ ପାଖକୁ ଯିବାପାଇଁ ବାହାରୁଥିଲା । କିନ୍ତୁ ଯାଇପାରିଲା ନାହିଁ । ସେ ଡାକ୍ତରଙ୍କୁ ନିରୋଳାରେ ଭେଟିବାକୁ ଚାହିଥିଲା । ଅପେକ୍ଷା କଲା ଶେଷ ପର୍ଯ୍ୟନ୍ତ । ବାରମ୍ବାର ବେଞ୍ଚରୁ ଉଠି ପାଆଚାରି କଲା ଓ ମଶା ଘଉଡ଼େଇଲା । ରାତି ଆଠଟା ବେଳକୁ ଡାକ୍ତରଙ୍କ ଚେମ୍ବର ଫାଙ୍କା ହେଲା ।

 

ସେ ଯାଇ ଡାକ୍ତରଙ୍କ ଆଗରେ ଛିଡ଼ା ହେଲା । ତା ଛାଇ ପଡ଼ିଲା ଡାକ୍ତରଙ୍କ ଟେବୁଲ ଉପରେ । ସେ ମୁହଁଟେକି ଚାହିଁଲେ ଓ ବସିବାକୁ ଇସାରା ଦେଲେ ।

 

: କିଛି କହିବ ? ଡାକ୍ତର ପଚାରିଲେ ।

 

: ବାପା– ବହୁତ କଷ୍ଟ କରି ଶବ୍ଦଟି ଯେମିତି ସଂଜୟ କହିଲା ।

 

: ମୁଁ ସବୁ ପ୍ରକାର ଚେଷ୍ଟା କରୁଛି । କାଲି ଅପେକ୍ଷା ଆଜି ଟିକିଏ ସୁସ୍ଥ ଦିଶୁଛନ୍ତି । ଡାକ୍ତର ତାକୁ ଉତ୍ସାହିତ କରିବା ପାଇଁ କହିଲେ ।

 

: ନା ସେକଥା କହୁନାହିଁ । ଆପଣ ସବୁ ପ୍ରକାର ଚେଷ୍ଟା କରୁଛନ୍ତି, କିନ୍ତୁ ବାପା କଣ ପୂରା ଭଲ ହୋଇଯିବେ ?

 

: ଡାକ୍ତର ବିମର୍ଷ ଦିଶିଲେ । "ନା, ସେଇଟା ବିଲକୁଲ ଅସମ୍ଭବ ।'

 

: ତାହେଲେ କେତେଦିନ ?

 

: କେମିତି କହିବି ? ମୁଁ ତ ଭାବିଥିଲି ତିନି ଚାରି ମାସର କଥା । ଅଢ଼େଇ ବର୍ଷ ହୋଇଗଲାଣି । ତେବେ ଏ ରୋଗର ରୋଗୀ ସବୁଠୁଁ ବେଶି ହଜାରେ ଦିନ ବଞ୍ଚିବ । ସେଇ ହିସାବରେ ଆଉ ଛ ମାସ.......

 

: କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯିବ ।

 

: ଡେରି ? କଣ ଡେରି ହୋଇଯିବ ? –ଡାକ୍ତର ବଡ଼ ପାଟିରେ ପଚାରିଲେ ।

 

ସଂଜୟ କଣ କହିବ ବୋଲି ଚିନ୍ତା କଲା । କିନ୍ତୁ କିଛି କହିପାରିଲା ନାହିଁ ।

 

ଡାକ୍ତର ଉଠିଆସି ତା କାନ୍ଧରେ ହାତ ରଖିଲେ । କହିଲେ, ‘‘ମୁଁ ତୁମ ପରିବାରର ଅବସ୍ଥା ସବୁ ଜାଣିଛି । କିନ୍ତୁ ଏଥିରେ ଦୁଃଖ କରିବାର କିଛି ନାହିଁ । ମଣିଷ ପରିସ୍ଥିତିର ଦାସ । ତମେ ତମ ବାପାଙ୍କ ପାଇଁ ଯେତିକି କରୁଛ, ବହୁତ କରୁଛ । ତମର ବା ଆଉ ସାଧ୍ୟ କଣ ?’

 

ସଂଜୟ ଆଉ କିଛି କହିପାରିଲା ନାହିଁ । ଫେରିଆସିଲା । ଘରକୁ ଫେରିବା ବେଳକୁ ବୋଉ ଶୋଇପଡ଼ିଥିଲା । ସୁଶୀଳା ତା ପୁଅକୁ ଶୁଆଉଥିଲା । ସାନ ଭଉଣୀ ତାକୁ ଅପେକ୍ଷା କରିଥିଲା । କହିଲା, ‘ରୁଟି ସନ୍ତୁଳା ରଖି ଦେଇଛି । ଖାଇଦେବୁ । ମୋତେ ନିଦ ଲାଗିଲାଣି, ମୁଁ ଯାଉଛି, ଶୋଇବି ।’

 

ସଂଜୟ ବିରକ୍ତିରେ ମୁଣ୍ଡବାଳ ଝିଙ୍କିହେଲା । ଖାଇବା ପାଇଁ ତାର କୌଣସି ଆଗ୍ରହ ନ ଥିଲା । ସବୁଦିନେ ଏଇ ଶୁଖିଲା ରୁଟି ଓ ଆଉ ଶୀତଳ ସନ୍ତୁଳା । ଏହା ଭିନ୍ନ ଆଉ କିଛି ଭଲ ଜିନିଷର ସ୍ୱାଦ ଚାଖିବା ଲାଗି ସତେକି ତା ଜିଭର ଅଧିକାର ନାହିଁ !

 

ରାତିର ବୟସ ବଢ଼ୁଥିଲା । ଆକାଶର ଜହ୍ନକୁ ଢାଙ୍କିଦେଇଥିଲା ଖଣ୍ଡେ କଳା ବଉଦ । ପାଚିରି ସେପଟ ନଳାରୁ ଦୁର୍ଗନ୍ଧ ଭାସି ଆସୁଥିଲା । ଘର ଭିତରଟା ସନ୍ତସନ୍ତିଆ । ଚାରିଆଡ଼େ ମଇଳା ଲୋଚାକୋଚା ଲୁଗାପଟା, ଭଙ୍ଗା ଚଉକି, ଛିଣ୍ଡା ଚାଦର ଓ ଅନ୍ଧାରିଆ ପରିବେଶ । ଏଇ ତାର ଘର, ଯାହାକୁ କବିମାନେ "ସୁଇଟ୍‌ ହୋମ୍‌' କହିଥାନ୍ତି!

 

ସେ ସ୍ଥିର କଲା, କାଲି ଯେମିତି ହେଲେ ଡାକ୍ତରଙ୍କୁ ତା ଦୁଃଖତକ କହିବ । ପ୍ରସ୍ତାବ ଦେବ, ସେ ତା ବାପାଙ୍କୁ ମୁକ୍ତି ଦିଅନ୍ତୁ । ଏତେ କଷ୍ଟ ସହି ବଞ୍ଚିବାର କିଛି ଅର୍ଥ ନାହିଁ । ବିଦେଶରେ ବହୁ ଲୋକ ଇଚ୍ଛାମୃତ୍ୟୁ ବରଣ କରୁଛନ୍ତି । ତା ବାପା ବି ତ ସବୁବେଳେ ମରିଯିବାକୁ ଚାହୁଛନ୍ତି । ସେ ଓ ପରିବାରର ଅନ୍ୟମାନେ ମଧ୍ୟ ଏଥିରୁ ମୁକୁଳିବାକୁ ଚାହୁଛନ୍ତି । ଡାକ୍ତର କାହିଁକି ଏଥିରେ ତାକୁ ସାହାଯ୍ୟ କରିବେ ନାହିଁ ?

 

ଭାବୁ ଭାବୁ ସଂଜୟ ଶୋଇପଡ଼ିଛି ।

 

ସେ ଦେଖୁଛି, ଡାକ୍ତର ତା କଥା ଶୁଣି ପ୍ରଥମେ ଟିକିଏ ଚିନ୍ତିତ ଦିଶୁଛନ୍ତି । ତାପରେ ଆଶ୍ୱସ୍ତ-। କହୁଛନ୍ତି, ‘ମୁଁ ବି କିଛିଦିନ ହେଲା ଏଇକଥା କହିବି ବୋଲି ଭାବୁଥିଲି । କିନ୍ତୁ କାଳେ ତୁମେ ଅନୁମୋଦନ କରିବ ନାହିଁ, ସେହି ଭୟରେ ଏକଥା ମୁଁ କହିପାରୁ ନ ଥିଲି । ବାସ୍ତବରେ, ତମ ବାପା ବହୁତ କଷ୍ଟ ପାଉଛନ୍ତି । ଠିକ୍‌ ଭାବେ ଶୋଇପାରୁନାହାନ୍ତି, ଠିକ୍‌ ଭାବେ କଥା କହିପାରୁନାହାନ୍ତି । ଏଣେ, ଆଉ କିଛି ମାସ ଏମିତି ସେ ବଞ୍ଚି ରହିଲେ, ତୁମର ଚାକିରି ପାଇବାର ଆଶା ସବୁଦିନ ପାଇଁ ମିଳେଇଯିବ ।’

 

ତାପରେ ସେ ଦୁହେଁ ସାଙ୍ଗହୋଇ ବାପାଙ୍କ ପାଖକୁ ଯାଉଛନ୍ତି । ବାପା ଶୋଇରହିଛନ୍ତି ନିଦରେ । ଡାକ୍ତର ଇଞ୍ଜେକ୍‌ସନ୍‌ ସିରିଞ୍ଜ ବାହାର କରୁଛନ୍ତି । ତାପରେ ବାପାଙ୍କ ଡାହାଣ ବାହାରେ ଛୁଞ୍ଚି ଫୋଡ଼ି ଦେଉଛନ୍ତି ।

 

ଧୀରେ ଧୀରେ ବାପା ନିସ୍ତେଜ ହୋଇଯାଉଛନ୍ତି । ତାପରେ ଦୁହେଁ ମିଶି ତାଙ୍କ ମୁହଁ ଉପରେ ଧଳା ଚାଦର ଘୋଡ଼େଇ ଦେଉଛନ୍ତି ।

 

ତୀକ୍ଷ୍‌ଣ ଆଲୁଅର ଧାରେ ଆସି ସଂଜୟ ମୁହଁରେ ପଡ଼ିଲା । ସେ ଉଠିପଡ଼ି ଦେଖିଲା, ଅଧାମେଲା କବାଟ ଦେଇ ସକାଳର ଖରା ତା ଉପରେ ପଡ଼ିଛି । ସେ ଏପଟ ସେପଟ ଚାହିଁଲା । ଡାକ୍ତର କୁଆଡ଼େ ଗଲେ ? ବାପା ? ଡାକ୍ତରଖାନା ? ନା କେହି ନାହାନ୍ତି । ସିଏ କେବଳ ଶୋଇ ଶୋଇ ସ୍ୱପ୍ନ ଦେଖୁଥିଲା ।

 

ସେ ଉଠିପଡ଼ି କୂଅ ମୂଳକୁ ଗଲା । ବୋଉ ଗୋଟେ ଦୁର୍ବଳିଆ ଲଟାକୁ ଟେକି ମଞ୍ଚା ଉପରକୁ ଉଠଉଥିଲା । କଲରା ଗଛଟାର କିଛି ଦୂରରେ ପିମ୍ପୁଡ଼ି ମନ୍ଦା । ବୋଉ ସେଥିରେ କିରାସିନି ପକଉଥିଲା ।

 

ସଂଜୟ ପଚାରିଲା, ‘ଆଉ କଣ ସେଥିରେ ଫଳ ହେବ ଯେ ତାକୁ ଟେକୁଛୁ !’

 

ବୋଉ ଉତ୍ତର ଦେଲା, “ନ ହେଉ, ଆଗେ ତ ଫଳୁଥିଲା । ତୋତେ କଲରା ଭଜା ଭଲ ଲାଗେ ବୋଲି ବାପା ଫି ବର୍ଷ ଏଇଠି କଲରା ଗଛ ଲଗଉଥିଲେ । ଡାକ୍ତରଖାନାରୁ ଫେରି ଯଦି ଏଥର ଗଛଗୁଡ଼ା ନ ଦେଖନ୍ତି, ସେ ମୋ ଉପରେ ବିଗିଡ଼ିବେ ।’

 

ସଂଜୟ ମୁଣ୍ଡ ଉପରେ ପଥରଟେ ଅବା ଖସିପଡ଼ିଲା !

 

ତାର ମନେପଡ଼ିଲା ପିଲାଦିନେ ତାକୁ ଟାଇଫଏଡ୍‌ ହୋଇଥିଲା । ବାପା ତାକୁ କାନ୍ଧରେ କାନ୍ଧେଇ ଆରଡ଼ି ନେଇଥିଲେ । ଅଧିଆ ପଡ଼ିଥିବା ବୋଉ ଗୋବର ଭିତରୁ ଆଖିବୁଜି ପୋକଟେ ଖାଇନେଇଥିଲା । ଗୁପ୍ତେଶ୍ୱର ମହାଦେବ ମନ୍ଦିର ଗୁମ୍ଫାକୁ ଯାଇ ଅଧିଆ ପଡ଼ିଥିଲେ ବାପା ଓ ଚାଳିଶଟା ପାହାଚ ଉପରୁ ଗଡ଼ି ଗଡ଼ି ପଡ଼ିଥିଲେ ତଳେ । ଦେହ ହାତ ଖଣ୍ଡିଆଖାବରା ହୋଇଯାଇଥିଲା । ସେହି ତପବଳରେ କାଳେ ସଂଜୟ ଭଲ ହୋଇଯାଇଥିଲା ।

 

ସଂଜୟର ହାତ ପାଦ ଝାଳେଇଗଲା । କାହିଁକି କେଜାଣି ବାପାଙ୍କର ସବୁ ଭଲକଥା ତାର ଗୋଟିଗୋଟି ମନେପଡୁଥିଲା । ମରିଯାଇଥିବା ଲୋକର ସ୍ମୃତିଚାରଣ କଲା ପରି ସେ ସେହିସବୁ କଥା ମନେପକଉଥିଲା ।

 

ବି.ଏ. ଫର୍ମ ପୂରଣ ବେଳକୁ ବାପାଙ୍କର ଚେହେରା ତାର ମନେପଡୁଥିଲା । ସେଦିନ ଘରକୁ ଫେରିବାବେଳକୁ ବାହାଘର ବେଳେ ଯୌତୁକରେ ପାଇଥିବା ମୁଦିଟି ବାପାଙ୍କ ହାତରେ ନ ଥିଲା । ଅନେକ ଦିନ ପରେ ଜାଣିଥିଲା, ତାର ଫର୍ମ ପୂରଣ ଟଙ୍କା ପାଇଁ ବାପା ସେଇଟା ବିକି ଦେଇଥିଲେ ।

 

ବୋଉ କହିଥିଲା, ‘‘ଜନ୍ମ ହେଲାଦିନୁ ତୋ ବାପାକୁ ଦୁଃଖ ଛାଡ଼ିନି । ତାଙ୍କ ବାପା ବୋଉ ଏମିତି ବର୍ଷ ବର୍ଷ ଡାକ୍ତରଖାନାରେ ପଡ଼ି ଆଖି ବୁଜିଲେ । ସେମାନଙ୍କ ଔଷଧ ପାଣିରେ ଆମେ ତଳିତଳାନ୍ତ ହୋଇଗଲୁ । ତାପରେ ତିନି ଭଉଣୀଙ୍କ ବାହାଘର । ଶେଷରେ ତମେ ତିନି ଜଣ । କିରାଣି ଚାକିରିରେ ବା କେତେ ପଇସା !’’ ବାପା କହିଥିଲେ, “ଦଇବ ଯାହାକୁ ଯେମିତି ଜନ୍ମ ଦେବା କଥା ଦେଇଛି । ତାଆରି ଭିତରେ ଲଢ଼ି ମୁଣ୍ଡ ଟେକିବା ବଡ଼ କଥା । ଅସଲରେ କିଏ କେତେ ସଫଳ ହେଇଛି କି ବିଫଳ ହେଇଛି ସେକଥା ସେଇ ଦଇବ ବିଚାର କରିବ । ମଣିଷର କେବଳ କର୍ମ ଉପରେ ଅଧିକାର । ଫଳ ତ ଉପରବାଲା ହାତରେ ।’’

 

ସଂଜୟ ଏଥର ଧାଇଁଲା । ଏ ଚିନ୍ତା ଭିତରେ ସେ ସାଇକେଲ୍‌ଟା ନେବାକୁ ବି ଭୁଲିଯାଇଥିଲା । ସେ ଡାକ୍ତରଖାନା ମୁହାଁ ଧାଇଁଥିଲା । ତା ଆଖି ଆଗରେ ବାପାଙ୍କର ପୁରୁଣାଦିନର ମୁହଁ ନାଚି ଉଠୁଥିଲା । ପିଲାଦିନେ ବାପା କାନ୍ଧରେ ବସେଇ ତାକୁ ଯାତ୍ରାକୁ ନେଇ ଯାଆନ୍ତି । ତା ପାଟିରୁ ବାହାରିବାକ୍ଷଣି ବରାଦ ମୁତାବକ କିଣିଦିଅନ୍ତି ଖେଳଣା ଓ ମିଠେଇ । ସେଇ ବାପାଙ୍କୁ ସେ ମାରିଦେବା କଥା କେମିତି ଭାବିପାରିଲା ?

 

ଏବଂ ତା ଆଖି ଆଗରେ ନାଚି ଯାଉଥିଲା ମୁମୂର୍ଷୁ କଲରା ଗଛଟାକୁ ବୋଉ ମଞ୍ଚାକୁ ଉଠେଇବାର ଦୃଶ୍ୟ । ମାମୁଲି ଗଛଟା ପାଇଁ ବୋଉ ମନରେ ଏତିକି ଦରଦ, ଅଥଚ ତା ବାପା ବେଳକୁ ସେ ଏତେ ନିଷ୍ଠୁର ହୋଇପାରିଲା କେମିତି ? ନା, ସେ ତା ବାପାଙ୍କୁ ବଞ୍ଚେଇବା ଲାଗି ଲଢ଼େଇ କରିବ । ଯେତିକି ଦିନ ସେ ବଞ୍ଚିବେ, ସମସ୍ତଙ୍କର ସ୍ନେହ ଆଦର ନେଇ ସେ ବଞ୍ଚିବେ । ତା ଚାକିରି ନ ହେଲେ ନ ହେଉ ପଛକେ ।

 

ସେ ଧାଉଁଥିଲା । ପଛରେ ରହିଯାଉଥିଲା ଘର, ରାସ୍ତା, ବିଜୁଳି ଖୁଣ୍ଟ । ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ବାପାଙ୍କ ବିଛଣା ପାଖରେ ଡାକ୍ତର ଓ ନର୍ସ ଛିଡ଼ା ହୋଇଥିଲେ ।

 

ଡାକ୍ତର ସଂଜୟକୁ ଚାହିଁଲେ । ତା ପାଖକୁ ଆସି ତାର ପିଠି ଆଉଁଶି ଦେଇ କହିଲେ, ‘‘ମୁଁ ଦୁଃଖିତ । ଆଉ କିଛି କରିପାରିଲି ନାହିଁ ।’’

 

ପଛରେ ଖଟିଆ ଉପରେ ବାପା ଶୋଇଥିଲେ । ସଂଜୟର ମନେହେଲା, ବାପା ମରିଯାଇ ନାହାନ୍ତି, ତାଙ୍କୁ ସେ ମାରିଦେଇଛି । ତାଙ୍କ ଦେହ ଓ ମୁହଁ ଉପରେ ଧଳା ଚାଦରଟାଏ ଢଙ୍କାଯାଇଥିଲା । ବାପା ଦିଶୁଥିଲେ ସେ ସ୍ୱପ୍ନରେ ଦେଖିଥିବା ଶବ ପରି ।

☆☆☆

 

କାହ୍ନୁର ଘର

 

ଥାଉ କାହ୍ନୁ । କାହା ଉପରେ ଏମିତି ବିଗୁଡୁଛୁ, ଆଁ ? ମାଲିକାଣୀ ପାଟି କରି ଉଠିଲେ । କାହ୍ନୁ ଟିକିଏ ନରମିଗଲେ ବି ସମ୍ପୂର୍ଣ୍ଣ ଶାନ୍ତ ହେଲା ନାହିଁ । ସେଇମିତି ଗରଗର ହୋଇ ସେ ତା ମାଲିକ ମାଲିକାଣୀଙ୍କ ପାଖକୁ ଆସିଲା । ହାତରେ ଗୋଟେ ଭଙ୍ଗା ଇଟା ଧରିଥିଲା, ପ୍ରତିପକ୍ଷକୁ ଫୋପାଡ଼ିବା ପାଇଁ ବୋଧହୁଏ । ଅବଶିଷ୍ଟ ରାଗତକ ସେହି ଇଟା ଉପରେ ଶୁଝେଇଲା ପରି ତାକୁ ଦୂରକୁ ଛାଟିଦେଲା । ଇଟା ଖଣ୍ଡଟା ଯାଇ ବାଲିଗଦା ଦେହରେ ଭୁସି ହେଇଗଲା ।

 

ଦି ଖଣ୍ଡ ଇଟା କିଏ ନେଇଯାଇଥିଲା । ଏଇ ଥିଲା କାହ୍ନୁର ରାଗିବାର କାରଣ । କାଲି ସଞ୍ଜବେଳେ ସେ ଗଣିଥିଲା, ଚଉରାଅଶୀ ଖଣ୍ଡ ଇଟା ଥିଲା, ଏବେ ସକାଳକୁ ଅଛି ବୟାଅଶୀ ଖଣ୍ଡ-। ଦି ଖଣ୍ଡ ଇଟା ନିଶ୍ଚୟ କିଏ ନେଇଛି । କିଏ ନେଇଛି କାହ୍ନୁ ଜାଣି ନ ଥିଲା । ତେଣୁ ସେ ରାସ୍ତା ଉପରେ ଛିଡ଼ାହୋଇ ଗାଳି ଦେଉଥିଲା । ଯେତେଯାକ ଅଭାଷା, କୁଭାଷା ସେ ଏଯାଏଁ ଆୟତ୍ତ କରିଥିଲା, ସେସବୁକୁ ଏବେ କାମରେ ଲଗଉଥିଲା । ତାର ସେ ଗାଳି ଘର ଚାରିପଟ ରାସ୍ତା ଉପରେ ବିଞ୍ଚି ହୋଇଯାଉଥିଲା ।

 

ମାଲିକ ମାଲିକାଣୀଙ୍କ କୋଠା ଘର ତୋଳା ହେଉଛି । ସେମାନେ ସହର ମଝିରେ ସରକାରୀ କ୍ୱାର୍ଟର୍ସରେ ରହନ୍ତି । ସକାଳେ ସଞ୍ଜେ ଗାଡ଼ିରେ ଆସି ଏଠିକା କାମ ତଦାରଖ କରିଯାଆନ୍ତି । ମିସ୍ତ୍ରି ମଜୁରିଆଙ୍କୁ କାମ ବରାଦ କରନ୍ତି, ପଇସା ଦିଅନ୍ତି । ବାକି ସମୟତକ କାହ୍ନୁ ଘରକୁ ଜଗିଥାଏ । ସେ ଏଠିକାର କେୟାରଟେକର, ମ୍ୟାନେଜର ସବୁ ।

 

ସାନ ମ୍ୟାନେଜର । ଏମିତି କେହି ଡାକିଦେଲେ କାହ୍ନୁ ଖୁସିରେ ଫୁଲିଯାଏ । ଗୋଟିଏ କାମ ବତେଇଲେ ଯୋଡ଼ିଏ କରିଦିଏ । କହେ, ସେ ବେଶି ପାଠ ପଢ଼ିଥିଲେ ବାବୁ ତାଙ୍କ କମ୍ପାନିରେ ତାକୁ ମ୍ୟାନେଜର କରିଥାଆନ୍ତେ । ସିଏ ତ ଜମା ପଞ୍ଚମ ଯାଏ ପଢ଼ିଛି !

 

ଶୁଣିବା ଲୋକ କାହ୍ନୁକୁ ଅନାଏ । ପନ୍ଦର ଷୋହଳ ବର୍ଷର କାଳିଆ ଗେଟମା ଟୋକା । ଖାଇପିଇ ଶାଳଗଛ ପରି ଥାକୁଲଥୁକୁଲ ହୋଇଛି । ପେଟଟି ଓହଳି ପଡ଼ିଛି ବୋଇତି କଖାରୁ ପରି । ମୁଣ୍ଡର ବାଳଗୁଡ଼ାକ ଝିଙ୍କ ପର ପରି ଟାଆଁସା, ମୁନିଆ । ବେକରେ ଗୋଟେ ତୁଳସୀମାଳ–ସେଇଟା କୁଆଡ଼େ ତା ମା ତାକୁ ଦେଇଥିଲା । ପରିଧାନ ଗୋଟାଏ ହାଫ୍‌ପ୍ୟାଣ୍ଟ୍‌, ନାଲି ରଙ୍ଗର ହାତକଟା ଗଞ୍ଜି ଓ ଅଣ୍ଟାରେ କମରପଟି ପରି ବନ୍ଧା ହେଇଥିବା ଗୋଟେ ନାଲି ଖୋର୍ଦ୍ଧା ଗାମୁଛା ।

 

କାହ୍ନୁକୁ ବର୍ଷକ ତଳେ ନୟାଗଡ଼ର ରମେଶ ତିଆଡ଼ି ଏଇ ମାଲିକଙ୍କ ଘରେ ଆଣି ପହଞ୍ଚେଇ ଦେଇଥିଲେ । “ବାପ ମଦପିଇ ମାଇପ ବଦଳେଇଲା ପରେ ମା ଏକୁଟିଆ ଦହଗଞ୍ଜ ହଉଥିଲା । ତାର ଅଭାବୀ ସଂସାରକୁ କାହ୍ନୁର ଅଗସ୍ତି-କ୍ଷୁଧା । ସବୁବେଳେ ଖାଇବି, ଖାଇବି ହୁଏ । ଘରର ଅନ୍ଦିସନ୍ଧି ଦରାଣ୍ଡି ପକାଏ । ମୁଢ଼ି, ଚୁଡ଼ା, ପଖାଳ କିଛି ରଖେ ନାହିଁ । ପେଟ ନ ପୂରିଲେ ୟା ତା ବାଡ଼ିରେ ପଶି କାକୁଡ଼ି, ବାଇଗଣ, ଭେଣ୍ଡି, ପିଜୁଳି, ତେନ୍ତୁଳି, ଆମ୍ବ, ଆମ୍ବଡ଼ା, ପଇଡ଼, ନଡ଼ିଆ, ବାବୁଲି-କଇଁଆ ଯାହା ଯେଉଁଠି ପାଇଲା ଛିଣ୍ଡେଇ ଖାଏ । ତା ଲାଗି ମାଆର ସବୁଦିନେ ଗାଁଲୋକଙ୍କ ସାଙ୍ଗେ କଳିକଜିଆ । କିନ୍ତୁ କଣ କରିବ ? କାହ୍ନୁ ତ ଆଣି କୋଉଠି ଲୁଚେଇ ନାହିଁ କି ବିକି ନାହିଁ, ଯାହା ଆଣିଛି ପେଟକୁ ଖାଇ ଦେଇଛି–ମାଆ କହେ ।

 

ଗାଁ ଲୋକେ ବାର ଉଲୁଗୁଣା ଦିଅନ୍ତି । ପେଟ ବିକଳିଆ ପୁଅ ଜନ୍ମ କରୁଥିଲା କାହିଁକି ? ମାଆ କାନ୍ଦେ । କଷ୍ଟ ପାଏ । କାହ୍ନୁ ଏସବୁ ଦେଖି ମାଆର ଦୁଃଖ ବୁଝିପାରେ । ଆଉ ଦିନେ ଏ କାମ କରିବ ନାହିଁ ବୋଲି ମାଆର ମୁଣ୍ଡ ଛୁଇଁ ହଲପ କରେ । କିନ୍ତୁ ସଞ୍ଜବୁଡ଼େ ପେଟ ଭୋକ ଯେତେବେଳେ ତାକୁ ଅଥୟ କରେ ସେତେବେଳେ ଖରାବେଳର ହଲପ କୁଆଡ଼େ ପାସୋରିଯାଏ-। ସେ ପୁଣି ୟା ତା ବାଡ଼ି ବଗିଚା ଉଣ୍ଡେ ।

 

ତିଆଡ଼ିବାବୁ କାହ୍ନୁକୁ ଆଣି ଏଠି ଛାଡ଼ିଯିବା ଦିନ କହିଥିଲେ, ‘ଟଙ୍କା ପଇସା କଥା ମାସେ ଦି ମାସ ପରେ ସ୍ଥିର କରିବେ । ତା ମାଆ କହିଛି, ଆଗ ପେଟ ଖୁରାକି ଦେଇ ପିଲାଟାକୁ ରଖନ୍ତୁ । ତାକୁ ଟିକିଏ କୂଳରେ ଲଗେଇ ଦେବେ, ସେଇ ଢେର୍‌ ।’

 

ପ୍ରତିଦିନ ଶହ ଶହ ହଜାର ହଜାର ହତଭାଗା, ହତଭାଗିନୀ ରେଳ, ମଟର, ବସ୍‌, ଶଗଡ଼, ସାଇକେଲ୍‌ ଓ ରିକ୍ସା ପିଠିରେ ବସି ଏଇ ସହରକୁ ଆସନ୍ତି । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, କେମିତି ଟିକିଏ କୂଳରେ ଲାଗିଯିବେ । କିନ୍ତୁ କେଉଁଠି ସେ ଜୀବନ ନଈ; କେଉଁଠି ତାର ଅଦୃଶ୍ୟ କୂଳ, କିଏ ଦେଖିଛି ? ତଥାପି, ସବୁଦିନ ସକାଳୁ ସଞ୍ଜଯାଏ, ସଞ୍ଜରୁ ପାହାନ୍ତିଯାଏ ହଜାର ହଜାର ଲୋକ ଜନ୍ଦା ପିମ୍ପୁଡ଼ି ପରି ଏଠିକି ଛୁଟିଥାଆନ୍ତି –କୂଳରେ ଲାଗିବେ!

 

କାହ୍ନୁର ମାଲିକ ରମେଶ ତିଆଡ଼ିର କଥା ଶୁଣି ହସିଥିଲେ । ସିଏ ତ ନିଜେ କୋଡ଼ିଏ ବର୍ଷ ହେଲା ଏ ସହରରୁ ଏ ସହର ଧନ୍ଦି ହେଉଛନ୍ତି, ଏଯାଏଁ କୂଳରେ ଲାଗିନାହାନ୍ତି । ସେ ପୁଣି ଅନ୍ୟ କାହାକୁ କୂଳରେ ଲଗେଇବେ ? କିନ୍ତୁ ବୁଦ୍ଧିମାନ ଲୋକ, ଏକଥା କହିଲେ ନାହିଁ । ଅଭିଜ୍ଞତାରୁ ଜାଣିଛନ୍ତି, ସ୍ୱପ୍ନଟିଏ ନ ଦେଖେଇଲେ ବାସ୍ତବକୁ ନେଇ କେହି ରହନ୍ତି ନାହିଁ । କାହାକୁ ‘କୂଳରେ ଲଗେଇଦେବି’ କି ‘ମଣିଷ କରିଦେବି’ ବୋଲି ସ୍ୱପ୍ନଟେ ଦେଖେଇଲେ ସେ ରହେ । ଖାଲି ମଜୁରି କଥା କହିଲେ ସେ ବାଟ ଭାଙ୍ଗି ଚାଲିଯାଏ ।

 

ନିରାପତ୍ତା ଶୂନ୍ୟତାରୁ ମଣିଷର ମୁକ୍ତି କାହିଁ ? ଦର୍ଶନ ପଢ଼ିଥିବା ମାଲିକ ତାଙ୍କ ପତ୍ନୀଙ୍କୁ କହିଥିଲେ । ମାଲିକାଣୀ ସେତେବେଳକୁ କାହ୍ନୁର ମୋଟା, ତାଗଡ଼ା ଚେହେରା ଓ ଚଞ୍ଚଳ ଆଖିଯୋଡ଼ିକୁ ଦେଖି ତାର ଦର କଳି ସାରିଥିଲେ । ଏମିତି ଚଙ୍ଗଚଙ୍ଗିଆ ପିଲାଟେ ତାଙ୍କ ଘର କାମ ତଦାରଖ ପାଇଁ ଠିକ୍‌ ହେବ ।

 

ମାଲିକ ହଁ ଭରିଥିଲେ । ତିଆଡ଼ିବାବୁ କାହ୍ନୁକୁ ଓ ତା ସାଙ୍ଗରେ ଆଣିଥିବା ଗୋଟେ ଅଖା ତିଆରି ଝୁଲାକୁ ରଖିଦେଇ, ମାଲିକଙ୍କଠାରୁ ଟଙ୍କା ତିନି ଶହ ନେଇ ଚାଲିଯାଇଥିଲେ । ସେ ରାସ୍ତା ମୋଡ଼ରେ ଅଦୃଶ୍ୟ ହେଲାଯାଏ କାହ୍ନୁ ତାଙ୍କୁ ଅନେଇଥିଲା । ସତେ କି, କଣ ଗୋଟାଏ ଛିଣ୍ଡିଗଲା କି ଭାଙ୍ଗିଗଲା ପରି ତାର ଅନୁଭବ ହୋଇଥିଲା । ଯେମିତି ହାତ ତିଆରି ଗୁଡ଼ି, ନ ହେଲେ ଦିଆଶିଲି ତିଆରି ଘର । ମାଲିକାଣୀ ଠିକ୍‌ ଠଉରେଇ ଥିଲେ । ସେ କାହ୍ନୁକୁ ଗୋଟେ ବଡ଼ କଂସାରେ କଂସାଏ ଚୁଡ଼ା ଓ ଚିନି ବାଢ଼ି ଦେଇଥିଲେ । କାହ୍ନୁ ସେଇ ବାରନ୍ଦାରେ ବସି ସେସବୁକୁ ଚକଟିଚାକିଟି ଖାଇଥିଲା । ଜୀବନରେ ପ୍ରଥମଥର ବୋଧହୁଏ ତାର ଭୋକ ମେଣ୍ଟିବା ସତ୍ତ୍ୱେ କଂସାରେ ବଳକା ଥିଲା ଖାଦ୍ୟ । ସେ ସେସବୁ ଚାଟିଚୁଟି ସଫା କରିଦେଲା ।

 

ମାଲିକାଣୀ କହିଲେ, “ଏତେ ବାଟରୁ ଆସିଛୁ । ଗାଡ଼ି ଦରଜ ମରିଯାଉ । ତୁ ଆଜି ଦିନଟା ଏଇ ବାରନ୍ଦାରେ ବିଶ୍ରାମ ନେ । ନ ହେଲେ ଘର ପଛପଟ ବଗିଚାରେ ବୁଲିବୁ ଯା । କାଲି ସକାଳୁ ବାବୁ ଆଉ ମୁଁ ତୋତେ ଆମ ଘର ତିଆରି ଜାଗାକୁ ନେବୁ । ତୁ ସେଇଠି ରହିବୁ । ଘର ତିଆରି ସରିଗଲେ ଆମେ ସମସ୍ତେ ସେଠିକି ଯିବୁ । ସେଇଠି ସାଙ୍ଗହୋଇ ରହିବା ।”

 

ମାଲିକାଣୀ କହିସାରି କାହ୍ନୁକୁ ଅନେଇଥିଲେ । କାହ୍ନୁ ମୁହଁ ତଳକୁ କରି କାନ୍ଦୁଥିଲା । ଭୋକ ମରିଗଲାଣି, ପୁଣି କାନ୍ଦ କାହିଁକି । କାହ୍ନୁ କିଛି କହିଲା ନାହିଁ । କଣ କହିବ ? ମାଆ କଥା ମନେପଡୁଛି କି ଗାଁ କଥା ମନେପଡୁଛି କିଏ ଜାଣେ ? କିମ୍ବା, ଏତେ ସୁନ୍ଦର ସ୍ତ୍ରୀ ଲୋକଟି ଏତେ ମିଠାମିଠା କଥା କହୁଥିବା ଶୁଣି ଖୁସିରେ କାନ୍ଦି ପକଉଛି ।

 

ମାଲିକାଣୀ ପଚାରିଲେ, “କିରେ, ଗାଁ କଥା ମନେପଡ଼ୁଛି କି ?”

 

କାହ୍ନୁ ସେଇମିତି କାନ୍ଦୁ କାନ୍ଦୁ କହିଲା, ‘ହଁ ।’

 

-ମା କଥା ?

 

କାହ୍ନୁ କହିଲା, ‘ହଁ ।’

 

ଏଥର ମାଲିକାଣୀ ତା ପାଖକୁ ଘୁଞ୍ଚି ଆସିଲେ । ତାଙ୍କର ସୁନ୍ଦର ଆଙ୍ଗୁଳିରେ କାହ୍ନୁର ଆଖିରୁ ଲୁହ ପୋଛିଦେଇ କହିଲେ, “ହେଲା, ହେଲା । ଘର ତିଆରି ସରିଗଲେ ଆମେ ସମସ୍ତେ ଯାଇ ମାଆକୁ ନେଇ ଆସିବା । ଆଉ କେତେଟା ଦିନର କଥା କି ? ରମେଶ ବାବୁ ତ ବରାବର ବାବୁଙ୍କ ପାଖକୁ ଆସନ୍ତି । ତୋ ମନ ହେଲେ ତାଙ୍କ ସାଙ୍ଗରେ ମା ପାଖକୁ ଯିବୁ । ତୁ ଯା, ଆଉ ଟିକେ ପରେ ବୁବୁବାବୁ ସ୍କୁଲ୍‌ରୁ ଆସିବେ । ଦିହେଁ ସାଙ୍ଗହୋଇ ଖେଳିବ ।’

 

କାହ୍ନୁ ଚାଲିଗଲା । ମାଲିକଙ୍କ କ୍ୱାର୍ଟର୍ସ ପଛ ଆମ୍ବ ବଗିଚାରେ ବୁଲିଲା । ବାଡ଼ ମୂଳେ ମୂଳେ ଫୁଲକୁଣ୍ଡ । ଗଛମାନଙ୍କର ପତ୍ର ବି ଫୁଲ ପରି ଛାପିଛାପିକା । ସେମାନଙ୍କୁ କାହ୍ନୁ ସାଉଁଳେଇ ଦେଲା-। ଏଠିକା ଗଛଗୁଡ଼ା ତାଙ୍କ ଗାଁ ଗଛଠୁଁ କେତେ ଅଲଗା ! ବାବୁଙ୍କ ବଗିଚାର ଅଧାଅଧି ଗଛ ସେ ଚିହ୍ନି ପାରୁ ନ ଥିଲା । ଅଥଚ ସେ ତା ଗାଁର ସବୁ ଗଛ ଚିହ୍ନିଥିଲା । ତେନ୍ତୁଳି, ଚାକୁଣ୍ଡା, ଆମ୍ବ, ନିମ୍ବ, ପଣସ, ବର, ଅଶ୍ୱତ୍‌ଥ, କଦଳୀ, ଅମୃତଭଣ୍ଡା, ସଜନା, ଶିମିଳି, ଦେବଦାରୁ, କଦମ୍ବ କେତେ ଯେ ଗଛ ! ବାବୁଙ୍କ ବଗିଚାରେ ବାଙ୍ଗରା ବାଙ୍ଗରା ଗଛ ବେଶି । ଗୋଟାଏ ପାଖକୁ ଦିଇଟା ଆମ୍ବଗଛ । କାହ୍ନୁ ଉପରକୁ ଚାହିଁ ଦେଖିଲା ଆମ୍ବ ଗଛରେ ବହୁତ ଆମ୍ବ । ସେ ଗୋଟେ ଫୋପଡ଼ ଗୋଟେଇ ଫିଙ୍ଗିଲା । ଦୁଲ୍‌କିନା ଆମ୍ବଟେ ଖସିପଡ଼ିଲା ପତର ସମେତ । ସେ ଆମ୍ବ ଗୋଟଉ ଗୋଟଉ କାହାର ପାଟି ଶୁଣି ବୁଲିପଡ଼ିଲା ।

 

ତାଠୁ ବୟସରେ ସାନ ପିଲାଟିଏ । ପିନ୍ଧିଛି ଚକଚକିଆ ପୋଷାକ । ପିଠିରେ ଝୁଲିଛି ଗୋଟେ କନା ବାକ୍ସ । ହାତରେ ନେଳିଆ ପାଣି ବୋତଲ । କଳା ଜୋତା, ଧଳା ମୋଜା, ବେକରେ ଗୋଟେ କାଳିଆ ପଟି ଝୁଲୁଛି । ସେ ଗେଟ୍‌ ଡେଇଁ ଆସୁ ଆସୁ ପାଟି କରି ଉଠିଥିଲା, ‘କିଏ ? କିଏ ତୁ ?’

 

କାହ୍ନୁକୁ କିଛି କହିବାକୁ ପଡ଼ିଲା ନାହିଁ । ମାଲିକାଣୀ ଆସି ତାକୁ ଚିହ୍ନେଇଦେଲେ–ଇଏ କାହ୍ନୁ । ତାଙ୍କର ଘର ନୟାଗଡ଼, ଆଉ ଇଏ ବୁବୁବାବୁ–ଆମ ପୁଅ । ବୁବୁ କଟମଟ କରି କାହ୍ନୁକୁ ଚାହିଁଥାଏ । କାହ୍ନୁ ତା ହାତର ଆମ୍ବଟାକୁ ବୁବୁକୁ ବଢ଼େଇଦେଲା–ନିଅ ।

 

କାହ୍ନୁର ଏଇ ବ୍ୟବହାର ବୁବୁକୁ ଭଲ ଲାଗିଲା । ମାଆକୁ କହିଲା, ‘ଭଲ ପିଲା ତ!’ ସେଦିନ ରାତିରେ ମାଲିକ ବି ମାଲିକାଣୀଙ୍କୁ କହିଲେ, “କାହ୍ନୁଟା ଭଲ ପିଲା । ବାପ-ମା ଗରିବ ବୋଲି ସିନା, ନ ହେଲେ ତାର ଯେଉଁ ସ୍ୱଭାବ, ପିଲାଟା ସୈନ୍ୟବାହିନୀରେ ଭର୍ତ୍ତିହୋଇ ପାରିଥାନ୍ତା-। କୁଆଡ଼େ ଗୋଟାଏ ଫୋପଡ଼ରେ ଗଛରୁ ଆମ୍ବ ଖସେଇ ଦେଲା ବୋଲି ବୁବୁ କହୁଥିଲା-।”

 

ମାଲିକାଣୀ କାହ୍ନୁ ବାବଦରେ ଏତେ ଆଗ୍ରହୀ ନ ଥିଲେ । ସେ ପଚାରିଲେ, “ବନା ମହାନ୍ତି ତା ସାରୁ ଗଛ ଉଠେଇ ନେଲା ନା ନାହିଁ ?”

 

: ହଁ, ରକ୍ଷା ହୋଇଛି । ଯଦି ସେ ନଡ଼ିଆ ଗଛ ଲଗେଇଥାନ୍ତା, ତାହାହେଲେ ତ ନିଜ ଜାଗାରେ ଘର ତୋଳିବା ପାଇଁ ଆମକୁ ପନ୍ଦର ବର୍ଷ ଅପେକ୍ଷା କରିବାକୁ ପଡ଼ିଥାନ୍ତା ।

 

ମାଲିକାଣୀ ନିରବ ରହିଲେ ।

 

ମାଲିକ ମାଲିକାଣୀ ସହର ତଳିରେ ଗୋଟେ ଜାଗା କିଣିଥିଲେ । ଶସ୍ତା ଦରରେ ଜାଗାଟିଏ ପାଇଥିଲେ । ଜାଗାଟାର ଦେଖାରଖା କରିବା ପାଇଁ ପାଖରେ ରହୁଥିବା ବନା ମହାନ୍ତି ଆଗ୍ରହ ଦେଖେଇବାକୁ ଏମାନେ ହଁ ଭରିଥିଲେ । କିନ୍ତୁ ବନା ମହାନ୍ତି ବେଶ୍‌ ହୁସିଆର । ଦେଖାରଖା କରୁ କରୁ ସେଥିରେ ସେ ସାରୁ ଚାଷ କଲା । ଇଆଡ଼େ ଘରତୋଳା ମୁହୂର୍ତ୍ତ ପଡ଼ିବାବେଳକୁ ସିଆଡ଼େ ସାରୁ ପାକଳ ହୋଇନାହିଁ । ବାଧ୍ୟହୋଇ ଘରତୋଳା ଦିନ ଗଡ଼େଇବାକୁ ପଡ଼ିଥିଲା ।

 

ପରଦିନ ମାଲିକ-ମାଲିକାଣୀ କାହ୍ନୁକୁ ନେଇ ଜାଗା ପାଖରେ ଛାଡ଼ିଦେଇ ଆସିଥିଲେ । ପାଚିରିକୁ ଲାଗି ଗୋଟେ ବଖୁରିକିଆ ଆଉଟ୍‌-ହାଉସ୍‌ ତିଆରି ହୋଇଥିଲା । ସେଇଠି ସିମେଣ୍ଟ୍‌ ରହୁଥିଲା । ମିସ୍ତ୍ରି ମଜୁରିଆମାନେ ତାଙ୍କର ଖଇନ୍ତି, କୋଦାଳ, ଝୁଡ଼ି ଓ ସଜ ସେଇଠି ରଖିବେ । ମାଲିକ କାହ୍ନୁକୁ ସେଇ ଘରର ଗୋଟିଏ କୋଣ ଦେଖେଇ ଦେଲେ, କାହ୍ନୁ ଏଇଠି ରହିବ । ପାଖରେ ଗୋଟେ ଝୁମ୍ପୁଡ଼ି ହୋଟେଲ୍‌ । ଏବେ କିଛି ଦିନ ସେଇଠୁ ଖାଇଆସୁଥିବ । ‘ହିଟର୍‌ଟିଏ ଆଣିଦେଲେ ତୁ ରୋଷେଇ କରିବୁ ।”

 

କାହ୍ନୁ ଖୁସି ହୋଇଥିଲା ।

 

ସେଇ କାହ୍ନୁ ।

 

ଏହା ଭିତରେ ବର୍ଷେ ପୂରିଲାଣି । ଲାଗୁଛି ସାତ ଆଠ ବର୍ଷ ହେବ । ବର୍ଷକ ଭିତରେ ନୟାଗଡ଼ର କେଉଁ ଅଜଣା ଅଶୁଣା ଗାଁର କାହ୍ନୁ ଏବେ ମାଲିକଙ୍କ ‘ମ୍ୟାନେଜର’ ପାଲଟିଗଲାଣି । ସବୁବେଳେ କାହ୍ନୁକୁ ଖୋଜା । ଆସୁ ଆସୁ ଡାକ ପକାନ୍ତି, “କାହ୍ନୁ ଆମ ଘର କାମ କେତେ ବାଟ ଗଲା ?” କାହ୍ନୁ ବି ତହୁଁ ବଳି । ଇଟା, ବାଲି, ସିମେଣ୍ଟ, ଚିପ୍ସ, ଲୁହାଛଡ଼, ମିସ୍ତ୍ରି ମଜୁରି, ପାଇପ୍‌, ମଟର–ସବୁକଥାର ହିସାବ ତା ମୁହେଁ ମୁହେଁ । ମିସ୍ତ୍ରି, ମଜୁରିଆମାନେ ବି କାହ୍ନୁର ଜାଗତିଆର ଗୁଣ ଦେଖି ଡରନ୍ତି । କୋଉଠି କିଏ ଘଡ଼ିଏ ବସିଲେ କି ରାଜମିସ୍ତ୍ରି କୋଉ ରେଜାକୁଲି ସାଙ୍ଗେ ଟିକିଏ ଥଟ୍ଟା ପରିହାସ କଲେ କାହ୍ନୁ ଦେହରେ ଯାଏନାହିଁ । ସେ ଯାଇ ପାଟି କରେ । ମାଲିକଙ୍କୁ କହିଦେବ ବୋଲି ଧମକ ଦିଏ ।

 

ତେଲେଙ୍ଗା ରେଜାକୁଲି ଦାନ୍ତ ଦେଖାନ୍ତି । ଓଡ଼ିଆ ରାଜମିସ୍ତ୍ରି କହେ, ‘ଶଳା ! ଘରର କେହି ନୁହେଁ, ପିଢ଼ାରେ କୁଆ ବସେଇ ଦେଉ ନାହିଁ ।”

 

କାହ୍ନୁକୁ ଏକଥା ବାଧେ ! ସେ ପାଟିକରି ଉଠେ, ‘ଏଇଟା ଆମ ଘର । ବୁଝିଲ, ବିଶ୍ୱାସ ହଉ ନ ଥିଲେ ମାଲିକାଣୀଙ୍କୁ ପଚାରିବ ।’

 

କଥା ସେତିକିରେ ରହେ ନାହିଁ । ମାଲିକ-ମାଲିକାଣୀ ଆସିବାବେଳେ ସେ କଥା କାହ୍ନୁ ଉଠାଏ । କାହ୍ନୁ ଅବା ଗୋଟେ ଟ୍ରାଞ୍ଜିଷ୍ଟର ସେଟ୍‌ ! ଗଲାକାଲିରୁ ଆଜି ପର୍ଯ୍ୟନ୍ତ ଘଟିଥିବା ସବୁ ଘଟଣାର ଟିକିନିଖି ଖବର ଗଡ଼ଗଡ଼ କରି କହିଯାଏ । ତା ଭିତରେ ଥାଏ ରାଜମିସ୍ତ୍ରିର ଉଲୁଗୁଣା ପ୍ରସଙ୍ଗ ।

 

ରାଜମିସ୍ତ୍ରି ଉପରେ ମାଲିକାଣୀ ବିରକ୍ତ ହୁଅନ୍ତି । ଏମିତି କହିବା ଠିକ୍‌ ହୋଇନାହିଁ ବୋଲି କହନ୍ତି । କାହ୍ନୁ ରାଜମିସ୍ତ୍ରିକୁ ଦାନ୍ତ ଦେଖାଏ, ଜିଭ ଦେଖାଏ । ତାପରେ କମରରେ ଗାମୁଛା ଭିଡ଼ିଦେଇ ଇଟା, ବାଲି ହିସାବ ବୁଝିବାକୁ ଚାଲିଯାଏ ।

 

ସେ ପଳେଇଗଲା ପରେ ରାଜମିସ୍ତ୍ରି କହେ, ‘ଶଳା ବଣଓଲୁ ! ଏଇଟା ଅନ୍ଧ କନ୍ଧ ହେଇଥିବ ।’

 

ମାଲିକ ହସନ୍ତି ।

 

ସକାଳ ହେବା ଆଗରୁ କାହ୍ନୁ ଉଠେ । ଦାନ୍ତକାଠିଟାଏ ପାଟିରେ ପୂରେଇ କୂଅରୁ ପାଣି କାଢ଼େ । ଟୁଲୁ ପମ୍ପ୍‌ରେ ପାଣି ଭର୍ତ୍ତି କରି ସୁଇଚ୍‌ ଟିପେ । ଚାରି ପାଞ୍ଚଥର ଏମିତି କଲାପରେ ମୋଟର ପାଣି ଉଠାଏ । ପାଇପ୍‌ରୁ ପାଣି ଖସି ଯାଇଥାଏ । ନେଳି ପାଇପ୍‌ ସାଙ୍ଗେ ଧଳା ପାଇପ୍‌ ଲଗେଇ ଅଧକାନ୍ଥି ଉପରେ ଚଢ଼ି ବତୁରେଇ ବତୁରେଇ ପାଣି ପକାଏ । ପାଣିପକା କାମରେ ତାର ଦି’ ଘଣ୍ଟା ବିତିଯାଏ । ଖରା ଆସି ତାର ଝାଳ ସରସର ପିଠି ଉପରେ ଚକ୍‌ଚକ୍‌ କରେ । କାହ୍ନୁ କିନ୍ତୁ ଥକିଯାଏ ନାହିଁ । ପାଣିପକା କାମ ସରିବା ପରେ ବାଲିଗୁଡ଼ା ଗୋଡ଼ରେ ଆଡ଼େଇ ଦେଉଳ ପରି କରିଦିଏ । ରାସ୍ତା ଦେଇ ଯାଉଥିବା ଗାଡ଼ି, ମଟର, ଛେଳି ଓ ଚଗଲା ପିଲାଙ୍କ ଉଦ୍ଦେଶ୍ୟରେ ଗାଳିଦିଏ । ସେଇମାନେ ତାଙ୍କ ବାଲିକୁ ଖେଳେଇ ଦେଉଛନ୍ତି । ବାଲିକଥା ବୁଝା ସରିବା ପରେ ଚିପ୍ସ ଗଦା ଆଡ଼କୁ ଆସେ, ତାପରେ ଇଟା । ଗୋଟିଗୋଟି କରି ଇଟା ଗଣେ, ଭଙ୍ଗା ଇଟାକୁ ସାଇଜ୍‌ କରି ଗଦାଏ । ତାପରେ ସେ ତା ବସାକୁ ଯାଇ ଗୋଟିଏ କଂସାରେ ଚୁଡ଼ାଚିନି ଚକଟି ଖାଏ । ସେତେବେଳକୁ ଖରା ମଥାନ ପାଖାପାଖି ହେଇଯାଇଥାଏ ।

 

ଆଜି ସେ ପର୍ଯ୍ୟନ୍ତ କାହ୍ନୁ ଚୁଡ଼ା ଚକଟା ଖାଇ ନ ଥିଲା । ତାର କାରଣ ହେଲା, ଇଟା ହିସାବଟା ଗୋଳମାଳ ହୋଇଯାଇଥିଲା । ଦି’ଖଣ୍ଡ ଇଟା କିଏ ନେଲା ସେକଥା ସେ ଜାଣିପାରୁ ନ ଥିଲା ।

 

ମାଲିକାଣୀ କହିଲେ, “କାହା ଉପରେ ଏମିତି ଗରଗର ହେଉଛୁ ? ଦି ଖଣ୍ଡ ଇଟା ପାଇଁ ଏତେ କଥା ବକିଲେ ପାଖ ଲୋକେ ରାଗିବେ ନାହିଁ ?”

 

ମାଲିକ ଗାଡ଼ି ପାର୍କିଂ କରି ଆସୁଥିଲେ । ସେ ମାଲିକାଣୀଙ୍କୁ ଡାକିନେଇ କହିଲେ, “ଗାଳିଦେଉ, ଭଲ । ଅନ୍ତତଃ ଲୋକ ଜାଣିବେ ଯେ ଇଟା ଚୋରି କରିନେବା କଥାଟା ଆମେ ଜାଣିଛୁ ।”

 

କାହ୍ନୁର ସ୍ୱଭାବ ଏହିପରି । ହସିବ ଯଦି ଦରହସାଙ୍କ ପରି କିରିକିରି ହୋଇ ଘଡ଼ିଏ ହସିବ-। ହସି ହସି ଗଡ଼ିଯିବ । ରାଗିବ ଯଦି, ବକି ଚାଲିଥିବ । ମାଲିକାଣୀଙ୍କ ବାରଣ ସତ୍ତ୍ୱେ ସେ ଗୁରୁଗୁରୁ ହେଉଥିଲା ।

 

କାହ୍ନୁ ବେଶି ସମୟ ବକେ ତା ବାପାକୁ । କହେ, ତା ବାପା ମଦୁଆ । ସବୁଦିନେ ମାଆକୁ ପିଟୁଥିଲା । ତାକୁ କାମକୁ ପଠେଇ ନିଜେ ହେଁସ ଘୋଡ଼ି ଶୋଉଥିଲା । ସଞ୍ଜବୁଡ଼େ ମାଆ ଚାଉଳ କି ପଇସା ଆଣି ଆସିଲେ ଛଡ଼େଇ ନେଇ ଭାଟିକୁ ପଳଉଥିଲା । ମାଆ ରାଗିଲେ ତାକୁ କଟୁରି, ଠେଙ୍ଗା ଦେଖେଇ ଚଦି ଆସୁଥିଲା । ବିଧା ଗୋଇଠା ମାରୁଥିଲା । ଏସବୁ ସହି ମାଆ କାହ୍ନୁକୁ କୋଳେଇ ବୁଝେଇ ଭୋକ ଉପାସରେ ଶୋଇପଡୁଥିଲା । କିନ୍ତୁ ସେଇ ନୃଶଂସ ବାପ ଆଉ ଗୋଟେ ମାଇକିନା ବୋଲରେ ପଡ଼ି ତା ମାଆକୁ ଛାଡ଼ିଦେଲା ।

 

ଏତିକି ପର୍ଯ୍ୟନ୍ତ କହି କାହ୍ନୁ ରହିଯାଏ । ମନକୁ ମନ କହେ, ‘ବାବୁଙ୍କ ଘର ତିଆରି ସରିଯାଉ । ମାଆକୁ ଗାଁରୁ ନେଇ ଆସିବି । ମା ଏଇଠି କୋଠାଘରେ ରହିବ । ସକାଳେ ଖରା ପଡ଼ିବା ଯାଏ ଶୋଇବ । କାହା ଘରକୁ ବାସନ ମାଜି ଯିବ ନାହିଁ ।’

 

ତାପରେ ସେ ଅଧାତିଆରି ଘରଗୁଡ଼ାକ ଚାରିପଟେ ବୁଲିଯାଏ । ମାଲିକ କହିଥିବାମତେ ମନେପକାଏ । ଏଇଟା ଦାଣ୍ଡଘର, ଏଇଟା ବାବୁଙ୍କ ଶୋଇବା ଘର, ଏଇଟା ରୋଷେଇ ଘର, ଏଇଟା ବୁବୁବାବୁର ଘର, ଏଇଟା ଠାକୁର ଘର, ଏଇଟା ଭଣ୍ଡାର ଘର, ଏଇ ଦିଇଟା ଗାଧୁଆ ଘର । ତାପରେ ଆସି ଗୋଟିଏ ସାନଘର ପାଖରେ ସେ ଅଟକିଯାଏ । ଏଥର ସେ ଗାଁରେ ଖପରାଡିଆଁ ଖେଳିଲା ବେଳେ ଯେମିତି ନିଜ ଘରେ ଛକ ପକେଇ ଠିଆ ହୋଇଯାଏ, ସେମିତି ସେଇ ସାନ ଘରଟା ମଝିରେ ଠିଆହୋଇ କହେ, ‘ଏଇଟା ଆମ ଘର ।’

 

ମାଲିକାଣୀ କାହ୍ନୁ ଠିକ୍‌ ଠିକ୍‌ ପାଣି ଦେଉଛି ନା ନାହିଁ ତଦାରଖ କରୁଥିଲେ । ଗୋଟାଏ ଜର୍ଦ୍ଦା ଗୁଟ୍‌ଖା ଜରି କାହ୍ନୁ ରହୁଥିବା ଆଉଟ୍‌ ହାଉସ୍‌ ପାଖରେ ପଡ଼ିଥିଲା । ମାଲିକାଣୀ ଡାକ ଛାଡ଼ିଲେ, “କାହ୍ନୁ! ତୁ ଏ ଗୁଟ୍‌ଖା ଖାଉଛୁ ?”

 

କାହ୍ନୁ କଣ କହିବ ବୋଲି ଭାବି ଆସୁଥିଲା । ମାଲିକ ତାକୁ ଫେରେଇ ଦେଲେ । ଚୁପିଚୁପି ଗଳାରେ ମାଲିକାଣୀକୁ କହିଲେ, ‘ଓ-ହୋ, ସବୁ କଥାରେ ତାକୁ ବୁବୁ ପରି ଶାସନ କରୁଛ କାହିଁକି ? ମୋତେ ପଚାରିଲେ କହିବି, ଛୋଟ ଛୋଟ ଅମଳ କରିବା ଭଲ । ବରଂ ପାରିବ ଯଦି ଗୋଟେ କିଛି ଅମଳ ଶିଖାଅ । ଅମଳ ଥିଲେ ସେ ପଇସା ଲୋଡ଼ିବ । ପଇସା ଲୋଡ଼ିଲେ ତମ ପାଖେ ରହିବ । ଯେଉଁ ଅମଳ ଯେତେ ଟାଣ, ସେଇ ଅମଳ ପାଇଁ ମଣିଷ ସେତିକି ଦୁର୍ବଳ । କିଛି ବୁଝୁଛ ତ!’

 

ମାଲିକାଣୀ ଚଉଦ ବର୍ଷ ହେଲା ସଂସାର କଲେଣି । ମାଲିକଙ୍କର ଠାର ବୁଝିବାରେ ସେ ପଟୁ । କଣ ବୁଝିଲେ କେଜାଣି ମାଲିକଙ୍କୁ ଆଦରରେ ଚିମୁଟିଦେଲେ ।

 

ଘର ତିଆରି କାମ ଆଗଉଥିଲା ।

 

ମଝିରେ ମଝିରେ ଝଡ଼ି ବର୍ଷା ଯୋଗୁଁ କାମ ଅଟକି ଯାଉଥିଲା । କେବେ କେବେ ବାଲି ମିଳୁ ନ ଥିଲା । ଦିନେ ଦିନେ ମିସ୍ତ୍ରି ବି ଆସୁ ନ ଥିଲେ । ମାଲିକ ଆସି ଏକଥା ଦେଖି ବିରକ୍ତ ହୋଇଯାଉଥିଲେ । କିନ୍ତୁ କାହ୍ନୁ କୁଆଡ଼େ ଯାଉ ନ ଥିଲା । ଦିନ ରାତି, ସକାଳ ସଞ୍ଜ, ଖରା ବର୍ଷା, ଜ୍ୟେଷ୍ଠ ପଉଷ ସବୁବେଳେ ସେଇଠି ଥିଲା । ବାବୁ ଖୁସି ହେଉଥିଲେ । ତାଙ୍କର କାହ୍ନୁଟି ଭାରି ଭଲ ବୋଲି ସାବାସି ଦେଉଥିଲେ ।

 

କାହ୍ନୁ ସବୁବେଳେ ଘରକୁ ଜଗି ରହୁଥିଲା । ଯକ୍ଷ ପରି ଇଟା, ବାଲି, ସିମେଣ୍ଟର ପାଖ ଛାଡୁ ନ ଥିଲା । ଅଧକାନ୍ଥି ଉପରେ କୁଆକୁ ସୁଦ୍ଧା ସେ ବସେଇ ଦେଉ ନ ଥିଲା । କେବେ କେବେ ଗାଁ କଥା ଯେ ମନେପଡୁ ନ ଥିଲା ନୁହେଁ, ମାଆ କଥା ତାର ବରାବର ମନେପଡୁଥିଲା । କିନ୍ତୁ ମାଲିକ କହୁଥିଲେ, ତୁ ଗଲା ମାନେ ଏଠି ଘର କାମ ଅଚଳ । ତୋ ଭରସାରେ ସବୁ ଚାଲିଛି । ତୁ ଛୁଟିରେ ଗଲେ ଆମ ଘର କଥା କଣ ହେବ ? ମିସ୍ତ୍ରି ମୂଲିଆ ସମେସ୍ତ ପରା ଠକ !

 

ଏମିତି ପ୍ରଶଂସା ଶୁଣିଲେ କାହ୍ନୁର ଛାତି ଚଉଡ଼ା ହୋଇଯାଉଥିଲା । ସେ ଗାଁକୁ ଯିବା କଥା ଭୁଲିଯାଉଥିଲା । ମାଲିକଙ୍କୁ ପଚାରୁଥିଲା, “ଘରକାମ ସରିଗଲେ ମୁଁ ମୋ ମାଆକୁ ନେଇ ଆସିବି । ସେ ଏଇଠି ରହିବ ତ ?”

 

ମାଲିକ ତାଙ୍କର ଅଧାତିଆରି ଘର କିପରି ପୂରା ହେବ, ସେଇ ଚିନ୍ତାରେ ଥାଆନ୍ତି । ଯେତେ ଯୁଆଡୁ ଟଙ୍କା ପଇସା ଆଣି ପୂରେଇଲେ ସବୁ ଏ ଘର ଭିତରେ ପଶିଯାଉଛି । ଛାତ ପଡ଼ିବାଯାଏ ଚାଳିଶ ଭାଗ କାମ, ଅସଳ ଭିଡ଼ାଓଟରା ତାପରେ । ପାଇପ୍‌ କାମ, ଇଲେକ୍‌ଟ୍ରିକ୍‌ କାମ, ଚଟାଣ ମୋଜାଇକ୍‌, କାଠ କାମ ଓ ଶେଷକୁ ରଙ୍ଗ କାମ । ସେ ବିବ୍ରତ ହୋଇପଡ଼ନ୍ତି । କାହ୍ନୁର ପ୍ରଶ୍ନଟା ଅମୃତଭଣ୍ଡା ଗଛର ପାଚିଲା ବାହୁଙ୍ଗା ପରି ଲଟକି ଝୁଲୁଥାଏ । ସେ କହନ୍ତି, “ହଁ, ହଁ-। ରହିବ ।” ତାପରେ ସେ ତାଙ୍କ ଘର କାମ ଦେଖିବାକୁ ଚାଲିଯାଆନ୍ତି ।

ମିସ୍ତ୍ରି ମଜୁରିଆଙ୍କ କାମ ସରୁ ସରୁ ରାତି ହୋଇଯାଏ । ସେମାନେ ପାଇପ୍‌ରେ ପାଣି ଉଠେଇ ହାତ ଗୋଡ଼ ଧୋଇବା ଲାଗି ଚାହାନ୍ତି । କିନ୍ତୁ କାହ୍ନୁ ମୋଟର ଚାଲିବାକୁ ଦିଏନାହିଁ । କରେଣ୍ଟ୍‌ ସରିଯିବ, ତମେମାନେ କୂଅରୁ ପାଣି କାଢ଼ି ଧୋଇଧାଇ ହେଉନ, ସେ ଓଲଟି ପ୍ରସ୍ତାବ ଦିଏ-। ମିସ୍ତ୍ରି ବିଗିଡ଼େ, ରେଜାକୁଲି ହସନ୍ତି ।

ବୁଢ଼ୀ କୁଲିଟି କାହ୍ନୁର ଗାଲ ଚିପିଦିଏ । କିନ୍ତୁ କାହ୍ନୁ ତା କଥାରୁ ଟଳେନାହିଁ । ମାଲିକ କହିଛନ୍ତି, ତୁଚ୍ଛାଟାରେ ସେ ମୋଟର ଚଲେଇବ ନାହିଁ ।

ମିସ୍ତ୍ରି, ମୂଲିଆଏ ହାତଗୋଡ଼ ଧୋଇ ଚାଲିଯାଆନ୍ତି । ଦିନବେଳା ସେମାନେ ଏଇଠି ବସି ଖାଆନ୍ତି, କାହ୍ନୁ କିନ୍ତୁ ତା ଘର ମଝିରେ ବସି ଖାଏ । ଏଇଟି ତ ଦିନେ ତାଆରି ଘର ହେବ, ଏଇଠି ସେ ବସି ଖାଇବ ମାଆ ସାଙ୍ଗରେ । ଆଜିଠୁଁ ଏଇଠି ବସିଲେ କି ଖାଇଲେ କ୍ଷତି କଣ ? ଛାତ ତ ପଡ଼ିଯାଇଛି, ରଙ୍ଗ ହେଲାପରେ ସେ ଆସି ରହିବ । ସଞ୍ଜବୁଡ଼େ, କେହି ନ ଥିଲାବେଳେ କାହ୍ନୁ ସେଇ ଘର ମଝିଟାରେ ଅନେକ ସମୟ ପର୍ଯ୍ୟନ୍ତ ବସିରହେ । ପବନ, ବତାସ, ବିଲୁଆ ରଡି କିଛିହେଲେ ତାକୁ ଡରାଇପାରେ ନାହିଁ । ସେଇ ଘରର କବାଟ ଝୁଲି ନ ଥିବା ଝରକାବାଟେ ଆକାଶକୁ ଚାହେଁ । ଆକାଶରେ ଲକ୍ଷ ଲକ୍ଷ ତାରା ଆଖିମିଟିକା ମାରୁଥାଆନ୍ତି, କାହ୍ନୁ ବି ତାଙ୍କୁ ଆଖିମିଟିକା ମାରେ । କହେ, ଏକ୍‌ ତାରା ମଣିଷ ମରା, ଦୁଇ ତାରା ଭଲ, ତିନ୍‌ ତାରା ମୁହଁ ଚାହିଁଲେ ଆଖି ଥାଉ ଥାଉ ମର୍‌-। ଏମିତି ଦେଖୁ ଦେଖୁ ତାର ଚିହ୍ନା ପରିଚୟ ହୋଇଯାଏ ତାରାମାନଙ୍କ ସାଙ୍ଗରେ । ତାରାମାନେ ଭାରି ଭଲ, ସବୁଦିନେ ଠିକଣା ସମୟରେ, ଠିକଣା ଜାଗାରେ ଆସନ୍ତି । ସେ ତା ଘରର ଝରକା ଫାଙ୍କରୁ ଚିହ୍ନଦିଏ । ଏଇ ତାରା ତା ଘରର ତାରା । ଆର ଘର ଝରକାବାଟେ ଦିଶୁଥିବା ତାରା ମାଲିକ, ମାଲିକାଣୀଙ୍କ ତାରା, ସେପଟ ତାରା ବୁବୁବାବୁର ତାରା । ବେଳେବେଳେ କାହ୍ନୁ ପବନ ସାଙ୍ଗରେ କଥାବାର୍ତ୍ତା କରେ । ପବନ ସାଙ୍ଗରେ ତାଳ ଦେଇ ଶୁଷୁରି ବଜାଏ । ଗୁଟ୍‌ଖାରୁ ଟିକିଏ କଳରେ ଜାକିଦେଇ ଶୁଷୁରି ମାରି ମାରି ଛାତ ଉପରକୁ ଉଠିଯାଏ । ନିଜଘର ଛାତ ଉପରେ ବସି ଦୂରର ବଡ଼ ବଡ଼ କୋଠାକୁ ଅନାଏ । ତା ଆଖି ଖୋଷି ହୋଇଯାଏ । କେତେ ବଡ଼ ବଡ଼ କୋଠା ! କେତେ ହଜାର ହଜାର ଘର । ତାଙ୍କ ଗାଁରେ ଏତେ ଗଛ ସୁଦ୍ଧା ନାହିଁ ।

ଗାଁ କଥା ମନେପଡ଼ିଲେ ମାଆ କଥା ମନେପଡ଼େ । କାଳିଆ, ଜଗୁନି, ବୁଲୁ, ବଇଦାଙ୍କ କଥା ମନେପଡ଼େ । ତାଙ୍କ ଘର ପାଖ ଛକର ବରଗଛ କଥା ମନେପଡ଼େ । ବରଗଛର ବହଳ ଶାଗୁଆ ପତ୍ର ସନ୍ଧିରେ ଲାଲ୍‌ ଟୁକୁଟୁକୁ ବରଫଳ । ଶହ ଶହ, ହଜାର ହଜାର, ଲକ୍ଷ ଲକ୍ଷ । ଚୁଇଁଆ ଗୁଣ୍ଡୁଚି ମୂଷା ପଲେ ସଦାଦିନେ ସେଇଠି ଟୁପୁରଟାପର ହେଉଥାନ୍ତି । ପଛ ଗୋଡ଼ରେ ବସି ଲାଞ୍ଜ ଲମ୍ବେଇ ମଣିଷଛୁଆ ପରି ଆଗ ଦି’ ଗୋଡ଼କୁ ହାତ କରି ବରଫଳ ଖାଉଥାନ୍ତି । ସେଠି ଶହ ଶହ କଙ୍କି, ପ୍ରଜାପତି । କାହ୍ନୁ ଗାଁର କାହାରିକୁ ଡରେ ନାହିଁ, କେବଳ ବଇଦାଙ୍କ ସାହିର ମାରଣାଷଣ୍ଢ ଆଉ ଉଦ୍ଧବା ପାଗଳା ଛଡ଼ା । ଉଦ୍ଧବା ପାଗଳାଟା ବାଇଆ, ପିଲାଧରା । ଖରାବେଳେ ନ ଶୋଇ ଦାଣ୍ଡରେ ବୁଲିଲେ ଉଦ୍ଧବା ବାଇଆ ତା ଅଖାରେ ପୂରେଇ ଛୁଆଙ୍କୁ ଧରିନିଏ । ପାହାଡ଼ ଉପର ଠାକୁରାଣୀ ପାଖରେ ନେଇ କାଳେ ବଳି ଦେଇଦିଏ । ସେଇଥିପାଇଁ ସିଏ ତାକୁ ଡରେ ।

କାହ୍ନୁର ଛାତି ଧଡ଼ପଡ଼ ହୋଇଉଠେ । ଏତେବେଳକୁ ତା ମାଆ କାମରୁ ଫେରି ଆସିବଣି-। ମାଆର ହାତ ଗୋଡ଼ ପାଣିଖିଆ । ଗୋଡ଼ ଆଙ୍ଗୁଳି ସନ୍ଧିରେ ମାଟିତେଲ ବୋଳି ଶୁଏ । ମାଆ ଏକୁଟିଆ ହେଁସ ପାରି ଶୋଇଥିବ । ତାକୁ ଖୋଜୁଥିବ ମଝିରେ ମଝିରେ ।

 

କାହ୍ନୁର ଆଖିପତା ଜକେଇ ଆସେ । ସେ ସତେ କି ମାଆ ପାଖକୁ ଘୁଞ୍ଚିଗଲା ପରି ସିମେଣ୍ଟ ଖୁଣ୍ଟ ପାଖକୁ ଘୁଞ୍ଚିଯାଇ ମନକୁ ମନ କହେ, ‘ମାଆଲୋ ! ଆଉ ଦି ମାସ ପରେ ଆମ ଦୁଃଖ ଘୁଞ୍ଚିଯିବ । ମାଲିକଙ୍କ ଘର କାମ ସରିଯିବ । ତୁ ରମେଶ ତିଆଡ଼ିକୁ ପଠେଇବୁ, ତା ସାଙ୍ଗରେ ଯାଇ ମୁଁ ତୋତେ ନେଇ ଆସିବି । ତେଣିକି ଆମ ଘରେ ଆମେ ଏକାଠି ରହିବା ।’

 

ପବନ ଶୁଣିପାରେ ନାହିଁ କାହ୍ନୁ କଥା । ତାରା ବୁଝିପାରେ ନାହିଁ ମେଘ ବଉଦ କି ଗଛପତ୍ର କେହି ବୁଝିପାରନ୍ତି ନାହିଁ । କାହ୍ନୁ କଅଁଳା ବାଛୁରୀ ପରି ଖପ୍‌ଖାପ୍‌ ଡେଇଁ ଡେଇଁ ତଳକୁ ଚାଲିଆସେ-। ହିଟର ସ୍ୱିଚ୍‌ ଟିପିଦେଇ ଭାତ ବସାଏ । ଏ ହିଟର୍‌ ପାଇଁ ମାଲିକଙ୍କୁ ଟଙ୍କା ଦେବାକୁ ହୁଏ ନାହିଁ । ଲାଇନ୍‌ମ୍ୟାନ୍‌ ମାସକୁ ପଚିଶ ଟଙ୍କା ନିଏ । ନଉ ପଛକେ, ଘଣ୍ଟାକ ଭିତରେ କାହ୍ନୁର ଭାତ ଡାଲମା ହୋଇଯାଏ । କାହ୍ନୁ ଖାଇଦେଇ ସେଇ ବାଲି ସିମେଣ୍ଟ ବାଲୁବାଲୁ ଦେହରେ ଶୋଇପଡ଼େ ।

 

ଦିନ ଗଡ଼େ ।

 

ଘର କାମ ବଢ଼େ ।

 

କାହ୍ନୁ ଅନାଏ, କେମିତି ଦିନକୁ ଦିନ ସୁନ୍ଦର ଦିଶୁଛି ତାଙ୍କ ଘର । ଏବେ ମାଲିକ ମାଲିକାଣୀ ଭାରି ବ୍ୟସ୍ତ । ପଇସା ସବୁ ସରିଯାଉଛି । ମାର୍ବଲର ଦାମ୍‌ ବହୁତ, କାଠମିସ୍ତ୍ରି ଡେରି କରୁଛି । କାଠ ଭାଉ ଯାହା ସୁନା ଭାଉ ସେଇଆ । ମାଲିକଙ୍କ ଦେହ କଳା ପଡ଼ିଯାଉଛି, ମାଲିକାଣୀ ଚିଡ୍‌ଚିଡ୍‌ ହେଉଛନ୍ତି । କାମ ସରିଗଲେ ସେ ନିଶ୍ଚିନ୍ତ ହେବେ । ତାଙ୍କୁ ଏଇ ମାସରେ କାମ ସାରିବାକୁ ହେବ ।

 

କାହ୍ନୁ ଯାଇ ମାଲିକାଣୀଙ୍କ ପାଖରେ ଛିଡ଼ାହୁଏ । ଡବ ଡବ ଆଖିରେ ଅନାଏ । କଣ ପଚାରିବ ବୋଲି କାନମୁଣ୍ଡା ସାଉଁଳାଏ । କାହ୍ନୁ ମାଲିକାଣୀଙ୍କ ପାଖକୁ ଗଲେ ମାଲିକାଣୀ ତାଠୁଁ ଦୂରକୁ ପଳାନ୍ତି । କାହ୍ନୁର କଥା ତା ପାଟିରେ ରହିଯାଏ ।

 

ଆଉଟ୍‌ ହାଉସ୍‌ଟା ଭଙ୍ଗା ହେଇଗଲା । ସେଇଠି ପାଇଖାନା ଟାଙ୍କି ଖୋଳାହେବ । ଆଗରୁ ଯେଉଁଠି ଖୋଳାହେବ ବୋଲି ମାଲିକ କହୁଥିଲେ ସେଠି ଖୋଳାହେବ ନାହିଁ । ସେପଟେ ଖୋଳାହେଲେ ମାଲିକଙ୍କର କ୍ଷତି ହେବ ବୋଲି ବାସ୍ତୁ ଜ୍ୟୋତିଷ କହିଲା । କାହ୍ନୁ କିଛି କହିଲା ନାହିଁ-। ସିଏ ତା ଛାତଘରେ ରହିବ, ଏ ଆଜବେଷ୍ଟସ୍‌ ଘରକୁ ପଚାରେ କିଏ ? ସବୁଆଡ଼ ବାଲି, ସିମେଣ୍ଟ, ପାଣି ଜକଉଛି । ସିଏ ତା ଜାମା, ଗାମୁଛା ଧରି ପଳେଇ ଆସିଲା ସିଧା ତା ଘରକୁ । ସେଇଠି କାଠମିସ୍ତ୍ରି ତା ଜିନିଷପତ୍ର ଥୋଇଥିଲା । ସେ ପାଟିକଲା, ‘‘ହେଇଟି ଭାଇନା ! ତମ ରନ୍ଦା, ବଟାଳି, କରତ ଘୁଞ୍ଚେଇନେବ । ଏଇଟା ମୋ ଘର ।’’

 

ଘର ପ୍ରତିଷ୍ଠା ଦିନ କାହ୍ନୁ ପାଇଁ ଗୋଟେ ନୂଆ ଜାମା କିଣାହୋଇ ଆସିଲା । ବ୍ରାହ୍ମଣ ତା ମୁଣ୍ଡ ଉପରେ ଅକ୍ଷତ ପକେଇ ସିନ୍ଦୂର ଟିପାଟେ ଲଗେଇଦେଲେ । ସାନ ମ୍ୟାନେଜର ଖୁସିରେ କିଛି କାମ ନ ଥାଇ ପାଖ ପଡ଼ିଶା ଘରୁ ଯାଇ ଘେରାଏ ଲେଖା ବୁଲି ଆସିଲେ !

 

ମାଲିକ କହିଲେ, ଆଜି ଏ ବାଉଁଶ ଭାରାଗୁଡ଼ା ଖୋଲିଦେବୁ । ରଙ୍ଗ କାମ ତ ସରିଗଲାଣି-

 

ମାଲିକାଣୀ ମାଲିକଙ୍କୁ ଟିକିଏ ଦୂରକୁ ଡାକିନେଲେ । ମାଲିକ ଗମ୍ଭୀର ହୋଇଗଲେ । ପଚାରିଲେ, କେବେ କହୁଥିଲା ?

 

ସବୁଦିନ ତ କହୁଛି । ମାଆକୁ ଯାଇ ନେଇ ଆସିବ ।

 

ମାଲିକ ଥରେ ତାଙ୍କର ନୂଆବୋହୂ ପରି ଦିଶୁଥିବା ମାର୍ବଲଖଚିତ ଘର ଓ ଥରେ କାଳିଆ, ମଳିଛିଆ କାହ୍ନୁ ଆଡ଼େ ଅନେଇ କହିଲେ, "କାଲି ରମେଶ ତିଆଡ଼ି ଆସିବେ, ମୁଁ ଖବର ପଠେଇଛି-।'

 

ପରଦିନ ରମେଶ ତିଆଡ଼ି ଆସିଲେ । ମାଲିକଙ୍କ କ୍ୱାର୍ଟର୍ସକୁ କାହ୍ନୁକୁ ଡକା ପଡ଼ିଲା ।

 

ମିକ୍‌ଶ୍ଚର, ବିସ୍କୁଟ୍‌ ଓ ସନ୍ଦେଶ ଖାଇବା ପରେ କାହ୍ନୁ ରମେଶ ତିଆଡ଼ିଙ୍କୁ କଫି ଆଣିଦେଲା-

 

ମାଲିକ ଟଙ୍କା ତିନିଶହ ଅଧିକା ଦେଇ ରମେଶ ତିଆଡ଼ିଙ୍କୁ ଦୂରକୁ ଡାକିନେଲେ । ରମେଶ ତିଆଡ଼ି ମାଲିକଙ୍କ କଥା ଶୁଣି ଆଖି ଏଡ଼େ ଏଡ଼େ କରି ଚାହିଁଲେ, ‘‘ଏଁ । ଏତେ କଥା!'' ସେଇଠୁ ସେ ବାଟଖର୍ଚ୍ଚ ଧରି କାହ୍ନୁକୁ ଡାକିଲେ, ‘‘ଯିବା ।’’

 

ମାଲିକାଣୀ କହିଲେ, ‘‘କାହ୍ନୁ, ଅନେକ ଦିନ ହେଲା ତୁ ଗାଁକୁ ଯାଇନାହୁଁ । ଗାଁକୁ ଯା । ରମେଶ ବାବୁ ହାତରେ ଘର ପ୍ରତିଷ୍ଠା ଲଡୁ ଦେଇଛି । ମାଆ ସାଙ୍ଗରେ ପଛରେ ଆସିବୁ । ଘର କାମ ତ ସରିଲାଣି ।’’

 

କାହ୍ନୁ ଖୁସିରେ ନାଚିଗଲା । ଏଇ କଥା ପଦକ ଶୁଣିବା ପାଇଁ ସିଏ ତ କୋଉକାଳୁ କାନ ଟାକିକି ବସିଥିଲା । ରମେଶ ତିଆଡ଼ି ଛତା, ଚପଲ ନ ନେଉଣୁ ସିଏ ଆଗେ ଆଗେ ଦଉଡ଼ିଗଲା । ଫାଟକ ଖୋଲି ରାସ୍ତା ଉପରକୁ ଯାଇ ଡାକ ଛାଡ଼ିଲା, ‘‘ଆସ, ଡେରି ହେଉଛି । ଜଲ୍‌ଦି ଯାଇ ଆସିବା ।’’

 

ରମେଶ ତିଆଡ଼ି ପଛେ ପଛେ ଚାଲିଲେ ବସ୍‌ଷ୍ଟାଣ୍ଡ୍‌ ।

 

କାହ୍ନୁ ଗଲା ପରେ ମାଲିକ କହିଲେ, ‘‘କି ପାଗଳ ପିଲା ! ରମେଶ ତିଆଡ଼ିର ଜୀବନ ଗଲା ଆଜି ଜାଣ । ସେ କଣ ବାଟସାରା ତାକୁ ରଖେଇ ଥୋଇ ଦେବ ?’’

 

ମାଲିକାଣୀ ହସିଲେ, ମାଲିକ ବି । ଘରକାମ ସରିଯାଇଥିଲା । ସେମାନେ ଖୁସି ଥିଲେ । ମାଲିକାଣୀ କହିଲେ, ‘‘ଯାହା କୁହ ପଛେ, କାହ୍ନୁଟା ନ ଥିଲେ ଭାରି ଅସୁବିଧା ହୋଇଥାନ୍ତା ।’’

 

ଦର୍ଶନ ପଢ଼ିଥିବା ମାଲିକ କହିଲେ, ‘‘ହଁ, କେଉଁଠି କାହା ପାଇଁ କାମ ଅଚଳ ରହେ ?’’

 

ଦିନକ ଭିତରେ ଫେରି ଆସିବ କହିଁ ଗାଁରେ ପନ୍ଦର ଦିନ ରହିଯିବାଟାକୁ କାହ୍ନୁ ଯେତିକି ଆପତ୍ତିଜନକ ଭାବୁଥିଲା, ହାତଗୋଡ଼ ଧରି ଟାଣିଲେ ସୁଦ୍ଧା ତା ମାଆ ତା ସାଙ୍ଗରେ ସହରକୁ ଯିବା ଲାଗି ଅମଙ୍ଗ ହେବା କଥାଟାକୁ ସେ ତାଠାରୁ ବେଶି ଆପତ୍ତିଜନକ ଭାବୁଥିଲା । ସେଥିପାଇଁ ସେ ତା ମାଆ ଉପରେ ବିଗିଡ଼ି ଯାଉଥିଲା । କି ଅଦ୍ଭୁତ ଲୋକ ! ବାବୁ ସେଣେ କଣ ଭାବୁ ନ ଥିବେ ! କାମ ସିନା ସରିଗଲା, କିନ୍ତୁ ଆହୁରି ଛୋଟମୋଟ କାମ ଅନେକ ପଡ଼ିଛି । ଇଟା, ସିମେଣ୍ଟ, ବାଲି, ଚିପ୍‌ସ୍‌-କେତେ କଣ ରାସ୍ତା କଡ଼ରେ ପଡ଼ିଛି । ସବୁବେଳେ ସାହି ଲୋକ ଡାଆଣାଙ୍କ ପରି ଅନେଇଥାଆନ୍ତି-। କାହ୍ନୁ ନାହିଁ ବୋଲି ଜାଣିଲା ମାନେ ସେଥିରୁ ପୁଳାଏ ପୁଳାଏ ଧରି ନିଜ ବାଟରେ ପଳେଇବେ । ଅଥଚ ତା ମା ସେକଥା ବୁଝୁନାହିଁ ।

 

ମାଆର ଗୋଟିଏ କଥା–ସେମାନେ ବଡ଼ ଲୋକ, ତାଙ୍କ ଘରେ ଆମେ ଯାଇ କାହିଁକି ରହିବା ?

 

କାହ୍ନୁ କିଛି ଶୁଣେ ନାହିଁ । ତାର ପକ୍କା ଘର କଥା ମନେପଡ଼େ । ସେଠିକା କାମ କଥା ମନେପଡ଼େ । ତାକୁ ଲାଗେ ସେ ନାହିଁ ବୋଲି ସେଠିକା କାମ ଅଟକି ଯାଇଛି । ଦିନେ ରାତିରେ ଏସବୁ କଥା ମନେପଡ଼ି ସେ ଛଟପଟ ହେଲା । ପରଦିନ ସେ ବସ୍‌ ଚଢ଼ି ପଳେଇ ଆସିଲା ମାଲିକଙ୍କ ସହରକୁ । ରମେଶ ତିଆଡ଼ି ସାଙ୍ଗରେ ଯା-ଆସ କରି ସେ ରାସ୍ତା ଚିହ୍ନି ସାରିଥିଲା । କଣ୍ଡକ୍ଟର ପଚାରିଲାରୁ କହିଥିଲା, ‘ଭୁବନେଶ୍ୱର ।’

 

ମାଲିକଙ୍କ ନୂଆଘର ଆଗରେ ପହଞ୍ଚି କାହ୍ନୁ ଚିହ୍ନିପାରିଲା ନାହିଁ । ଘର ଆଗରେ ଗୋଟେ ସାଇନ୍‌ବୋର୍ଡ ଲାଗିଛି । ଘର ପ୍ରତିଷ୍ଠା ଦିନର ଶୁଖିଲା ଆମ୍ବ ଡାଳ ଶୁଖିଶାଖି ଝଡ଼ିଗଲାଣି । ଫାଟକ ଦି କଡ଼େ ସିନ୍ଦୂର ଦାଗର ସ୍ୱସ୍ତିକ ଚିହ୍ନ ତଥାପି ଦିଶୁଛି ।

 

ଗୋଟେ ବାଦାମୀ ରଙ୍ଗର ସାର୍ଟ ଓ ଖଇରିଆ ପ୍ୟାଣ୍ଟ୍‌ ପିନ୍ଧିଥିବା ଲୋକ ଘର ମୁହଁରେ ଛିଡ଼ା ହୋଇଥିଲା । କାହ୍ନୁ ପଶିଲାକ୍ଷଣି ସେ ତାକୁ ବାଡ଼ି ଦେଖାଇ ଅଟକେଇ ଦେଲା । ପଚାରିଲା, କୁଆଡ଼େ ?

 

: ମୁଁ ମୋ ଘରକୁ ଯିବି । –କାହ୍ନୁ ଅତି ସ୍ୱାଭାବିକ ସ୍ୱରରେ କହିଲା ।

 

: ତୋ ଘର ? –ଲୋକଟି ତା ସାମ୍ନାରେ ମେଞ୍ଚାଏ ମଇଳା ଦେଖିବା ପରି ମୁହଁ ମୋଡ଼ିଦେଲା ।

 

କାହ୍ନୁ କିଛି କହିଲା ନାହିଁ । ସେ ଜାଣିପାରିଲା ଯେ ଲୋକଟି ତାକୁ ଚିହ୍ନି ନ ଥିବାରୁ ଏମିତି ବ୍ୟବହାର କରୁଛି । ଲୋକଟାକୁ ଦୟା ଦେଖାଇବା ପରି କହିଲା, ‘‘ମୁଁ କାହ୍ନୁ, ବୁଝିଲ । ଭିତରେ ମାଲିକ, ମାଲିକାଣୀ ଅଛନ୍ତି ନା ?’’

 

: କେହି ନାହାନ୍ତି । –ଶୀତଳ ଗଳାରେ ଲୋକଟି ଜବାବ ଦେଲା ।

 

: ବୁବୁବାବୁ ?

 

: ସେ କିଏ ? –ଲୋକଟା ପଚାରିଲା ।

 

: ମାଲିକଙ୍କ ପୁଅ ।

 

: ତୁ ପଟ୍ଟନାୟକବାବୁଙ୍କ କଥା କହୁଛୁ କି ? –ଲୋକଟା ନରମ ଗଳାରେ ପଚାରିଲା ।

 

: ହଁ, ହଁ । ଅଛନ୍ତି ନା ?

 

: ସେ ଏଠି ନାହାନ୍ତି । ଏ ଘରଟା ଏବେ ‘ହିଲ୍‌ଟନ୍‌ କମ୍ପାନି’ର ଗେଷ୍ଟ୍‌ ହାଉସ୍‌ ହେଇଛି । ସାଇନ୍‌ବୋର୍ଡ ଦେଖୁନୁ !

 

କାହ୍ନୁ ବିଶ୍ୱାସ କଲା ନାହିଁ । ଚଟ୍‌କିନା ଲୋକଟାକୁ ଟପି ଓ ପୋର୍ଟିକୋ ଡେଇଁ ସେ ଘର ଭିତରକୁ ପଶିଗଲା । ତାକୁ ଘରର ରାସ୍ତା ଜଣାଥିଲା । ସେ ସିଧା ଯାଇ କବାଟ ଠେଲି ପଶିଗଲା ତା ଘରେ । କିନ୍ତୁ ସେଠି ସେ କଣ ଦେଖୁଛି ? ତା ଘରେ ପଡ଼ିଛି ଚକ୍‌ଚକ୍‌ କରୁଥିବା ଟେବୁଲ୍‌, ଚଉକି ଓ ଟେଲିଭିଜନ୍‌ । ସେ ଧୀରେ ଯାଇ ଟେଲିଭିଜନ୍‌କୁ ଛୁଇଁଦେଲା । ତା ପାଦତଳେ ନରମ ଶେଯ ଗାଲିଚା । ଏଠି ଆଉଁ ହେଁସ କି ବିଛଣା ପାରିବା ଦରକାର ନାହିଁ । କେତେ ବଦଳି ଯାଇଛି ତା ଘର-!

 

‘ଧର, ଧର ସେ ଟୋକାକୁ’ କହି ଦରୱାନ ଦଉଡ଼ି ଆସିଲା । ଏଥର କାହ୍ନୁର ବାହାକୁ ଧରି ସେ ଏକରକମ ଘୋଷାରି ଘୋଷାରି ନେଇଗଲା । ‘ବାହାର ଏଠୁ, ଚୋର କୋଉଁଠିକାର !’

 

କାହ୍ନୁର ବାହାଟା କଟକଟ କରି ଉଠିଲା ।

 

ସେ ରାଗିକି ଦରୱାନକୁ ଅନେଇଲା । କହିଲା, ‘ମୁଁ ମାଲିକଙ୍କ ଘରୁ ଆସେ । ତମକୁ ପାନେ ନ ଦେଇଛି ଯଦି ମୁଁ କାହ୍ନୁ ନୁହେଁ ।’

 

: ହଉ ଯା, ଯା । ପଟ୍ଟନାୟକ ବାବୁ ଫେମିଲି ନେଇ ଦିଲ୍ଲୀ ଗଲେଣି । ତୁ ତାଙ୍କ ଘରେ କାମ କରୁଥିଲୁ, ଅଥଚ ଏଠୁ ସେ ରିଲିଭ୍‌ ହେଇଗଲେଣି ବୋଲି ଜାଣିନୁ ?

 

: ରିଲିଫ୍‌ । ରିଲିଫ୍‌ କଣ ? –କାହ୍ନୁ ପଚାରିଲା ।

 

: ରିଲିଫ୍‌ ନୁହେଁରେ ବଣଓଲୁ, ରିଲିଭ୍‌ । ଘର କାମ ସରିବାକୁ ଅପେକ୍ଷା ସିଏ କରିଥିଲେ-। ନ ହେଲେ ତ ତାଙ୍କର କେବେଠୁଁ ଦିଲ୍ଲୀ ଚାଲିଯିବା କଥା ।

 

: ମାଲିକ ନାହାନ୍ତି, ମାଲିକାଣୀ ନାହାନ୍ତି । ତାହାହେଲେ ସେ ଏବେ କୁଆଡ଼େ ଯିବ ? ଏ ଲୋକଟା କିଛି ନ ବୁଝି ନ ସୁଝି ତାକୁ ଅଟକଉଛି କାହିଁକି ? ତା ଘରେ ଯାଇ ସେ ରହିବା କଥା । ସେ ରହିଲେ ସିନା ଯାଇ ମାଆକୁ ଡାକି ଆଣିବ । ମାଆ ଆଉ ସେ ସାଙ୍ଗ ହୋଇ ଏଇଠି ରହିବେ ।

 

ସେ ନେହୁରା ହେଲା ପରି କହିଲା, ‘ମୁଁ କାହ୍ନୁ, ଏ ଘରର ସାନ ମ୍ୟାନେଜର । ସବୁ କାମ ମୁଁ ବୁଝେ । ଇଟା, ସିମେଣ୍ଟ, ବାଲି, ଚିପ୍‌ସ୍‌, ଲୁହାଛଡ଼, ପଥର, ପାଣିପକା, ଇଟାବୁହା, ସବୁ ମୁଁ ବୁଝେ-। ମୁଁ ଏଇଠି ରହେ ।’

 

ଦରୱାନ କାହ୍ନୁକୁ ଚାହିଁଲା । ପାଖରେ ଘର ତିଆରିରେ ଲାଗିଥିବା ବାଉଁଶ ଭାରାଟା ଖୋଲା ହୋଇ ପଡ଼ିଥିଲା । ତାକୁ ଦେଖେଇ ପଚାରିଲା, ସେଇଟା କଣ ?

 

: ବାଉଁଶ ଭାରା । ମୁଁ ବାନ୍ଧିଥିଲି –କାହ୍ନୁ ଉତ୍ସାହର ସହ କହିଲା ।

 

: ସେଥିରେ କଣ ହୁଏ ?

 

: ମିସ୍ତ୍ରି ଚଢ଼ି କାମ କରେ । ମୁଁ ଚଢ଼ିକି ପାଣି ପକାଏ ।

 

: ଖୋଲା ହେଇଛି କାହିଁକି ?

 

: ତା କାମ ସରିଗଲା । ଖୋଲା ହେବ ନାହିଁ ତ କଣ ହେବ ?

 

: ଏକଥା ବୁଝୁଛୁଟି ? ଆଉ ନିଜ କଥାଟି ବୁଝିପାରୁନୁ । ତୋତେ ତୋ ମାଲିକ ଘରକାମ ବୁଝିବା ପାଇଁ ରଖିଥିଲେ, ତୁ ଘରକାମ ବୁଝୁଥିଲୁ । ଘର ତିଆରି କାମ ସରିଗଲା, ତୋ କାମ ବି ସରିଗଲା । ବାସ୍‌ !

 

: କିନ୍ତୁ ମୁଁ ରହିବି କେଉଁଠି ?

 

: ହ୍ୟାତ୍‌ ବଣଭାଲୁ । ତାପରେ ସେ ମୁହଁ ବୁଲେଇ ନେଇ ରାସ୍ତା ଉପରର ଅଦୃଶ୍ୟ ଶ୍ରୋତାକୁ କହିଲା, ‘ୟାକୁ ମୁଁ ଆଉ କଣ ବୁଝେଇବି କହିଲ ?’

 

କାହ୍ନୁ ବଡ଼ ବିକଳରେ ଥରେ ରାସ୍ତାକୁ ଓ ଥରେ ସେ ଘର ଭିତରକୁ ଚାହୁଁଥିଲା । ଏଇ ଘରେ ସେ ଦେଢ଼ ବର୍ଷ କାଳ ବିତେଇଛି । ଏଇଠି ଶୋଇଛି, ଏଇଠି ବସିଛି । ଏଇ ଘର ଝରକାବାଟେ ପବନ ପିଇଛି, ତାରା ଗଣିଛି, ବର୍ଷାଟୋପା ଗୋଟେଇଛି ଆଞ୍ଜୁଳାରେ । ଅଥଚ ଏ ଲୋକଟା ତାକୁ ତା ଘର ଭିତରକୁ ଛାଡୁନାହିଁ ।

 

ଲୁନା ଉପରେ ବସି ଲୋକଟିଏ ରାସ୍ତାରେ ଯାଉଥିଲା । ତାକୁ ଦେଖି କାହ୍ନୁ ସତେ କି ଜୀବନ ପାଇଲା । ତାଙ୍କ ଘର କାମ କରୁଥିବା ରାଜମିସ୍ତ୍ରି ସେ । ସେ ଦଉଡ଼ି ଯାଇ ଡାକିଲା, ‘ଭାଇନା, ଭାଇନା । ଏଇ ଭାଇନା ।’

 

ରାଜମିସ୍ତ୍ରି କାହ୍ନୁକୁ ଦେଖି ହସିଦେଲା । କହିଲା, ‘ଆରେ କାହ୍ନୁ । ତୁ କୁଆଡ଼େ ଯାଇଥିଲୁ-? ତୋତେ ମୁଁ ମନେ ମନେ ଖୋଜୁଥିଲି ।’

 

: ଦେଖିଲ, ଏ ଲୋକଟା ମୋତେ କେମିତି ଭିତରକୁ ଛାଡ଼ୁ ନାହିଁ–କାହ୍ନୁ ଅଭିଯୋଗ କଲା-

 

ରାଜମିସ୍ତ୍ରି ଦରୱାନକୁ ଅନେଇଲା । ଦରୱାନ ରାଜମିସ୍ତ୍ରିକୁ । ଦିହେଁ ହସିଲେ । ରାଜମିସ୍ତ୍ରି କହିଲା, “ତୋ ବାବୁ ବାବୁଆଣୀ ତ ଦିଲ୍ଲୀ ଚାଲିଗଲେଣି । ଏଇଟା ଏବେ ‘ହିଲ୍‌ଟନ୍‌ କମ୍ପାନି’ ନେଇଛି ଗେଷ୍ଟ୍‌ ହାଉସ୍‌ ପାଇଁ ।”

 

: କିନ୍ତୁ... । ମୁଁ ରହିବି କେଉଁଠି ? –କାହ୍ନୁର ସ୍ୱର ବିକଳ ଶୁଭିଲା ।

 

: ତୁ ଘର ତିଆରି କାମ ବୁଝିବୁ ? ବରମୁଣ୍ଡାରେ ଶର୍ମାବାବୁ ତା ଘର କାମ ବୁଝିବା ଲାଗି ଗୋଟେ ପିଲା ଖୋଜୁଛି । ତୁ ଯିବୁ ?

 

ଇଏ ତା ପ୍ରଶ୍ନର ଉତ୍ତର ନ ଥିଲା । ସେ ବିକଳ ହେଇ ନୂଆ ଘରଟାକୁ ବାରମ୍ବାର ଚାହୁଁଥିଲା । ଏଇ ଘରେ ଯେ ସେ ରହିପାରିବ ନାହିଁ, ସେ କଥାଟାକୁ ସେ ଆଦୌ ଗ୍ରହଣ କରିପାରୁ ନ ଥିଲା । ତା ମାଲିକ ମାଲିକାଣୀ ତାକୁ କେବେ ମିଛ କହି ନ ଥିବେ ।

 

ରାଜମିସ୍ତ୍ରି ଲୁନା ଷ୍ଟାର୍ଟ କରୁ କରୁ ପଚାରିଲା, ‘ଖରା ହଉଛି । କଣ କହୁଛୁ କହ !’

 

କାହ୍ନୁ କିଛି କହିଲା ନାହିଁ । ଖୁଣ୍ଟ ପରି ସେଇଠି ଛିଡ଼ା ହୋଇ ରହିଲା ।

 

ତା ସାମ୍ନାଦେଇ ଅନେକ ଗାଡ଼ି, ମଟର ଯା-ଆସ କରୁଥିଲେ । ରାଜମିସ୍ତ୍ରିର ଲୁନା ସେଇ ଭିଡ଼ରେ ମିଶିଗଲା ।

 

କାହ୍ନୁ ତଥାପି ଛିଡ଼ାହେଇ ରହିଥାଏ । ତା ଘର ଛାଡ଼ି ସେ ଯିବ କୁଆଡ଼େ ?

☆☆☆

 

ସହିଦ

 

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତାଙ୍କ ନିଜ ଅଫିସ୍‌ କୋଠରି ଭିତରକୁ ପଶୁ ପଶୁ ତାଙ୍କର ସହକାରୀ ସେଦିନର ଖବରକାଗଜଗୁଡ଼ିକ ଆଣି ଟେବୁଲ୍‌ ଉପରେ ଥୋଇଦେଲେ ।

 

ସ୍ୱତନ୍ତ୍ର ସଚିବ ଜୟନ୍ତ ଶର୍ମା ପ୍ରାୟ ଚିତ୍କାର କଲା ଭଳି ପାଟିକରି ଉଠିଲେ, “ଉଠାଅ ଏଗୁଡ଼ା । ତୁମେ କଣ ଭାବୁଛ, ମୁଁ ଏସବୁ ଦେଖିନାହିଁ ?”

 

ସହକାରୀ ଜଣକ ଯେତିକି ଆଗ୍ରହର ସହ କାଗଜଗୁଡ଼ିକ ଥୋଇଥିଲା ସେତିକି ଭୟର ସହ ସେଗୁଡ଼ା ଗୋଟେଇନେଲା । ଟେବୁଲ୍‌ ଉପରୁ ତାର ସେ ଖବରକାଗଜ ଗୁଡ଼େଇବା ଦୃଶ୍ୟ, ବର୍ଷା ଆସିବାକ୍ଷଣି ରାସ୍ତାକଡ଼ ଫୁଟ୍‌ପାଥ୍‌ରେ ବେପାର ମେଲେଇଥିବା ଦୋକାନୀମାନଙ୍କ ଜିନିଷପତ୍ର ରୁଣ୍ଡାରୁଣ୍ଡି କରିବା ଦୃଶ୍ୟ ସହ ସାମ୍ୟ ରଖୁଥିଲା ।

 

ଜୟନ୍ତ ଶର୍ମା ଜଣେ ଦକ୍ଷ ଅଫିସର । ଏକଥା ଅନ୍ୟମାନେ କେବଳ କହନ୍ତି ନାହିଁ, ସେ ନିଜେ ମଧ୍ୟ ଅନୁଭବ କରିଥାଆନ୍ତି । ଆଗରୁ ସେ ପଶୁ ସମ୍ପଦ ବିଭାଗର ନିର୍ଦ୍ଦେଶକ ଥିଲେ । ମୁଖ୍ୟମନ୍ତ୍ରୀ ବାଲୁପ୍ରସାଦଙ୍କ ଅମଳରେ ଗୋରୁଖାଦ୍ୟ କିଣାନେଇ ବଡ଼ ଧରଣର ହଙ୍ଗାମା ଉଠିଲା । ସେଇ ହଙ୍ଗାମା ରାଜଧାନୀରୁ ଯାଇ ଦିଲ୍ଲୀରେ ପହଞ୍ଚିଲା ଓ ଅବଶେଷରେ ବାଲୁପ୍ରସାଦଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଲା । ମାମଲାଟି ସି.ବି.ଆଇ. ହାତକୁ ଯିବାଦିନୁ ଏଭଳି କିଛି ଗୋଟିଏ ଘଟିବ ବୋଲି ନିଜେ ବାଲୁପ୍ରସାଦ ଆଶଙ୍କା କରୁଥିଲେ । ସେତିକିବେଳୁ ସେ ନୂଆ ଗେଷ୍ଟହାଉସ୍‌କୁ ତାଙ୍କର ବାସଭବନ ଉପଯୋଗୀ ବଙ୍ଗଳା ରୂପେ ତିଆରି କରେଇଥିଲେ । ବାଲୁପ୍ରସାଦଙ୍କ ଉପସ୍ଥିତ ବୁଦ୍ଧି ଓ ପ୍ରଚଣ୍ଡ ସାଧାରଣଜ୍ଞାନର ଦୈର୍ଘ୍ୟପ୍ରସ୍ଥ ଆକଳନ କରି ବୁରୋକ୍ରାଟ୍‌ ଜୟନ୍ତ ଶର୍ମା ସର୍ବଦା ବିସ୍ମିତ ହୁଅନ୍ତି ।

 

ଜୟନ୍ତଙ୍କର ସେଦିନର ଅପରାହ୍ନ କଥା ମନେ ପଡ଼ୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିବାକୁ ତାଙ୍କୁ ଫୋନ୍‌ରେ କୁହାଗଲା । କିଛି ଗୋଟିଏ ଅଫିସ୍‌ କାମରେ ତାଙ୍କୁ ଲୋଡ଼ା ପଡୁଛି ଭାବି ସେ ଆସିଥିଲେ । ସେଇଠି ନିଯୁକ୍ତ ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ।

 

ସେଇ ଅପରାହ୍ନରେ ବାଲୁପ୍ରସାଦ ତାଙ୍କର ରୋଷେଇଘରକୁ ଗଲେ ଓ ପତ୍ନୀ ଶ୍ୟାମଳୀ ଦେବୀଙ୍କ ହାତଧରି ଭିଡ଼ିଆଣିଲେ । ରାଜନୀତିରେ ପଶିବାଦିନୁ ଅସମୟରେ କେବେ ବି ଶ୍ୟାମଳୀ ଦେବୀ ସ୍ୱାମୀଙ୍କୁ ତାଙ୍କ ପାଖରେ ଦେଖି ନଥିଲେ କି ବାଲୁପ୍ରସାଦ ମଧ୍ୟ ସେଭଳି ପ୍ରୟୋଜନ ଅନୁଭବ କରୁ ନଥିଲେ । ଶ୍ୟାମଳୀ ଦେବୀ ସେତେବେଳେ ରୋଷେୟାକୁ ଖିରି ବରାଦ କରୁଥିଲେ ଓ ନିଜେ ଆଚାର ଜାର୍‌ର ଢାଙ୍କୁଣି ଠିକ୍‌ ଭାବେ ବନ୍ଦ ହୋଇଛି କି ନାହିଁ ପରଖୁଥିଲେ । ସବାସାନ ଝିଅ ତାଙ୍କରି କାନି ଧରି ଏପଟ ସେପଟ ହେଉଥିଲା ।

 

‘କୁଆଡ଼େ ଡାକୁଛ’ ବୋଲି ପଚାରିବାକୁ ତର ନଥିଲା । ବାଲୁପ୍ରସାଦ ତାଙ୍କୁ ଭିଡ଼ି ଆଣିଲେ ଓ କହିଲେ, “ଶାଢ଼ି ବଦଳେଇ ପାଞ୍ଚ ମିନିଟ୍‌ରେ ଆସ । ଜରୁରୀ କାମ ଅଛି ।”

 

ଶ୍ୟାମଳୀ ଦେବୀ କେତେ କେତେ କଥା ଆଶଙ୍କା କରିଯାଇଥିଲେ । ଶାଢ଼ି ବଦଳେଇବା ପାଇଁ ଶୋଇବା ଘରକୁ ଗଲାବେଳେ କହିଲେ, “ରାମୁ ଓ ପପୁଙ୍କୁ ଖବର ଦେଇଛ ?”

 

ରାମୁ, ପପୁ ବାଲୁପ୍ରସାଦଙ୍କ ଶ୍ୟାଳକ । ତାଙ୍କର ଅନୁଗତ ।

 

ଏହାର ପାଞ୍ଚ ମିନିଟ୍‌ ପରେ ଶ୍ୟାମଳୀ ଦେବୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଗଲେ । ନିଜେ ଶ୍ୟାମଳୀ ଦେବୀ ଜାଣିପାରିଲେ ନାହିଁ, ଯାହା ସବୁ ତାଙ୍କ ଚାରିପଟେ ଘଟୁଛି ସେସବୁ ସତ ନା ସ୍ୱପ୍ନ-। ରୋଷେଇଘରେ ଖିରି ତିଆରି ଅଧା ପଡ଼ିଛି । ସାନ ଝିଅ ହୁଏତ ତାଙ୍କୁ ଖୋଜୁଥିବ । ବଡ଼ ପୁଅ ପକେଟ୍‌ ଖର୍ଚ୍ଚ ମାଗିବାକୁ ଆସିଥିଲା । ଘରେ କେତେ କାମ ପଡ଼ିରହିଛି, ଅଥଚ ଇଏ ତାଙ୍କୁ ମୁଖ୍ୟମନ୍ତ୍ରୀ ବନେଇ ସାରିଲେଣି ।

 

ଖବରକାଗଜ ସାମ୍ବାଦିକମାନେ ଓଲଟା ପାଲଟା ପ୍ରଶ୍ନ ପଚାରୁ ଥାଆନ୍ତି । ଟି.ଭି.ବାଲାଏ ଲାଇଟ୍‌ ପକାଉଥାଆନ୍ତି ତାଙ୍କ ମୁହଁକୁ । କ୍ୟାମେରାବାଲାଏ ଲାଗ୍‌ଲାଗ୍‌ ଫଟୋ ଉଠଉଥାଆନ୍ତି ।

 

ଶ୍ୟାମଳୀ ଦେବୀ ମୁହୂର୍ତ୍ତଟେ ଠାକୁରାଣୀଙ୍କି ଡାକିଥିଲେ । ତାପରେ ବାକ୍ୟଟିଏ କହିଥିଲେ, “ବାଲୁପ୍ରସାଦଙ୍କ ଘର ସଂସାର ଯିଏ ସମ୍ଭାଳି ଆସିଛି, ରାଇଜ ଚଳେଇବା ତା ପାଇଁ କଷ୍ଟ ହେବ ନାହିଁ-।” ସେ ହୁଏତ ଆଉ କଣ କହିଥାଆନ୍ତେ, ବାଲୁପ୍ରସାଦ ତାଙ୍କୁ ଚିମୁଟି ତୁନି କରିଦେଲେ ।

 

ସେସବୁ ଦି ବର୍ଷ ତଳର ଘଟଣା ।

 

ସେଇଦିନୁ ଜୟନ୍ତ ଶ୍ୟାମଳୀ ଦେବୀଙ୍କ ସ୍ୱତନ୍ତ୍ର ସଚିବ । ତାଙ୍କର ଏଇ ନିଯୁକ୍ତି ପଛରେ କି କାରଣ ଥାଇପାରେ, ସେକଥା ଜାଣିବାକୁ ଥରେ ସେ ଚେଷ୍ଟା କରିଥିଲେ । ସେଇଠୁ ଜାଣିଥିଲେ, ଗୋ-ଖାଦ୍ୟ ମାମଲା ଫଏସଲା ନ ହେବାଯାଏ ବାଲୁପ୍ରସାଦ ତାଙ୍କୁ ତାଙ୍କ ନଜରରୁ ଦୂରରେ ରଖିବା ଚାହାନ୍ତି ନାହିଁ ।

 

ସେଦିନ ସେ ଆହୁରି ଡରିଯାଇଥିଲେ । ବାଲୁପ୍ରସାଦଙ୍କ ଅମଳରେ ଆଇ.ଏ.ଏସ୍‌. ଅଫିସରମାନଙ୍କ ଅବସ୍ଥା କଣ, ସେ କଥା ସେ ଭଲ ଭାବେ ଜାଣିଥିଲେ । ବାଲୁପ୍ରସାଦଙ୍କ ସହ ବନ୍ଧୁତା ଯେତିକି ଭଲ, ଶତ୍ରୁତା ତାଠୁଁ ଦଶଗୁଣା ଖରାପ ।

 

ଜୟନ୍ତ ଏକପ୍ରକାର ନଜରବନ୍ଦୀ ।

 

ତାଙ୍କର କାମ ହଁ’ରେ ହଁ ମିଳେଇବା । ଶ୍ୟାମଳୀ ଦେବୀଙ୍କୁ ପରାମର୍ଶ ଦେବା ।

 

ସମୟ ପାଇଲେ ସେ ତାଙ୍କ ବିରାଦରମାନଙ୍କ କଥା ଭାବନ୍ତି । ଦକ୍ଷିଣରେ ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କର ସମାଲୋଚକ ଅଫିସରଙ୍କୁ ଡାକି ପଠେଇ ତାଙ୍କ ମୁହଁ ଉପରେ ଏସିଡ୍‌ ଫୋପାଡ଼ିଥିଲେ । ବିଚାରୀ ଏବେ ବି ଛୁଟିରେ ରହି ଦେଶ ବାହାରେ କୋଉଠି ଚିକିତ୍ସିତ ହେଉଛନ୍ତି । ତାଙ୍କରି ନିଜ ରାଜ୍ୟରେ, କାଳୀପ୍ରସାଦଙ୍କ ପତ୍ନୀ ଗୁଣ୍ଡାମାନଙ୍କ ହାତରେ ବେଇଜ୍ଜତ ହୋଇଗଲେ । କିଛିଦିନ ଖବରକାଗଜରେ ଏସବୁର ଖୁବ୍‌ ଚର୍ଚ୍ଚା ହେଲା, ଏବେ ସବୁ ନିରବ । ରାତାରାତି କଳାପାଣି ପରି ଟ୍ରାନ୍‌ସଫର୍‌ ଏ ରାଜ୍ୟରେ ତ ସାଧାରଣ କଥା !

 

ଏଥିପାଇଁ ସେ ନିଜକୁ ବି କିଛି ପରିମାଣରେ ଦାୟୀ କରନ୍ତି ।

 

ସାଧାରଣ ପରିବାରରୁ ଆସିଥିବା ତାଙ୍କ ପରି ଅଫିସରମାନେ ନିଜ ନିଜର ମହତ୍ୱାକାଂକ୍ଷା ପାଇଁ ହଠାତ୍‌ ଦିନେ ବାଲୁପ୍ରସାଦଙ୍କ ପରି ନେତାଙ୍କ ସାଙ୍ଗେ ଗୋପନ ସନ୍ଧି କରିବସନ୍ତି-। ସେତେବେଳେ ଅଳ୍ପ ଟିକିଏ ନଇଁପଡ଼ି ସେମାନେ ସବୁକଥା ହୋଇଗଲା ବୋଲି ଭାବନ୍ତି-। କିନ୍ତୁ ବାଲୁପ୍ରସାଦମାନେ ଲୁହାଛଡ଼କୁ ସ୍ପ୍ରିଙ୍ଗ୍‌ ବନେଇ ଦିଅନ୍ତି । ତେଣିକି ତାଙ୍କ ପ୍ରୟୋଜନ ବେଳେ ମୁଣ୍ଡକୁ ପାଦରେ ଓ ପାଦକୁ ମୁଣ୍ଡରେ ଲଗେଇବାକୁ ହୁଏ ।

 

ଦିନେ ତାଙ୍କରି ରାଜ୍ୟ ସାରା ଭାରତକୁ ଜ୍ଞାନ ବିଜ୍ଞାନ ବିତରଣ କରୁଥିଲା । ଜୈନ, ବୌଦ୍ଧ ଓ ଶୈବଧର୍ମର କେନ୍ଦ୍ର ଥିଲା ଏ ରାଜ୍ୟ । ନାଳନ୍ଦାକୁ ଦେଶ ବିଦେଶରୁ ଶିକ୍ଷାର୍ଥୀମାନେ ଆସୁଥିଲେ । ମଗଧ, ପାଟଳୀପୁତ୍ର ନାଁ ଉଚ୍ଚାରଣ କରୁଥିଲେ ଶ୍ରଦ୍ଧାରେ । ଆଜି ବି ନାଳନ୍ଦାର ଭଙ୍ଗାରୁଜା କାନ୍ଥ ଉପରେ ଛିଡ଼ାହେଲେ ଗୋଟାଏ ଅଦ୍ଭୁତ ଶିହରଣ ଦେହସାରା ଖେଳିଯାଏ । ଏ ରାଜ୍ୟର ଗୋଟେ ସମୃଦ୍ଧ ଇତିହାସ ଥିଲା । ମାଟି ଉପରେ ପ୍ରକୃତି ବିଛେଇ ଦେଇଥିଲା କଳା-ହୀରା-। ଏ ରାଜ୍ୟର ନେତା ହୋଇଥିଲେ ଦେଶର ପ୍ରଥମ ରାଷ୍ଟ୍ରପତି । ଅଥଚ ସେସବୁ ଦିନ କୁଆଡ଼େ ଉଭେଇଗଲା ? ଏବେ ଜେହାନବାଦ ଗଣହତ୍ୟାର ରାଜ୍ୟ ହୋଇଗଲା ବୁଦ୍ଧ ଜୈନଙ୍କର ଧର୍ମରାଜ୍ୟ-!

 

ଜୟନ୍ତ ବ୍ୟସ୍ତ ହୋଇ ପଡ଼ିଥିଲେ । ଖବରକାଗଜଗୁଡ଼ିକ ଆଜି ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଯାହା ଯାହା ସବୁ ଲେଖିଛନ୍ତି, ସେ ତାର କି ପ୍ରତିକାର କରିବେ ଭାବି ବିବ୍ରତ ହୋଇପଡ଼ିଥିଲେ ।

 

ଖବରକାଗଜର ସାମ୍ବାଦିକମାନେ ବି ଅଦ୍ଭୁତ ଲୋକ ! ନ୍ୟୂନମନ୍ୟତାରେ ଜୁଡ଼ୁବୁଡ଼ୁ ଗୋଟିଏ ଗୋଟିଏ ଜୋକ । ଉପାର୍ଜନଠୁଁ ଅଧିକ ସୁବିଧା ସ୍ୱାଚ୍ଛନ୍ଦ୍ୟ ପାଇଁ ଏମାନଙ୍କର ଚରମ ଦୁର୍ବଳତା । ଆଜି ଗାଡ଼ି ଦରକାର, କାଲି ଚର୍ବ୍ୟ-ଚୋଷ୍ୟ, ପଅରିଦିନ ଆଉ ଅନ୍ୟ ସୁବିଧା । ଯେତେ ଯାହା ଯୋଗାଇଲେ ବି ବିରୋଧରେ ଲେଖିବେ । କାଉ ପରି ରା-ରା ହେବା ଏମାନଙ୍କର ସ୍ୱଭାବ !

 

ଜୟନ୍ତଙ୍କର ସମସ୍ୟା ପ୍ରକୃତରେ ଗମ୍ଭୀର ଥିଲା । ତାଙ୍କ ରାଜ୍ୟର ଆଉ ଜଣେ ଯବାନ୍‌ କାର୍‌ଗିଲ ଯୁଦ୍ଧରେ ସହିଦ ହୋଇଥିଲା । ପ୍ରଥମେ ପ୍ରଥମେ ଯୁଦ୍ଧ ବାବଦରେ ଲୋକଙ୍କ ଭିତରେ ସେତେ ସଚେତନତା ନଥିଲା । ୧୯୯୯ର ଯୁଦ୍ଧ ୧୯୭୧ ପରି ଆରମ୍ଭ ହୋଇ ନଥିଲା । ତେଣୁ ଆଶା କରାଯାଉଥିଲା, ସାତ ଆଠ ଦିନରେ ଯୁଦ୍ଧ ସରିଯିବ । କିନ୍ତୁ ସେପରି ହେଲାନାହିଁ । ଯୁଦ୍ଧର ଦିନ ଲମ୍ବି ଲମ୍ବି ଗଲା । ପ୍ରଥମ ଦିନରେ ପ୍ରାଣ ହରେଇଥିବା ସହିଦମାନଙ୍କୁ ମୁଖ୍ୟମନ୍ତ୍ରୀ ଠିକଣା ଭାବରେ ସମ୍ମାନ ଜଣେଇ ପାରି ନଥିଲେ । କେତେବେଳେ ସେଇ ସହିଦମାନଙ୍କ ଶବ ଆସି ତାଙ୍କ ଗାଁରେ ପହଞ୍ଚିଗଲା, ସରକାର ସେ ଖବର ରଖିପାରି ନଥିଲେ ।

 

ଖବରକାଗଜ ପୃଷ୍ଠାରେ ବଡ଼ ବଡ଼ ହରଫରେ ସରକାରଙ୍କର ସମାଲୋଚନା ହେଲା–ଶ୍ୟାମଳୀ ଦେବୀ ଦେଶର ସହିଦମାନଙ୍କୁ ଉପଯୁକ୍ତ ସମ୍ମାନ ଦେଖେଇଲେ ନାହିଁ ।

 

ଓଃ, କି ପରିଶ୍ରମ! କ୍ଷତିପୂରଣ ପରିମାଣ ପାଞ୍ଚଗୁଣା ବଢ଼େଇ ମୁଖ୍ୟମନ୍ତ୍ରୀ ସେ ସମସ୍ୟାର ମୁକାବିଲା କଲେ । ତାହା ନହେଲେ ଏ ଖବରକାଗଜ ଓ ଟି.ଭି.ବାଲାଏ ତ ସବୁ ସାରିଦେଇଥିଲେ ।

 

ଜୟନ୍ତ ତାଙ୍କ ଟେଲିଫୋନ୍‌ର ବଜର୍‌ ଚିପିଲେ । ସେପଟେ ତାଙ୍କର ସହକାରୀ ରିସିଭର୍‌ ଉଠେଇବା ସଙ୍ଗେ ସଙ୍ଗେ ଜୟନ୍ତ ପଚାରିଲେ, “ପୁଲିସ୍‌ ଡି.ଜି.ଙ୍କୁ ଫୋନ୍‌ ଲଗାଅ । ହଁ, ପଚାରି ବୁଝ, ଏ କୁତାଲପୁର କୋଉଠି । କୁଇକ୍‌ ।”

 

ସେ ଫୋନ୍‌ ରଖିଦେଲେ ।

 

ଦୁଇ

 

କୁତାଲପୁର । ରାଜଧାନୀଠୁଁ ଅନେକ ଅନେକ ଦୂର ଏ ଗାଁ ।

 

ଟେଲିଫୋନ୍‌ ଲାଇନ୍‌ଠାରୁ ପଚାଶ, ବିଜୁଳି ଖୁଣ୍ଟଠୁଁ ତିରିଶ ଓ ପିଚୁ ରାସ୍ତାଠୁଁ ଚବିଶ କିଲୋମିଟର ଦୂର ଗୋଟିଏ ଗାଁ ।

 

ଏ ଗାଁର ଲୋକମାନେ ରୋଗବାଧିକିରେ ପଡ଼ିଲେ ଗାଁ ମୁଣ୍ଡ ଠାକୁରାଣୀ ପାଖେ ମାନସିକ ଯାଚନ୍ତି, ଗାଁ କବିରାଜଠୁଁ ଚେରମୂଳି ଔଷଧ ଖାଆନ୍ତି ।

 

ଗାଁରେ ସ୍କୁଲ ଘରଟିଏ ଥିଲା, ଏବେ ନାହିଁ । ଗଲା ବର୍ଷ ଝଡ଼ ତୋଫାନରେ ଭାଙ୍ଗିଗଲା ପରେ ଆଉ ମରାମତି ହୋଇନାହିଁ ।

 

ଗାଁ ମୁଣ୍ଡରେ ଗୋଟିଏ ଚା ଦୋକାନ । ସେଇ ଦୋକାନରେ ପାନ, ବିଡ଼ି, ସାବୁନ, କିରୋସିନ୍‌, ଲୁଣ, ହଳଦୀ ସବୁ ମିଳେ । ନଈକୂଳିଆ ଦୋକାନ । ଘାଟ ପାରି ହେବାକୁ ଆସୁଥିବା ଲୋକମାନେ ଡଙ୍ଗାକୁ ଅନିଶା କରି ସେଇ ଦୋକାନ ସାମ୍ନା ବେଞ୍ଚରେ ଓ ବୁଢ଼ାବୁଢ଼ୀମାନେ ପାଖ ବରଗଛ ଛାଇରେ ବସନ୍ତି । ନଈପାର ହେଲେ ସେପଟେ ହାଟ । ସେ ହାଟରେ ନାମୀଦାମୀ ଜିନିଷ ମିଳେ ।

 

କାଲି ସଞ୍ଜବେଳେ ପୋଲିସ୍‌ ପୋଷାକ ପରି ପୋଷାକ ପିନ୍ଧିଥିବା ଦି ଜଣ ଲୋକ କୁତାଲପୁରର ବନୱାରୀ ଘରକୁ ଆସିଥିଲେ । ପ୍ରଥମେ ତ ଦୋକାନ ପାଖେ ବସିଥିବା ଲୋକମାନେ ଭାବିଥିଲେ, କିଛି ଗୋଟାଏ ଚୋରିଚାରି ହୋଇଯାଇଛି ଓ ସେଇ ଘଟଣାର ତଦନ୍ତ ପାଇଁ ବାବୁମାନେ ଆସିଛନ୍ତି । ନଈ ସେପାରି ଗାଁ ଓ କୁତାଲପୁର ଭିତରେ ସବୁଦିନେ ଝଗଡ଼ା । ତିନିବର୍ଷ ତଳେ ଗହମ କାଟିନେବା ମାମଲାକୁ ନେଇ ହାଣକାଟ ପର୍ଯ୍ୟନ୍ତ କଥା ଯାଇଥିଲା । ଏବେ ବି କେଶ୍‌ ଚାଲିଛି । ଏକପଟିଆ ଗାଁଟା ବୋଲି ଲୋକମାନେ ନିଶ୍ଚିନ୍ତ । ପୋଲିସ୍‌ ଆସି ପହଞ୍ଚିବା ଭିତରେ ପୁରୁଷଲୋକମାନେ କିଏ କୁଆଡ଼େ ଲୁଚିଯାଆନ୍ତି ।

 

କାଲି ସଞ୍ଜବେଳେ ସେମିତି ହୋଇଥିଲା । ଗଙ୍ଗାରାମର ଖୁବ୍‌ ସାହସ । ସେ ତା ଦୋକାନର ଲଣ୍ଠନ ତେଜିଦେଇ ବାବୁ ଦି ଜଣଙ୍କୁ ଖଇନି ଯାଚିଥିଲା ।

 

ସେଇଠୁ ଖବର ମିଲିଥିଲା ବନୱାରୀର ପୁଅ ଯୁଦ୍ଧରେ ମରିଯାଇଛି । ଗଙ୍ଗାରାମ ପ୍ରଥମେ କିଛି ସମୟ ହାଁ କରି ଚାହିଁଥିଲା ଓ ତାପରେ ଲଣ୍ଠନ ହାତରେ ଧରି ସେ ବାବୁ ଦୁହିଁଙ୍କୁ ବନୱାରୀ ଘରଯାଏ ନେଇଯାଇଥିଲା ।

 

ବନୱାରୀଲାଲ୍‌ର ବୋହୂ ମୀରା ସେତେବେଳେ ତା ଶ୍ୱଶୁର ପାଇଁ ହୁକା ସଜାଡ଼ି ଦେଉଥିଲା । ଶାଶୂର ଔଷଧ ଦେବାରେ ଡେରି ହେବା ଯୋଗୁଁ ସେ ସବୁଦିନ ପରି ଗାଳି ଦେଉଥିଲା, “ଗେରସ୍ତ ମାସକୁ ମାସ ଟଙ୍କା ପଠଉଛି ବୋଲି ଇଏ ମୋ ମୁହଁରେ ଜବାବ ଦେଉଛି । ରାଣ୍ଡ, ଛତରଖାଇ କୋଉଠିକାର ।”

 

ଗଙ୍ଗାରାମ ଆଗେ ଘର ଭିତରକୁ ଯାଇ ଶାଶୂକୁ ଚୁପ୍‌ କଲା । ସଞ୍ଜବେଳଟାରେ ଏମିତି କଣ କହୁଛୁ ? ରାଜିନ୍ଦର୍‌ର ଖବର ନେଇ ବାବୁମାନେ ଆସିଛନ୍ତି, ଦେଖ୍‌ ।

 

ଆଉ କଥା ହୋଇଥିଲେ ଗଙ୍ଗରାମ ସେଠି ଅପେକ୍ଷା କରିଥାଆନ୍ତା । ଚା ଟିକେ ଓ ଖଇନି ଟେଳାଏ ଖାଇ ତାପରେ ଯାଇଥାଆନ୍ତା । କିନ୍ତୁ ରାଜିନ୍ଦରର ମଲା ଖବର ଶୁଣିବା ପରେ ତାଙ୍କ ଘରେ ଅପେକ୍ଷା କରିବାକୁ ତା ମନ ବଳୁ ନଥିଲା । ସେ ଖାଲି ଆକାଶକୁ ଅନେଇ କହିଲା, “ସବୁ ତମରି ଇଚ୍ଛା ।”

 

ରାଜିନ୍ଦରର ସହିଦ ହେବା ଖବର ଶୁଣୁ ଶୁଣୁ ମୀରା କଟା କଦଳୀ ଗଛ ପରି ଅଗଣାରେ ଟଳି ପଡ଼ିଲା । ତା ଶାଶୂ, ଯିଏ ଆଉ ଟିକିଏ ଆଗରୁ ତାକୁ ବିଧବା ହେବା ଲାଗି ଅଭିଶାପ ଦେଉଥିଲା, ସିଏ ‘ମୋ ବୋହୂର କଣ ହେଲା, ମୁଁ କଣ କରିବି ଲୋ’ କହି ଦଉଡ଼ି ଆସିଲା ଓ ସାନ ଛୁଆଙ୍କୁ ମାଆମାନେ କୋଳରେ ଧରି ଆଉଁଶି ଦେବା ପରି ମୀରାର ମୁଣ୍ଡକୁ ତା କୋଳରେ ରଖି ‘ପାଣି, ପାଣି’ ବୋଲି ଡାକ ପକେଇଲା । ବନୱାରୀଲାଲ ହୁକା ଛାଡ଼ି ଦଉଡ଼ିଗଲା ଓ ମାଠିଆରୁ ପାଣି ଆଣି ମୀରା ମୁହଁରେ ଛିଞ୍ଚିଲା ।

 

ସେତେବେଳକୁ ସେହି ଛୋଟିଆ ଗାଁର ମାଇପେ ମିଣିପେ ସମସ୍ତେ ଆସି ବନୱାରୀଲାଲ ଅଗଣାରେ ରୁଣ୍ଡ ହୋଇସାରିଥିଲେ । ସ୍ତ୍ରୀ ଲୋକମାନେ ମୀରା ଚାରିପଟେ ଠୁଳ ହୋଇ ତାକୁ ସାଷ୍ଟମ କରିବାକୁ ଚେଷ୍ଟା କରୁଥିଲେ । ରାଜିନ୍ଦରର ମରଣ ଖବର ନେଇ ଯାଇଥିବା ଅଫିସର୍‌ମାନେ ବନୱାରୀଲାଲଙ୍କୁ ସେନା ବିଭାଗର ଚିଠିଟି ବଢ଼େଇ ସାରି ମେଲାଣି ମାଗୁଥିଲେ ।

 

ବନୱାରୀଲାଲ ସେମାନଙ୍କ ହାତ ଧରି, ଗୋଟେ କରଜଗ୍ରସ୍ତ ଖାତକ ପରି କହିଲା, ‘କିନ୍ତୁ ସେ କାହିଁ ?’

 

ସେମାନେ ଖବର ଦେଲେ, “କାଲି ଡେଡ୍‌ ବଡି ଆସି ରାଜଧାନୀରେ ପହଞ୍ଚିବ । ତାପରେ... ।” ସେମାନେ ବାକ୍ୟ ସଂପୂର୍ଣ୍ଣ କଲେ ନାହିଁ । ବନୱାରୀଲାଲଙ୍କୁ ସଲାମ ଠୁଙ୍କି ସେଇ ଅନ୍ଧାର ଭିତରେ ଫେରିଯାଇଥିଲେ ।

 

ମୀରାର ହୋସ୍‌ ଫେରିବାବେଳକୁ ତା ଶାଶୂ ତାକୁ କୋଳରେ ଧରି ବସିଥିଲା । ବୁଢ଼ୀର ଆଖିରୁ ଧାରାଶ୍ରାବଣ ପରି ଲୁହ ନିଗୁଡ଼ୁଥିଲା । ସେ ପାଗଳୀ ପରି ‘ମୋ ଧନରେ, ମୋ ଶଂଖାଳିରେ’ କହି କେବେ ଏପଟକୁ ତ କେବେ ସେପଟକୁ ଢଳି ପଡୁଥିଲା । ପଡ଼ିଶାଘରର ଖୁଡ଼ୀ ଶାଶୂ ପଛରେ ଛିଡ଼ା ହୋଇ କଣ ସବୁ ବୁଝଉଥିଲା ।

 

ମୀରା ଆଖି ଖୋଲିଲା । ଅଗଣାର ମଥାନରେ ନେଳିଆ ଆକାଶ । ତାରାଗୁଡ଼ାକ ସଞ୍ଜବତି ପରି ଦିକିଦିକି ହେଉଛନ୍ତି । ତାର ଜାଲୁଜାଲୁଆ ଆଖି ଆଗରେ ଗୋଟେ ତିରିଶ ବର୍ଷ ଯୁଆନର ଚେହେରା ଭାସି ଉଠିଲା । ତାର ଲୋମଶ ଛାତି, ନିଦାପଥର ପରି ହାତ ପାଦ, ଟିକିଟିକି ବାଳ, ଲମ୍ବା ନାକ, ସରୁ ଓଠ, ଓଠ ଉପରକୁ ହଳେ ନିଶ । ସେ ପାଗଳୀ ପରି ଅଦୃଶ୍ୟ ରାଜିନ୍ଦରର ଛାତି ଉପରେ ଅଜାଡ଼ି ହୋଇପଡ଼ିଲା ଓ ପୁଣି ବେହୋସ୍‌ ହୋଇଗଲା ।

 

ବାପ ବନୱାରୀଲାଲ୍‌ର ହାତମୁଠାରେ କାଗଜଖଣ୍ଡିକ ଥରୁଥିଲା । ସେ ଦାନ୍ତ ଚିପି ଚିପି ତା ପୁଅକୁ ଝୁରି ହେଉଥିଲା । ଗଲା ମାସରେ ରାଜିନ୍ଦର ଚିଠି ଦେଇଥିଲା, ଖୁବ୍‌ ଶୀଘ୍ର ଗାଁକୁ ଆସିବ, କେହି ବ୍ୟସ୍ତ ହେବା ଦରକାର ନାହିଁ । ଠିକଣା ବେଳକୁ ସେ ମୀରାକୁ ତା ବାପଘର ଗାଁରେ ପହଞ୍ଚେଇ ଦେବ । ସେଠି ପାଖରେ ହାସପାତାଳ । କୁତାଲପୁର ସିନା ଅପନ୍ତରା ଭୂଇଁ, କିନ୍ତୁ ମୀରା ବାପଘର ପାଖରେ ହାସପାତାଳ ଅଛି । ସେଠି ମୀରାର କିଛି ସମସ୍ୟା ହେବ ନାହିଁ ।

 

ଗାଁ ମୁଣ୍ଡ ମଶାଣିର ନିର୍ଜନତା ସତେ କି ବନୱାରୀଲାଲ୍‌ର ଘରକୁ ଘେରି ଯାଇଥିଲା ! ବାହାରେ ଅନ୍ଧାର, ଭିତରେ ବି ଅନ୍ଧାର । ମୀରା କାନରେ ପଡ଼ିଶାଘର ବୋହୂର କଥା ଶୁଭୁଥିଲା, ‘ରାଜିନ୍ଦର ଭୈୟା ଦେଶ ପାଇଁ ଲଢ଼ି ସହିଦ ହୋଇଛି ।’ ମୀରାକୁ ବିଷ ପରି ଲାଗୁଥିଲା ସେସବୁ । ଦେଶ ! ଗାଁର ପଇସାବାଲାଏ ଯେତେବେଳେ ତାଙ୍କ ପିଲାମାନଙ୍କୁ ଫଉଜିରେ ଯିବାକୁ ବାରଣ କରନ୍ତି, ସେତେବେଳେ କଣ ଦେଶ କଥା ମନେପଡ଼େ ନାହିଁ ? ବନୱାରୀଲାଲର ଜମି ଦି ମାଣ ଥିଲେ, ମୀରା ଆଜି ଏମିତି ବେଳେ ବିଧବା ହୋଇ ନଥାନ୍ତା !’ ସେ ଚିତ୍କାର କରି ଉଠିଲା, ‘ମୋତେ ଟିକେ ତାଙ୍କ ପାଖକୁ ନେଇଯାଅ ମା, ମୋତେ ଟିକେ... ।’

 

ଅପାଠୋଈ ମୀରାର ଅଭିଯୋଗ ଗୋଟିଏ ଦୃଷ୍ଟିରୁ ଦେଖିଲେ ଦେଶ ପ୍ରତି ଅବମାନନା ଥିଲା । ସହିଦର ମୃତ୍ୟୁକୁ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଖରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗୌରବର କଥା କହୁଥିଲା ବେଳେ ମୀରା ନିଜ ସ୍ୱାମୀର ବଳିଦାନକୁ ଗରିବୀର ଅସହାୟତା କହି ବଡ଼ ବଡ଼ ନେତାଙ୍କ ପ୍ରତି ଅସମ୍ମାନ କରିଥିଲା ! କିନ୍ତୁ ଅପାଠୋଈ ସ୍ତ୍ରୀ ଲୋକର କଥାର ବା ମୂଲ୍ୟ କଣ ? ଏକଥା ସତ ଯେ ତା ବାପଘର ଗାଁର କୌଣସି ସ୍ୱଚ୍ଛଳ ଲୋକ ସେମାନଙ୍କ ପିଲାଙ୍କୁ ଫଉଜିରେ ଭର୍ତ୍ତି କରିବା କଥା ସେ ଶୁଣି ନଥିଲା । ତା ସାଙ୍ଗ ସାଧନାର ଭାଇ ରାକେଶ ଫଉଜିରେ ଭର୍ତ୍ତି ହେବା ପାଇଁ ଫର୍ମ ପକେଇଥିଲା । କିନ୍ତୁ ତା ବାପା ଏକଥା ଶୁଣି ରାକେଶକୁ ପିଟିଥିଲା । ‘ତୋର କଣ ଖାଇବାକୁ ନାହିଁ ଯେ ତୁ ଫଉଜୀରେ ଯିବାକୁ ହମ ହମ ହଉଛୁ’ କହି ତାକୁ ଦି ଧକ୍‌କା ଦେଇଥିଲା । ମୀରାର ବାହାଘର ବେଳେ ତା ବାପା ତାକୁ ଏକଥା କହି ରାଜିନ୍ଦର ସାଙ୍ଗେ ପ୍ରସ୍ତାବ ପକ୍କା କରିବି କି ନାହିଁ ବୋଲି ପଚାରିଥିଲା । କିନ୍ତୁ ଅଭାବୀ ବାପାର ମୁଣ୍ଡ ଉପରେ ବୋଝ ହୋଇ ଆଉ ବେଶି ଦିନ ସେ ରହିବାକୁ ଚାହିଁ ନ ଥିଲା । ସେ ଭାବିଥିଲା, ସେ ନ ହେଲେ ବି ଆଉ କେହି ତ ଫଉଜୀକୁ ବାହା ହବ । ଫଉଜୀମାନେ ଆଉ କଣ ଅଭିଆଡ଼ା ରହିବେ!

 

ମୀରା ଆଖି ଆଗରେ ରାଜିନ୍ଦରର ମୁହଁ ନାଚି ଯାଉଥିଲା । ସେ ହାତ ବାଡ଼େଇ, ଗୋଡ଼ କଚାଡ଼ି ସମସ୍ତଙ୍କୁ ନେହୁରା ହେଉଥିଲା, ମୋତେ ଟିକିଏ ତାଙ୍କ ପାଖକୁ ନେଇଯାଅ । ମୋତେ ଟିକିଏ... ।

 

କୁତାଲପୁର ଗାଁର ଝିଅବୋହୂ, ବୁଢ଼ାବୁଢ଼ୀ, ପିଲାଛୁଆ ସମସ୍ତେ ମୀରାର ଦୁଃଖରେ ଆହା ଚୁ ଚୁ କରୁଥିଲେ । ଚବିଶ ପଚିଶ ବର୍ଷର ଝିଅ, ତା ବୟସର ଝିଅମାନେ ଏଯାଏଁ ବାହା ହୋଇନାହାନ୍ତି, ଇଏ ବିଧବା ହୋଇଗଲା । କୋଉ ଜନ୍ମର ପାପ ପାଇଁ ବିଚାରୀ ଏ ଦଶା ଭୋଗିଲା କେଜାଣି ?

 

ମୀରାର ଶାଶୂ ବନୱାରୀଲାଲର କୁର୍ତ୍ତା ଭିଡ଼ି ଧରି ମୁଣ୍ଡ ପିଟୁଥିଲା । ‘ମୋ ରାଜୁରେ, ମୋ ଧନରେ, ମୋତେ ତୋ ପାଖକୁ ନେଇଯାଅରେ’ କହି ସେ ଏଭଳି ବ୍ୟସ୍ତ ହେଉଥିଲା ଯେ, ବନୱାରୀଲାଲ କଣ କରିବ ନ କରିବ ଚିନ୍ତା କରି ପାରୁ ନଥିଲା । ନିଜ ସ୍ତ୍ରୀ ଓ ବୋହୂର ଅବସ୍ଥା ଦେଖି ସେ ପଥର ହୋଇଯାଇଥିଲା ।

 

ଧୀରେ ଧୀରେ ରାତି ବଢ଼ୁଥିଲା । ଗାଁ ମଶାଣିରୁ ପହରିକିଆ ବିଲୁଆଙ୍କ ରଡ଼ି ପରି ମଝିରେ ମଝିରେ ରାଜିନ୍ଦରର ମାଆ ଓ ତା ସ୍ତ୍ରୀର ବିକଳ ଚିତ୍କାର କୁତାଲପୁରକୁ ଗୋଟେ କରୁଣ ଆର୍ତ୍ତନାଦରେ ତିନ୍ତେଇ ଦେଉଥିଲା ।

 

ତିନି

 

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଜୟନ୍ତ ଗୟା ଜିଲ୍ଲାର କଲେକ୍ଟରଙ୍କ ସାଙ୍ଗେ କଥା ହେଉଥିଲେ ।

 

: ସି.ଏମ୍‌.ଙ୍କ ଟୁର୍‌ ବିଷୟରେ କଣ ସ୍ଥିର କଲ ? ଯେମିତି ହେଉ ଆଜି କୁତାଲପୁରର ସେ ବିଧବାକୁ ସି.ଏମ୍‌. ସାନ୍ତ୍ୱନା ଦେବାକୁ ଯିବେ । ପ୍ରେସ୍‌ବାଲାଙ୍କ ମତିଗତି ଦେଖୁଛ ତ ?

 

: ଆପଣ ଠିକ୍‌ କହୁଛନ୍ତି ସାର୍‌ । କିନ୍ତୁ... କିନ୍ତୁ

 

: କିନ୍ତୁ କଣ ?

 

: କୁତାଲପୁରକୁ ସି.ଏମ୍‌.ଙ୍କ ଗାଡ଼ି ଆସିପାରିବ ନାହିଁ । ଖରାପ ରାସ୍ତା ।

 

: ଓ-କେ । ସେ ତାଙ୍କ ଫୋର୍ଡ ନେବେ ନାହିଁ । ଜିପ୍‌ସୀ, ଜିପ୍‌ସୀ ଯିବ ?

 

: ସାର୍‌, ନା । ଜିପ୍‌ସୀ ବି ଆସିବ ନାହିଁ ।

 

: ତାହାହେଲେ ଗୋଟେ ଟ୍ରାକ୍ଟରର ବ୍ୟବସ୍ଥା କରିବା । ସି.ଏମ୍‌.ଙ୍କ ପଦଯାତ୍ରା ପ୍ରୋଗ୍ରାମ୍‌ ସାଙ୍ଗରେ ଚାଷୀମାନଙ୍କର କିଛି ଗୋଟାଏ କାର୍ଯ୍ୟକ୍ରମ ସ୍ଥିର କର ।

 

: ସରି ସାର୍‌ । ଟ୍ରାକ୍ଟର ବି ଆସିପାରିବ ନାହିଁ ।

 

: ଆପଣ କଣ କହୁଛନ୍ତି ? –ଜୟନ୍ତ ଚିନ୍ତିତ ଦିଶିଲେ ।

 

: କୁତାଲପୁରକୁ ଆସିବା ପାଇଁ କୌଣସି ପ୍ରକାର ରାସ୍ତା ନାହିଁ । ପାଞ୍ଚ କିଲୋମିଟର ଚାଲି ଚାଲି ଆସିଲେ ଯାଇ ସେ ଗାଁରେ ପହଞ୍ଚି ହେବ ।

 

: ଓ, ଆଇ ସି ।

 

: ସାର୍‌ !

 

: କିନ୍ତୁ ମାଡାମ୍‌ ଚିଫ ମିନିଷ୍ଟର ପାଞ୍ଚ କିଲୋମିଟର ଚାଲିପାରିବେ ନାହିଁ । ଗୋଟାଏ ହେଲିପ୍ୟାଡ୍‌ର ବ୍ୟବସ୍ଥା କରିହେବ ? ସହିଦ ଇସ୍ୟୁଟା ଭାରି ସେନ୍‌ସିଟିଭ । ଓଃ, ଏଭଳି ଯମ ନ ଯିବା ଗାଁରେ କେମିତି ସହିଦ ଜନ୍ମ ହେଲେ!

 

: ସାର୍‌, କିଛି କହିଲେ ? –ତରୁଣ କଲେକ୍ଟରଙ୍କ ଚିନ୍ତାକୁଳ ପ୍ରଶ୍ନ ।

 

: ହେଲିପ୍ୟାଡ୍‌ ।

 

: ସାର୍‌, ତିନି ଦିନ ହେଲା ଝଡ଼ବର୍ଷା ଲାଗି ରହିଛି । ଟିକିଏ ଖରା ହେଲେ ସେ ବ୍ୟବସ୍ଥା କରିପାରିବୁ । ପାଟନାରେ ବର୍ଷା ହେଉନାହିଁ ?

 

: ହଁ, ତାହାହେଲେ ଏ ବାବଦରେ କଣ କରାଯାଇପାରିବ କୁହ । ମୁଁ ତୁମ ଉପରେ ଦାୟିତ୍ୱ ଦେଉଛି ।

 

: ମୋତେ କିଛି ସମୟ ଦିଅନ୍ତୁ ସାର୍‌ । ମୁଁ ମୋ ଅଫିସର୍‌ମାନଙ୍କ ସାଙ୍ଗେ ଆଲୋଚନା କରି ଆପଣଙ୍କୁ ଜଣାଉଛି ।

 

ଜୟନ୍ତ ଫୋନ୍‌ ରଖିଦେଲେ । ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଘନ ଘନ ତାଗିଦା ଆସୁଛି । ପଞ୍ଜାବ, ହିମାଚଳ ପ୍ରଦେଶ ଏପରିକି ଓଡ଼ିଶା ସରକାର ନିଜ ନିଜ ରାଜ୍ୟର ସହିଦମାନଙ୍କ ପାଇଁ ଅନେକ କାମ କଲେଣି । ତାଙ୍କ ରାଜ୍ୟ ଏ ଦିଗରେ ପଛରେ ରହିପାରିବ ନାହିଁ । ଏଇଟା ନିର୍ବାଚନ ବର୍ଷ । ବାଲୁପ୍ରସାଦ ନିଜେ ଏ ପ୍ରସଙ୍ଗକୁ ସବୁଠୁଁ ଅଧିକ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଏବେ କଣ କରାଯାଇପାରିବ ?

 

ବାଲୁପ୍ରସାଦଙ୍କ ମାନସିକତା ସେ ଭଲ ଭାବେ ଜାଣନ୍ତି । ଟିକିଏ ଚିଡ଼ିଗଲେ ଅବସ୍ଥା ଅସମ୍ଭାଳ ହୋଇଯିବ । ଭଦ୍ରଲୋକ ତଳୁ ଉପରକୁ ଉଠିଛନ୍ତି । ମଇଁଷି ପିଠିରୁ ହେଲିକପ୍ଟର । ବଳଦ ପିଠିରୁ ଜେଟ୍‌ପ୍ଲେନ୍‌ । ଗଲାବର୍ଷ ସେ ପୁରୁଣା ଦଳରୁ ଓହରି ଆସି ନିଜର ଦଳ ଗଢ଼ିଲେ । ନିର୍ବାଚନ ସଂକେତ ମିଳିଲା ଲଣ୍ଠନ । ଦଳର ସମର୍ଥକମାନେ ଚିନ୍ତିତ ହୋଇପଡ଼ିଲେ । ଲଣ୍ଠନ କଣ ଗୋଟେ ଚିହ୍ନ ! ବାଲୁପ୍ରସାଦ ମହାସମାବେଶର ଡାକରା ଦେଲେ । ରାଜଧାନୀରେ ନାହିଁ ନଥିବା ଭିଡ଼ । ବସ୍‌, ଟ୍ରେନ୍‌ ସବୁ ମଝି ରାସ୍ତାରେ ଅଟକିଲେ । ରାଲି ପାଇଁ ସମସ୍ତଙ୍କୁ କାମ କରିବାକୁ ପଡ଼ିବ । ରାଲି ଦିନ ହଜାର ହଜାର ଲଣ୍ଠନ ଧରି କର୍ମୀମାନେ ଆସିଲେ । ଶ୍ୟାମଳୀ ଦେବୀଙ୍କ ସାଙ୍ଗରେ ବାଲୁପ୍ରସାଦ ମଞ୍ଚ ଉପରକୁ ଚଢ଼ିଯାଇ ଦିକିଦିକି ଜଳୁଥିବା ଲଣ୍ଠନଟିକୁ ସମସ୍ତଙ୍କୁ ଦେଖାଇ ପଚାରିଲେ, “ଇଏ କଣ-?”

 

ବିଶାଲ ଜନତା ଉତ୍ତର ଫେରେଇଲା, “ଲଣ୍ଠନ ।”

 

ବାଲୁପ୍ରସାଦ ପାଟିରୁ ପାନପିକ ପୋଛି, ସୂତାବନ୍ଧା ଚଷମାକୁ ଆଖିରୁ ଖସେଇ, ମୁରୁକି ମୁରୁକି ହସି କହିଲେ, “ନା ।”

 

ଲୋକମାନେ ଆଚମ୍ବିତ । ଲଣ୍ଠନ ଯଦି ଲଣ୍ଠନ ନୁହେଁ ତାହାହେଲେ ସେ କଣ ? ଏଇ ଚିଜଟିକୁ ତ ସେମାନେ ଜନ୍ମହେଲା ଦିନୁ ଲଣ୍ଠନ ନାଆଁରେ ହିଁ ଚିହ୍ନି ଆସିଛନ୍ତି । ସେମାନେ ବାଲୁପ୍ରସାଦଙ୍କ ଆଡ଼କୁ କାନ ଦେଲେ ।

 

: ଇଏ ହେଲା ବାଲୁପ୍ରସାଦ । –ନିଜେ ବାଲୁପ୍ରସାଦ ଲଣ୍ଠନକୁ ଟେକିଧରି କହିଲେ, “ଆପଣମାନେ ହେଲେ ଜନତା ଜନାର୍ଦ୍ଦନ ଓ ଏ ଲଣ୍ଠନ ହେଲା ବାଲୁପ୍ରସାଦ ।” ତାପରେ ସେ ଲଣ୍ଠନକୁ ଟିକିଏ ତେଜିଦେଇ କହିଲେ, “ଜନତା ଚାହିଁଲେ ବାଲୁପ୍ରସାଦ ତେଜିବ” ଓ ପୁଣି ଲଣ୍ଠନ ତେଜ କମେଇ ଦେଇ କହିଲେ, “ଜନତା ଚାହିଁଲେ ବାଲୁପ୍ରସାଦ ଲଣ୍ଠନକୁ ନିଭେଇ ଦେବ ।”

 

ହୋ-ହୋ ହସ, କୁଆପଥର ପରି କରତାଳି, ବାଣ ରୋଶଣି । ‘ଜିନ୍ଦାବାଦ ଜିନ୍ଦାବାଦ୍‌’ରେ ରାଲି କମ୍ପିଲା । ବାଲୁପ୍ରସାଦ ଲଣ୍ଠନକୁ ହାତରେ ଧରି ସଭାମଞ୍ଚ ଉପରେ, ରାମଲୀଳାରେ ଗଦା ଧରି ହନୁମାନ ଘୂରିବୁଲିଲା ପରି ଦି ଚାରି ଘେରା ଘୂରି ଆସିଲେ । ସାଙ୍ଗେ ସାଙ୍ଗେ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର କର୍ମୀ ନିଜ ନିଜର ଲଣ୍ଠନ ତେଜିଦେଇ, ମୁଣ୍ଡ ଉପରେ ଥୋଇ ଚକାଭଉଁରୀ ଖେଳିଲେ ।

 

ବାଲୁପ୍ରସାଦଙ୍କ ଉପସ୍ଥିତ ବୁଦ୍ଧି ଦେଖି ସେଦିନ ଜୟନ୍ତ ଆଉଥରେ ବିସ୍ମିତ ହୋଇଥିଲେ ।

 

ସେଇ ବାଲୁପ୍ରସାଦ । ରାଜ୍ୟ ରାଜନୀତିର ମଧ୍ୟମଣି । ତ୍ରିଗୁଣ ରଜ୍ଜୁ ହସ୍ତେ ଧରି, ମୃଗୀ ନଚାଏ ନରହରି ।

 

ସେ ମୁଖ୍ୟମନ୍ତ୍ରୀଙ୍କୁ ଗୟା ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତାର ସାରାଂଶ ଜଣେଇ ଦେବାଲାଗି ଉଠିପଡ଼ିଲେ । ବାଲୁପ୍ରସାଦଙ୍କ ନିର୍ଦ୍ଦେଶ, ଏ ମାମଲାକୁ ସବୁଠୁଁ ବେଶି ଗୁରୁତ୍ୱ ଦେବାକୁ ହେବ । ବଞ୍ଚିବା ଲୋକଙ୍କ କାମ କାଲି ହେଲେ ଚଳିବ, ମରିବା ଲୋକର କାମ ସାଙ୍ଗେ ସାଙ୍ଗେ ହେବା ଦରକାର ।

 

ଫୋନ୍‌ର ବଜର୍‌ ବାଜି ଉଠିଲା । ଜୟନ୍ତ ଫୋନ୍‌ ଉଠେଇଲା । “ଗୟା କଲେକ୍ଟର, ସାର୍‍-।” ସହକାରୀ କହୁଥିଲେ-

 

: ହଁ, ଦିଅ ।

 

: ସାର୍‌, ମୁଁ ମୋ ଅଫିସରମାନଙ୍କ ସାଙ୍ଗେ ଡିସ୍‌କସନ କଲି । –ସେପଟୁ କଲେକ୍ଟର କହୁଥିଲେ ।

 

: କଣ ସ୍ଥିର କଲ କୁହ ।

 

: ସି.ଏମ୍‌. ଏଠିକି ଆସିବେ ନାହିଁ ।

 

ଜୟନ୍ତ ରାଗି ଉଠିଲେ, “ହ୍ୱାଟ୍‌ ଡୁ ୟୁ ମିନ୍‌ ? ସି.ଏମ୍‌. ସେଠିକି ଯିବା ଦରକାର । ସେ ସହିଦର ବିଧବାକୁ ଅଲବତ୍‌ ଭେଟିବେ । ତାକୁ ସାନ୍ତ୍ୱନା ଦେବେ । ପ୍ରେସ୍‌, ଟି.ଭି. ସମସ୍ତଙ୍କୁ ମୁଁ ଖବର ଦେଇସାରିଲିଣି ।”

 

: ସାର୍‌ । ସି.ଏମ୍‌. ସେ ବିଧବାକୁ ଭେଟିବେ ନିଶ୍ଚୟ । ମାତ୍ର କୁତାଲପୁର ଆସିବେ ନାହିଁ-

 

: ଅଦ୍ଭୁତ କଥା ! କଣ କହିବାକୁ ଚାହୁଁଛ, ସଫା ସଫା କୁହ ।

 

: ଆମେ ସେ ବିଧବାକୁ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର୍ସକୁ ନେଇ ଆସିବା ।

 

: ଓ-କେ । ଚିନ୍ତିତ ଜୟନ୍ତ ଟିକିଏ ପ୍ରସନ୍ନ ଦିଶିଲେ । କିନ୍ତୁ ପଚାରିଲେ, “ସେ କଣ ଆସିବାକୁ ରାଜି ହେବ ?”

 

: ସେ ଦାୟିତ୍ୱ ମୋତେ ଛାଡ଼ି ଦିଅନ୍ତୁ । ଆସିବ ନାହିଁ, ଯିବ କୁଆଡ଼େ ! ଆପଣ ସି.ଏମ୍‌.ଙ୍କୁ କୁହନ୍ତୁ, ଆଜି ସନ୍ଧ୍ୟା ପାଞ୍ଚଟା ବେଳେ ସେ ଗୟା ପ୍ରୋଗ୍ରାମ୍‌ ରଖିବେ ।

 

: ଓ-କେ ।

 

ଚାରି

 

ସାଙ୍ଗରେ ଆସିଥିବା ହାବିଲଦାର ଓ କନେଷ୍ଟବଳଙ୍କୁ ପଛକୁ ଠେଲିଦେଇ ସରପଞ୍ଚ ବିନ୍ଦେଶ୍ୱରୀଲାଲ କହିଲେ, “ବନୱାରୀଲାଲ୍‌ଜୀ, ବୋହୂକୁ ନେଇ ଗୟା ଯିବାକୁ ହେବ । ଏଇଠୁ ପାଞ୍ଚ କିଲୋମିଟର ଚାଲିଗଲେ, ସେଠି ସରକାରୀ ଗାଡ଼ି ଆମକୁ ଅପେକ୍ଷା କରିଥିବ । ସେଇଥିପାଇଁ ରାତି ପାହିବା ଆଗରୁ ପଡ଼ିଉଠି ମୁଁ ଧାଇଁଛି ।”

 

ବନୱାରୀଲାଲ କହିଲା, “ବୋହୂର ଦେହ ଅସୁଖ । ଏ ପାଣିକାଦୁଅ ରାସ୍ତାରେ ଏତେଗୁଡ଼ାଏ ବାଟ କଣ ସେ ଯାଇପାରିବ ?”

 

: ତାକୁ ପଚାର । ଯଦି ସେ ତା ବରକୁ ଦେଖିବାକୁ ଚାହୁଁ ନଥିବ, ତାହାହେଲେ ଦୁସରା କଥା । କାରଣ ସେଇଠିକି ଡେଡ୍‌ବଡି ଆସିବ । ଗାଁକୁ ତ ରାସ୍ତା ନାହିଁ, କଲେକ୍ଟର ଅବା କଣ କରିବେ ?

 

: ବୋହୂର ଦେହ କିନ୍ତୁ ଭାରି ଖରାପ । ରାଜିନ୍ଦର ଖବର ଶୁଣିବା ପରଠୁଁ ସେ କତରାଲଗା ହେଇଯାଇଛି ।

 

: ସେଇଥିପାଇଁ ତ କହୁଛି । ସରକାରୀ ଡାକ୍ତରଖାନାରେ ତାକୁ ଦେଖେଇ ଆଣିବା । ସେଠି ବଡ଼ ବଡ଼ ଡାକ୍ତର ଅଛନ୍ତି । ସିଏ ତ ସହିଦର ସ୍ତ୍ରୀ । ତାକୁ ଏଣିକି ସବୁ ସୁବିଧା ମାଗଣାରେ ମିଳିବ ।

 

ବନୱାରୀଲାଲ୍‌ଙ୍କ ମନକୁ କଥାଟି ପାଇଲା । ପାଞ୍ଚ କିଲୋମିଟର ରାସ୍ତା । ଖୁବ୍‌ ବେଶିରେ ଦେଢ଼ଘଣ୍ଟା ଲାଗିବ । ତାପରେ ତ ଗାଡ଼ି ।

 

ମୀରା ସାଙ୍ଗେ ସାଙ୍ଗେ ରାଜି ହୋଇଗଲା । ‘ଚାଲ ବାପୁ, ମୁଁ ତାଙ୍କୁ ନିଜେ ଆଖିରେ ନ ଦେଖିଲାଯାଏ କାହାରି କଥା ବିଶ୍ୱାସ କରିବି ନାହିଁ । ନିଜ ଆଖିରେ ଦେଖିଲେ ଯାଇ ଯୋଉ କଥା ।’

 

ସେମାନେ ଦଶ ପନ୍ଦର ମିନିଟ୍‌ରେ ଘରୁ ବାହାରି ପଡ଼ିଲେ । ବାଟସାରା ତୁହାକୁ ତୁହା ଶ୍ରାବଣ ବର୍ଷା । ପବନରେ ଛତା କି ପଖିଆ କିଛି ରହୁନାହିଁ । କାଦୁଅ ପଚର ପଚର ରାସ୍ତା । ବନୱାରୀଲାଲ୍‌ ରାଜିନ୍ଦର ମାଆକୁ ହୁସିଆର କରିଦେଉଛି, “ଧୀରେ ଧୀରେ । ଗୋଡ଼ ଖସିଯିବ ।”

 

କାଲି ସଞ୍ଜ ପହରଠୁଁ ମୀରା ପେଟକୁ ପାଣି ଯାଇନାହିଁ । ସେ ଦାନ୍ତ ଚିପି ମନକୁ ମନ କହିଲା, ‘ଆଉ ଟିକିଏ ରହିଯା ।’

 

ଆଗରେ ସରପଞ୍ଚ ଗଡ଼ ଜିଣିଲା ପରି ବଗ ପାହୁଣ୍ଡରେ ଧପାଲି ଚାଲୁଥିଲେ । ତା ପଛେ ପଛେ ହାବିଲଦାର ଓ କନେଷ୍ଟବଳ । ପଛକୁ ବନୱାରୀଲାଲ୍‌ । ସବା ଶେଷକୁ ମୀରା ଗୋଟେ କରୁଣ ପ୍ରଶ୍ନବାଚୀ ଚିହ୍ନପରି କାଦୁଅ ପଚପଚ, ଖାଲଢିପ, ଗୋଡ଼ି ପଥର ରାସ୍ତାରେ ବାଟ ଚାଲୁଥିଲା-

 

ଗୟା ଜିଲ୍ଲାର କଲେକ୍ଟର ସେ ଦିନଟି କେମିତି ଯିବ, କେବଳ ସେହି କଥା ଭାବି ହେଉଥିଲେ । ଏମିତି ଖରାପ ପାଗରେ ସେ କଦାପି ଘରୁ ବାହାରି ନଥାନ୍ତେ । ଚାରିଆଡ଼େ ଓଦା ପଚପଚ, ସନ୍ତସନ୍ତିଆ । କିନ୍ତୁ ସି.ଏମ୍‌.ଙ୍କ ଟୁର୍‌ ପ୍ରୋଗ୍ରାମ୍‌କୁ ଅବହେଳା କରି ହେବନାହିଁ । ଏସ୍‌.ଡି.ଓ. ବୁଦ୍ଧିଟା ବାହାର କଲେ ବୋଲି ଗୋଟାଏ ସୁବିଧା ଉପାୟ ମିଳିଗଲା । ନହେଲେ ସେ କଣ ଗରୁଡ଼ ହୋଇ ମାଡାମ୍‌ଙ୍କୁ କୁତାଲପୁର ନେଇଥାଆନ୍ତେ ନା କଣ !

 

ହୁଁ, ଦରକାର ବେଳକୁ ରାସ୍ତା କଥା ଉଠୁଛି । କେତେଥର ସେ ସେହି କଥା କଲେକ୍ଟର ବୈଠକରେ କହିଥିବେ । ସେ ଦିଗରେ ପଦକ୍ଷେପ ନାହିଁ । ଦରକାର ବେଳକୁ କଲେକ୍ଟର ମୁଣ୍ଡରେ ଅଠା !

 

ସେ ମଗଧ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ର ସୁପରିଟେଣ୍ଡେଣ୍ଟକୁ ଫୋନ୍‌ ଲଗେଇବାକୁ କହିଲେ । ଯେମିତି ହେଉ, ଗୋଟାଏ ବେଡ୍‌ର ବ୍ୟବସ୍ଥା କରିବାକୁ ହେବ । ସ୍ତ୍ରୀ ଲୋକଟାର ହାର୍ଟ ପ୍ରବ୍‌ଲେମ୍‌ ଦେଖାଇ ଆଇ.ସି.ୟୁ.ରେ ଭର୍ତ୍ତି କରିଦେଲେ ଭଲ ହେବ । ସେଠି ଏୟାରକଣ୍ଡିସନ୍‌ର ଲାଗିଛି । ସି.ଏମ୍‌.ଙ୍କୁ ଅସୁବିଧା ହେବ ନାହିଁ ।

 

ସୁପରିଟେଣ୍ଡେଣ୍ଟ ଫୋନ୍‌ ଧରିଥିଲେ । କହୁଥିଲେ, ଆଇ.ସି.ୟୁ.ରେ ବେଡ୍‌ ଖାଲି ନାହିଁ । ଇ.ଏନ୍‌.ଟି. ୱାର୍ଡରେ ଭର୍ତ୍ତି କଲେ ଚଳିବ କି ?

 

: ଇ.ଏନ୍‌.ଟି. । କିନ୍ତୁ ସେ ୱାର୍ଡରେ ଭର୍ତ୍ତି କରିବାଟାକୁ କିପରି ଜଷ୍ଟିଫାଇ କରିବା ?

 

: କାହାର ସାର୍‌ ରୋଗ ନାହିଁ ? ସେ ବିଧବାର ବି ଥିବ । ଅଧଘଣ୍ଟାକର କାମ । ସି.ଏମ୍‌. ଚାଲିଗଲା ପରେ ଆମେ ତାଙ୍କୁ ଡିସ୍‌ଚାର୍ଜ କରିଦେବା । ତାଛଡ଼ା ଇ.ଏନ୍‌.ଟି. ୱାର୍ଡଟି ଟିକିଏ ଭଲ ଜାଗାରେ । ସେଠି ବୁଲା କୁକୁର ଓ ଗାଈଗୋରୁଙ୍କ ଉପଦ୍ରବ ନାହିଁ ।

 

: ହଉ, ହଉ । ଯାହା ଭଲ ଭାବୁଛ କର । ମାଡାମ୍‌ ଠିକ୍‌ ପାଞ୍ଚଟା ବେଳେ ପହଞ୍ଚିବେ । ମୁଁ ବି ସାଙ୍ଗରେ ଥିବି । ଆଗରୁ କିଛି ଫଳ ଓ ବିସ୍କୁଟ କିଣେଇ ରଖିଥିବ । ଦେଖିବ, ସେଠିକି ପ୍ରେସ୍‌ ଓ ଟି.ଭି.ବାଲାଏ ଯେମିତି ନଯାଆନ୍ତି । ମୁଁ ଲୋକସଂପର୍କ ବିଭାଗକୁ କହିଛି, ସରକାରଙ୍କ ଟି.ଭି. ଗ୍ରୁପ୍‌ ସେଠି ଆଗରୁ ଯାଇ ପହଞ୍ଚିଯାଇଥିବେ । ପଲିଟିକାଲ ଲୋକଙ୍କୁ ଦେଖିଶୁଣି ହ୍ୟାଣ୍ଡଲ କରିବ । ଇଟ୍‌ ଇଜ୍‌ ଏ ଡେଲିକେଟ ଇସ୍ୟୁ ।

 

: ୟେସ୍‌ ସାର୍‌ । ମୁଁ ପର୍ସନାଲି ସବୁ ସୁପର୍‌ଭାଇଜ କରିବି ସାର୍‌ ।

 

ଜୟନ୍ତ ଏଥର ନିଶ୍ଚିନ୍ତ ହେଲେ । କୁତାଲପୁରରୁ ସେମାନେ ସରପଞ୍ଚ ସାଙ୍ଗରେ ଦଶଟାବେଳକୁ ବାହାରିଛନ୍ତି । ଗୟାରେ ପହଞ୍ଚିବାବେଳକୁ ଚାରିଟା ପାଖାପାଖି ବାଜିଯିବ । ସାଢ଼େ ଚାରିଟା ବେଳେ ହସ୍‌ପିଟାଲରେ ଆଡ୍‌ମିସନ କରିଦେଲା ପରେ ପାଞ୍ଚଟା ବେଳେ ସି.ଏମ୍‌. ପହଞ୍ଚିବେ । ସେ ଏକଥା ଜଣେଇଦେବା ଲାଗି ସି.ଏମ୍‌.ଙ୍କ ବାସଭବନ ମୁହାଁ ଧାଇଁଲେ ।

 

ମୀରାର ପାଦ ଟଳମଳ ହେଉଥିଲା । ତାକୁ କାହିଁକି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେ ସେକଥା ଜାଣିପାରୁ ନଥିଲା । ଯାହାଙ୍କୁ ଟିକିଏ ଦେଖିବା ପାଇଁ ସେ ଏତେଗୁଡ଼ାଏ ବାଟ ପଡ଼ିଉଠି ଧାଇଁଥିଲା, ସେ କେଉଁଠି ?

 

ହଠାତ ଦଶ ପନ୍ଦର ଜଣ ଲୋକ ସେ ଘରକୁ ପଶି ଆସିଲେ । ଉଜ୍ଜ୍ୱଳ ଆଲୁଅରେ ଘରର ଅନ୍ଧାର ହଟିଗଲା । କିଏ ଜଣେ ତାକୁ କହିଲା, ‘ହାତଯୋଡ଼ି ନମସ୍କାର କର । ସି.ଏମ୍‌. ଆସିଛନ୍ତି ।’

 

ସେ ହାତ ଯୋଡ଼ିଦେଲା ।

 

ମୁଖ୍ୟମନ୍ତ୍ରୀ ଗୋଟିଏ ଫଳଝୁଡ଼ି ତା ମୁଣ୍ଡ ପାଖରେ ରଖିଲେ ତା ଶ୍ୱଶୁରଙ୍କ ହାତକୁ ଗୋଟେ ଖାମ୍‌ ବଢ଼େଇଦେଲେ । ମୀରାର ମୁଣ୍ଡ ଆଉଁଶି ଦେଇ ଟିକିଏ ଛିଡ଼ା ହେଲେ ।

 

ଫଟୋ ଉଠା ସରିଗଲା । ଟି.ଭି.ବାଲାଏ ଚିତ୍ର ଓ କଥା ରେକର୍ଡ କରିନେଲେ । ପାଞ୍ଚ ମିନିଟ୍‌ ଭିତରେ ମେଲଣ ଭାଙ୍ଗିଗଲା । ସମସ୍ତେ ଯେମିତି ଆସିଥିଲେ ସେମିତି ସେ ଘରୁ ବାହାରି ଗଲେ ।

 

ମୀରା ପଚାରିଲା, “ସେ କାହାନ୍ତି ?”

 

ସେ ରାଜିନ୍ଦରର ମୃତ ଦେହକୁ ଏଭଳି ସମ୍ବୋଧନ କରୁଥିଲା । ଯେମିତି ସେ ମରିନାହିଁ, ଏପର୍ଯ୍ୟନ୍ତ ସ୍ୱଦେହରେ ବଞ୍ଚିରହିଛି ।

 

ବନୱାରୀଲାଲ୍‌ କହିଲା, “ଏବେ ବାବୁମାନେ ଆସି ଖବର ଦେବେ । ଗୋଟେ ସେଓ ଖାଇବୁ ମା!”

 

ମୀରା ମୁହଁ ମୋଡ଼ି ମନା କଲା ।

 

ବନୱାରୀଲାଲ କଣ କହିବାକୁ ଯାଉଥିଲା ଜଣେ ଡାକ୍ତର ଆସି କହିଲେ, “ଏବେ ବିଛଣାରୁ ଉଠିପଡ଼ । ସି.ଏମ୍‌. ଗଲେଣି ।”

 

ମୀରାର ଛାତି ଉପରୁ ଧୋବଫରଫର ଚାଦର ହଟେଇ ନିଆଗଲା । ମୀରା ଖଟିଆ ଉପରେ ଉଠି ବସିଲା । ନର୍ସ ଜଣକ କହିଲା, “ଏବେ ଚାଲ ମା । ତମର ଚେକ୍‌ଅପ୍‌ ହୋଇଗଲା ।”

 

ମୀରା ତା ଶ୍ୱଶୁରଙ୍କୁ ଆଉଥରେ ପଚାରିଲା, “ସେ କାହାନ୍ତି ?”

 

ବନୱାରୀଲାଲ ନର୍ସକୁ ଓ ନର୍ସ ବାହାରକୁ ଅନେଇ ଉତ୍ତର ଫେରେଇଲା, “କିଏ ? କାହା କଥା ପଚାରୁଛ ?”

 

ବନୱାରୀଲାଲ କହିଲା, “ମୋ ପୁଅ । ମୋ ପୁଅର ଶବ ?”

 

ନର୍ସ ଗମ୍ଭୀର ସ୍ୱରରେ କହିଲା, “ତମେମାନେ ଏଠୁ ଚାଲ । ମୁଁ ଖବର ଦେଉଛି । ସିଏ ତ ଆର୍ମିବାଲାଙ୍କ କଥା, ଆମେ ଛୋଟ ଚାକିରିଆ କୁଆଡ଼ୁ ସେକଥା ଜାଣିବୁ ?”

 

ପାଞ୍ଚ

 

ରାତି ଆଠଟା ପାଖାପାଖି । ଆଞ୍ଚଳିକ ବୁଲେଟିନରେ ସହିଦ ରାଜିନ୍ଦରର ବିଧବା ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମବେଦନା ଜ୍ଞାପନ ଖବର ଓ ଚିତ୍ର ପ୍ରସାରିତ ହୋଇଯାଇଛି । ରାଜିନ୍ଦରର ପତ୍ନୀ ଅସୁସ୍ଥ ଥିବା ଖବର ପାଇ ନିଜେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ତାକୁ ତା ଗାଁରୁ ଆଣି ମଗଧ ହାସପାତାଳରେ ଭର୍ତ୍ତି କରାଇଛନ୍ତି । ମୃତ ସହିଦଙ୍କ ପିତାଙ୍କ ହାତରେ ପଚିଶ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ୟାମଳୀ ଦେବୀ ।

 

ଜୟନ୍ତ ଆଶ୍ୱସ୍ତ ଦିଶୁଥିଲେ । ଗୋଟାଏ ସମସ୍ୟା ସମାଧାନ ହୋଇଗଲା ।

 

ସେତିକିବେଳେ ଡାକବଙ୍ଗଳାର ଫୋନ ବାଜିଉଠିଲା । ସେପଟରୁ ମଗଧ ମେଡିକାଲ କଲେଜର ଅଧ୍ୟକ୍ଷ ଫୋନ କରୁଥିଲେ ।

 

“କଣ ହେଲା ? ସେ କଣ ଏଯାଏ ଯାଇନାହିଁ ?”

 

: ସାର୍‌, ସ୍ତ୍ରୀ ଲୋକଟା ପାଟିତୁଣ୍ଡ କରୁଛି । ତା ସ୍ୱାମୀର ଡେଡ୍‌ବଡି ନ ଦେଖି ଗାଁକୁ ଫେରିବ ନାହିଁ ବୋଲି କହୁଛି ।

 

: ମାନେ ? ଆପଣ ବୁଝାଇ ଦେଲେ ନାହିଁ ! ମୁଁ ତ ଏତେବେଳକୁ ରାଜଧାନୀ ଫେରିଯାଇ ସାରନ୍ତିଣି ।

 

: ସରପଞ୍ଚଟା ବୋଧହୁଏ ସେଇକଥା କହି ତାକୁ ଗାଁରୁ ଡାକି ଆଣିଥିଲା । ତେଣୁ ସେ ଜିଦ୍‌ କରୁଛି ।

 

: ଓଃ ଆଇ-ସି । ଆଚ୍ଛା, ମୁଁ ଏବେ ଆସୁଛି ।

 

ଜୟନ୍ତ ହସ୍‌ପିଟାଲରେ ପହଞ୍ଚିଗଲେ । ସହିଦର ବିଧବା ପତ୍ନୀ ମୀରା କାନ୍ଥକୁ ମୁଣ୍ଡ ଆଉଜି ବସିଥାଏ । ତାଙ୍କୁ ଦେଖି ମୀରା ଉଠି ପଡ଼ୁ ପଡ଼ୁ ଗଛ କାଟିଲା ପରି ପୁଣି ଚଟାଣରେ ପଡ଼ିଗଲା ।

 

ବନୱାରୀଲାଲ ଧାଇଁ ଆସି କହିଲା, “ସାହାବ୍‌, ମୋ ପୁଅ କାହିଁ ? ମୋ ପୁଅ କାହିଁ ?”

 

ଜୟନ୍ତ କି ଉତ୍ତର ଦେବେ ଚିନ୍ତା କରିପାରିଲେ ନାହିଁ । ଆର୍ମିବାଲାଏ କେଉଁଦିନ ଡେଡ୍‌ବଡି ପଠେଇବେ ସେ ଜାଣି ନାହାନ୍ତି । ଏବେ ସେ ବୁଢ଼ା ଲୋକଟିକୁ କଣ କହିବେ ?

 

ସେ କହିଲେ, “ତୁମ ବୋହୂ ଦୁର୍ବଳ ହୋଇ ପଡ଼ିଥିଲେ । ସେଥିପାଇଁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ପଚିଶ ହଜାର ଟଙ୍କାର ଚେକ୍‍ ପାଇଛ । ଆହୁରି ଟଙ୍କା ମିଳିବ । ଏବେ ଔଷଧପତ୍ର ନେଇଯାଅ । ଡେଡ୍‌ବଡି ବଳେ ଯାଇ ତୁମ ଘର ପାଖେ ପହଞ୍ଚିବ ।”

 

ଚଟାଣରେ ତେଲୁଣିପୋକ ପରି ଘୁଷୁରୁଥିବା ମୀରା ହାତ କଚାଡ଼ି କହିଲା, ‘ମିଛ । ସବୁ ମିଛ । ସବୁ ମିଛ ।’

 

ଜୟନ୍ତ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚାହିଁଲେ । ଦି ଜଣ ବେହେରା ଓ ନର୍ସ ଆସି ମୀରାକୁ ତଳୁ ଉଠେଇଲେ ଓ ତାକୁ ଟେକିଟେକି ନେଇ ବାହାରେ ଅପେକ୍ଷା କରିଥିବା ଜିପ୍‌ରେ ବସେଇଦେଲେ । ଜୟନ୍ତ କହିଲେ, ‘ଯେମିତି ହେଉ, ତୁରନ୍ତ ଏଠୁ ତାକୁ ନେଇଯାଅ ।’

 

ବନୱାରୀଲାଲ ଏସବୁ କଥା ଦେଖି ଥ ହୋଇଯାଇଥିଲା । ଜୟନ୍ତ ତାକୁ ଚାହିଁବା ପାଇଁ ସାହସ ଗୋଟେଇ ପାରୁ ନଥିଲେ । ଜୀବନରେ କେତେ କେତେ ଗୁରୁତର ସମସ୍ୟାର ସମାଧାନ ସେ କରିଛନ୍ତି । ମାତ୍ର ଆଜି କାହିଁକି ତାଙ୍କର ସବୁ ସାହସ ପାଣି ଫାଟି ଯାଉଥିଲା ।

 

ସୁପରିଣ୍ଟେଣ୍ଡେଣ୍ଟ ଜୟନ୍ତଙ୍କ ପାଖକୁ ଲାଗିଆସି କହିଲେ, “ବଡ଼ ଜିଦ୍‌ଖୋର୍‌ ସ୍ତ୍ରୀଲୋକ । ଆପଣ ନ ଆସିଥିଲେ... ।”

 

ଜୟନ୍ତ ତାଙ୍କୁ ଚୁପ୍‌ ରହିବାକୁ ଇସାରା ଦେଲେ । ଗାଡ଼ିଟି ସେତେବେଳକୁ ଆଗକୁ ଗଡ଼ିବା ପାଇଁ ଯାଉଥିଲା, ଜୟନ୍ତ ଧାଇଁଯାଇ ନିଜ ପକେଟ୍‌ରେ ହାତ ଭର୍ତ୍ତି କଲେ ଓ ସେଥିରେ ଥିବା ସବୁଯାକ ଟଙ୍କା ବନୱାରୀଲାଲ୍‌ ହାତରେ ଗୁଞ୍ଜିଦେଲେ ।

 

ଗାଡ଼ି ଚାଲିଗଲା । ସେ ଗାଡ଼ି ଭିତରୁ ମୀରାର ଆକୁଳ ଚିତ୍କାର ତଥାପି ଶୁଭୁଥିଲା । ବର୍ଷା ଓ କୋହଲା ପବନକୁ ଚିରି ସେ ଚିତ୍କାର ଡାକ୍ତରଖାନା ପରିସରକୁ କ୍ଷତବିକ୍ଷତ କରିଦେଉଥିଲା ।

 

ସୁପରିଣ୍ଟେଣ୍ଡେଣ୍ଟ କହିଲେ, “ଗୋଟାଏ ଖରାପ ଖବର ସାର୍‌ ।”

 

: କଣ ? –ଜୟନ୍ତ ଆଶ୍ଚର୍ଯ୍ୟ ସ୍ୱରରେ ପଚାରିଲେ ।

 

: ବିଚାରୀ ପେଟର ପିଲାଟା...

 

: କଣ ହେଲା ? –ଜୟନ୍ତ ବ୍ୟସ୍ତ ହୋଇ ପଚାରିଲେ ।

 

: ନଷ୍ଟ ହୋଇଯାଇଚି ସାର୍‌ । ଆଇ ଆମ୍‌ ସୋ ସରି ।

☆☆☆

 

Unknown

ବିସର୍ଜନ

 

ନବଗଠିତ ପାଟପୁର ପୂଜା ସମିତି କର୍ମକର୍ତ୍ତାମାନଙ୍କ ଯୁକ୍ତିତର୍କ ସବୁ ଶୁଣିସାରିବା ପରେ ସଭାପତି ଗନ୍ଧର୍ବ ରାଉତ କହିଲେ, “ସବୁ କଥା ଠିକ୍‌ ଯେ, କିନ୍ତୁ ସମ୍ବଳ କୋଉଠୁ ଆସିବ ?”

 

ତାଙ୍କ ପାଟିରୁ କଥା ନ ସରୁଣୁ ପାଞ୍ଚ ମିନିଟ୍‌ ତଳେ ପୂଜା କମିଟିର ସେକ୍ରେଟାରୀ ପଦ ମଣ୍ଡନ କରିଥିବା ରଘୁନାଥ ତା ନିଜ ଜାଗାରୁ ଉଠିପଡ଼ିଲା ଓ ବାହାରିଗଲା । ଗନ୍ଧର୍ବ ରାଉତ ଭାବିଲେ ଯେ ରଘୁନାଥ ବୋଧହୁଏ ତାଙ୍କ କଥାକୁ ନାପସନ୍ଦ କରି ଉଠି ପଳେଇଲା । ସେ ସହ ସମ୍ପାଦକ ଟୁକୁ ମହାନ୍ତିକୁ କହିଲେ, “ଗଲୁ, ରଘୁଆ କୁଆଡ଼େ ଉଠିଗଲା, ଟିକେ ଡାକି ଆଣିଲୁ ।”

 

ମାତ୍ର ଟୁକୁ ମହାନ୍ତିକୁ ରଘୁଆକୁ ଖୋଜି ଆଣିବା ଦରକାର ପଡ଼ିଲା ନାହିଁ । ରଘୁଆ ଗୋଟେ କାଠ ବେଞ୍ଚ ମୁଣ୍ଡେଇ ମୁଣ୍ଡେଇ ସେଇଠି ଆସି ହାଜର ହୋଇଗଲା ।

 

: କିରେ ଇଏ କଣ ? ଏ ବେଞ୍ଚ୍‌ କଣ ହେବ ? ଆମେ ତ ସବୁ ତଳେ ଦରି ପକେଇ ବସିଛୁ । ଆଲୋଚନା ବି ସରି ଆସିଲାଣି ।

 

: ଇଏ ବେଞ୍ଚ୍‌ ନୁହେଁ ଗନ୍ଧିଆଈ, ଇଏ ସମ୍ବଳ ।

 

: ସମ୍ବଳ ?

 

: ହଁ, ତମେମାନେ କେହି ବୁଝିପାରିବ ନାହିଁ । –ରଘୁନାଥ କହିଲା ଓ ଗନ୍ଧର୍ବ ରାଉତଙ୍କ ପାଖକୁ ଯାଇ ତାଙ୍କ କାନ ପାଖକୁ ନିଜ ମୁହଁଟିକୁ ବଗ ବେକ ବଢ଼େଇଦେଲା ପରି ବଢ଼େଇ ଦେଲା । ପୂଜା କମିଟିର ସଭ୍ୟମାନେ ଜାଣିଲେ, ରଘୁଆ କିଛି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଗନ୍ଧର୍ବ ରାଉତଙ୍କୁ କହୁଛି ।

 

ରଘୁଆ ପାଟିରୁ ବାହାରୁଥିବା ବିଦେଶୀ ମଦର ଗନ୍ଧରେ ଅତିଷ୍ଠ ଗନ୍ଧର୍ବ ରାଉତ ଧୀର ଗଳାରେ କହିଲେ, ‘କେତେଥର କହିଲିଣି, ଏ ସଞ୍ଜବୁଜେ ସେଗୁଡ଼ା ପିଇବୁ ନାହିଁ’ ଓ ତାପରେ ପ୍ରସଙ୍ଗ ବଦଳେଇ ‘ହଁ, କଣ କହୁଥିଲୁ ଟି ?’

 

ରଘୁନାଥ ଫିସ୍‌ ଫିସ୍‌ କରି ତା କଥାତକ ତାଙ୍କ କାନ ପାଖରେ କହିଦେଲା । ଏଥର ଗନ୍ଧର୍ବ ରାଉତଙ୍କ ମୁହଁ ପ୍ରସନ୍ନ ଦିଶିଲା । ସେ ରଘୁଆକୁ ତା ଜାଗାରେ ଯାଇ ବସିବାଲାଗି କହିଲେ ଓ ସଭାକୁ ସମ୍ବୋଧନ କଲା ପରି କହିଲେ, ‘ରଘୁନାଥର ବୁଦ୍ଧି ସାଙ୍ଗରେ ଆଉ କାହା ବୁଦ୍ଧି ହେବ ନାହିଁ-। ପ୍ରକୃତରେ ସେ ଗୋଟିଏ ଗଣେଶ । ହଉ ରଘୁନାଥ, ଏଥର ତମ ବୁଦ୍ଧିଟି କୁହ ।’

 

ରଘୁଆ କହିଲା, “ଏଇ ବେଞ୍ଚ୍‌ ହେଲା ଆମର ସମ୍ବଳ । ଆମ ହାତ ପାଆନ୍ତାରେ ସମ୍ବଳ ଥିଲା ପର୍ଯ୍ୟନ୍ତ ଆମେ ଇଆଡ଼େ ସିଆଡ଼େ ଚରକି ପରି ବୁଲିବା କାହିଁକି ? ଗଣେଶ ଯେମିତି ଶିବ ପାର୍ବତୀଙ୍କ ଚାରିପଟେ ବୁଲିଆସି ପୃଥିବୀ ଘୂରିଆସିଲେ, ଆମେ ସେମିତି ବେଞ୍ଚ ପାଖରେ ବସି ସମସ୍ତ ସମ୍ବଳ ଯୋଗାଡ଼ କରିବା ।”

 

: ବେଞ୍ଚ କଣ ଟଙ୍କା ଜନ୍ମ କରିବ ? –ରଘୁଆ କଥାର ତାତ୍ପର୍ଯ୍ୟ ବୁଝି ନପାରି ପୂଜା କମିଟି କୋଷାଧ୍ୟକ୍ଷ ହୋଇଥିବା ଟୁକୁନା ଜବାବ ଦେଲା । ତା କଥା ଶୁଣି ସମସ୍ତେ ହସି ଉଠିଲେ । କୋଷାଧ୍ୟକ୍ଷ ପଦରେ ବସୁ ନ ବସୁଣୁ ଟୁକୁନା ପଇସାପତ୍ର କଥା ନେଇ ଖୁବ୍‌ ଚିନ୍ତିତ ହୋଇ ପଡ଼ିଥିଲା-। ମାତ୍ର ଟୁକୁନାର ପ୍ରଶ୍ନ ଓ ସାଙ୍ଗମାନଙ୍କ ପରିହାସ ରଘୁନାଥକୁ ଭଲ ଲାଗିଲା ନାହିଁ ।

 

: ଚୋ-ଅପ୍‌ । ରଘୁଆ ପାଟିକଲା ଓ କହିଲା, ‘ତୁ ବୁଝିଲୁ ଛେନାଗୁଡ଼ ଆଉ ପାକେଲା କଦଳୀ । ଆରେ, ଏଇ ବେଞ୍ଚ୍ କାଲି ରାସ୍ତା ଉପରେ ପଡ଼ିବ । ବଜାର ରାସ୍ତା ଦେଇ ଯାଉଥିବା ସବୁ ଗାଡ଼ି, ମଟର ସେଠି ଅଟକିବେ ଆଉ ଗଣେଶ ପୂଜା ପାଇଁ ଚାନ୍ଦା ଦେବେ ।”

 

: କିନ୍ତୁ ଚାନ୍ଦାଭେଦା ଆଦାୟକୁ ପରା ପୁଲିସି...

 

: ତୋତେ ସବୁ କଥାରେ ମୁଣ୍ଡ ପୂରେଇବାକୁ କିଏ କହୁଛି ? –ରଘୁନାଥ ଟୁକୁନା ଆଡ଼କୁ ମାଡ଼ି ଆସିଲା ।

 

: ହାଁ, ହାଁ । ନିଜ ଭିତରେ ଝଗଡ଼ାଝାଣ୍ଟି କରନାହିଁ । –ଗନ୍ଧର୍ବ ରାଉତ ପରାମର୍ଶ ଦେଲେ-

 

ରଘୁନାଥ ଯେଉଁଠି ଠିଆ ହୋଇଥିଲା ସେଇଠି ବସିପଡ଼ିଲା ।

 

: ପୁଲିସି କଥା ବୁଝିବା ପାଇଁ ଗନ୍ଧିଆଇ ଅଛନ୍ତି । ଖାଲି କଣ ସେ ଆମର ପ୍ରେସିଡେଣ୍ଟ ! ଆମ କାମ ହେଲା, କାଲି ସକାଳୁ ରାତିଯାଏ ପାଳିକରି ରାସ୍ତା ଉପରେ ବସିବା । ଦିନ ଚାରିଟାରେ ସମ୍ବଳ ଯୋଗାଡ଼ ହୋଇଯିବ । ଗଣେଶ ପୂଜା ପାଇଁ କିଛି ସମସ୍ୟା ରହିବ ନାହିଁ ।

 

ଏଥର ଗନ୍ଧର୍ବ ରାଉତ କହିଲେ, ‘କଥା ତ ଛିଣ୍ଡିଲା, ଏବେ ଉଠିବା ।’ ମାତ୍ର ରଘୁନାଥ ବିନା ଚା ପାନରେ ସଭାପତିଙ୍କୁ ବିଦାୟ ଦେବାପାଇଁ ଚାହୁଁ ନଥିଲା । ସେ ତା ପାଖରେ ବସିଥିବା ଟୋକାଟିକୁ କହିଲା, ‘ଯା, କୁସୁନିଆକୁ କହିବୁ, ସମସ୍ତଙ୍କ ପାଇଁ ଚା ପଠେଇବ ।’

 

ପିଲାଟି ଚା ଦୋକାନକୁ ଯିବା ପାଇଁ ବାହାରି ଦୁଆରମୁହଁରେ ପହଞ୍ଚିଛି, ସିଆଡ଼ୁ ଚା ଦୋକାନୀ କୁସୁନିଆ ତମତମ ହୋଇ ଆସି ସଭା ମଝିରେ ପହଞ୍ଚିଗଲା । “ପଚରା ନାହିଁ ଉଚୁରା ନାହିଁ, ମୋ ବେଞ୍ଚଟାକୁ ଧରି ପଳେଇ ଆସିଲ, ତେଣେ ଗରାଖ ଛିଡ଼ା ହେଉଛନ୍ତି” ବୋଲି ରଘୁଆକୁ କହିଲା ଓ ବେଞ୍ଚଟାକୁ ଫେରେଇନେବ ବୋଲି ବାହାରିଲା । ରଘୁନାଥ ପାଇଁ କୁସୁନିଆର ଏ ଧରଣର ବ୍ୟବହାର ଅସହ୍ୟ ଥିଲା । ସେ ବଡ଼ ପାଟିରେ କହିଲା, “ଖବରଦାର କୁସୁନି, ସେ ବେଞ୍ଚରେ ଯଦି ହାତ ଦେଇଛୁ ! ସେଇଟି ବର୍ତ୍ତମାନ ପୂଜା କମିଟିର ଜିନିଷ ।”

 

କୁସୁନିଆ ଏ ପ୍ରକାର ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ନଥିଲା । ତା ଦୋକାନର ବେଞ୍ଚକୁ ସେ ଛୁଇଁପାରିବ ନାହିଁ–ଏକଥାଟି ତାକୁ ଅଡ଼ୁଆ ଅଡ଼ୁଆ ଲାଗୁଥିଲା । କିନ୍ତୁ ସେ ରଘୁନାଥର ଢଙ୍ଗରଙ୍ଗ ସମ୍ପର୍କରେ ବି ବେଶ୍‌ କିଛି ଜାଣିଥିଲା । ତେଣୁ ମନର ରାଗକୁ ମନ ଭିତରେ ଲୁଚେଇ ରଖି ନରମ ଗଳାରେ କହିଲା, ‘ରଘୁଆଇ, ତେଣେ ଆଞ୍ଚରେ ସସ୍‌ପ୍ୟାନ୍‌ ବସେଇ ଦେଇ ଆସିଛି । ମୋ ବେଞ୍ଚଟା ନେଇଯାଉଛି, ମତେ ପଛେ ଯାହା କହୁଛ କୁହ ।’

 

କୁସୁନିଆ ଆଉଥରେ ବେଞ୍ଚଟାକୁ ଧରିବାକୁ ଯାଉଥିଲା । ଖଣ୍ଡିଆଭୂତ ପରି ରଘୁଆ ନିଜ ଜାଗାରୁ ଉଠି ଆସିଲା ଓ କୁସୁନିଆକୁ ଗୋଟାଏ ଧକ୍‌କା ମାରିଲା । ସେଇ ଧକ୍‌କାରେ କୁସୁନିଆ ଦି ହାତ ଦୂରରେ ପଡ଼ିଲା ।

 

ଗନ୍ଧର୍ବ ରାଉତ ହାଁ ହାଁ କହି ଉଠିଲେ । କିନ୍ତୁ ରଘୁଆ ସେକଥା ପ୍ରତି ଧ୍ୟାନ ନ ଦେଇ କୁସୁନିଆକୁ କହିଲା, ‘ଶଳା ରିଫ୍ୟୁଜି ଛୋଟଲୋକ, ଏଠି ବେଶି ଦାଦାଗିରି ଦେଖଉଛୁ ! ସିଧା ଯିବୁ ଯଦି ଯା, ନ ହେଲେ ତୋଅରି ବେଞ୍ଚ ଭାଙ୍ଗି ସେଇଥିରେ ତୋତେ ପିଟିବି । ଦେଖିବି, କିଏ ଆସି ତୋ ପିଠିରେ ପଡ଼ିବ ।’

 

କୁସୁନିଆ ଚଟାଣ ଉପରୁ ଉଠିଲା । ଥରେ ରଘୁଆକୁ ଓ ଥରେ ଚାରିଆଡ଼କୁ ଚାହିଁଲା । କାହାରି ମୁହଁରେ ରଘୁଆ ବିରୋଧରେ ପ୍ରତିବାଦ ନାହିଁ । ଏମାନଙ୍କୁ ସମସ୍ତଙ୍କୁ ସେ ଜାଣେ । କେବେ ନା କେବେ ଏମାନେ ତା ଚା ଦୋକାନରୁ ଚା ପିଇଛନ୍ତି । କିନ୍ତୁ କେହି କିଛି କହୁନାହାନ୍ତି । ସେ ତା ଗାମୁଛାରେ ଦେହହାତ ଝାଡ଼ିହେଲା ଏବଂ ହାରିଯାଇଥିବା ପଶୁଟିଏ ଲାଙ୍ଗୁଡ଼ ଜାକି ପଳେଇଲା ପରି ପଳେଇଗଲା ।

 

କୁସୁନିଆର ଏଇ ପଳେଇଯିବାର ଭଙ୍ଗୀଟି ରଘୁଆକୁ ଉତ୍ସାହରେ ଅଧୀର କରିଦେଲା । ସେ ରାଗ ଭୁଲି ଏଥର ହସିବାକୁ ଲାଗିଲା । କହିଲା, “ଶଳା ରିଫ୍ୟୁଜି ଟୋକା, ମୋ ଆଗରେ ଦାଦାଗିରି ଦେଖଉଛି । ଭାଗ୍ୟ ଭଲ, ଗୋଟାଏ ଧକ୍‌କାରେ ବୁଝିଗଲା । ନ ହେଲେ ଆଜି ତାକୁ ତା ବୋଉର ଦୂତିଆଓଷା ଦେଖେଇ ଛାଡ଼ିଥାନ୍ତି ।”

 

ଗନ୍ଧର୍ବ ରାଉତ ଉଠିଆସି ସ୍ନେହରେ ରଘୁନାଥ ପିଠିରେ ହାତ ବୁଲେଇ ଆଣିଲେ । କହିଲେ, ‘ସବୁ କଥାରେ ରକ୍ତ ଗରମ କଲେ କଣ ଚଳିବ ! ଥଣ୍ଡା ଦିମାକରେ କାମ ଉଠେଇବାକୁ ପଡ଼ିବ । ସେ ଚା ପାନ ଥାଉ, ମୁଁ ଯାଉଛି । ଯିବା ବାଟରେ ଫାଣ୍ଡି ଏସ୍‌.ଆଇ.କୁ କହିଦେଇ ଯିବି ।’

 

ରଘୁଆ ଦୁଇ ହାତ ଯୋଡ଼ିଲା ଓ ନେତାଙ୍କ ପରି କହିଲା, ‘ଏଥର ସିନା ମୁଚୁକୁନ୍ଦ ମହାନ୍ତି ଜିଣିଗଲା । କିନ୍ତୁ ଆରଥରକୁ ଗନ୍ଧିଆଇ, ତମକୁ ପ୍ରଚାର ପାଇଁ ସୁଦ୍ଧା ବାହାରିବାକୁ ପଡ଼ିବ ନାହିଁ । ଆମେ ସବୁ ଫିଟ୍‌ କରିଦେବୁ ।’

 

ରଘୁଆଠାରୁ ଏ କଥା ପଦକ ଶୁଣିବା ଲାଗି ଗନ୍ଧର୍ବ ରାଉତଙ୍କୁ ଖୁବ୍‌ ଭଲ ଲାଗୁଥିଲା । ସେଇ ମୁହୂର୍ତ୍ତରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଛିଡ଼ାହୋଇ ଦୁଇ ଦୁଇଥର ବିଧାନସଭା ନିର୍ବାଚନରେ ଅମାନତ ହରେଇବାର ଗ୍ଳାନି ତାଙ୍କର ମନେପଡୁ ନ ଥିଲା । ତାଙ୍କୁ ଲାଗୁଥିଲା, ସେ ଭୋଟ ଗଣତି କେନ୍ଦ୍ର ଆଗରେ ଛିଡ଼ାହୋଇ ନିର୍ବାଚନ ଫଳାଫଳକୁ ଅପେକ୍ଷା କରୁଛନ୍ତି । ହଠାତ୍‌ ଘୋଷଣା ହେଉଛି, ସ୍ୱାଧୀନ ପ୍ରାର୍ଥୀ ଗନ୍ଧର୍ବ ରାଉତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମୁଚୁକୁନ୍ଦ ମହାନ୍ତିଙ୍କଠାରୁ ଦଶହଜାର ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି । ତାପରେ କିଏ କଣ ଆଣି ତାଙ୍କ ଗଳାରେ ଫୁଲମାଳଟିଏ ପକେଇ ଦଉଛି ଓ ତାଙ୍କୁ ତାଙ୍କର କର୍ମୀମାନେ କାନ୍ଧରେ ଉଠେଇ ନେଉଛନ୍ତି ।

 

ସେ ପ୍ରକୃତିସ୍ଥ ହେଲେ । ଯୁବକ ସଂଘର କର୍ମୀମାନଙ୍କୁ ଏବେଠାରୁ ହାତରେ ରଖିଲେ ଆସନ୍ତା ଥରକୁ ଏ ସ୍ୱପ୍ନ ସତ ହେବା ବିଚିତ୍ର ନୁହେଁ । ସେ ରଘୁନାଥକୁ ଗୁରୁମନ୍ତ୍ର ଦେବା ପରି କହିଲେ, ‘ମୁଁ ସେ ଏସ୍‌.ଆଇ.କୁ କହିଦେଇ ଯିବି ଯେ, କିନ୍ତୁ ତା ଭାଗଟା ତାକୁ ଦେବାକୁ ପଡ଼ିବ ।’

 

ଉତ୍ତର ଘୋଷି ଆସିଥିବା ପରୀକ୍ଷାର୍ଥୀ ପରି ରଘୁନାଥ କହିଲା, ‘ସେକଥା ମୋ ଉପରେ ଛାଡ଼ିଦିଅ ଗନ୍ଧିଆଇ, ମୁଁ ସମସ୍ତଙ୍କୁ ଖୁସି କରିଦେବି ।’

 

ସଭା ସାଙ୍ଗ ହେଲା ।

 

ଦୁଇ

 

କୁସୁନିଆର ଭଲ ନାଁ କୃଷ୍ଣଚନ୍ଦ୍ର । କିନ୍ତୁ କୃଷ୍ଣଚନ୍ଦ୍ର ନାଁଟି ଅପଭ୍ରଂଶ ହୋଇ କେମିତି କୁସୁନିଆ ହେଲା ସେକଥା ସେ ନିଜେ ସୁଦ୍ଧା ଜାଣେନାହିଁ । ବଡ଼ ହେଲା ଦିନରୁ ସେ କୁସୁନିଆ ନାଁରେ ପରିଚିତ-

 

ରଘୁନାଥଠୁଁ ଧକ୍‌କା ଖାଇ ଫେରିଯିବା ପରେ କୁସୁନିଆ ଏ କଥାଟିକୁ ତା ଗ୍ରାହକମାନଙ୍କ ପାଖରେ କହିଲା । ଗ୍ରାହକମାନେ ପାଟପୁର ବଜାରର ଅନ୍ୟ ଲୋକମାନଙ୍କୁ କହିଲେ । ସେମାନେ ବାଟଚଲା ଲୋକଙ୍କୁ ଓ ଏମିତି ହୋଇ ରାତି ଆଠଟା ବେଳକୁ କଥାଟି ମୁଚୁକୁନ୍ଦ ମହାନ୍ତିଙ୍କ ଏରିଆ ପ୍ରତିନିଧି ରମେଶ ବିଶ୍ୱାଳ ପାଖେ ପହଞ୍ଚିଗଲା । ରମେଶ ବିଶ୍ୱାଳର ଗୁଣ ହେଲା ସେ ପ୍ରତି କଥାର ଭଲଗୁଣଟିକୁ ଆଗେ ଦେଖେ ଓ ଖରାପ ଗୁଣଟିକୁ ପଛରେ ଦେଖେ । ସେ ତାର ସହଯୋଗୀମାନଙ୍କୁ କହିଲା, ‘କବିବର ରାଧାନାଥ ରଥ ତାଙ୍କ ଚିଲିକା ବହିରେ ଯେଉଁ କଙ୍କଡ଼ା କଥା କହିଥିଲେ ମୋତେ ତୁମେ ସେହି କଙ୍କଡ଼ା କହିପାର, କିନ୍ତୁ ଏଇ ଗଣେଶ ପୂଜା କଥାରେ ରଘୁଆ ହେରିକା ଆମକୁ ଟପିଯିବେ, ସେଇଟା କସ୍ମିନ୍‌କାଳେ ହୋଇପାରିବ ନାହିଁ ।’

 

ରମେଶର ଡାହାଣ ହାତ ଭାବେ ପରିଚିତ ଯୁବକଟି ସଂଶୋଧନ କରିଦେଲା, ରଥ ନୁହେଁ ରମେଶ ଭାଇ, ରାୟ । ତାଛଡ଼ା କବିବର କଙ୍କଡ଼ା କଥା କହି ନଥିବେ ।

 

: କହି ନଥିଲେ କହି ନଥିବେ; କିନ୍ତୁ ତମେମାନେ କହିବ । ଯାହା ହେଉ ପଛେ ଆମକୁ ବି ଗଣେଶ ପୂଜା କରିବାକୁ ହେବ, ଏଇ ବଜାରରେ । ତା ନହେଲେ ଆମର ଇଜ୍ଜତ ଚାଲିଯିବ ।

 

ଡାହାଣ ହାତ କିଛି କହିଲା ନାହିଁ ।

 

ରମେଶ କହିଲା, “ଯୋଉ କୁସୁନିଆ ଚା ଦୋକାନୀର ବେଞ୍ଚ ନେଇ ସେମାନେ ଚାନ୍ଦା ଆଦାୟ କରିବା ପାଇଁ ବାହାରିଛନ୍ତି, ଆମେ ସେଇ କୁସୁନିଆକୁ ଆମ ପୂଜା କମିଟିର ମେମ୍ବର ରୂପେ ନେବା । ତାଆରି ଦୋକାନର ଆର ବେଞ୍ଚ୍‌ଟି ହେବ ଆମର ଚାନ୍ଦା ଆଦାୟ କାଉଣ୍ଟର ।”

 

ଏଭଳି ଏକ ପ୍ରସ୍ତାବକୁ କେହି ନାପସନ୍ଦ କରିବା କଥା ଉଠୁ ନଥିଲା । ତେବେ ମୁଚୁକୁନ୍ଦ ବାବୁଙ୍କୁ ନ ପଚାରି ଆଗେଇବାଟା ଠିକ୍‌ ହେବ ନାହିଁ ବୋଲି ଜଣେ କହିଲା । ସେହି ରାତିରେ ରମେଶ ଭୁବନେଶ୍ୱରକୁ ଖବର ପଠେଇଦେଲା, ଏମ୍‌.ଏଲ୍‌.ଏ. ଯେମିତି ଏ ନିଷ୍ପତ୍ତିକୁ ଅନୁମୋଦନ ଦିଅନ୍ତି ।

 

ପରଦିନ ସକାଳୁ ପାଟପୁର ଦେଇ ଯା-ଆସ କରୁଥିବା ଗାଡ଼ି, ମଟରର ଡ୍ରାଇଭରମାନେ ବଜାର ଏ ମୁଣ୍ଡରେ ଗୋଟିଏ ଓ ସେ ମୁଣ୍ଡରେ ଗୋଟିଏ ଏମିତି ଦୁଇଟି ବେଞ୍ଚ୍‌ର ସାମ୍ନା କଲେ । ଦିଇଟିଯାକ ବେଞ୍ଚ ଉପରେ ଗୋଟିଏ ଗୋଟିଏ ଆଲୁମିନିୟମ୍‌ ଥାଳିଆ, ଥାଳିଆରେ କିଛି ଖୁଚୁରା ପଇସା, ସିନ୍ଦୂର ଓ ମନ୍ଦାରଫୁଲ । ରାସ୍ତା କଡ଼ରେ ଚାରି ପାଞ୍ଚ ଜଣ ଯୁବକ । ମଥା ଉପରେ ଛୋଟିଆ ପାଲ । ରାସ୍ତାକଡ଼ ବିଜୁଳି ତାରରୁ ହୁକ୍‌ ପଡ଼ି ଲାଇନ୍‌ ଆସିଛି । ଗୋଟିଏ ଟିଣ ଚଉକି ଉପରେ ଟେପ୍‌ ରେକର୍ଡରରୁ ବାଜୁଛି ‘ଏକ୍‌, ଦୋ, ତିନ୍‌, ଚାର୍‌ ପାଞ୍ଚ...’ ଓ ସେପଟକୁ ସଦ୍ୟ ମୁକ୍ତିଲାଭ କରିଥିବା ‘କହୋନା ପ୍ୟାର୍‌ ହୈ’ ଫିଲ୍ମ ଗୀତ । ସେହି ଗୀତଟା ଆଜିକାଲି ଏତେ ଜାଗାରେ ବାଜୁଛି ଯେ ଯୁବକ ଯୁବତୀମାନେ ତାହାକୁ ଜାତୀୟ ସଂଗୀତର ମାନ୍ୟତା ଦେବା ପାଇଁ ସୁଦ୍ଧା ଯୁକ୍ତି ବାଢ଼ିଲେଣି !

 

ବସ୍‌ର ଡ୍ରାଇଭର ଓ ପାସେଞ୍ଜରମାନେ ଆଶ୍ଚର୍ଯ୍ୟ ହେଲେ । ଗୋଟିଏ ବଜାରରେ ଦିଇଟି ଗଣେଶ ପୂଜା ! ଗୋଟିଏ ଜାଗାରେ କଣ ଏହି ପୂଜା ହୋଇପାରି ନଥାନ୍ତା ! ଯେଉଁମାନେ ଏ ପ୍ରଶ୍ନ ପଚାରିଲେ, ତାଙ୍କୁ ଉତ୍ତର ଦିଆଗଲା, ‘ତୁମେ କାହିଁକି ସମସ୍ତେ ଗୋଟିଏ ଗୋଟିଏ ବାହା ହେଇଛ, ସମସ୍ତେ ପାଣ୍ଡବ ପାଲଟି ଗଲନାହିଁ !’ ପ୍ରଶ୍ନ ପଚାରିବା ଲୋକ ଚୁପ୍‌ ।

 

କେହି କେହି କହିଲେ, ‘ଆଗରୁ ତ ଏଠି ଆଦୌ ଗଣେଶ ପୂଜା ହେଉ ନଥିଲା, ଏ ବର୍ଷ କାହିଁକି ହେଉଛି ?’ ତାକୁ ଉତ୍ତର ଦିଆଗଲା, ‘ଆଗରୁ ତ ତୁମେ ଗାଡ଼ିଚଲା ଶିଖି ନଥିଲ, ଏବେ ଶିଖିକି ଚଳଉଛ କେମିତି ? ସବୁ କଥାର ଟାଇମ୍‌ ଅଛି । ଆମର ଟାଇମ୍‌ ଆମେ ଠିକଣା କଲୁ ।’

 

ତେବେ ପ୍ରଥମ ଦିନ ପରେ ଦ୍ୱିତୀୟ ବେଞ୍ଚ୍‌ଟି ରାସ୍ତା ଉପରୁ ହଟିଗଲା । ମୁଚୁକୁନ୍ଦ ବାବୁ ଖବର ପଠେଇଲେ, ଏଇନେ ରାଜ୍ୟର ମରୁଡ଼ି ଅବସ୍ଥା । ସେ ବିଧାନସଭା କମିଟି ମେମ୍ବର ଭାବେ ପଶ୍ଚିମ ଓଡ଼ିଶା ଗସ୍ତ କରୁଛନ୍ତି, ଏରିଆକୁ ଆସି ପାରିବେ ନାହିଁ । ମୁଚୁକୁନ୍ଦବାବୁ ଆସି ନଥିଲେ ବି ରମେଶ ପାଟପୁରରେ ଗଣେଶ ପୂଜା କରିପାରିଥାଆନ୍ତା । କିନ୍ତୁ ମୁଚୁକୁନ୍ଦ ମହାନ୍ତି ସେଥିରେ ଗୋଟିଏ କେଁ ରଖି ଦେଇଥିଲେ । ସେ କହିଥିଲେ ଯେ ପ୍ରାର୍ଥୀ ଥିବାଯାଏ ଜଣେ ନେତା ଗୋଟିଏ ଦଳର । କିନ୍ତୁ ନିର୍ବାଚିତ ହୋଇଗଲା ପରେ ବିଧାୟକ ଭାବେ ସେ ସମସ୍ତଙ୍କର, କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦଳର ନୁହେଁ । ଗନ୍ଧର୍ବ ରାଉତ ଗଣେଶପୂଜା କରିବା ପାଇଁ ବାହାରିଲେ ବୋଲି ଆମେ ବାହାରିବାଟା ନକଲ କରିବା ଭଳି ହେବ । ସେମାନେ ଗଣେଶ ପୂଜା କେମିତି କରିବେ କରନ୍ତୁ, ଆମେ କିନ୍ତୁ କାର୍ତ୍ତିକ ପୂଜା ଖୁବ୍‌ ଜାକଜମକରେ କରିବା ।

 

ରମେଶ ଏ ଖବର ପାଇ ଓଠ କାମୁଡ଼ିହେଲା । ହାରୁପାର୍ଟି ଗଣେଶ ପୂଜା କରିଯିବେ, ଆମେ ପାର୍ଟି-ଇନ୍‌-ପାୱାର୍‌ ହୋଇ ପଛକୁ ରହିବୁ–ଏଇ କଥାଟି କହି କର୍ମୀମାନଙ୍କ ଉପରେ ରାଗ ସୁଝେଇଲା । କିନ୍ତୁ ମୁଚୁକୁନ୍ଦ ମହାନ୍ତିଙ୍କ କଥାରୁ ଅନ୍ୟଥା ହେବାପାଇଁ ସାହସ କଲା ନାହିଁ । ମୁଚୁକୁନ୍ଦଙ୍କ ଆଶୀର୍ବାଦ ବିନା ସେ ଏରିଆରେ ରହିପାରନ୍ତା ନାହିଁ ।

 

ଡାହାଣହାତ ଓ ବାଁ ହାତ କହିଲେ, ‘ଆମେ ସିନା ପୂଜା ଆୟୋଜନ କରିପାରିବା ନାହିଁ । କିନ୍ତୁ... ।’

 

ରମେଶ ସେମାନଙ୍କର ଆଖିକୁ ଚାହିଁଲା ଓ ଇସାରାର ଅର୍ଥ ବୁଝି ଖୁସି ହୋଇଗଲା । କହିଲା, “ରଘୁଆ କମିଟିର ଠାକୁର ବିସର୍ଜନ ପର୍ଯ୍ୟନ୍ତ ଆମର ଏ କ୍ୟାମ୍ପ୍‌ ଏଇଠି ରହିବ । ଟେପ୍‌ରେକର୍ଡର ବାଜିବ ଓ ତାସ୍‌ପାଲି ପଡ଼ିବ । ଦେଖିବା, କୋଉ ପାଣି କୁଆଡ଼କୁ ଯାଉଛି ।”

 

ରମେଶ ବିଶ୍ୱାଳର ବେଞ୍ଚ୍‌ ରାସ୍ତା ଉପରୁ ଉଠିଯିବାର ଖବର ଶୁଣୁ ଶୁଣୁ ରଘୁନାଥ ଗୋଟାଏ ବୋତଲ୍‌ ରମ୍‌ ଗଳା ଦେଇ ପେଟକୁ ପାର୍‌ କରିଦେଲା । ଇଲେକ୍ସନ୍‌ ପରଠାରୁ ଏମିତି ଗୋଟାଏ ଖାସା ଖବର ସେ ଶୁଣି ନଥିଲା । ଟ୍ରେଜରର ଟୁକୁନାକୁ ଡାକି ହୁକୁମ ଦେଲା, ‘ଆଣ୍‌, ଆଜି କେତେ କଲେକ୍ସନ୍‌ ହୋଇଛି, ଆଜି ସମସ୍ତଙ୍କୁ ମୁଁ ରମ୍‌ ପିଏଇବି ।’

 

ଟୁକୁନା କହିଲା, ‘ରଘୁଆଇ, ସେଗୁଡ଼ାକ ଭାରି କଡ଼ା । କଲିଜା ଜଳିଗଲା ପରି ଲାଗେ । ତାଠୁଁ ଭଲ ଗୋଟେ ଗୋଟେ ବଡ଼ ଥଣ୍ଡା ନେଇଆସିବା ।’

 

ରଘୁଆ ଚିତ୍କାର କଲା । କହିଲା, ‘ଆବେ ବଡ଼ ଥଣ୍ଡା ମାନେ ବିଅର୍‌ଟି ? ଆବେ ସେଗୁଡ଼ା କଟକ, ଭୁବନେଶ୍ୱରର ଝିଅ ପିଉଛନ୍ତି । ତୁ ଟା ମରଦ ନା ମାଇକିନା ? ଆଁ ?’

 

ଟୁକୁନାକୁ ଏ କଥାଗୁଡ଼ାକ ଭଲ ଲାଗିଲା ନାହିଁ । ସେ ଗୋଟେ ଟଙ୍କା ବଣ୍ଡଲ ଆଣି ରଘୁଆ ସାମ୍ନାରେ ଥୋଇ କହିଲା, ‘ଏଇ ନିଅ, ଆଜିର କଲେକ୍ସନ ଚବିଶ ଶହ ଚାଳିଶ ଟଙ୍କା, କାଲିର ଟଙ୍କା ତମକୁ ଦେଇ ଦେଇଥିଲି ।’

 

ରମ୍‌ ନିଶାରେ ରଘୁଆର ଆଖି ଟୁଳୁଟୁଳୁ ହେଉଥିଲା । ସେ ଝପଟି ଆସି ଟୁକୁନାର କଲର୍‌ ଧରି ପକେଇ କହିଲା, ‘ତୋତେ ମୁଁ କାଲି କଥା ପଚାରିଛି, ଆଁ ? ଯା, ସମସ୍ତଙ୍କ ପାଇଁ ରମ୍‌ ମଗା ।’

 

ଟୁକୁନା କାନମୁଣ୍ଡ ଆଉଁଶି ଚାଲିଗଲା ।

 

ଗନ୍ଧର୍ବ ରାଉତ ପରାମର୍ଶ ଦେଇଥିଲେ, ‘ଚାନ୍ଦା ମାଗିବା ବେଳେ କାହାକୁ ଧମକ ଚମକ କରିବ ନାହିଁ । ମୁଚୁକୁନ୍ଦ ମହାନ୍ତି ପକ୍‌କା ବିହାରୀ । ଆମ ଉପରେ ତାଙ୍କର ଟୋକାମାନେ ନଜର ରଖିଛନ୍ତି ।’ ରଘୁନାଥର ସେକଥା ମନେପଡ଼ିଲାରୁ ସେ କହିଲା, ‘ଏଇ ଶିବ, ଯା ବଜାର ଉପର ଦୋକାନୀମାନଙ୍କୁ କହିବୁ ସେମାନେ ଗଣେଶଙ୍କ କଳସ, ଭୋଗ, ଫୁଲ, ନଡ଼ିଆ ସବୁ ସ୍ପନସର୍‌ କରିବେ । ଆମେ ଭୋଗଡାଲା ଉପରେ ଲେଖିଦେବା, ସ୍ପନସର୍‌ଡ୍‌ ବାଇ ଘୁନ ଲେଙ୍କା । ଫୁଲହାର ଦେହରେ ଗୋଟେ କାଗଜ ଲଗେଇ ଲେଖିଦେବା ସ୍ପନସର୍‌ଡ୍‌ ବାଇ ବିପିନ ମହାନ୍ତି । ଆଇଡିଆଟା ତୋ ମୁଣ୍ଡ ଭିତରେ ପଶୁଛି ତ ? ଇଏ ପରା ଟି.ଭି. ଆଇଡିଆ ।’

 

ରଘୁନାଥର ଏଇ ଆଇଡିଆଟା ଶିବ କାହିଁକି, କମିଟିର ସମସ୍ତଙ୍କ ମନକୁ ପାଇଗଲା । ଶିବ ପ୍ରଶଂସା କଲା, ‘ସତରେ ତମର ମୁଣ୍ଡଟା ଗୋଟେ କମ୍ପ୍ୟୁଟର । ନହେଲେ ଗନ୍ଧର୍ବ ରାଉତ ତମକୁ ଏତେ ଆଦର କରନ୍ତେ!’

 

ଚାନ୍ଦା ଆଦାୟ ଜୋର୍‌ସୋର୍‌ରେ ଚାଲିଥାଏ । ପୂଜା ଆଉ ଦିଇଟା ଦିନ ବାକି । ପୂଜା କମିଟି ଘରେ ହରଦମ ମାଇକ ବାଜୁଛି, ଗୋଟାକ ପରେ ଗୋଟାଏ ସିନେମା ଗୀତ ଶୁଭୁଛି । କାରିଗର ବନମାଳୀ କାନରେ ତୁଳା ବିଣ୍ଡା ଦେଇ ରଙ୍ଗ ଦେଉଛି । ରଘୁନାଥ ମଝିରେ ମଝରେ ଯାଇ ତା କାନରୁ ତୁଳାବିଣ୍ଡା ବାହାର କରି ଫରମାଇସ ଶୁଣଉଛି–ମୂର୍ତ୍ତି ଯାହା କରୁଛୁ କର, ମେଢ଼ଟା ବିରାଟ ହେବା ଦରକାର । ମୁଚୁକୁନ୍ଦ ମହାନ୍ତିର ଟୋକାମାନଙ୍କ ଆଖି ଯେମିତି ଖୋସି ହୋଇଯିବ ।

 

ରାସ୍ତାକଡ଼ର ଗୋଟେ ଦଳ ଭର୍ତ୍ତି ପୋଖରୀ ଆଡ଼ିରେ ମୂର୍ତ୍ତି ତିଆରି ହେଉଥାଏ । ରଘୁନାଥ ଦିନସାରା ବସି ବିଦେଶୀ ମଦରେ ତୋଟି ଓଦା କରୁଥାଏ ଓ ଚାନ୍ଦାର ହିସାବ ରଖୁଥାଏ । ସଞ୍ଜବୁଡ଼େ ଫାଣ୍ଡିର ଏସ୍‌.ଆଇ. ଆସି ବୁଲିଯାଆନ୍ତି ଓ ରଘୁନାଥ ତାଙ୍କୁ ତାଙ୍କର ହିସାବ ଦେଇଦେଉଥାଏ । କାଳେ କେତେବେଳେ ଅସୁବିଧା ହେବ ବୋଲି ଟୋକାମାନେ ଲୁହାଛଡ଼, ସାଇକେଲ୍‌ ଚେନ୍‌ ଓ ଠେଙ୍ଗାଧରି ଜାଗତିଆର ଥାଆନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେଭଳି କିଛି ଘଟଣା ଘଟୁ ନଥାଏ ।

 

ଦଳ ପୋଖରୀ ଆଡ଼ିରେ କୁସୁନିଆର ପଲା । ସେ ପଲାରେ କୁସୁନିଆ ଓ ତା ବୁଢ଼ୀ ମା ରହନ୍ତି । ଚା ଦୋକାନରୁ ବେଞ୍ଚଟି ତ ଗଲା, ସାଙ୍ଗକୁ ରଘୁଆ ସମସ୍ତଙ୍କ ଆଗରେ ତାକୁ ଗଳା ଧକ୍‌କା ମାରିଥିବାରୁ କୁସୁନିଆର ମନ ଭଲ ନ ଥାଏ । ସେଇଥିପାଇଁ ସେ ରମେଶ ବିଶ୍ୱାଳ ପାଖକୁ ଯାଇଥିଲା । ମାତ୍ର ରମେଶ ବିଶ୍ୱାଳର ପୂଜା ବନ୍ଦ ହୋଇଯିବାରୁ ସେ ତା ଦୋକାନ କାମ ସାରି ସିଧା ଘରକୁ ଫେରି ଆସେ । ରଘୁନାଥର ଠାକୁର ଆଡ଼େ ଥରୁଟିଏ ସୁଦ୍ଧା ଚାହେଁ ନାହିଁ ।

 

ସାତବର୍ଷ ତଳେ କୁସୁନିଆ ତା ମାଆକୁ ସାଙ୍ଗରେ ଧରି ଏଠିକି ଚାଲିଆସିଥିଲା । ଝଡ଼ବାତ୍ୟାରେ ତାଙ୍କ ଗାଁ ଘର ଭାଙ୍ଗିଗଲା ଓ ଦେଖୁ ଦେଖୁ ସେ ଉଦ୍‌ବାସ୍ତୁ ହୋଇପଡ଼ିଲା । ଗାଁରେ ଥିବାବେଳେ ହାଟ ଛକରେ ଚା ଦୋକାନଟେ କରିଥିଲା । ସେଇ ସାଜସରଞ୍ଜାମ ଧରି ସେ ପାଟପୁର ପଳେଇ ଆସିଥିଲା । ବୁଢ଼ୀମା ସବୁବେଳେ କହୁଥିଲା, ପାଖରେ ଦୁଇ ପଇସା ହୋଇଗଲେ ନିଜ ଗାଁକୁ ଫେରିଯିବ । ସେଇଠି ସେ ଆଖି ବୁଜିବ । ଉଠାକୁଳିଆ ହୋଇ ଆଉ କେଉଁ ଗାଁରେ ସେ ସବୁଦିନ ରହିବ ନାହିଁ । କିନ୍ତୁ କୁସୁନିଆ ହାତରେ କୌଣସି ଦିନ ଅଧିକା ଦି ପଇସା ରହୁ ନ ଥିଲା । ଆୟକୁ ବଳି ବ୍ୟୟ, ପୁଣି ଅନ୍ୟ ଗାଁର ଚା ଦୋକାନୀ ବୋଲି ସମସ୍ତଙ୍କର ତା ଉପରେ ନାଲିଆଖି । ବାକି କାଳିରେ ନ ଦେଲେ ବିପଦ, ଦେଲେ ବି ବିପଦ ।

 

ଆସନ୍ତା କାଲି ଗଣେଶ ଚତୁର୍ଥୀ । କୁସୁନିଆ ଚା ଦୋକାନ ବନ୍ଦ କରି ଘରକୁ ବାହାରିଛି, ଟୁକୁନା ଓ ଶିବ ଆସି ତା ଦୋକାନରେ ପହଞ୍ଚିଗଲେ । ଶିବ କହିଲା, ‘ତୋ ଉପରେ ଭୋଗ ଦାୟିତ୍ୱ ପଡ଼ିଛି । ତୁ ପାଁଶହ ଟଙ୍କା ଦେବୁ ।’

 

: ପାଁଶହ ଟଙ୍କା ! କୁସୁନିଆ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା । ସେ କହିଲା, ‘ଏତେଗୁଡ଼ାଏ ଟଙ୍କା ମୁଁ ପାଇବି କେଉଁଠୁ ?’

 

: କାହିଁକି, ସାତ ବର୍ଷ ହେଲା ଏଠି ନାଲି ଚା ଓ ଚିନି ପାଣି ବିକି କଣ କମ୍‌ ଅର୍ଜିଛୁ ? ଠାକୁରଙ୍କ କାମ, ସମସ୍ତେ ଦେଉଛନ୍ତି । ତୁ ଦେବୁନାହିଁ କାହିଁକି ?

 

: କିନ୍ତୁ ପାଁଶହ ଟଙ୍କା !

 

: ଲୋକେ ହଜାରେ ଲେଖାଁ ଦେଇଛନ୍ତି । ତୋ ପାଇଁ କନ୍‌ସେସନ୍‌ କରି ଦେଇଛୁ । ଟଙ୍କା କାଢ୍‌, ଆମର ବହୁତ କାମ ଅଛି, ଯିବୁ ।

 

କୁସୁନିଆ ହାତ ଯୋଡ଼ିଲା । କହିଲା, ‘ଶିବଭାଇ, ଟୁକୁନା ଭାଇ, ତମେ ତ ମୋ କଥା ଜାଣିଛ । ଏତେ ଗୁଡ଼ିଏ ଟଙ୍କା ମୁଁ କୋଉଠୁ ଆଣିବି ? ଦିନସାରା ଆଞ୍ଚ ପାଖରେ ବସିଲେ ରାତି ଦଶଟାକୁ ଟଙ୍କା ପଚିଶି, ତିରିଶଟା ବାହାରୁଛି । ତମେ ଚାଲ, ମୁଁ ଯାଇ ରଘୁଆଇକୁ ସବୁକଥା କହିବି-। ତେଣିକି ସେ ଯାହା ନ୍ୟାୟ କରିବ ।’

 

‘ହଉ’ କହି ଶବ ଓ ଟୁକୁନା ସାଇଲେନ୍‌ସର ନଥିବା ମୋଟର ସାଇକେଲ୍‌ରେ ଘଡ଼ଘଡ଼ ଗର୍ଜନ କରି ଫେରିଗଲେ । କୁସୁନିଆ ମୁଣ୍ଡରେ ହାତ ଦେଇ ବସିପଡ଼ିଲା । ଏକକାଳୀନ ମାସକର ଉପାର୍ଜନ ପାଁଶହ ଟଙ୍କା ସେ କୁଆଡ଼ୁ ଆଣିବ ?

 

ସେ ତା ଦୋକାନ କବାଟର ଚାବିଟାକୁ ଟାଣି ସେଇଠି ପଡ଼ିଛି କି ନାହିଁ ଆଉଥରେ ପରଖିଲା । ହାଣ ମୁହଁକୁ ଛେଳି ଗଲା ପରି ପାଦ ଘୋଷାରି ଘୋଷାରି ରଘୁନାଥକୁ ଦେଖା କରିବାକୁ ବାହାରିଗଲା ।

 

ଅସରାଏ ବର୍ଷା ହୋଇ ଛାଡ଼ିଯାଇଥାଏ । ପାଗଟା ଥଣ୍ଡା ଲାଗୁଥାଏ । ରଘୁନାଥ ତାର ସାଙ୍ଗମାନଙ୍କ ମେଳରେ କମିଟିର ଅସ୍ଥାୟୀ ଆଡ଼ାରେ ବସି ପେଗ୍‌ ପରେ ପେଗ୍‌ ରମ୍‌ ପିଉଥାଏ । କୁସୁନିଆ ଯାଇ କାନମୁଣ୍ଡ ଆଉଁଶି ଛିଡ଼ାହେଲା । ରଘୁନାଥର ଆଖି ତା ଉପରେ ପଡ଼ିଲାକ୍ଷଣି ତାର ସେଦିନର ଧକ୍‌କା ଖାଇବା କଥା ମନେପଡ଼ିଲା । ସେ ମନେ ମନେ ଗଣେଶଙ୍କୁ ଡାକିଲା, “ମୋତେ ଏମାନଙ୍କ କବଳରୁ ରକ୍ଷାକର ।”

 

ରଘୁନାଥ ଡାକିଲା, ‘କିହୋ ଲିଡର, ସେଠି ଛିଡ଼ା ହୋଇଛ କାହିଁକି ? ଏଠିକି ଆସ । ନିଅ, ଏଥିରୁ ଗିଲାସେ ନିଅ । ସବୁଦିନ କଷା ଚା ଗୁଡ଼ା ପିଇ ତମ ଟେଷ୍ଟ୍‌ ଖରାପ ହୋଇଯିବଣି !’

 

କୁସୁନିଆ କହିଲା, ‘ରଘୁଆଇ, ମୁଁ ଗରିବ ଲୋକ । ମୋତେ ରକ୍ଷାକର । ନହେଲେ ମୁଁ ଭାସିଯିବି ।’

 

: ଯାଉନୁ, ଭାସିଯା । କିବେ, ଏତେ ବଡ଼ ବାତ୍ୟା ହେଲା, ତହିଁରେ ଦଶହଜାର ଲୋକ ଭାସିଗଲେ, କଉଁଠି କିଛି ଅଟକିଗଲା କି ? ତୁ ଭାସିଗଲେ ମୋଟ ସଂଖ୍ୟା ହେବ ଦଶହଜାର ଏକ । ପାଟପୁର ବଜାର କଣ ବନ୍ଦ ହେଇଯିବ, ଆଁ ?

 

କୁସୁନିଆ ନିରବ ରହିଲା ।

 

ରଘୁନାଥ କହିଲା, ‘ସେଦିନ ତ ଯାଇ ରମେଶ ବିଶ୍ୱାଳ ସାଙ୍ଗରେ ମେଣ୍ଢାବାଳ ଜଡ଼ାତେଲ ପରି ମିଶିଯାଇଥିଲୁ । ଯାଉନୁ, ଏବେ ତା ପାଖରୁ ଆଣି ଚାନ୍ଦାଟା ଦେଇଦେବୁ । ସମସ୍ତେ ମିଶି କିଏ କେତେ ଦେବ, ସ୍ଥିର କରିଛନ୍ତି । ମୁଁ ଏକୁଟିଆ କିଛି କରିପାରିବି ନାହିଁ । ଭଲରେ ଭଲରେ ଚାନ୍ଦା ଟଙ୍କାଟା ଆଣି ଦେଇପକା, ନହେଲେ ପଛକୁ ମୋତେ ଦୋଷ ଦେବୁନାହିଁ ।’

 

ତା ପାଟିରୁ କଥା ଛଡ଼େଇ ନେଲା ପରି ଟୁକୁନା କହିଲା, ‘ଆଣିକି ଦେବ କଣ ବା, କାଲି ସକାଳେ ପରା ପୂଜା ! ଏଇନେ ଦେଇଯାଉ ।’

 

କୁସୁନିଆର ଗୋଡ଼ ଚଳିଲା ନାହିଁ । ତା ପେଟ ଭୋକରେ ଜଳୁଥାଏ । ମାଆ ସିଆଡ଼େ ପଲାଟାରେ ତାକୁ ଅନେଇ ବସିଥିବ । ସେ କରିବ କଣ ? ଫତେଇ ପକେଟ୍‌ରୁ ସବୁଯାକ ଟଙ୍କା ବାହାର କରି ରଘୁନାଥ ହାତକୁ ବଢ଼େଇ କହିଲା, ‘ଏତିକି ଅଛି ନିଅ । ପଛକୁ ଯାହା ବାକି ରହିଲା ଆଣି ଶୁଝିଦେବି ।’

 

ରଘୁନାଥ ଟଙ୍କାଟାକୁ ଉଠେଇ କୁସୁନିଆ ମୁହଁ ଉପରକୁ ଛାଟିଦେଲା । ଉଠିଆସି କୁସୁନିଆର ବେକଷଣ୍ଢାକୁ ଧରି କହିଲା, ‘ମୋ ସାଙ୍ଗେ ଶଳା-ଭିଣେଇ ଟାପରା କରୁଛୁ ! ଭାଗ୍‌, ପୂରା ଟଙ୍କା ନେଇକି ଆସିବୁ । ନ ହେଲେ ଏ ଗାଁରୁ ଉଠିବୁ ।’

 

କୁସୁନିଆ ଟଙ୍କାତକ ଗୋଟେଇ ଫତେଇ ପକେଟ୍‌ରେ ପୂରେଇଲା ଓ ବଡ଼ ବଡ଼ ପାହୁଣ୍ଡରେ ତା ଘରମୁହାଁ ଦଉଡ଼ିଲା । ପଛପଟରୁ ରଘୁନାଥ, ଟୁକୁନା, ଶିବ ଓ ଅନ୍ୟମାନଙ୍କର ଅଟ୍ଟହାସ ସେ ଭଲ ଭାବେ ଶୁଣି ପାରୁଥିଲା ।

 

ରଘୁନାଥ କୁସୁନିଆର ଯିବା ରାସ୍ତାକୁ ଚାହିଁ କହିଲା, ‘ଏଇଟା ପାଇଁ ସବୁଯାକ ନିଶାପାଣି ଫାଟିଗଲା । ଆଣ୍‌ବେ ଟୁକୁନା, ଆଉ ଗୋଟେ ବୋତଲ୍‌ ଆଣ ।’

 

ଟୁକୁନା ଠାକୁର ମୂର୍ତ୍ତି ପଛପଟରୁ ଗୋଟେ ବୋତଲ ଆଣି ରଘୁନାଥ ହାତକୁ ବଢ଼େଇ ଦେଲା ।

 

ଶିବ କହିଲା, ‘ମୁସ୍ତାଫିଜ୍‌ ମିଆଁ ମଟନ୍‌ରେ ଠକିଦେଲା କି କଣ, ନହେଲେ ସିଝିବା ପାଇଁ କଣ ଏତେ ଡେରି କରିଥାନ୍ତା ?’

 

: ତୁ ଯାଇ ସେଇଠି ତ ମାଉଁସ କଷା ଖାଉଥିବୁ, ଆଉ ଚାନ୍ଦା ଆଦାୟ କରୁଛୁ କେତେବେଳେ ?

 

ଟୁକୁନା ଶିବ ତରଫରୁ ଓକିଲାତି କଲା, ‘ନାଇଁ, ନାଇଁ ଆମେ ବଜାରରୁ ଫେରିବା ବାଟରେ କ୍ଲବ୍‌ ଘର ବାଟେ ମୁହଁ ମାରିଦେଇ ଆସିଲୁ । ଏତେବେଳକୁ ରନ୍ଧା ସରିବଣି । ଚାଲ, କାଲିକି ତ ତମେ ସଂକଳ୍ପରେ ବସିବ ।’

 

: ମୁଁ କାହିଁକି ?

 

: ତମେ କର୍ତ୍ତା, ଆଉ କିଏ ବସିବ ?

 

ରଘୁନାଥ କହିଲା, ‘ସେ ଲେକ୍‌ଚରର ଝିଅଟାକୁ ଡାକି ସଂକଳ୍ପରେ ବସେଇଲେ ହୁଅନ୍ତା ନାହିଁ ?’

 

ଶିବ ଆପତ୍ତି କଲା, ‘ତମର ତ ଯୋଉ ଅଭିଲା କଥା! ସିଏ କାହିଁକି ଆମ ପୂଜାରେ ଆସି ବସିବ ? ବସିଲେ ଗନ୍ଧର୍ବ ରାଉତ ବସିବେ ନ ହେଲେ ତମେ ।’

 

: ଗନ୍ଧର୍ବ ରାଉତ କାହିଁକି ବସିବ ? –ରଘୁନାଥ ପଚାରିଲା ।

 

: ସିଏ ଆମର ପ୍ରେସିଡେଣ୍ଟ । ଶିବ ଉତ୍ତର ଦେଲା ।

 

: ପ୍ରେ-ସି-ଡେ-ଣ୍ଟ । ଆରେ, ପ୍ରେସିଡେଣ୍ଟ କିଏ ? ଇଲେକ୍ସନ ବେଳ ଆସିଲେ ଆମେ ତାର ଖୋଜା ପଡ଼ୁ । ବର୍ଷସାରା କାହିଁ ତ ସେ ଆମକୁ ଖୋଜେ ନାହିଁ ? ଆମେ କଣ ତାର ଆଠମାସିଆ ନା ଚାରିମାସିଆ ? ତା ଭାଗ୍ୟ ଭଲ, ଆମେ ତା ସାଙ୍ଗରେ ଅଛୁ । ମୁଚୁକୁନ୍ଦ ମହାନ୍ତି ପାଖକୁ ଯାଇଥିଲେ ସେ ଆମ ସମସ୍ତଙ୍କୁ ମାଲାମାଲ୍‌ କରିଦେଇଥାଆନ୍ତା । ଇଏ ଆମକୁ କଣଟା ଢାଳି ପକେଇଛି ? ଖାଲି ଶୁଖିଲା ହସ ଛଡ଼ା କିଛି ଦେଇଛି କି ?

 

ଟୁକୁନା ପ୍ରସଙ୍ଗ ବଦଳେଇବା ଲାଗି କହିଲା, ‘କିନ୍ତୁ ତମର ହଠାତ୍‌ ସେ ଲେକ୍‌ଚରର ଝିଅ କଥା କାହିଁକି ମନେପଡ଼ିଲା ?’

 

: ହଠାତ୍‌ ନୁହେଁ ବେ, ତା କଥା ମୁଁ କେତେବେଳେ ଭୁଲିଥିଲି ଯେ ତୁ ମନେ ପକେଇବା କଥା କହୁଛୁ । ତମେମାନେ ଶୁଣିଥା, ଦିନେ ନା ଦିନେ ତାକୁ ମୁଁ ଫୁର୍‌ରୁ କିନା ଉଡ଼େଇନେବି । ତେଣିକି ଯାହା ହେବାର ହେବ ।

 

ଶିବ କହିଲା, ‘ଥାଉ, ଠାକୁର ଆଗରେ ବସି ଏସବୁ କଥା ଆଲୋଚନା କରିବା ଭଲ ନୁହେଁ-। ସିଆଡ଼େ ସବୁ ଥଣ୍ଡା ହେବଣି, ଚାଲ ଖାଇଦେଇ ଆସିବା !’

 

ରଘୁନାଥ କହିଲା, ‘କିନ୍ତୁ ଯାହା କହ ପଛକେ, ଏ ପୂଜା ଆଇଡିଆଟା ଭାରି ବଢ଼ିଆ । ଧର ଗଣେଶ ପୂଜା ଗଲା, ତାପରେ ଆସିବ ଦୁର୍ଗାପୂଜା, ଗଜଲକ୍ଷ୍ମୀ, କାଳୀ, କାର୍ତ୍ତିକ-ବର୍ଷସାରା ପୂଜା ଚାଲିବ । ଚାକିରି ବାକିରି ପଛରେ ଗୋଡ଼େଇ ଲାଭ କଣ ? ସାତ ଦିନ ଭିତରେ ଅଠଚାଳିଶ ହଜାର ଟଙ୍କା, ଆଉ ଟିକିଏ ଲାଗିଥିଲେ ପଚାଶ ହୋଇଯାଇଥାଆନ୍ତା । ନା, କଣ କହୁଛୁ ଟୁକୁନା ?’

 

ଟୁକୁନା ଓ ଶିବ ହସିଲେ । ଶିବ କହିଲା, ‘ଟଙ୍କା ଆଦାୟ କଥା ଯାହା ହେବାର ହେଉ, ବସି ବସି ଚିଟା ଲାଗିବାରୁ ମୁକ୍ତି । ଘରେ ଖାଲିଟାରେ ବସି ରହିଲେ ସମସ୍ତେ ଭାଗବତ ଶୁଣାନ୍ତି । ଆମେ ତ ଏମିତି ପଣ୍ଡିତ ଯେ ଆମକୁ ଗାଁ ଛାଡ଼ୁନି କି ସହର ଲୋଡ଼ୁନି । ଆମେ କଣ କରିବୁ ?’

 

: ଛାଡ଼୍‌ବେ, ତୋର ସବୁବେଳେ ସିରିଅସ୍‌ କଥା । ସହରକୁ ଯାଇ ତ ସବୁ ତାଡ଼ି ପକେଇଥାନ୍ତୁ । ଏଠି ରହି ତୋର କଣ ଖରାପ ହୋଇଛି କହିଲୁ ?

 

ଆଲୋଚନା ଆହୁରି ଆଗେଇ ଥାଆନ୍ତା । ବନମାଳୀ କହିଲା, ‘ବାବୁମାନେ, ଆପଣମାନେ ଉଠନ୍ତୁ । ମୁଁ ଏବେ ଗଣେଶଙ୍କ ଆଖି ଆଙ୍କିଲା ପରେ ତାଙ୍କ ମୁହଁ ଢାଙ୍କିଦେବି । ପୂଜା ବେଳେ ନନା ଆସି ଚକ୍ଷୁଦାନ କରିବ ।’

 

ରଘୁନାଥ ଉଠିଲା । ତିନିହେଁ ମଟର ସାଇକେଲ୍‌ରେ ବସିଲେ । ଅନ୍ୟମାନେ ନିଜ ନିଜ ସାଇକେଲ୍‌ରେ ବସି କ୍ଲବ୍‌ ମୁହାଁ ପେଡ଼ାଲ୍‌ ମାରିଲେ ।

 

ତିନି

 

ପୂଜା ଆରମ୍ଭର ସମୟ ଥିଲା ସକାଳ ଦଶଟା । କିନ୍ତୁ ରଘୁଆର ନିଦ ଭାଙ୍ଗିଲା ବେଳକୁ ଏଗାରଟା ବାଜିଲାଣି । କାଲି ରାତିରେ ପିଉ ପିଉ ଗୁଡ଼ାଏ ପିଇଦେଲା । ଶେଷକୁ ଏମିତି ଅବସ୍ଥା ହେଲା ଯେ ତାକୁ ଟୁକୁ, ଟୁକୁନା ଓ ଶିବ ତିନିହେଁ ବୋହି ବୋହି ଆଣି ଖଟିଆ ଉପରେ ଶୁଆଇଲେ । ସମସ୍ତଙ୍କର ଊଣା ଅଧିକେ ବେହୋସ ଅବସ୍ଥା । କେହି କାହାକୁ ଡାକିବାର ଜୁ ନ ଥିଲା ।

 

ପୂଜା ମଣ୍ଡପ ପାଖରେ ଅନବରତ ବାଜା ବାଜୁଥାଏ । ମାଇକ୍‌ରେ ଗୋଟାଏ ପରେ ଗୋଟାଏ ଗୀତ । ରଘୁଆ ଜାମାଯୋଡ଼ ପିନ୍ଧି ପହଞ୍ଚୁ ପହଞ୍ଚୁ ବ୍ରାହ୍ମଣଙ୍କୁ କହିଲା, ‘ମନ୍ତ୍ର ପଢ଼ ।’

 

ବ୍ରାହ୍ମଣ ମନ୍ତ୍ର ପଢ଼ିଲେ । ପୂଜା କାମ ଅଧ ଘଣ୍ଟାକ ଭିତରେ ସରିଗଲା ।

 

ଗନ୍ଧର୍ବ ରାଉତ କହିଲେ, ‘ପଅରଦିନ ବିସର୍ଜନ । ରାସ୍ତା ଉପରୁ ଏବେ ବେଞ୍ଚ ଉଠେଇ ଆଣ ।’

 

ରଘୁଆ ମନାକଲା । କହିଲା, ‘ପୂଜାଠୁଁ ଜମାଣିଆ ବିସର୍ଜନ । ନନ୍ଦପୁରରୁ ନାଚ ପାର୍ଟି ଆସିବ । ବେଞ୍ଚ ଉଠିଗଲେ କାମ କେମିତି ଚଳିବ ?’

 

ଗଣେଶ ମୂର୍ତ୍ତି ଦାଉ ଦାଉ ଜଳୁଥାଏ । ଫୁଲମାଳରେ ତାଙ୍କର ଥୋଡ଼ ଅଧା ଲୁଚି ଯାଇଥାଏ ।

 

ଶିବ କହିଲା, ‘ମୁଚୁକୁନ୍ଦ ମହାନ୍ତି କାଲି ଏରିଆକୁ ଆସିବେ । ବିସର୍ଜନ ବେଳକୁ ତାଙ୍କୁ ଡାକି ଆଣିଲେ ରମେଶ ବିଶ୍ୱାଳର ମୁଣ୍ଡ ଚରକି କାଟିଦେବ ।’

 

: ଆବେ ସେ କୁସୁନିଆ ଚାନ୍ଦା ଦେଲା ନା ନାହିଁ ? –ରଘୁଆ ପଚାରିଲା ।

 

ଟୁକୁନା ନିରବ ରହିଲା ।

 

ରଘୁନାଥ ଆଉଥରେ ସେଇ ପ୍ରଶ୍ନ ଦୋହରାଇଲା ।

 

ଶିବ କହିଲା, ‘ସିଏ ତ ଯାଇ ତାଙ୍କ ସାଙ୍ଗରେ ବସିଛି । ଚାନ୍ଦା ଦେବ କଣ ?’

 

ରଘୁନାଥ ବେକରୁ ଫୁଲମାଳଟି କାଢ଼ି ଫୋପାଡ଼ି ଦେଲା । କହିଲା, ‘କ୍ଲବ ଘରକୁ ଚାଲ ।’

 

ସମସ୍ତେ ତା ସାଙ୍ଗରେ ଚାଲିଲେ ।

 

ସେଦିନ ରାତି ଦଶଟା ବେଳକୁ ପାଟପୁରର ଲୋକମାନେ ହାଁ ହାଁ କରି ରାସ୍ତା ଉପରକୁ ଉଠି ଆସି ଦେଖିଲେ ପୋଖରୀ ଆଡ଼ିର କୁସୁନିଆ ପଲାଟା ଜଳୁଛି । ତାର ବୁଢ଼ୀ ମା ଛାତି ବାଡ଼େଇ କାନ୍ଦୁଛି ଓ କୁସୁନିଆ ପୋଖରୀରୁ ବାଲ୍‌ଟି ପରେ ବାଲ୍‌ଟି ପାଣି ନେଇ ନିଆଁ ଉପରକୁ ପକଉଛି ।

 

ଚାହୁଁ ଚାହୁଁ ପଲାଟା ଜଳି ଯାଉଥିଲା । ଲୋକମାନେ ଡହଳ ବିକଳ ହେଉଥିବା ବୁଢ଼ୀକୁ ବୁଝଉଥିଲେ । କିନ୍ତୁ ବୁଢ଼ୀ ବୁଝୁ ନଥିଲା । ବାଉଁଶ ଗଣ୍ଠିଗୁଡ଼ାକ ଠୋ ଠୋ ଫୁଟି ଚାରିଆଡ଼କୁ ନିଆଁଝୁଲ ଛିଞ୍ଚାଡ଼ି ଦେଉଥିଲା ।

କ୍ଲବ୍‌ ଘରେ ରଘୁନାଥ ଦୁଇ ଗୋଡ଼ ଲମ୍ବେଇ ସବୁଦିନ ପରି ମଦ ପିଉଥିଲା । ରାତି ବାରଟାକୁ ଟପିଗଲାଣି । ଟୁକୁନା ଦଉଡ଼ି ଦଉଡ଼ି ଯାଇ କହିଲା, ‘ରଘୁଆଇ, ମୁଚୁକୁନ୍ଦ ମହାନ୍ତିର ଟୋକାଏ ଗଣେଶ ମୁଣ୍ଡ କାଟିନେଇ ଯାଇଛନ୍ତି, ତମେ ଦେଖିବ ଆସ ।’

ଗଣେଶ ମୂର୍ତ୍ତିଟି ଦିଶୁଥିଲା ପିଲାଙ୍କ ସାମାଜିକ ପାଠ ବହିର କନିଷ୍କ ଛବି ପରି । ପୂଜା ମଣ୍ଡପ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଏ ଦୃଶ୍ୟ ଦେଖି ରଘୁଆର ଆଖି ଦିଇଟା ବାଘ ଆଖି ପରି ଜଳି ଉଠିଲା । ସେ ମୂର୍ତ୍ତି ପଛପଟୁ ଗୋଟାଏ ଭୁଜାଲି ବାହାର କରି ଆଣି ଆଦେଶ ଦେଲା, ‘ଚାଲ ।’ ତା ପଛେ ପଛେ ପୂଜା କମିଟିର ଟୋକାମାନେ ସାଇକେଲ୍‌ ଚେନ୍‌, ଲୁହା ରଡ୍‌ ଓ ଠେଙ୍ଗା ଧରି ବାହାରିଗଲେ ।

ରାସ୍ତାକଡ଼ର ଛୋଟିଆ ବଜାର ପାଟପୁରର ଦୃଶ୍ୟ ସକାଳ ବେଳକୁ ବିଚିତ୍ର ଦିଶୁଥିଲା । କୁସୁନିଆର ପଲା ପୋଡ଼ିଜଳି ପାଉଁଶ ହୋଇ ସାରିଥିଲା । ପୂଜା ମଣ୍ଡପ ଦିଶୁଥିଲା ଗୋଟେ ରଣକ୍ଷେତ୍ର । ରମେଶ ବିଶ୍ୱାଳର ଅସ୍ଥାୟୀ ଅଫିସ୍‌ ପୋଡ଼ିଯାଇଥିଲା । ଫାଣ୍ଡି ଏସ୍‌.ଆଇ. ଓ ଦି ଜଣ ହାବିଲଦାରଙ୍କ ସାଙ୍ଗରେ ଆଠଜଣ କନେଷ୍ଟବଳ ପୂଜା ମଣ୍ଡପ ସାମ୍ନାରେ ପଇଁତରା ମାରୁଥିଲେ ।

ଆଜି ଠାକୁରଙ୍କର ବିସର୍ଜନ ହୋଇଥାଆନ୍ତା । ନନ୍ଦପୁରରୁ ନାଚପାର୍ଟି ଆସିଥାଆନ୍ତେ । ଚାଉଳବେପାରୀ ରସାନନ୍ଦ ଭୂୟାଁର ଟ୍ରକ୍‌ରେ ଠାକୁର ଯାଇଥାଆନ୍ତେ ନୂଆନଈ ।

ପାଟପୁର ବଜାରରେ ତାଟିକବାଟ ପଡ଼ିଯାଇଥିଲା । ଦୋକାନ ବଜାର ସବୁ ବନ୍ଦ । ବଜାର ରାସ୍ତାରେ ପୋଲିସ୍‌ ପଇଁତରା ମାରୁଥିଲେ ବି କେତେବେଳେ କଣ ଗୋଟାଏ ଘଟିଯିବା ଆଶଙ୍କା କରି ସମସ୍ତେ ତୁନି ପଡ଼ିଥିଲେ । ମାଇକ୍‌ର ସୋର୍‌ଶବ୍ଦ ନ ଥିଲା ।

 

ଦଳ ପୋଖରୀ ଆଡ଼ିରୁ କୁସୁନିଆ ମାଆର କ୍ରମାଗତ ଆର୍ତ୍ତ ଚିତ୍କାର ଶୁଭୁଥିଲା । ତା ଛାତି ଭିତରର ସବୁ ଅଭିମାନ, କ୍ରୋଧ ଓ ଅସନ୍ତୋଷ ସେ ଗଣେଶ ଠାକୁର ଉପରେ ଅଜାଡ଼ି ଦେଉଥିଲା-। କୁସୁନିଆ ଯେତେ ଚେଷ୍ଟା କଲେ ବି ତା ମାଆକୁ ତୁନି କରିପାରୁ ନ ଥିଲା । ବୁଢ଼ୀ ସମ୍ପୁଥିଲା, ‘ହଇରେ ରଇଜଳା ଠାକୁର । ନିରାଶିଆ ବୁଢ଼ୀ ଉପରେ ଦାଉ ସାଧି କି ସୁଖ ପାଇଲୁରେ-? ପୋଡ଼ିଯାଉରେ ତମର ସେ ଠାକୁର ପୂଜା । ନିଆଁ ନାଗିଯାଉ ତମ ମୁହଁରେ... ।’

 

ସେଦିନ ସାରା ଆକାଶରେ ମେଘ ଢାଙ୍କିଥିଲା । ମଝିରେ ମଝିରେ ଝିପି ଝିପି ବରଷା ହୋଇ ପୁଣି ଛାଡ଼ି ଯାଉଥିଲା । ଉଦ୍‌ବାସ୍ତୁ କୁସୁନିଆ ତା ଚା ଦୋକାନର ଚାଳିତଳେ ମାଆକୁ ଧରି ମୁଣ୍ଡ ଗୁଞ୍ଜିଥିଲା । ସାଙ୍ଗରେ ଡେକ୍‌ଚି, କଡ଼େଇ ଓ ନିଆଁ ଦାଉରୁ ମୁକୁଳେଇ ଆଣିଥିବା ଆଉ କେତୋଟି ଜିନିଷ ଗୋଟେ ବୁଜୁଳାରେ ବାନ୍ଧି ସେ ଥୋଇଥିଲା ।

 

ବେଳ ରତରତ ହେଲାବେଳକୁ ଥାନାବାବୁଙ୍କ ଜିପ୍‌ ଆସିଲା । ପଛେ ପଛେ ମୁଚୁକୁନ୍ଦ ମହାନ୍ତିଙ୍କ ଗାଡ଼ି । ଗନ୍ଧର୍ବ ରାଉତ ବି ଆସି ପୂଜା ମଣ୍ଡପ ପାଖରେ ପହଞ୍ଚିଲେ । ସେଇମାନଙ୍କ କଥାବାର୍ତ୍ତାରୁ ଜଣାପଡ଼ିଲା ରମେଶ ବିଶ୍ୱାଳ ଓ ରଘୁନାଥ ଟୋକାଙ୍କ ଭିତରେ କାଲି ରାତିରେ ଖଣ୍ଡଯୁଦ୍ଧ ହୋଇଯାଇଛି । ମୁଣ୍ଡ ଫଟେଇ ସାତଜଣ ପଡ଼ିଛନ୍ତି ନନ୍ଦପୁର ଡାକ୍ତରଖାନାରେ ।

 

ମୁଚୁକୁନ୍ଦ ମହାନ୍ତି କୁସୁନିଆକୁ ଡକେଇ ପଠେଇଲେ । କିନ୍ତୁ ତା ମାଆ ତାକୁ ଏକାକୀ ଛାଡ଼ିଲା ନାହିଁ । କୁସୁନିଆ ସତେ କି ଛଅ ମାସର ଛୁଆ ! ତାକୁ ସାଙ୍ଗରେ ଧରି ବୁଢ଼ୀ ଆସିଲା । ତା ସାମ୍ନାରେ ମୁଣ୍ଡଖଣ୍ଡିଆ ଗଣେଶ ମୂର୍ତ୍ତି । ସେ ପୁଲିସ ଓ ଲୋକଙ୍କ ଭିଡ଼କାଟି ମୂର୍ତ୍ତି ପାଖକୁ ଗଲା ଓ ତା ବୁଜୁଳା ଭିତରୁ ନିଆଁ ଦାଉରୁ ମୁକୁଳେଇ ପାରିଥିବା କସ୍ତା ଲୁଗା ଖଣ୍ଡେ କାଢ଼ି ଗଣେଶଙ୍କ ଖଣ୍ଡିଆ ବେକ ଉପରେ ଢାଙ୍କିଦେଲା । ସେ ଲୁଗାର ଦେହସାରା ପୋଡ଼ାଦାଗ ।

 

ବୁଢ଼ୀ ମୂର୍ତ୍ତିକୁ ପିଠିକରି ଚାଲିଯାଉଥିଲା । ବିଧାୟକ ମୁଚୁକୁନ୍ଦ ମହାନ୍ତି ତାକୁ କଣ କହିବେ ବୋଲି ଡାକିଲେ । ବୁଢ଼ୀ ତାଙ୍କ ପାଖରୁ ଆସିଲା । ଆଖିରୁ ଲୁହ ଓ ଲେଞ୍ଜରା ପୋଛିଲା । କଣ ଭାବିଲା କେଜାଣି ପାଟିରୁ ନେଣ୍ଡାଏ ଛେପ ତାଙ୍କ ଆଡ଼କୁ ଫୋପାଡ଼ି ଚିତ୍କାର କଲା, ‘ନିଅଁଶିଆ, ବଉଁଶବୁଡ଼ା ମିଣିପଗୁଡ଼ାକ, ଲାଜ ନାହିଁ! ଛେଉଣ୍ଡ ନିର୍ବଳିଆ ଉପରେ ମରଦ ପଣିଆ ଦେଖଉଛ! ଦାଉ ସାଧୁଚ! ଧିକ୍‌ ତମକୁ, ଧିକ୍‌ ତମ ପୂଜାକୁ । ତମେଗୁଡ଼ା ମଣିଷ ନୁହଁରେ, ହେଟାବାଘ ।’

 

ଲୋକମାନେ ତଟସ୍ଥ ହୋଇ ଚାହିଁଥିଲେ । ସେମାନେ ଏଭଳି ଏକ ଦୃଶ୍ୟ ଆଦୌ କଳ୍ପନା କରି ନଥିଲେ । ବୟସ୍କ ଲୋକମାନେ ଭାବୁଥିଲେ, ବୁଢ଼ୀ ପାଗଳୀ ହୋଇଯାଇଛି । କିନ୍ତୁ ସେମାନେ କେହି କିଛି କହୁ ନଥିଲେ ।

 

ବୁଢ଼ୀ କୁସୁନିଆର ହାତଧରି ଭିଡ଼ିଲା । ଆର ହାତରେ ବୁଜୁଳାଟିକୁ କାଖେଇ କହିଲା, ‘ଚାଲ୍‌ । ଆଖି ଯୁଆଡ଼କୁ ଯିବ, ସିଆଡ଼େ ଯିବା । ଇଏ ଠାକୁର, ଫାକୁର ସବୁ ମିଛ । ଯୋଉ ଠାକୁର ନିଜ ରକ୍ଷଣ ନିଜେ କରିପାରୁ ନାହିଁ, ସେ ଆମ ପରି ଗରିବଗୁରୁବାଙ୍କ କଥା କଣ ବୁଝିବ ?’

 

ବୁଢ଼ୀ ଚାଲିଯାଉଥିଲା । ପୁଲିସ ଇନିସ୍‌ପେକ୍ଟର ତାକୁ ଅଟକେଇବାକୁ ଯାଉଥିଲେ, କିନ୍ତୁ ବିଧାୟକ ମନା କଲେ । ଏସ୍‌.ଆଇ.ଙ୍କୁ କହିଲେ, ‘କେଶ୍‌ ନ ତୁଟିବା ଯାଏଁ ଠାକୁର ମୂର୍ତ୍ତି ଏଇଠି ରହିବେ ।’

 

ଜଣକ ପରେ ଜଣେ ମୂର୍ତ୍ତି ପାଖରୁ ସମସ୍ତେ ଚାଲିଯାଉଥିଲେ । ମୁଣ୍ଡଭଙ୍ଗା ଗଣେଶ ଅସହାୟ ମୁଦ୍ରାରେ ସେଇଠି ବସିଥିଲେ ।

☆☆☆

 

ରିଲିଫ୍‌

 

ଜଜ୍‌ ରାୟ ଶୁଣେଇଲା ପରି ସୁଧାକର କହିଲା, ‘ଏଇ ନରୋତ୍ତମ ମିଶ୍ର ଲୋକଟା ଏ ଗାଁରେ ଥିବା ପର୍ଯ୍ୟନ୍ତ କିଛି ଉନ୍ନତି ହୋଇପାରିବ ନାହିଁ ।’ ପାଖରେ ବସିଥିବା ଯୁବକସଂଘର ସଦସ୍ୟମାନେ ସୁଧାକରର ଏ କଥାରେ ବିସ୍ମିତ ହେଲେ ନାହିଁ । ନରୋତ୍ତମ ମିଶ୍ରଙ୍କର ଦୁର୍ଗୁଣ ଓ ସେଇ ଲୋକଟି ପ୍ରତି ତାଙ୍କର ସଭାପତି ସୁଧାକର ବେହେରାର ଧାରଣା ବିଷୟରେ ସେମାନେ ଆଗରୁ ଜାଣିଥିବାରୁ ବିସ୍ମିତ ହେବାର କିଛି କାରଣ ନ ଥିଲା । ଯାହା ସେମାନଙ୍କୁ ବିସ୍ମିତ କରୁଥିଲା ସେଇଟା ହେଉଛି ସୁଧାକରର ବ୍ୟସ୍ତତା । ନରୋତ୍ତମ ମିଶ୍ର ପରି ଜଣେ ସାଧାରଣ ଲୋକକୁ ନେଇ ଉଦୀୟମାନ ଯୁବନେତା ସୁଧାକର ବେହେରା ଏଭଳି ବ୍ୟସ୍ତ ହୋଇପଡ଼ିବାଟା ସେମାନଙ୍କୁ ଅସ୍ୱାଭାବିକ ଲାଗୁଥିଲା ।

 

କର୍ମୀଙ୍କର ମନୋଭାବ ପଢ଼ିଲା ପରି ସୁଧାକର କହିଲା, ‘ଏ ଗାଁବାଲାଏ କାହିଁକି ଯେ ତୁଚ୍ଛାଟାରେ ନରୋତ୍ତମ ମିଶ୍ରକୁ ମୁଣ୍ଡରେ ମୁଣ୍ଡେଇ ବସିଛନ୍ତି, ସେ କଥା ମୁଁ ବୁଝିପାରୁ ନାହିଁ । ଲୋକଟା ନିହାତି ପୁରୁଣାକାଳିଆ । ସବୁକଥାରେ ଷଣ୍ଢ ପୂରେଇବା ତାର ଗୋଟେ ଖୋଇ । ଆଜିକାଲି ଦୁନିଆରେ ନୋଟ୍‌ ଉଡ଼ୁଛି । ଏତେ ନୋଟ୍‌ ଉଡ଼ୁଛି ଯେ ମକର ସଂକ୍ରାନ୍ତିରେ ସୁଦେ କଟକ ସହରରେ ଏତେ ଗୁଡ଼ି ଉଡୁ ନ ଥିବ । ଖାଲି ହାତ ପତେଇ ଧରିବା କଥା । କିନ୍ତୁ ଏ ଲୋକଟା କିଛି କରେଇ ଦେଉନାହିଁ । ତମେମାନେ ତ ଗଲା ଇଲେକ୍ସନ ବେଳର କଥା ଜାଣିଥିବ ?’

 

: ହଁ... ହଁ... । ସେଇଟା କଣ ଆମେ ସହଜରେ ଭୁଲିପାରିବୁ ? –ଯୁବକ ସଂଘର କୋଷାଧ୍ୟକ୍ଷ ମନୋଜ ମହାନ୍ତି କହିଲା ।

 

ମନୋଜର ବାପା ଗାଁର ପେଟି ଠିକାଦାର । ସେଇ ଯୋଗ୍ୟତା ବଳରେ ସେ ଗ୍ରାମ ଯୁବକ ସଂଘର କୋଷାଧ୍ୟକ୍ଷ । ମନୋଜ ବାବାମଣି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ୁଥିଲାବେଳେ ନିଜ ସାଂଗଠନିକ ପ୍ରତିଭାର ପରିଚୟ ଦେଇପାରିଥିଲା, ଶିକ୍ଷାମନ୍ତ୍ରୀଙ୍କ ସଭାରେ ଷଣ୍ଢ ପୂରେଇ ! କଲେଜ ହତାରେ ଏତେ ପୁଲିସ, ନେତା ଓ କର୍ମୀ ଥାଉ ଥାଉ ଗୋଟିଏ ଷଣ୍ଢ ସଭାଟାକୁ ଭଣ୍ଡୁର କରିଦେଲା । ମନୋଜ ପ୍ରଚାର କରିଦେଲା ଯେ ସେଇ ଷଣ୍ଢଟା ମହାଦେବଙ୍କର ଅସଲ ବାହନ । ତା ଦେହରେ ଯିଏ ହାତ ଦେବ ସିଏ ମହାଦେବଙ୍କ କୋପରେ ଭସ୍ମ ହୋଇଯିବ !

 

ସେ ସଭାର ଦୃଶ୍ୟକୁ ଯୁବକ ସଂଘର କର୍ମୀମାନେ କେବେ ବି ଭୁଲିପାରନ୍ତି ନାହିଁ । ଷଣ୍ଢଟି ଅତର୍ଚ୍ଛିଆ ହୋଇ ଏଣେତେଣେ ଧାଉଁଛି, ତାର ମୁନିଆଁ ମୁନିଆଁ ଶିଙ୍ଗ ଯୋଡ଼ିକକୁ ଦେଖି ଲୋକମାନେ ପ୍ରାଣମୂର୍ଚ୍ଛା ଧାଉଁଛନ୍ତି ଇଆଡ଼େ ସିଆଡ଼େ, ଅଥଚ ପୁଲିସବାଲାଏ ଷଣ୍ଢକୁ ପିଟିପାରୁ ନଥାନ୍ତି । ସଭା ମଞ୍ଚ ଉପରେ କାଉ ପରି ରଡ଼ି କରୁଥାନ୍ତି ମନ୍ତ୍ରୀଙ୍କ ଡାହାଣ ହାତ ନରେନ୍ଦ୍ର ଦାସ ମହାପାତ୍ର–‘ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତୁ । ଆମର ପ୍ରିୟ ନେତା ସର୍ବେଶ୍ୱର ମିଶ୍ର ଏବେ ଆପଣଙ୍କୁ ଉଦ୍‌ବୋଧନ ଦେବେ ।’ ସେ ଯେତେ କହିଲେ ବି ଲୋକମାନେ ଆଦୌ ବସୁ ନଥାନ୍ତି । ମନୋଜର ଏହି ଦକ୍ଷତା ଯୋଗୁଁ ସେ ରାତାରାତି ସେ ଅଞ୍ଚଳରେ ପ୍ରସିଦ୍ଧ ହୋଇଯାଇଥିଲା । ନିଜେ ସୁଧାକର ତା ଆଡୁ ମନୋଜକୁ ସଭାପତି ଦାୟିତ୍ୱ ନେବା ପାଇଁ ପ୍ରସ୍ତାବ ଦେଇଥିଲା । କିନ୍ତୁ ମନୋଜ କୋଷାଧ୍ୟକ୍ଷ ପଦବିଟିକୁ ଅଧିକ ଚାହିଁଥିଲା ।

 

ମନୋଜ କହିଲା, ‘ଗଲା ଇଲେକ୍ସନ୍‌ ସମୟରେ ଶାସକ ଦଳ ଓ ବିରୋଧୀ ଦଳ ଉଭୟେ ଆମ ଯୁବକ ସଂଘ ପାଇଁ ଦିଇଟା ରଙ୍ଗିନ ଟେଲିଭିଜନ୍‌ ଦେବା ପାଇଁ ରାଜି ହୋଇ ସାରିଥିଲେ । ତା ସାଙ୍ଗରେ ଦିଇଟା ଟୁ-ଇନ୍‌-ୱାନ୍‌ । ଦିଇଟା ରଙ୍ଗିନ ଟେଲିଭିଜନ୍‌ ଦାମ ତିରିଶ ହଜାର ଟଙ୍କା ପାଖାପାଖି । କିନ୍ତୁ ଏଇ ନରୋତ୍ତମ ମିଶ୍ର ଯୋଗୁଁ ସେ ସୁବିଧା ଯୋଡ଼ିକ ହାତଛଡ଼ା ହୋଇଗଲା ।’

 

ସୁଧାକର କହିଲା, ‘କି ଦରକାର ଥିଲା କହିବା ଯେ ନୂଆଗାଁକୁ ଆଗେ ଲାଇନ୍‌ ଯିବା ବ୍ୟବସ୍ଥା କରନ୍ତୁ, ତାପରେ ଟେଲିଭିଜନ୍‌ ଦେବେ । ଆଁ, କି ଦରକାର ଥିଲା ଏମିତି କହି ସେମାନଙ୍କୁ ଫିଡ଼ିକେଇବା ?’

 

ଏକଥା ଯୁବକ ସଂଘର ସଦସ୍ୟମାନେ ସେତେବେଳେ ମଧ୍ୟ ନରୋତ୍ତମ ମିଶ୍ରଙ୍କୁ ପଚାରିଥିଲେ । ନରୋତ୍ତମ ମିଶ୍ର କହିଥିଲେ, ‘ଯେଉଁ ଗାଁକୁ ବିଜୁଳି ଲାଇନ ଆସିନାହିଁ, ସେ ଗାଁବାଲାଏ ଟେଲିଭିଜନ୍‌ ନେଇ ଆସିଲେ ବାହାର ଲୋକ କହିବେ କଣ ? ଆମେ କଣ ଏଡ଼େ ବିକଳିଆ ? ହାଟ ଉପରୁ ନୂଆଗାଁ ଜମା ତିନି ମାଇଲ ରାସ୍ତା, ଅଥଚ ପଚାଶ ବର୍ଷ ଭିତରେ ବି ଏ ଗାଁକୁ ଖୁଣ୍ଟ କେତେଟା ପଡ଼ି ପାରିଲା ନାହିଁ । ମୋ ମତରେ, ସେଇ ଦାବି କରି ଆମେମାନେ ବରଂ ଭୋଟ୍‌ ବର୍ଜନ କରିବା ଦରକାର । ଗାନ୍ଧୀ କହିଥିଲେ... ।” ସେ ଆଉ କଣ କହିବାକୁ ଯାଉଥିଲେ ଯୁବକ ସଂଘର ସଦସ୍ୟମାନେ ତାଙ୍କୁ କୁହାଇଦେଲେ ନାହିଁ ।

 

“ରଖ ହୋ ତୁମର ଗାନ୍ଧୀ । ସବୁଥିରେ ଷଣ୍ଢ ପୂରେଇ ଗାନ୍ଧୀ ଗାନ୍ଧୀ ହଉଛନ୍ତି । ଲାଇନ ଆଣିବାବେଳେ ତମେ ଆଣିଲ ନାହିଁ ? ତମ ଯମାନାର ଭୁଲ୍‌ ପାଇଁ ଆମେ କାହିଁକି ହଇରାଣ ହେବୁ-? ତୁମରି ପରି ବୁଢ଼ା ପଞ୍ଝାକ ପାଇଁ ଏ ଗାଁରେ କିଛି ହୋଇପାରୁ ନାହିଁ । କଣ ଅଛି ଏ ଗାଁରେ–ନା କ୍ରିକେଟ୍‌ ପଡ଼ିଆ ନା ରିକ୍ରିଏସନ୍‌ ସେଣ୍ଟର ? ଦେବାଲୋକ ତ ତାଙ୍କ ଖୁସିରେ ଯୋଡ଼ାଏ ଟେଲିଭିଜନ୍‌ ଦେଇକି ଯାଉଥିଲେ, ତମର ଏଥିରେ ଷଣ୍ଢ ପୂରେଇବାର କଣ ଥିଲା ?”

 

ନରୋତ୍ତମ ମିଶ୍ର ନିରବ ରହିଥିଲେ । କିନ୍ତୁ ତାଙ୍କ ପାଖରେ ବସିଥିବା ହରି ମହାନ୍ତି ନିରବ ରହିପାରି ନଥିଲେ । ସେ ବଡ଼ ପାଟିରେ କହିଥିଲେ, ‘ସେ ନ କଲେ ନାହିଁ, ତମେମାନେ ଟୋକା ହୋଇଛ, ଯାଇ ବଳ ଲଢ଼ଉନ ! ତା ବୋଲି ବିଜୁଳି ନ ଥାଇ ଟେଲିଭିଜନ୍‌ ଆଣି ଘରେ ପୂରେଇବାଟା କଣ ଗୋଟେ ସମ୍ମାନର କଥା ହେଇଥାନ୍ତା ? ନିର୍ବାଚନ ପରେ ସେ ଦିଇଟାକୁ ବିକି ତମେମାନେ ଏଠି ଭୋଜିଭାତ କରିଥାନ୍ତ, ନୁହେଁ ?”

 

ନରୋତ୍ତମ ହରି ମହାନ୍ତିଙ୍କୁ ଚୁପ୍‌ କରେଇଦେଲେ । କହିଲେ, ‘ପିଲାମାନେ ଗୋଟିଏ କଥା କିନ୍ତୁ ଠିକ୍‌ କହୁଛନ୍ତି । ଆମ ସମୟରେ ଆମେ ଗାଁ ପାଇଁ ଯାହା କରିବା କଥା ତାହା କରି ନାହାନ୍ତି । କରି ନାହାନ୍ତି କି କରିପାରିନାହାନ୍ତି, ସେଇଟା ଦୁସରା କଥା । କିନ୍ତୁ ସତ ହଉଛି, ଆମ ଗାଁଟା ଅବହେଳିତ ହୋଇ ପଡ଼ିଛି । ଏବର ଅବସ୍ଥା ଯାହା, ସେଥିପାଇଁ ଆମ ପିଲାଙ୍କଠାରୁ ଆମେ ବେଶି ଦାୟୀ । ସେଇକଥା ତ ସେମାନେ କହୁଛନ୍ତି । ତାଙ୍କର ଦୋଷ କଣ ?”

 

ହରି ମହାନ୍ତି ନରୋତ୍ତମ ମିଶ୍ରଙ୍କୁ ଅନେଇଥିଲେ । ଏ ଲୋକଟି କେଉଁ ଉପାଦାନରେ ତିଆରି–ସେଇକଥା ସେ ଚିନ୍ତା କରୁଥିଲେ । ଲୋକଟିର ଛଳ ନାହିଁ, ଛନ୍ଦ କପଟ ନାହିଁ । କାହାରି ବିରୋଧରେ ଏତେ ଟିକିଏ ଶତ୍ରୁତା ନାହିଁ, ଏତେଗୁଡ଼ା କଟୁ କଥା ଶୁଣି ଲୋକଟି ନିଶ୍ଚଳ ମହାଦେବଙ୍କ ପରି କେମିତି ଶାନ୍ତ ରହିପାରୁଛି ?

 

ଯୁବକ ସଂଘର ସଦସ୍ୟମାନେ ଗରଗର ହୋଇ ଚାଲିଯାଇଥିଲେ ।

 

ନରୋତ୍ତମ ମିଶ୍ରଙ୍କର ବୟସ ଅଶୀ ଛୁଇଁଲାଣି । ଆଖିର ତେଜ ହଟିନାହିଁ । ଦୂର ଜିନିଷ ଦେଖିବା ଲାଗି ଚଷମା ବ୍ୟବହାର କରୁଥିଲେ ମଧ୍ୟ ବିନା ଚଷମାରେ ବହି, ଖବରକାଗଜ ପଢ଼ିପାରନ୍ତି । ଅଣ୍ଟା ନୋଇଁଗଲାଣି, କିନ୍ତୁ ସକାଳବୁଲା ଅଭ୍ୟାସ ଛାଡ଼ିନାହାନ୍ତି । ସବୁଦିନ ଭୋର୍‌ ପାଞ୍ଚଟା ବେଳେ ବିଛଣାରୁ ଉଠି ଗାଁ ଚାରିପଟେ ଘେରାଏ ଘୂରି ଆସନ୍ତି । ଫେରିବା ବାଟରେ ଠାକୁର ପାଇଁ ଫୁଲ ପୁଞ୍ଜାଏ ତୋଳି ଆଣନ୍ତି ବାଡ଼ିରୁ । ମନ୍ଦିରରୁ ଫେରିବା ପରେ ବିନା କ୍ଷୀରରେ ଲେମ୍ବୁ ରସ ଟୋପେ ପକେଇ ଚା ପିଅନ୍ତି । ପାଞ୍ଜି ବହିଟାକୁ ଆଣି ଦିନ, ବାର, ନକ୍ଷତ୍ର ଖବର ପାଖ ଲୋକଙ୍କୁ ବତାନ୍ତି । ସେତେବେଳକୁ ଗାଁର କେହି କେହି ଆସି ପିଣ୍ଡାରେ ବସି ସାରିଥାନ୍ତି । କାହାର ଘର ତିଆରି ହେବ–ଶୁଭ ମୁହୂର୍ତ୍ତ ଜାଣିବା ଦରକାର । କାହାର ପୁଅ ପାଖକୁ ଚିଠି ଖଣ୍ଡେ ଲେଖା ହେଇଛି, ନରୋତ୍ତମ ମିଶ୍ରେ ଠିକଣାଟି ଲେଖିଦେଲେ ଭଲ ହୁଅନ୍ତା । କାହାର ଘର ଭାଙ୍ଗିଯାଇଛି, ସରପଞ୍ଚଙ୍କ ମାର୍ଫତେ ଦରଖାସ୍ତଟିଏ ଲେଖାଯିବ । ଏମିତି ଏମିତି ଅନେକ କାମ । ନରୋତ୍ତମ ମିଶ୍ରେ ନିଜ ଘରର ପିଣ୍ଡା ଉପରେ ଶପଟିଏ ପାରିଦେଇ ବସନ୍ତି । ପାଖରେ ତାଙ୍କର ଲେଖା ପଢ଼ାର ଉପକରଣ–ଗୋଟେ ପୁରୁଣା ଡାଏରି, ପାଞ୍ଜି, ପେନ୍‌ସିଲ୍‌ ଓ କଲମ । ପାଖରେ ପାଣିଢାଳ ଓ ଗିଲାସ । ଏପଟେ ଚଷମା ଓ ଗୋଟେ ଆଶାବାଡ଼ି । ବାରମ୍ବାର ଘର ଭିତରକୁ ଉଠିବାକୁ ପଡ଼ିବ ବୋଲି ପାଣିଢାଳଟିଏ ଆଣି ପାଖରେ ରଖିଥାଆନ୍ତି । ଗୋଟିଏ ବୋଲି ଦୁର୍ବଳତା–ଖିଲିପାନ । ପାନ ବଟୁଆଟିକୁ ସେ ସନ୍ତର୍ପଣରେ ରଖିଥାଆନ୍ତି । ସେଇଥିରୁ ମଝିରେ ଖଣ୍ଡିଏ ଖଣ୍ଡିଏ ବାହାର କରି ଖାଆନ୍ତି ।

 

ଏତେଗୁଡ଼ିଏ ଲୋକ ଅଲଗା ଅଲଗା ବରାଦ ଧରି ତାଙ୍କ ପାଖକୁ ଆସନ୍ତି ବୋଲି ନରୋତ୍ତମ ବିରକ୍ତ ହୁଅନ୍ତି ନାହିଁ; ବରଂ ଏନେଇ ତାଙ୍କର ସାଙ୍ଗ ହରି ମହାନ୍ତି କିଛି କହିଲେ ସେ ଓଲଟି ବୁଝେଇ ଦିଅନ୍ତି । ନରୋତ୍ତମ କହନ୍ତି, “ଗରିବ ଲୋକର ଆତ୍ମବିଶ୍ୱାସ ଦୋହଲି ଯାଇଥାଏ । ସେଇଥିପାଇଁ ତାଠୁଁ ଆଗରେ କି ଉଚ୍ଚରେ ଥିବା ଲୋକକୁ ସେ ଅଧିକ ସମର୍ଥ ବୋଲି ଭାବିନିଏ । ଉପର ଲୋକଟି ଚାହିଁଲେ ତା ବେକାର ପୁଅ ପାଇଁ ଅବା ଚାକିରିଟେ ଯୋଗାଡ଼ କରିଦେବ, ଗାଁରେ ଟ୍ୟୁବ୍‌ୱେଲ୍‌ ବସେଇଦେବ, ଝିଅ ପାଇଁ ପାତ୍ର ଖୋଜିଦେବ, ବୁଢ଼ାବୁଢ଼ୀଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରିଦେବ ! ଉପର ପାହାଚରେ ବସିଥିବା ଲୋକ ବାବଦରେ ମୋଟାମୋଟି ଗୋଟେ ଅସମ୍ଭବ ଉଚ୍ଚ ଧାରଣା ଏଇ ଲୋକଙ୍କର ଥାଏ । ତୁମେ ଚାହିଁଲେ ସେ ଧାରଣା ବଦଳେଇ ପାରିବ ନାହିଁ । ଓଲଟି ସେମାନେ କହିବେ ଯେ ନରୋତ୍ତମ ମିଶ୍ର ସେମାନଙ୍କ କଥା ଶୁଣିଲା ନାହିଁ, ତାଙ୍କ ଆପତ୍ତି ଆଡ଼େଇ ଦେଲା । ଏ ଅପବାଦ କଣ କମ୍‌ ! ସେଇଥିପାଇଁ ଲୋକମାନେ ଗୁଣିଆ, ବାବାଜିଙ୍କ ଶରଣ ପଶୁଛନ୍ତି । ଡେଉଁରିଆ, ତାବିଜ ପିନ୍ଧୁଛନ୍ତି । ମୋ ବିଷୟରେ ସେମାନଙ୍କର ଗୋଟେ ବଡ଼ ଧାରଣା ରହିଯାଇଛି । ତାକୁ ମୁଁ କିମିତି ଖଣ୍ଡନ କରିବି ?”

 

ହରି ମହାନ୍ତି ୟାର ଜବାବ ଦେଇପାରନ୍ତି ନାହିଁ । ପ୍ରଶଂସା ଦୃଷ୍ଟିରେ ନରୋତ୍ତମଙ୍କୁ ଚାହାଁନ୍ତି-। ଭାବନ୍ତି, ଦୁନିଆର ଏତେ କଥା ବଦଳି ଯାଉଛି, ପାହାଡ଼ ଥିବା ଜାଗାରେ ସମୁଦ୍ର ହେଇଯାଉଛି, ମରୁଭୂମି ପାଲଟୁଛି ଗହମ କ୍ଷେତ; ଅଥଚ ସବୁ ଅଦଳ ବଦଳ ଭିତରେ ନରୋତ୍ତମ ମିଶ୍ର ଲୋକଟି କିମିତି ଅପରିବର୍ତ୍ତିତ ରହିଯାଉଛି ? ଚେହେରାର ପରିବର୍ତ୍ତନ ଭିନ୍ନ ଚରିତ୍ରରେ କାହିଁ ଏତେ ଟିକେ ବଦଳିବାର ରଂଗ ସେ ତ ତାଙ୍କର ସତୁରୀ ବର୍ଷ ଜୀବନରେ ଦେଖିଲେ ନାହିଁ ?

 

ନରୋତ୍ତମ ମିଶ୍ର ଥିଲେ ସ୍କୁଲ ଶିକ୍ଷକ । ପାଠ ପଢ଼େଇବା ତାଙ୍କର ବୃତ୍ତି ଥିଲା । ସେଇଥିପାଇଁ ତାଙ୍କ ଭିତରେ ଉଦାହରଣ ଦେଇ ବୁଝେଇବାର ଅଭ୍ୟାସଟି ବସା ବାନ୍ଧିଯାଇଛି । କଥାଟିଏ କହିଲେ ନିଶ୍ଚୟ ଉଦାହରଣଟିଏ ଦେବେ । ଭଲ ପାଠ ପଢ଼ିଥିଲେ । ସେ ସମୟରେ ଚାହିଁଥିଲେ ସମହରକୁ ଯାଇ କିଛି ଗୋଟାଏ ସରକାରୀ ଚାକିରି ସେ କରିଥାଆନ୍ତେ । କିନ୍ତୁ ବାପା ଛାଡ଼ିଲେ ନାହିଁ କି ନରୋତ୍ତମ ବାଧ୍ୟ କଲେ ନାହିଁ । ସେତିକିବେଳେ ନୂଆଗାଁରେ ସ୍କୁଲ ବସିଲା । ଗାଁ ଲୋକେ ଶ୍ରମଦାନ କରି ସ୍କୁଲ ବସେଇଲେ । ନରୋତ୍ତମ ମିଶ୍ର ହେଲେ ପ୍ରଧାନ ଶିକ୍ଷକ । ଦିନ ଦିପହରେ ବିଲୁଆ ରଡ଼ୁଥିବା ଅପନ୍ତରା ଭୂଇଁରେ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ମୁଣ୍ଡ ଟେକିଲା । ବାଟଗଲା ଲୋକେ ନରୋତ୍ତମଙ୍କ ନିଷ୍ଠା ଦେଖି ପ୍ରଶଂସା କଲେ । ସ୍କୁଲକୁ ସାହାଯ୍ୟ ପରିମାଣ ବଢ଼ିଲା । ପ୍ରାଥମିକ ବିଦ୍ୟାଳୟ ହେଲା ମଧ୍ୟଇଂରାଜୀ ବିଦ୍ୟାଳୟ । ପିଲାଏ ପାଠପଢ଼ି ସହରକୁ ଗଲେ । ଚାକିରି ବାକିରି କଲେ । ସେମାନଙ୍କର ବାପା ମା ନରୋତ୍ତମ ଗୁଣ ଗାଇଲେ । କିନ୍ତୁ ନରୋତ୍ତମ ସବୁଦିନ ପାଇଁ ରହିଗଲେ ଏଇ ନୂଆଗାଁର ପୁରୁଣା ଚଉହଦି ଭିତରେ ।

 

ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଜଞ୍ଜାଳ ବଢ଼ିଛି । ନରୋତ୍ତମ ହୋଇଛନ୍ତି ଗାଁର ମୁଖିଆ । ଗାଁ ବିବାଦ କୋର୍ଟ କଚେରିକୁ ଯାଇନାହିଁ, ଚନ୍ଦ୍ରଶେଖର ମହାଦେବ ମନ୍ଦିର ଚଉତରାରେ ତୁଟିଛି । ନରୋତ୍ତମ ବୁଝେଇଛନ୍ତି, ଦି ପକ୍ଷର କଳିକଜିଆରେ ଓକିଲ ପେସ୍କାରଙ୍କର ଲାଭ ହୁଏ ସିନା, ପକ୍ଷ ଦିହିଙ୍କର ଲାଭ ହୁଏ ନାହିଁ । କେହି ତାଙ୍କ କଥା ଟାଳି ନାହାନ୍ତି ।

 

ନରୋତ୍ତମ ବୁଝାନ୍ତି, ଆମ ଦେଶର କୋର୍ଟ କଚେରିରେ ଯେତେ ବିବାଦ ଅଛି ତା ଭିତରୁ ସବୁଠୁଁ ବେଶି ଜମିଜମା ଗଣ୍ଡଗୋଳକୁ ନେଇ । ଜମି ସାଙ୍ଗରେ ମଣିଷର ଅଦ୍ଭୁତ ସଂପର୍କ । ଜୀବନ ଦେଇଦେବ ପଛକେ ଜମି ଦେବ ନାହିଁ । ଏଇ ଜମି ପାଇଁ ରାମାୟଣ, ଜମି ପାଇଁ ମହାଭାରତ । ଜମିଜମା ଗଣ୍ଡଗୋଳ ତୁଟିଗଲେ ଲକ୍ଷ ଲକ୍ଷ ମାଲିମୋକଦ୍ଦମା ତୁଟି ଯାଆନ୍ତା । କିନ୍ତୁ ସରକାର ସିଆଡ଼କୁ ନଜର ଦେଉନାହାନ୍ତି । ଫଳରେ ତହସିଲ୍‌, ଆର୍‌.ଆଇ. ଅଫିସ୍‌ର ତଳିଆ କର୍ମଚାରୀ ଦଶ ପଚାଶ ହାତଗୁଞ୍ଜା ନେଇ କାଳ କାଳକୁ କଳି ମଞ୍ଜି ବୁଣୁଛନ୍ତି ।

 

ନରୋତ୍ତମ କଥା କହିଲାବେଳେ ପ୍ରଗଳ୍‌ଭ ହୋଇଯାଆନ୍ତି । କହନ୍ତି, ‘ସେତେବେଳେ ଆମେ ତ ଗାନ୍ଧୀ କେଉଁଠି କଣ କହୁଛନ୍ତି, ସେଇକଥା ଶୁଣିବାକୁ ଉଚ୍ଚାଟ ହେଉଥିଲୁ । କିଏ ପ୍ରଧାନମନ୍ତ୍ରୀ, କିଏ ମୁଖ୍ୟମନ୍ତ୍ରୀ –ସେକଥା ଜାଣିବାକୁ ଆମର ଆଗ୍ରହ ନଥିଲା । ଗାନ୍ଧୀ ଯାହା କହୁଥିଲେ, ଦେଶର ଲୋକ ସେଇଆ କରୁଥିଲେ । ନେତାକୁ ନେଇ ଆନ୍ଦୋଳନ, ନେତା ନଥିଲେ ଆନ୍ଦୋଳନ ହୁଏ ନାହିଁ ।’

 

ନରୋତ୍ତମଙ୍କର ଅବସୋସ ଯେ ରାଜାରାଜୁଡ଼ାମାନେ କଂଗ୍ରେସ ଦଳଟାକୁ ନିଜ କବ୍‌ଜାକୁ ନେଇଗଲେ । ତାଙ୍କ କଥା ଅନୁସାରେ, “ପାରଳା, ମୟୂରଭଞ୍ଜ ଓ ବାମଣ୍ଡା ପରି କିଛି ରାଜାଙ୍କୁ ଛାଡ଼ିଦେଲେ ଅଧିକାଂଶ ରାଜା ଥିଲେ ଅତ୍ୟାଚାରୀ । ସେମାନଙ୍କ ଜୁଲୁମ ତୁଳନାରେ ବ୍ରିଟିଶ ଜୁଲୁମ କିଛି ନୁହେଁ ବୋଲି ନରୋତ୍ତମ କହନ୍ତି । ଢେଙ୍କାନାଳଠୁଁ ନେଇ କନିକା ପର୍ଯ୍ୟନ୍ତ ରାଜାରାଜୁଡ଼ାଙ୍କ ଜୁଲୁମ ମଣିଷ ବର୍ଣ୍ଣନା କରିପାରିବ ନାହିଁ । କିନ୍ତୁ ପରିସ୍ଥିତିର ପରିହାସ, ଏଇ ରାଜାରାଜୁଡ଼ାମାନେ ମିଶି କଂଗ୍ରେସରେ ଗାଦି ମାଡ଼ି ବସିଲେ । ଯେଉଁମାନଙ୍କୁ ଲୋକେ ଫାଶୀଖୁଣ୍ଟରେ ଚଢ଼େଇବା କଥା ସେଇମାନଙ୍କୁ ଫୁଲମାଳ ଦେଲେ ।”

 

ଆଜିକାଲି ଅବଶ୍ୟ ନରୋତ୍ତମ ସେସବୁ ଦିନ ବିଷୟରେ ବେଶି କହନ୍ତି ନାହିଁ । ଏମିତି ନ କହିବାର ବଡ଼ କାରଣ ହେଲା, ପୁରୁଣା ଦିନ କଥା ଶୁଣିବା ଲାଗି ନୂଆ ଲୋକଙ୍କ ମନରେ ସେମିତି ଆଗ୍ରହ ଆଉ ସେ ଦେଖନ୍ତି ନାହିଁ । ସେ ଶୁଣନ୍ତି, ଗାଁରେ ଆଜିକାଲି ସୁଧାକର କଥା ପ୍ରତି ସମର୍ଥନ ବଢ଼ୁଛି । ସେ ଯେଉଁ କଥା କହୁଛି, ଲୋକଙ୍କର ସେଥିରେ ଲାଭ ହେଉଛି । କେବଳ କଥାରେ ତ ଗରିବ ଲୋକଙ୍କ ପେଟ ପୂରେ ନାହିଁ !

 

ସୁଧାକର ବୁଦ୍ଧିମାନ । ଝଡ଼ବର୍ଷା କି ପବନ ଆସୁ ନ ଆସୁଣୁ ସିଏ ଗାଁ ଲୋକଙ୍କୁ ମତେଇ କହେ, “ସିଧା ନଈବନ୍ଧ ଉପରୁ ଉଠିଯାଅ । ନଈବନ୍ଧ ଉପରକୁ ଉଠିଗଲେ କ୍ଷୟକ୍ଷତିର ଗୁରୁତ୍ୱ ସରକାର ବୁଝିବ, ସେଇ ଅନୁସାରେ ରିଲିଫ୍‌ ପାଇବ । ଏଇଠି ଗାଁ ଭିତରେ ରହିଲେ, ପଛକୁ ମୋତେ କେହି ଦୋଷ ଦେବ ନାହିଁ ।”

 

ଆଗେ ଆଗେ ଲୋକମାନେ ଏମିତି କରିବାକୁ ସଂକୋଚ କରୁଥଲେ । ନିଜର ଘରବାଡ଼ି ଠିକ୍‌ ଠିକଣା ଥିବ, ଅଥଚ ଘରଦ୍ୱାର ସବୁ ଭାଙ୍ଗିଗଲା କହି ନଈବନ୍ଧ ଉପରେ ପଲା ମାରି ରହିବେ–ଏ କଥାଟାକୁ ପୁରୁଣାକାଳିଆ ଲୋକେ ଗ୍ରହଣ କରୁ ନଥିଲେ । ମାତ୍ର ଧୀରେ ଧୀରେ ସେ ସଂକୋଚ ହଟିଗଲା । ଯେଉଁମାନେ ସୁଧାକରର କଥା ମାନି ନଈବନ୍ଧକୁ ଉଠିଯାଇଥିଲେ, ଝଡ଼ବର୍ଷା ଛାଡ଼ିଗଲା ପରେ ସେମାନେ ଲାଭବାନ ହୋଇ ଗାଁକୁ ଫେରିଲେ । ଫେରିଲାବେଳକୁ ତାଙ୍କ ହାତରେ ଲମ୍ବା ଲମ୍ବା ପଲିଥିନ୍‌, ତମ୍ବୁ, କମ୍ବଳ, ଲୁଗା, ଚକଚକିଆ ଖୋଳ ଭିତରେ ଥିବା ପାଉଁରୁଟି, ମହମବତି, ଗୁଣ୍ଡକ୍ଷୀର ଓ ବିସ୍କୁଟ୍‌ ଥିଲା । ସେମାନଙ୍କ ନାଁ କ୍ଷତିଗ୍ରସ୍ତ ଲୋକଙ୍କ ତାଲିକାରେ ଉଠିଯାଇଥିଲା । ଗାଁକୁ ସରକାରୀ ଲୋକ ଆସିଲେ, ଖୋଜି ଖୋଜି ସେଇମାନଙ୍କୁ ଭେଟୁଥିଲେ ଏବଂ ତାଙ୍କୁ ଋଣ, ଭାତିଆ ମିଳୁଥିଲା । ଏସବୁ ଦେଖିବା ପରେ ଗାଁ ଲୋକଙ୍କ ପକ୍ଷେ ଥୟ ଧରି ରହିବା ଆଉ ସମ୍ଭବ ହେଲା ନାହିଁ । ଏଣିକି ଝଡ଼ବର୍ଷା କି ବଢ଼ିପାଣି ଆସିଲେ, ସେମାନେ ଘରର ବୁଢ଼ାବୁଢ଼ୀଙ୍କ ଭିତରୁ କାହାକୁ ଜଣକୁ ଗାଁ ଘର ଜଗେଇଦେଇ ସିଧା ନଈବନ୍ଧ ଉପରକୁ ଉଠିଯାଉଛନ୍ତି ।

 

ସହରରୁ ଖବରକାଗଜବାଲାଏ କି ଟେଲିଭିଜନ୍‌ବାଲାଏ ଆସିଲେ, ସେମାନଙ୍କ ଆଗରେ କଣ କେମିତି କହିବାକୁ ପଡ଼ିବ ସେ ବିଷୟରେ ସୁଧାକର ଗାଁ ଲୋକଙ୍କୁ ବୁଝେଇଦିଏ ଯେ ସବୁବେଳେ କହିବ, “ଏଠିକି କେହି ଆସିନାହାନ୍ତି, ଆମକୁ କିଛି ମିଳିନାହିଁ । କାନ୍ଦୁଥିବ ଓ ବାନ୍ଧୁଥିବ ନୀତି ନ ମାନିଲେ ତମେମାନେ ହଇରାଣ ହେବ । ମୁଁ ଆଉ କିଛି କରିପାରିବି ନାହିଁ ।”

 

ନରୋତ୍ତମ ଏ କଥାର ପ୍ରତିବାଦ କରନ୍ତି । ସୁଧାକର ଏମିତି କରି ଗାଁର ଲୋକଙ୍କୁ ଭିକାରି କରିଦେଉଛି ବୋଲି ବିରକ୍ତ ହୁଅନ୍ତି । ପର ଆଗରେ ହାତ ପତେଇଲେ ମଣିଷର ସ୍ୱାଭିମାନ ନଷ୍ଟ ହୋଇଯାଏ ବୋଲି ପ୍ରତିବାଦ କରନ୍ତି । କିନ୍ତୁ ସୁଧାକର ନରୋତ୍ତମଙ୍କ ପ୍ରତିକ୍ରିୟାକୁ ଭ୍ରୂକ୍ଷେପ କରେ ନାହିଁ; ବରଂ ସେ ଖୁସି ହୁଏ ଯେ, ଧୀରେ ଧୀରେ ଲୋକମାନେ ନରୋତ୍ତମଙ୍କୁ ଛାଡ଼ି ତା ପାଖକୁ ଆସୁଛନ୍ତି ।

 

ଅନେଶତ ବାତ୍ୟାରେ ନୂଆଗାଁର ଗଛବୃଚ୍ଛ ସବୁ ଉପୁଡ଼ି ପଡ଼ିଲା । ଦିନ ଦିଇଟାରେ ଏତେବଡ଼ ଗାଁଟା ସମ୍ପୂର୍ଣ୍ଣ ନିର୍ଦ୍ରୁମ ହୋଇଗଲା । ପବନ ଛାଡ଼ିଗଲା ପରେ ନରୋତ୍ତମ ଚାଳଓଲରା ଘର ବାରନ୍ଦାଙ୍କୁ ଆସି ଚାରିଆଡ଼କୁ ଅନେଇଥିଲେ । ସବୁଠି ପ୍ରଳୟର ଦସ୍ତଖତ । ଗୋଟେ ଅବରୁଦ୍ଧ କୋହ ତାଙ୍କ ପଞ୍ଜରା ଥରେଇ ବାହାରି ଆସିଥିଲା । ଏଇ କଣ ତାଙ୍କର ସବୁଜ ଶ୍ୟାମଳ ଗାଁ ? କେତେଶହ ବର୍ଷ ପରେ ଏ ନୂଆଗାଁ ପୁଣି ତାଙ୍କର ପୁରୁଣା ଗାଁ ପରି ଦିଶିବ ?

 

ନରୋତ୍ତମ ଭାଙ୍ଗି ପଡ଼ିଥିଲେ ସତ; କିନ୍ତୁ ହାରିଯାଇ ନଥିଲେ । ଅଣ୍ଟା ନୋଇଁ ନୋଇଁ ଗାଁ ସାରା ବୁଲିଥିଲେ, ଟୋକାଟାକଳାଙ୍କୁ ଡାକିଥିଲେ, ‘ଆସ, ଯାହା ତ ହେବାର ହେଇଗଲାଣି । ତାକୁ ଝୁରି ମୁଣ୍ଡ କୋଡ଼ିଲେ ଲାଭ କଣ ହେବ ? ବରଂ ଗାଁ ଦାଣ୍ଡ ବାଟ ଓଗାଳିଥିବା ଗଛଗୁଡ଼ାକ କାଟି ରାସ୍ତା ସଫା କରିବା । ପୋଖରୀ ଭିତରୁ ଡାହିଗୁଡ଼ାକ ଓଟାରି ନ ଆଣିଲେ ମଶା ଡାଆଁସରେ ରହି ହେବନାହିଁ । ରାସ୍ତା ସଫା ନ କଲେ ଏଠିକି ସରକାରୀ ଲୋକ କିଏ ଆସିବ କେମିତି ?

 

ଲୋକମାନେ ନରୋତ୍ତମଙ୍କ କଥା ଶୁଣି ବାହାରକୁ ଆସିଥିଲେ । ପ୍ରଥମ ଦିନଟାରେ ସେମାନେ ଅଧାଅଧି ବାଟ ଓଗାଳିଥିବା ଉପୁଡ଼ା ଗଛର ଡାଳ କାଟି ଦେଇଥିଲେ । କିନ୍ତୁ ତା ପରଦିନ ଆଉ କେହି ଆସିଲେ ନାହିଁ । ବହୁ କୁହାବୋଲା ପରେ ତିନି ଜଣ ମାତ୍ର ଆସିଲେ । ନରୋତ୍ତମ ଭାବିଲେ, ଗତକାଲିର ଥକ୍‌କା ମେଣ୍ଟଉଥିବା ଯୋଗୁଁ ଲୋକମାନେ ଆସିନାହାନ୍ତି । କିନ୍ତୁ ସଞ୍ଜବୁଡ଼େ ନୂଆକଥା ଶୁଣିଲେ ସିଏ । ସୁଧାକର ଲୋକଙ୍କୁ ମତେଇଛି, ନରୋତ୍ତମ ମିଶ୍ରେ ଯାହା କରୁଛନ୍ତି, ସେଥିରେ ଗାଁର କ୍ଷତି ହେବ । ଏମିତି ସବୁ ସଫାସୁତୁରା କରିଦେଲେ ସରକାର ଭାବିବେ, ନୂଆଗାଁର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ । ଏ ଗାଁ ବାଦ୍‌ ପଡ଼ିଯିବ ରିଲିଫ୍‌ ଖାତାରୁ । ତାଛଡ଼ା ଉପୁଡ଼ାଗଛ କାଟିବା ପାଇଁ ସରକାର ବ୍ୟବସ୍ଥା କରିବେ, ଗାଁଲୋକେ କାହିଁକି ଅଯଥାରେ ଝାଳନାଳ ହୋଇ ଉପାସିଆ ପେଟରେ ସେସବୁ କାମ କରିବେ ?

 

: ତାହାହେଲେ ଲୋକମାନେ କଣ କରିବେ ? –ହରି ମହାନ୍ତି ପଚାରିଥିଲେ ।

 

ସୁଧାକର କହିଥିଲା, “ଦୁଃଖ ଭୁଲିବା ପାଇଁ କିଛି ଦିନ ସମୟ ଲାଗିବ । ସେତେଦିନ ପର୍ଯ୍ୟନ୍ତ ଟୋକାମାନେ ବରଂ ମନ ବହଲେଇବା ପାଇଁ ତାସ୍‌ ଖେଳନ୍ତୁ । ଦାଣ୍ଡରେ ତାସ୍‌ ଖେଳୁଥିବେ, ସରକାରୀ ରିଲିଫ୍‌ ଟ୍ରକ୍‌ ଆସିଲେ ସେ ଖବର ଘର ଲୋକଙ୍କୁ ଦେବେ । ଜାଗତିଆର ହୋଇ କିଛି ଲୋକ ଗାଁ ଦାଣ୍ଡ ନ ଜଗିଲେ, ସବୁ ରିଲିଫ୍‌ ଟ୍ରକ୍‌ ତଳ ଆଡ଼କୁ ପଳେଇବ । ଆମେ ଏଠି କେବଳ ଭକୁଆଙ୍କ ପରି ବସିଥିବା ।”

 

ନରୋତ୍ତମ ସେଦିନ କ୍ରୋଧରେ ଅଗ୍ନିଶର୍ମା ପାଲଟି ଯାଇଥିଲେ । ଏ ଲୋକଟା ପ୍ରଥମେ ଲୋକଙ୍କୁ ହାତ ପତେଇବା ଶିଖେଇସାରି ଏବେ ସେମାନଙ୍କୁ ଅକର୍ମା କରିଦେବାକୁ ବସିଛି ! ସେ ଏ କଥାଟାକୁ କହିଲେ ବି । ଭାବିଥିଲେ, ଏ ଘଟଣାର ବହୁତ ପ୍ରଭାବ ପଡ଼ିବ; ମାତ୍ର ସେପରି କିଛି ପ୍ରଭାବ ପଡ଼ିଲା ନାହିଁ । କାହିଁକି ତାଙ୍କ ଗାଁର ଲୋକମାନେ ତାଙ୍କ କଥା ଶୁଣିଲେ ନାହିଁ ବୋଲି ଭାବିବସିବା ବେଳେ ତାଙ୍କ ଜୀବନର ସବୁଠୁଁ ଦୁଃଖଦାୟକ କଥାଟିଏ ସେ ଶୁଣିଲେ । ସୁଧାକର ପ୍ରଚାର କରିଦେଇଥିଲା, ‘ଗାଁଲୋକଙ୍କୁ ଲଗେଇ ବାତ୍ୟା ପରଦିନ ନରୋତ୍ତମ ଗଛ ସବୁ କଟେଇଥିଲେ ବି ଅସଲରେ ସେ ବାବଦକୁ ତାଙ୍କ ପୁଅ ପାଞ୍ଚ ହଜାର ଟଙ୍କା ସରକାରଙ୍କଠୁଁ ଆଣିଛି । ତାଛଡ଼ା କାଠ ନିଲାମ ଟଙ୍କାରୁ ନରୋତ୍ତମ ପାଇବେ ପଚିଶ ପର୍ସେଣ୍ଟ !’

 

–ପଚିଶ ପର୍ସେଣ୍ଟ ! ଆଗରୁ ଠିକାଦାରୀ, ଘାଟ ନିଲାମ କାମରେ ଏଭଳି ବେପାର ହେଉଥିବା କଥା ଶୁଣିଥିଲେ ବି ନିଜ ସଂପର୍କରେ ଦିନେ ଏକଥା ଶୁଣିବେ ବୋଲି ନରୋତ୍ତମ ମିଶ୍ର ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନଥିଲେ । କଥାଟା ଶୁଣୁ ଶୁଣୁ ସେ ଥମ୍‌ କରି ପିଣ୍ଡା ଉପରେ ବସିପଡ଼ିଲେ । ସେଦିନ ସେ ପାଞ୍ଜି ଖୋଲିଲେ ନାହିଁ କି ଗୀତା ପଢ଼ିଲେ ନାହିଁ । ଅନ୍ୟମାନଙ୍କ କଥା ଦୂରେ ଥାଉ, ହରି ମହାନ୍ତିଙ୍କ ସାଙ୍ଗେ ସୁଦ୍ଧା ଭଲକି କଥାଭାଷା ହେଲେ ନାହିଁ ।

 

ନରୋତ୍ତମ ମିଶ୍ରେ ଗାଁର କୌଣସି କଥାରେ ନିଜ ପିଲାମାନଙ୍କୁ ପୂରାନ୍ତି ନାହିଁ । ପୁଅ ସଂଜୟ ଏସବୁ କଥାରେ ଧାର୍‌ ଧରେ ନାହିଁ । ବାହାଯୋଗ୍ୟା ଝିଅ ଯୋଡ଼ିଏ ତାଙ୍କୁ କହନ୍ତି–ସମୟ ବଦଳୁଛି ବାପା, ତୁମେ ତୁମର ପୁରୁଣା ନୀତିକୁ ଧରି ବସି ରହିଥିଲେ ସମସ୍ତେ ତମକୁ ଡେଇଁ ଚାଲିଯିବେ । ସ୍ତ୍ରୀ ମଧ୍ୟ ସେକଥା କହନ୍ତି । କିନ୍ତୁ ନରୋତ୍ତମ ସେମାନଙ୍କ କଥା ଶୁଣନ୍ତି ନାହିଁ । କହନ୍ତି, ଯୁଗ ଯେତେ ବଦଳିଲେ ବି ନିଆଁ ତାର ଉତ୍ତାପ କି ପାଣି ତାର ଶୀତଳ ଗୁଣ ହରେଇ ବସେ ନାହିଁ । ପବନ ବି କଣ ତାର ନିରପେକ୍ଷ ନୀତି ବଦଳାଏ ? ମଝିରେ ମଝିରେ ଏମିତି ଖରାପ ସମୟ ଆସେ, କିନ୍ତୁ ପଛକୁ ସବୁ ବଦଳି ଠିକଣା ନୀତି ରହେ । ପରିବାର ଲୋକେ ନରୋତ୍ତମଙ୍କୁ ଅଧିକ ବୁଝେଇବାର ଚେଷ୍ଟା କରନ୍ତି ନାହିଁ ।

 

ବାତ୍ୟା ପରେ ନରୋତ୍ତମ ଆଉ ଘର ଭିତରୁ ବେଶି ବାହାରିଲେ ନାହିଁ । ସୁଧାକର କି ତା କ୍ଲବ୍‌ର ମେମ୍ବରମାନେ ତାଙ୍କ ବିଷୟରେ ଦୁର୍ନାମ ରଟେଇବା ତାଙ୍କୁ ଯେତିକି ଖରାପ ଲାଗି ନଥିଲା, ଅନ୍ୟମାନେ ସବୁ ଜାଣିଶୁଣି ସୁଦ୍ଧା ତାର ପ୍ରତିବାଦ ନ କରିବା ତାଙ୍କୁ ତାହାଠୁଁ ଅଧିକ କଷ୍ଟ ଦେଲା । ହରି ମହାନ୍ତି ଆସି ବୁଝେଇଲେ, “ସମସ୍ତେ ସୁଧାକରକୁ ସମର୍ଥନ କରୁନାହାନ୍ତି । ଅନ୍ୟମାନଙ୍କ କଥା ଥାଉ, ସୁଧାକରର ବିଧବା ମା ବି ପୁଅକୁ ସମର୍ଥନ କରୁନାହିଁ । କିନ୍ତୁ ସେମାନେ ତାକୁ ଡରୁଛନ୍ତି । ଗାଁ ଲୋକମାନେ ଯେତେବେଳେ ଦେଖୁଛନ୍ତି ଯେ ସୁଧାକର କଥା ମାନିଲେ ରିଲିଫ୍‌ ପତ୍ର ମିଳୁଛି ସେମାନେ ତା କଥା ମାନୁଛନ୍ତି । ନ ମାନିବା ଲୋକଙ୍କୁ ସେମାନେ ବାଟରେ ଘାଟରେ ଇଲେଇତି କରୁଛନ୍ତି । ଲୋକେ ଏଥିରେ କଣ କରିବେ ? ସମସ୍ତେ ତ ତମ ପରି ଏତେ ପାକଳ ମଣିଷ ନୁହନ୍ତି!”

 

କିନ୍ତୁ ନରୋତ୍ତମ ବୁଝି ନ ଥିଲେ ।

 

ପରଦିନ ହରି ମହାନ୍ତି ସାଙ୍ଗରେ ଆସିଥିଲେ ସୁଧାକରର ମା । ମଇତ୍ର ନରୋତ୍ତମ ବେହେରାଙ୍କ ସ୍ତ୍ରୀ । ମଇତ୍ର ଚାଲିଗଲେଣି ଦଶବର୍ଷ ହେଲା । ସୁଧାକର ସେତେବେଳେ କୋଡ଼ିଏ ଏକୋଇଶି ବର୍ଷର ଟୋକା ଥିଲା । ସିଏ ବି ହରି ମହାନ୍ତିଙ୍କ ପରି ନରୋତ୍ତମଙ୍କୁ ବୁଝେଇଲେ, “ସମସ୍ତେ ଅବିକା ଗୋଟିଏ ହୋ ରେ ମାତିଛନ୍ତି । ଆପଣ ନ ବୁଝେଇଲେ କିଏ ବୁଝେଇବ!”

 

ନରୋତ୍ତମ ମିଶ୍ର ପାଖ ଜିନିଷ ଦେଖିବା ପାଇଁ ଚଷମା ଲଗାନ୍ତି ନାହିଁ । ସେଦିନ କିନ୍ତୁ ମଇତ୍ର ପତ୍ନୀର ଶିଥିଳ ଚେହେରା ଦେଖିବାଲାଗି ତାଙ୍କର ଚଷମା ପ୍ରୟୋଜନ ପଡ଼ିଥିଲା । ସୁଧାକରର ମା କହୁଥିଲେ, ‘ପୁଅ ଆଉ ତାଙ୍କ ହାତରେ ନାହିଁ । ନ କରିବା କାମ କରୁଛି । ନିଶାପାଣି ଅମଳ କଲାଣି । ସବୁଦିନେ କୁକୁଡ଼ା ମାଉଁସ କି ଶାଗୁଆତି ନହେଲେ ଭାତ ଖାଉନାହିଁ । କ୍ଲବ ଘରେ ଦିନରାତି ରହୁଛି, ଘର କଥାରେ ମୁଣ୍ଡ ପୂରୋଉ ନାହିଁ ।’

 

ନରୋତ୍ତମଙ୍କ ଜାଗାରେ ଆଉ କିଏ ଥିଲେ ସୁଧାକର ବିପଥଗାମୀ ହେବାର ଖବର ଶୁଣି ଖୁସି ହୋଇଥାଆନ୍ତା । କିନ୍ତୁ ନରୋତ୍ତମ ଦୁଃଖୀ ହୋଇଗଲେ । ଏତେ ଦୁଃଖୀ ଯେ, ତା ଆଗରେ ସୁଧାକରର ଅପମାନ ବି ପାଣିଚିଆ ପାଲଟିଗଲା । ସେ ମଇତ୍ର ପତ୍ନୀଙ୍କୁ ବିଦାୟ ଦେଇ କହିଥିଲେ, ‘ତମେ ଯାଅ ମଇତ୍ରିଆଣୀ । ମୋ ଦ୍ୱାରା ଯାହା ସମ୍ଭବ ତାହା କରିବି ।’

 

କିନ୍ତୁ ନରୋତ୍ତମ ମିଶ୍ରଙ୍କ ପରି ଗୋଟେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ପକ୍ଷେ କଣ କରିବା ବା ସମ୍ଭବ ! ଘରେ ଦି ଦିଇଟା ବଢ଼ିଲା ଝିଅ, ରୋଗିଣା ସ୍ତ୍ରୀ, ବେକାର ବସିଥିବା ପୁଅ । ଯୁଆଡ଼କୁ ଅନେଇଲେ ଖାଁ ଖାଁ । ଗାଁ ଲୋକଙ୍କ ରୀତିନୀତି ବଦଳିଚାଲିଛି । ସ୍କୁଲକୁ ମାଷ୍ଟରମାନେ ଅଧାଦିନେ ଆସିଲେ ଅଧାଦିନେ ଛୁଟି । ସ୍କୁଲ ବଗିଚାରୁ ଫଳମୂଳ ଚୋରି ହୋଇଯାଉଛି । ରିଲିଫ୍‌ ପାଇଁ ହାତ ପାତିବାକୁ ଆଉ କେହି ସଂକୋଚ କରୁନାହାନ୍ତି । ସମସ୍ତେ ଭାବୁଛନ୍ତି, ଇଏ ତାଙ୍କର ଅଧିକାର । ନିଜର ଦୁଃଖକୁ ଫେଣେଇ ଫାଣେଇ କହିବାକୁ ସ୍ୱଚ୍ଛଳ ପରିବାରର ଲୋକେ ସୁଦ୍ଧା ଖରାପ ଭାବୁନାହାନ୍ତି । ଚବିଶ ପଚିଶ ବର୍ଷର ସମର୍ଥ ଯୁବକ ଦିନରାତି ତାସ୍‌ପାଲି ପକଉଛନ୍ତି । ବାପା-ମା କିଛି କହିଲେ ଓଲଟ ଜବାବ ମିଳୁଛି ଯେ, ଚାକିରି କରେଇ ନପାରିବ ଯଦି ଜନ୍ମ କରୁଥିଲ କାହିଁକି ? ରିଲିଫ୍‌ ରାଜନୀତି ହୋଇଛି ଗାଁର ମୁଖ୍ୟ ପ୍ରସଙ୍ଗ । ଘରପୋଡ଼ି ପାଇଁ ରିଲିଫ୍‌, ବଢ଼ି ପାଇଁ ରିଲିଫ୍‌, ଝଡ଼ି ପାଇଁ ରିଲିଫ୍‌, ବାତ୍ୟାପବନ ଲାଗି ରିଲିଫ୍‌ । ରିଲିଫ୍‌ ଚଉଳର ଭାତ ଗାଁ ଲୋକଙ୍କ ମନ ମନକୁ ଏମିତି ଗ୍ରାସ କରିସାରିଲାଣି ଯେ ସେମାନେ ହାତ ପାତିବାକୁ ଆଉ ସାମାନ୍ୟ ସଂକୋଚ କରୁନାହାନ୍ତି ।

 

ସମୟେ ସମୟେ ନରୋତ୍ତମ ମିଶ୍ର ଭାବନ୍ତି, ସେ ଆଉ ଗାଁ କଥାରେ ମୁଣ୍ଡ ପୂରେଇବେ ନାହିଁ । ଲୋକମାନେ ଯଦି ହାତ ପତେଇବାକୁ, ଭୋଟ୍‌ ବିକିବାକୁ କି ମିଛ କହିବାକୁ ସଂକୋଚ କରୁନାହାନ୍ତି ତାହାହେଲେ ସେ କାହିଁକି ସବୁକଥାର ପ୍ରତିବାଦ କରିବେ ?

 

କିନ୍ତୁ ଯେତେଥର ସେ ଏମିତି ନିଷ୍ପତ୍ତିଟିଏ ନିଅନ୍ତି, ସେତେଥର ନିଜେ ତାକୁ ବଦଳାନ୍ତି । ଏମିତି ଘଟଣାଟିଏ ଘଟେ, ଯାହା ତାଙ୍କର ଅଶୀ ବର୍ଷର ଦୁର୍ବଳ ଦେହ ଭିତରେ ବି ନିଆଁ ଗେଞ୍ଜିଦିଏ-। ଗଲାବର୍ଷ ସେମିତି ଘଟଣା ଘଟିଥିଲା । ଯୁବକ ସଂଘର ଗଣେଶ ପୂଜା ଘଟଣା ହଣାକଟା ଯାଏ ଯାଇଥିଲା । ଏମ୍‌.ଏଲ୍‌.ଏ.ଙ୍କଠାରୁ ପୂଜା ଚାନ୍ଦା ଆଣି କ୍ଲବ୍‌ ଟୋକାଏ ସ୍କୁଲଘରେ ଭୋଜି କଲେ, ମଦ ପିଇଲେ । ଯେଉଁ ସ୍କୁଲ ଘରକୁ ନରୋତ୍ତମ ନିଜ ଘରର ପୂଜାଘରଠୁଁ ଆହୁରି ପବିତ୍ର ମନରେ ତୋଳିଥିଲେ ସେଇଠି ତାଙ୍କରି ଗାଁର ପିଲାଏ ମଦ ମାଉଁସ ଖାଇଲେ । ପର ଝିଅବୋହୂଙ୍କ ସଂପର୍କରେ ରୁଚିହୀନ ମନ୍ତବ୍ୟ ଦେଲେ । ଶେଷକୁ ବିସର୍ଜନ ଆଗରୁ ଗଣେଶ ମୁଣ୍ଡ କାଟିଦେଇ ସ୍କୁଲ ଘରେ ଲୁଚେଇ ରଖିଲେ ।

 

ଏକଥା ଶୁଣିବା ଦିନ ନରୋତ୍ତମଙ୍କ ସର୍ବାଙ୍ଗରେ ନିଆଁ ଚରିଯାଇଥିଲା । ସେ ପୁଣିଥରେ ନିଜର ନିଷ୍ପତ୍ତି ବଦଳେଇଥିଲେ । ଆଲଣାରୁ ଫତେଇ କାଢ଼ି ପିନ୍ଧିଥିଲେ ଓ ଦରଖାସ୍ତ ଲେଖିଥିଲେ ଜିଲ୍ଲାପାଳଙ୍କୁ ।

 

କିନ୍ତୁ ସମୟେ ସମୟେ ନରୋତ୍ତମ ଭାଙ୍ଗିପଡ଼ନ୍ତି । ଅନ୍ୟମାନଙ୍କର ନିଷ୍କ୍ରିୟତା ତାଙ୍କୁ କଷ୍ଟ ଦିଏ । ମନରେ ସନ୍ଦେହ ହୁଏ, ସେ କଣ କିଛି ଭୁଲ୍‌ କରୁଛନ୍ତି କି ଗାଁ ଲୋକଙ୍କ ସ୍ୱାର୍ଥ ହାନି ହେଲା ପରି କିଛି କରିଯାଉଛନ୍ତି ! ନହେଲେ କେହି ତାଙ୍କୁ ସମର୍ଥନ କରୁନାହାନ୍ତି କାହିଁକି ?

 

ସେତେବେଳେ ବହୁତ ପଛରେ, ଗୋଟେ ଲମ୍ବା ପ୍ରଶ୍ନବାଚୀ ଚିହ୍ନ ଶେଷରେ କଳାବୁନ୍ଦା ପରି ଦି ତିନିଜଣ ଲୋକ ତାଙ୍କୁ ଦିଶନ୍ତି । ଦେଢ଼ ହଜାର ଲୋକଙ୍କ ଗାଁରେ ଏହି ତିନିଜଣ ତାଙ୍କର ସମର୍ଥକ ! ଏଇମାନଙ୍କୁ ନେଇ ତାଙ୍କର ଲଢ଼େଇ ଅବଶିଷ୍ଟ ଗାଁ ସହିତ !

 

ନରୋତ୍ତମ ବଡ଼ ପୋଖରୀ ହୁଡ଼ାରୁ ଫେରୁଥିଲେ । ସେପଟୁ ସୁଧାକର ଓ ମନୋଜ ଆସୁଥିଲେ । ନରୋତ୍ତମ ଭାବିଥିଲେ ପିଲା ଦୁହିଁଙ୍କୁ ଆଡ଼େଇ ଚାଲିଯିବେ । କିନ୍ତୁ ସେମାନେ ତାଙ୍କ ସହ କଥା ହେବା ପାଇଁ ଅପେକ୍ଷା କରୁଥିଲେ । ନରୋତ୍ତମ ମୁଣ୍ଡ ଉଠେଇ ପଚାରିଲେ, ‘କଣ କହିବ କି ସୁଧାକର ?’

 

ବିନା ଉପକ୍ରମଣିକାରେ ସୁଧାକର କହିଲା, “ଆଜି ରାତିରେ ସମସ୍ତେ ନଈବନ୍ଧକୁ ଉଠିଯିବେ । କେତେବେଳେ କଣ ହେବ କହିହେବ ନାହିଁ । ତଳ ମୁଣ୍ଡରେ ଯଦି କିଏ ଘାଇ କାଟିଦେବ ତାହାହେଲେ ଆମେ ଉପରମୁଣ୍ଡବାଲାଏ ଦାନାଟିଏ ବି ରିଲିଫ ପାଇବୁ ନାହିଁ ।”

 

: କ୍ଷୟକ୍ଷତି ଯଦି ନ ହେବ, ତାହାହେଲେ ରିଲିଫ୍‌ ଦରକାର କଣ ?

 

: ତମର ଦରକାର ଥାଇ ନପାରେ, ଆମର ଦରକାର । ଆମେ ଆମ କ୍ଲବ୍‌ ଘରଟାକୁ ପକ୍‌କା କରିବାକୁ ଚାହୁଁଛୁ ।

 

ତମେ ଦେଇପାରିବ ଆମକୁ ଅଶୀ ହଜାର ଟଙ୍କା ? –ମନୋଜ ପଚାରିଲା ।

 

: ଅଶୀ ହଜାର ! –ନରୋତ୍ତମ ଚମକି ପଡ଼ିଲେ ।

 

: କଣ ଚମକି ପଡ଼ିଲେ କି ? –ସୁଧାକର କଥାରେ ପ୍ରଚ୍ଛନ୍ନ ପରିହାସ ।

 

: ହଁ, ଚମକିପଡ଼ିଲି । ଟଙ୍କାଟା ବେଶି ନୁହେଁ, କିନ୍ତୁ କ୍ଲବ୍‌ ଘର ପାଇଁ ଏତେଗୁଡ଼ିଏ ଟଙ୍କା ଲାଗିବ ଶୁଣି ଚମକିପଡ଼ିଲି ।

 

ସୁଧାକର ଆଉ କିଛି କହିଥାଆନ୍ତା, କିନ୍ତୁ ମନୋଜ ତାକୁ କୁହାଇଦେଲା ନାହିଁ । ସୁଧାକର ଆଗକୁ ଚାଲିଆସି ସେ କହିଲା, “ଯାହା କରିବାର କଥା ଆମେ କରୁଛୁ । ତମେ ଏଥିରେ ମୁଣ୍ଡ ପୂରାଅ ନାହିଁ । ଯଦି ବେଶି ମୁଣ୍ଡ ପୂରେଇବ, ଗାଁ ମୁଣ୍ଡରେ ଘାଇ କାଟିଦେବୁ । ଯେତେବେଳେ ଅଧା ଗାଁ ଭାସିଯିବ, ସେତେବେଳେ ତମ ଗାନ୍ଧୀ ଗୋପବନ୍ଧୁ ଚେହେରା ବି ତା ସାଙ୍ଗରେ ଭାସିଯାଇ ସମୁଦ୍ରରେ ବୁଡ଼ିଯିବ । ବୁଝିପାରୁଛ ତ ?”

 

ଏଥର ସତକୁ ସତ ନରୋତ୍ତମ ଚମକିପଡ଼ିଲେ । ଏ ପିଲାଯୋଡ଼ିକ କଣ କହୁଛନ୍ତି ? ରିଲିଫ୍‌ ଟଙ୍କା ପାଇଁ ଏମାନେ ଗାଁକୁ ଭସେଇଦେବା କଥା ଚିନ୍ତା କରିପାରୁଛନ୍ତି! ଏମାନେ ମଣିଷ ନା ପିଶାଚ ?

 

ନରୋତ୍ତମ ମିଶ୍ର କହିଲେ, “ତୁମେମାନେ ସେମିତି କରନାହିଁ । ଏ ଗାଁ ଭାସିଗଲେ ଦୁଃଖୀରଙ୍କି ବରବାଦ ହୋଇଯିବେ । ଯଦି ଗାଁ ଗୋଟାକର ଲୋକେ ନଈବନ୍ଧକୁ ଉଠିଯିବା ଲାଗି ଚାହୁଁଛନ୍ତି ତାହାହେଲେ ଯାଆନ୍ତୁ, ମୁଁ କାହାକୁ କିଛି କହିବି ନାହିଁ; କିନ୍ତୁ ମୁଁ ଗାଁ ଛାଡ଼ି କୁଆଡ଼େ ଯିବି ନାହିଁ ।”

 

: ତମକୁ କିଏ କହୁଛି କି ? –ମନୋଜ ଗୋଟେ ଅବଜ୍ଞାର ଚାହାଣି ନରୋତ୍ତମଙ୍କ ଉପରକୁ ଫିଙ୍ଗିଦେଲା ଓ ସୁଧାକର ସାଙ୍ଗରେ ଚାଲିଗଲା ।

 

ସତକୁ ସତ ସଞ୍ଜ ନହେଉଣୁ ଗାଁ ଗୋଟାକର ଲୋକ ବଣଭୋଜିରେ ଯିବା ପରି ନଈବନ୍ଧକୁ ଉଠିଗଲେ । ମଟରସାଇକେଲ୍‌ରେ ବସି ସୁଧାକର ସମସ୍ତଙ୍କୁ ସେଠିକି ପଳେଇବା ପାଇଁ କହୁଥାଏ । ନରୋତ୍ତମ ନଈକୂଳକୁ ଯାଇ ଦେଖିଲେ, ପାଣି ବଢ଼ୁଛି ସିନା, ଏତେ ବିପଦ ନୁହେଁ । ପୂନେଇଁ ପହର ଚାଲିଗଲାଣି, ଏଣିକି ପାଣି ଖସିବ ।

 

କିନ୍ତୁ ସେକଥା ସେ କାହାକୁ କହିପାରିଲେ ନାହିଁ । କେହି ତାଙ୍କ କଥାକୁ ଅପେକ୍ଷା କରୁ ନଥିଲେ । ହରି ମହାନ୍ତି ଖବରକାଗଜ ଆଣି ଦେଖେଇଲେ, ନୂଆଗାଁ ଅଞ୍ଚଳ ପାଣି ଘେରରେ ବୋଲି ଖବର ବାହାରିଛି । ଯୁବନେତା ସୁଧାକର ଚେହେରା ସରକାରଙ୍କ ପାଖେ ଦାବି ଜଣାଇଛନ୍ତି, ମାସକ ପର୍ଯ୍ୟନ୍ତ ଏ ଗାଁରେ ରିଲିଫ୍‌ ଯୋଗାଇ ଦିଆଯାଉ ।

 

ନରୋତ୍ତମ ମିଶ୍ର ଅନେଇଲେ । ହରି ମହାନ୍ତି କହିଲେ, ‘ମୁଁ ସବୁ ଜାଣେ । କିନ୍ତୁ ଏ ସାପଙ୍କୁ ବିଶ୍ୱାସ ନାହିଁ । ଆପଣ ପଛେ ସହିଯାଆନ୍ତୁ, ଗାଁଟା ବଞ୍ଚିଯାଉ । ଟଙ୍କା ପାଇଁ ଏମାନେ ଘାଇ କାଟିଦେବା ଅସମ୍ଭବ ନୁହେଁ ।’

 

ଖବରକାଗଜରେ ଖବର ବାହାରିବା ପରଦିନ ।

 

ନରୋତ୍ତମ ସକାଳୁ ଉଠି ଗାଁ ମନ୍ଦିରକୁ ଯାଉଥିଲେ । ଗାଁ ଦାଣ୍ଡରେ ପଞ୍ଝାଏ କୁକୁର ଓ କୁକୁଡ଼ା । ସମସ୍ତେ କବାଟ ଆଉଜେଇ ନଈ ହୁଡ଼ାକୁ ଉଠିଯାଇଛନ୍ତି । ଭଅଁ ଭଅଁ କରି ହେଲିକପ୍ଟରଟିଏ ତାଙ୍କ ଗାଁ ଉପରେ ଉଡ଼ିଗଲା । ସେ ମନ୍ଦିର ପାଖରୁ ନଈ ବନ୍ଧକୁ ଅନେଇଲେ । ସାନ ସାନ ପିଲାଏ ନଙ୍ଗଳା ମୁକୁଳା ହୋଇ ହେଲିକପ୍ଟର ପଛେ ପଛେ ଦଉଡ଼ୁଛନ୍ତି । ତାଙ୍କ ପଛରେ ଗାଁର ମିଣିପେ ମାଇପେ । ହେଲିକପ୍ଟର ଥରେ ବଢ଼ିଲା ନଈ ଉପରେ ତ ଥରେ ଗାଁ ଉପର ଦେଇ ଉଡ଼ୁଛି । ଇଏ ରିଲିଫ୍‌ ହେଲିକପ୍ଟର ।

 

ପର ଆଗରେ ହାତ ପାତିବାକୁ ସବୁଠୁଁ ଲଜ୍ଜାକର କାମ ଭାବୁଥିବା ନରୋତ୍ତମ କିନ୍ତୁ ହେଲିକପ୍ଟରଟାକୁ ଦେଖି ଖୁସି ହେଲେ । କେତେବର୍ଷ ହେବ ଏତେ ପାଖରୁ ସେ ହେଲିକପ୍ଟରଟିଏ ଦେଖି ନ ଥିଲେ । ସେତେବେଳେ ତାଙ୍କ ଗାଁକୁ ରିଲିଫ୍‌ ଆସୁଥିଲା ଡଙ୍ଗା ନ ହେଲେ ଟ୍ରାକ୍ଟରରେ ।

 

ପୁଣିଥରେ ହେଲିକପ୍ଟରଟା ନଈବନ୍ଧ ଉପରେ ଉଡ଼ୁଥିଲା । ତାଙ୍କରି ଗାଁର ପିଲାଏ ପିନ୍ଧା ପେଣ୍ଟ ଖୋଲି, ବୟସ୍କମାନେ ଗାମୁଛା ହଲେଇ ଓ ଝିଅବୋହୂମାନେ ପଣତକାନି ପ୍ରସାରି ହେଲିକପ୍ଟର ପଛେ ପଛେ ଦଉଡ଼ୁଥିଲେ । ବେଶବାସ ପ୍ରତି ଭ୍ରୂକ୍ଷେପ ନାହିଁ, ମାନ ମର୍ଯ୍ୟାଦା ପାଇଁ ଶୋଚନା ନାହିଁ । ପାଣି ଚବର ଚବର ଧାନ କିଆରୀ, ହିଡ଼, କିଆବୁଦା, କଣ୍ଟାଝଣ୍ଟା ନ ମାନି ସେମାନେ ଦଉଡ଼ୁଥାନ୍ତି । ହେଲିକପ୍ଟର ପୁଡ଼ିଆ ଖସେଇବା କ୍ଷଣି ସେଥିରୁ ଗୋଟାଏ ଯୋଡ଼ାଏ ଆଗ ନିଜ ଘରକୁ ନେଇ ରଖି ଦେବାକୁ ହେବ । ତାପରେ ଯାହା ବଳକା ରହିବ ସେସବୁ ହେବ ଗାଁ ସମ୍ପତ୍ତି । ସୁଧାକର ଓ ଯୁବନେତାଙ୍କ ମାର୍ଫତରେ ସେସବୁ ସମାନ ଭାବେ ବଣ୍ଟାଯିବ ।

 

ଓଃ! ବିକଳ ଚିତ୍କାର କରି ତଳେ ପଡ଼ିଗଲେ ନରୋତ୍ତମ ମିଶ୍ର । ନଈବନ୍ଧ ଉପରେ ହାଉଯାଉ ଲୋକଙ୍କୁ ଦେଖି ନିରାପଦ ଜାଗା ଖୋଜୁଥିବା ହେଲିକପ୍ଟରଟି ମହାଦେବ ପୋଖରୀ ହୁଡ଼ା ଉପରେ ପକେଇ ଦେଇଥିଲା ଦଶ ବାରଟା ଖାଦ୍ୟପୁଡ଼ିଆ । ତାଆରି ଭିତରୁ ଗୋଟାଏ ପଡ଼ିଥିଲା ନରୋତ୍ତମଙ୍କ ମୁଣ୍ଡ ଉପରେ । କଣ ହେଲା ବୋଲି ଜାଣିବା ଆଗରୁ ନରୋତ୍ତମ ତଳେ ପଡ଼ିସାରିଥିଲେ ଅସାଡ଼ ହୋଇ ।

 

ଖାଦ୍ୟ ପୁଡ଼ିଆ ଲୋଭରେ ନଈବନ୍ଧ ଉପରୁ ଦଉଡ଼ି ଦଉଡ଼ି ଆସୁଥିବା ଲୋକ ମହାଦେବ ପୋଖରୀ ଆଡ଼ିରେ ପହଞ୍ଚି ସାରିଥିଲେ । ନିଜ ଦାୟିତ୍ୱ ଶେଷ କରି ହେଲିକପ୍ଟରଟା ବି ଉଡ଼ି ଚାଲିଯାଇଥିଲା ଆକାଶ ରାସ୍ତାରେ । ଚାଉଳ, ଚୁଡ଼ା, ପୁଡ଼ିଆ ସବୁ ଖେଳେଇ ପଡ଼ିଥିଲା ନରୋତ୍ତମଙ୍କ ଅସାଡ଼ ଦେହ ଚାରିପଟେ । କପାଳରୁ ଧାର ଧାର ରକ୍ତ ନିଗିଡ଼ି ପୋଖରୀ ଆଡ଼ିର ଓଦା ମାଟିକୁ ତିନ୍ତେଇ ଦେଉଥିଲା ।

 

ନରୋତ୍ତମ ମାଷ୍ଟରଙ୍କ ଉପରେ ରିଲିଫ୍‌ ବସ୍ତା ପଡ଼ିଗଲା–ବଣନିଆଁ ପରି ଏଇ କଥା ପଦକ ଗାଁ ସାରା ଖେଳିଗଲା । ମୁହୂର୍ତ୍ତକ ଭିତରେ ଗୋଟା ଗାଁ ସ୍ତବ୍ଧ ପାଲଟିଗଲା । କଣ କରାଯିବ, କଣ ନ କରାଯିବ କେହି ସ୍ଥିର କରିପାରିଲେ ନାହିଁ ।

 

ହରି ମହାନ୍ତି ଆସିଲା ପରେ ନରୋତ୍ତମଙ୍କ ଅସାଡ଼ ଦେହକୁ ଖଟିଆରେ ଶୁଆଇ ପୁଅ ସଂଜୟ ଡାକ୍ତରଖାନା ବାହାରିଥିଲା । କିନ୍ତୁ ସେତେବେଳକୁ ଅନେକ ଡେରି ହୋଇଯାଇଥିଲା । ନରୋତ୍ତମ ମିଶ୍ର ଆଖି ବୁଜି ଦେଇଥିଲେ ।

 

ହରି ମହାନ୍ତି ଗାଁ ଲୋକଙ୍କୁ କଣ କହିବାକୁ ଯାଉଥିଲେ କିନ୍ତୁ ଯୁବକ ସଂଘର କର୍ମୀ ଜଣେ କହିଲା, “ବୁଢ଼ା ବୟସରେ ମାଷ୍ଟ୍ରଙ୍କର ଏପରି ଲୋଭ କରିବା କଣ ଦରକାର ଥିଲା ? ସବୁଯାକ ନିଜେ ନେଇଯିବା ଲାଗି ବସିଲେ ଏଇ ଫଳ ହୁଏ... ।”

 

ହରି ମହାନ୍ତିଙ୍କ ଆଖିରୁ ନିଆଁ ଜଳୁଥିଲା । ସେ ପଛକୁ ଅନେଇଲେ । ଗୋଟାଏ ପଟେ ରିଲିଫ୍‌ ବସ୍ତାର କୁଢ଼ ଓ ଆରପଟେ ନରୋତ୍ତମଙ୍କ ନିର୍ଜୀବ ଦେହ । ସମସ୍ତଙ୍କର ଆଖି ରିଲିଫ୍‌ ବସ୍ତା ଉପରେ । ନରୋତ୍ତମ ମିଶ୍ରଙ୍କ ମଲା ଶବକୁ ଅନେଇ ଲାଭ କଣ ?

 

ସୁଧାକର ଥରେ ହରି ମହାନ୍ତିଙ୍କ ରାଗିଲା ମୁହଁ ଓ ଆଉ ଥରେ ଗାଁ ଲୋକଙ୍କ କ୍ରୁଦ୍ଧ ଚେହେରା ଉପରେ ନଜର ବୁଲେଇ ଆଣିଲା । ତାର ଚାଲାକ ଆଖି ମୁହୂର୍ତ୍ତକ ଭିତରେ ଲୋକଙ୍କ ମୁହଁର ଭାଷା ପଢ଼ିନେଲା । ନିଜକୁ ନିଜେ ମୁରବି ଆସନରେ ବସେଇଲା ପରି କହିଲା, “ନରୋତ୍ତମ ସାର୍‌ଙ୍କ ନାଁରେ କିଏ ଏମିତି ଅପବାଦ ଦେଉଛି ? ଯିଏ ଏପରି କହିଥିବ ସେ କେବେ ବି ଆମ ସଂଘର ସଭ୍ୟ ନୁହେଁ । ଦେବପ୍ରତିମ ଲୋକ ଥିଲେ ସେ । ଆମେ ସମସ୍ତେ ତାଙ୍କର ପୁଅ ପରି । ଏ ରିଲିଫ୍‌ ଚାଉଳରୁ କେହି ଦାନାଟିଏ ଉଠେଇବେ ନାହିଁ । ମାଷ୍ଟ୍ରଙ୍କର ଏଗାର ଦିନ ଭୋଜିରେ ଏଇ ଚାଉଳ ଖର୍ଚ୍ଚ ହେବ । ସେ ସମୁଦାୟ ଗାଁର ଚିନ୍ତା କରୁଥିଲେ । ଗାଁ ଲୋକେ ତାଙ୍କର ଅନ୍ତିମ ସତ୍କାର କଥା ବୁଝିବେ ।”

 

କିଛି କ୍ଷଣ ଆଗରୁ ସୁଧାକର ଓ ତାର ସ୍ତାବକମାନଙ୍କ ବିରୋଧରେ ଯେଉଁ କ୍ରୋଧ ପୁଞ୍ଜୀଭୂତ ହୋଇଥିଲା ମୁହୂର୍ତ୍ତକରେ ତାହା ଶୀତଳ ହୋଇଗଲା । କେଉଁଠି ସୋର୍‌ ଶବ୍ଦ ନାହିଁ । ନରୋତ୍ତମ ମିଶ୍ରଙ୍କ ପରିବାରର ବିଳାପ କେବଳ ରହି ରହି ଶୁଭୁଛି । ପବନ ସ୍ଥିର, ଗଛପତ୍ର ନିରବ । ସୁଧାକର ହଠାତ୍‌ ସାଧାରଣରୁ ଅସାଧାରଣ ହୋଇଯାଇଥିଲା ।

 

ଧଳା ଶାଢ଼ିର କାନି ଘୋଷାରି ଘୋଷାରି ବୁଢ଼ୀଟିଏ ଭିଡ଼ ଭିତରୁ ବାହାରି ଆସିଲା । ମୁଣ୍ଡବାଳ ଫୁରୁଫୁରୁ, ଆଖିର ଲୁହଦାଗ ଶୁଖିନାହିଁ । ଆଗେଇ ଯାଇ ସୁଧାକର ସାମ୍ନାରେ ଛିଡ଼ାହେଲା ବୁଢ଼ୀ ।

 

ସୁଧାକର ଚମକିପଡ଼ି କହିଲା, ‘ବୋଉ!’

 

: ଖବରଦାର୍‌, ଯଦି ମୋତେ ତୁ ‘ବୋଉ’ ବୋଲି ଡାକିଛୁ । ଯଉଁ ବୁଢ଼ା ମଣିଷ ଜୀବନସାରା ହାତପତା ରିଲିଫ୍‌ରୁ ବିରୋଧ କରୁଥିଲା, ତାଆରି ଏଗାର ଦିନ ଭୋଜି କରିବୁ ସଦାବର୍ତ୍ତିଆ ରିଲିଫ୍‌ ଚାଉଳରେ ? ତୁଇ ଏକା ଏ ଗାଁର ମରଦ ପୁଅ ! ବୁଢ଼ୀ ବୁଲିପଡ଼ି ହରି ମହାନ୍ତିଙ୍କୁ ଚାହିଁ କହିଲେ, ‘ନରୋତ୍ତମ ମାଷ୍ଟ୍ରଙ୍କ ଏଗାର ଦିନ ପାଇଁ ତାଙ୍କ ପରିବାର ଅନୁମତି ଦେଲେ ମୁଇଁ ପାପିନୀ ଗାଁ କଥା ବୁଝିବି । ଏମିତି କୁଳାଙ୍ଗାର ପୁଅର ମା ହିସାବରେ ମୋର ସେ ଅଧିକାର ନାହିଁ ଜାଣେ, କିନ୍ତୁ ପାପୀକୁ ତାର ପ୍ରାୟଶ୍ଚିତ୍ତ କରିବାକୁ ଟିକିଏ ଅବସର କଣ ମିଳିବ ନାହିଁ ?”

 

ସୁଧାକର ଏଭଳି ଏକ ଦୃଶ୍ୟ ପାଇଁ ପ୍ରସ୍ତୁତ ନ ଥିଲା ।

 

ସେ ମୁହଁ ବୁଲେଇ ଭିଡ଼ ଭିତରୁ ଖସିଗଲା ଓ ଦୂରରୁ ଦୂରକୁ ଚାଲିଗଲା । ଗାଁ ଲୋକେ ଆଗେଇ ଯାଇ ନରୋତ୍ତମ ମିଶ୍ରଙ୍କ ଦେହକୁ ଆଦରରେ ତୋଳି ନେଇ ତାଙ୍କ ଉପରେ ଧଳାଲୁଗା ଢାଙ୍କିଦେଲେ ।

 

ପଛରେ କାଦୁଅ ପାଣି ଓ ରକ୍ତ ଜୁଡୁବୁଡୁ ହୋଇ ରିଲିଫ୍‌ ବସ୍ତାଗୁଡ଼ିକ ସେମିତି ପଡ଼ିରହିଥିଲା !

☆☆☆

 

ଗାନ୍ଧି ଜୟନ୍ତୀ

 

ନୂଆଗାଁର ଯିଏ ଶୁଣିଲା, ସିଏ ଏଇ ନିଷ୍ପତ୍ତି ପାଇଁ ଯୁବକ ସଂଘର ପିଲାମାନଙ୍କୁ ପ୍ରଶଂସା କଲା । ନରୋତ୍ତମ ମିଶ୍ରଙ୍କ ପରଲୋକ ଘଟଣା ପରଠୁଁ ଯୁବକ ସଂଘଟା ଭାଙ୍ଗିଯାଇଥିଲା । ସେତେବେଳର ସଭାପତି ସୁଧାକର ବେହେରା ଓ କୋଷାଧ୍ୟକ୍ଷ ମନୋଜ ମହାନ୍ତି ଅନେକ ଦିନଯାଏ ନିରବ ହୋଇଯାଇଥିଲେ । ନରୋତ୍ତମ ମିଶ୍ରଙ୍କ ମୁଣ୍ଡ ଉପରେ ହେଲିକପ୍ଟରରୁ ପଡ଼ୁଥିବା ରିଲିଫ୍‌ ଚାଉଳ ବସ୍ତା ପଡ଼ିଗଲାରୁ ସେଇଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଇ ଘଟଣାରେ ଯୁବକ ସଂଘ ସଭାପତି ସୁଧାକରର କିଛି ହାତ ନଥିଲେ ବି ଦିହିଙ୍କ ଭିତରେ ମତାନ୍ତର ଯୋଗୁଁ ନରୋତ୍ତମ ମିଶ୍ରଙ୍କ ଅକାଳ ମୃତ୍ୟୁର ଦୋଷଟି ସୁଧାକର ଉପରେ ପଡ଼ିଥିଲା । ଗାଁ ଲୋକେ ଜାଣିଥିଲେ ଯେ ସୁଧାକର ଓ ତାଆରି କ୍ଲବ୍‌ର ଟୋକାଏ ମିଶି ନରୋତ୍ତମ ମିଶ୍ରଙ୍କ ପରି ଗାନ୍ଧିବାଦୀ ଲୋକ ନାଁରେ ବାର ପ୍ରକାର ଅପବାଦ ପ୍ରଚାର କରଉଥିଲେ ।

 

ତେବେ ସିଏ ଦି ବର୍ଷ ତଳର ଘଟଣା ହେଲାଣି ।

 

ଦି ବର୍ଷ ଭିତରେ ନୂଆଗାଁ ଯୁବକ ସଂଘର କର୍ମକର୍ତ୍ତା ବଦଳିଗଲେଣି । ସୁଧାକର ଏବେ ଉପଦେଷ୍ଟା । ମନୋଜ ମହାନ୍ତି ସଭାପତି । ନରୋତ୍ତମ ମିଶ୍ର ବଞ୍ଚିଥିଲାବେଳେ ଗାଁକୁ ବିଜୁଳି ଆଣିବା ଦିଗରେ ଯୁବକମାନେ କିଛି ଉଦ୍ୟମ କରୁନାହାନ୍ତି ବୋଲି ଅଭିଯୋଗ କରୁଥିଲେ । ଝଡ଼ିବଢ଼ି ଆସୁ ନ ଆସୁଣୁ ଗାଁ ଲୋକେ ଯାଇ ନଈବନ୍ଧ ଉପରେ ପଲା ମାରିବା କାମକୁ ସେ ନାପସନ୍ଦ କରୁଥିଲେ । ତାଙ୍କ ମୃତ୍ୟୁ ପରେ ଯୁବକ ସଂଘ ବିଜୁଳି ଲାଇନ ପାଇଁ ଦରଖାସ୍ତ ଲେଖିଛି । ତେବେ ଝଡ଼ିବଢ଼ି ଆସୁ ନଆସୁଣୁ ଘରଦୁଆରେ ତାଲା ପକେଇ ନଈବନ୍ଧ ଉପରକୁ ଉଠିଯିବା ଅଭ୍ୟାସ ଲୋକଙ୍କର ବଦଳି ନାହିଁ । ସେ ବିଷୟରେ କେହି କଥା ହେଲେ ଯୁବକ ସଂଘର କର୍ମକର୍ତ୍ତାମାନେ କହନ୍ତି, ଏଥିରେ ତାଙ୍କର ଦୋଷ ନାହିଁ । ଲୋକମାନେ ଚାହୁଁଛନ୍ତି, ସରକାରୀ ସାହାଯ୍ୟ ମିଳୁ । ସେମାନେ ବାଧା ଦେବେ କାହିଁକି ? ପୁଣି ନୂଆଗାଁ ଲୋକେ ହାତ ନ ପାତିଲେ କଣ ହେଲା, ସାରା ଓଡ଼ିଶାର ଲୋକେ ହାତ ପାତୁଛନ୍ତି । ଯିଏ ହାତ ନ ପତେଇବ ସିଏ ଉପାସ ରହିବ । ଏବେ ତ ସରକାରୀ ସାହାଯ୍ୟ ପାଇଁ ପୁରୀର ଜଗନ୍ନାଥ ଓ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ତ୍ରୀଙ୍କ ପାଖେ ଗୁହାରି କଲେଣି, ଲୋକଙ୍କ କଥା କାହିଁକି ପଡ଼ିଛି !

 

ଲୋକମାନେ ଏନେଇ ବେଶି କଛି କୁହନ୍ତି ନାହିଁ । ଗୋଟେ ଧାରଣା ସୃଷ୍ଟି ହୋଇଥିଲା ଯେ ପିଲାଏ ବଦଳୁଛନ୍ତି । ଗାଁର ସମୂହ ସ୍ୱାର୍ଥ ପାଇଁ ସେମାନେ ନିଶ୍ଚୟ ଅଣ୍ଟା ଭିଡ଼ିବେ ।

 

ଗାଁର ଯୁବକ ସଂଘକୁ ନରୋତ୍ତମ ମିଶ୍ରଙ୍କ ନାମରେ ନାମିତ କରିବା ନିଷ୍ପତ୍ତି ଲାଗି ସେମାନେ ପିଲାମାନଙ୍କୁ ଅଧକ ସାବାସି ଦେଉଥିଲେ ।

 

ଆଗକୁ ଗାନ୍ଧି ଜୟନ୍ତୀ । ସୁଧାକର ସଭ୍ୟମାନଙ୍କର ଜରୁରୀ ବୈଠକ ଡାକି କହିଲା, ‘ତମେମାନେ ଓଟ ଗପ ଜାଣିଛ ନା ନାହିଁ ? ରାଜସ୍ଥାନର ମରୁଭୂମିରେ ଓଟକୁ ଜାହାଜ ବୋଲି କହନ୍ତି । ବାଲିଝଡ଼ ଆସିବାର ଖବର ଓଟ ଆଗରୁ ଜାଣିପାରେ । ଝଡ଼ ଆସିଲେ ଓଟ ପେଟେଇପଡ଼ି ବାଲି ଭିତରେ ମୁହଁ ଗେଞ୍ଜିଦିଏ । ଝଡ଼ ଗଲା ପରେ ସେ ମୁହଁ ବାହାର କରେ । ଏ ଦି ବର୍ଷ ଜାଣ ଝଡ଼ର ବର୍ଷ ଥିଲା । ନରୋତ୍ତମ ମିଶ୍ର ଥିଲା ଆମର ପହିଲା ନମ୍ବର ଶତ୍ରୁ । ସେ ବୁଢ଼ାଟା ଥିବା ଯାଏ ଆମର କୌଣସି କଥା ସୁରୁଖୁରୁରେ ହୋଇପାରୁ ନଥିଲା । ତା ସାଙ୍ଗରେ ମିଶିଥିଲେ ହରି ମହାନ୍ତି ଆଉ ଆମ ବୁଢ଼ୀ । ସେଇଥିପାଇଁ ମୁଁ ସେଥର କିଛି କରିପାରିଲି ନାହିଁ ।’

 

ସଭାପତି ମନୋଜ ମହାନ୍ତି ଭାରି ଚାଇଁଆ । ସେ କହିଲା, ‘ଛାଡ଼ ସୁଧାଭାଇ, ସେ ପୁରୁଣା କଥାଗୁଡ଼ାକ ଘାଣ୍ଟି ଆଉ ଲାଭ କଣ ? ଏବେ ନୂଆ କଣ କରିବା କୁହ । ତମ ଆଖି ସିନା ଏମ୍‌.ଏଲ୍‌.ଏ. ଚଉକି ଉପରେ, ମୋର ତ ସୁପରକ୍ଲାସ୍‌ ଠିକାଦାରଟିଏ ହେବା ଇଚ୍ଛା । ଆଜି ନ ହେଲେ କାଲି ଏଇଠି ମନ୍ତେଇ ନଈ ଉପରେ ପୋଲ ହେବ । ସେତେବେଳକୁ ଯଦି ମୋର ଲାଇସେନ୍‌ସ ପକ୍‌କା ହେଇ ନ ଥିବ, ତାହାହେଲେ ତମେ ଆଉ ନେତା ହୋଇ ଲାଭ କଣ ?’

 

ସୁଧାକର କିଛି କହିଲା ନାହିଁ ।

 

ମନୋଜ କହିଲା, ‘ଗୋଟିଏ କଥାର ରହସ୍ୟ କିନ୍ତୁ ମୁଁ ଭେଦ କରି ପାରିଲି ନାହିଁ । ନରୋତ୍ତମ ମିଶ୍ର ବୁଢ଼ାଟା ନାଁରେ କ୍ଲବ୍‌ ନାଁ ବଦଳେଇବାର ରହସ୍ୟ କଣ ? ସେ ବୁଢ଼ାର ମତିଗତି ସାଙ୍ଗରେ ଆମର ତ କିଛି ମେଳ ଖାଉ ନଥିଲା ।’

 

ସୁଧାକର କହିଲା, ‘ତୁ ତୋ ବେପାର ବାବଦରେ ଚିନ୍ତା କର । ପଲିଟିକ୍ସ ବିଷୟରେ କିଛି ଜାଣିନୁ ତୁ । ନରୋତ୍ତମ ମିଶ୍ର ନାଁ ନେଇ କିଛି ଗୋଟେ ଆରମ୍ଭ ନ କରିଥିଲେ ଆମର ବେପାର ଆରମ୍ଭ ହୋଇପାରି ନଥାନ୍ତା । ସେଇଥିପାଇଁ ଏ ବ୍ୟବସ୍ଥା । ଆମର ସୁଖଦୁଃଖ ଯିଏ ବୁଝିବ, ତାଆରି ନାଁରେ କ୍ଲବ୍‌ ଗଢ଼ିବା । ଏ ବର୍ଷ ସିନା ଆମେ ନରୋତ୍ତମ ମିଶ୍ର ଯୁବ ସଂସଦ ନାଁ ରଖିଛନ୍ତି, ଆରଥରକୁ ସେଇଟା ହେବ ଏନ୍‌.ଏମ୍‌. ଯୁବ ସଂସଦ ।’

 

: ଏନ୍‌.ଏମ୍‌. ମାନେ ? –ଯୁବକ ସଂଘର ନୂଆ ସଦସ୍ୟ ଯଦୁନାଥ ପଚାରିଲା ।

 

: ବି.ପି. କଲେଜ ମାନେ ବିଜୁ ପଟ୍ଟନାୟକ କଲେଜ । ପୁରୀ ଗଲାବେଳେ ଗୋଟାଏ ଜାଗାରେ ସାଇନବୋର୍ଡ ଦେଖିଥିବୁ ବି.ଏଚ୍‌.କେ. ପୁର । ଦେଖିଛୁ ନା ନାହିଁ ? ସେଇ ଗାଁଟିର ଅସଲ ନାଁ ହେଲା ବୀରହରେକୃଷ୍ଣପୁର । ସେମିତି ଏନ୍‌.ଏମ୍‌.ର ଫୁଲ୍‌ଫର୍ମ ନରୋତ୍ତମ ମିଶ୍ର ।

: ଏମିତି କରିବାରେ ଲାଭ କଣ ?

: କମ୍‌ ଜାଗାରେ ଲେଖାଟା ହୋଇଯିବ, ବୁଝିଲୁ ?

କିନ୍ତୁ ଯଦୁନାଥ ଏକଥାକୁ ବିଶ୍ୱାସ କଲାନାହିଁ । ବିନା ମତଲବରେ ସୁଧାଭାଇ କିଛି କରନ୍ତି ନାହିଁ । ଦୈବକୂଟ ଯୋଗୁଁ ସେ ସିନା ଏମିତିକା ଗୋଟେ ଅପାଣ୍ଡବା ଗାଁରେ ଜନ୍ମ ହୋଇପଡ଼ିଲେ ! କଟକ, ଭୁବନେଶ୍ୱର, ଦିଲ୍ଲୀ କି ବମ୍ବେରେ ଜନ୍ମ ହୋଇଥିଲେ ଏତେବେଳକୁ ନେସନାଲ୍‌ ଲେଭ୍‌ଲ୍‌ରେ ଲିଡର ହୋଇସାରନ୍ତେଣି ! ତାଙ୍କର ବାବୁରିବାଳ ଢଙ୍କା ମୁଣ୍ଡଟା ଗୋଟାଏ ସୁପର୍‌ କମ୍ପ୍ୟୁଟର ।

ସୁଧାକର ହସି ହସି କହିଲା, “ଯଦୁନାଥ ଆମର ଭାରି ଅନୁସନ୍ଧିତ୍ସୁ । କିରେ ଶାସ୍ତ୍ର କହିଲା, ବିଶ୍ୱାସେ ମିଳଇ କୃଷ୍ଣ, ତର୍କେ ବହୁ ଦୂର । ସବୁ କଥାରେ ତର୍କ ଶୋଭାପାଏ ନାହିଁ । ତୁ ଖାଲି ମୋ ଉପରେ ବିଶ୍ୱାସ ରଖିଯାଆ ।”

ଯଦୁନାଥ ଯୁକ୍ତ ଦୁଇରେ ପଢ଼ିବା ପାଇଁ ଆଡ୍‌ମିସନ୍‌ ନେଇଥିଲା । କିନ୍ତୁ ଛଅ ମାସ ପରେ ତାକୁ ସେ କଲେଜର ଲେକ୍‌ଚରର କି ଟେବୁଲ୍‌ ଚଉକି କିଛି ଭଲ ଲାଗିଲା ନାହିଁ । ସେହିଦିନୁ ଘରେ ଖାଇଦେଇ ଆସି ଯୁବକ ସଂଘରେ ହାଜର । ସେ ପଚାରିଲା, “ଏନ୍‌.ଏମ୍‌.ଟା ଟିକେ ଇଂରାଜିଆ ଶୁଭୁଛି, ଗାଁ ବାଲାଙ୍କୁ ବୁଝିବାଲାଗି ସମସ୍ୟା ହେବ ନାହିଁ ?”

: ଆରେ ହେଉ । ଟିକିଏ ସମସ୍ୟା ହେଲେ ହେବ । କିନ୍ତୁ ଶୁଣ୍‌, କିଛିଦିନ ଗଲାପରେ ଆମେ ‘ଏନ୍‌.ଏମ୍‌. ଯୁବକ ସଂଘ’ର ନାଁଟାକୁ ପୁଣି ବଦଳେଇ ‘ନୂଆଗାଁ ମଡର୍ଣ୍ଣ ଯୁବକ ସଂଘ’ କରିଦେବା । ତା ଭିତରେ ଖାଲି ନରୋତ୍ତମ ମିଶ୍ର ନାଁରେ କିଛି ଗୋଟାଏ ସ୍କାଣ୍ଡଲ ବାହାରିଯିବା ଦରକାର !

: ସ୍ୟାଣ୍ଡଲ କଣ ହେବ ? –ଯଦୁନାଥ ପଚାରିଲା ।

: ସ୍ୟାଣ୍ଡଲ ନୁହେଁ ବେ ସ୍କାଣ୍ଡାଲ । –ମନୋଜ ଉହୁଙ୍କି ଆସିଲା । କହିଲା, “ଏଇଥିପାଇଁ ତ ମାଟ୍ରିକ୍‌ରେ ପଇଁତିରିଶ ପର୍ସେଣ୍ଟ ନମ୍ବର ରଖିଥିଲୁ । ଖବରକାଗଜ ପଢୁନୁ, ଆଁ ? ମନ୍ତ୍ରୀ, ସେକ୍ରେଟେରୀଙ୍କ ନାଁରେ ସମୟେ ସମୟେ ଅପବାଦ ଖବର ଉଠୁନାହିଁ ! ସେଇଟାକୁ କହନ୍ତି ସ୍କାଣ୍ଡାଲ ।”

ଯଦୁନାଥର ମୁଖମଣ୍ଡଳ ପ୍ରଥମେ ଝାଉଁଳି ପୁଣି ଟିକକ ପରେ ଉଜ୍ଜଳି ଉଠିଲା ।

ସୁଧାକର କହିଲା, ‘ଥାଉ ମନୋଜ, ପିଲାଟାର ମୁଣ୍ଡକୁ ବେଶି ଭାରାକ୍ରାନ୍ତ କର ନାହିଁ । ସାନ ପିଲା, ଧୀରେ ଧୀରେ ସବୁ ବୁଝିଯିବ ।’

ଯଦୁନାଥ ଗଲାପରେ ସୁଧାକର କହିଲା, ‘ସବୁ ମେମ୍ବରଙ୍କର ଗୋଟେ ବୈଠକ ଡାକ । ସେଇ ବୈଠକ ଦିନ ଗୋଟେ ବଡ଼ ଭୋଜି ହେବ । ଅନେକ ଦିନ ହେଲା ପିଲାଏ ଭୋକରେ ଆଉଟି ପାଉଟି ହେଲେଣି । ସେମାନଙ୍କ ପିଛେ କିଛି ଖର୍ଚ୍ଚ ନକଲେ ସେମାନେ ବୋଲ ମାନିବେ ନାହିଁ । ଗାନ୍ଧି ଜୟନ୍ତୀ ସଭାର ସଫଳତା ଉପରେ ମୋର ଓ ତୋର ଭବିଷ୍ୟତ ନିର୍ଭର କରୁଛି । ମନ୍ତ୍ରୀ ‘ଇମ୍ପ୍ରେସ୍‌ଡ’ ହେବା ଦରକାର ।’

 

ମନୋଜ ବେପାରୀ ପୁଅ । ଭୋଜି କଥା ଶୁଣି ତା ମୁହଁ ଶୁଖିଗଲା । କହିଲା, ‘ଏବେ ତ କ୍ଲବ୍‌ ଆକାଉଣ୍ଟରେ ଟଙ୍କା ଶହେଟା ପଡ଼ିଥିବ । ୟାଙ୍କ ଭିତରୁ କେହି ତ ସାଢ଼େ ସାତଶହ ଗ୍ରାମ୍‌ ସାଗୁଆତି ଆଉ ପାଁଶହ ଗ୍ରାମ ଅନ୍ନରୁ କମ୍‌ ଠୁଙ୍କିବେ ନାହିଁ ! ଅର୍ଥ ଆସିବ କୁଆଡ଼ୁ ?’

 

ସୁଧାକର କହିଲା, ‘ତମ ସେକ୍ରେଟେରୀ କଣ କରୁଛନ୍ତି କି ? ତାଙ୍କ ସାଙ୍ଗେ ପରାମର୍ଶ କରୁନ ?’

 

ମନୋଜ ହସିଲା । ନରୋତ୍ତମ ମିଶ୍ରଙ୍କ ପୁଅ ସଂଜୟକୁ ବହୁ କୁହାବୋଲା କରି ସୁଧାକର ଏ ଯୁବକ ସଂଘର ସେକ୍ରେଟେରୀ ହେବା ପାଇଁ ରାଜି କରେଇଛି । କିନ୍ତୁ ସେ ପଦବି ନେଲାଦିନୁଁ ସଂଜୟ ଥରୁଟେ ବି କ୍ଲବ୍‌ ଘରକୁ ଆସିନାହିଁ । ବାପ ପରି ପୁଅ । କାହାକୁ ମୁହଁ ହୁଡ଼ି କିଛି ପଦେ କହିବ ନାହିଁ କି ଅନ୍ୟାୟକୁ ସମର୍ଥନ କରିବ ନାହିଁ । ତା ନାଁଟିକୁ ସୁଧାକର ବ୍ୟବହାର କରୁଛି, ଗୋରୁମୁଣ୍ଡ ଥାପିଲା ପରି । କହିଲା, “ସିଏ ତ ଜମା ପଦ୍ମତୋଳା ଶୁଣୁନାହିଁ !”

 

: ହଉ, ହଉ । ଭୋଜି ପାଇଁ ଟଙ୍କାର ବ୍ୟବସ୍ଥା ମୁଁ କରିବି । ତୁମେ କିନ୍ତୁ ସଂଗଠନ କଥା ବୁଝ । ଗାନ୍ଧି ଜୟନ୍ତୀଟା ଫୁଲ୍‌ ଦମ୍‌ରେ ଯେମିତି ହେବ । ଏ ଅଞ୍ଚଳ ଲୋକଙ୍କ ଆଖି ଖୋସି ହୋଇଯିବା ଦରକାର ।

 

: କିନ୍ତୁ ସେମିତିକା ଫଙ୍କ୍‌ସନ୍‌ ପାଇଁ ତ ଲକ୍ଷେଠୁଁ କମ୍‌ ଟଙ୍କା ଲାଗିବ ନାହିଁ ? –ମନୋଜ କହିଲା ।

 

: ଲକ୍ଷେ ନୁହେଁ ଦି ଲକ୍ଷ । ଲକ୍ଷେ ତ ଖର୍ଚ୍ଚ ହୋଇଯିବ । ଆମେ କଣ ଶୁଖିଲାଟାରେ ପାଣି ବାଡ଼େଇବା ନା କଣ ? ଆଁ !

 

ଏତେ କଥା ଭିତରେ ଏଇ ପଦଟି ମନୋଜକୁ ସୁଖ ଲାଗିଲା । ଦି ବର୍ଷ ହେଲା କୌଣସି ଆୟ ନାହିଁ । ଆଗରୁ ଦି ତିନି ବର୍ଷରେ ଇଲେକ୍ସନ୍‌ ହେଉଥିଲା, ଲାଭ ହେଉଥିଲା । ଯେଉଁଦିନଠୁଁ କେନ୍ଦ୍ର ଆଉ ରାଜ୍ୟରେ ସ୍ଥିର ସରକାର ବସିଗଲାଣି, ସେହିଦିନୁ ସେମାନଙ୍କ ସଂଗଠନ ଅସ୍ଥିର ହୋଇଗଲାଣି! ଟଙ୍କା ନ ଆସିଲେ ଗାଡ଼ି ଗଡ଼ିବ କେମିତି ? ଆସ୍ତେ ଆସ୍ତେ ଟୋକାଏ ଅନ୍ୟ ଆଡ଼କୁ ମୁହେଁଇଲେଣି । ବର୍ଷକରେ ଯାହା ଗଣେଶ, ସରସ୍ୱତୀ ହୋଇ ଦିଇଟା ପୂଜା ହେଉଛି । ସେ ବାବଦରେ ଆସୁଥିବା ଚାନ୍ଦା କିନ୍ତୁ ତିନି ମାସରେ ଖତମ୍‌ ।

 

ସୁଧାକର କହିଲା, ‘ଅନାବାଦୀ ଜମିରେ କ୍ଲବ୍‌ର ସ୍ଥାୟୀ ଘର କରିବା । ସାମ୍ନାକୁ ଗୋଟେ ମନ୍ଦିର ହେବ । ପଛପଟକୁ କ୍ଲବ୍‌ । ମନ୍ଦିର ଦି କଡ଼ରେ ପାଞ୍ଚଟା ଲେଖାଏଁ ଦୋକାନ ଘର । ଏନ୍‌.ଏମ୍‌. ଯୁବ ସଂସଦ ଏସବୁ କଥା ବୁଝିବ । ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ଫଳକଟା ଲାଗିଲା ପରେ ବାକି କଥା ମୁଁ ବୁଝିବି । ଯୁବ ସଂସଦର ସ୍ଥାୟୀ ଉପାର୍ଜନ ପାଣ୍ଠି ନ ରହିଲେ ଆମେ ସଂଗଠନ ଚଳେଇ ପାରିବା ନାହିଁ । ଏବେ ବି ତାୱା ଗରମ ଅଛି । ସଂଜୟଟା ଯଦି ସେ ଚେଁଚେଁଇଆ ହରି ମହାନ୍ତିଙ୍କୁ ଧରି କିଛି ଗୋଟାଏ କରିବସେ ତାହେଲେ ଆମର ମହୁଫେଣା ଭାଙ୍ଗିଯିବ ।’

 

: ସେଇଥିପାଇଁ ତ ମୁଁ ତାକୁ ଗୋଡ଼େ ଗୋଡ଼େ ଜଗିଛି । –ମନୋଜ କହିଲା ।

 

ସେମାନେ ମହାଦେବ ପୋଖରୀ ଆଡ଼ିରେ ବସିଥିଲେ । ବେଳ ରତରତ । ପୋଖରୀ ପାଣିରେ କୁନିକୁନି ଲହଡ଼ି ।

 

ମନୋଜ ତା ମଟର ସାଇକେଲ୍‌ ଷ୍ଟାର୍ଟ କଲା ପୂର୍ବରୁ ଡାକିଲା, ‘ଆଜି ଟିକେ କିଛି ବ୍ୟବସ୍ଥା କରିବି କି ?”

 

: ବର୍ଷା ପାଗଟା ଯାହା ହେଇଛି, ଟିକେ କଣ ହେଲେ ଭଲ ହୁଅନ୍ତା ।

 

: କଣ ଦେଶୀ ନା ବିଲାତି ? ଗାନ୍ଧି ତ ସ୍ୱଦେଶୀ କଥା ବେଶି କହୁଥିଲା ।’ ପୁଣି ଟିକିଏ ରହି ସେ କହିଲା, ‘ହଉ, ହଉ ବିଲାତି ଜିନିଷ ମଗେଇଦେବି । କିନ୍ତୁ ଭୋଜି ଖର୍ଚ୍ଚଟା କାହାଠୁଁ ଉଠେଇବା, ସେ କଥା ତ... ?’

 

: କହିଲି ପରା, ସେ କଥା ମୁଁ ବୁଝିବି । ତୁ ଯା, ଆଠଟା ବେଳକୁ ମୁଁ କ୍ଲବ୍‌ ଘରେ ପହଞ୍ଚିଯିବି-। ବେହେରା ଘର ବୁଢ଼ୀ ପାଖରେ ବଢ଼ିଆ ଦେଶୀ ଗଞ୍ଜାଟେ ଅଛି । ସେଇଟା ଆଣିଲେ, ଆମ ଚାରି ପାଞ୍ଚ ଜଣଙ୍କର କାମ ଚଳିଯାଆନ୍ତା । ଦେଶୀ ଆଉ ବିଦେଶୀର ପଞ୍ଚ୍‌... ।

 

ମନୋଜ ଇସାରାର ଅର୍ଥ ବୁଝି ହସିଦେଲା ।

 

ଦୁଇ

 

ପାଟପୁରର ଜଣାଶୁଣା ମଦ ବ୍ୟବସାୟୀ ସୁର ରାଉତ ଯେତେବେଳେ ଶୁଣିଲେ ଯେ ନୂଆଗାଁର ଯୁବନେତା ସୁଧାକର ବେହେରା ତାଙ୍କୁ ଭେଟିବାଲାଗି ଆସିଛି ସେତେବେଳେ ସେ ବେଶି ଆଶ୍ଚର୍ଯ୍ୟ ହେଲେ ନାହିଁ । ନିଜ ବିଷୟରେ ତାଙ୍କର ବହୁତ ଉଚ୍ଚ ଧାରଣା ନଥିଲେ ବି ସେ ଯେ ଏ ଅଞ୍ଚଳର ଅନ୍ୟତମ ଧନୀ ଲୋକ, ଏ ନେଇ ତାଙ୍କର ସନ୍ଦେହ ନଥିଲା । ସେହି ଖାତିରରେ ଅନେକ ଲୋକ ତାଙ୍କ ଦୁଆରକୁ ଆସନ୍ତି । କିନ୍ତୁ ତାଙ୍କୁ ଯେତେବେଳେ ଗାନ୍ଧୀ ଜୟନ୍ତୀ ସଭାର ସମ୍ମାନିତ ଅତିଥି ଭାବେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରାଗଲା, ସେତେବେଳେ ସେ ପ୍ରକୃତରେ ଆଶ୍ଚର୍ଯ୍ୟ ହେଲେ ।

 

ସୁଧାକରକୁ ଚା, ବିସ୍କୁଟ୍‌ ଦେବା ଉତ୍ତାରେ ସୁର ରାଉତ କହିଲେ, “ମୁଁ ଗାନ୍ଧି ଜୟନ୍ତୀ ସଭାକୁ ଯିବାଟା କଣ ସୁନ୍ଦର ହେବ ? ଯେତେହେଲେ ବି ମୁଁ ତ ମଦ ବେପାରରେ...’

 

ତାକୁ କଥା ସାରିବାକୁ ନଦେଇ ସୁଧାକର କହିଲା, “ଥିଲେ, ଏବେ ତ ଆପଣଙ୍କର ପିଲାମାନେ ସେ ବେପାର ବୁଝୁଛନ୍ତି । ମଦ ବ୍ୟବସାୟୀ ମୋହରଟା କଣ ସବୁବେଳେ ଆପଣ ସାଙ୍ଗରେ ଧରି ବୁଲୁଥିବେ ?”

 

ପୋଖତ ବ୍ୟବସାୟୀ ସୁର ରାଉତ ସୁଧାକର କଥାର ମଞ୍ଜି ଠଉରେଇ ପାରିଲେ ନାହିଁ । ସେ ଟିକେ ସଳଖ ହୋଇ ଚାହିଁଲେ । ବତିଶ, ତେତିଶ ବର୍ଷର ଶାବନା ଯୁବକ । ବେକରେ ସୁନା ଚେନ୍‌ଟିଏ ପକେଇଛି । ପିନ୍ଧିଛି ଖଦଡ଼ ପଞ୍ଜାବୀ, ଚୁଡ଼ିଦାର । ମୁଣ୍ଡରେ ବାବୁରି ବାଳ । ଖୁବ୍‌ ସାଧାରଣ ଜଣାପଡ଼ୁଛି ଟୋକାଟିର ଚେହେରା । କିନ୍ତୁ ତା କଥାଗୁଡ଼ାକ କାହିଁକି ଅବୁଝା ଲାଗୁଛି ?

 

ସୁଧାକର ସୁର ରାଉତଙ୍କୁ ଅଧିକ କାଳ ଦ୍ୱିଧାରେ ରଖିବାକୁ ଚାହୁଁ ନ ଥିଲା । ସେ କହିଲା, ‘ଆପଣ ତ ମୋଠାରୁ ଅଭିଜ୍ଞ ଲୋକ । ଆପଣ କଣ ଜାଣନ୍ତି ନାହିଁ ଯେ ସମୟ ସାଙ୍ଗରେ ମଣିଷର ପରିଚୟ ବି ବଦଳି ବଦଳି ଚାଲେ ? କନିକା ଜମିଦାର ଦିନେ ଅତ୍ୟାଚାରୀ ଶାସକ ଥିଲେ-। ତାଙ୍କ ପିଆଦାମାନଙ୍କ ଭୟରେ ଏ ଅଞ୍ଚଳରେ ତାଟିକବାଟ ପଡ଼ିଯାଉଥିଲା । ଚଉଷଠି କର ବ୍ୟବସ୍ଥା ଥିଲା କନିକା ଅଞ୍ଚଳରେ । ଜଳକର, ଫଳକର, ଖଳା କରଠୁଁ ନେଇଁ ବାଛୁରୀ ଖାସୁ କଲେ କର, ଏପରିକି ନୂଆ ବାହାହେଲା ସ୍ୱାମୀ-ସ୍ତ୍ରୀଙ୍କଠାରୁ ମଧୁଶଯ୍ୟା କର ବି ଆଦାୟ କରାଯାଉଥିଲା-। ଏବେ କଣ ରାଜାଙ୍କର ସେ ପରିଚୟ ଆଉ ଅଛି ? ଏବେ ତ ରାଜାଙ୍କ କଥା ପଡ଼ିଲେ ସେ ମିଷ୍ଟର ଦାସଙ୍କ ସହଯୋଗୀ ଥିଲେ ବୋଲି ପରିଚୟ ଦିଆଯାଏ । ବନ୍ୟା କମିଟିର ଚେୟାରମ୍ୟାନ୍‌ ପରିଚୟ କଥା ଆଲୋଚନାକୁ ଆସେ । ସେମିତି ଆପଣଙ୍କ ପରିଚୟ ବି ବଦଳିଯିବ । ମଦ ବ୍ୟବସାୟ ତ ଖରାପ ବ୍ୟବସାୟ ନୁହେଁ । ଏହି ବ୍ୟବସାୟ ପାଇଁ ସରକାର ଲାଇସେନ୍‌ସ ଦେଇଛନ୍ତି । ଅବକାରୀ ଟିକସରୁ ଓଡ଼ିଶା ପାଉଛି ପାଖାପାଖି ପାଞ୍ଚଶହ କୋଟି ଟଙ୍କା । ସେଇ ଟଙ୍କାରେ ଡାକ୍ତରଖାନା ବସୁଛି, ସ୍କୁଲ ବସୁଛି, ପିଲାଏ ପାଠ ପଢୁଛନ୍ତି ।”

 

ସୁର ରାଉତ ପ୍ରଶଂସା ଦୃଷ୍ଟିରେ ସୁଧାକରକୁ ଚାହୁଁଥିଲେ । ଏତେ କମ୍‌ ବୟସର ଟୋକାଟା ମୁଣ୍ଡରେ କେତେ ବୁଦ୍ଧି !

 

ସେ କହିଲେ, ‘ଠିକ୍‌ ଅଛି । ତୁମେମାନେ ଯେତେବେଳେ କହୁଛ, ମୁଁ ଯିବି । କିନ୍ତୁ ମନ୍ତ୍ରୀଙ୍କୁ ଏକଥା କହିଛ ତ ? ତାଙ୍କ ଭାବମୂର୍ତ୍ତି... !’

 

: ମନ୍ତ୍ରୀ ପରା ତାଙ୍କ ଆଡ଼ୁ ଆପଣଙ୍କ ନାଁ ପ୍ରସ୍ତାବ ଦେଲେ ।

 

ସୁର ରାଉତଙ୍କୁ ଚମକେଇ ଦେବା ପାଇଁ ସୁଧାକର ଏମିତି ଗୋଟେ ମଉକା ସତେ ବା ଖୋଜୁଥିଲା !

 

ସୁର ରାଉତ ଆଉ କିଛି କହିପାରିଲେ ନାହିଁ । ବେଶି ମିଠା ଖାଇଦେଲେ ଯେମିତି ପାଟି ବାନ୍ଧି ହୋଇଯାଏ, ସୁଧାକରର କଥାଗୁଡ଼ା ସେମିତି ତାଙ୍କ ମୁହଁ ବାନ୍ଧି ଦେଇଥିଲା । ସେ କହିଲେ, ‘ହଉ, ମୁଁ ଯିବି । କିନ୍ତୁ ମନଟା କାହିଁକି ଟିକିଏ ପଛଉଛି । ମୁଁ ଆଉ ଗାନ୍ଧି ଜୟନ୍ତୀ !’

 

: ପୁଣି ସେ ପୁରୁଣା କଥା କାହିଁକି ଉଠଉଛନ୍ତି ? ସବୁଦିନେ କଣ ଆପଣଙ୍କ ପ୍ରତିଭା ଏଇ ପାଟପୁର ଅଞ୍ଚଳ ଭିତରେ ସୀମିତ ହୋଇ ରହିଥିବ ? ମନ୍ତ୍ରୀ ତ ଆପଣଙ୍କ ନାଁ ରାଜ୍ୟସଭା ପାଇଁ...

 

ଫେଁ କିନା ହସିଦେଲେ ସୁର ରାଉତ । ତାଙ୍କ ପାଟିରୁ ପାନପିକ ପୁଳାଏ ବାହାରି ଆସି ଧୋବଫରଫର ଜାମାଟାକୁ ପିଚ୍‌କାରି ମାରିଲା ପରି ରଙ୍ଗେଇ ଦେଲା । ସେ ବଡ଼ କଷ୍ଟରେ ହସ ସମ୍ଭାଳି କହିଲେ, “ତୁମେ ମୋ ବାବଦରେ ବୋଧହୁଏ ବେଶି କିଛି ଜାଣିନାହଁ । ହଉ, କେତେ ଟଙ୍କା ଚାନ୍ଦା ଦେବି ।”

 

ସୁଧାକରର ଅସଲ ଉଦ୍ଦେଶ୍ୟ ଅବଶ୍ୟ ଚାନ୍ଦା ସଂଗ୍ରହ ଥିଲା । କିନ୍ତୁ ଏମିତି ସିଧାସଳଖ କଥାଟି ଉଠେଇ ସୁର ରାଉତ ତାକୁ ଅପ୍ରସ୍ତୁତ କରି ଦେଇଥିଲେ । ନିଜକୁ ପ୍ରସ୍ତୁତ କରିବା ପାଇଁ ସେ କିଛି ସମୟ ଲୋଡ଼ୁଥିଲା । ସେଇଥିପାଇଁ ସେ ସୁର ରାଉତଙ୍କ ଉପରୁ ନଜର ହଟେଇ ତାଙ୍କ ଡ୍ରଇଂରୁମ୍‌ର ଆସବାବପତ୍ର ଆଡ଼େ ଚାହୁଁଥିଲା ।

 

ସୁର ରାଉତଙ୍କ ପସନ୍ଦ ପ୍ରଶଂସାଯୋଗ୍ୟ । ପ୍ରଶସ୍ତ ଡ୍ରଇଂରୁମ୍‌ରେ ଶାଗୁଆନ୍‌ କାଠର ଟେବୁଲ୍‌, ଚଉକି । ଚଟାଣରେ ହାଲୁକା ରଙ୍ଗର କାର୍ପେଟ୍‌ । କାନ୍ଥରେ ବି.ବର୍ମାଙ୍କ ପେଣ୍ଟିଂ । ଉପରକୁ ଭାରତ ମାନଚିତ୍ର ଆକୃତିର କାନ୍ଥଘଣ୍ଟା । ପଙ୍ଖା ଓ ଲାଇଟ୍‌ର ଚେହେରା ବାଛିବାରେ ବି ପସନ୍ଦ ବାରି ହୋଇପଡ଼ୁଥିଲା ।

 

ସୁର ରାଉତ ଆଉ ଥରେ ପଚାରିଲେ, “କିଛି କହିଲ ନାହିଁ ଯେ !”

 

: ଆପଣଙ୍କ ପରି ବିଶିଷ୍ଟ ଲୋକଙ୍କୁ କଣ କହିବି ? ମନ୍ତ୍ରୀ ଆସିବେ, ସଭା ହେବ । ଏଇଟା ତାଙ୍କ ପତିଆରା ପ୍ରତିଷ୍ଠା ପାଇଁ ଗୋଟେ ସୁଯୋଗ । ତା ଆଗରୁ ସଂଗଠନ ପାଇଁ ତ ଖର୍ଚ୍ଚ କରିବାକୁ ହେବ । ଆଉ ଆଜିକାଲିକା ଯୁଗ କଥା ଆପଣ ଜାଣନ୍ତି ।

 

: ଯୁଗ ସବୁବେଳେ ସମାନ ଥିଲା ବାବୁ ! ଯୁଗକୁ ଦୋଷ ଦେଇ ଲାଭ ନାହିଁ । ମୋତେ ପଚାରିଲେ ମୁଁ କହିବି ଲୋକ ବଦଳିଯାଆନ୍ତି, ଯୁଗ ବଦଳେ ନାହିଁ ।

 

: ଆପଣ ଯାହା ଠିକ୍‌ ଭାବିବେ... ।

 

‘ହଉ’ –କହି ସୁର ରାଉତ ଭିତର ଘରକୁ ଉଠିଗଲେ । ଫେରିବା ବେଳକୁ ତାଙ୍କ ହାତରେ ଗୋଟେ ନୋଟ୍‌ ବଣ୍ଡଲ ଥିଲା । କହିଲେ, “ଏତକ ନେଇ କାମ ଚଳାଅ । ସଭାଦିନ ଆଉ ଯାହା ପଠେଇବା କଥା ପଠେଇବି ।”

 

ସୁଧାକର ନୋଟ୍‌ ବଣ୍ଡଲକୁ ତା ହ୍ୟାଣ୍ଡବ୍ୟାଗ୍‌ରେ ଭର୍ତ୍ତି କରି ଉଠିଲା । ସୁର ରାଉତ ବି ଉଠିଲେ ।

 

ରାସ୍ତା ଉପରକୁ ଉଠି ଆସିବା ପରେ ସୁଧାକର ଗୋଟେ ନିରୋଳା ଜାଗା ଖୋଜିହେଲା, ଯେଉଁଠି ଟଙ୍କାଗୁଡ଼ାକ ଗଣି ପାରିବ । ସୁର ରାଉତଙ୍କ ଆଗେ ଟଙ୍କା ଗଣିବସିବା ଛୋଟଲୋକି ହୋଇଥାନ୍ତା । ଏଣେ ଯୁବକ ସଂଘ ଯାଏ ସବୁ ଟଙ୍କା ନେବାଲାଗି ସେ ଚାହୁଁ ନଥିଲା ।

 

ପାଟପୁର ବଜାର ଗଡ଼ାଣି ପାଖରେ ଗୋଟେ ଚା ଦୋକାନ । ତାକୁ ଦେଖୁ ଦେଖୁ ଦୋକାନୀ ଡାକ ଛାଡ଼ିଲା, “ଆଜ୍ଞା ନମସ୍କାର ! ଆମ ଆଡ଼କୁ ବାଟ ତ ବାବୁ ପୂରା ଭୁଲିଗଲେଣି !”

 

ସୁଧାକର ତା ମୋଟର ସାଇକେଲ୍‌କୁ ନେଇ ଚା ଦୋକାନ ଆଗରେ ଥୋଇଲା । ଚା ଦୋକାନୀ ତାକୁ ଦେଖୁ ଦେଖୁ କୃତକୃତ୍ୟ ହୋଇଗଲା । ପଚାରିଲା, “ଇଆଡ଼େ କୁଆଡ଼େ ଯାଇଥିଲେ ଖରାବେଳଟାରେ ? ପଞ୍ଚାନନବାବୁଙ୍କ ଘରକୁ ବୋଧହୁଏ !”

 

ସ୍ପେଶାଲ ଚାରୁ ଢୋକେ ପିଉଥିଲା ସୁଧାକର । ପଞ୍ଚାନନ ମହାପାତ୍ର ନାଁ ଶୁଣି ସେ ଚମକିପଡ଼ିଲା । ଟଙ୍କାକର ଚା ବଦଳରେ ଚା ଦୋକାନୀ ମୁକୁନ୍ଦ କେତେ ବଡ଼ କଥାଟି ମନେ ପକେଇ ନ ଦେଲା ! ସେ ପଞ୍ଚାନନ ମହାପାତ୍ରଙ୍କ କଥା ପୂରା ଭୁଲିଯାଇଥିଲା ।

 

ଦୋକାନ ଭିତରେ ବସି ଆଙ୍ଗୁଳି ଟିପ ଠାରରେ ସୁଧାକର ହିସାବ କଲା, ଟଙ୍କା ପଚାଶ ହଜାରରୁ କମ୍‌ ହେବ ନାହିଁ । ମୁକୁନ୍ଦକୁ ଚା ପଇସା ଦେଇ କହିଲା, “ହଁ, ପଞ୍ଚାନନ ମହାପାତ୍ର କାହିଁକି ଖବର ପଠେଇଥିଲେ, ତାଙ୍କରି ଆଡ଼କୁ ଯାଉଛି ।”

 

ପଞ୍ଚାନନ ମହାପାତ୍ର ପାଟପୁରର ନାମଜାଦା ଠିକାଦାର । ତିନି ପୁରୁଷର ଠିକାଦାରୀ । ତାଙ୍କର ମନ୍ତ୍ରୀ, ଚିଫ୍‌ ଇଞ୍ଜିନିୟରଙ୍କ ସାଙ୍ଗରେ ସିଧାସଳଖ କାରବାର । ସ୍ଥାନୀୟ ନେତାଙ୍କୁ ଯେ ସେ ପଚାରନ୍ତି ନାହିଁ, ତାହା ନୁହେଁ । ମାତ୍ର ଏଠିକା ନେତାଏ ଜାଣନ୍ତି, ପଞ୍ଚାନନ ମହାପାତ୍ରଙ୍କୁ ଡରେଇ ଥରେଇ କିଛି କରିହେବ ନାହିଁ । ଯାହା କରିବେ, ରାଜି ଖୁସିରେ ।

 

ଗାନ୍ଧି ଜୟନ୍ତୀ ସଭାର ଅତିଥି ହେବା ପାଇଁ ପଞ୍ଚାନନ ମହାପାତ୍ରେ ମନା କରିବେ ନାହିଁ ବୋଧହୁଏ ।

 

ସୁଧାକର ହିସାବ କଲା, ଚାରି ଜଣ ଗେଷ୍ଟ୍‌ ଯୋଗାଡ଼ ହୋଇଗଲେ ଟଙ୍କା ଦି’ଲକ୍ଷ ଚାନ୍ଦା ମିଳିବାରେ ଆଉ ସମସ୍ୟା ହେବନାହିଁ । କିନ୍ତୁ ସୁର ରାଉତଙ୍କୁ ଗୋଟାଏ ବଡ଼ ଚଉକି ଦେବାକୁ ହେବ-। ତାଙ୍କ ଉପରେ ଭବିଷ୍ୟତର ବହୁତ କଥା ନିର୍ଭର କରୁଛି ।

 

ପାଟପୁରରୁ ଫେରିବା ପରେ ସୁଧାକର ଖୁବ୍‌ ହାଲୁକା ଦିଶୁଥିଲା । ତାର ହାବଭାବ ଦେଖି କ୍ଲବ୍‌ର ମେମ୍ବରମାନେ ଜାଣିଗଲେ, ଏଥରର ଗାନ୍ଧି ଜୟନ୍ତୀ ଧୁମ୍‌ଧାମ୍‌ରେ ହେବ । ସୁର ରାଉତ ଆଶ୍ୱାସନା ଦେଇଛନ୍ତି, ଯାହା ଖର୍ଚ୍ଚବାର୍ଚ୍ଚ ହେବ ସେ ବୁଝିବେ । ସେଦିନ ସଞ୍ଜରେ ଅନେକ ସମୟ ଯାଏ ଆସର ଚାଲିଲା । କାଚ ଗିଲାସର ଟୁଣ୍‌ଟାଣ୍‌ ଶବ୍ଦ ଭିତରେ ସୁଧାକର ପାଟିରୁ ଆଉ ଯେଉଁ ଶବ୍ଦଟି ଘନ ଘନ ବାହାରୁଥାଏ ସେଇଟା ହେଲା ‘ଚିୟର୍ସ’ । ଅନ୍ୟମାନେ ତା ସାଙ୍ଗରେ ପାଳି ଧରୁଥାନ୍ତି ।

 

ତିନି

 

ଅକ୍ଟୋବର ଦୁଇ ତାରିଖ ସକାଳୁ ହିଁ ସୁଧାକରର ମୁହଁ ଶୁଖିଗଲା । ପାଟପୁର ଏସ୍‌.ଡି.ଓ. ଅଫିସ୍‌କୁ ଖବର ଆସିଛି, ମନ୍ତ୍ରୀଙ୍କ ନୂଆଗାଁ ଗସ୍ତ ବାତିଲ । ଭଦ୍ରକ ଜିଲ୍ଲା ବଦଳରେ ମନ୍ତ୍ରୀ ଯିବେ ସମ୍ବଲପୁର, ଦଳର ରାଜନୈତିକ ବ୍ୟାପାର କମିଟିର କାର୍ଯ୍ୟକ୍ରମ ନେଇ । ଏ ଖବର ଶୁଣି ତା ମୁଣ୍ଡରୁ ଗତରାତିର ବିଲାତି ନିଶା ଏକାବେଳକେ ହଟିଗଲା । କିନ୍ତୁ ଏମିତି ଖବର ଅବା ଯଥେଷ୍ଟ ନଥିଲା ତାର ମୁଡ୍‌ ଖରାପ ପାଇଁ ! ପଞ୍ଚାନନ ମହାପାତ୍ର ଖରାବେଳକୁ ଖବର ପଠେଇଲେ, ସିଏ ଓକିଲ ପରାମର୍ଶ କାମରେ କଟକ ଯାଉଛନ୍ତି । ଗାନ୍ଧି ଜୟନ୍ତୀ ଛୁଟି ଦିନ ହେଇଥିବାରୁ ଓକିଲ ଘରେ ରହିବେ, ସେଇଠି ତାଙ୍କ ସାଙ୍ଗେ ଆଲୋଚନା ପାଇଁ ଅଧିକ ସମୟ ମିଳିବ । ସୁଧାକରର ଏବେ ସୁର ରାଉତ ହିଁ ଏକମାତ୍ର ସାହା ଭରସା । ସିଏ ନ ଆସିଲେ ସଭା ଭଣ୍ଡୁର ହୋଇଯିବ !

 

ଏ ଅବସ୍ଥା ଦେଖି ସଭାପତି ମନୋଜ ମହାନ୍ତି ଥକ୍‌କା ହୋଇ ବସିପଡ଼ିଲା । ଆଗରୁ ସେ କେତେ କେତେ ସଭା ଭଣ୍ଡୁର କରିଥିବ । କେଉଁ ସଭାରେ ଷଣ୍ଢ ପୂରେଇ ତ କେଉଁ ଷ୍ଟେଜ୍‌ ଉପରକୁ ପଚାଅଣ୍ଡା, ବିଲାତି ବାଇଗଣ ଫୋପାଡ଼ି ସେ ଆୟୋଜକମାନଙ୍କୁ ଭାଣ୍ଡିଆ କରିଥିବ । କିନ୍ତୁ ଆଜି ନିଜର ସଭାଟା ବିଫଳ ହୋଇଯାଉଥିବା ଦେଖି ସେ ବ୍ୟସ୍ତ ହୋଇ ପଡ଼ିଲା । ନୂଆଗାଁରେ ଫୋନ୍‌ ସୁବିଧା ନାହିଁ । ସିଏ ସୁଧାକରକୁ କହିଲା, “ଏଠିକା କଥା ମୁଁ ସମ୍ଭାଳୁଛି । ତମେ ପାଟପୁର ଯାଅ । ସେଇଠି ବସି ମନ୍ତ୍ରୀଙ୍କୁ ଫୋନ୍‌ କରି ଅନୁରୋଧ କରିବ । ତାଛଡ଼ା ସୁର ରାତଉଙ୍କୁ ଗୋଡ଼େ ଗୋଡ଼େ ଜଗିବ । ଜାଣ, ସିଏ ନ ଆସିଲେ ସଭା କାମ ଶେଷ ! ଆମେ ଆଉ ମୁହଁ ଦେଖେଇ ଗାଁରେ ଚାଲି ପାରିବା ନାହିଁ ।”

 

ମନୋଜ ଠିକ୍‌ କହୁଥିଲା । ଦି ବର୍ଷ ହେଲା ତାଙ୍କ ସଂଘ କିଛି କାର୍ଯ୍ୟକ୍ରମ ଆୟୋଜନ କରିନାହିଁ । ଏମିତି ନିକମା ହୋଇ ବସି ରହିଲେ ଲୋକଙ୍କ ମନରୁ ସେମାନେ ଦୂରେଇଯିବେ । ଯେମିତି ହେଉ ଗାନ୍ଧି ଜୟନ୍ତୀ ସଭାଟାକୁ ସଫଳ କରିବାକୁ ହେବ । ଏଇ ସଭାର ସଫଳତା ଉପରେ ସେମାନଙ୍କ ଭବିଷ୍ୟତ ନିର୍ଭର କରୁଛି । ନହେଲେ ଲୋକମାନେ କହିବେ, ଇଏ କେବଳ ନରୋତ୍ତମ ମାଷ୍ଟରଙ୍କ ଭଲ କଥାର ବିରୋଧ କରିବା ପାଇଁ ମେଳି ବାନ୍ଧିଥିଲେ । ନରୋତ୍ତମ ମିଶ୍ରେ ଆଖି ବୁଜିବା ପରେ ୟାଙ୍କର କାମ ବି ସରିଗଲା ।

ସୁଧାକର କହିଲା, “ମନ୍ତ୍ରୀ ନ ଆସିବା କଥା ଚାରିକାନରୁ ଯେମିତି ଛଅକାନ ନ ହୁଏ । ନ ହେଲେ କେହି ଧରାଦେବେ ନାହିଁ । ଏକଥାଟା ସେଇ ସଞ୍ଜବୁଡ଼େ ଆମେ ଲୋକଙ୍କୁ ଜଣାଇବା । ତୁମେ ଏମିତି କାମଦାମ କରୁଥାଅ, ଯେମିତି ଗାଁ ଲୋକେ କେହି ଟେର୍‌ ପାଇବେ ନାହିଁ । ସୁର ରାଉତଙ୍କୁ ଗୋଟେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦେବା । ଯଦୁନାଥକୁ କୁହ ସେ ସ୍କୁଲ ପଣ୍ଡିତଙ୍କ ପାଖରୁ ଯାଇ ମାନପତ୍ରଟେ ଲେଖେଇ ଆଣିବ । ଫୁଲମାଳ, ମାନପତ୍ର ସାଙ୍ଗରେ ଗୋଟେ ଶାଲ୍‌ ଦେଲେ ସେ ଖୁସି ହେବେ ।”

ମନୋଜ କହିଲା, “କେହି ଟେର୍‌ ପାଇବେ ନାହିଁ । ତୁମେ ଯାଅ । ଏଠିକା କଥା ମୋତେ ଲାଗିଲା । ସଞ୍ଜୟକୁ କହିଛି, ସେ ତା ବାପା ବିଷୟରେ ଦି ପଦ କହିବ । ଦି ବର୍ଷ ହେଲା ତ କିଛି କରିନେ, ଆଉ ବାର୍ଷିକ ବିବରଣୀ କାହିଁକି ଲେଖିବା ?”

ସୁଧାକର କହିଲା, “ନାଇଁ, କିଛି ଗୋଟାଏ ବିବରଣୀ ପଢ଼ିବା । ଆମେ କଣ କଲେ ନ କଲେ ସେ କଥା କଣ ସମସ୍ତେ ଜାଣୁଛନ୍ତି ? ସୁର ରାଉତ ଯେତେବେଳେ ଦୂର ଗାଁ ଲୋକ, ତାଙ୍କର ତ ଆମ ସଂସ୍ଥା ବାବଦରେ ଗୋଟେ ଭଲ ଧାରଣା ହେବା ଦରକାର !”

 

ମନୋଜ ରାଜି ହେଲା ।

 

ଗାନ୍ଧି ଜୟନ୍ତୀ ସଂଜବେଳକୁ ଏନ୍‌.ଏମ୍‌. ଯୁବ ସଂସଦର ଘରଟି ଚୂନ ଧଉଳା ହୋଇ ନୂଆବୋହୂ ପରି ଦିଶୁଥାଏ । ସଭା ହେବା ଜାଗାରେ ଆଠଟା ଡେ-ଲାଇଟ୍‌ ପେଟ୍ରୋମାକ୍ସ ବାଘ ପରି ଗର୍ଜନ କରୁଥାନ୍ତି । ଚାରିଆଡ଼େ ପ୍ଲାଷ୍ଟିକ୍‌ ତ୍ରିରଙ୍ଗା ପତାକା ସବୁ ଟଙ୍ଗା ହେଇଥାଏ । ମଞ୍ଚ ଉପରେ ଗାନ୍ଧିଜୀଙ୍କର ଗୋଟେ ବଡ଼ ଫଟୋ, ତା ପାଖକୁ ନରୋତ୍ତମ ମିଶ୍ରଙ୍କର ଛୋଟିଆ ଫଟୋଟିଏ । ଆୟୋଜକମାନେ ମାଷ୍ଟ୍ରଙ୍କର ବଡ଼ ଫଟୋ ଖୋଜୁଥିଲେ, କିନ୍ତୁ ୟାଠୁଁ ବଡ଼ ଫଟୋ ଆଉ ନଥିଲା ।

 

ସୁର ରାଉତଙ୍କ ଗାଡ଼ି ଆସି ଠିକ୍‌ ସନ୍ଧ୍ୟା ପାଞ୍ଚଟା ବେଳକୁ ପହଞ୍ଚିଲା । ସୁଧାକର ଆଗେ ଓହ୍ଲେଇ ଗାଡ଼ିର ଦୁଆର ଖୋଲି ଧରିଲା । ଜଣେ କିଏ ଆସି ଗୋଟାଏ ଫୁଲମାଳ ସୁର ରାଉତଙ୍କ ଗଳାରେ ଲମ୍ବେଇଦେଲା । ସୁର ରାଉତ ତାଙ୍କର ଗୋଦର ଗୋଡ଼ର ଓଜନ ସମ୍ଭାଳି ସମ୍ଭାଳି ମଞ୍ଚ ପଛପଟକୁ ଗଲେ । ସେଇଠି ଚା ସର୍ବତର ଆୟୋଜନ । ସେତକ ସରିବା ପରେ ସଭା ।

 

ସୁଧାକର ମଞ୍ଚ ଉପରକୁ ଯାଇ ସୂଚନା ଦେଲା–‘ଅତିଥି ଆସି ପହଞ୍ଚି ଗଲେଣି । ସମସ୍ତେ ଶାନ୍ତ ହୋଇ ବସିପଡ଼ନ୍ତୁ ।’

 

ନୂଆଗାଁ ଗୋଟାକର ପିଲାଛୁଆ, ବୁଢ଼ାବୁଢ଼ୀ ଆସି ପଡ଼ିଆରେ ବସିଯାଇଥାନ୍ତି । ରାତି କାକରକୁ ଭ୍ରୂକ୍ଷେପ ନାହିଁ । ମନ୍ତ୍ରୀଙ୍କ ଭାଷଣ ପରେ ଘୋଡ଼ାନାଚର ବନ୍ଦୋବସ୍ତ କରାଯାଇଛି ।

 

ସଭା ଆରମ୍ଭ ହେଲା । ସୁଧାକର ଅତିଥିଙ୍କ ପରିଚୟ ଆରମ୍ଭ କଲେ, ‘ରାଜ୍ୟର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ, ସ୍ୱାଧୀନତା ସଂଗ୍ରାମୀ ସୁର ରାଉତଙ୍କୁ ଅତିଥି ଭାବେ ପାଇ ଆମେ ଗୌରବାନ୍ୱିତ ।’

 

ଦେଖଣାହାରିଙ୍କ ମେଳରୁ କିଏ ଜଣେ ମନ୍ତବ୍ୟ ଦେଲା, ‘ଇଏ ପାଟପୁରର ମଦ ବେପାରୀ ସୁର ରାଉତ ପରା ! ତାଆରି ତ ଗୋଦର ଗୋଡ଼ !’

 

ସୁର ରାଉତ ନିରବରେ ବସିଥିଲେ । ତାଙ୍କ ମୁଖଭଙ୍ଗୀରୁ ଜଣାପଡୁଥିଲା ସିଏ ସୁଧାକରର ପରିଚୟ ପର୍ବରେ ସନ୍ତୁଷ୍ଟ ନୁହନ୍ତି । ଅତିଥି ପରିଚୟ ପରେ ଆସିଲା ବାର୍ଷିକ ବିବରଣୀ ପାଠ, ତାପରେ ନରୋତ୍ତମ ମିଶ୍ରଙ୍କ ବିଷୟରେ ବର୍ଣ୍ଣନା ଓ ଶେଷକୁ ମୁଖ୍ୟ ଅତିଥିଙ୍କ ଭାଷଣ । ସୁର ରାଉତ ଉଠିଲେ । ସୁଧାକର ମନୋଜକୁ ଆଖିଠାରି କହିଲା, “ବୁଢ଼ା ଭାରି ଖୁସି । ଏମିତିକା ସମ୍ମାନ ତା ଦିହକରେ କଉଠୁଁ ପାଇ ନଥିବ । ଏବେ ଦେଖିବୁ, କେମିତି ମାସକୁ ମାସ ପଚିଶ ହଜାର ଚାନ୍ଦା ମିଳିବ ।”

 

ସୁର ରାଉତ ତାଙ୍କ ଭାଷଣ ଆରମ୍ଭ କରିଦେଇଥିଲେ । କିଛି ଗୋଟାଏ ଅଡୁଆ ଶବ୍ଦ ଶୁଣି ମନୋଜ ସେଆଡ଼େ ଚାହିଁଲା । ସୁଧାକର ବି ।

 

ବିନା ଉପକ୍ରମଣିକାରେ ସୁର ରାଉତ କହିଲେ, “ମୋ ପରି ଲୋକକୁ ଯେ ଶେଷରେ ଗାନ୍ଧୀ ଜୟନ୍ତୀ ସଭାରେ ଭାଷଣ ଦେବାକୁ ପଡ଼ିଲା, ଏହାଠୁଁ ବଳି ବିଡ଼ମ୍ବନା ଆଉ କିଛି ନାହିଁ ।”

 

ସୁଧାକରର କାନ ଯୋଡ଼ିକ ସତର୍କ ହୋଇଉଠିଲା ।

 

ସୁର ରାଉତ କହୁଥିଲେ, ‘ଗାନ୍ଧୀ ଯେତେବେଳେ ଦେଶକୁ ସ୍ୱାଧୀନ କରିବା ପାଇଁ ଲାଗିଥିଲେ, ଆମେ କେତୁଟା ବେପାରୀ ପଇସା ଖାଇ ବ୍ରିଟିଶ ସରକାରର ଗୋଡ଼ାଣିଆ ହୋଇଥିଲୁ-। ସ୍ୱାଧୀନତା ସେନାନୀଙ୍କ ଆନ୍ଦୋଳନର ଖବର ନେଇ ଦେଉଥିଲୁ ସରକାରୀ ଅଫିସରଙ୍କୁ । ବିବେକ ବୁଦ୍ଧି ତ ଆମେ କେଉଁକାଳୁ ବିକ୍ରି କରି ସାରିଥିଲୁ, ଆମକୁ ଏକଥା ଖରାପ ଲାଗନ୍ତା କାହିଁକି-? ଯାହାକୁ କହନ୍ତି, ଆମେ ଥିଲୁ ବ୍ରିଟିଶ ଶାସନର ଦଲାଲ ।’

 

ସଭାର ଲୋକମାନେ ସ୍ତବ୍ଧ । ସୁଧାକର, ମନୋଜ ଓ ଯୁବ ସଂସଦର କର୍ମୀମାନେ ସେତେବେଳକୁ ଆତଙ୍କିତ ହୋଇ ସାରିଲେଣି । ଏ ବୁଢ଼ା କଣ ବକୁଛି ?

 

ସୁର ରାଉତ କହିଲେ, ‘ଯେଉଁ ବାବୁ ମୋତେ ନିମନ୍ତ୍ରଣ କରିବାକୁ ଯାଇଥିଲେ, ସେ କହୁଥିଲେ ଯୁଗ ବଦଳିଗଲାଣି । ମୁଁ ସେଦିନ ତାଙ୍କ କଥାରେ ଏକମତ ହୋଇନଥିଲି । କିନ୍ତୁ ସତରେ ଯୁଗ ବଦଳିଗଲାଣି । ଗାନ୍ଧି ଜୟନ୍ତୀରେ ଅତିଥି ହେବା ପାଇଁ ଆଉ ଲୋକ ମିଳୁ ନାହାନ୍ତି । ମୋ ମତରେ ଗାନ୍ଧି ଜୟନ୍ତୀ ସାଙ୍ଗରେ କିଛି ଠିକାଦାର, ମନ୍ତ୍ରୀ ନହେଲେ ମୋ ପରି ମଦ ବେପାରୀଙ୍କ ଜୟନ୍ତୀ ତିଥି ଯୋଡ଼ି ଦିଆଯାଉ । ଚାନ୍ଦା ବି ମିଳିବ, ଜୟନ୍ତୀ ସଭା ପାଇଁ ଲୋକ ବି ମିଳିବେ ।’

 

ସୁଧାକର ଦେଖିଲା, ଆଉ ନୁହେଁ । ସିଏ ଇସାରା ଦେଲା । ପଛଆଡ଼ୁ ଗୋଟାଏ ଢେଲା ଆସି ବାଜିଲା ସୁର ରାଉତଙ୍କ କପାଳରେ । ସୁର ରାଉତ ‘ଓଃ’ କହି ପଛକୁ ହଟି ଆସିଲେ । କପଟ ବିନୟରେ ମନୋଜ ଉଠିପଡ଼ି କହିଲା, “ମୁଣ୍ଡରେ ବାଜିଲା ବୋଧହୁଏ । ଏସବୁ ଆମ ବିରୋଧୀ ଦଳର କାମ । ଆପଣ ବସିପଡ଼ନ୍ତୁ ।’ ତାପରେ ବଡ଼ ପାଟିରେ ମଞ୍ଚ ଉପରୁ କହିଲା, “ଯେଉଁମାନେ ଏ କାଣ୍ଡ କରିଛନ୍ତି, ସେମାନଙ୍କୁ ଏନ୍‌.ଏମ୍‌. ଯୁବ ସଂସଦ କଦାପି ବରଦାସ୍ତ କରିବ ନାହିଁ ।”

 

ମାତ୍ର ସୁର ରାଉତ ମାଇକ୍‌ ପାଖରୁ ହଟିଲେ ନାହିଁ । ପକେଟ୍‌ରୁ ରୁମାଲ୍‌ ବାହାର କରି ମୁଣ୍ଡର ରକ୍ତ ପୋଛିନେଲେ । ଟିକିଏ ରହି ଗଳାଝାଡ଼ି ସେ କହିଲେ, ‘ଭାଇ ଭଉଣୀମାନେ, ମୋ କଥା ସରିନାହିଁ । ମୋ ପାଇଁ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ମଦ ବେପାରୀ, ଧନୀ ଲୋକ-। ଏଇଠି ହାତ ଠାରିଦେଲେ ମୋ ଲୋକ ରକ୍ତର ନଦୀ ବୁହାଇ ଦେବେ । ସେମାନେ ବି ଅଛନ୍ତି ଏହି ସଭାରେ । କିଏ ମୋତେ ଢେଲା ଫୋପାଡ଼ିଛି, ସେକଥା ମୁଁ ଚାହିଁଲେ ପାଞ୍ଚ ମିନିଟ୍‌ରେ ଜାଣି ପାରିବି-। କିନ୍ତୁ ମୁଁ ସେକଥା ଏଠି କରିବି ନାହିଁ । ଜୀବନରେ ଦେଶଦ୍ରୋହ କାମ ବହୁତ କରିଛି-। କିନ୍ତୁ ବୁଝିଛି ଗାନ୍ଧୀବୁଢ଼ା ଠିକ୍‌ କହୁଥିଲା, ସେଇ ଚିହ୍ନିଥିଲା ଏ ଦେଶର ଦୁଃଖକୁ । ଆଜି ଯଦି ପଦେ ସତ କଥା କହିଲା ବେଳକୁ ଢେଲା ଆଘାତରେ ମୋର ମୁଣ୍ଡ ଫାଟୁଛି, ଯିଏ ଜୀବନସାରା ସତ କହୁଥିଲା, ତାକୁ ଲୋକେ ଗୁଳି ନ ମାରି ଆଉ କଣ କରିଥାନ୍ତେ ? ନରୋତ୍ତମ ମିଶ୍ରଙ୍କ ନାଁ ଶୁଣି ମୁଁ ଏ ଗାଁକୁ ଆସିଥିଲି-। ମୋର ଯାହା ଚାନ୍ଦା ଦେବାର କଥା ଦେଇଛି, ଆଉ ଦରକାର ହେଲେ ପଠେଇବି । କିନ୍ତୁ ଆୟୋଜକମାନେ ଚାନ୍ଦା ପାଇଁ ଗାନ୍ଧୀ ଫଟୋ ଆଗରେ ମୋ ପରି ଲୋକର ଖୋସାମତ ନ କରନ୍ତୁ-। ଏତିକି ମୋର ଅନୁରୋଧ ।”

 

ସୁର ରାଉତ ମାଇକ ପାଖରୁ ଓହ୍ଲେଇ ସିଧା ନିଜ ଗାଡ଼ି ପାଖକୁ ଆସିଲେ । ତାଙ୍କ ଲୋକମାନେ ବି ଉଠି ଆସିଲେ ସଭାରୁ । ସେମାନେ ଅଦ୍ଭୁତ ଉତ୍ତେଜନାରେ ଥରୁଥିଲେ । ଅଶୀ ବୟାଅଶୀ ବର୍ଷର ବୁଢ଼ା ଲୋକଟାକୁ ଢେଲା ମାରିଲା କିଏ ?

 

ସୁର ରାଉତ କିନ୍ତୁ ଏସବୁ ପ୍ରତି ଦୃଷ୍ଟି ଦେଉ ନଥିଲେ । ସେ ଥରେ ଗାନ୍ଧୀ ଓ ନରୋତ୍ତମ ମିଶ୍ରଙ୍କ ଫଟୋ ଏବଂ ଆଉଥରେ ତାଙ୍କ ଚାନ୍ଦାରେ ସଜା ହୋଇଥିବା ପ୍ୟାଣ୍ଡଲ ଆଡ଼େ ଅନେଇ ଦେଇ ଗାଡ଼ିର ଦରଜା ବନ୍ଦ କରିନେଲେ । ତାଙ୍କ ଗାଡ଼ିର ହେଡ୍‌ ଲାଇଟ୍‌ ନୂଆଗାଁର ଅନ୍ଧାରିଆ ରାସ୍ତାକୁ କ୍ଷଣକ ପାଇଁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିଦେଲା ।

 

ସଭାମଞ୍ଚ ଉପରୁ କେହି ସଭା ସାଙ୍ଗ ହେବାର ଘୋଷଣା କରିବା ଦରକାର ନ ଥିଲା । ଗାନ୍ଧି ଜୟନ୍ତୀ ସଭା ସରିଯାଇଥିଲା ଓ ଆୟୋଜକମାନେ ଅଦୃଶ୍ୟ ହୋଇଯାଇଥିଲେ ।

☆☆☆

 

Unknown

ସଂକୀର୍ତ୍ତନ

 

ଏତେ ସକାଳୁ କୋଳାହଳ ଶୁଣି ଦେବପ୍ରସାଦ ଟିକିଏ ବିସ୍ମିତ ହେଲା । ମନ ଭିତରେ ଆତ୍ମପ୍ରସାଦ ବି ଅନୁଭବ କଲା କିଛି ପରିମାଣରେ । ‘ଧନ୍ୟ କହିବ ଏ ପିଲାଙ୍କୁ’ ମନକୁ ମନ କହିଲା-। ପାଠପଢ଼ା ପ୍ରତି ଏହିପରି ଆଗ୍ରହ ଲାଗି ରହିଲେ ବର୍ଷ ପାଞ୍ଚଟାରେ ନୂଆଗଡ଼ର ଚିତ୍ର ବଦଳିଯିବ ।

 

ସେ କାହାକୁ କିଛି ନ କହି ସାର୍ଟ ଖଣ୍ଡେ ଦେହରେ ଗଳେଇ ସ୍କୁଲମୁହାଁ ବାହାରି ପଡ଼ିଲା । ନୂଆଗଡ଼ର ଗଛପତ୍ରରୁ ଅନ୍ଧାର ହଟିନାହିଁ । ଏବେ ବି କାକରର ଟୋପା ଲାଖି ରହିଛି ଘାସ ପିଠିରେ-। କେଉଁ ଅଜଣା ଗଛ ଫାଙ୍କରୁ ସକାଳ ଉଦ୍ଦେଶ୍ୟରେ ପକ୍ଷୀଟିଏ ପ୍ରାର୍ଥନା ନିବେଦନ କରୁଛି-। ଧୀରେ ଧୀରେ ସିନ୍ଦୂରା ଫାଟି ଆସୁଛି ପୂର୍ବାକାଶରେ ।

 

ଏତେବେଳେ ନୂଆଗଡ଼ ଦିଶେ ଅପୂର୍ବ । ନୂଆଗଡ଼ର ଚେହେରାକୁ ଦେଖିଲେ ଜାଣି ହୁଏନାହିଁ ଯେ ଏଇଠି ରାଜ୍ୟର ସବୁଠୁ ପଛୁଆ ଜିଲ୍ଲାର ଗୋଟେ ଅଖ୍ୟାତ ଗାଁ । ଆକାଶ କାର୍ପଣ୍ୟ କରିନି ନୀଳିମାରେ, ଅରଣ୍ୟ ଉଦାସୀନ ହେଇନି ଶ୍ୟାମଳ ସବୁଜିମାରେ; ଫୁଲ, ଫଳ, କୁହୁଡ଼ି, କାକର କେହି ନୂଆଗଡ଼କୁ ନ୍ୟୂନ ଦୃଷ୍ଟିରେ ଦେଖିନାହାନ୍ତି । ତା ସତ୍ତ୍ୱେ ନୂଆଗଡ଼ କାହିଁକି ପଡ଼ି ରହିବ ପଥର ତଳେ, ଚିରଦିନ !

 

ଦେବପ୍ରସାଦ ‘ସମ୍ଭାବନା’ ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କରେ । ଦି ବର୍ଷ ହେଲା ତାର ନୂଆଗଡ଼ ସାଙ୍ଗରେ ସଂପର୍କ । ନୂଆଗଡ଼ ସହ ପ୍ରଥମ ପରିଚୟ ଯେମିତି ଆକସ୍ମିକ, ନିବିଡ଼ତା ମଧ୍ୟ ସେହିପରି ଆଶ୍ଚର୍ଯ୍ୟଜନକ । ନିଜର ସ୍ୱପ୍ନ ସାକାର ହେବାର ଅନୁଭବ ସବୁଦିନେ ଏହିପରି ଉତ୍ସାହପ୍ରଦ । ସେ ସ୍ୱପ୍ନ ଧୂଳିଘର ଗଢ଼ିବାର ହେଉ କି କାଗଜଡଙ୍ଗା ଭସେଇବାର ହେଉ, ସ୍କୁଲଟିଏ ତୋଳିବାର ହେଉ କି ଗରିବ ପିଲାଟିଏକୁ ମଣିଷ କରିବାର ହେଉ ।

 

ସନ୍ଦୀପ ଓ ସୁକନ୍ୟା ଶୋଇଥିବେ, ଶୋଇଥାଆନ୍ତୁ । ସେମାନେ ଉଠିଲେ ବଳେ ଯିବେ ସ୍କୁଲକୁ । ଦେଖିବେ, ମାତ୍ର ବର୍ଷ ଦିଇଟା ଭିତରେ କିମିତି ନୂଆଗଡ଼ର ହରିଜନ ଆଦିବାସୀ ପିଲାଏ ସ୍କୁଲମୁହାଁ ହେଇଛନ୍ତି । ତା ଆଗରୁ ଦେବପ୍ରସାଦ ଯାଇ ପିଲାମାନଙ୍କୁ ନୂଆଗୀତଟା ଆଉଥରେ ଅଭ୍ୟାସ କରେଇ ଦେବ । ସନ୍ଦୀପ ଓ ସୁକନ୍ୟା ପହଞ୍ଚିଲା ବେଳକୁ ପିଲାଏ ସେଇ ଗୀତଟା ଗାଇ ସେ ଦୁହିଁଙ୍କୁ ସମ୍ବର୍ଦ୍ଧନା ଜଣେଇବେ । ଏପରି ସମ୍ବର୍ଦ୍ଧନା ପାଇଁ ଅପ୍ରସ୍ତୁତ ଏ ଦୁହେଁ ଖୁବ୍‌ ଖୁସି ହେବେ-। ସେମାନଙ୍କର ସେହି ଖୁସି ଚେହେରା କଥା କଳ୍ପନା କରି ଦେବପ୍ରସାଦ ପାଦର ଗତି ବଢ଼େଇଦେଲା ।

 

ସ୍କୁଲମୁହାଁ ଦେବପ୍ରସାଦ ମନରେ ନୂଆଗଡ଼କୁ ନେଇ ସବୁଯାକ ଅଭିଜ୍ଞତା ଗୋଟିଏ ପରେ ଗୋଟିଏ ହୋଇ ମନେପଡୁଥିଲା । ପାଖାପାଖି ତିନି ବର୍ଷ ତଳେ ତାର କୁନାଳ ସାଙ୍ଗରେ ଦେଖାହୁଏ ଭୁବନେଶ୍ୱରରେ । କୁନାଳର ଘର ଏଇ ନୂଆଗଡ଼ରେ । ବାପା ଯକ୍ଷ୍ମାରୋଗୀ, ସାବତ ମା ମହନ୍ତଙ୍କ ଆଶ୍ରମରେ ବାସନ ଧୁଏ । ନିଜ ମାର ଚେହେରା ଊଣେଇଶ ବର୍ଷର କୁନାଳ ମନେ ପକେଇ ପାରେ ନାହିଁ । ଖୁବ୍‌ ସାନ ଥିଲାବେଳେ ମା ମରିଯାଇଥିଲା ।

 

ରାଜଧାନୀର ଗୋଟେ ଗ୍ୟାରେଜ୍‌ରେ କାମ କରୁଥିଲା କୁନାଳ । ତାକୁ ଗ୍ୟାରେଜର ହେଡ୍‌ ମିସ୍ତ୍ରି ବୁତ୍‌ରୁ ବୋଲି ଡାକୁଥିଲା । ପ୍ରାୟ ପାଞ୍ଚ ବର୍ଷ ହେଲା କୁନାଳ କାମ କରୁଥିଲା ସେଇ ଗ୍ୟାରେଜ୍‌ରେ । ନିଜ ସଂସ୍ଥାର କାର୍‌ ସଜାଡ଼ିବାକୁ ନେଇଥିବା ଦେବପ୍ରସାଦ ଅବସର କାଟିବା ଲାଗି କୁନାଳ ସାଙ୍ଗେ ଦି ଚାରିପଦ କଥାହୋଇଥିଲା । ସେଇ କଥାବାର୍ତ୍ତାରୁ ନୂଆଗଡ଼ ସାଙ୍ଗେ ତାର ପରିଚୟ ହୋଇଥିଲା ।

 

କୁନାଳ କହିଥିଲା ତା ଦୁଃଖ କଥା, ତାର ସ୍ୱପ୍ନ କଥା । ଯେମିତି ହେଲେ ସେ ଗୋଟେ ଡ୍ରାଇଭର ହେବ । ତା ପାଖରେ କୌଣସି ସାର୍ଟିଫିକେଟ୍‌ ନାହିଁ । କିନ୍ତୁ ମିସ୍ତ୍ରି କହିଛି, ତା ପାଇଁ ଗୋଟେ ଲାଇସେନ୍‌ସ ବାହାର କରିଦେବ । ସେଇ ଆଶାରେ ସେ ଏଠି ପଡ଼ିରହିଛି । ପ୍ରଥମେ ରେଞ୍ଚି, ସ୍କ୍ରୁ ଡ୍ରାଇଭର ବଢ଼େଇ ଦେଉଥିଲା ମିସ୍ତ୍ରି ହାତକୁ । ଗାଡ଼ି ପୋଛୁଥିଲା । ଏବେ ଡ୍ରାଇଭର ସିଟ୍‌ରେ ବସି ଗାଡ଼ି ଆଗପଛ କରୁଛି । ଟ୍ରାୟାଲ ଡ୍ରାଇଭିଂରେ ନେଉଛି କେବେ କେବେ । ଲାଇସେନ୍‌ସଟେ ହୋଇଗଲେ ତାର ଦୁଃଖ ଘୁଞ୍ଚିଯିବ । ସେ ପବନ ବେଗରେ ଗାଡ଼ି ଛୁଟେଇ ସମସ୍ତଙ୍କୁ ଟପିଯିବ !

 

ଦେବପ୍ରସାଦ ପଚାରିଥିଲା, ‘ତୁମେ ରୁହ କେଉଁଠି ? କଣ ଖାଅ ?’

 

କୁନାଳ ଦେବପ୍ରସାଦର ମୁହଁକୁ ଚାହିଁଥିଲା । ଏମିତି କଥାସବୁ ଆଗରୁ ତାକୁ କେହି ପଚାରି ନ ଥିଲେ । ସେ କହିଲା, “ଶିରିପୁର ମାର୍କେଟ୍‌ର ଗୋଟେ ଲୁଗାଦୋକାନ ଅଛି । ସେଇ ଦୋକାନ ବାରନ୍ଦାରେ ଶୁଏ । ଦୋକାନରେ କାମ କରୁଥିବା ଲୋକର ଘର ଆମରି ଗାଁରେ । ତା ପାଖରେ ଦିଇଟା ଚାଉଳ ପକେଇଦିଏ । ବର୍ଷା ପବନ ଦିନେ ଶୋଇବା ପାଇଁ ବଡ଼ ଅସୁବିଧା । କିନ୍ତୁ ଲାଇସେନ୍‌ସଟା ମିଳିଗଲେ ଗୋଟେ ଆଜବେଷ୍ଟସ ଘର ଭଡ଼ା ନେଇଯିବି ଗ୍ରାମସେବକ ତାଲିମ କେନ୍ଦ୍ର ପାଖାପାଖି । ତାପରେ ମୋର ଆଉ କୌଣସି ଚିନ୍ତା ରହିବ ନାହିଁ ।”

 

ଦେବପ୍ରସାଦ ପଚାରିଲା, “କେତେ ଟଙ୍କା ଦିଏ ମାଲିକ ?”

 

: ନଅଶହ । କିନ୍ତୁ ଦଶ ଥରରେ । ଦଉ ଦଉ ମାସ ଗଡ଼ିଯାଏ । ହିସାବ ରଖିପାରେନା । ଖାଇବାରେ ତ ଖରଚ ହେଇଯାଏ ଟଙ୍କା ପାଁଶହ... ।

 

: ପାଁଶହ ଟଙ୍କାରେ ମାସସାରା ?

 

: ହଁ, ଦିନରେ ଦି ବକତ ଭାତ–ଥରେ ଗରମ, ଥରେ ପଖାଳ । ଆଉ ଦି ଥର ଚୂଡ଼ାଗୁଡ଼-। ଶହେ ଦି ଶହ ଘରକୁ ନ ଦେଲେ ତ ନ ହୁଏ ।

 

ଦେବପ୍ରସାଦ ଚମକି ପଡ଼ିଥିଲା । ଊଣେଇଶ ଅନେଶତ ମସିହାରେ ବି ଲୋକଟିଏ ପାଁଶହ ଟଙ୍କାରେ ଖୋରାକି ଯୋଗାଡ଼ କରିପାରୁଛି ଭୁବନେଶ୍ୱରରେ ? ଅଥଚ ତାଙ୍କ ସଂସ୍ଥାର ଅଫିସରମାନେ ଭୁବନେଶ୍ୱର କ୍ଲବ୍‌ କିମ୍ବା ହୋଟେଲ୍‌ରେ ଗୋଟେ ସଂଜରେ ଖର୍ଚ୍ଚ କରନ୍ତି ୟାଠୁଁ ଢେର୍‌ ବେଶି । ସେ ଆଉ କିଛି କଥା ପଚାରିବାକୁ ଚାହୁଁଥିଲା, କିନ୍ତୁ କୁନାଳକୁ ତା ମାଲିକ ପଠେଇଦେଲା ଚା ପାଇଁ ।

 

ତା ଗାଡ଼ି ବି ଠିକ୍‌ ହୋଇସାରିଥିଲା । ସେ ଫେରିଆସିଥିଲା ।

 

କିନ୍ତୁ କୁନାଳ ପାଖରେ ତା’ର ମନ ଅଟକି ଯାଇଥିଲା । ନୂଆଗଡ଼ ପାଇଁ କିଛି କରିପାରିଲେ ତାକୁ ଭଲ ଲାଗନ୍ତା ।

 

ସେଇଥିପାଇଁ, କେରଳରେ ରହୁଥିବା ତାର ଅଫିସର ବନ୍ଧୁ ସନ୍ଦୀପ ମହାନ୍ତି ଯେତେବେଳେ କୌଣସି ଗୋଟିଏ ଅନୁନ୍ନତ ଅଞ୍ଚଳରେ ସ୍କୁଲଟିଏ ଖୋଲିବା ପାଇଁ ତାର ପରାମର୍ଶ ମାଗିଥିଲେ ସେତେବେଳେ ଦେବପ୍ରସାଦ ତତ୍‌କ୍ଷଣାତ୍‌ ନୂଆଗଡ଼ ନାଁ ପ୍ରସ୍ତାବ ଦେଇଥିଲା । ତାପରେ ନୂଆଗଡ଼ର ଏଇ ବିଦ୍ୟାଳୟ ।

 

ସ୍କୁଲ ଘରର ଆଜବେଷ୍ଟସ୍‌ ଛପର ଦିଶିଲାଣି ।

 

ଦେବପ୍ରସାଦର ଏଠିକି ଆସିବାର ପ୍ରଥମ ଦିନ କଥା ମନେପଡ଼ୁଥିଲା । ଗରିବ ଲୋକଙ୍କ ମନରେ କି କୁସଂସ୍କାର! ସେସବୁ ନ ଦେଖିଲେ ସହରର ଲୋକେ ବିଶ୍ୱାସ କରିବେ ନାହିଁ । ତାର ଆଗରୁ ଧାରଣା ଥିଲା ଯେ, ବିଜୁଳି ବ୍ୟବସ୍ଥା ହିଁ ସହରକୁ ମଫସଲରୁ ଅଲଗା କରିଥାଏ । ବିଜୁଳି ବ୍ୟବସ୍ଥା ଥିବା ମଫସଲ ହେଉଛି ସହର ଓ ବିଜୁଳି ବ୍ୟବସ୍ଥା ନ ଥିବା ସହର ହେଉଛି ମଫସଲ । କିନ୍ତୁ ଏଠିକି ଆସିବା ପରେ ତାର ସେ ଧାରଣା ବଦଳିଥିଲା । ବିଜୁଳି ବ୍ୟବସ୍ଥା ସାଙ୍ଗରେ କୁସଂସ୍କାରଟିକୁ ଯୋଡ଼ିଥିଲା ମନ ଭିତରେ । କିନ୍ତୁ କୁସଂସ୍କାର କଣ ଦୂର ହେବା ଏତେ ସହଜ ? –ପଚାରିଥିଲା ସନ୍ଦୀପ ।

 

: କାହିଁକି ନୁହେଁ ? –ଦେବପ୍ରସାଦ କହିଥିଲା ।

 

: କୁସଂସ୍କାର ଦୂର ହେବାର ପ୍ରଥମ ବାଟ ହେଉଛି ଶିକ୍ଷା । ପିଲାଏ ପାଠ ପଢ଼ିଲେ ଏସବୁ ଭୁଲ୍‌ ଧାରଣା ଦୂରେଇ ଯିବ । ତା ପଛକୁ ପଛ ସବୁ କଥା ଠିକ୍‌ ହୋଇଯିବ ।

 

ସନ୍ଦୀପ ପିଲାଦିନେ ବଡ଼ କଷ୍ଟରେ ପାଠ ପଢ଼ିଥିଲା । ଏବେ ସେ ବହୁତ ଧନୀ ହୋଇଥିଲେ ମଧ୍ୟ ପିଲାଦିନର ସ୍ମୃତି ସବୁ ଭୁଲିନାହିଁ । ‘ସମ୍ଭାବନା’ ପ୍ରତି ତାର ଆଦରର ଭିତ୍ତି ସେଇଟା ହୋଇପାରେ, ଦେବପ୍ରସାଦ ଭାବେ ।

 

ନୂଆଗଡ଼ରେ ଦେବପ୍ରସାଦ ପହଞ୍ଚିଲା ପରେ ପ୍ରଥମେ ଯେଉଁ ଲୋକଙ୍କ ସଂପର୍କରେ ସେ ଗାଁ ଲୋକଙ୍କଠାରୁ ଶୁଣିଥିଲା ସେ ହେଉଛନ୍ତି ନୀଳାଚଳ ମଠର ମହନ୍ତ । ଏ ଅଞ୍ଚଳର ପ୍ରତ୍ୟକ୍ଷ ସିଦ୍ଧ ପୁରୁଷ । ସେ ଚାହିଁଲେ ବର୍ଷା ହୁଏ, ସେ ମନାକଲେ ବଉଦ ଫେରିଯାଏ । ନିଃସନ୍ତାନକୁ ସନ୍ତାନ, ଅନ୍ଧକୁ ଚକ୍ଷୁଦାନ, ଦରିଦ୍ରକୁ ସମ୍ପତ୍ତି ଏବଂ ବ୍ୟାଧିଗ୍ରସ୍ତକୁ ସୁନ୍ଦର ସ୍ୱାସ୍ଥ୍ୟ ଫେରେଇ ଦେବାରେ ଥିଲା ତାଙ୍କର ଢେର୍‌ ପ୍ରତିଷ୍ଠା ।

 

ଦେବପ୍ରସାଦ ଠାକୁର, ବାବାଜିଙ୍କୁ ଅସମ୍ମାନ କରେନାହିଁ, କିନ୍ତୁ ଏତେ ବେଶି ଗୁରୁତ୍ୱ ବି ଦିଏ ନାହିଁ । ଠାକୁର ଠାକୁରାଣୀଙ୍କ ପ୍ରତି ଅନାଦରର ମୂଳ କାରଣ ତା ଶୈଶବର ସ୍ମୃତି । ତାର ମା ଥିଲା ଈଶ୍ୱରବିଶ୍ୱାସୀ, ଏତେ ବିଶ୍ୱାସୀ ଯେ ସକାଳୁ ଉଠି ଦୁଇ ଘଣ୍ଟା ଜପତପ ନ କଲେ ସେ ଘରକାମରେ ହାତ ଦେଉ ନ ଥିଲା । ସାନ ବୟସର ଦେବପ୍ରସାଦ ଭୋକରେ ଆଉଟୁ ପାଉଟୁ ହୋଇ ବାଡ଼େଇ କଚାଡ଼ି ହେଲେ ବି ତା ମାଆ ଠାକୁର ପୂଜା ଛାଡ଼ି ଆସୁ ନ ଥିଲା । ଘରେ ଘଟୁଥିବା ସବୁ ଭଲ ଘଟଣା ପାଇଁ ବୋଉ ତା ନିଜର ଠାକୁରପୂଜାକୁ ଦାୟୀ କରୁଥିଲା ଓ ସବୁ ଅଘଟଣ ପାଇଁ ବାପାର ଠାକୁର ପ୍ରତି ଅବିଶ୍ୱାସକୁ ଦୋଷୀ ସାବ୍ୟସ୍ତ କରୁଥିଲା । ଏସବୁ ଦେଖିଶୁଣି ଠାକୁର ଠାକୁରାଣୀଙ୍କ ପ୍ରତି ତାର ଗୋଟେ ଭିନ୍ନ ଧାରଣା ସୃଷ୍ଟି ହୋଇଯାଇଥିଲା ।

 

କିନ୍ତୁ ଏସବୁ କାରଣରୁ ସିଦ୍ଧପୁରୁଷ କିମ୍ବା ଯୋଗୀମାନଙ୍କ ପ୍ରତି ଅବଶ୍ୟ ଦେବପ୍ରସାଦର କୌଣସି ଦୁର୍ବଳ ଧାରଣା ନଥିଲା । ବରଂ ସମୟେ ସମୟେ ସେ ନିଜ ଭିତରେ ଗୋଟେ ସଂସାରବିମୁଖ ଯୋଗୀ ପାଲଟି ଯିବାର ଆଗ୍ରହ ଅନୁଭବ କରି ଖୁସି ହେଉଥିଲା ।

 

ନୀଳାଚଳ ମଠର ମହନ୍ତଙ୍କ ଚେହେରା ସିଂହ ପରି । ପ୍ରଥମେ ଭେଟୁଥିବା ଲୋକ ଶଙ୍କିଯିବ, ସାନ ସାନ ପିଲା ଭେଟଣା ହୋଇଯିବେ । ମୁଣ୍ଡରେ ବିରାଟ ଜଟ, କଳାଧଳା ରଙ୍ଗର ଗୋଛାଏ ଦାଢ଼ି । ଲୋମଶ ଓ ଦୀର୍ଘ ଦେହ । କପାଳର ମଝାମଝି ବଡ଼ ସିନ୍ଦୂରଟୋପା । ଗଳାରେ ଚାରିସରି ରୁଦ୍ରାକ୍ଷ ଓ ତୁଳସୀ ମାଳା । ମହନ୍ତ ସବୁବେଳେ ସିଂହାସନ ପରି ଦିଶୁଥିବା ଗୋଟିଏ ଚଉକି ଉପରେ ବସିଥାନ୍ତି । ଦୁଇ ପଟେ ଦୁଇ ଜଣ ଭକ୍ତ ଚାମର ଚଳାନ୍ତି, ପାଦ ପାଖେ ପଦସେବକ-। ଦର୍ଶନାର୍ଥୀମାନଙ୍କ ପାଇଁ ସାମ୍ନାରେ ବିଛାଯାଇଥାଏ ନାଲି ରଙ୍ଗର ଗାଲିଚା ।

 

ଦେବପ୍ରସାଦ ଏହି ମହନ୍ତଙ୍କ ସାଙ୍ଗେ ତାର ପ୍ରଥମ ସାକ୍ଷାତର କଥା ମନେ ପକେଇଲା । କେମିତି ନାଟକୀୟ ଥିଲା ସେ କଥାବାର୍ତ୍ତାର ଚରିତ୍ର । ମହନ୍ତ ପଚାରିଥିଲେ–

 

: ଅଭିପ୍ରାୟ ?

 

: ସ୍କୁଲଟିଏ ଗଢ଼ିବାର ଆଗ୍ରହ ଅଛି ।

 

: ଲକ୍ଷ୍ୟ ?

 

ଦେବପ୍ରସାଦ ନିରୁତ୍ତର ରହିଥିଲା ।

 

: ଅଭିପ୍ରାୟ ?

 

ଏହାର ଉତ୍ତର କଣ ହୋଇପାରେ ? ଦେବପ୍ରସାଦ କିଛି କହିପାରିଲା ନାହିଁ । ମହନ୍ତ ହସିଥିଲେ, ରହସ୍ୟମୟ ସେ ହସ । ତାଙ୍କ ନିର୍ଦ୍ଦେଶରେ କେହି ଜଣେ ଗୋଟିଏ କଦଳୀ ଆଣି ଦେବପ୍ରସାଦ ହାତରେ ଧରେଇ ଦେଇଯାଇଥିଲା । ମହନ୍ତ ଇସାରା ଦେଇଥିଲେ, “ପ୍ରସାଦ ଖାଅ ।”

 

ଏହାପରେ ଆଉ ମହନ୍ତଙ୍କ ସାଙ୍ଗେ ତାର ଦେଖା ହୋଇ ନ ଥିଲା । ପ୍ରତି ମାସରେ ସେ ଥରେ ଦି ଥର ନୂଆଗଡ଼କୁ ଆସେ । ଏଇଠି ରହେ କୁନାଳ, ସିଏ ଏଠିକା କ୍ୱାର୍ଟରର ଯତ୍ନ ନିଏ । ସ୍କୁଲର ଶିକ୍ଷୟିତ୍ରୀ ଦୁଇଜଣ ବି ବେଶ୍‌ ନିଷ୍ଠାପର । ତାଙ୍କରି ଯୋଗୁଁ ସ୍କୁଲ କାମ ଏତେ କମ୍‌ ସମୟ ଭିତରେ ଆଗେଇ ପାରିଛି ।

 

ବ୍ଲକର ସଦର ମହକୁମାରୁ କୋଡ଼ିଏ ମାଇଲ ଦୂର ନୂଆଗଡ଼ । ପଶ୍ଚିମ ପଟକୁ ଖଇରମୁହିଁ ପାହାଡ଼ । ସବୁବେଳେ ସେ ପାହାଡ଼ର ଚୂଡ଼ା ନାଲି ଦିଶେ ବୋଲି ନୂଆଗଡ଼ର ଲୋକେ ତାକୁ ଏଇ ନାଁରେ ଡାକନ୍ତି । ପାହାଡ଼ ତଳକୁ ମୁହଁଧୁଆ ନଈ; ସୂର୍ଯ୍ୟ ବୁଡ଼ିବା ଆଗରୁ ସବୁଦିନ ସଂଜରେ ଏଇ ନଈ ପାଣିରେ ମୁହଁ ଧୋଇ ଘରକୁ ଫେରନ୍ତି ।

 

ନୀଳାଚଳ ମଠ ମହନ୍ତଙ୍କ ସାଙ୍ଗେ ଦେଖା ହେବା ପରେ ତାଙ୍କ ବିଷୟରେ କିଛି ଖବର ସଂଗ୍ରହ ପାଇଁ ଦେବପ୍ରସାଦ ଉଦ୍ୟମ କରିଥିଲା । କୁନାଳର ସାବତ ମା କହିଥିଲା, “ମହନ୍ତଙ୍କ ବାପ-ଗୋସାପ ଥିଲେ ଏ ଅଞ୍ଚଳର ଜମିଦାର । ମହନ୍ତେ ବି ଘର ସଂସାର କରିଥିଲେ । କିନ୍ତୁ ସିଦ୍ଧ ମହାତ୍ମା ସେ । ବୈରାଗ୍ୟ ଆସିବାରୁ ସଂସାର ଛାଡ଼ିଦେଲେ । ଲକ୍ଷ ଲକ୍ଷ ଲୋକଙ୍କ ଉପକାର କରିବା ପାଇଁ ଜନ୍ମ ଯାହାର, ସିଏ କଣ ଗୋଟିଏ ଜାଗାରେ ରହିଥାନ୍ତେ ! ମହନ୍ତେ ହିମାଳୟକୁ ଯାଇଥିଲେ ଚଉଦ ବର୍ଷ । ସେଇଠୁ ସିଦ୍ଧ ହୋଇ ଫେରିଲେ ।”

 

ଏ କଥାର ସତ୍ୟାସତ୍ୟ ଜାଣିବା ପାଇଁ ଦେବପ୍ରସାଦ ଚାହିଁନାହିଁ ।

 

ସ୍କୁଲ ଆରମ୍ଭ ବେଳେ ସେ ମହନ୍ତଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲା । କିନ୍ତୁ ବ୍ୟସ୍ତତାରେ ଥିବା ଯୋଗୁଁ ମହନ୍ତ ଆସି ପାରି ନ ଥିଲେ ।

 

ସ୍କୁଲ ହତା ସାମ୍ନାରେ ଅନେକ ଲୋକ ।

 

ଦେବପ୍ରସାଦ ହସିଲା । ପିଲା ଯେମିତି ତାଙ୍କ ବାପ-ମା ସେମିତି । ରାତି ନ ପାହୁଣୁ ସ୍ୱାଧୀନତା ଦିବସ ପାଳିବା ପାଇଁ ପହଞ୍ଚିଗଲେଣି ବୋଧହୁଏ । ସାତଟା ବାଜିବାକୁ ଅନେକ ଡେରି ଅଛି । ଏତେ ତରବର କିଆଁ ?

 

ଝାଞ୍ଜ, ମୃଦଙ୍ଗର ଶବ୍ଦ ଶୁଣି ଦେବପ୍ରସାଦ ଟିକିଏ ଅପ୍ରସ୍ତୁତ ହେଲା । ଏ ବାଦ୍ୟଯନ୍ତ୍ର ତ ତାଙ୍କ ସ୍କୁଲରେ ନଥାଏ । ଏଇ ମାସକ ଭିତରେ କଣ ମାଷ୍ଟ୍ରାଣୀ ଦିହେଁ ଏଥିରୁ ହଳେ କିଣି ସାରିଲେଣି !

 

ବିରାଟ ଗୋଟେ ଶବ୍ଦର ଲହଡ଼ି ଦେବପ୍ରସାଦର ସମଗ୍ର ଅସ୍ତିତ୍ୱକୁ ଦୋହଲାଇ ଦେଲା । ଦେଶାତ୍ମବୋଧକ ଗୀତ ନୁହେଁ କି ସ୍କୁଲର ପ୍ରାର୍ଥନା ନୁହେଁ, ଶତାଧିକ ସ୍ୱରରେ ‘ଭଜ ନିତାଇ ଗୌର ରାଧେଶ୍ୟାମ, ଜପ ହରେକୃଷ୍ଣ ହରେରାମ’ ସ୍ୱର ଆବୃତ୍ତି ହେଉଥିଲା । ପ୍ରଥମେ ଜଣେ ଏଇ ଭଜନ ବୋଲୁଥିଲେ, ତାପରେ ପାଳି ଧରୁଥିଲେ ଅନ୍ୟ ସମସ୍ତେ । ଦେବପ୍ରସାଦ ସଂକୀର୍ତ୍ତନର ରହସ୍ୟ ବୁଝିପାରିଲା ନାହିଁ ।

 

ସେ ଏବେ ସ୍କୁଲ ଫାଟକ ସାମ୍ନାରେ ଛିଡ଼ା ହୋଇଥିଲା । ହଁ, ସ୍କୁଲ ତ ! କିନ୍ତୁ ସ୍କୁଲର ସାଇନବୋର୍ଡ କାହିଁ ? ଏଇଠି ତ ସାଇନବୋର୍ଡଟେ ଝୁଲୁଥାଏ । ଦେବପ୍ରସାଦ ଚାହିଁଲା, ତାରବାଡ଼ ସେକଡ଼ରେ ସାଇନବୋର୍ଡଟା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ସ୍କୁଲ ଅଗଣାରେ ନୂଆଗଡ଼ ଗାଁ ଗୋଟାକର ଲୋକେ । ଘର ଭିତରେ ପିଲା ଓ ମାଷ୍ଟ୍ରାଣୀ ।

 

ଜଣେ ପ୍ରୌଢ଼ ଉଦ୍ଦଣ୍ଡ ତାନରେ ଗାଉଛନ୍ତି; ନିତାଇ ଗୌର ରାଧେଶ୍ୟାମ, ହରେ କୃଷ୍ଣ ହରେ ରାମ । ଅନ୍ୟମାନେ ପାଳି ଧରୁଛନ୍ତି–ନିତାଇ ଗୌର ରାଧେଶ୍ୟାମ, ହରେକୃଷ୍ଣ ହରେ ରାମ; ନିତାଇ ଗୌର ରାଧେଶ୍ୟାମ, ହରେକୃଷ୍ଣ ହରେରାମ...

 

ସାନ ସାନ ପିଲା ଟିକି ଟିକି ପାଦରେ ନାଚୁଛନ୍ତି, ଗାଉଛନ୍ତି । ଝାଞ୍ଜ, କରତାଳ ବାଜୁଛି, ମୃଦଙ୍ଗ ଶବ୍ଦ କରୁଛି ତା ଧିନା ଧିନ୍‌... ।

 

କିନ୍ତୁ ଏସବୁ କିଏ ଆଣିଦେଲା ? ଅଗଷ୍ଟ ପନ୍ଦର ସକାଳୁ ସକାଳୁ ଏଭଳି ସଂକୀର୍ତ୍ତନର ଅର୍ଥ କଣ ହେଇପାରେ ? ଦେବପ୍ରସାଦକୁ ଏସବୁ ଦୃଶ୍ୟ ପ୍ରହେଳିକା ପରି ମନେହେଉଥିଲା ।

 

ତା ଆଡ଼କୁ କେହି ନଜର ଦେଉ ନ ଥିଲେ । ଯେମିତି ସେ ସେଠି ନାହିଁ । ଅଥବା ଥିଲେ ବି ତାର ଅସ୍ତିତ୍ୱ ଗୋଟେ ଗଛ କି ଖୁଣ୍ଟ ପରି ।

 

ସଂକୀର୍ତ୍ତନର ଗୋଟାଏ ତାନ ଛିଣ୍ଡିଯାଇଥିଲା । ଏବେ ବଡ଼ ମଣିଷମାନେ ଧାଡ଼ିବାନ୍ଧି ଛିଡ଼ା ହେଲେ ଓ ତାଙ୍କ ପଛକୁ ପିଲାଏ । ସେମାନଙ୍କର ପ୍ରସ୍ତୁତି ଏକ ଶୋଭାଯାତ୍ରା ପରି ଦିଶୁଥିଲା । ସେମାନେ ଏବେ ଜଣକ ପଛରେ ଜଣେ ଛିଡ଼ାହେଲେ ଏବଂ ପୁଣି ଚାଲିଲା ସଂକୀର୍ତ୍ତନ । ଏଥର ନଗର କୀର୍ତ୍ତନରେ ସେମାନେ ନୂଆଗଡ଼ ପ୍ରଦକ୍ଷିଣ କରିବେ ।

 

ଦେବପ୍ରସାଦ ଚାହିଁଲା । ସମସ୍ତେ କପାଳରେ ସିନ୍ଦୂର କଲି ମାରିଛନ୍ତି । ମୁଣ୍ଡରେ ଭିଡ଼ିଛନ୍ତି ଗେରୁଆ ଗାମୁଛା । ସମସ୍ତେ ମୁହାଁଇଛନ୍ତି ନୀଳାଚଳ ମଠ ମୁହାଁ ହଲି ହଲି ।

 

ତାର ଦେହ ହାତ ଅବଶରେ ଝାଉଁଳି ପଡ଼ୁଥିଲା ବେଳେ ବରଗଛ କୋରଡ଼ରୁ ଗୁଣ୍ଡୁଚି ମୂଷା ପରି କୁନାଳ ବାହାରି ଆସିଲା ଓ ତା ସାମ୍ନାରେ ଛିଡ଼ା ହୋଇଗଲା ।

 

ଦେବପ୍ରସାଦ ଚାହିଁଲା, କୁନାଳ ବି ଲଣ୍ଡା ହୋଇଛି, ପଛପାଖେ ରଖିଛି ଚୁଟି କେରାଏ । ଗୋଟାଏ ହଳଦିଆ ଗାମୁଛା ପିନ୍ଧିଛି ଓ ଆରଟିକୁ ବେକରେ ପକେଇଛି ।

 

ସେ ରାଗ ଏବଂ ଅଭିମାନରେ ପଚାରିଲା, “ତୁ ଗଲୁନି ସଂକୀର୍ତ୍ତନରେ ?”

 

: ଯାଇଥାନ୍ତି ଯେ, ତମକୁ ଦେଖି ରହିଗଲି ।

 

ଦେବପ୍ରସାଦ କିଛି ନ କହି ସ୍କୁଲ ଘର ଭିତରକୁ ପଶିଲା । ଭିତରେ ଆହୁରି ଆଶ୍ଚର୍ଯ୍ୟ ଅପେକ୍ଷା କରିଥିଲା ତାକୁ । ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ତାଳଚଟେଇ ଆଗରେ ସିଲଟ, ଖଡ଼ି କି ବହି ନ ଥିଲା । ମାଷ୍ଟ୍ରାଣୀ ବସୁଥିବା ଚଉକି ଉପରେ ଥୁଆ ହୋଇଥିଲା ସିନ୍ଦୂର ବୋଳା ଗୋଟିଏ ଫଟୋ । କାନ୍ଥରେ ବଡ଼ ଓଁ ଟିଏ କିଏ ଲେଖିଦେଇଛି । ତାଆରି ପାଖରେ ହଳେ ମୃଦଙ୍ଗ, ହଳେ ଘଣ୍ଟି, ଆଉ ଗୋଟିଏ ଚାମର ।

 

: ଏସବୁ ପାଇଁ ପଇସା ଖର୍ଚ୍ଚ କରିବାକୁ କହିଲା କିଏ ? –ଦେବପ୍ରସାଦ ପ୍ରାୟ ଚିତ୍କାର କଲା ଭଳି ପଚାରିଲା ।

 

ଅବସର ପାଇ ନଗରକୀର୍ତ୍ତନ ଶୋଭାଯାତ୍ରାଟି କେତେବାଟ ଗଲାଣି ବୋଲି ଦେଖିବାକୁ ଯାଇଥିବା କୁନାଳ ଏ ଚିତ୍କାର ଶୁଣି ଭିତରକୁ ଫେରି ଆସିଲା । କହିଲା, “କଣ ପଚାରୁଥିଲେ ବାବୁ-?”

 

: ଏସବୁ କିଣିବାକୁ କିଏ କହିଲା ?

 

: କିଣାଯାଇ ନାହିଁ ବାବୁ । ମହନ୍ତ ଗୋସେଇଁ ନିଜେ ଏସବୁ ଆଶ୍ରମରୁ ପଠେଇଛନ୍ତି । ଦିଦି କହୁଥିଲେ ଏଗୁଡ଼ା ଆଉ ସେ ଫେରସ୍ତ ନେବେ ନାହିଁ । –କୁନାଳ ଉତ୍ସାହର ସହ ଉତ୍ତର ଦେଲା-

 

ଦେବପ୍ରସାଦ ଆଉଥରେ ବିସ୍ମିତ ହେଲା । ସ୍କୁଲ ପ୍ରତିଷ୍ଠା ପାଇଁ ଟଙ୍କା ଶହେଟି ସାହାଯ୍ୟ କରି ନଥିବା ମହନ୍ତ ହଜାରେ ଟଙ୍କା ଖର୍ଚ୍ଚ କରି ଏସବୁ ଉପହାର ଦେବାର ଉଦ୍ଦେଶ୍ୟ କଣ ? ଏଇଟା ସ୍କୁଲ ନା ଆଶ୍ରମ ?

 

ଦେବପ୍ରସାଦ ବାହାରକୁ ଆସିଲା । ଦୂରରୁ ମୃଦଙ୍ଗ, ଘଣ୍ଟି ଓ ଗିନିର ଶବ୍ଦ ଶୁଭୁଛି । ପିଲାଏ ବଡ଼ ପାଟିରେ ଭଜନ ଗାଉଛନ୍ତି ।

 

: ସମସ୍ତଙ୍କୁ ହଳେ ଲେଖାଏଁ ଗିନି ଦେଇଛନ୍ତି ମହନ୍ତ । ମୋତେ ବି ଦେଇଛନ୍ତି । –କୁନାଳ ଅତି ସ୍ୱାଭାବିକ ଭଙ୍ଗୀରେ ଜଣେଇଲା ।

 

ଦେବପ୍ରସାଦର ଏବେ ଚିତ୍କାର କରିବାକୁ ଇଚ୍ଛା ହେଉଥିଲା । ଏସବୁ ନାଟର ଗୋବର୍ଦ୍ଧନ ତାହାହେଲେ ସେଇ ମହନ୍ତ । ସେ ମହନ୍ତଙ୍କୁ ଭେଟିବା ପାଇଁ ବାହାରିପଡ଼ିଲା ।

 

ସ୍କୁଲଠାରୁ ନୀଳାଚଳ ମଠ ବେଶି ଦୂର ନୁହେଁ । ମଠର ଆୟତନ ପ୍ରକାଣ୍ଡ । ପ୍ରାୟ ଶହେ ଏକରରୁ ଊର୍ଦ୍ଧ୍ୱ ବିଶାଳ ଆୟତନ ଭିତରେ ମହନ୍ତଙ୍କର ଆଶ୍ରମ, ମନ୍ଦିର, ପୋଖରୀ, ତୋଟା, ଫଳ ବଗିଚା, ପରିବା ବଗିଚା, ଗୋରୁ ଗୁହାଳ ଓ ମୟୂର ବିହାର । ଠାକୁରଙ୍କ ପାଇଁ ଫୁଲ ବଗିଚା, କଦଳୀ, ଆମ୍ବ, ନଡ଼ିଆ, ଚମ୍ପା, ବେଲ, ତମାଳ ଓ କାଜୁ ବଗିଚା । ଦୂରରୁ ଦିଶେ ଗୋଟେ ଅରଣ୍ୟ ପରି । ଆଶ୍ରମର ଫାଟକ ଆଗରେ ସିଂହ-ହାତୀ ମୂର୍ତ୍ତି, ଉପରକୁ କାଳଚକ୍ରର ବିକଟାଳ ପ୍ରତିମା । ଫାଟକ ପାଖରୁ ଶାଗୁଆ ଲନ୍‌ ମଝିରେ ବଙ୍କା ଗାରଟେ ପରି ଲମ୍ବି ଯାଇଛି ମାର୍ବଲର ରାସ୍ତା ଆଶ୍ରମର ମୁଖ୍ୟଶାଳା ଯାଏ । ତାକୁ ଡେଇଁ ଗଲେ ପଡ଼ିବ ମହନ୍ତଙ୍କ ବିଜେସ୍ଥଳୀ ।

 

ଗତବର୍ଷ ଜୁଲାଇ ମାସରେ ଦେବପ୍ରସାଦ ନୂଆଗଡ଼ ଆସିଥିବା ବେଳେ ମହନ୍ତଙ୍କୁ ନେଇ ଅଦ୍ଭୁତ କଥାଟିଏ ଶୁଣିଥିଲା । କିନ୍ତୁ ବିଶ୍ୱାସ କରି ନଥିଲା ସେ । କେହି ଜଣେ ତାକୁ କହିଥିଲା ଯେ, ମହନ୍ତ ଜଣେ ଅବତାରୀ ପୁରୁଷ । ତାଙ୍କ ଇଚ୍ଛା ମୁତାବକ ରୂପ ସେ ସହଜରେ ଧାରଣ କରିଥାନ୍ତି । କେତେବେଳେ ଇନ୍ଦ୍ର, କେତେବେଳେ ଶ୍ରୀକୃଷ୍ଣ, କେତେବେଳେ ପର୍ଶୁରାମ ତ କେତେବେଳେ ହିରଣ୍ୟକଶିପୁ । ଇଚ୍ଛା ହେଲେ ସେ ନାରୀ ପାଲଟନ୍ତି, ଇଚ୍ଛା ହେଲେ ଅର୍ଦ୍ଧନାରୀଶ୍ୱର ବେଶ । ଅସମ୍ଭବ ବୋଲି କୌଣସି କଥା ତାଙ୍କୁ ପାଖରେ ନାହିଁ ।

 

ସେଦିନ ଏସବୁ କଥା ତାକୁ ଉଦ୍ଭଟ ଲାଗିଥିଲା । ଅଶିକ୍ଷିତ, ଗରିବ ଲୋକଙ୍କୁ ଭୁଆଁ ବୁଲେଇବା ସବୁଠୁ ସହଜ କାମ । ସେ ସେସବୁ ପ୍ରତି ଧ୍ୟାନ ଦେଇ ନଥିଲା ।

 

ମହନ୍ତଙ୍କର ସକାଳ ଆଳତି ହେଉଥାଏ । ନିଆଁଶିଖାର ଦୋଦୁଲ୍ୟମାନ ପୃଷ୍ଠଭୂମିରେ ମହନ୍ତଙ୍କ ଚେହେରା ଦିଶୁଥାଏ ରହସ୍ୟମୟ । ସେ ଅପେକ୍ଷା କଲା ।

 

ଆଳତି ପର୍ବ ସରିଲା ।

 

ଦେବପ୍ରସାଦ ଆଗେଇ ଯାଇ ଯଥାସମ୍ଭବ ସଂଯତ ସ୍ୱରରେ ପଚାରିଲା, “ଏସବୁ କଣ ହେଉଛି ?”

 

ଅତ୍ୟନ୍ତ ଶାନ୍ତ ଗଳାରେ କିଛି ଜାଣି ନଥିଲା ପରି ମହନ୍ତ ପଚାରିଲେ, “କେଉଁ କଥା ବତ୍ସ-?”

 

: ଏଇ ସଂକୀର୍ତ୍ତନ । ସ୍କୁଲ ପାଠପଢ଼ା ଛାଡ଼ି...

 

: ପାଠ କାହିଁକି ପଢ଼େ ମନୁଷ୍ୟ ?

 

: ମାନେ ? ଏଇଟା କଣ ଗୋଟେ ପ୍ରଶ୍ନ ?

 

: ଇଏ ମୋ ପ୍ରଶ୍ନର ଉତ୍ତର ନୁହେଁ ।

 

: ପାଠ ପଢ଼େ ଶିକ୍ଷା ହାସଲ ପାଇଁ । –ଦେବପ୍ରସାଦ କହିଲା ।

 

: ଶିକ୍ଷାର ଲକ୍ଷ୍ୟ ?

 

: ଜ୍ଞାନ ଅର୍ଜନ ।

 

: ଜ୍ଞାନର ଲକ୍ଷ୍ୟ ?

 

: ଜୀବନ ନିର୍ମାଣ ।

 

: ଜୀବନର ଅର୍ଥ ?

 

: ଆଶ୍ଚର୍ଯ୍ୟ ! ମଣିଷ ପାଠ ପଢ଼ିବ, ଯୋଗ୍ୟ ହେବ, ଅର୍ଥ ଉପାର୍ଜନ କରିବ, ସ୍ୱାବଲମ୍ବୀ ହେବ... ।

 

: ତାପରେ ?

 

: ତାପରେ କଣ ? ସୁଖ ଓ ଶାନ୍ତିରେ ରହିବ ।

 

: ମୁଁ ତ ସେମାନଙ୍କୁ ସେଇ ସୁଖଶାନ୍ତିରେ ବାଟ ବତଉଛି । ସେଇଥିପାଇଁ ନିଜ ହାତରୁ ସେମାନଙ୍କୁ ମୃଦଙ୍ଗ, ଗିନି, କରତାଳ କିଣି ଦେଇଛି । ମଝିରେ ମଝିରେ ଯାଇ ସେମାନଙ୍କୁ ଦୀକ୍ଷା ଦେଉଛି ।

 

: କିନ୍ତୁ... ?

 

: ଆହା, ଉତ୍ତେଜିତ ହୁଅନାହିଁ । ତୁମେ ସେମାନଙ୍କୁ ବୁଲେଇ ବଙ୍କେଇ ଯେଉଁ ରାସ୍ତାରେ ନେବାକୁ ଚାହୁଁଥିଲ, ମୁଁ ସେମାନଙ୍କୁ ସିଧାସଳଖ ସେଇ ରାସ୍ତାରେ ନେବାକୁ ଚାହୁଁଛି । ଏଥିରେ କମ୍‌ ସମୟ ଭିତରେ ସେମାନେ ଶାନ୍ତି ପାଇବେ, ମୋକ୍ଷ ପାଇବେ । ଆଉ ଏ ମଣିଷ ଜନ୍ମରେ ଘାଣ୍ଟି ଚକଟି ହେବେ ନାହିଁ ।

 

ମହନ୍ତଙ୍କର ଅଦ୍ଭୁତ ଯୁକ୍ତି ଶୁଣି ଦେବପ୍ରସାଦ ସ୍ତବ୍ଧ ହୋଇଯାଉଥିଲା । ତାର ସେହି ଅନ୍ୟୋନପାୟ ଅବସ୍ଥା ଦେଖି ମହନ୍ତ ପଚାରିଲେ, “କିଛି କହିବ ବୋଧହୁଏ ?”

 

ଦେବପ୍ରସାଦ କହିଲା, “ହଁ, ସାନ ସାନ ପିଲାମାନଙ୍କୁ ଏମିତି ନଷ୍ଟ କରିବା ଆପଣଙ୍କ ପକ୍ଷେ ଉଚିତ ହେଉନାହିଁ । ଏଇଟା ଅଧ୍ୟାତ୍ମିକତା ନୁହେଁ, ଧର୍ମାନ୍ଧତା ।”

 

: ତୁମ ଅଭିଯୋଗ ଠିକ୍‌ ନୁହେଁ । ସାନ ସାନ ପିଲା ତ ଦେବଦୂତ । ତାଛଡ଼ା ଦେଖୁନାହଁ, ନଗର କୀର୍ତ୍ତନରେ କିପରି ସାନ, ବଡ଼, ପୁରୁଷ, ସ୍ତ୍ରୀ, ବୁଢ଼ାବୁଢ଼ୀ ସମସ୍ତେ ପରମ ଉତ୍ସାହରେ ମିଶିଯାଇଛନ୍ତି । ଏ ଜୀବନ କଣ ? ପରମାତ୍ମା ସହ ମିଳନ ପାଇଁ ଆତ୍ମାର ଉଦ୍ୟମ । ତୁମେ ସେଥିରେ ବାଧା ଦେଉଛ କାହିଁକି ବତ୍ସ ?

 

ଦେବପ୍ରସାଦ ନିରବ ରହିଲା ।

 

ମହନ୍ତ ଡାକିଲେ, “ଭିତରକୁ ଆସ ।”

 

ଦେବପ୍ରସାଦ ଇଚ୍ଛା ବିରୋଧରେ ଭିତରକୁ ଗଲା । ମହନ୍ତ ଗୋଟିଏ ସୋଫାରେ ବସିପଡ଼ି ଆଉ ଗୋଟେ ସୋଫାରେ ଦେବପ୍ରସାଦକୁ ବସିବାକୁ ଅନୁରୋଧ କଲେ ।

 

କହିଲେ, “ତୁମର ମୋ ସଂପର୍କରେ ଭୁଲ୍‌ ଧାରଣା ରହିଛି । ମୁଁ ତୁମର ହାନି କରିବାକୁ ଚାହୁଁନାହିଁ । ମୁଁ ତ ତୁମକୁ ସାହାଯ୍ୟ କରିବାକୁ ଚାହୁଁଛି ।”

 

: କି ସାହାଯ୍ୟ ?

 

: ଯାହା ତୁମେ ଚାହିଁବ । କିନ୍ତୁ ଏଠୁ ଏ ସ୍କୁଲ ହଟେଇ ନିଅ । ଏହାଦ୍ୱାରା ଏ ଅଞ୍ଚଳର ବହୁତ କ୍ଷତି ହେଉଛି । ଧର୍ମୀୟ ଭାବନା ବ୍ୟାହତ ହେଉଛି, ଏଇଟା ମୋର ନୁହେଁ ସମସ୍ତଙ୍କର ଅଭିଯୋଗ ।

 

ଦେବପ୍ରସାଦ ବୁଝିପାରିଲା ନାହିଁ ।

 

ମହନ୍ତ କହିଲେ, “ଆମର ପୂର୍ବପୁରୁଷ ଏ ଅଞ୍ଚଳର ଜମିଦାର ଥିଲେ । ଜମିଦାରୀ ପ୍ରଥା ଉଠିଗଲା । ଆମ ହାତରୁ ଜମିବାଡ଼ି ଚାଲିଯିବ ବୋଲି ବାପା ଆଶଙ୍କା କଲେ । ତାପରେ ମୁଁ ବୈରାଗୀ ହୋଇଗଲି । ଭୋଗୀଠାରୁ ସିନା କିଏ ସମ୍ପତ୍ତି ଛଡ଼େଇ ନେବି, ବୈରାଗୀଠାରୁ କାହିଁକି କିଏ ଛଡ଼େଇବ ? ନା କଣ କହୁଛ ?”

 

ଦେବପ୍ରସାଦ କିଛି କହିଲା ନାହିଁ । ଏ ଲୋକଟି ଯେ ଏତେ ଧୂର୍ତ୍ତ ସେକଥା ସେ କଳ୍ପନା କରିପାରି ନ ଥିଲା ।

 

ସେ ଉଠିପଡ଼ୁଥିଲା । ସେତିକିବେଳକୁ ଜଣେ କିଏ ସ୍ତ୍ରୀ ଲୋକ ଆସି ମହନ୍ତଙ୍କୁ ମୁଣ୍ଡିଆ ମାରି ଛିଡ଼ା ହେଲେ । ମହନ୍ତ କହିଲେ, “ପୁତ୍ରବତୀ ହେବ ।”

 

ସ୍ତ୍ରୀ ଲୋକଟି ହସି ହସି ଚାଲିଗଲା ।

 

ମହନ୍ତ କହିଲେ, “ବିଚାରୀ ଏକ ପକ୍ଷ ହେଲା ଆମର ଶରଣାପନ୍ନ ଥିଲେ । ତିନି ଦିନ ତଳେ ଆମ୍ଭର କୃପା ହେଲା । ଏବେ ସେ ବନ୍ଧ୍ୟା ଦୋଷରୁ ମୁକ୍ତିଲାଭ କରିବେ । ସବୁ ଈଶ୍ୱରଙ୍କ ଲୀଳା ।”

 

ଦେବପ୍ରସାଦ କିଛି ପ୍ରତିକ୍ରିୟା ପ୍ରକାଶ କଲା ନାହିଁ । ଏଭଳି କଥାରେ ତାର ବିଶ୍ୱାସ ନଥାଏ-। ପୁରୁଷ ସହ ନାରୀର ସହବାସରୁ ସନ୍ତାନ ଜନ୍ମ ହୁଏ । ଠାକୁର, ଠାକୁରାଣୀଙ୍କ କୃପା କିପରି ସେ ବ୍ୟବସ୍ଥାର ବିକଳ୍ପ ହେବ, ତାହା ସେ ଚିନ୍ତା କରିପାରେ ନାହିଁ । କିନ୍ତୁ ଏଠି ଏ ପ୍ରଶ୍ନ ଉଠେଇବା ନିରାପଦ ନୁହେଁ । ବହୁ ମଠ, ମନ୍ଦିରର ପୂଜକଙ୍କ ପରି ଏଇ ମହନ୍ତ ବ୍ୟକ୍ତିଟି ବି ଘୋର ପାପରେ ଲିପ୍ତ । ଯେଉଁ ମହନ୍ତ ପ୍ରୌଢ଼ ଅବସ୍ଥାରେ ସୁଦ୍ଧା ଏ କାର୍ଯ୍ୟ କରିପାରୁଛନ୍ତି, ତାଙ୍କ ଦ୍ୱାରା ସବୁ ସମ୍ଭବ । ଏବେ ସେ ରାଜଧାନୀକୁ ଫେରିଗଲେ ଏଇ ମହନ୍ତଙ୍କ ବିରୋଧରେ ତାର ଆନ୍ଦୋଳନ ଆରମ୍ଭ କରିବ ।

 

ନୀଳାଚଳ ମଠର ମହନ୍ତ କହିଲେ, “ମୋ ସଂପର୍କରେ ଆହୁରି ଖରାପ କଥା ସବୁ ଭାବୁଛ ବୋଧହୁଏ । ହେଉ, ଆସିଛ ଯେତେବେଳେ ଟିକିଏ ସତ୍‌ସଙ୍ଗ କରି ଯାଅ । ତୁମର ଜୀବନ ବି ଧନ୍ୟ ହୋଇଯାଉ ।”

 

ଦେବପ୍ରସାଦର ସତ୍‌ସଙ୍ଗ ପ୍ରତି ଆଗ୍ରହ ନଥିଲା । ଉତ୍କଳ ଇତିହାସର ଗୋଟାଏ ଅଧ୍ୟାୟ ତାର ମନେପଡ଼ୁଥିଲା । ଯେତେବେଳେ ରାଜା ପ୍ରତାପରୁଦ୍ରଦେବ ଖଣ୍ଡା ତରବାରୀ ଛାଡ଼ି ସଂକୀର୍ତ୍ତନରେ ଭୋଳ ଥିଲେ, ସେହି ସମୟ ଥିଲା ଏ ରାଜ୍ୟର ଇତିହାସର ଲଜ୍ଜାକର ଅଧ୍ୟାୟ । ପ୍ରତାପରୁଦ୍ରଦେବଙ୍କଠାରୁ ଯୁଯୁତ୍ସୁ ଓଡ଼ିଆମାନଙ୍କର ଯେଉଁ ରୂପାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଷୋଡ଼ଶ ଶତାବ୍ଦୀ ବେଳକୁ ତାହା ଲଜ୍ଜାଜନକ ପରିଣତିରେ ପହଞ୍ଚିଥିଲା ।

 

ମହନ୍ତ କହିଲେ, “ଆଜି ସ୍ୱାଧୀନତା ଦିବସ । କେବଳ ବାହାରର ଶତ୍ରୁ ନୁହେଁ, ଭିତରର ଶତ୍ରୁମାନଙ୍କଠାରୁ, ରିପୁମାନଙ୍କଠାରୁ ସ୍ୱାଧୀନତା ପାଇବାର ଅବସର । ଆସ, ସତ୍‌ସଙ୍ଗରେ ମୁହୂର୍ତ୍ତଟିଏ ଯୋଗ ଦେଇ ଯୁଆଡ଼େ ଇଚ୍ଛା ଚାଲିଯିବ ।”

 

ଭିତରପଟୁ ବଂଶୀର ସୁନ୍ଦର ଆଳାପ, ମଝିରେ ମଝିରେ ଲଳିତ କଣ୍ଠର ଭଜନ । ହାର୍ମୋନିୟମ୍‌ ଓ ତବଲାର ସଙ୍ଗତ ଥିଲା ବେଶ୍‌ ଶ୍ରୁତିମଧୁର ।

 

ରାସ୍ତା ଦେଖେଇ ଦେଇ ମହନ୍ତ ତା ଆଖି ଆଗରୁ ସତେ କି ଉଭାନ୍‌ ହୋଇଗଲେ । ଗେରୁଆ ଶାଢ଼ୀ ପିନ୍ଧିଥିବା ସୁନ୍ଦରୀ ଜଣେ ଆସି ଦେବପ୍ରସାଦକୁ ଭିତରକୁ ବାଟ କଢ଼େଇ ନେଲା । ଭିତରେ ପଚାଶ ସରିକି ପୁରୁଷ ଓ ନାରୀ । ସମସ୍ତେ ପରମ ଆନନ୍ଦରେ ଭଜନ ଗାଉଛନ୍ତି, ମୁଣ୍ଡ ହଲଉଛନ୍ତି ।

 

ଦେବପ୍ରସାଦ ସତେ କି ମହାଭାରତର ଅର୍ଜୁନ ପରି ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଦେଖୁଥିଲା ! ଭିତରେ ସ୍ୱତନ୍ତ୍ର ଚଉତରା ଉପରେ ବସିଥିଲେ ନୂଆଗଡ଼ ପାର୍ଲାମେଣ୍ଟ ସଦସ୍ୟ, ଜିଲ୍ଲା ପୁଲିସ ଅଧୀକ୍ଷକ, ଜିଲ୍ଲାପାଳ ଏବଂ ଜିଲ୍ଲାର ବିଚାରପତି । ସେମାନଙ୍କ ଗହଣରେ ଉଚ୍ଚ ଆସନରେ ବସିଥିଲେ ମହନ୍ତ ମହାରାଜ । ଦେବପ୍ରସାଦ ଆଶ୍ଚର୍ଯ୍ୟ ହେଲା । ଏତେ କମ୍‌ ସମୟ ଭିତରେ ମହନ୍ତ ପୋଷାକ ପରିବର୍ତ୍ତନ କରିପାରିଲେ କେମିତି ? ନା, ଇଏ ତାଙ୍କ ପରି ଦିଶୁଥିବା ଆଉ ଜଣେ ?

 

ସେ ସ୍ଥିର କରିପାରିଲା ନାହିଁ । ଭଜନ କୀର୍ତ୍ତନ ଚାଲିଥିଲା । ସେ ଚୁପ୍‌ଚାପ୍‌ ଉଠିପଡ଼ି ବାହାରକୁ ଚାଲିଆସିଲା ଓ ନିଜର ଅଫିସ୍‌ ଘରକୁ ଫେରି ଆସିଲା ।

 

ସକାଳର ନିରୀହତାକୁ ହତ୍ୟା କରି ‘ସମ୍ଭାବନା’ର ଘରଟି ଜଳୁଥିଲା ହୁତ୍‌ ହୁତ୍‌ ହୋଇ । ଚାରିପଟେ ଗେରୁଆଲୁଗା ପିନ୍ଧା ମଣିଷମାନେ ଠେଙ୍ଗାବାଡ଼ି ଧରି ନାଚୁଥିଲେ ଓ ଉଦ୍ଦଣ୍ଡ କୀର୍ତ୍ତନ କରୁଥିଲେ ।

 

ଦେବପ୍ରସାଦ ଧାଇଁଯାଉଥିଲା । କିନ୍ତୁ ପଛପଟୁ କୁନାଳ ଆସି ହାତ ଯୋଡ଼ିଲା, “ସେମାନେ ତମକୁ ମାରିଦେବେ ବାବୁ । ତୁମେ ପଳେଇ ଯାଅ ।”

 

: ମାରିଦେବେ ? –ଦେବପ୍ରସାଦ ଆଶ୍ଚର୍ଯ୍ୟ ହେଲା । ଏବେ ବି ମଠ ମହନ୍ତଙ୍କ ଶାନ୍ତଶିଷ୍ଟ ଗଳାର ଉପଦେଶ ଓ ସତ୍‌ସଙ୍ଗର ସୁଲଳିତ ଭଜନ ସ୍ୱର ତା କାନ ପାଖରେ ଶୁଭିଯାଉଥିଲା । ସେଇ ମହନ୍ତ ପୁଣି ଏଭଳି ନୃଶଂସ ହୋଇପାରନ୍ତି ?

 

ସେ ଧାଇଁଲା । ମୁହଁଧୁଆ ନଈମୁହାଁ ଧାଇଁଲା । ଖଇରମୁହଁ ପାହାଡ଼ ତଳେ ଦଉଡ଼ିଲା । ଏପଟରୁ ସେପଟ, ସେପଟରୁ ଏପଟ । ଗଛମାନଙ୍କ ପଛରେ ଖୋଜିହେଲା, କୁଆଡ଼େ ଗଲେ ସନ୍ଦୀପ ଓ ସୁକନ୍ୟା ? ସେମାନଙ୍କୁ କଣ ଜାଳିଦେଲେ ଏ ନୃଶଂସ ଧର୍ମାନ୍ଧ ?

 

ତାର ପାଦତଳର ମାଟି ଧସି ଧସି ଯାଉଥିଲା । ତା ଆଖି ସାମ୍ନାରେ ‘ସମ୍ଭାବନା’ର ଖୁଣ୍ଟ, ରୁଅ ଦୋହଲି ଯାଉଥିଲା, ଚାଳ ଛପର ପୋଡ଼ି ଯାଉଥିଲା । ଚାରିପଟେ ଖାଲି ସଂକୀର୍ତ୍ତନ, ଚିତ୍କାର ।

 

କେହି ଜଣେ ପଛରୁ ତା ହାତ ଭିଡ଼ି ନେଲା ।

 

: କିଏ ? –ଚମକି ପଡ଼ିଲା ଦେବପ୍ରସାଦ ।

 

ହାଣମୁହଁରୁ ବର୍ତ୍ତିଯାଇଥିବା ଯୋଡ଼ିଏ ଭୟାର୍ତ୍ତ ଛେଳିଛୁଆ ପରି ବିକଳ ଦିଶୁଥିଲେ ସନ୍ଦୀପ ଓ ସୁକନ୍ୟା । ସେମାନଙ୍କର ବେଶବାସ ଅସମ୍ଭାଳ । ମୁହଁ ବିଷଣ୍ଣ ।

 

ସେ ସେମାନଙ୍କୁ ପ୍ରାଣ ବିକଳରେ କୁଣ୍ଢେଇ ଧରିଲା ।

 

ପଛରେ ସଂକୀର୍ତ୍ତନର ଚିତ୍କାର ଭିତରେ ‘ସମ୍ଭାବନା’ ପୋଡ଼ି ପାଉଁଶ ହୋଇଯିବାର ନଷ୍ଟଚିତ୍ର ।

☆☆☆

 

ଖରାପ ଲୋକ

 

ଅଫିସ୍‌ରୁ ଘରକୁ ଫେରି ସୁମନ୍ତ ଦେଖିଲେ ଯେ ଘର ଅନ୍ଧାର । ସେ ସାଙ୍ଗେ ସାଙ୍ଗେ ଅଗଣାକୁ ଯାଇ ଏପଟ ସେପଟ ଚାହିଁଲେ । କେବଳ ତାଙ୍କ ଘରୁ ନୁହେଁ, ସମସ୍ତଙ୍କ ଘରୁ ବିଜୁଳି ଚାଲିଯାଇଛି । ସମସ୍ତଙ୍କ ଘରୁ ବିଜୁଳି ଯାଇଥିଲେ ସେ ଆଶ୍ୱସ୍ତ ହୁଅନ୍ତି । ସେ ପଚାରିଲେ, “ମୋହନ ଘରେ ଖବର ଦେଇଛ ତ ? କେତେବେଳୁ ଲାଇନ୍‌ ଗଲାଣି ?”

 

ସ୍ତ୍ରୀ ସୁକାନ୍ତି ମହମବତି ଲଗେଇ ମେଲାଘରକୁ ଆସୁ ଆସୁ କହିଲେ, “ଦଶ ପନ୍ଦର ମିନିଟ୍‌ ହେଲା ଯାଇଛି । ମୁଁ ଟୁକୁନା ହାତରେ ମୋହନ ଘରକୁ ଖବର ପଠେଇଥିଲି । ଏବେ ଆସିଯିବ ।”

 

ମୋହନ ବିଜୁଳି ବିଭାଗର କର୍ମଚାରୀ ନ ଥିଲା କି ତା ଘର ପାଖରେ ଫ୍ୟୁଜ୍‌କଲ୍‌ ଅଫିସ୍‌ ନ ଥିଲା । ତଥାପି ସେଇ ଛୋଟ କଲୋନିର ଲୋକମାନେ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଗଲେ, ସେ ଖବରଟା ମୋହନ ଘରେ ପହଞ୍ଚେଇ ଦେଉଥିଲେ । ତେଣିକି ବିଜୁଳିବାଲାଙ୍କୁ ଖବର ଦେବା ଓ ସେକଥା ବୁଝାବୁଝି କରିବା ମୋହନର କାମ ।

 

କେବଳ ବିଜୁଳି ଚାଲିଗଲେ ନୁହେଁ, ମ୍ୟୁନିସିପାଲିଟିବାଲାଏ ଆସି ନର୍ଦ୍ଦମା ସଫା ନ କଲେ, ଟେଲିଫୋନ୍‌ବାଲା ଛିଣ୍ଡିଯାଇଥିବା ତାର ନ ସଜାଡ଼ିଲେ କି ସେଭଳି କୌଣସି ସର୍ବସାଧାରଣ କାମ କରେଇବା ଆବଶ୍ୟକ ପଡ଼ିଲେ କଲୋନିର ଲୋକମାନେ ମୋହନର ଘରେ ଯାଇ ଖବରଟା ପହଞ୍ଚେଇ ଦେଉଥିଲେ । ନିଜ ନିଜ ଘରେ ଟେଲିଫୋନ୍‌ ଥିଲେ ବି ସେମାନେ କେହି ସର୍ବସାଧାରଣଙ୍କ କାମ ନେଇ ବିଜୁଳି ବିଭାଗ, ଯୋଗାଣ ଅଥବା ମ୍ୟୁନିସିପାଲିଟି ଅଫିସ୍‌କୁ ଫୋନ୍‌ କରୁ ନଥିଲେ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବାରୁ ଏସବୁ କାମ କରିବା ପାଇଁ ସେମାନଙ୍କୁ ବେଳ ହେଉ ନଥିଲା । ଇଏ ହେଲା ପ୍ରଥମ କାରଣ । ଦ୍ୱିତୀୟ ଓ ମୁଖ୍ୟ କାରଣ ହେଲା, ସେମାନେ ଯଦି ଏସବୁ କାମ କରିବେ, ତାହାହେଲେ ମୋହନ କଣ କରିବ ?

 

ମୋହନ ଅବଶ୍ୟ ଏସବୁ କାମ ନିଃସଂକୋଚରେ କରୁଥିଲା । କଲୋନିର ଲୋକମାନଙ୍କ ତରଫରୁ ସେ ଯୋଗାଣ ବିଭାଗର ଡିଲର, ମ୍ୟୁନିସିପାଲିଟି କାଉନ୍‌ସିଲର, ଫ୍ୟୁଜ୍‌କଲ୍‌ ଅଫିସ୍‌ର ଜୁନିଅର ଇଞ୍ଜିନିୟର ଓ ଟେଲିଫୋନ୍‌ ବିଭାଗର ଜେ.ଟି.ଓ.ଙ୍କ ସାଙ୍ଗରେ ଯୁକ୍ତିତର୍କ କରୁଥିଲା । ନିଜ ଟେଲିଫୋନ୍‌ରୁ ବାରମ୍ବାର ଫୋନ୍‌ କରି ସେମାନଙ୍କୁ ଅନୁରୋଧ କରୁଥିଲା, ସମୟେ ସମୟେ କୃତ୍ରିମ କ୍ରୋଧ ପ୍ରକଟ କରୁଥିଲା ଓ ବେଳେ ବେଳେ ସେମାନଙ୍କ ଉପରେ ସତକୁ ସତ ରାଗୁଥିଲା ।

 

କଲୋନିର ଲୋକମାନେ ଏଥିପାଇଁ ମୋହନକୁ ଧନ୍ୟବାଦ ଜଣେଇବା ପ୍ରୟୋଜନ ମଣୁ ନଥିଲେ, ବରଂ ତାକୁ ଗୋଟେ ଛୋଟକାଟର ନେତା ହେବା ପାଇଁ ଭିତ୍ତିଭୂମି ଯୋଗାଇ ଦେଉଥିବାରୁ ସେମାନଙ୍କ ପ୍ରତି ସେ କୃତଜ୍ଞ ହେବା ଉଚିତ ବୋଲି ସେମାନେ ଆଶା କରୁଥିଲେ । ସେମାନେ କହୁଥିଲେ, “କି ବଡ଼ କାମଟା ଏମିତି ସେ କରୁଛି କି ? ବରଂ ତାଆରି ଯୋଗୁଁ ପାଣିବାଲା, ବିଜୁଳିବାଲା ଆମ ଉପରେ ଅଭିମାନ କରୁଛନ୍ତି । ମୋହନ ସେମାନଙ୍କୁ ଇଆଡ଼ୁ ସିଆଡ଼ୁ କହିଦେଉଥିବା ଯୋଗୁଁ ସେମାନେ ଜାଣି ଜାଣି ଆମ କଥା ବୁଝିବାରେ ଡେରି କରୁଛନ୍ତି । ତାଛଡ଼ା ମୋହନ ତ କେବଳ ଆମରି କାମ କରୁନାହିଁ ! ତା ଘରକୁ ଦିନରାତି କେତେଆଡ଼ୁ ଲୋକ ଆସୁଛନ୍ତି-। ସେ ସେମାନଙ୍କ କଥା ବୁଝୁଛି ଓ ତାଆରି ମଝିରେ ଆମର କେତେବେଳେ କଣ ଗୋଟାଏ ଅଧେ କାମ କରିଦେଉଛି ।”

 

ମୋହନର ଘର ସାମ୍ନାରେ ପ୍ରାୟ ସମୟରେ ଦି ଚାରିଟି ସ୍କୁଟର, ମୋଟର ସାଇକେଲ୍‌, ସାଇକେଲ୍‌ ଏବଂ କେତେବେଳେ କେମିତି କାର୍‌ଟେ ଛିଡ଼ା ହେଉଥିଲା । ସୁମନ୍ତ ସକାଳ ବେଳା ଠାକୁରଙ୍କ ପାଇଁ ଫୁଲ ଯୋଗାଡ଼ କରିଯିବା ବେଳେ କିମ୍ବା ସନ୍ଧ୍ୟାରେ ଅଣ୍ଟାବଥା ବେମାର ନିରାକରଣ ପାଇଁ ଘେରାଏ ଘୂରି ଆସୁଥିବା ବେଳେ ଏସବୁ ଦେଖି ମନେ ମନେ ମୋହନକୁ ଈର୍ଷା କରୁଥିଲେ । ସେଇଥିପାଇଁ କଲୋନିର କିଛି ଗୋଟାଏ କାମ ପଡ଼ିଲେ ସେ କାମର ତାଗିଦା ତୁରନ୍ତ ମୋହନ ପାଖେ ପହଞ୍ଚେଇବା ବ୍ୟବସ୍ଥା କରୁଥିଲେ । ‘ଦୁନିଆ ଲୋକଙ୍କ କାମ କରୁଛି, ଆମ କାମ କରିବ ନାହିଁ କାହିଁକି ?’

 

ସୁମନ୍ତ କିଛି ମିଛ କହୁ ନ ଥିଲେ । ଏହା ଆଗରୁ ମୋହନ ମଧୁସୂଦନ ନଗରରେ ରହୁଥିଲା । ବର୍ଷେ ପାଖାପାଖି ହେଲା ମୋହନ ଏଠିକି ଆସିଥିଲେ ସୁଦ୍ଧା ସମୟେ ସମୟେ ମଧୁସୂଦନ ନଗରର ଲୋକମାନେ ତା ପାଖକୁ ଆସୁଥିଲେ ଓ ମୋହନ ସେମାନଙ୍କ କାମ କରୁଥିଲା-। ପୁରୁଣା କଲୋନିର କାମ କରିବାକୁ ଅଣ୍ଟାଭିଡୁଥିବା ମୋହନର ନିଜ କଲୋନି ଲୋକଙ୍କ କାମ କରିବା ଯେ ସର୍ବନିମ୍ନ ଦାୟିତ୍ୱ ସେ ନେଇ ସୁମନ୍ତଙ୍କର ସନ୍ଦେହ ନଥିଲା । ସେଥିପାଇଁ କେବେ ଲାଇନ୍‌ ଆସିବାରେ ବିଳମ୍ବ ବା ନର୍ଦ୍ଦମା ସଫା ହେବାରେ ମ୍ୟୁନିସିପାଲିଟିବାଲାଏ ଅବହେଳା କରୁଥିଲେ ସେ ଓ ତାଙ୍କର ପ୍ରତିବେଶୀ ମୋହନ ଉପରେ କ୍ଷୁବ୍ଧ ହେଉଥିଲେ । “ଦି ଦିନ ହେଲା ତମକୁ କହିଲୁଣି, ଏତିକି କଥା ବୁଝିପାରୁନାହଁ ?”

 

ମୋହନ ଉପରେ ରାଉତରାୟ ଘରର ଲୋକମାନେ ସବୁଠୁ ବେଶି ବିରକ୍ତ ହେଉଥିଲେ-। ମୋହନ ଘରେ ଟେଲିଫୋନ୍‌ ଥିଲା ଓ ତା ଘରଟି ରାଉତରାୟଙ୍କ ଘର ପାଖରେ । କେବଳ ଗୋଟିଏ ଗଳି ରାସ୍ତା ଡେଇଁ ସେପଟକୁ ବାଁ ହାତି ମାଡ଼ିଗଲେ ରାଉତରାୟଙ୍କ ଘର । ରାଉତରାୟ ସମବାୟ ବିଭାଗରେ କାମ କରନ୍ତି । ବହୁ କୁଟୁମ୍ବୀ । ତାଙ୍କର ପୁଅଝିଅ ମିଶି ପାଞ୍ଚ ଜଣ-। ସେମାନେ ସମସ୍ତେ ସ୍କୁଲ, କଲେଜରେ ପଢ଼ନ୍ତି । ସମୟେ ସମୟେ ସେମାନଙ୍କ ପାଖକୁ ଫୋନ୍‌ ଆସେ । କିନ୍ତୁ ସେମାନଙ୍କ ପାଖେ ସେ ଖବର ପହଞ୍ଚୁ ପହଞ୍ଚୁ ଡେରି ହୋଇଯାଏ । ପରେ ସେମାନେ ଟେଲିଫୋନ୍‌ କରିଥିବା ସେମାନଙ୍କର ସାଙ୍ଗ ଓ ସମ୍ପର୍କୀୟଙ୍କଠୁଁ ସେକଥା ଜାଣନ୍ତି-। ମୋହନ କିମ୍ବା ତା ସ୍ତ୍ରୀ ତାଙ୍କୁ ଟେଲିଫୋନ୍‌ ଆସିଥିବା ଖବର କହି ନଥିଲେ କିମ୍ବା ଫୋନ୍‌ ପାଖକୁ ଡାକି ନଥିଲେ ସେମାନେ ପାଟିକରି ଗାଳି ଦିଅନ୍ତି । ନିଜେ ରାଉତରାୟବାବୁ ବି ରାସ୍ତାରେ ଯା-ଆସ କରୁଥିବା ଲୋକଙ୍କୁ ସାକ୍ଷୀ ପକେଇ କହନ୍ତି, “କି ଦାୟିତ୍ୱହୀନ ଲୋକ କହିଲେ ରାତି ଅଧରେ ମୋ ପୁଅର ସାଙ୍ଗ ଟେଲିଫୋନ୍‌ କରିଥିଲା । ଜରୁରୀ ଖବର ଅଛି ବୋଲି ଜାଣି ସୁଦ୍ଧା ଏ ଲୋକଟା ଆମ ଘରେ ଟିକିଏ ଖବର ଦେଲା ନାହିଁ !”

 

ରାସ୍ତା ଯିବା ଲୋକ ନିଜ କାମରେ ଦୋକାନ ବଜାର କି ଦପ୍ତରକୁ ଯାଉଥାନ୍ତି ନାରାୟଣବାବୁଙ୍କ ଅଭିଯୋଗ ଶୁଣି ମନ୍ତବ୍ୟ ଦିଅନ୍ତି, “କୁହନ୍ତୁ ନାହିଁ, କୁହନ୍ତୁ ନାହିଁ । ଏ ଯୁଗ ଏମିତି ହେଲାଣି ଯେ ମଣିଷ ନିଜ କଥା ଛଡ଼ା ଆଉ କାହାରି କଥା ଚିନ୍ତା କରୁନାହିଁ ।”

 

ତେଣୁ ନାରାୟଣବାବୁଙ୍କ ଭାଷାରେ ମୋହନ ଗୋଟେ ସ୍ୱାର୍ଥପର ଲୋକ । ତାର ହାବଭାବ ଭଲ ନୁହେଁ । ସେଇଥିପାଇଁ ସେ ମଧୁସୂଦନ ନଗର କଲୋନିରେ ରହିପାରିଲା ନାହିଁ । ଘରେ ଟେଲିଫୋନ୍‌ଟେ ଅଛି ବୋଲି ତାର ବହୁତ ଗର୍ବ । ଭଲରେ ମନ୍ଦରେ କେହି ଫୋନ୍‌ କରେ । ଟିକିଏ ଡାକିଦେଲେ କଣ ମହାଭାରତ ଅଶୁଦ୍ଧ ହୋଇଯାଆନ୍ତା ?

 

ନାରାୟଣ ରାଉତରାୟଙ୍କ ମନ୍ତବ୍ୟ ସହ ସୁମନ୍ତ ଏକମତ ହେଲେ ବି ଅଭିଯୋଗ ସାଙ୍ଗରେ ସହମତ ହୁଅନ୍ତି ନାହିଁ । ରାଉତରାୟଙ୍କ ପୁଅଝିଅମାନେ ହାଟୁଆ ହୋଇଯାଇଛନ୍ତି । ଆଗେ ମୋହନ ଆସିବା ଆଗରୁ ତାଙ୍କରି ଘରକୁ ସେମାନଙ୍କର ଫୋନ୍‌ ଆସୁଥିଲା । ସେମାନଙ୍କର ସମୟଜ୍ଞାନ ନାହିଁ, ଘଡ଼ିକି ଘଡ଼ି ଫୋନ୍‌ ଆସିବ–ମିଲିକୁ ଡାକି ଦିଅନ୍ତୁ, ଟୁକୁନାକୁ ଡାକି ଦିଅନ୍ତୁ । କୌଣସି କଥା ଶୁଣିବାକୁ ସେପଟର ବାବୁ ବାବୁଆଣୀଏ ପ୍ରସ୍ତୁତ ନୁହନ୍ତି । ସମୟେ ସମୟେ ସୁମନ୍ତ ବିଗିଡ଼ିଯାଆନ୍ତି । କିଏ ସବୁବେଳେ ଯାଇ ଡଗର ପରି ଏ ଖବର ଦେବ ? ଟେଲିଫୋନ୍‌ଟିଏ ଘରେ ରଖିବା ସତେ କି ଗୋଟେ ଅପରାଧ !

 

କିନ୍ତୁ ମୋହନ ଯେ ସ୍ୱାର୍ଥପର ପ୍ରକୃତିର, ସେ ସଂପର୍କରେ ସୁମନ୍ତଙ୍କ ପାଖରେ ଅନ୍ୟ ପ୍ରମାଣ ଥିବାରୁ ତାଙ୍କ ମନରେ ସେ ନେଇ ସନ୍ଦେହ ନଥିଲା । ସେ ଜାଣିଥିଲେ ଯେ, ମୋହନ ଅନ୍ୟମାନଙ୍କ କାମ ଯେଉଁପରି ତତ୍ପରତାର ସହ କରୁଥିଲା, ତାଙ୍କ କାମ ସେପରି ତତ୍ପରତାର ସହ କରୁ ନଥିଲା । ଏ ସଂପର୍କରେ ସେ ଚିନ୍ତା କରି ସ୍ଥିର କରିନେଇଥିଲେ, ଲୋକଟା ନିଶ୍ଚୟ କାମ କରିଦେବା ପାଇଁ ଅନ୍ୟମାନଙ୍କଠୁଁ କମିଶନ୍‌ ଆଦାୟ କରୁଥିବ । ଯେହେତୁ ସେ ଜଣେ ଭଲ ଲୋକ ଓ ଏପରି କମିଶନ୍‌ ସେ ତାକୁ ଦେବେନାହିଁ, ସେଥିପାଇଁ ସେ ତାଙ୍କ କାମ ତତ୍ପରତାର ସହ କରୁନାହିଁ-। ଏଭଳି ଲୋକ ସ୍ୱାର୍ଥପର ନୁହେଁ ତ ଆଉ କଣ ?

 

ସୁମନ୍ତ ଅଧିକାଂଶ ସମୟରେ ମୋହନ ଉପରେ ବିରକ୍ତ ହେଉଥିଲେ । ଅନ୍ୟର କାମଦାମ କରି ଏହିପରି ଅଯୋଗ୍ୟ ଲୋକମାନେ ସେଇ ବାହାନାରେ ରାତାରାତି ନେତା ବନିଯାଆନ୍ତି । ଧୀରେ ଧୀରେ କାଉନ୍‌ସିଲର, ତାପରେ ଚେୟାର୍‌ମ୍ୟାନ୍‌ । ଏହାପରେ ତ ସେମାନଙ୍କର ପ୍ରଗତି ଉପରକୁ ଉପରକୁ । କୋଠା ପିଟିବେ । ଗାଡ଼ି ଚଢ଼ିବେ, ନେତା ହୋଇ ଭାଷଣ ଦେବେ ।

 

ଏକଥା ଭାବିଲାବେଳେ ସୁମନ୍ତ ସ୍ଥିର କରନ୍ତି, ଏଣିକି ତାଙ୍କ ଘରର କୌଣସି ସମସ୍ୟା ନେଇ ସେ ମୋହନର ସାହାଯ୍ୟ ଲୋଡ଼ିବେ ନାହିଁ । ନିଜେ ବରଂ ଲାଗିପଡ଼ି ସେ କାମ କରିବେ । ତାଙ୍କରି ଅବହେଳା ଯୋଗୁଁ ବର୍ଷକ ତଳେ ଆସିଥିବା ଲୋକଟି ଏଠି ନେତା ପାଲଟିଯାଉଛି । ଏକଥା ଭାବନ୍ତି ସିନା, କିନ୍ତୁ କରିପାରନ୍ତି ନାହିଁ । କେତେବେଳେ ଝଡ଼ ତୋଫାନ ସମୟରେ ବିଜୁଳି ଚାଲିଯାଏ, ସେ ସାହସ କରି ଘରୁ ବାହାରନ୍ତି ନାହିଁ । କେତେବେଳେ ସେ ଅଫିସ୍‌ରେ ଥିବାବେଳେ ଘର ଫୋନ୍‌ ଅଚଳ ହୋଇପଡ଼େ ଓ ମୋହନର ସାହାଯ୍ୟ ଜରୁରୀ ହୋଇଯାଏ । ଆଉ କେତେବେଳେ ସାଧାରଣ ସେବା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ହାବଭାବ ତାଙ୍କୁ ବିରକ୍ତ କରିଦିଏ-

 

ବିଜୁଳିବାଲାଙ୍କୁ ଖବର ଦେଉ ଦେଉ ସେ ଉତ୍ତର ଫେରେଇବେ, ‘ତାଳଚେରରୁ ଲାଇନ କଟିଛି । ଡେରି ହେବ । ଟାୱାର ଭାଙ୍ଗିପଡ଼ିଛି, ଗଛଡାଳ ଖସିପଡ଼ିଛି, ଲୋକ ଗଲେଣି... ।’

 

ମ୍ୟୁନିସିପାଲିଟିବାଲାଏ ତ ଟେଲିଫୋନ୍‌ ଉଠାନ୍ତି ନାହିଁ । ଆମ୍ବୁଲାନ୍‌ସର ସେହି ଅବସ୍ଥା । ଦୁଇ ତିନି ଥର ଚେଷ୍ଟା କରି ବିଫଳ ହେଲାପରେ ସେ ମୋହନ ଘରେ ଖବର ପହଞ୍ଚେଇ ଦେଇ ନିଶ୍ଚିନ୍ତରେ ବସନ୍ତି । ଲୋକଟା କାମରେ ଲାଗୁ । ତାର ତ ସେମିତି କିଛି ଅଫିସ୍‌ କାମ ଗଡ଼ିଯାଉନାହିଁ । ଆମେ ସିନା ବ୍ୟସ୍ତ ଲୋକ!

 

ସୁମନ୍ତ ତାଙ୍କ ପତ୍ନୀଙ୍କୁ କହନ୍ତି, “ତୁମେ ଜାଣିନ, ଏ ଲୋକମାନେ ଭାରି ଚାଲାକ । ତୁମେ ଭାବୁଛ, ଏଥିରେ ତାର କିଛି ଲାଭ ନାହିଁ ? ଏମିତି କଲୋନିବାଲାଙ୍କ ସମସ୍ୟା ନେଇ ଏ ଅଫିସ୍‌, ସେ ଅଫିସ୍‌ ଦଉଡ଼ିବା ଭିତରେ ତାର କେତେ ପ୍ରତିଷ୍ଠା ବଢ଼ୁଛି ଜାଣିପାରୁଛ ? ଆମେ ଯଦି ତା ଉପରେ ନିର୍ଭର ନ କରିବୁ, ତାହାହେଲେ ତାକୁ କିଏ ଚିହ୍ନନ୍ତା ? ଏଗୁଡ଼ା ତ ତାର ମୂଳଧନ !”

 

ଇଏ କେବଳ ସୁମନ୍ତଙ୍କ ଧାରଣା ନ ଥିଲା, ସେହି ଛୋଟ କଲୋନିର ପ୍ରାୟ ଅର୍ଦ୍ଧାଧିକ ଲୋକଙ୍କ ଧାରଣା ମୋଟାମୋଟି ଏଇଆ ଥିଲା । କିଛି ବ୍ୟାଙ୍କ ଅଫିସର ସରକାରଙ୍କଠୁଁ ଜମି ନେଇ ଏଠି ଗୋଟିଏ ସମବାୟ ହାଉସିଂ କଲୋନି ବସେଇଥିଲେ । ସେଇ ଘର ଭିତରୁ କେତୋଟିରେ ଘରମାଲିକ ରହୁଛନ୍ତି, ନହେଲେ ପ୍ରାୟ ଘରଗୁଡ଼ିକ ଭଡ଼ାରେ ଲାଗିଛି । ସହରଠୁଁ ଦୂର ବୋଲି ଏଠିକାର ଭଡ଼ା ଟିକିଏ ଶସ୍ତା, ସେଇ ଅନୁପାତରେ ସରକାରୀ ଦୃଷ୍ଟି ବି ଊଣା । ରାସ୍ତାଘାଟ କାମ ସରିନାହିଁ, କାମ ଚଳିଲା ପରି ନାଳନର୍ଦ୍ଦମାର ବ୍ୟବସ୍ଥା ।

 

ସହରର ଲୋକମାନେ ସବୁ କର୍ମଜୀବୀ । ସକାଳୁ ନିଜ ନିଜ କାମରେ ଯାଆନ୍ତି, ଫେରନ୍ତି ସନ୍ଧ୍ୟାରେ । ଅଫିସ୍‌ କାମ ସାଙ୍ଗରେ ନାନା ପ୍ରକାର ଜଞ୍ଜାଳ । ବଢ଼ିଲା ଝିଅର ବାହାଘର ଚିନ୍ତା, ବେକାର ପୁଅର ଚାକିରି ସମସ୍ୟା, କୋଉଠି ଘରମାଲିକ ଘର ଛାଡ଼ିବାକୁ ନୋଟିସ୍‌ ଦେଲାଣି, କୋଉଠି ଛଅ ମାସରେ ଥରେ ଭଡ଼ା ବଢ଼େଇଲାଣି । ଏସବୁ ଭିତରେ ସାଧାରଣ ସମସ୍ୟାର ସମାଧାନ କରିବାକୁ ବେଳ ମିଳେ ନାହିଁ । ସେଭଳି ସମାଧାନ ସମସ୍ୟା ପାଇଁ ପାଖ ପଡ଼ିଶାଙ୍କ ସାହାଯ୍ୟ ଲୋଡ଼ନ୍ତି । ଯିଏ ସାହାଯ୍ୟ କରିବାକୁ ମନା କରେ, ସେ ରହିଯାଏ । ଯିଏ ଆଗେଇ ଆସେ, ତାଆରି ପାଖରେ ଭିଡ଼ ବଢ଼େ । ଭିଡ଼ ବଢ଼ିଲେ ସମର୍ଥନ ବଢ଼େ, ଅଭିଯୋଗ ବି । କାହାର ଗୋଟିଏ କାମ ହୋଇଗଲେ ସେ ଦ୍ୱିତୀୟ କାମର ବରାଦ ନେଇ ଆସେ । କାହାର ତୃତୀୟ କାମଟି ନ ହୋଇ ପାରିଲେ, ପ୍ରଥମ ଦିଇଟି କାମ ହୋଇଥିବା ସତ୍ତ୍ୱେ ତୃତୀୟଟି କାହିଁକି ହେଲା ନାହିଁ ବୋଲି ଅଭିଯୋଗ କରେ ।

ଧୀରେ ଧୀରେ ସେ ଅଭିଯୋଗର ଶବ୍ଦ ସବୁ ଚା ଦୋକାନ, ପାନ ଦୋକାନ ଦେଇ ସମସ୍ତଙ୍କ ପାଖରେ ପହଞ୍ଚେ । ଭଲ କାମ କରିଥିବା ଖବର ପଛକୁ ରହେ । ଖରାପ କାମର ଚର୍ଚ୍ଚା ହୁଏ । ସୁମନ୍ତ, ରାଉତରାୟ ଓ ଅନ୍ୟମାନେ ମୋହନକୁ ସମାଲୋଚନା କରିବା କାମରେ ଭାଗ ନିଅନ୍ତି । ଆଉ ଯାହାଙ୍କର କାମ ମୋହନ କରି ନଥାଏ, ସେମାନେ ଶ୍ରୋତା ଭାବରେ ଆସରକୁ ଉତ୍ସାହ ଯୋଗାନ୍ତି ।

ଏମିତି ସେ କଲୋନିର ସମୟ ବିତେ ।

ସକାଳ ହୁଏ, ସଞ୍ଜ ହୁଏ । ରବିବାର ଏବଂ ଛୁଟି ଦିନ ଆସେ, ଯାଏ । ସବୁରି କାମ ପାଇଁ ମୋହନ ପ୍ରସ୍ତୁତ ଥାଏ । ସମସ୍ତେ ନିଜ ନିଜର ଢୋଲ ଧରି ମୋହନର କାନ୍ଧ ଖୋଜିହୁଅନ୍ତି । ଢୋଲଟା ତା କାନ୍ଧରେ ପକେଇ ଦେଲେ ତେଣିକି ନିଶ୍ଚିନ୍ତ । ତାପରେ ଅଭିଯୋଗ–ଦି ଥର କହିଲିଣି, ଏଇ ଛୋଟ କାମଟି ହୋଇପାରିଲା ନାହିଁ ?

ମୋହନ ରାସ୍ତା ମଝିରେ ସ୍କୁଟର ଅଟକେଇ ଏସବୁ ଶୁଣେ । ଖାତକ ପରି ମୁଣ୍ଡ ଟୁଙ୍ଗାରେ–“ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଆଜି ଆଉଥରେ ଯାଇ କହିବି ।”

ଗତକାଲି ଅଗଷ୍ଟ ପନ୍ଦର ଥିଲା । ସରକାରୀ ଛୁଟି । ସଞ୍ଜବେଳେ କଲୋନିର ମଙ୍ଗଳାମଣ୍ଡପ ପାଖେ ସୁମନ୍ତ ଓ ତାଙ୍କର ସାଙ୍ଗମାନେ ତାସ୍‌ ଖେଳୁଥିଲେ । ମଝିରେ ମଝିରେ ପାଣିପାଗ ଓ ରାଜନୀତି ଚର୍ଚ୍ଚା ଚାଲିଥିଲା । ନଈରେ ବଢ଼ି ଆସିଥିବାରୁ ବର୍ଷା ହେଉ ନଥିଲା ଓ ଏହାର କାରଣ କୁଆଡ଼େ ନଈବଢ଼ି ଏବଂ ବର୍ଷା ଭିତରେ ଦେଢ଼ଶୁର ଭାଇବୋହୂ ସଂପର୍କ ବୋଲି ମଦନରାୟ କହୁଥିଲେ । ଖେଳଟା ଜମିଆସୁଥିଲା ଓ ରାଉତରାୟ ଖଣ୍ଡିକ ପରେ ଖଣ୍ଡିଏ ଖିଲିପାନ ପାଟିରେ ଜାକି ଖେଳି ଚାଲିଥିଲେ ।

ସେତିକିବେଳେ ମୋହନର ଘର ଆଗରେ ଗୋଟିଏ ରିକ୍‌ସା ଆସି ରହିଥିଲା । ମୋହନର ପ୍ୟାଣ୍ଟ୍‌ରେ ରକ୍ତଛିଟା ଲାଗିଥିଲା ଓ ସେ ବେହୋସ୍‌ ହୋଇପଡ଼ିବା ପରି ଦିଶୁଥିଲା । ତା ସ୍ତ୍ରୀ ରିକ୍ସାବାଲା ସାଙ୍ଗରେ ମିଶି ମୋହନକୁ ଘରକୁ ନେଇଥିଲେ ।

‘ଭଲ ଖେଳଟା ମାଟି ହୋଇଗଲା’, ଏମିତି ଏକ ମନ୍ତବ୍ୟ ଦେଇ ରାଉତରାୟ ପାଖରେ ବସିଥିବା ଜଣେ ପିଲାକୁ କହିଲେ, “ଗଲୁ, କଥାଟା ବୁଝି ଆସିବୁ” ଓ ତାପରେ କହିଲେ, “ନେତା ହୋଇଛି ! କୋଉଠି କଣ ପିଟାପିଟି କରି ଆସିଥିବ । ଇଏ କାହା ଉପରେ ଆଗେ ହାତ ଉଠେଇଥିବ ଓ ସେ ୟାକୁ ଟାଙ୍କେ ଛେଚିଥିବ । ଆଜିକାଲିର ଯୁଗ ଯାହା ହେଲାଣି..... ।”

ସୁମନ୍ତଙ୍କର ମୋହନ ପ୍ରତି କୌଣସି ସ୍ୱତନ୍ତ୍ର ଦରଦ ନ ଥିଲା; ବରଂ ତା ପ୍ରତି ତାଙ୍କର କିଛି ପରିମାଣରେ ଈର୍ଷା ଥିଲା । ତାଙ୍କ କଲୋନିକୁ ମୋହନ ଆସିବା ଦିନଠୁଁ ଆଉ କେହି କୌଣସି କଥା ନେଇ ତାଙ୍କ ସହିତ ଆଲୋଚନା କରୁ ନଥିଲେ । ମଙ୍ଗଳା ଶାନ୍ତି କମିଟିର ସଭାପତି ପଦରେ ଯଦିଓ ସେ ଏବେ ବି ରହିଥିଲେ, ତଥାପି ତାଙ୍କର ପତିଆରା ଏଇ ମୋହନ ପାଇଁ ଧୀରେ ଧୀରେ କ୍ଷୁଣ୍ଣ ହେଉଥିବା ସେ ଅନୁମାନ କରିପାରୁଥିଲେ । ତେବେ ଏପରି ସମୟରେ ବ୍ୟକ୍ତିଗତ ଈର୍ଷା କି କ୍ରୋଧରୁ ସାମ୍ନାରେ ପ୍ରକାଶ କରିବା ବୁଦ୍ଧିମତ୍ତା ନୁହେଁ । ସେ ବାଧ୍ୟ ହୋଇ କହିଲେ, “ଖେଳ ଭାଙ୍ଗିଦିଅ । ଯାଇ ଦେଖେ ସେଠି କି ପାଲା ହେଲାଣି ।”

 

ମୋହନ ଘରକୁ ଯାଇଥିବା ପିଲାଟି ଧାଇଁଆସି କହିଲା, “ରାସ୍ତାରେ କୋଉ ଝିଅକୁ ଟୋକା ଦି ଜଣ କମେଣ୍ଟ ମାରୁଥିଲେ । ମୋହନ ଭାଇ ମନା କଲାରୁ ସେମାନେ... ।”

 

: ତୁ ତ ସବୁ ଜାଣିଛୁ ! –ପିଲାଟାର କଥାକୁ ନାପସନ୍ଦ କଲା ପରି ରାଉତରାୟ କହିଲେ, “ଇଆର ଯୋଉ ଗୁଣ, ଉପରେ ପଡ଼ି ଝଗଡ଼ା କରିଥିବ । ନହେଲେ, କିଏ କାହିଁକି ମିଛଟାରେ ୟାକୁ ବାଡ଼ାପିଟା କରିଥାଆନ୍ତା । ଇଏ କଣ ମନ୍ତ୍ରୀ ନା ଚେୟାର୍‌ମ୍ୟାନ୍‌ ?”

 

ସୁମନ୍ତ କହିଥିଲେ, “ଯାହା ହେବାର ହୋଇଥିବ, ସେ ନିଜେ ବୁଝିବ ନାହିଁ କି ? ଆମର ସିନା ପୋଲିସ୍‌, ଥାନା କି ଉପର ମହଲରେ ଚିହ୍ନା ପରିଚୟ ନାହିଁ । ତାର ତ ସମସ୍ତଙ୍କ ସାଙ୍ଗରେ ଚିହ୍ନା ପରିଚୟ ।”

 

ଏଇକଥା କହି ସୁମନ୍ତ ନିଜ ଘରକୁ ଫେରି ଆସିଥିଲେ । ଟେଲିଭିଜନ୍‌ରେ ଅଗଷ୍ଟ ପନ୍ଦର ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦେଖିଥିଲେ ଓ କାର୍‌ଗିଲ୍‌ ଯୁଦ୍ଧରେ ଭାରତର ବୀର ସୈନିକମାନେ କିପରି ସାହସର ସହିତ ଲଢ଼େଇ କରିଥିଲେ, ସେକଥା ଶୁଣିବାକୁ ନିଜ ପୁଅକୁ ପରାମର୍ଶ ଦେଇଥିଲେ । ସୁମନ୍ତ କହିଥିଲେ, “ସବୁବେଳେ ଦେଶ କଥା ଚିନ୍ତା କରିବୁ । ଟେଲିଭିଜନ୍‌ରେ ଯୋଉ ସ୍ଲୋଗାନ୍‌ ପ୍ରଚାର ହେଉଛି ତା ଅର୍ଥ ବୁଝୁଛୁ ତ ! ଆମମାନଙ୍କ ଆସନ୍ତା କାଲି ପାଇଁ ଯବାନମାନେ ସେମାନଙ୍କର ଆଜି, ମାନେ ବର୍ତ୍ତମାନକୁ ବାଜି ଲଗେଇଦେଲେ ।”

 

ପୁଅ ସବୁ ବୁଝିଲା ପରି ମୁଣ୍ଡ ହଲେଇଥିଲା ।

 

ସୁକାନ୍ତି କହିଥିଲେ, “ମୋହନ ଘରଆଡ଼େ ଯାଇ ଟିକିଏ ବୁଲି ଆସିଲ ନାହିଁ ? ଲୋକଟି ତମର ଭଲମନ୍ଦରେ ଆସି ଛିଡ଼ା ହୁଏ ।”

 

ସୁମନ୍ତ ଉତ୍ତର ଦେଇଥିଲେ, “ଏଇଟା ପୁଲିସ କେଶ୍‌ । ଏ ମାମଲାରେ ପଶିଲେ ବହୁତ ଦିନଯାଏ ଘୋଷରା ହେବାକୁ ପଡ଼ିବ । ସେ ସିନା ବେକାର ଲୋକଟା ବୋଲି ଆମର ଭଲମନ୍ଦ କାମଟେ କରିଦେଉଛି । ମୋର ତ ଚାକିରି ବାକିରି ଅଛି । ଗୋଟେ ଦିନ ଛୁଟି ମିଳିବା ଏବେ କଷ୍ଟ, କାଲିକି ବଳେ ଜଣାପଡ଼ିବ ନାହିଁ କି ?”

 

ଏହାପରେ ସୁମନ୍ତ ଶୋଇପଡ଼ିଥିଲେ । ମନେ ମନେ ଆତ୍ମପ୍ରସାଦ ଅନୁଭବ କରିଥିଲେ, ଏବେ ଟୋକା ମଜ୍ଜା ପାଇଛି । ଆଉ ଏଣିକି ସବୁକଥାରେ ଡେଇଁ ପଡ଼ିବ ନାହିଁ । ବଡ଼ ନେତା ସାଜୁଥିଲା !

 

ରାତି ସାଢ଼େ ନଅଟା ପାଖାପାଖି ଗେଟ୍‌ ପାଖରେ ରାଉତରାୟଙ୍କ ପାଟି ଶୁଣି ସୁମନ୍ତଙ୍କର ଭାତନିଦ ଭାଙ୍ଗିଗଲା । ସେ ବିଛଣାରୁ ନ ଓହ୍ଲେଇ ପଚାରିଲେ, “କଣ ହେଲା ?”

 

ସୁକାନ୍ତି ଉଠିଯାଇ ଗେଟ୍‌ ପାଖକୁ ଗଲେ ଓ ଫେରିଆସି କହିଲେ, “ରାଉତରାୟବାବୁ ଡାକୁଛନ୍ତି । ରୀନା କୋଉ ଥାନାରୁ ଫୋନ୍‌ କରିଥିଲା । ତମକୁ ସାଙ୍ଗରେ ଯିବାକୁ ଡାକୁଛନ୍ତି ।”

 

ସୁମନ୍ତ ଆଶ୍ଚର୍ଯ୍ୟ ହେଲେ, ବିରକ୍ତ ବି । ଇଏ ରାଉତରାୟ ବି ଆଚ୍ଛା ଲୋକ ! ନିଜେ ତାସ୍‌ଖଟିରେ ସଞ୍ଜ କାଟୁଛି, ପିଲାଛୁଆଙ୍କ କଥା ବୁଝିବା ବେଳକୁ ସାହିପଡ଼ିଶା ଲୋଡ଼ା ହେଉଛନ୍ତି ?

 

ରାଉତରାୟ ବ୍ୟସ୍ତ ହୋଇ ଡାକୁଥିଲେ । ସୁମନ୍ତ ବାଧ୍ୟହୋଇ ଜାମାଟେ ଗଳେଇ ବାହାରକୁ ଆସିଲେ ।

 

: ରୀନା ଥାନାରେ ଅଛି ।

 

: ମୋହନ ଘରେ ଖବର ଦେଲେ ନାହିଁ... ? –ସୁମନ୍ତ କଥାଟି ଆରମ୍ଭ କରି ସାରିପାରିଲେ ନାହିଁ । କିଛି ସମୟ ତଳେ ମୋହନ ନିଜେ ଖଣ୍ଡିଆଖାବରା ହୋଇ ଘରକୁ ଫେରିବାର ଦୃଶ୍ୟ ସେ ନିଜେ ଦେଖିଥିଲେ ।

 

ଏଥର ସୁମନ୍ତ ପୁଣିଥରେ ଘରକୁ ଗଲେ । ପ୍ୟାଣ୍ଟ୍‌ଟା ପିନ୍ଧି କହିଲେ, “ଏତେ ରାତିରେ ସେ କୁଆଡ଼େ ଯାଇଥିଲା ?”

 

: କୁହନ୍ତୁ ନାହିଁ ସୁମନ୍ତବାବୁ । ଏ ପିଲାମାନଙ୍କୁ ଶାସନ କରିବା କାଠିକର ପାଠ ହେଲାଣି-। କୋଉଦିନ ସାଙ୍ଗର ଜନ୍ମଦିନ, କୋଉଦିନ ସାଙ୍ଗ ଭାଇର ବାହାଘର... । ଯେତେ କହିଲେ ବି ଶୁଣୁନାହାନ୍ତି । ସେମାନଙ୍କ ମାଆ ତ ମୁହଁ ଦେଇ ସମସ୍ତଙ୍କୁ ବିଗାଡ଼ିଛି ।

 

ସୁମନ୍ତ କିଛି ଉତ୍ତର ଫେରେଇ ନଥିଲେ । ମନେ ମନେ ବିଡ଼ିବିଡ଼ି ହୋଇ କହିଥିଲେ, “ଏ ବେଳକୁ ମାଆର ଦୋଷ । ଭଲ କାମ ହୋଇଥିଲେ ସବୁ ବାପଗୁଣ ବୋଲି କହିଥାଆନ୍ତେ ।”

 

ଥାନା ଭିତରେ ରୀନା ସାଙ୍କୁଡ଼ି ହୋଇ ବସିଥିଲା । ଲେଡି ସବ୍‌ଇନିସ୍‌ପେକ୍ଟର ଜଣେ ତା ପାଖରେ ବସି ତାକୁ କଣ କହୁଥିଲେ । ବାପାକୁ ଦେଖି ରୀନା ସୁଁ ସୁଁ କାନ୍ଦି ଉଠିଲା ।

 

ରାଉତରାୟବାବୁ ରାଗିକି କଣ କହିବାକୁ ଆଗେଇ ଯାଉଥିଲେ ସୁମନ୍ତ ତାଙ୍କୁ ଧରିପକେଇଲେ । ଥାନା ଭିତରଟାରେ ବଢ଼ିଲା ଝିଅଟିକୁ କିଛି କହିବା ଠିକ୍‌ ନୁହେଁ । ରାଉତରାୟବାବୁ ଲେଡି ସବ୍‌ଇନିସପେକ୍ଟରଙ୍କୁ କହିଲେ, “ଆପଣଙ୍କୁ ବହୁତ ଧନ୍ୟବାଦ । ମୋ ଝିଅର ଜୀବନ ବଞ୍ଚେଇଦେଲେ ।”

 

“ଆମେ କଣ କରିଛୁ ଯେ ଆମକୁ ଧନ୍ୟବାଦ ଦେଉଛନ୍ତି । ଧନ୍ୟବାଦ ଦେବେ ଯଦି ସେଇ ଲୋକଟାକୁ ଯାଇ ଦିଅନ୍ତୁ–ଯିଏ ଅଭଦ୍ର ଟୋକାଙ୍କ କବଳରୁ ଆପଣଙ୍କ ଝିଅର ସମ୍ମାନ ବଞ୍ଚେଇବା ଲାଗି ଲହୁଲୁହାଣ ହେଲା ।” –ସବ୍‌ଇନିସପେକ୍ଟର କହିଲେ ।

 

ସେଇଠି କୋଉଠି ସେ ଲୋକଟି ଥିବା ପରି ରାଉତରାୟବାବୁ କହିଲେ, “କିଏ ସେ ଭଦ୍ରଲୋକ ? ମୁଁ ତାଙ୍କୁ ଭେଟିବାକୁ ଚାହେଁ ।”

 

: ଲୋକଟା ରକ୍ତାକ୍ତ ହୋଇଯାଇଥିଲା । ଆମେ ଗୋଟିଏ ରିକ୍ସା କରି ପଠେଇଦେଲୁ । ଲୋକଟି ଠିକଣାବେଳେ ପହଞ୍ଚି ନଥଲେ ଆପଣଙ୍କ ଝିଅର... । –ସବ୍‌ଇନିସ୍‌ପେକ୍ଟର ଜାଣି ଜାଣି କଥାଟିକୁ ଶେଷ କଲେ ନାହିଁ ।

 

ଲଜ୍ଜା ଓ ଭୟରେ ରୀନା ଗୋଟେ ରଙ୍ଗ ଛାଡ଼ିଯାଇଥିବା ଲୁଗା ପରି ବିବର୍ଣ୍ଣ ଦିଶୁଥିଲା । ସୁମନ୍ତ କହିଲେ, “ଯାହା ହେବାର ହୋଇଗଲା । ଏବେ ଘରକୁ ଚାଲ ।”

 

ଆଜି ସକାଳେ ସୁମନ୍ତ ଓ ରାଉତରାୟବାବୁ ମୋହନ ଘରକୁ ଯାଇଥିଲେ । ମୋହନର ସ୍ତ୍ରୀ ଖଟ ଉପରେ ପଡ଼ିଥିବା ମୋହନର ଦେହ ହାତରେ ମଲମ ଲଗେଇସାରି ସେକ ଦେଉଥିଲେ । ମୋହନ ‘ଉଃ’ ‘ଆଃ’ ହୋଇ ଚିତ୍କାର କରୁଥିଲା ।

 

ସୁମନ୍ତ ଶୁଣିଲେ, ମୋହନର ସ୍ତ୍ରୀ କହୁଛି, “ଭଗବାନଙ୍କ ଦୟା, ପୋଲିସ୍‌ ଗାଡ଼ିଟା ପହଞ୍ଚିଗଲା । ନହେଲେ ତମର ତ ଯାହା ହେବାର ହେଲା, ବିଚାରୀ ରୀନାର ଜୀବନଟି ମାଟି ହୋଇଥାଆନ୍ତା । ତା ବାପା ମାଆଙ୍କର ଯେ କି ଅବସ୍ଥା ହୋଇଥାଆନ୍ତା ! ଯନ୍ତ୍ରଣାରେ ସେହିପରି କୁନ୍ଥଉ କୁନ୍ଥଉ ମୋହନ ତା ସ୍ତ୍ରୀକୁ କହୁଥିଲା, “ମୋର କିଛି ହେଇନି, ତଳେ ପଡ଼ିଯିବାରୁ, ଖଣ୍ଡିଆ ଖାବରା ହୋଇଛି । ଏକ୍ସ-ରେ କରିଦେଲେ ଜଣାପଡ଼ିଯିବ । ହାଡ଼ ଭାଙ୍ଗିନାହିଁ । ନହେଲେ ଫୁଲା ବଢ଼ନ୍ତା ନାହିଁ ?”

 

ସୁମନ୍ତ ମୋହନର ଭଡ଼ାଘରର ମେଲା ଭିତରେ ନଜର ବୁଲେଇ ଆଣୁଥିଲେ । ଟୁଲ୍‌ ଉପରେ କଳା-ଧଳା ପୋର୍ଟେବଲ୍‌ ଟେଲିଭିଜନ୍‌ । ଖଣ୍ଡିଏ ବେତବୁଣା ସୋଫା । କାନ୍ଥରେ ଜଗନ୍ନାଥଙ୍କ କ୍ୟାଲେଣ୍ଡର । ଗୋଟେ ମାମୁଲି କିରାଣିର ଘରଠୁଁ ଆହୁରି-ଦୀନହୀନ ଦିଶୁଥିଲା ମୋହନର ଡ୍ରଇଂରୁମ୍‌ ।

 

ତାଙ୍କ ପାଟି ଶୁଣି ମୋହନର ସ୍ତ୍ରୀ ମୁଣ୍ଡରେ ଓଢ଼ଣା ଦେଇ ଛିଡ଼ା ହୋଇପଡ଼ିଲା । ମୋହନ ତକିଆ ଉପରୁ ମୁହଁ ଉଠେଇବାକୁ ଚେଷ୍ଟା କରୁଥିଲା । ରାଉତରାୟବାବୁ ଧାଇଁ ଯାଇ ତାକୁ ମୁଣ୍ଡ ଉଠେଇବାକୁ ବାରଣ କଲେ ।

 

କୃତଜ୍ଞତା ଓ ଶ୍ରଦ୍ଧାରେ ରାଉତରାୟବାବୁ ଝାଉଁଳି ପଡ଼ିଥିଲେ । ସେ ମୋହନର ହାତ ଧରିପକେଇ କହିଲେ, “ତୁମର ଋଣ ମୁଁ ଏ ଜୀବନରେ ଶୁଝି ପାରିବି ନାହିଁ ମୋହନ । ତୁମେ କାଲି ଠିକଣା ବେଳେ ନ ପହଞ୍ଚିଥିଲେ ସେ ପଶୁଗୁଡ଼ାକ ମୋ ସଂସାର ବୁଡ଼େଇ ଦେଇଥାଆନ୍ତେ ।”

 

ମୋହନର ସ୍ତ୍ରୀ ଦି ହାତରେ ପାଣି ଦି ଗିଲାସ ବଢ଼େଇ କହିଲେ, “ଝିଅଟେ ପାଇଁ ଯଦି ଯାଇ ଜଣେ ଛିଡ଼ାହେଲା, ସେଇଟା କଣ ଗୋଟେ ବଡ଼ ଉପକାର ? ଇଏ ତ ମଣିଷର କର୍ତ୍ତବ୍ୟ ।”

 

ସୁମନ୍ତ ଥରେ ମୋହନର ଅବଶ ଶରୀର ଓ ଆଉଥରେ ତା ଘରର ଅବସ୍ଥା ଉପରେ ଆଖି ବୁଲେଇ ଆଣୁଥିଲେ । ଆଜି ପର୍ଯ୍ୟନ୍ତ ସେ ଭାବି ଆସିଥିଲେ, ମୋହନ ଏପଟ ସେପଟ କାମ କରି ବହୁତ ଟଙ୍କା କମେଇଛି । କିନ୍ତୁ ତା ଘର ଭିତରେ ସେ ଧରଣର କୌଣସି ସ୍ୱଚ୍ଛଳ ଚିହ୍ନ ସେ ଖୋଜି ପାଉ ନଥିଲେ ।

 

ରାଉତରାୟବାବୁ କହୁଥିଲେ, “ମା, ପର ବୋଲି ଭାବିବ ନାହିଁ । ଯେତେବେଳେ ଯାହା ଦରକାର ପଡ଼ିବ କହିବ । ମୋହନ ପରି ପିଲାର ସ୍ତ୍ରୀ ତମେ । ତମକୁ ଆମେ ଅଧିକ କଣ କହିବୁ-?”

 

ସୁମନ୍ତ ଚୁପ୍‌ଚାପ୍‌ ଛିଡ଼ା ହୋଇଥିଲେ । କେତେଥର ଏଇ ମୋହନ ବିଷୟରେ ରାଉତରାୟବାବୁ ତାଙ୍କ ପାଖରେ କେତେକଥା କହିଥିବେ । ଆଜି ସେସବୁ ମନେପଡ଼ିଲାରୁ ଲଜ୍ଜାରେ ତାଙ୍କ ମୁହଁ ତଳକୁ ହୋଇ ଯାଉଥିଲା ।

 

ସେମାନେ ଅପରାଧୀ ପରି ମୁହଁ ତଳକୁ କରି ଫେରି ଆସୁଥିଲେ । ପଛରୁ ମୋହନର ସ୍ତ୍ରୀ କଣ କହୁଥିଲା, ମାତ୍ର ମୋହନ ତା ସ୍ତ୍ରୀକୁ ବାରଣ କରିବା ସୁମନ୍ତ ଜାଣିପାରୁଥିଲେ ।

 

ସେ ଫେରିଯାଇ ପଚାରିଲେ, “କଣ କହୁଥିଲ ମା !”

 

ମୋହନର ସ୍ତ୍ରୀ ଥରେ ମୋହନ ଆଡ଼କୁ ଓ ଥରେ ସୁମନ୍ତଙ୍କ ଆଡ଼କୁ ଅନେଇ ଦୋଦୋପାଞ୍ଚ ହେଲା ପରି କହିଲା, “ୟାଙ୍କର ଦାଦାପୁଅ ଭାଇ ଆଠନମ୍ବରରେ ରହନ୍ତି । ତାଙ୍କୁ ଟିକିଏ ଖବର ଦେବାପାଇଁ... ।”

 

: କାହିଁକି ମଉସାଙ୍କୁ ହଇରାଣରେ ପକଉଛୁ ? ବୁନାର ପଡ଼ିଶା ଘରେ ପରା ଫୋନ୍‌ ଅଛି-। ତାଙ୍କୁ ମୁଁ କହିପାରିବି ନାହିଁ ? –ଏତକ କହିସାରି ମୋହନ କହିଲା, “ଆପଣ ଯାଆନ୍ତୁ ମଉସା-। ଆପଣଙ୍କ ଅଫିସ୍‌ ଯିବା ବେଳ ହେଲାଣି ।”

 

ସୁମନ୍ତ ସ୍ଥିର ହୋଇଗଲେ । ତାଙ୍କ ଦୃଷ୍ଟିରେ ମୋହନ ସାଧାରଣରୁ ଅସାଧାରଣ ପାଲଟି ଯାଉଥିଲା ।

☆☆☆

 

Unknown

ସମ୍ପର୍କ

 

ଗୋଟିଏ ଦିନରେ ହିଁ ଦିଇଟି ଘଟଣା ଘଟିଗଲା ଆମ କଲୋନିରେ । ଘଟଣା ଯୋଡ଼ିକ ନିଜର ଆକୃତି ଆଉ ପ୍ରକୃତିରେ ଏତେ ନିଆରା ଯେ ସେଗୁଡ଼ିକ ସତ କି ମିଛ ସେକଥା ଆମେ କେହି ସହସା ଠଉରେଇ ପାରିଲୁ ନାହିଁ । ଆଜିକାଲି ତ କେତେ ପ୍ରକାର ଉଡ଼ା ଖବର ଶୁଣିବାକୁ ମିଳେ । କୁଆ ଉଡ଼ିଗଲେ ଏଠି ଛୁଆ ଉଡ଼ିଯାଏ । କେଉଁଠି ନିଆଁ ଥାଇ ଧୂଆଁ ନଥିଲେ ଆମ କଲୋନିରେ କିଛି କୁଆଡ଼େ ନ ଥାଇ ଧୂଆଁ ଚରିଯାଏ । ଆଉ ଦୂର କଥା ଥାଉ, ଗଲା ଗଶେଣ ପୂଜା ଟାଇମ୍‌ରେ ଆମ କଲୋନି ଛକରେ ଗୋଟେ ବରଗଛ ଆପକୁ ଆପେ ଛିଡ଼ା ହେଇଗଲା । ଲୋକମାନେ ତାକୁ ବଟ ଗଣେଶଙ୍କ ମାୟା କହି ସେ ଗଛ ଚାରିପଟେ ବତିଶ ଦିନ କାଳ ସଂକୀର୍ତ୍ତନ କଲେ । କୃଷି ବିଶ୍ୱବିଦ୍ୟାଳୟର କିଏ ଜଣେ ଅଧ୍ୟାପକ କହିଲେ ବୋଲି ସିନା, ନହେଲେ ସେ ପୂଜା କେଜାଣି ଆଉରି କେତେ ଦିନ ଚାଲିଥାନ୍ତା । ଅସଲ କଥା ହେଲା ବାତ୍ୟା ସମୟରୁ ସେଇ ଚେର ମାଟିରେ ଲାଖିକି ଥିଲା । ସମୟକ୍ରମେ ସେଇ ଚେର ଦମ୍ଭିଲା ହେଲାରୁ ଗଛଟାକୁ ଭିଡ଼ି ତା ଜାଗାରେ ଫେର୍‌ ଥୋଇଦେଲା । ଛାଡ଼ନ୍ତୁ, ଆମ କଲୋନି ପାଇଁ ପ୍ରତି ମାସେ ଦି ମାସରେ କିଛି ନା କିଛି ଖବର ଦରକାର । ବିଶେଷ କରି ଏଠିକାର ନାରୀମହଲ ପାଇଁ । ସବୁ ଖବର ସେଇ ଖରାବେଳେ ଜନ୍ମ ନିଏ, ସଞ୍ଜବେଳକୁ ଶାଖା ପ୍ରଶାଖା ମେଲାଏ । ଖରାବେଳେ ସ୍ୱାମୀମାନେ ଚାକିରି ଜାଗାକୁ ଯାଇଥାନ୍ତି, ପିଲାମାନେ ସ୍କୁଲକୁ । ସେତିକିବେଳେ କଲୋନି ନାରୀମହଲର ଜରୁରୀ ଅଧିବେଶନ ବସେ । ସେ ଅଧିବେଶନ ଅଧଘଣ୍ଟେ କି ଘଣ୍ଟେ ପାଇଁ–ଯେମିତି ଅନୌପଚାରିକ ଭାବେ ଆରମ୍ଭ ହୋଇଥାଏ, ସେମିତି ବି ଶେଷ ହୁଏ । ମନେ କରନ୍ତୁ, ଗଲା କାଲିର ଏଇ ଘଟଣା ବିଷୟ । ମିସେସ୍‌ ମହାନ୍ତି ମିସେସ୍‌ ଦାସଙ୍କ ଘରକୁ ଆସିଲେ । ପଚାରିଲେ, ‘ଆପଣଙ୍କ ଘରେ ଲାଇନ୍‌ ଅଛି ନା ନାହିଁ-?’ ସେତେବେଳକୁ ବଂଶୀଧର ବାବୁଙ୍କ ପତ୍ନୀ କୁମୁଦିନୀ ଷ୍ଟାର୍‌ ଟି.ଭି. ସିରିଏଲ୍‌ ଦେଖିବା ପାଇଁ ଆସି ୟାଙ୍କ ଘରେ ତାଙ୍କ ଘରେ । ପିଲାଙ୍କ ପରୀକ୍ଷା ପାଇଁ କେବୁଲ୍‌ କନେକ୍ସନ୍‌ ନେଇ ନାହାନ୍ତି । ମିସେସ୍‌ ଦାସଙ୍କ ଉତ୍ତରକୁ ଅପେକ୍ଷା ନକରି ମିସେସ୍‌ ମହାନ୍ତି ନିଜର ପୃଥୁଳ ଦେହଟିକୁ ନରମ ସୋଫା ଉପରେ ଅଜାଡ଼ି ଦେଲେ । ତାପରେ ସେ ବୟାନ କଲେ ଏଇ ଘଟଣା ।

 

ଘଟଣା ଯୋଡ଼ିକ ବିଷୟରେ ଜାଣିବା ଲାଗି ନିଶ୍ଚୟ କୌତୂହଳ ହେଉଥିବ । ସେକଥା କହୁଛି । କିନ୍ତୁ ଆଗେ କୁହେ ଯେ ଏ ଦିଇଟି ଘଟଣା ଏତେ ନିଆରା କାହିଁକି ।

 

ମିସେସ୍‌ ଦାସ ଯେମିତି ଝଡ଼ ପରି ଆସି ଆଲୋଚନାଟି ଆରମ୍ଭ କରିଥିଲେ ସେମିତି ତୋଫାନ ପରି ‘ଫ୍ରିଜ୍‌ଟା ମେଲା ପକେଇ ଦେଇ ଆସିଛି ମ’ କହି ଚାଲିଗଲେ । କିନ୍ତୁ ତାଙ୍କ ଯିବା ପରେ ପରେ ଅନ୍ୟମାନେ ଆସି ପହଞ୍ଚିଲେ । ସେଇଠୁ ଏ ବିଷୟରେ ଚର୍ଚ୍ଚା ଚାଲିଲା ଯେ, ସଂଜ ପହର ପର୍ଯ୍ୟନ୍ତ ।

 

ମୁଁ କହିନାହିଁ କି ଆମ କଲୋନିରେ କୁଆ ଉଡ଼ିଗଲେ, ଛୁଆ ଉଡ଼ିଯାଏ । ଇଏ ସେଇପରି ଗୋଟେ କିଛି ହେଇଥିବ ବୋଲି ଆମେ ପ୍ରଥମେ ଭାବିଥିଲୁ । ଯେମିତି ପରିଡ଼ା ଘର ନିମ୍ବ ଗଛରୁ କ୍ଷୀର ଝରିବା କି ବାଦଲବାବୁଙ୍କ ବାଡ଼ି ବାଇଗଣରୁ ଜଗନ୍ନାଥ ବିଜେ ହେବା । କିନ୍ତୁ ଇଏ ସେମିତିକା ଖବର ନଥିଲା । ଖବରଟା ପ୍ରକୃତରେ ଅଦ୍ଭୁତ ଥିଲା ।

 

କଥା ହେଲା ଯେ ପୁଲିସ ସୁକାନ୍ତ ହାଲ୍‌ଦାରଙ୍କୁ ଗିରଫ କରି ଥାନାକୁ ନେଇ ଯାଇଥିଲା, ସଞ୍ଜବୁଡ଼େ ନିଜେ ଗିରୀଶ ମହାପାତ୍ର ଯାଇ ତାଙ୍କୁ ଥାନାରୁ ଜାମିନ୍‌ରେ ଆଣିଲେ ।

 

ଅସମ୍ଭବ କଥା ନା ? ଆପଣ ତ ଦୂର ବିଦେଶୀ ଲୋକ । ଆପଣ ଏହାର ମଞ୍ଜ ଠଉରେଇ ପାରିବେ ନାହିଁ । କଥା ହେଲା, ସୁକାନ୍ତ ହାଲ୍‌ଦାର ପରି ଲୋକ ପୁଲିସ ଦ୍ୱାରା ଗିରଫ ହେବା ଆମ କଲୋନିବାସିନ୍ଦାଙ୍କ ପାଇଁ ଯେମିତି ଅଚିନ୍ତନୀୟ ବ୍ୟାପାର, ଗିରୀଶ ମହାପାତ୍ର ଯାଇ ତାଙ୍କୁ ଥାନାରୁ ଆଣିବା ମଧ୍ୟ ସେଇପ୍ରକାର ଅଦ୍ଭୁତ କଥା ।

 

ଆପଣ ପଚାରିବେ କାହିଁକି ? ସେଇକଥା ଆମେ କହିବୁ । କିନ୍ତୁ ସେଦିନ ନାରୀ ମହଲରେ ଘଟଣାର ଯେଉଁ ବିବରଣୀ ଉପସ୍ଥାପନ କରାଯାଇଥିଲା, ଆଗେ ସେଥିରୁ କିଛି କହିଦିଏ-

 

ମିସେସ୍‌ ମହାନ୍ତି: ହଇହେ କୁମୁଦିନୀ ଅପା ! ତମେ ଆସି ଏଇଠି ! ମୁଁ ଭାବୁଥିଲି ତମେ ସିଆଡ଼େ ଯାଇଥିବ !

 

କୁମୁଦିନୀ ଦେବୀ: କୁଆଡ଼େ ? କିଲୋ, ମୋର କି ଗରଜ ପଡ଼ିଥିଲା ଯେ ଏ ଖରାବେଳଟାରେ ସାହି ସାହି ବୁଲିବି ? ତମମାନଙ୍କର ସିନା ବୁଲା ବୟସ ଅଛି !

 

ମିସେସ୍‌ ମହାନ୍ତି: ଆଗୋ କୁହନା, କୁହନା, ଏ କଲୋନି ବୁଢ଼ାଙ୍କର ଯେଉଁ ଛୋପରା ପ୍ରକୃତି, ଏଥିରେ ଆଉ କିଏ ଘରୁ ଗୋଡ଼ କାଢ଼ିବ ନା ?

 

ମିସେସ୍‌ ଦାସ ତାଙ୍କ ଚାକରାଣୀକୁ ଅଇଁଠା ବାସନକୁସନ ମାଜିବାକୁ ଦେଇ ଆସୁଥିଲେ-। ଇଏ ତାଙ୍କର ଚଉତିରିଶତମ ଚାକରାଣୀ, କାଲିଠୁଁ ଆସୁଛି । କାଳେ ସେଇକଥା କିଏ ପଚାରିଦେବ ବୋଲି ସେ ଆଗରୁ କହି କହି ଆସିଲେ, “ଆଜିକାଲି କାହାକୁ ବିଶ୍ୱାସ ନାହିଁ । ସବୁ ଚାକରାଣୀ ଏକା ପରି !”

 

ମିସେସ୍‌ ମହାନ୍ତି ସେଇଠୁ କହିଲେ, “କିଲୋ, ଚାକରାଣୀମାନଙ୍କୁ ପରା ଲୋକେ ସୁନା ରୁପାରେ ଛାଇ ଦେଉଛନ୍ତି । ତାଙ୍କର ଆଉ କି ଅଭାବ ରହିଲା ଯେ ସେ ତମ ଘରକୁ ତିନି ଶହ, ଚାରି ଶହ ଟଙ୍କା ପାଇଁ ରୋଜ ରୋଜ ପାଇଟି ଖଟି ଆସିବେ ?”

 

କୁମୁଦିନୀ ଆଉ ଧୈର୍ଯ୍ୟ ରଖିପାରିଲେ ନାହିଁ । ସିଏ ମିସେସ୍‌ ମହାନ୍ତିଙ୍କ ଜଂଘ ଚୁମୁଟି ଦେଇ କହିଲେ, “କିଲୋ କଥାଟା କଣ ଖୋଲସା କରି କହୁନୁ, ପେଟରେ ମେଞ୍ଚେ, ପାଟିରେ କେଞ୍ଚେ ରଖି କହିଲେ କିଏ କଣ ଧରିବ ବା !”

 

ସେଇଠୁ ମିସେସ୍‌ ମହାନ୍ତି ସକାଳର ଘଟଣା ବିସ୍ତୃତ ଭାବେ କହିଲେ ।

 

ଦୁଇ

 

ଆମ କଲୋନିର ଦୁଇ ମୁଣ୍ଡରେ ଦୁଇଟି ମନ୍ଦିର । ସେପଟେ ଶିବ ମନ୍ଦିର, ଏପଟେ କାଳୀ ମନ୍ଦିର । ଶିବ ମନ୍ଦିର ପଟେ ରହନ୍ତି ସୁକାନ୍ତ ହାଲ୍‌ଦାର୍‌, କାଳୀ ମନ୍ଦିର ପଟେ ଗିରୀଶ ମହାପାତ୍ର । କଣ କହିଲେ ? ସହର ପଟୁ ଆସିଲା ବେଳେ ବାଁହାତି ଘର ? ନା, ସେ ଘରଟା ଗିରୀଶ ଦାସଙ୍କର-। ସିଏ ବ୍ୟାଙ୍କରେ କାମ କରନ୍ତି । ଗିରୀଶ ମହାପାତ୍ରଙ୍କ ଘରଟା ଆଉ ଟିକେ ପଛକୁ । ମନେ କରନ୍ତୁ ଆପଣ ସିଆଡ଼ୁ ଆସୁଛନ୍ତି । ଆଗେ ଗିରୀଶ ଦାସଙ୍କ ଘର ଗଲା । ତାପରେ ଭିତରକୁ ଆସନ୍ତୁ । ବାଁ ପଟେ ଗୋଟେ ଚମ୍ପାଗଛ ପଡ଼ିବ । ପଡ଼ିଲା ? ହଁ, ସେଇଠୁ ଆଉ ଟିକେ ଭିତରକୁ ଆସିଲେ ଡାହାଣ ପଟେ ଗୋଟେ ପାଣିକଳ । ଦେଖିଛନ୍ତି ? ପାଣି କଳ ପାଖରେ ଟିକିଏ ଆଗକୁ ଗଲେ ପଡ଼ିବ ଗିରୀଶ ମହାପାତ୍ରଙ୍କ ଘର । ଏକା ନାଁରେ ଦି ଜଣଙ୍କ ଘର ବୋଲି ସମୟେ ସମୟେ ‘କନଫ୍ୟୁଜନ୍‌’ ହୁଏ । ଆଉ ସୁକାନ୍ତ ହାଲ୍‌ଦାରଙ୍କ ଘର ତ ଦେଖିଛନ୍ତି । ଶିବ ମନ୍ଦିର ପଛକୁ ଇଂଜିନିଅର କୁମୁଦ ମହାନ୍ତିଙ୍କ ପଡ଼ିଶା । ବଡ଼ ଘର, ଦୋ ମହଲା । ହଁ, ବହୁଦିନରୁ ସେ ଜମି କିଣିଥିଲେ । ସେତେବେଳେ ଜମି ଦର କେତେ ଥିଲା କି ? ଗୁଣ୍ଠ ଦଶ ହଜାର । ଏବକୁ ସିନା ଗୁଣ୍ଠ ଲକ୍ଷେ ଟପିଲାଣି !

 

ଦି ଜଣଙ୍କ ଭିତରେ ଅହି ନକୁଳ ଶତ୍ରୁତା । କାହିଁକି ? ଓଃ, ସେକଥା କହି ବସିଲେ ତ ରାତି ପାହିଯିବ । ଏକା ଅଫିସ୍‌ରେ ଦିହେଁ ଚାକିରି କରିଥିଲେ । ଚାକିରି କଣ, ଏକା ସ୍କୁଲରେ ଦିହେଁ ପଢ଼ିଥିଲେ । ଜିଲ୍ଲା ସ୍କୁଲ । ସୁକାନ୍ତ ହାଲ୍‌ଦାର୍‌ର ବାପା ଆଗେ ଥିଲେ ଏଠିକାର ଜେଲର । ସେଇଦିନୁ ସେମାନେ ଏଠି ଘରଦ୍ୱାର କରି ରହିଲେଣି । ପୁରୀ ହୋଟେଲ୍‌ ହାଲ୍‌ଦାର ସାଙ୍ଗେ ୟାଙ୍କର କିଛି ସଂପର୍କ ନାଇଁ ବା । ସେ ଅଲଗା, ଇଏ ଅଲଗା । ଏକା ସାଙ୍ଗିଆ ଥିଲେ, ସେକଥା ସମସ୍ତେ ପଚାରିବେ । ରାଜସ୍ଥାନର ଝୁନୁଝୁନୁ ବୋଲି ଗୋଟେ ଜାଗା ଅଛି, ସେଠୁ ଯିଏ ଆସିଛନ୍ତି ତାଙ୍କର ସାଙ୍ଗିଆ ଝୁନ୍‌ଝୁନ୍‌ୱାଲା । ତା ବୋଲି କଣ ସେମାନେ ସମସ୍ତେ ବନ୍ଧୁବାନ୍ଧବ! ହଁ, ଝୁନୁଝୁନୁ ବୋଲି ଜିଲ୍ଲାଟେ ଥିବ । ମୁଁ ଜାଣିନାହିଁ ।

 

ସୁକାନ୍ତ ହାଲ୍‌ଦାର୍‌ ଆଉ ଗିରୀଶ ମହାପାତ୍ର ଲୋକ ଦି ଜଣଙ୍କ ସ୍ୱଭାବ ପୂର୍ବ ଆଉ ପଶ୍ଚିମ ଦିଗ ପରି । ସୁକାନ୍ତ ହାଲ୍‌ଦାର୍‌ ଅବସର ନେଲେଣି, ଗିରୀଶ ମହାପାତ୍ର ବି ନେଲେଣି ତାଙ୍କ ପଛେ ପଛେ । ଦିହେଁ ସେକ୍ରେଟେରୀଏଟ୍‌ରେ କାମ କରୁଥିଲେ । ରିଟାୟାର କଲା ପରେ ଅବସର ଆସର ନାଁରେ ଗୋଟାଏ କ୍ଲବ୍‌ ଗଢ଼ିଥିଲେ ସୁକାନ୍ତ ହାଲ୍‌ଦାର୍‌ । ଆଉ ସେଇ କ୍ଲବ୍‌ଟାକୁ ନେଇ ପୁଣି ଗୋଟେ ନୂଆ ବିବାଦ ମୁଣ୍ଡ ଟେକିଲା ।

 

ହାଲ୍‌ଦାର୍‌ ବାବୁ ବଙ୍ଗାଳୀ ଲୋକ, ଟିକେ ଖୁସିବାସିଆ ଲୋକ । ଫୁଟ୍‌ବଲ୍‌, କ୍ରିକେଟ୍‌ ଓ ଗାନାଟାନାରେ ଆଗ୍ରହଟା ଜଣାଶୁଣା । ଫୁଟ୍‌ବଲ୍‌ କଥା ପଡ଼ିଲେ ତ ସୁକାନ୍ତବାବୁ କହି ଲାଗିବେ ‘ଆମାର ମୋହନ ବାଗାନ୍‌’ । ଆପଣଙ୍କର ସମୟ ଥାଉ, ନ ଥାଉ ତାଙ୍କ କଥା ସରିବ ନାହିଁ । ଗାନାଟାନା ପଡ଼ିଲେ ହିଁ ଆସିବ ରବୀନ୍ଦ୍ର ସଂଗୀତେର୍‌ କଥା । ସିନେମା କଥା ଛାଡ଼ନ୍ତୁ, ସତ୍ୟଜିତ୍‌ ରାୟଙ୍କ ପାଖରୁ ମୃଣାଳ ସେନ୍‌ଙ୍କ ଯାଏ ଆସିଲା ବେଳକୁ ସଞ୍ଜ ଗଡ଼ି ରାତି ହେଇଯାଇଥିବ । ବାକି କଥା ପଛକୁ ଥିବ ।

 

ଗିରୀଶ ମହାପାତ୍ର କହନ୍ତି, “ଦେଖେଇ ହେବା ସ୍ୱଭାବଟା ଲୋକର ବଂଶଗତ । ତା ବାପା ବି ସେମିତି ଥିଲା ‘ଅର୍ଦ୍ଧେକ ସନ୍ଦେଶ, ଏକ୍‌ ଗ୍ଲାସ୍‌ ଜଲ୍‌’ ‘ଦାରୁନ୍‌ ମିଷ୍ଟି ଖେଛେ’ କହିବା ଲୋକ-।” ଏ ଯେଉଁ ଆସର ଫାସର ସବୁ ଖାଲି ନାଁ କମେଇବା ପାଇଁ । ଆଜି ରକ୍ତଦାନ ଶିବିର, କାଲି ଚକ୍ଷୁ ଅସ୍ତ୍ରୋପଚାର । ସେଇ ଏକା ସବୁ କରିବେ !”

 

ଗିରୀଶ ମହାପାତ୍ର ଯାହା କୁହନ୍ତୁନା କାହିଁକି ସୁକାନ୍ତ ହାଲ୍‌ଦାର୍‌ଙ୍କ ଯୋଗୁଁ ଯାହା କିଛି ଭଲ କାମ ଆମ କଲୋନିରେ ହୁଏ । ବାର ମାସରେ ତେର ପର୍ବ ପରି ସୁକାନ୍ତ ହାଲ୍‌ଦାର୍‌ ତାଙ୍କ ‘ଅବସର ଆସର’ ଜରିଆରେ କିଛି ନା କିଛି ପ୍ରୋଗ୍ରାମ୍‌ ଆୟୋଜନ କରନ୍ତି । ବୁଢ଼ା ଲୋକ, ତା ସତ୍ତ୍ୱେ ମନୋବଳ ହଟିନାହିଁ । ସକାଳୁ ଗାଧୋଇ ପାଧୋଇ, ଧୋତି ପଞ୍ଜାବି ପିନ୍ଧି ସାଇକେଲ୍‌ଟିଏ ଧରି ବାହାରି ପଡ଼ିବେ । ରାସ୍ତାରେ ଯାହାକୁ ଦେଖିବେ, ପାଣିପାଗ, ବଜାର ଦର, କ୍ରିକେଟ୍‌ ଓ ସିନେମା ଖବର ପଚାରିବେ । ପକେଟ୍‌ରୁ ଗୋଟେ କିଛି ହ୍ୟାଣ୍ଡବିଲ୍‌ ଧରାଇବେ ଓ ‘ନିଶ୍ଚୟ ଆସିବେ’ କହି ପୁଣି ସାଇକେଲ୍‌ ଛୁଟେଇ ଦେବେ ।

 

ଗିରୀଶ ମହାପାତ୍ର କୁହନ୍ତି, ହାଲ୍‌ଦାର୍‌ର ସମୟ ଅଛି । ସେ ଦେଶ ସେବା କରିବ । ପିଲାମାନେ ପାରିଗଲେଣି, ସ୍ତ୍ରୀ ଆଗରୁ ଚାଲିଯାଇଛି–ସେଇଥିପାଇଁ ହାତରେ ସମୟ ଅଛି । ଆମ ହାତରେ ସମୟ ଥିଲେ ଆମେ ତାଠୁଁ ଅଧିକା କାମ କରି ଦେଖେଇ ଦିଅନ୍ତୁ ।

 

ଗିରୀଶ ମହାପାତ୍ରଙ୍କ ମନ୍ତବ୍ୟଗୁଡ଼ା ଯେ ସୁକାନ୍ତ ହାଲ୍‌ଦାର୍‌ଙ୍କ କାନରେ ନ ପଡ଼େ ନୁହେଁ, କିନ୍ତୁ ସେ କିଛି ମନ୍ତବ୍ୟ ଦିଅନ୍ତି ନାହିଁ । ବେଶି କରି କେହି କହିଲେ କହନ୍ତି, କାହାର ନିନ୍ଦୁକ ନାହାନ୍ତି । ଗାନ୍ଧୀ, ସକ୍ରେଟିସ୍‌, ଶ୍ରୀକୃଷ୍ଣ ଓ ଯୀଶୁଖ୍ରୀଷ୍ଟଙ୍କୁ ଲୋକେ ସମାଲୋଚନା କରୁଥିଲେ; ଜୀବନରୁ ମାରିଦେବା ଭଳି ଶତ୍ରୁ ଥିଲେ । ଆଉ ଆମେ ତ ଛାର୍‌ ମଣିଷ ।

 

ସେକଥା ଏପଟେ ଆସି ପହଞ୍ଚେ । ପହଞ୍ଚେ କଣ ପହଞ୍ଚାଯାଏ । ଏ ଦିଗରେ ଆମ କଲୋନି ଲୋକଙ୍କର ନିଷ୍ଠା ଅପୂର୍ବ । ଦି ପକ୍ଷଙ୍କ ଭିତରେ କିଛି ଗୋଟାଏ ଲାଗିଲେ ସେମାନଙ୍କର ଲାଭ । ଚା-ପାଣି, ପାନ-ସିଗ୍ରେଟ୍‌ ମିଳିଯାଏ ଉଭୟ ପଟୁ ।

 

ଗଲା ମାସରେ ସୁକାନ୍ତ ହାଲ୍‌ଦାର୍‌ ଗୋଟେ ରକ୍ତଦାନ ଶିବିର ଆୟୋଜନ କରାଇଥିଲେ କଲୋନିରେ । ଆମ ଲୋକଙ୍କ ସହଯୋଗ ଦେଖ, ରକ୍ତ ଦେବାକୁ ତ ଚାରି ଚାରି ଥର ଡାକି କେହି ଆସିଲେ ନାହିଁ, ଓଲଟି ମ୍ୟୁନିସିପାଲିଟି ସ୍କୁଲ ଘରଟା କିମିତି ଏ କାମ ପାଇଁ ନ ମିଳିବ, ସେ ବ୍ୟବସ୍ଥା ବି କରିଥିଲେ । ପଚାରିଲାରୁ କହିଲେ, ରକ୍ତଦାନ ଶିବିର ତ ସରକାର ଆୟୋଜନ କରୁଛି, ସୁକାନ୍ତ ହାଲ୍‌ଦାର୍‌ କଣ ସମାନ୍ତରାଳ ସରକାର ?

 

ସୁକାନ୍ତ ହାଲ୍‌ଦାର୍‌ଙ୍କ ଅବସ୍ଥା ସେଦିନ ଦେଖିବା କଥା । ଚନ୍ଦାମୁଣ୍ଡର ଦି ଚାରିକେରା ବାଳ ଅର୍ଖିତଙ୍କ ପରି ଉଡ଼ୁଥାଆନ୍ତି, ହାଲ୍‌ଦାର୍‌ କିନ୍ତୁ ସାଇକେଲ୍‌ ଧରି ଏପଟ ସେପଟ ଧାଉଁଥାଆନ୍ତି । ରକ୍ତ ଦେବ କିଏ ? ରାଜଧାନୀର ଛାରପୋକଠୁଁ ନେଇ ମନ୍ତ୍ରୀଙ୍କ ଯାଏ ସବୁ ତ ରକ୍ତ ନେଲାବାଲା, ଏଠି ଦେବ କିଏ ? ଓହୋ, କଥାକୁ କହିଲି, ଭଲ ଲୋକ ନ ଥିଲେ ପୁଣି ସୃଷ୍ଟି ଚାଲିଛି କିମିତି ? କିନ୍ତୁ କଥା ହେଲା, ସୁକାନ୍ତ ହାଲ୍‌ଦାର୍‌ଙ୍କ ରକ୍ତଦାନ ଶିବିରକୁ କେହି ଆସିଲେ ନାହିଁ । ତାଙ୍କରି କ୍ଲବ୍‌ର ପାଞ୍ଚ ସାତ ଜଣ ରକ୍ତ ଦେଇ କାମ ବଢ଼େଇଦେଲେ ।

 

ପରଦିନ ନାରୀ ମହଲରେ ଏକଥା ଜୋର୍‌ରେ ଚର୍ଚ୍ଚା ହେଲା । ସଞ୍ଜବେଳେ ମହାଦେବ ମନ୍ଦିର ସାମ୍ନା ଚଉତରା ମୂଳେ ବି ଗତକାଲିର ରକ୍ତଦାନ ଶିବିରର ବିଫଳତା ବିଷୟରେ କେହି କେହି ବିବରଣୀ ଦେଲେ । କହିଲେ କୌଣସି ଗୋଟିଏ କାମରେ ସିନା ମନ ଦେଲେ ଯାହା କିଛି ହୁଅନ୍ତା ।

 

ସୁକାନ୍ତ ହାଲ୍‌ଦାର୍‌ ସବୁ ଶୁଣିଲେ । ଓଲଟି କହିଲେ, “ପ୍ରଥମ ଥର ଆୟୋଜନ କଲୁ ତ ସେଇପାଇଁ ଲୋକେ ଜାଣି ପାରିଲେ ନାହିଁ । ଆର ଥରକୁ ଶହେରୁ ଅଧିକା ଲୋକ ଅଲବତ୍‌ ଆସିବେ ।”

 

ଗିରୀଶ ମହାପାତ୍ର ଏସବୁ କାମରେ ନଥାନ୍ତି । ଧର୍ମ କର୍ମରେ ତାଙ୍କର ବେଶି ଆଗ୍ରହ । ଦୁର୍ଗାପୂଜା କମିଟିର ସେ ସେକ୍ରେଟେରୀ । ମହାଦେବ ମନ୍ଦିରରେ ଯେଉଁ ବର୍ଷକୁ ଥରେ ଯଜ୍ଞ ହୁଏ, ସେଥିର ବି ସେ ଆବାହକ । ତାଙ୍କର ମତ ହେଲା ଆଧ୍ୟାତ୍ମିକତା ଜିନିଷଟା ଏବେ ସମାଜରୁ ଲୋପ ପାଇଯାଉଛି । ଆଧ୍ୟାତ୍ମିକତାକୁ ବାଦ୍‌ ଦେଇ ଭାରତର ବିଶେଷତ୍ୱ କଣ ? ତାଙ୍କ କଥାକୁ ବେଶି ଲୋକ ସମର୍ଥନ କରନ୍ତି । କିନ୍ତୁ ସୁକାନ୍ତ ହାଲ୍‌ଦାର୍‌ଙ୍କ ମତ ଅଲଗା । ତାଙ୍କର ମତ ହେଲା ମଣିଷ ଠାକୁରଠୁଁ ବଡ଼ । ମଣିଷ ପାଇଁ ଯାହା ଯାହା ଦରକାର, ସେସବୁ ଆଗେ ହେବା ଦରକାର । ଖେଳକୁଦ, ଚିକିତ୍ସା ଶିବିର, ଶିକ୍ଷାଦାନ –ଏସବୁ ମଣିଷର ଆଗେ ପ୍ରୟୋଜନ । ମଣିଷ କଥା ନ ବୁଝି ଠାକୁର ଠାକୁରାଣୀଙ୍କ ଆଡ଼େ ଧାଇଁଲେ କିଛି ହେବ ନାହିଁ ।

 

ଗିରୀଶ ମହାପାତ୍ର କହନ୍ତି, “ଲୋକଟା ନାସ୍ତିକ । ଦିନେ କଚଡ଼ାଟିଏ ଖାଇବ । ଏଇଥିପାଇଁ ତା ପିଲାଏ ତାକୁ ପଚାରନ୍ତି ନାହିଁ ।”

 

କଥାଟା ରୁଟ୍‌କିନା ସୁକାନ୍ତ ହାଲ୍‌ଦାର୍‌ଙ୍କ ଦୁର୍ବଳ ଜାଗାରେ ଫୁଟିଯାଏ । ସେ ପ୍ରସଙ୍ଗ ବଦଳେଇ ସେଠୁଁ ଚାଲି ଆସନ୍ତି ।

 

ପୁଅ ଦି ଜଣ ବଡ଼ ଅଫିସର । ଜଣେ ଦିଲ୍ଲୀରେ ପିଲାପିଲି ନେଇ ରହେ, ଆଉ ଜଣେ ଏଇଠି ଓଡ଼ିଶାରେ, ଆମରି କଲୋନିରେ ରହେ । ଝିଅ ଦି ଜଣ କେବେଠୁଁ ବାହା ହୋଇଗଲେଣି । ବୁଢ଼ୀ ବଞ୍ଚିଥିଲାବେଳେ ସେମାନଙ୍କ ବାହାଘର କାମ ତୁଟି ଯାଇଥିଲା । ସେମାନେ ଦୂରରେ ରହନ୍ତି । ବର୍ଷରେ ଥରେ ଅଧେ ଆସିଲେ ଢେର୍‌ ।

 

ଗିରୀଶ ମହାପାତ୍ରଙ୍କର ଦୁଇ ପୁଅ ବାପାଙ୍କ ପାଖରେ । ଝିଅ ନାହାନ୍ତି । ପିଲା ଦି ଜଣ ବାପାଙ୍କୁ ନ ପଚାରି କିଛି କରନ୍ତି ନାହିଁ ।

 

ଦି ଜଣଙ୍କ ଭିତରେ ଏଇପରି ମତାନ୍ତରକୁ ନେଇ ମନାନ୍ତର । ଦି ଜଣଙ୍କୁ କେହି କେବେ ଏକାଠି ଦେଖେ ନାହିଁ । କିନ୍ତୁ କଥା ପଡ଼ିଲେ ଦି ଜଣଙ୍କ କଥା ଏକା ସାଙ୍ଗରେ ପଡ଼େ । ଯେମିତି ଜଣକୁ ଛାଡ଼ିଦେଲେ, ଅନ୍ୟ ବିଷୟରେ କିଛି କୁହାଯାଇ ପାରିବ ନାହିଁ ।

 

ସେଇଥିପାଇଁ ସୁକାନ୍ତ ହାଲ୍‌ଦାର୍‌ଙ୍କ ଗିରଫ ହେବା ଘଟଣାଠୁଁ ବଳି ବେଶି ଆଶ୍ଚର୍ଯ୍ୟଜନକ କଥା ହେଲା ଗିରୀଶ ମହାପାତ୍ର ଯାଇ ତାଙ୍କୁ ଥାନାରୁ ଜାମିନରେ ଆଣିବା । ଏକଥା ଯିଏ ଶୁଣିଲା, ସିଏ ଆଶ୍ଚର୍ଯ୍ୟ ହେଲା । କେହି କେହି ତ କହିଲେ ଯେ, ଗିରୀଶ ମହାପାତ୍ର ଏକା ମାଡ଼ରେ ସୁକାନ୍ତ ହାଲ୍‌ଦାର୍‌କୁ ସାବାଡ଼ କରିଦେଲା !

 

ତିନି

 

ସବୁଦିନ ପରି ସେଦିନ ସୁକାନ୍ତ ହାଲ୍‌ଦାର୍‌ଙ୍କ ବୋହୂ ସକାଳୁ ଉଠି ଘର କାମ କରୁଥିଲା-। କାହିଁକି କେଜାଣି ଆଲମୀରା ଖୋଲି ଦେଖିଲାବେଳକୁ ଲୁଗାପଟାଗୁଡ଼ାକ ଅସଜଡ଼ା ହେଇ ଥୁଆ ହୋଇଛି । ଏଇ ଆଲମୀରାଟା ତାର ନୁହେଁ, ଶାଶୂଙ୍କର । କିନ୍ତୁ ମଲା ଆଗରୁ ଶାଶୂ କୁଆଡ଼େ ତା ହାତରେ କୁଞ୍ଚିକାଠି ଧରେଇ ଦେଇ ଯାଇଥିଲେ । ଆଲମୀରାଟା ମେଲାଘର କୋଣରେ ଥାଏ-

 

ବୋହୂର ସନ୍ଦେହ ହେଲା । ସେ ଆଲମୀରାର ଲକର୍‌ ଖୋଲି ଦେଖିଲା ବେଳକୁ ତା ଭିତରେ ସୁନା ହାର ନାହିଁ କି କଙ୍କଣ ଦି ପଟ ନାହିଁ । ସିଏ ଆଉ ଘର କାମ କରିବ କଣ, ସେଇଠୁ ଡାକ ପକେଇଲା, ‘ଚୋର, ଚୋର ।’

 

ତା ଡାକରେ ସୁକାନ୍ତଙ୍କ ସାନ ପୁଅ ଉଠିପଡ଼ିଲା । ପିଲା ଯୋଡ଼ିକ ବି । ସକାଳୁ ସକାଳୁ କେଉଁ ଚୋର ପଶିଲା ଏ ଘରେ ?

 

ଧୀରେ ଧୀରେ କଥାଟା ପ୍ରଚାର ହୋଇଗଲା । ସୁକାନ୍ତ ହାଲ୍‌ଦାର୍‌ଙ୍କ ଘରୁ ଚୋରି ହୋଇଛି । ସାହି ପଡ଼ିଶାଏ ଜମା ହୋଇଗଲେ । କେତେ ପ୍ରକାର ଚର୍ଚ୍ଚା ଚାଲିଲା । ସାନ ବୋହୂକୁ ସମସ୍ତେ ଜେରା କଲେ, ‘ସକାଲୁ କାହିଁକି ଆଲମୀରା ଖୋଲିଥିଲ ? ଚାବି ପଡ଼ିଥିଲା ନା ଖୋଲା ଥିଲା ? ଆଗରୁ ଆଲମୀରା ଖୋଲା ଛାଡ଼ି ନଥିଲ ତ ? ଭଲକି ମନେ ପକାଅ । ଘରର ଦୁଆର କବାଟ ତ ସବୁ ବନ୍ଦ ଥିଲା । ଚୋର ଆସିଲା କେଉଁ ବାଟେ ?

 

ସୁକାନ୍ତ ହାଲ୍‌ଦାର୍‌ ଗାଧୋଇ ଆସି ଲୁଗାପଟା ପିନ୍ଧୁଥଲେ । ସିଏ ବି ଆଶ୍ଚର୍ଯ୍ୟ ହେଲେ ।

 

କିଏ କେତେ ପ୍ରସ୍ତାବ ଦେଲେ । କିଏ କହିଲା, ପୁଲିସରେ ଖବର ଦିଅ । କିଏ କହିଲା ଗୁଣିଆ ଡାକ, ବଳେ ଜଣାପଡ଼ିବ । କିଏ କହିଲା, ପୁଲିସ କୁକୁର ଆସିଲେ ଚୋର ଧରି ପକେଇବ । ଆଉ କିଏ କହିଲା, ଖଣ୍ଡଗିରିର ଗୋଟେ ଲୋକ ଅଛି, ଯିଏ ଖଟ ଚଲାଏ । ସେ ଆସିଲେ ଚୋର ଯେଉଁବାଟେ ଯାଇଛି, ଜାଣିଦେବ । ଆଉ ଜଣେ କହିଲା, ଓଲ୍‌ଡ ଟାଉନ୍‌ରୁ ବାଉଁଶଚଲା ଲୋକକୁ ଡାକିଦେଲେ ସବୁ ଧରାପଡ଼ିଯିବ ।

 

ଏପରି ସମୟରେ ନିଷ୍ପତ୍ତି ନେବା କଷ୍ଟ । ପ୍ରସ୍ତାବ ଯଦି ପଚିଶ ତିରିଶ ହେବ, ଲୋକ କାହାକୁ ଗ୍ରହଣ କରିବେ ?

 

ଧୀରେ ଧୀରେ ଗହଳି ବଢ଼ିଲା । ହାଲ୍‌ଦାର୍‌ଙ୍କ ଘରର କାମ କାର୍ଯ୍ୟ ସବୁ ଅସଜଡ଼ା ହୋଇଗଲା । ପିଲାଙ୍କୁ ସ୍କୁଲ ପଠେଇବ କିଏ ? ମାଆ ତ ଏପଟେ ବାହୁନି ହେଉଛି । ରୋଷେଇବାସ ସବୁ ବନ୍ଦ । ଖାଲି ସେଇକଥାକୁ ବାରମ୍ବାର ସମସ୍ତଙ୍କ ଆଗରେ କହୁଥାଆନ୍ତି ।

 

ଚାକରାଣୀ ବୁଢ଼ୀ ଆସି ନଥାଏ । ସାନବୋହୂ କହିଲା, ‘ସେ ବୁଢ଼ୀଟା ଅସଲ କାମ-ଚୋରଣୀ । ଦିନେ ଆସିଲେ ଦି ଦିନ ଆସିବ ନାହିଁ ।” ସାନ ପୁଅ ସ୍କୁଟର ଧରି ବାହାରିଗଲା, ଚାକରାଣୀ ନ ଆସିଲେ ଏଣେ ଘରକାମ ଅଚଳ ।”

 

ନାନା ଯୁକ୍ତିତର୍କ ଆଉ କଥା କଟାକଟି ପରେ ସ୍ଥିର ହେଲା, ପୁଲିସକୁ ଖବର ଦିଆଯିବ । ସାନପୁଅ ଟିକେ ଅଳସୁଆ । ସକାଳୁ ନିଦ ଭାଙ୍ଗେ ଡେରିରେ । ଆଜି ଏମିତି ହଲାପଟା ତାକୁ ବିରକ୍ତ କରିଦେଇଥାଏ । କିନ୍ତୁ ବୋହୂର ସୁନାଗହଣା ଚୋରି କଥା, ଅନ୍ୟ କିଛି ନୁହେଁ । ବୋହୂ ତାର ମଝିରେ ମଝିରେ ବାହୁନୁଥାଏ, ‘ସାତ ଆଠ ଭରିର ସୁନାହାର, ଦଶ ଭରିର କଙ୍କଣ । ଏବେ କାଢ଼ିକି ଦେଖିଥିଲି । କେଉଁ ଅଲକ୍ଷଣା ନେଇଗଲାରେ... । ମୋ ଶାଶୂ ମୋତେ କେଡ଼େ ଆଦରରେ ଦେଇଯାଇଥିଲେ, ମୁଁ ତାକୁ ଆଉ ପାଇବି କିରେ... ।”

 

ସାନ ପୁଅ ସ୍କୁଟର ନେଇ ଥାନାକୁ ଗଲା । ଥାନାବାବୁ କେହି ଥାନାକୁ ଆସି ନଥିଲେ । ଏଫ୍‌.ଆଇ.ଆର୍‌. ଲେଖି ଅପେକ୍ଷା କଲା । ସବ୍‌ଇନିସ୍‌ପେକ୍ଟରଙ୍କୁ ଚା ଖର୍ଚ୍ଚ ଦେବା ପରେ ସେ କୁକୁର ଯୋଗାଡ଼ କରି ଆସିଲେ ।

 

କଲୋନି ଗୋଟାକର ଲୋକ ସେଇଠି ଠୁଳ । କିଏ କହିଲା, ଗ୍ରୀଲ୍‌ କାଟି ଚୋର ପଶିଥିଲା-। କିଏ କହିଲା ଇଲେକ୍ଟ୍ରିକ୍‌ କଟର୍‌ରେ ଆଲମୀରାର ପଛପଟୁ କାଟି ଦେଇଛନ୍ତି । ତାପରେ ସହରର ଆଇନଶୃଙ୍ଖଳା ପରିସ୍ଥିତି ବାବଦରେ ଚର୍ଚ୍ଚା । ଜଣେ କିଏ କହିଲା, ପୁଲିସ ଡିଜିଙ୍କ ଭାଣିଜୀ ଘରୁ ତ ଚୋରି ହୋଇଯାଉଛି, ଆଉ କାହା କଥା କାହିଁକି ପଡ଼ିଛି ?

 

ନାରୀ ମହଲରେ ଚର୍ଚ୍ଚାର ଚେହେରାଟା ଭିନ୍ନ ପ୍ରକାରର । ଶାଶୂ ଝିଅମାନଙ୍କୁ ଗହଣା ନ ଦେଇ ବୋହୂକୁ କାହିଁକି ଦେଇଯାଇଥିଲା ? ନା, ଇଏ ବର ପଇସାରେ ଗଢ଼େଇ ଥିଲା, କିଏ ଜାଣେ-? କାଳେ ନିଜ ଗହଣା କଥା କହିଲେ ଅନ୍ୟମାନେ ‘କୁଆଡୁ ଆଣିଲ’ ବୋଲି ପଚାରିବେ, ସେଇଥିପାଇଁ ଶାଶୂ ନାଁରେ ପାର୍‌ ହୋଇଯାଉଥିବ । ଆଉ କିଏ କହିଲା, ‘ଅତି ଫୁଲେଇ ବୋହୂ । ଠିକ୍‌ ହୋଇଛି ।”

 

ପୁଲିସ କୁକୁର ଆସିଗଲା । ପୁଲିସକୁ ଦେଖି କଲୋନି ଲୋକ ଯେମିତି ଘୁଞ୍ଚିଗଲେ, ପୁଲିସ କୁକୁରକୁ ଦେଖି ସେମିତି କଲୋନିର କୁକୁର, ଗାଈ ଓ ବୁଲା ବଳଦ ବି ଦୂରଛଡ଼ା ଦେଲେ । ବାଘ ପରିକା ଆଲସିସିଆନ୍‌ କୁକୁର । ବେକରେ କମରପଟି ବନ୍ଧା ଯାଇଛି । ୟେ କୁକୁର ବି ହାବିଲଦାର ନା ସବ୍‌ଇନିସ୍‌ପେକ୍ଟର ପାହ୍ୟାର କାଳେ !

 

କୁକୁର ସାଙ୍ଗରେ ଆସିଥାଏ ଆଉ ଗୋଟେ କଳା ଲୋକ । ସେ ଲୋକଟି କୁକୁର ମୁହଁରେ ରୁମାଲ ଚାପିଧରି କିଛି ସେକେଣ୍ଡ ପରେ ଛାଡ଼ିଦେଲା । ତାପରେ ପୁଲିସ କୁକୁର ଗୋଟେ ଚଉକି ଉପରେ ଚଢ଼ି ଆଲମୀରାକୁ ଶୁଙ୍ଘି ଧାଇଁଲା ଫାଟକ ଡେଇଁ ।

 

କୁକୁର ଆଗେ ଆଗେ, ପଛେ ପଛେ ଚେନ୍‌ ଧରିଥିବା ସେଇ କାଳିଆ ଲୋକ । ତା ପଛରେ ପୁଲିସ ଏବଂ ପୁଲିସ ପଛରେ ହାଲ୍‌ଦାରଙ୍କ ସାନପୁଅ । କଲୋନିର ଅଣ୍ଡାବଚ୍ଚା ସମସ୍ତେ ପଛେ ପଛେ ଧାଇଁଥାଆନ୍ତି । ପୁଲିସ କୁକୁର ବାଁ ଡାହାଣ ହେଇ ଆଗକୁ ମାଡ଼ିଯାଉଥାଏ ।

 

ସୁନା ଗହଣା ଚୋରି ବିଷୟର ଚର୍ଚ୍ଚା ଆହୁରି ଗାଢ଼ ହେଉଥାଏ । ସୁକାନ୍ତ ହାଲ୍‌ଦାର୍‌ କୋଉଠି ଦେଖାଯାଉ ନଥାନ୍ତି । ତାଙ୍କୁ ଖୋଜିବା ଲୋକ ‘ଭିଡ଼ ଭିତରେ କୋଉଠି ଥିବେ’ ଭାବି ଗୁରୁତ୍ୱ ଦେଉ ନଥାନ୍ତି ।

 

ପୁଲିସ କୁକୁରର କରାମତି ମାନିବାକୁ ପଡ଼ିବ ! ଖାଲି କଣ ଗୋଟେ ଗୋଟେ କୁକୁର ପିଛେ ମାସକୁ ପାଞ୍ଚ, ସାତ ହଜାର ଖର୍ଚ୍ଚ ହେଉଛି । ସିଏ ସିଧା ଯାଇ ସୁକାନ୍ତ ହାଲ୍‌ଦାର୍‌ଙ୍କ ଘରେ କାମ କରୁଥିବା ଚାକରାଣୀ ପଲାରେ ହାଜର । ଚାକରାଣୀ ତ ନଥିଲା, ତା ଝିଅ ବାସନ ମାଜୁଥିଲା-। ପୁଲିସ କୁକୁର ଯାଇ ଘର ଭିତରୁ ଗୋଟେ ଟିଣ ଟ୍ରଙ୍କ୍‌ ଘୋଷାଡ଼ି ଆଣିଲା । ପୁଲିସ ଚାବି ପଡ଼ି ନ ଥିବା ଟ୍ରଙ୍କରୁ ପ୍ରଥମେ ବାହାର କଲା ମଳିଛିଆ ଲୁଗାପଟା, ତା ତଳକୁ ଦି ଖଣ୍ଡ ଭଲ ଶାଢ଼ୀ ଭିତରୁ ହାଲ୍‌ଦାର୍‌ ଘରର ସୁନାହାର ଓ କଙ୍କଣ ଦି ପଟ !

 

କୁକୁରର ପ୍ରଶଂସା ଦେଖ !

 

ପୁଲିସ ଚାକରାଣୀ ଝିଅକୁ ଜେରା କଲା, ‘ତୋ ମାଆ କାହିଁ ?’

 

ମାଆକୁ ଖୋଜାହେଲା ।

 

ସେତିକିବେଳେ ଯାଇ ଆସଲ କଥା ଜଣାପଡ଼ିଲା ।

 

ଦି ଚାରି ଧମକ ପରେ ଚାକରାଣୀ ସବୁକଥା ମାନିଗଲା ।

 

ପୁଲିସ ଅନେଇଲେ ହାଲ୍‌ଦାର୍‌ଙ୍କ ସାନପୁଅକୁ । ସେ କିଛି କହିଲା ନାହିଁ । ପୁଲିସ ଯାଇ ସୁକାନ୍ତ ହାଲ୍‌ଦାର୍‌ଙ୍କୁ ଖୋଜି ଆଣିଲା । ତାଙ୍କୁ ଦେଖି କୁକୁରଟା ଜୋର୍‌ରେ ଭୁକିଲା । ଆଉ କାହାରି କିଛି ଲୁଚେଇବାର ନଥିଲା । ଚାକରାଣୀ ସାଙ୍ଗରେ ସୁକାନ୍ତ ହାଲ୍‌ଦାର୍‌ଙ୍କୁ ଜିପ୍‌ରେ ବସେଇ ପୁଲିସ ଥାନାକୁ ନେଇଗଲା ।

 

ଏ ଘଟଣା ଘଟିଲା ବେଳେ ଗିରୀଶ ମହାପାତ୍ର ଘରେ ନଥିଲେ । ଲୋକମାନେ କିନ୍ତୁ ତାଙ୍କ ପାଖରେ ଖବର ପହଞ୍ଚେଇ ଦେଲେ । ଏମିତି ଗୋଟେ ଗୁରୁତ୍ୱପୂର୍ଣ୍ଣ ଖବରକୁ କେହି କାହା ପାଖେ ପହଞ୍ଚାଇବା ଦରକାର ନଥିଲା; କାରଣ ଏମିତି ଖବରର ନିଜର ଡେଣା ଥାଏ !

 

ଲୋକମାନେ ଭାବିଥିଲେ, ଗିରୀଶ ମହାପାତ୍ର ଆନନ୍ଦରେ ନାଚି ଉଠିବେ । ଚା, ପାନ ଓ ସିଗ୍ରେଟ୍‌ର ସୁଅ ଛୁଟିବ । ସେଇକଥା ଚର୍ଚ୍ଚା ଚାଲିବ ଦିନସାରା । କିନ୍ତୁ ଗିରୀଶ ମହାପାତ୍ର ସେମିତି କିଛି କଲେ ନାହିଁ । ଭିତରକୁ ଯାଇ ସାର୍ଟ ପିନ୍ଧିଲେ ଓ ଥାନାମୁହାଁ ଚାଲିଲେ ।

 

ଲୋକେ କହିଲେ, ‘ବେଶି ଖୁସି ହେଲେ ମଣିଷ ଏମିତି ପ୍ରଥମେ ଥମିଯାଏ । ସଂଜ ବେଳକୁ ଅସଲ ମଜା ଆସିବ ।’

 

ଥାନାର ଖବର ବାବଦରେ ଆମେ କେହି ପ୍ରତ୍ୟକ୍ଷଦର୍ଶୀ ନୋହୁଁ ।

 

ଗିରୀଶ ମହାପାତ୍ର ବି ସଂଜରେ ଫେରି କାହାକୁ କିଛି କହି ନଥିଲେ । କେବଳ ସୁକାନ୍ତ ହାଲ୍‌ଦାର୍‌ଙ୍କୁ ଥାନାରୁ ଜାମିନରେ ଆଣିବା ପରେ ସେ ତାଙ୍କୁ ନେଇ ଯାଇଥିଲେ ହାଲ୍‌ଦାର୍‌ଙ୍କ ଘରକୁ-। ତାଙ୍କ ପୁଅ ବୋହୂଙ୍କ ସାଙ୍ଗେ କଥାବାର୍ତ୍ତା ହେଲେ ଓ ଫେରିଆସିଲେ ।

 

ଆମେ ତା ପରଦିନ ସବୁ କଥା ଜାଣିଲୁ ।

 

ଗିରୀଶ ମହାପାତ୍ର ଯାଇ ଥାନାରେ ପହଞ୍ଚିଲା ବେଳକୁ ସୁକାନ୍ତ ହାଲ୍‌ଦାର୍‌ ମୁହଁ ପୋତି ବେଞ୍ଚ ଉପରେ ବସିଥିଲେ । ଚାକରାଣୀ ତାର ଆଗରୁ ମାନି ଯାଇଥିଲା, ‘ବାବୁ ନିଜ ହାତରେ ଶାଢ଼ୀ ଦି ଖଣ୍ଡ ଓ ବୁଢ଼ୀଙ୍କର ସୁନା ଗହଣା ଦେଇଥିଲେ ।”

 

ଗିରୀଶ ମହାପାତ୍ର ସାଙ୍ଗରେ ଓକିଲ ନେଇଥିଲେ । ଜାମିନ ମିଳିଗଲା । ତାପରେ ଦି ବୁଢ଼ା ନିରୋଳା ଜାଗାକୁ ପଳେଇଗଲେ ।

 

ସୁକାନ୍ତ ହାଲ୍‌ଦାର୍‌ କିଛି କହିବାକୁ ଚାହୁଁ ନଥିଲେ । ତାଙ୍କର ମାନ, ସମ୍ମାନ ସବୁ ଧୂଳିରେ ଲୋଟିଯାଇଥିଲା । ପୁଅବୋହୂ ମୁହଁ ଫେରେଇ ନେବା ତାଙ୍କୁ ଯେତିକି ବାଧି ନଥିଲା କଲୋନି ଲୋକଙ୍କ ଆଗରେ ତାଙ୍କର ଏ ବେଇଜ୍ଜତ ହେବା ଘଟଣା ତାଙ୍କୁ ବେଶି କଷ୍ଟ ଦେଇଥିଲା ।

 

କିନ୍ତୁ ପୁଅଝିଅଙ୍କ ଝିଙ୍ଗାସ କାହିଁକି କଷ୍ଟ ଦେଇ ନ ଥିଲା ?

 

ସୁକାନ୍ତ ହାଲ୍‌ଦାର୍‌ ସେଇଠୁ କହିଥିଲେ ତାଙ୍କ ବିପତ୍ନୀକ ଜୀବନର ଦୁର୍ଦ୍ଦଶା । ଘରେ ତାଙ୍କ ପୁଅବୋହୂ ତାଙ୍କୁ ଟିକେ ପଚାରନ୍ତି ନାହିଁ । ସେଇଥିପାଇଁ ସକାଳୁ ସକାଳୁ ସେ ଗାଧୋଇ ପାଧୋଇ କଲୋନି ଭ୍ରମଣରେ ବାହାରି ପଡ଼ନ୍ତି । କେମିତି ସମୟ ବିତିଯିବ ।

 

ଆଗେ ସେ ଶୋଉଥିଲେ ଭିତର ଘରେ । କ୍ରମେ ତାଙ୍କ ବିଛଣା ଆସିଲା ମେଲାକୁ । ପୁଅବୋହୂ ଓ ନାତି ନାତୁଣୀଙ୍କ ଭିତରେ ଘର, ଜମି ଓ ଟଙ୍କା ପଇସା ବାଣ୍ଟିଦେବା ପରେ ସେ ଆଶା କରୁଥିଲେ, ଶେଷ ଜୀବନ ଟିକିଏ ଆରାମରେ ବିତିବ । କିନ୍ତୁ ଫଳ ହେଲା ଓଲଟା । ମେଲାଘରୁ ତାଙ୍କ ବିଛଣା ଆସିଲା ଗ୍ୟାରେଜକୁ !

 

ଗିରୀଶ ମହାପାତ୍ର ହାଲ୍‌ଦାର୍‌ଙ୍କ ହାତ ଚାପି ଧରିଲେ ।

 

“ଦେହ ଖରାପ ହେଲେ କେହି ଟିକେ ପଚାରନ୍ତି ନାହିଁ । ଶୀତଦିନେ ମୁନ୍ଦେ ପାଣି ଗରମ କରି ଦିଅନ୍ତି ନାହିଁ । ଯେଉଁ ପୁଅମାନଙ୍କ ହାତକୁ ଦିନେ ହିସାବ ନ ପଚାରି ଶହ ଶହ ଟଙ୍କା ଗଣି ଦେଉଥିଲେ, ସେଇମାନେ ଆଜି ଦଶଟା ଟଙ୍କାର ହିସାବ ମାଗନ୍ତି ଦଶଥର, ତାହା ପୁଣି ବୋହୂଙ୍କ ସାମ୍ନାରେ !

 

‘ଅବସର ଆସର’ କାମରେ କିଛି ମୁହୂର୍ତ୍ତ ବିତିଯାଏ । କିନ୍ତୁ ରାତି ଅନ୍ଧାର ଘୋଟି ଆସିଲେ ବୁଢ଼ୀର କଥା ମନେପଡ଼େ । କେହି ଜଣେ ଥାଆନ୍ତା, ଯାହାର ହାତ ଧରି ଘଡ଼ିଏ ବସନ୍ତେ । ଟୁଆଟୁଇଁ ପରି କଥା ପଦେ ଅଧେ କହି ବିତେଇ ଦିଅନ୍ତେ ଏ ନିଉଛୁଣା ଜୀବନ ।

 

“ଚାକରାଣୀ ହେଲେ ବି ଲୋକଟାର ମାୟା ଅଛି । ସେଇ ଆସି ଚା କପେ ଦିଏ । ବିଛଣା ସଜାଡ଼ି ଦିଏ । ଲୁଗାପଟା ଧୋଇ ଶୁଖାଇ ଦିଏ । ବେଳ ଅବେଳରେ ଦେହମୁଣ୍ଡ କଥା ପଚାରେ ।

 

“ସିଏ ବି ଅଘୋରୀ । ବର ମରିଯିବା ଦିନୁ ଏଇଠି ଝିଅଟିକୁ ଧରି ରହିଛି । ବିଚାରୀର ଖୁବ୍‌ ଅଭାବ । ସ୍ତ୍ରୀ ମଲା ବେଳକୁ ବୟସ ମୋର ପଚାଶ ଛୁଇଁ ନ ଥିଲା । ସେଇ ଦେଇଯାଇଥିଲା ତା ଗହଣାଗାଣ୍ଠି, ନେହୁରା ହୋଇଥିଲା, ‘ଭଲ ମଣିଷଟେ ଦେଖି ଦ୍ୱିତୀୟ ହେବ । ନହେଲେ ବୁଢ଼ାକାଳେ ତମ କଥା ବୁଝିବ କିଏ ?’

 

“ସବୁ କଥାର ମଞ୍ଜି ସେଇ । ଏମିତି ନିର୍ଭରଶୀଳ ମୋତେ କରି ଦେଇଥିଲା ଯେ କୋଉଠି ଗିଲାସ, କେଉଁଠି ସୁରେଇ ମୁଁ ଜାଣୁ ନଥିଲି । ଗୋଡ଼େ ଗୋଡ଼େ ଜଗିଥିଲା ମୋତେ । ମୋତେ ତା କୋଡ଼ପୋଛା ପୁଅ କରିଦେଇଥିଲା ।”

 

ଗିରୀଶ ମହାପାତ୍ର ଗୋଟେ ଦୀର୍ଘଶ୍ୱାସ ନେଇଥିଲେ । କହିଥିଲେ, ‘ତମକୁ କିଏ କହିଥିଲା, ଏ ଜମିବାଡ଼ି ସବୁ ପିଲାଙ୍କ ନାଁରେ କରିଦେବାକୁ ? ତମ ଅନ୍ତେ ସେସବୁ କଣ ସେମାନେ ଭୋଗ କରି ନଥାନ୍ତେ ?’

 

ସୁକାନ୍ତ ହାଲ୍‌ଦାର୍‌ ଅନେଇଲେ । କେଡ଼େ ବଡ଼ କଥାଟି କେତେ ସହଜରେ ମହାପାତ୍ରେ କହିଦେଲେ ! ନିଜେ ତ ବହୁଥର ଏଇ କଥାଟିକୁ ହେଜିଛନ୍ତି ସେ । ପାଖରେ ହଜାରେ, ଦି ହଜାର ଥିଲେ ସିଏ କଣ ସାତସିଆଁ କମିଜ୍‌କୁ ପିନ୍ଧି ଏମିତି ଲୋକହସା ହେଉଥାଆନ୍ତେ ? କିନ୍ତୁ ବାପ ସେ । ନିଜକୁ ନିଃଶେଷ କରି ପିଲାଙ୍କୁ ଦେଇଯିବାରେ ତାଙ୍କର ଆନନ୍ଦ । ମୁହଁଖୋଲି ପିଲାମାନଙ୍କୁ ମାଗିବେ କେମିତି ?

 

ଗିରୀଶ ମହାପାତ୍ର କହିଲେ, ‘ମୋତେ ଶହେବାର ମୋ ପିଲାଏ କହିଥିବେ, ଭାଗ ବଣ୍ଟରା ପାଇଁ । ମୁଁ ଶୁଣୁଛି ? ଶୁଣିଥିଲେ, ମୋତେ ବି ଏମିତି ଗ୍ୟାରେଜରେ ପକେଇ ଦିଅନ୍ତେ । ତାଙ୍କର ସାଙ୍ଗସୁଖ, ହସଖୁସି, ଖେଳ ମଉଜରେ ମୁଁ ତ ଗୋଟେ ଅନାବଶ୍ୟକ ଅଙ୍ଗ । ସେଇଥିପାଇଁ ମୁଁ ଏ ପୂଜା, ଯଜ୍ଞରେ ମାତିଛି । ତା ବୋଲି କଣ ତମ ପରି ହାତକାଟି ନିଜ ଦୁର୍ଭାଗ୍ୟ ନିଜେ ଆମନ୍ତ୍ରଣ କରିଛି ?’

 

ସୁକାନ୍ତ ହାଲ୍‌ଦାର୍‌ କହିଲେ, ‘ଥାଉ ସେସବୁ । ଏବେ କୁହ, ମୁଁ କଣ କରିବି ? ଆତ୍ମହତ୍ୟା କରିଦେବି କି ? ନା କୁଆଡ଼େ ପଳେଇବି ?’

 

ଗିରୀଶ ମହାପାତ୍ର ସୁକାନ୍ତଙ୍କ ପିଠିରେ ବିଧାଏ କଷିଦେଲେ । ଏମିତି ବିଧାଏ କଷିଥିଲେ, ଜିଲ୍ଲାସ୍କୁଲ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ତାଙ୍କ ଟିମ୍‌ ଗୋଲ୍‌ ଦେବା ପରେ । ସୁକାନ୍ତ ଦେଇଥିଲେ ସେଇ ଗୋଲ୍‌ଟା । କହିଲେ, “ପାଗଳ ନା କଣ ? ତୋ ଘର ତୋ ଦ୍ୱାର–ତୁ ଆତ୍ମହତ୍ୟା କରିବୁ ? ଆତ୍ମହତ୍ୟା ତ ସେମାନେ କରିବା ଦରକାର । ସେମାନେ ତୁମ ସମସ୍ୟା ନ ବୁଝିଲେ ମୁଁ ତ ବୁଝିପାରୁଛି !”

 

ଏହାପରେ ଦିହେଁ ଏକାଠି କଲୋନିକୁ ଆସିଥିଲେ । ହାଲ୍‌ଦାର୍‌ଙ୍କ ଘରେ କଣ ହେଲା କେଜାଣି, ବହୁତ ସମୟ ପର୍ଯ୍ୟନ୍ତ ଗିରୀଶ ମହାପାତ୍ରଙ୍କ ପାଟି ଶୁଭୁଥିଲା । ମଝିରେ ମଝିରେ ଛେଳି ପରି ମେଁ ମେଁ ହେଉଥିଲା ତାଙ୍କ ପୁଅ । ସେଇଠୁ ମହାପାତ୍ର ହାଲ୍‌ଦାର୍‌ଙ୍କ ବଡ଼ପୁଅ ପାଖକୁ ବି ଫୋନ୍‌ କରିଥିଲେ । ଢେର୍‌ ସମୟ ପର୍ଯ୍ୟନ୍ତ ସେ ଥିଲେ ସୁକାନ୍ତ ହାଲ୍‌ଦାର୍‌ଙ୍କ ଘରେ ।

 

ପରଦିନଠାରୁ ଆଉ ସୁକାନ୍ତ ହାଲ୍‌ଦାର୍‌ ଏକାକୀ ବୁଲୁ ନଥିଲେ । ପାଖେ ପାଖେ ଗିରୀଶ ମହାପାତ୍ର ବି ବୁଲୁଥିଲେ । ଯେତେବେଳେ ଗିରୀଶ ମହାପାତ୍ର ‘ଅବସର ଆସର’ ସାଙ୍ଗମାନଙ୍କ ଛାଡ଼ ଛାଡ଼ ଭାବକୁ ଇଙ୍ଗିତ କରି କହୁଥିଲେ, ‘କଣ, ଏତେ କୃଚ୍ଛ୍ର ସାଧନାରୁ ଲାଭ କଣ ପାଇଲ’ ସେତେବେଳେ ସୁକାନ୍ତ ହାଲ୍‌ଦାର ଅଳ୍ପ ହସି କହୁଥିଲେ, ‘ତମ ପରି ଜଣେ ବନ୍ଧୁ ପାଖରେ ହଜାରେ ପରିଚୟ ତୁଚ୍ଛ !’

 

ତେବେ ଏ କଥାଟାକୁ ଆମ କଲୋନିର କେହି ପସନ୍ଦ କରୁ ନ ଥିଲୁ । କାରଣ କଲୋନିର ନାରୀମହଲ ଏବଂ ଚା ଖଟି ହାତରୁ ଗୋଟେ ବଢ଼ିଆ ମଉକା ହାତଛଡ଼ା ହୋଇଯାଇଥିଲା । କେହି କେହି କହୁଥିଲେ–ଛୋପରା ଲୋକ ଯୋଡ଼ିକ । ସାରା ଜୀବନ ଶତ୍ରୁ ହେଇ ରହିଥିଲେ, ଏଇ ଶେଷ ବେଳକୁ ବନ୍ଧୁପଣ ବୋହି ପଡୁଛି !

☆☆☆

 

ନିଜ ଭିତରର ଦୃଶ୍ୟ

 

ଧନେଶ୍ୱର ଏବେ କିଛିଦିନ ହେଲା ଅନୁଭବ କରୁଛନ୍ତି ଯେ ଅଫିସ୍‌ କଥା ଦୂରେ ଥାଉ, ନିଜ ଘରେ ବି ତାଙ୍କର ମୂଲ୍ୟ ପୁରୁଣା ରେଡ଼ିଓ ସେଟ୍‌ଟିର ମୂଲ୍ୟ ପରି କମି କମି ଯାଉଛି । କେହି ତାଙ୍କ କଥାକୁ ଗୁରୁତ୍ୱ ଦେଉନାହିଁ । ସାମ୍ନାସାମ୍ନି ନହେଲେ ପୁଅ ଦି ଜଣ ତାଙ୍କୁ ଆଡ଼େଇ ବାଟ କାଟୁଛନ୍ତି । ବନ୍ଧୁବାନ୍ଧବ କେହି ଆସିଲେ ମନୋରମା ସାଙ୍ଗେ କଥାଭାଷା ହୋଇ ଫେରି ଯାଉଛନ୍ତି, ତାଙ୍କ ପାଇଁ ଅପେକ୍ଷା କରୁନାହାନ୍ତି ।

 

ଧନେଶ୍ୱର ଖଟ ଉପରୁ ଉଠିଯାଇ ଟେବୁଲ ଉପରେ ଥିବା ରେଡ଼ିଓଟିକୁ ଟିକେ ସାଉଁଳେଇଦେଲେ । ସତେ କି ରେଡ଼ିଓକୁ ନୁହେଁ, ସେ ନିଜକୁ ନିଜେ ସାଉଁଳେଇ ଦେଉଛନ୍ତି । ଏଇ ରେଡ଼ିଓସେଟ୍‌ଟି ତାଙ୍କ ବାପା କିଣିଥିଲେ । ସେ ସମୟ ପୁରୁଣା ସମୟ ଥିଲା । ଟେଲିଭିଜନ୍‌ ପରି ଯନ୍ତ୍ର ଡ୍ରଇଂରୁମ୍‌କୁ ଆସିବା ତ ଦୂରର ତା କଥା ସେପର୍ଯ୍ୟନ୍ତ କେହି ଚିନ୍ତା ସୁଦ୍ଧା କରି ନ ଥିଲେ । ସେତେବେଳେ ଏଇ ରେଡ଼ିଓ ହିଁ ଥିଲା ସବୁରି ଆକର୍ଷଣ । ଯେଉଁଦିନ ତାଙ୍କ ଘରକୁ ଗାଁର ପ୍ରଥମ ରେଡ଼ିଓ ହୋଇ ଏଇଟି ଆସିଥିଲା, ସେଦିନ ତାକୁ ଦେଖିବା ଲାଗି ଘରମୁହଁରେ ବାରୁଣୀ ଯାତ୍ରା ଲାଗିଯାଇଥିଲା । ରେଡ଼ିଓଟି କେଉଁଠି ରହିବ, ତାର ସୁଇଚ୍‌ଗୁଡ଼ିକ କେଉଁ ଦିଗକୁ ରହିବ, ଦାୟିତ୍ୱହୀନ ପିଲାଙ୍କ କବଳରୁ ତାକୁ କିପରି ନିରାପଦ ଦୂରତ୍ୱରେ ରଖାଯାଇପାରିବ, ଏସବୁ କଥା ଚିନ୍ତା କରି କରି କିଶୋର ଧନେଶ୍ୱର ବ୍ୟସ୍ତ ହୋଇପଡ଼ିଥିଲେ । ତାଙ୍କର ଗୋବରଲିପା ଚାଳଘରକୁ ଆସି ତାଙ୍କ ପରିବାରର ସମ୍ମାନ ବୃଦ୍ଧି କରିଥିବାରୁ ସେ ରେଡ଼ିଓଟିକୁ ମନେ ମନେ ଧନ୍ୟବାଦ ଦେଇଥିଲେ ।

 

ଆଜି ସେଇ ରେଡ଼ିଓସେଟ୍‌ଟି ଗୋଟିଏ ପରିତ୍ୟକ୍ତ ଆସବାବପତ୍ର ପରି ତାଙ୍କ ଟେବୁଲ ଉପରେ ପଡ଼ିଛି । କେବେ ତା ପାଇଁ ସୁନିର୍ଦ୍ଦିଷ୍ଟ ର୍ୟାକ୍‌ ଛାଡ଼ି ସେ ପିଲାଙ୍କ ପଢ଼ାଘର ଓ ପଢ଼ାଘରୁ ଆସି ତାଙ୍କରି ଏ ଶୋଇବାଘର ଟେବୁଲ ଉପରେ ଏଭଳି ହତାଦର ହୋଇ ପଡ଼ିଲା, ସେକଥା ଧନେଶ୍ୱର ଜାଣନ୍ତି ନାହିଁ । ଦାଣ୍ଡଘରେ ଏବେ ଟେଲିଭିଜନ୍‌ ଶୋଭା ପାଉଛି ।

 

ପୁରୁଣା ରେଡ଼ିଓଟି ପାଇଁ ତାଙ୍କର ମନ ସହାନୁଭୂତିରେ ଓଦା ହୋଇଗଲା । ପର ମୁହୂର୍ତ୍ତରେ ରେଡ଼ିଓ ପାଖରୁ ନଜର ଘୁଞ୍ଚେଇ ଆଣି ସେ ନିଜ କଥା ଚିନ୍ତା କଲେ । ଦେଖିବାକୁ ଗଲେ ତାଙ୍କ ନିଜଠାରୁ ରେଡ଼ିଓଟି ବରଂ ଅଧିକ ଭାଗ୍ୟବାନ ଥିଲା । ନିର୍ଜୀବ ରେଡ଼ିଓଟି ପାଇଁ ଅନ୍ତତଃ ରାତି ଅଧଟାରେ ଉଠି ସେ ଚିନ୍ତା କରୁଥିଲେ; କିନ୍ତୁ ତାଙ୍କ ପାଇଁ ଏହି ଦୁନିଆରେ କିଏ ବା କେଉଁଠି ଚିନ୍ତା କରୁଛି ?

 

ଏକଥା ମନକୁ ଆସିବାକ୍ଷଣି ଅଫିସ୍‌ କଥା ମନେ ପଡ଼ିଲା । ସେଇ ଅଫିସ୍‌, ଯୋଉଠି ଧନେଶ୍ୱର ସାମନ୍ତରାୟ ହେଉଛନ୍ତି ସେକ୍ସନ୍‌ ଅଫିସର୍‌, ସେଇ ଅଫିସ୍‌ରେ ଆଜିକାଲି ତାଙ୍କୁ କେହି ଗୁରୁତ୍ୱ ଦେଲା ପରି ତାଙ୍କର ମନେ ହେଉନାହିଁ । ଘରେ ପୁରୁଣା ରେଡ଼ିଓ ତୁଳନାରେ ଟେଲିଭିଜନ୍‌କୁ ସମସ୍ତେ ଗୁରୁତ୍ୱ ଦେଲାପରି ଅଫିସ୍‌ରେ ମଧ୍ୟ ତାଙ୍କ ତୁଳନାରେ ଟୋକା କିରାଣି ପ୍ରେମାନନ୍ଦକୁ ସମସ୍ତେ ଅଧିକ ଗୁରୁତ୍ୱ ଦେଉଛନ୍ତି ।

 

ଅଫିସ୍‌ କଥା ମୁଣ୍ଡ ଭିତରକୁ ପଶିବା କ୍ଷଣି ତାଙ୍କର ନିଦ ସଂପୂର୍ଣ୍ଣ ଛାଡ଼ିଗଲା । ସେ ଖଟ ଉପରୁ ଉଠିଆସି ପରଦା ଟେକି ବାହାରକୁ ଚାହିଁଲେ । ପାଚିରି କଡ଼ ଟଗର ଗଛ ଡାଳଟାକୁ ସେପଟରୁ କିଏ ଝିଙ୍କିଲା ପରି ତାଙ୍କୁ ଲାଗିଲା । ସେ ପାଟିକରି ଉଠିଲେ, “ହେଇ, ହେଇ... କିଏ ସେଠି ?”

 

ଆକାଶରେ ଆହୁରି ଅନ୍ଧାର ନେସି ହୋଇଥିଲା । ସେ ଚାହିଁଥିଲେ ବିଛଣାକୁ ଫେରିଯାଇ ଶୋଇପାରିଥାନ୍ତେ । କିନ୍ତୁ ଶୋଇବା ପାଇଁ ମନ ହେଉ ନଥିଲା । ସେ ବାଥ୍‌ରୁମ୍‌କୁ ଗଲେ । ଟ୍ୟାପ୍‌ରୁ ଟପ୍‌ ଟପ୍‌ କରି ଟୋପାଏ ଟୋପାଏ ପାଣି ପଡୁଛି । ମନକୁ ମନ ପାଇପ୍‌ ମିସ୍ତ୍ରିକୁ ଗାଳି ଦେଲେ, ‘ଠକ ! ଭଲ ଟ୍ୟାପ୍‌ର ପଇସା ନେଇ ଖରାପଟା ଲଗେଇଛି । ନହେଲେ ପାଣି ପଡ଼ନ୍ତା କାହିଁକି ?’ ତାପରେ ସେ ବାଥ୍‌ରୁମ୍‌ କାମସାରି ଫେରିଆସିଲେ ।

 

ଧନେଶ୍ୱର କେବେ ଭାବି ନଥିଲେ ଯେ ଯେଉଁ ଅଫିସ୍‌ରେ ସେ ତିରିଶ ବର୍ଷ ପାଖାପାଖି କାମ କରିଆସିଛନ୍ତି, ସେଇ ଅଫିସ୍‌ର ଡାଇରେକ୍ଟର ଦିନେ ପୁଣି ତାଙ୍କ ଡ୍ରାଫ୍ଟଟିକୁ ‘ରବିସ୍‌’ କହି କାଟିଦେବେ । ସେଦିନ ସେ ଅଫିସର୍‌ କାଗଜ ଉପରେ ଗାର କାଟୁଥିବା ବେଳେ ତାଙ୍କୁ ଲାଗୁଥିଲା, ଯେମିତି କାଗଜ ନୁହେଁ, ତାଙ୍କରି ଛାତିକୁ ମୁନିଆଁ ନଖରେ କେହି ଚିରି ଦେଇଯାଉଥିଲା । ତାଙ୍କ ଦେହମୁଣ୍ଡ ଅପମାନରେ ଜଳୁଥିଲା; ଅଥଚ ସେ କିଛି ନକହି ଚୁପ୍‌ଚାପ୍‌ ଛିଡ଼ା ହୋଇଥିଲେ ଓ କାନମୁଣ୍ଡା ଆଉଁଶୁଥିଲେ ।

 

ଆଗେ ଏମିତି ହେଉ ନ ଥିଲା । ଧନେଶ୍ୱର ସାମନ୍ତରାୟ ଡ୍ରାଫ୍ଟକୁ କୌଣସି ଅଫିସର୍‌ କାଟିଦେବେ, ଏପରି କଥା ଚିନ୍ତା କରାଯାଇ ପାରୁ ନଥିଲା । କେତେ ବଡ଼ ବଡ଼ ଅଫିସର ତାଙ୍କ ଡ୍ରାଫ୍ଟକୁ ପ୍ରଶଂସା କରୁଥିଲେ । ଧନେଶ୍ୱରବାବୁଙ୍କ ନୋଟ୍‌ରେ କେହି ଗାରଟିଏ ପକେଇପାରିବେ ନାହିଁ ବୋଲି ସୁଦ୍ଧା ଅଫିସର୍‌ମାନେ କହୁଥିଲେ । ଆଜି ପୂରା ଡ୍ରାଫ୍ଟଟାକୁ ତା ନିଜ ଅଫିସ୍‌ର ମହିଳା ଡାଇରେକ୍ଟର କାଟିଦେଲେ !

 

ଧନେଶ୍ୱରଙ୍କର ଗର୍ବ ଥିଲା ଯେ ସେ ଘଣ୍ଟେଶ୍ୱର ହାଇସ୍କୁଲରୁ ଅଙ୍କରେ ଶହେକୁ ଶହେ ନମ୍ବର ରଖି ପାସ୍‌ କରିଥିଲେ । ତାଙ୍କ ରେକର୍ଡକୁ ସେ ଅଞ୍ଚଳର ଅନ୍ୟ କୌଣସି ପିଲା ଆଜି ପର୍ଯ୍ୟନ୍ତ ଟପି ପାରିନାହିଁ । ଭଦ୍ରକ କଲେଜର ମେଧାବୀ ଛାତ୍ର ରୂପେ ତାଙ୍କର କମ୍‌ ପ୍ରସିଦ୍ଧି ନଥିଲା ! ଭାଗ୍ୟ ସହଯୋଗ କରିଥିଲେ ସେ ହୁଏତ ଆଜି ତାଙ୍କ ଅଫିସ୍‌ରେ ଡାଇରେକ୍ଟର ହୋଇ ବସିଥାଆନ୍ତେ । ଏମିତି କାନମୁଣ୍ଡ ସାଉଁଳି ଆଉ କାହାର ଅପମାନ ବରଦାସ୍ତ କରୁ ନଥାନ୍ତେ ।

 

ସକାଳ ହୋଇ ଆସୁଥିଲା । ଧନେଶ୍ୱର ଖଟ ଉପରୁ ଉଠିଆସି ଘର ଅଗଣାକୁ ଆସିଲେ-। ଗୋଟେ ବିଲେଇ ରୋଷେଇଘର ଭିତରୁ ବାହାରି ତାଙ୍କ ସାମ୍ନାଦେଇ ଚାଲିଗଲା । ଧନେଶ୍ୱର ବିରକ୍ତ ହେଲେ । ଭାବିଲେ, ଆଜି ଦିନଟି ବି ଅଶୁଭରେ କଟିବ । ରୋଷେଇ ଘରଟା ମେଲା ରଖି ଶୋଇଥିବାରୁ ସେ ନିଜ ସ୍ତ୍ରୀ ଉପରେ ବିରକ୍ତ ହେଲେ । କେହି ଜଣେ ଏଠି ଠିକ୍‌ ଭାବେ କାମ କରୁନାହିଁ–ମନକୁ ମନ କହିଲେ ।

 

ଧନେଶ୍ୱର ତାଙ୍କ ଅଫିସ୍‌ ଚଉକିରେ ବସି ସେପଟେ ବସିଥିବା ପ୍ରେମାନନ୍ଦଙ୍କର କଥା ଶୁଣୁଥିଲେ । ସେତିକିବେଳେ ବନମାଳୀବାବୁ ପଚାରିଲେ, “କଣ ଦେହପା ଭଲ ନାହିଁ କି ?”

 

ଗୋଟିଏ ଦୀର୍ଘଶ୍ୱାସ ପକେଇ ଧନେଶ୍ୱର ପଚାରିଲେ, “ଦେହପା ଏକରକମ ଭଲ ଅଛି, କିନ୍ତୁ ମନଟା ଭଲ ଲାଗୁନାହିଁ ।”

 

ପରିଚିତ ରୋଗର ନିଦାନ ବତେଇଲା ପରି ବନମାଳୀବାବୁ କହିଲେ, “ଆପଣ ବୋଧହୁଏ ଖବର ପାଇ ନ ଥିବେ, ଏହା ଭିତରେ ଯଦୁ ଜେନା ଆଉ ଗୋଟେ ଘର କିଣି ସାରିଲାଣି-।”

 

ସକାଳ ଖରା ପଡ଼ି ରାତିର ଅନ୍ଧାର ହଟିଯିବା ପରି ଯଦୁ ଜେନାଙ୍କ ଘରକିଣା ଖବର ଧନେଶ୍ୱରଙ୍କ ମୁହଁରୁ ଦୁଶ୍ଚିନ୍ତାର ବଳିରେଖା ହଟେଇଦେଲା । ସେ ବନମାଳୀଙ୍କ ଆଡ଼କୁ ଝୁଙ୍କିଯାଇ ପଚାରିଲେ, “ସତରେ ?”

 

: ପଅରଦିନ ରେଜିଷ୍ଟ୍ରି ହେଲା ।

 

: କୁଆଡୁ ସେ ଏତେ ଟଙ୍କା ପାଇଲା ?

 

: ସେହି କଥା ତ !

 

: ଯାହା କୁହନ୍ତୁ ବନମାଳୀବାବୁ, ଏମିତି ଚୋରି ଡକେଇତି କାମ ଆମ ଭଳି ସଚ୍ଚୋଟ ଲୋକଙ୍କ ଦ୍ୱାରା ହେବ ନାହିଁ । ସେ ଯଦି ଡାଇରେକ୍ଟରଙ୍କ ପି.ଏ. ହୋଇ ନଥାନ୍ତା, ତାହାହେଲେ କଣ ଏମିତି ଘର କିଣିପାରିଥାନ୍ତା ?

 

ବନମାଳୀବାବୁ ଅଧାପଢ଼ା ଫାଇଲଟି ପ୍ରଥମେ ବନ୍ଦ କଲେ । ତାପରେ ଫାଉଣ୍ଟେନ୍‌ ପେନ୍‌ର କ୍ୟାପ୍‌ ବନ୍ଦ କରି ତାକୁ ପକେଟ୍‌ରେ ଖୋସିଦେଲେ । ଏଥର ଧନେଶ୍ୱରବାବୁଙ୍କୁ ସମର୍ଥନ କଲା ପରି କହିଲେ, ‘ଆପଣ ଠିକ୍‌ କହୁଛନ୍ତି । ଭିଜିଲାନ୍‌ସ ବିଭାଗର ନାୟକବାବୁ ଏମିତି କରୁଥିଲା-। ଯୋଉ ଲୋକ ନାଆଁରେ ଅଭିଯୋଗ ଯିବ, ନାୟକବାବୁ ଫାଇଲ୍‌ ମାଡ଼ିବସି ତାକୁ ଡକେଇ ପଠେଇବ । ତାପରେ ଚାଲିବ ମୂଲଚାଲ । ଏତିକି ଆଣ, ନିଶ୍ଚିନ୍ତରେ ରୁହ । ଗୋଟାଏ ଗୋଟାଏ ରାତିରେ ଆଜ୍ଞା କାହିଁକି କହୁଛନ୍ତି, ତିନି ଚାରି ଲକ୍ଷ ଟଙ୍କାର ଆମଦାନୀ !’

 

: ତିନି ଚାରି ଲକ୍ଷ ଟଙ୍କା ? ନିଜ କାନକୁ ଧନେଶ୍ୱରବାବୁ ବିଶ୍ୱାସ କରିପାରୁ ନଥିଲେ ।

 

ବନମାଳୀବାବୁ କହିଲେ, “ଦିନେ ଦିନେ ପାଞ୍ଚ ଛୁଇଁଯାଏ ।”

 

: ସମସ୍ତେ ଚୋର, ଡକେଇତ । ପାପ ଟଙ୍କା ନ ପଡ଼ିଲେ କିଏ ଏଠି ବଡ଼ଲୋକ ହେଲାଣି-? ବୁଝିଲେ ବନମାଳୀବାବୁ, ଆପଣ ନିଜେ କହିଲେ, ଏ ଅଫିସ୍‌ରେ ଅଢ଼େଇଶହ ଲୋକ କାମ କରୁଥିବେ । ଆମ ଦି ଜଣଙ୍କୁ ଛାଡ଼ିଦେଲେ ଆଉ କେହି ସଚ୍ଚୋଟ ମାର୍ଗରେ ଚଳୁଛନ୍ତି ?

 

ବନମାଳୀବାବୁ ଟିକିଏ ଆଖିବୁଜି କଣ ଚିନ୍ତା କଲେ । ସେଇ ସମୟ ଭିତରେ ଅବା ସେ ଅଫିସ୍‌ର ଅଢ଼େଇଶହ ଲୋକଙ୍କ ଚରିତ୍ର ସାର୍ଟିଫିକେଟ୍‌ ମନ ଭିତରେ ପଢ଼ିନେଉଥିଲେ । ଆଖି ଖୋଲି କହିଲେ, “ଠିକ୍‌ କଥା ତ ! ଏକଥା ମୁଁ ଆଜି ପର୍ଯ୍ୟନ୍ତ ଚିନ୍ତା କରି ନଥିଲି ।”

 

: ବର୍ତ୍ତମାନ ଜାଣିଲେଣି ମାନେ କିଛି କରିବା ପାଇଁ ପଡ଼ିବ । ଭିଜିଲାନ୍‌ସ ବିଭାଗକୁ ଏ ବାବଦରେ ଗୋଟାଏ ପିଟିସନ୍‌ ପଠେଇବାକୁ ହେବ ।

 

: ଆପଣ ତ ପ୍ରତି ମାସରେ ଗୋଟିଏ ଯୋଡ଼ିଏ ପଠଉଛନ୍ତି । କାଇଁ, ତାର ତ କିଛି ଫଳ ଫଳିଲା ପରି ଦିଶୁନାହିଁ ।

 

ନିଜର ଅସାବଧାନତା ଯୋଗୁ ଗୋପନୀୟ କାର୍ଯ୍ୟ ଧରାପଡ଼ିଯାଇଥିବାରୁ ଧନେଶ୍ୱରବାବୁ ଅପ୍ରସ୍ତୁତ ଦିଶିଲେ । ପ୍ରକୃତ କଥା ହେଲା, ସେ ଭିଜିଲାନ୍‌ସ ବିଭାଗକୁ ପିଟିସନ୍‌ ପଠଉଥିବା କଥା ଅନ୍ୟ କାହାକୁ ଜଣେଇବା ଲାଗି ଚାହୁଁ ନଥିଲେ । ମୁହଁରେ ଟିକିଏ ହସ ଖେଳେଇ କହିଲେ, “ନାଇଁ ହୋ ବନମାଳୀବାବୁ, ସେମିତି କହିଦିଏ ନା, ସତରେ କଣ ମୁଁ କାହା ନାଁରେ କିଛି ପଠାଏ ?”

 

ବନମାଳୀବାବୁ ହୁସିଆର ଲୋକ । ସେ ଠିକଣା କଥାଟି ଠଉରେଇନେଲେ । କିନ୍ତୁ ବଡ଼ବାବୁଙ୍କୁ ନ ଚିଡ଼େଇବାଲାଗି କହିଲେ, “ମୁଁ କଣ ଆପଣଙ୍କୁ ଚିହ୍ନିନାହିଁ । ଆପଣ ହେଲେ ନାଳି ପଇଡ଼ । ଉପରକୁ ସିନା ଟାଣ, ଭିତରେ ତ ପୂରା ନରମ !”

 

ଧନେଶ୍ୱରବାବୁଙ୍କୁ କଥାଟି ଭଲ ଲାଗିଲା । ସେ ସାମ୍ନା ଟୁଲ୍‌ ଉପରେ ବସି ଢୁଳଉଥିବା ବ୍ରଜ ପିଅନକୁ ଡାକିଲେ, “ହଇରେ, ସବୁବେଳେ ଗୋଟେ କଣ ଢୁଳଉଛୁ ? ଥରେ ତୋ ନାଁରେ ଲେଖି ପଠେଇଦେବି ଯେ ଏକାଥରେ ସାଲେପୁର ଯାଇ ଶୋଇଥିବୁ । ଯା, ଚା ଦି କପ୍‌ ଆଣିବୁ ।”

 

ବ୍ରଜ ପ୍ରକୃତରେ ଢୁଳଉଥିଲା । କିନ୍ତୁ ସେ କଥାଟିକୁ ଧନେଶ୍ୱରବାବୁ ଯେମିତି ଫୁଟିଆରା କରିଦେଇଥିଲେ, ସେଇଟା ତାକୁ ଭଲ ଲାଗୁ ନଥିଲା । ସେ ଉଠିପଡ଼ି କ୍ୟାଣ୍ଟିନ୍‌ ଆଡ଼କୁ ଯାଉ ଯାଉ ଶୁଣେଇ ଶୁଣେଇ କହିଲା, “ଲେଖୁନାହାନ୍ତି, ମୋ ନାଁରେ ସାତ ସାତ ଥର କମ୍ପେ୍ଲନ୍‌ କଲେଣି, ଏଥରକ ମିଶି ଆଠ ଥର ହେବ । ଇଏ ଲେଖିବେ, ୟୁନିଅନ ଲଢ଼ିବ । ମୁଁ କୋଉ ଡରିଛି କି ?”

 

ବ୍ରଜର କଥାଗୁଡ଼ା କଣ୍ଟା ପରି ଧନେଶ୍ୱରବାବୁଙ୍କ ଦେହରେ ଗଳିଗଲା । ସେ ବନମାଳୀବାବୁଙ୍କୁ ଦେଖେଇ ଦେଖେଇ କହିଲେ, “ଶୁଣୁଛନ୍ତି ତ ! ଏ ଅଫିସ୍‌ରେ ଆଉ କେହି କାହାକୁ ମାନୁନାହାନ୍ତି । ଯାହା କୁହନ୍ତୁ ପଛେ, ଇନ୍ଦିରାଗାନ୍ଧୀ ଏ ଦେଶଟାକୁ ସାରିଦେଲା । ଏଇ ତଳ ଜାତିର ଲୋକଗୁଡ଼ାଙ୍କୁ ମୁଣ୍ଡରେ ବସେଇ ସବୁ ସତ୍ୟାନାଶ କରିଦେଲା ।”

 

: ଯେତିକି ବାକି ଥିଲା, ଇଏ ଭି.ପି. ସିଂହ ଜାଣନ୍ତୁ ସେତକ ବି ସ୍ୱାହା କରିଦେଲା । ସେମାନେ ପରା ଏବେ ଆମ ମୁଣ୍ଡରେ ବସିଲେଣି ।

 

ଡାଇରେକ୍ଟରଙ୍କ କଲିଂବେଲ୍‌ ବାଜି ଉଠିଲା । ତାଙ୍କ ପିଅନ ଦୁଆର ଠେଲି ଭିତରକୁ ଗଲା ଓ ବାହାରି ଆସିଲା ।

 

ଡାଇରେକ୍ଟରଙ୍କ ପିଅନ ଧନେଶ୍ୱରଙ୍କ ସାମ୍ନା ଦେଇ ଆଗକୁ ମାଡ଼ିଯାଉଥିଲା । ଧନେଶ୍ୱରବାବୁ ଡାକିଲେ, “କିରେ, ମାଡାମ୍‌ ମୋତେ ଡାକୁଛନ୍ତି କି ?”

 

: ନା । ମାଡାମ୍‌ କହିଲେ ପ୍ରେମାନନ୍ଦବାବୁ ନ ଥିଲେ ବଡ଼ବାବୁଙ୍କୁ ଡାକିବୁ । ପ୍ରେମାନନ୍ଦବାବୁ ତ ଅଛନ୍ତି !

 

ଧନେଶ୍ୱରବାବୁ ଓ ପ୍ରେମାନନ୍ଦ ଭିତରେ ଦିଇଟି ଆଲମୀରାର ବ୍ୟବଧାନ । ବଡ଼ବାବୁ ହେବା ଦିନଠୁଁ ସାହାଣମେଲା ସେକ୍ସନ୍‌ ମଝିରେ ବସିବାକୁ ଧନେଶ୍ୱରବାବୁଙ୍କୁ ଭଲ ଲାଗିଲା ନାହିଁ । ଡାହାଣ ପଟେ ଦିଇଟି ଆଲମୀରା ଥୋଇ, ସେ ନିଜ ବସିବା ଜାଗାଟିକୁ ଟିକେ ସ୍ୱତନ୍ତ୍ର ମାନ୍ୟତା ଦେଇଛନ୍ତି । ପିଅନର କଥା ଶୁଣି ତାଙ୍କ ଦେହ ଆଉ ଥରେ ଚିଡ଼ିଉଠିଲା । ସବୁବେଳେ ଯଦି ପ୍ରେମାନନ୍ଦକୁ ଖୋଜା ପଡ଼ୁଛି ସେ ତାହାହେଲେ ବଡ଼ବାବୁ ହୋଇ ଲାଭ କଣ ?

 

ବନମାଳୀବାବୁ କହିଲେ, “ଟୋକାଟାକଳା ଲୋକ ତ, ମାଡାମ୍‌ ଡାଇରେକ୍ଟରଙ୍କୁ ପ୍ରେମାନନ୍ଦ ଭଲ ଲାଗୁଥିବ । ଆପଣ ତ ବୁଢ଼ା ହେଲେଣି ।”

 

: ଯାହା କୁହନ୍ତୁ ପଛକେ ବନମାଳୀବାବୁ, ମୋତେ ଏସବୁ ଭଲ ଲାଗୁନାହିଁ । ଟୋକାଟା ମାଡାମ୍‌ଙ୍କୁ କିଛି ଔଷଧ ଫୌଷଦ କରି ଦେଇଛି ବୋଧହୁଏ ।

 

: ତାହା ତ ନିଶ୍ଚୟ । ଏଥର ବନମାଳୀବାବୁ ନିଜର ମୁହଁକୁ ବଗ ବେକ ପରି ଧନେଶ୍ୱରବାବୁଙ୍କ କାନ ପର୍ଯ୍ୟନ୍ତ ଲମ୍ବେଇ ଆଣି କହିଲେ, “ଆପଣ ଅବିଶ୍ୱାସ କରିପାରନ୍ତି, ମଝିରେ ମଝିରେ ଏ ଟୋକାଟି ମାଡାମ୍‌ଙ୍କୁ ଲବଙ୍ଗ ଅଳେଇଚ ଦିଏ । ସେଇଥିରେ ଯେ ଔଷଧ ଗୋଳାଯାଇ ନ ଥିବ କିଏ କହିବ ?”

 

: ସତ ! ଆରେ, ମୋତେ କେମିତି ଏକଥା ଆଗରୁ ଆପଣ କହିନାହାନ୍ତି ?

 

: ମୁଁ ଭାବିଲି ଆପଣ ଜାଣିଥିବେ ନା । ମୁଁ ଦି ଥର ଦେଖିଛି । ତାହା ନ ହେଲେ ଦେଖୁନାହାନ୍ତି, ଏଠିକାର ସେକ୍‌ସନ୍‌ ଅଫିସର ହେଲେ ଆପଣ, ଅଥଚ ସବୁ କଥାରେ ତାକୁ କାହିଁକି ଲୋଡ଼ା ପଡୁଛି, ଆଁ ?

 

: ମୁଁ ବି ସେଇଆ ଚିନ୍ତା କରୁଛି । ଆଉ ଏ ଟୋକାଟିକୁ ଦେଖ । ପାଞ୍ଚବର୍ଷ ଭିତରେ ସେ ଏଠି କେମିତି ଚେରମାଡ଼ି ବସିଲାଣି । ତା କଥାବାର୍ତ୍ତା, ରଙ୍ଗଢଙ୍ଗ ସବୁ ବଦଳିଗଲାଣି । ସତେ କି କିରାଣି ନୁହଁ, କଲେକ୍ଟର ।

 

: ଛାଡ଼ନ୍ତୁ ଆଜ୍ଞା । ସବୁ କଳି କାଳର ପରାଭବ ।

 

ବ୍ରଜ ଚା ଦି କପ୍‌ ଆଣି ଟେବୁଲ୍‌ ଉପରେ ଥୋଇଦେଇ ଚାଲି ଯାଉଥିଲା ବନମାଳୀବାବୁ ପଚାରିଲେ, “କିରେ, ଦରଜା ପାଖରେ ଯୋଉ ନୂଆ ମଟର ସାଇକେଲ୍‌ଟା, ସେଇଟା କାହାର କି-?”

 

: ନଳିନୀବାବୁଙ୍କର । ଆପଣ ଡେରିରେ ଆସିଲେ, ତେଣୁ ମିଠା ଖାଇ ନାହାନ୍ତି । ନଳିନୀବାବୁ ଆମ ସମସ୍ତଙ୍କୁ ମିଠା ଖୁଆଇଲେ ପରା !

 

: ଆରେ, ବଡ଼ ଦମ୍ଭିଲା ଦିଶୁଛି ଗାଡ଼ିଟା ତ !

 

: ନଳିନୀବାବୁ କହୁଥିଲେ, ଚାଳିଶି ହଜାର ଟଙ୍କା ପଡ଼ିଲା । –ବ୍ରଜ କହିଲା ।

 

: ଚାଳିଶ ହଜାର । –ଏଥର ବ୍ରଜକୁ ଚାହିଁ ଧନେଶ୍ୱରବାବୁ କହିଲେ, ‘ତୁ ଯା’ ଓ ତାପରେ ବନମାଳୀବାବୁଙ୍କୁ ଚାହିଁଲେ । ସେ ଚାହାଣିର ଅର୍ଥ ବନମାଳୀବାବୁ ବୁଝିଥିଲେ । ଚା କପ୍‌ରେ ଢୋକ ଦେଉ ଦେଉ କହିଲେ, “ଏସବୁ ଉପୁରି ମାଲ୍‌ର କରାମତି । ନ ହେଲେ ଚାଳିଶ ହଜାର କିଏ, ଏ ଚଷା ନଳିନୀ କିଏ ?”

 

ଧନେଶ୍ୱରବାବୁ ବିଷଣ୍ଣ ଦିଶିଲେ । କହିଲେ, “ଏ ଅଫିସ୍‌ରେ ସମସ୍ତେ ସବୁକଥା କରିପାରୁଛନ୍ତି । ଅଥଚ ଆମେ ଦି ଜଣ ପଛରେ ପଡ଼ିଛନ୍ତି ।”

 

ବନମାଳୀବାବୁ ମୁଣ୍ଡ ହଲେଇଲେ । କହିଲେ, “ଚୋରି କରି ଉପରକୁ ଉଠିବାରେ କି ଲାଭ-?”

 

: କିନ୍ତୁ ସମସ୍ତେ କଣ ଚୋରି କରୁଛନ୍ତି ?

 

: ଏକଥା ମୋତେ ପଚାରୁଛନ୍ତି ? ଆପଣ ନିଜେ ପରା କେତେଜଣଙ୍କ ନାଁରେ ଭିଜିଲାନ୍‌ସ ଡିପାର୍ଟମେଣ୍ଟ୍‌କୁ ପିଟିସନ୍‌ ଲେଖିଥିବେ ।

 

: ହଁ–ହଁ । ନା–ନା, ମୁଁ କାହିଁକି କାହା ନାଆଁରେ ପିଟିସନ୍‌ ଲେଖିବାକୁ ଯାଉଥିଲି ?

 

ବନମାଳୀବାବୁ ମୁରୁକି ହସିଲେ । ତାଙ୍କ ହସଟା ଚା ସାଙ୍ଗରେ ମିଶି ପଦାକୁ ପିଚିକି ପଡ଼ିଲା ।

 

ଧନେଶ୍ୱରବାବୁ ଡାକିଲେ, “ଏଇ ବ୍ରଜ, ପ୍ରେମାନନ୍ଦବାବୁଙ୍କୁ ଡାକିଲୁ ।”

 

ବ୍ରଜ ପ୍ରେମାନନ୍ଦଙ୍କୁ ଡାକିବା ପାଇଁ ଗଲା ଓ ସାଙ୍ଗେ ସାଙ୍ଗେ ଫେରିଆସି କହିଲା, “ଡାକି ଦେଇଛି ।”

 

ଧନେଶ୍ୱରବାବୁ ବନମାଳୀଙ୍କୁ କହିଲେ, “ଏବେ ଦଉଛି ପାନେ, ମୋ ନାଆଁରେ ମାଡାମ୍‌ଙ୍କୁ ଚୁଗୁଲି କରୁଛି ତ । ତାକୁ ଦି ପଦ ଶୁଣଉଛି ।”

 

ଆସନ୍ନ ଦୃଶ୍ୟଠୁଁ ନିରାପଦ ଦୂରତ୍ୱରେ ରହିବା ପାଇଁ ବନମାଳୀ ତାଙ୍କ ଚଉକିକୁ ଘୁଞ୍ଚେଇନେଲେ । ଏଥର ବନ୍ଦ ପଡ଼ିଥିବା ଫାଇଲ୍‌କୁ ଖୋଲି ପଢ଼ିଲେ ଧନେଶ୍ୱରବାବୁ । ପକେଟ୍‌ରୁ କଲମ ବାହାର କରି ଧରିଲେ ।

 

: ତୁମକୁ ପରା ମାଲକାନ୍‌ଗିରି ଜିଲ୍ଲା ଫାଇଲ୍‌ଟା ଅପ୍‌ଟୁଡେଟ୍‌ କରିବା ପାଇଁ ଦିଆହୋଇଥିଲା ? ଡିରେକ୍ଟର ମୋତେ ତିନିଥର କହି ସାରିଲେଣି ।

 

: ଆପଣଙ୍କୁ କହିଲେ ? କିନ୍ତୁ ମୁଁ ତ କାଲି ଅଫିସ୍‌ ଛାଡ଼ିବା ଆଗରୁ ନିଜେ ନେଇ ସେ ଫାଇଲ୍‌ଟା ଡିରେକ୍ଟରଙ୍କୁ ଦେଇଆସିଥିଲି । –ପ୍ରେମାନନ୍ଦ ଉତ୍ତର ଦେଲା ।

 

ଧନେଶ୍ୱରବାବୁ ନିରବ ହୋଇଗଲେ । ଟୋକାଟା ଗୋଟେ ମଣିଷ ନା ମେସିନ୍‌ ! ଦି ଦିନ ଭିତରେ ଏତେ ଗୁଡ଼ା କାମ କେମିତି ସାରିଦେଲା ? ସେ ମନେ ମନେ ଆଶ୍ଚର୍ଯ୍ୟ ହେଲେ । ମନର କଥା ମୁହଁ ଉପରକୁ ଆସିବାକୁ ନଦେଇ କହିଲେ, “ସରି, ମୁଁ ଭୁଲ୍‌ରେ ମାଲକାନ୍‌ଗିରି କଥା କହିଦେଲି । ଅସଲରେ ଆସେମ୍ବ୍ଲି ଫାଇଲ୍‌ କଥା ପଚାରୁଥିଲି ।”

 

ପ୍ରେମାନନ୍ଦ ଏଥର ଧନେଶ୍ୱରବାବୁଙ୍କ ପିଠି ପାଖକୁ ବୁଲିଆସିଲା ଓ ତାଙ୍କ ବାଁ ପଟ ରାକ୍‌ ତଳୁ ଗୋଟିଏ ଫାଇଲ୍‌ ବାହାର କରି ଧନେଶ୍ୱରଙ୍କ ସାମ୍ନାରେ ଥୋଇଦେଲା । କହିଲା, “ଏଇଟା ତ କାଲିଠୁଁ ଆପଣଙ୍କ ଟେବୁଲ୍‌ ଉପରେ ଅଛି । ଏଇ ବ୍ରଜ ବୋଧେ ରାକ୍‍ରେ ନେଇ ରଖିଦେଇଥିବ ।”

 

ନିରସ୍ତ୍ର ଧନେଶ୍ୱର ନିରାଶ ହୋଇପଡ଼ୁଥିଲେ ।

 

ପ୍ରେମାନନ୍ଦ କହିଲା, “ସାର୍‌, ଟିକେ ଲାଙ୍ଗୁଏଜ୍‌ଟା ଦେଖିଦେବେ । ଆପଣଙ୍କ ଭାଷା ପରି କାହାର ଭାଷା ହେବ ନାହିଁ ।”

 

ଧନେଶ୍ୱର ଏଥର ପ୍ରସନ୍ନ ଦିଶିଲେ ।

 

: ଆପଣ ସାର୍‌ ଏ ଚାକିରିରେ ନ ପଶି ଅଧ୍ୟାପକ ହୋଇଥିଲେ ଅନେକ ଛାତ୍ର ଉପକୃତ ହୋଇଥାଆନ୍ତେ । –ପ୍ରେମାନନ୍ଦ ଗମ୍ଭୀର ମୁଦ୍ରାରେ ଛିଡ଼ାହୋଇ କହିଲା ।

 

ଧନେଶ୍ୱର ଆଶ୍ଚର୍ଯ୍ୟ ହେଲେ ନାହିଁ । ପ୍ରେମାନନ୍ଦ ବରାବର ତାଙ୍କୁ ଏମିତି ପ୍ରଶଂସା କରେ-। ଅବଶ୍ୟ ତା ନିଜର ଭାଷା କିଛି ଖରାପ ନୁହେଁ, ବରଂ ଇଂରାଜୀ ବ୍ୟାକରଣରେ ଅନ୍ୟମାନଙ୍କଠାରୁ ବେଶ୍‌ ନିଦା । କିନ୍ତୁ କାହିଁକି କେଜାଣି ଟୋକାଟାକୁ ସେ ଆଦୌ ସହିପାରନ୍ତି ନାହିଁ । ତାକୁ ଦେଖୁ ଦେଖୁ ସେ ଚିଡ଼ିଯାଆନ୍ତି ।

 

ସେ ଫାଇଲ୍‌ଟାକୁ ଭିଡ଼ିନେଇ ଖୋଲିଲେ । ପ୍ରେମାନନ୍ଦ ଫାଇଲ୍‌ରେ ଯାହା ତଥ୍ୟ ଦରକାର, ସେସବୁ ଗୋଲ ଗୋଲ ଅକ୍ଷରରେ ଲେଖିଦେଇଥିଲା । ଧନେଶ୍ୱର କହିଲେ, “ହଉ ଯାଅ-। ମୋତେ ଟିକିଏ ମନେ ପକେଇଦେଇଥାଆନ୍ତ ସିନା ! ଏସବୁ ଅତି ଅର୍ଜେଣ୍ଟ ଫାଇଲ୍‌ ।”

 

: ଭୁଲ୍‌ ହୋଇଛି ସାର୍‌ । ମୁଁ ଭାବିଲି... ।

 

: ଠିକ୍‌ ଅଛି ।

 

ପ୍ରେମାନନ୍ଦ ଚାଲିଗଲା । ବନମାଳୀବାବୁ ନିରାଶ ହେଲା ପରି କହିଲେ, “ବୟସ ବଢ଼ିବା ସାଙ୍ଗରେ ଆପଣ ବି ନରମି ଗଲେଣି ବଡ଼ବାବୁ । ଟୋକାଟାକୁ ଦି ପଦ ଝାଡ଼ିଦେଇଥିଲେ ଭଲ ହୋଇଥାଆନ୍ତା !

 

ଧନେଶ୍ୱରବାବୁ ନିରବରେ ଫାଇଲ୍‌ ପଢ଼ୁଥିଲେ । ସୁନ୍ଦର ଭାବେ ସବୁକଥା ପ୍ରେମାନନ୍ଦ ସଜେଇ ଲେଖିଥିଲା ।

 

ବନମାନଳୀବାବୁ କହିଲେ, “ଟୋକାଟାର ବେଶପୋଷାକ ଦେଖୁଛନ୍ତି ତ ? ପ୍ରତିଦିନ ନୂଆ ଜାମା, ପ୍ୟାଣ୍ଟ୍‌ । ସବୁ ଷ୍ଟାଇଲ୍‌ ତାଆରି ପାଖରେ ।”

 

ଧନେଶ୍ୱରବାବୁ କହିଲେ, “ଆମେ ବି କମ୍‌ ଷ୍ଟାଇଲ୍‌ବାଲା ନ ଥିଲୁ । ଥରେ ହାବୁଡ଼ରେ ପଡୁ, ତା ଷ୍ଟାଇଲ୍‌ ଛଡ଼େଇ ନ ଦେଇଛି ଯଦି ମୋତେ କହିବେ ।”

 

ବନମାଳୀ ଗୋଟାଏ ଗୁରୁତ୍ୱପୂର୍ଣ୍ଣ କଥା ଭୁଲିଯାଇଥିବା ଭଳି କହିଲେ, “ଆରେ ଆରେ, ମୁଁ ତ ଆପଣଙ୍କୁ କହିବାଲାଗି ଭୁଲିଯାଇଥିଲି, ଏଇ ମାଳିନୀ ସାମନ୍ତରାୟ କଥା ।”

 

: ତାର ପୁଣି କଣ ହେଲା ?

 

: ତା ବର କୁଆଡ଼େ ତାକୁ ଛାଡ଼ପତ୍ର ଦେବ ବୋଲି ନୋଟିସ୍‌ ପଠେଇଛି ।

 

: ସତରେ ? ମୋତେ ଆପଣ ଏଯାଏ କେମିତି ଏ ଖବରଟା ଦେଇ ନାହାନ୍ତି ?

 

: ଆଉ କେହି ଜାଣିନାହାନ୍ତି । ମୋ ଶଳା ନଟ ମହାନ୍ତି ଓକିଲଙ୍କ ସାଙ୍ଗରେ ବସାଉଠା କରେ । ସେଇ ପରା କାଲି କହିଲା ।

 

: ଭଲ ହେଲା –ସେ ମାଇକିନାକୁ ନେଇ ଚଳିବା ଭାରି କଷ୍ଟ ।

 

: କାହିଁକି ? –କିଛି ନ ଜାଣିଲା ପରି ବନମାଳୀବାବୁ ପଚାରିଲେ ।

 

ଉତ୍ସାହିତ ଧନେଶ୍ୱରବାବୁ ଜରୁରୀ ବିଧାନସଭା ଫାଇଲ୍‌ ବନ୍ଦ କରି କହିଲେ, “ଚାଲନ୍ତୁ, ଚାଲନ୍ତୁ । କ୍ୟାଣ୍ଟିନ୍‌ ଆଡ଼ୁ ବୁଲିଆସିବା । ଗୋଟେ ପନ୍ଦର ବାଜିଲାଣି । ଫେରିଲା ପରେ ଏ କାମ ହେବ ।”

 

ବନମାଳୀବାବୁ କହିଲେ, “ଚାଲନ୍ତୁ । କାମ ତ ସବୁବେଳେ ହେଉଛି ।”

 

ଦିହେଁ କ୍ୟାଣ୍ଟିନ୍‌ ଅଭିମୁଖେ ବାହାରିଗଲେ ।

 

କ୍ୟାଣ୍ଟିନ୍‌ଟା ଅଫିସ୍‌ର ବାଁ କଡ଼କୁ । ଧନେଶ୍ୱରବାବୁ କହିଲେ, “ଏ ମାଇକିନା କୁଆଡ଼େ ତାର ସବୁ ଟଙ୍କା ପଇସା ବାପଘରକୁ ପଠେଇଦିଏ !”

 

: ଖାଲି କଣ ସେତିକି, ତା ସ୍ୱାମୀ ପଚାରିଲେ କହେ, ଝିଅ ହେଲା ବୋଲି କଣ ତା ବାପଘର କଥା ବୁଝିବାର ଦାୟିତ୍ୱ ସେ ଭୁଲିଯିବ !

 

: ବିଚିତ୍ର କଥା ! ମୋ ସ୍ତ୍ରୀ ଥରେ ଶଳା ପାଖକୁ ଦିଇଶହ ଟଙ୍କା ପଠେଇଥିଲା । ବୁଝିଲ ବନମାଳୀବାବୁ, ଏମିତି ହଲାପଟା କଲି ଯେ, ତିନି ଦିନ ତିନି ରାତି ଉପାସ ଶୋଇଲା । ସେଇଦିନୁ ମୋ ପକେଟ୍‌ରେ ସେ ହାତ ଦିଏ ନାହିଁ ।

 

: ମାଇକିନା ହୋଇ ଏତେ ତୋଡ଼ କଣ ? ଏବେ ଝୁଅ ମଜ୍ଜା ପାଇବ । –ବନମାଳୀବାବୁ ଉତ୍ତର ଦେଲେ ।

 

ଧନେଶ୍ୱରବାବୁ କହିଲେ, “ତମ ଶଳା ପରା କେଉଁ ଖବରକାଗଜରେ କାମ କରୁଛି । ଗୋଟାଏ ଖବର ତାକୁ ଛପେଇବାକୁ ଦିଅନ୍ତେ ନାହିଁ ?”

 

: କି ଖବର କହୁନାହାନ୍ତି । ସେ ତ ଯାହା ଲେଖିଦେବ, ତାହା ଛପାଯିବ । ସବୁଦିନେ ତାର ମନ୍ତ୍ରୀ, ଏମ୍‌.ଏଲ୍‌.ଏ.ଙ୍କ ସାଙ୍ଗେ ବସାଉଠା । ତାଆରି ଯୋଗୁ ମୁଁ ଭୁବନେଶ୍ୱରରେ ଏତେଦିନ ରହିଲିଣି ନା, ନହେଲେ ଏ ସରକାର କଣ ମୋତେ ରଖିଥାଆନ୍ତା ?

 

: ଏଇ ପ୍ରେମାନନ୍ଦ ଖବର ମ! ନାଁ, ଗାଁ ନ ଦେଇ ଗୋଟାଏ ଅନୁସନ୍ଧାନମୂଳକ ଖବର ଛପେଇଦେଲେ ଟୋକା ବାଟକୁ ଆସିଯାଆନ୍ତା ।

 

: ବନମାଳୀବାବୁ ତୁନି ରହିଲେ । କିଛି ସମୟ ପରେ କହିଲେ, “ଆପଣ ଖବରଟା ଲେଖି ଦିଅନ୍ତୁ । ମୁଁ ତାକୁ ଦେଇଦେବି ।”

 

: ରାମ୍‌, ରାମ୍‌ । ମୋ ହସ୍ତାକ୍ଷରରେ ମୁଁ ଲେଖିବି ? ତମେ ତାକୁ କଥାଟା ଚୁମ୍ବକରେ ବତେଇଦେଲେ ସେ ତାର ସାମ୍ବାଦିକ ଭାଷାରେ ଲେଖିଦିଅନ୍ତା ।

 

: କିନ୍ତୁ ତାକୁ ମୁଁ ପାଇଲେ ତ ! ସେ ତ ସବୁବେଳେ ଇଆଡ଼େ ସିଆଡ଼େ ବୁଲୁଥାଏ ।

 

: ବୁଝିଲି । ଖୋର୍ଦ୍ଧା ଇନିସ୍‌ପେକ୍ଟରକୁ କହି ଗୋଟେ ବୈଠକୀ ବ୍ୟବସ୍ଥା କରିବା । ସାମ୍ବାଦିକ ଲୋକ ସେ, ତାଙ୍କର ତ ଚଳୁଥିବ ?

 

: କଣ ?

 

: ଏଇ ବଡ଼ ଥଣ୍ଡା ।

 

: ମାନେ ?

 

: ବିଅର୍‌ । ସାମ୍ବାଦିକଙ୍କର ତ ସେଗୁଡ଼ା ପଣାପାଣି ।

 

ବନବାଳୀବାବୁ କହିଲେ, “ହଁ, ହଁ –ସେଥିରେ ସେ ଧୁରନ୍ଧର ।”

 

ଧନେଶ୍ୱରବାବୁ କଣ କହିବାକୁ ଯାଉଥିଲେ, ଦେଖିଲେ ପିଅନ ବ୍ରଜ ଧାଇଁ ଧାଇଁ ଆସୁଛି-। ସେ କଥା ବଦଳେଇ ପଚାରିଲେ, “କିରେ, ଧାଉଁଛୁ କାହିଁକି ?”

 

: ବଡ଼ବାବୁ, ଆପଣଙ୍କୁ ମାଡାମ୍‌ ଡାକୁଛନ୍ତି । ଶୀଘ୍ର ଆସନ୍ତୁ, ସେ ଲଞ୍ଚ୍‌ରେ ଯିବେ ।

 

: ଆଚ୍ଛା, ଏବେ ତ ଆସିଲି । ହଉ, ଚାଲ, ଚାଲ । ବନମାଳୀବାବୁ, ଆପଣ ପଇସା ଦେଇ ଆସନ୍ତୁ । ମୋତେ ଡକରା ପଡ଼ିଲାଣି ।

 

ମାଡାମ୍‌ ପ୍ରକୃତରେ ବଡ଼ ବ୍ୟସ୍ତ ଦିଶୁଥିଲେ । ଧନେଶ୍ୱରବାବୁଙ୍କୁ ଦେଖୁ ଦେଖୁ କହିଲେ, “ବଡ଼ବାବୁ, ଆପଣ ଏମିତି ଦାୟିତ୍ୱହୀନ କିପରି ହେଲେ ?”

 

ସାତଦିନ ହେଲା ଖୋଜା ପଡ଼ୁ ନ ଥିଲା । ଆଜି ଖୋଜା ପଡ଼ୁ ପଡ଼ୁ ଏମିତି ‘ଦାୟିତ୍ୱହୀନ’ ବିଶେଷଣ ଶୁଣିବାଟା ଧନେଶ୍ୱରଙ୍କୁ କଷ୍ଟ ଦେଲା । ସେ ପଚାରିଲେ, “କେଉଁ କଥା ମାଡାମ୍‌ ?”

 

ଆସେମ୍ବ୍ଲି ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରିବା ଲାଗି ମୁଁ ଆପଣଙ୍କୁ ଚାରିଦିନ ହେଲା ଫାଇଲ୍‌ ପଠେଇଲିଣି । ଆପଣ ଏଯାଏ ସେଇଟା ମୋତେ ଦେଲେ ନାହିଁ ।

 

ଧନେଶ୍ୱର ଟିକିଏ ବିବ୍ରତ ଦିଶିଲେ । କହିଲେ, “ପ୍ରେମାନନ୍ଦକୁ ଦେଇଥିଲି... ।”

 

ତାଙ୍କ ପାଟିରୁ କଥା ସରି ନଥିଲା, ମାଡାମ୍‌ ଛଡ଼େଇନେଇ କହିଲେ, “ସମସ୍ତେ ପ୍ରେମାନନ୍ଦ ଉପରେ ନିର୍ଭର କଲେ ସେ ଏକାକୀ କେତେ କଣ କରିବ ? ସେ କୁଆଡ଼େ କାଲିଠୁଁ ଆପଣଙ୍କୁ ଫାଇଲ୍‌ ଦେଇସାରିଲାଣି ।”

 

: ଆପଣ ଲଞ୍ଚ୍‌ରୁ ଫେରିବା ପରେ ମୁଁ ଦେଇଥାଆନ୍ତି ।

 

: ମୁଁ ଲଞ୍ଚ୍‌କୁ ନୁହେଁ ବଡ଼ବାବୁ, ଆସେମ୍ବ୍ଲି ଯାଉଛି । ଆପଣଙ୍କ ପରି ସହଯୋଗୀ ଥିଲେ ମଣିଷକୁ ଖାଇବା ପିଇବା ସୁଦ୍ଧା ଭୁଲିଯିବାକୁ ପଡ଼ିବ । ଯାଆନ୍ତୁ, ଫାଇଲ୍‌ଟା ଆଣି ଦିଅନ୍ତୁ ।

 

ଧନେଶ୍ୱର ତରବରରେ ଫେରିଆସି ଫାଇଲ୍‌ଟା ନେଲେ ଓ ମାଡାମ୍‌ଙ୍କ ହାତକୁ ବଢ଼େଇଦେଲେ । ଫାଇଲ୍‌ଟା ଝିଙ୍କିନେଇ ଗୋଟାଏ ଝଡ଼ ପରି ମାଡାମ୍‌ ତାଙ୍କ ରୁମ୍‌ରୁ ବାହାରି ଚାଲିଗଲେ ।

 

ଧନେଶ୍ୱର ନିଶ୍ଚିତ ହୋଇଗଲେ, ଏସବୁ ସକାଳୁ ସକାଳୁ ବିରାଡ଼ି ଦେଖିବାର ଫଳ । ଆଜି ଦିନସାରା ଏମିତି ଅପମାନ ଯୋଗ ଅଛି ।

 

ପାଞ୍ଚଟା ବେଳକୁ ବନମାଳୀବାବୁ ଡାକିଲେ, “ଚାଲୁନାହାନ୍ତି, ଚାରି ନମ୍ବର ମାଛ ମାର୍କେଟ୍‌ ଆଡ଼େ ଯିବା । କାଳେ ଯଦି ଭଲ ଇଲିସି ଆସିଥିବ !”

 

ଧନେଶ୍ୱରଙ୍କ ମନରେ ସରାଗ ନ ଥିଲା । କହିଲେ, “ହେ ବନମାଳୀ ବାବୁ, କହିଲେ, ମୁଁ ଯେଉଁ ଅମଳର ବି.ଏ. ସେ ସମୟରେ ଯଦି ଓ.ଏ.ଏସ୍‌. ପରୀକ୍ଷାରେ ବସିଥାନ୍ତି ତାହାହେଲେ ଏତେବେଳକୁ ଆଡିସନାଲ୍‌ ସେକ୍ରେଟାରୀ ହୋଇଥାଆନ୍ତି ନା ନାହିଁ ?”

 

: ଏଥିରେ କଣ ସନ୍ଦେହ ଅଛି ?

 

: ଆଉ କାଲିକାର ଲୋକ ମୋତେ ତୋଡ଼ ଦେଖଉଛନ୍ତି !

 

ବନମାଳୀବାବୁ ଫାଟକ ଟପି ଆଗେ ଆଗେ ଚାଲୁଥିଲେ । ପଛରୁ ଧନେଶ୍ୱର କହିଲେ, “ଇଲିସି କିଣିବା ଗୋଟେ ଅପରାଧ । ଦିଇଶହ ଟଙ୍କା ଦେଇ କଣ ଆମେ ମାଛ ଖାଇପାରିବା ?”

 

: ଆପଣ ନ ଖାଇଲେ କଣ ମାଛ ରହୁଛି ?

 

: ସବୁ କଳାଟଙ୍କାର କାରସାଦି ।

 

ଧନେଶ୍ୱରଙ୍କ ଆଖି ପାଖ କୋଠାଘର ଉପରେ ଲାଖିଯାଇଥିଲା । ବନମାଳୀବାବୁଙ୍କୁ ଦେଖେଇ ଦେଖେଇ କହିଲେ, “ଏଇ ଦେଖୁନ, କଳାଟଙ୍କା ନହେଲେ କଣ କେହି ଏମିତି ଧଳା ଘର କରିପାରିବ ? ଚୋର, ଡକେଇତ ଓ ଖଣ୍ଟମାନଙ୍କ ଜାଗା ହେଲା ଏଇ ସହର ।”

 

ବନମାଳୀବାବୁ ବାଧ୍ୟ ଛାତ୍ର ପରି ମୁଣ୍ଡ ଟୁଙ୍ଗାରିଲେ–ଠିକ୍‌ କଥା ।

 

ଧନେଶ୍ୱର କହିଲେ, “ତୁମେ ଯାଅ । ମୁଁ ଇଆଡ଼େ ଘରକୁ ପଳଉଛି ।”

 

ଧନେଶ୍ୱରବାବୁ ସିଧା ଘରକୁ ପଳେଇଆସି ଭଲ କରିଥିଲେ । ବି.ଏ. ପରୀକ୍ଷାରୁ ଉଠି ପଳେଇ ଆସିଥିବା ବଡ଼ପୁଅ ମନୋରମା ଉପରକୁ ହାତ ଉଠେଇ ଦେଇଥିଲା ଓ ସାନପୁଅ ସେଠି ଦାରୁଭୂତ ମୁରାରୀ ପରି ଠିଆ ହୋଇଥିଲା । ଧନେଶ୍ୱର ଘରର ଏ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଗଲେ । ବଡ଼ ପୁଅଟା ଯେ ଖରାପ ପିଲାଙ୍କ ସାଙ୍ଗରେ ବସାଉଠା କରୁଛି, ସେ ଖବର ସେ ଆଗରୁ ପାଇସାରିଥିଲେ । କିନ୍ତୁ ମା ଉପରକୁ ହାତ ଉଠେଇବା ପାଇଁ ଯେ ସେ ସାହସ କରିବ, ଏକଥା ଧନେଶ୍ୱର କଦାପି ଭାବି ନ ଥିଲେ ।

 

ସେ ଚିତ୍କାର କଲେ, “ଏସବୁ କଣ ହେଉଛି ?”

 

ନିଷ୍କମ୍ପ ସ୍ୱରରେ ପୁଅ ଉତ୍ତର ଦେଲା, “ଯେଉଁଟା ଅନେକ ଆଗରୁ ହେବାର ଥିଲା, ସେଇଟା ହେଉଛି ।”

 

: କଣ କହିଲୁ ? –ହାତ ଉଠେଇ ଧନେଶ୍ୱର ମାଡ଼ିଗଲେ ।

 

: ପଇସା ଦେଇପାରିବ ନାହିଁ ତ ଜନ୍ମ କରୁଥିଲ କାହିଁକି ? ଦି ହାତରେ ତ ଉପୁରି ଆଣୁଛ, ସେଗୁଡ଼ା ପୋତି ରଖୁଛ କାହିଁକି ଶୁଣେ ! –ବଡ଼ପୁଅ ଧନେଶ୍ୱରଙ୍କ ଆଗରେ ଛାତି ଫୁଲେଇ ଛିଡ଼ା ହୋଇଥିଲା ।

 

ଧନେଶ୍ୱରଙ୍କ ପାଟିରୁ କଥା ବାହାରିଲା ନାହିଁ । ସେ ନିଜ ପୁଅର ଏ ମୂର୍ତ୍ତି ଆଗରୁ ଦେଖି ନ ଥିଲେ । ତାର ରୁଦ୍ର ମୂର୍ତ୍ତି ସାଙ୍ଗକୁ ଏ ପ୍ରକାର କଥା ତାଙ୍କୁ ସ୍ତବ୍ଧ କରିଦେଲା । ସେ ନିରବରେ ଯାଇ ଖଟ ଉପରେ ବସିପଡ଼ିଲେ ।

 

ବଡ଼ ପୁଅ ଚାହୁଁଥିଲା ବି.ଏ. ନ ପଢ଼ି ବାଙ୍ଗାଲୋର ଯାଇଥାଆନ୍ତା । ସେଇଠି କମ୍ପ୍ୟୁଟର ପଢ଼ିଥାଆନ୍ତା । କିନ୍ତୁ ଧନେଶ୍ୱର ଏତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନ ଥିଲେ । ସେ ଭାବିଥିଲେ, ପିଲାଟା ଏଇଠି ପଢ଼ୁ । କିଛି ନହେଲେ ତା ପାଇଁ ଗୋଟାଏ ବେପାରବାଡ଼ି ଖଞ୍ଜିଦେବେ-। ଅଥଚ ସେଇ ପୁଅ ଏବେ ତାଙ୍କ ମୁହଁରେ ଜବାବ ଦେଉଛି !

 

କେଉଁଠି କଣ ଯେ ସବୁ ଭୁଲ୍‌ଭାଲ୍‌ ହୋଇଗଲା ସେକଥା ଧନେଶ୍ୱର ଚିନ୍ତା କରିପାରୁ ନଥିଲେ । ତାଙ୍କ ପରି ଯୋଗ୍ୟ ଲୋକ ଅଫିସର୍‌ଟେ ନହୋଇ କିରାଣି ହେଇ ରହିଗଲା । ଅଫିସ୍‌ର ହାକିମାଣୀ ତାଙ୍କୁ ଗୁରୁତ୍ୱ ଦେଉନାହାନ୍ତି । ସ୍ତ୍ରୀ ଅଧାଦିନ ବେମାରିଆ । ପୁଅ ଦିଇଟାଯାକ ଏବେ ତାଙ୍କଠୁଁ ଦୂରେଇଗଲା ପରି ଲାଗିଲେଣି । ସହରର ସବୁ ଦୁର୍ନୀତିଗ୍ରସ୍ତ ଲୋକ କୋଠା ପରେ କୋଠା ପିଟି ଚାଲିଥିବା ବେଳେ ଦଶବର୍ଷ ତଳେ କିଣିଥିବା ଜାଗା ଖଣ୍ଡକରେ ସେ ଘରଟେ କରିପାରୁନାହାନ୍ତି-। ଶସ୍ତାରେ ଅବସ୍ଥା ପରି, ସେ କିଣିଥିବା ଜମିଟାକୁ ନେଇ ପୁଣି ମୋକଦ୍ଦମା ଚାଲିଛି । ଆଉ ବର୍ଷକ ପରେ ସେ ଚାକିରିରୁ ଅବସର ନେବେ । ତାପରେ ସେ ରହିବେ କେଉଁଠି ?

 

ମନୋରମା ଆସି ପଚାରିଲେ, “ଚା କରିଦେବି କି ? ପିଲାଲୋକ, କଣ ଦି ପଦ ଇଆଡ଼ୁ ସିଆଡ଼ୁ କହିଲା ବୋଲି ସେତେବେଳଠୁଁ ମନମାରି ବସିଛ ?”

 

ଧନେଶ୍ୱର ଦୀର୍ଘଶ୍ୱାସ ନେଲେ । କହିଲେ, “ନା ଥାଉ । ଦେହ ଭଲ ଲାଗୁନାହିଁ ।”

 

ପରଦିନ ଅଫିସ୍‌ରେ ପହଞ୍ଚୁ ପହଞ୍ଚୁ ବନମାଳୀବାବୁ କହିଲେ, “ଧରାଧରି ବିଦ୍ୟା ଶେଷକୁ ସଫଳ ହୋଇଗଲା । ପ୍ରେମାନନ୍ଦ ଓ.ଏ.ଏସ୍‌. ପାଇଯାଇଛି ।”

 

: ଓ.ଏ.ଏସ୍‌ ! ଧନେଶ୍ୱର ଆଶ୍ଚର୍ଯ୍ୟ ହୋଇ ଚାହିଁଲେ । ଟୋକାଟା ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ରେ ବି ଯାଇ ଧରାଧରି କରିପକେଇଲା ।

 

: ତା ନୁହେଁ ତ ଆଉ କଣ ? ନହେଲେ ସେ ଟୋକା କଣ ଏତେ ପଣ୍ଡିତ !

 

“ବଡ଼ବାବୁ, ମୋ ଛୁଟି ଆପ୍ଲିକେସନ୍‌ଟା ଫେରେଇନେଉଛି ।” –ମାଳିନୀ ଆସି ହସି ହସି ଧନେଶ୍ୱରଙ୍କ ଆଗରେ ଠିଆହେଲା ।

 

: ଭଲ, ଭଲ । କିନ୍ତୁ କୁଆଡ଼େ ଯାଇଥାଆନ୍ତ କି ?

 

: ନାଇଁ । ଯାଆଥାଆନ୍ତି ଯେ, ଆଉ ଦରକାର ପଡ଼ିଲା ନାହିଁ । –କଥାଟାକୁ ଶେଷ ନକରି ହସି ହସି ମାଳିନୀ ଚାଲିଗଲା ।

 

ଧନେଶ୍ୱର ମାଳିନୀର ଯିବା ରାସ୍ତାକୁ ଚାହିଁ ବନମାଳୀଙ୍କୁ କହିଲେ, “ୟାର ପୁଣି କଣ ହେଲା ? ହସଲଡ଼ୁ ଖାଇଛି କି ?” ଲାଗୁଛି ଦି ପରାଣୀଙ୍କର ମେଳ ହେଇଗଲା ବୋଧହୁଏ !

 

: କିଏ ଜାଣେ ? ଭାରି ତ ଖୁସି ଦିଶୁଛି ।

 

ପ୍ରେମାନନ୍ଦ ଆସୁଥିଲା । ତା ପଛେ ପଛେ ବ୍ରଜ । ଧନେଶ୍ୱରଙ୍କ ପାଖରେ ପହଞ୍ଚି କହିଲା, “ସାର୍‌, ଆପଣଙ୍କ ଶୁଭେଚ୍ଛା କାମ ଦେଲା । ମୁଁ ଓ.ଏ.ଏସ୍‌. ପାଇଛି ।”

 

ଧନେଶ୍ୱର ହସିଲେ । “ଭଲ, ଭଲ । ତୁମେ ଓ.ଏ.ଏସ୍‌. କଣ, ଆଇ.ଏ.ଏସ୍‌. ପାଇବ । ବସ, ବସ । ଚା ପିଅ ।”

 

: ନାଇଁ, ସାର୍‌, ଆଉ ତ କିଛିଦିନର ଅତିଥି । ସବୁ କାମ ସାରିବାକୁ ପଡ଼ିବ । କେବେ ଘରକୁ ଯାଇ ଚା ପିଇଆସିବି ।

 

ପ୍ରେମାନନ୍ଦ ଗଲାପରେ ବନମାଳୀ କହିଲେ, “ଏଇନା ତ ସେ ଓ.ଏ.ଏସ୍‌. ଅଫିସର୍‌ । ଆଉ ଏ କିରାଣିଙ୍କ ଚା ପିଇବ କାହିଁକି ?”

 

ଧନେଶ୍ୱର କିଛି କହିଲେ ନାହିଁ । ସେ ଥରେ ପ୍ରେମାନନ୍ଦ କଥା ତ ଥରେ ନିଜ ପୁଅ କଥା ଭାବି ଗଭୀର ଚିନ୍ତାରେ ବୁଡ଼ିଯାଉଥିଲେ ।

 

ସେଇଦିନ ଅଫିସ୍‌ ସରିବା ପରେ ଧନେଶ୍ୱର ପ୍ରେମାନନ୍ଦକୁ ଡାକି ପଠେଇଲେ । ଅଫିସ୍‌ରୁ ସମସ୍ତେ ଚାଲିଗଲେଣି । କେବଳ ପିଅନଟି ବାରନ୍ଦାରେ ଟହଲ ମାରୁଥାଏ । ପ୍ରେମାନନ୍ଦ ଆସିବାରୁ ତାକୁ କହିଲେ, “ତୁମେ କେମିତି ଏତେ ସଫଳ ହୋଇପାରୁଛ ପ୍ରେମାନନ୍ଦ, ମୁଁ ତ ପାରୁନି-!”

 

ପ୍ରେମାନନ୍ଦ ଆଶ୍ଚର୍ଯ୍ୟ ଆଖିରେ ବଡ଼ବାବୁଙ୍କୁ ଚାହିଁଲା । ଆଗରୁ କେବେ ସେ ଏଭଳି ମୁଦ୍ରାରେ ବଡ଼ବାବୁଙ୍କୁ ଦେଖି ନଥିଲା । କହିଲା, “ମୁଁ ବୁଝିପାରିଲି ନାହିଁ ।”

 

: ବସ, ବସ । ମୁଁ ବୁଝେଇ କହୁଛି । ଏତେ କମ୍‌ ବୟସରେ ତୁମେ କେମିତି ସବୁ କଥା ତୁଲେଇ ପାରୁଛ ? ଘର, ପରିବାର, ବାପ-ମା, ଚାକିରି... ।”

 

ପ୍ରେମାନନ୍ଦ କହିଲା, “ସତ କହିବି ସାର୍‌ ?”

 

: ହଁ, ସତ କୁହ । ମୁଁ ଆଜି ସତ ଶୁଣିବି ।

 

: ଏସବୁ ଆପଣଙ୍କ ଯୋଗୁ କେବଳ ସମ୍ଭବ ହୋଇଛି ।

 

ଧନେଶ୍ୱର ଚମକିପଡ଼ିଲେ । ତାଙ୍କ ହାତ ବାଜି ଟେବୁଲ ଉପରର ପାଣି ଗିଲାସଟା ଅଣେଇ ପଡ଼ିଲା ।

 

ପ୍ରେମାନନ୍ଦ ଥରେ ଏପଟ ଓ ଥରେ ସେପଟ ଚାହିଁଲା । ଅଫିସ୍‌ରେ କେହି ନାହାନ୍ତି । ପୁରୁଣା ଅମଳର ସିଲିଂ ପଙ୍ଖାଟା ଘୁଁ ଘୁଁ ଶବ୍ଦ କରି ଘୂରୁଛି । ସେ କହିଲା, “ଆପଣଙ୍କଠାରୁ ମୁଁ ଅନେକ କଥା ଶିଖିଛି ।”

 

ଧନେଶ୍ୱର ଆଶ୍ଚର୍ଯ୍ୟ ହେଲେ । ପ୍ରେମାନନ୍ଦ ତାଙ୍କୁ ପରିହାସ କରୁନି ତ !

 

: କିଛି ଭାବିବେ ନାହିଁ ସାର୍‌, ଆପଣ ପଚାରିଲେ ବୋଲି କହୁଛି । ପ୍ରକୃତରେ ଆପଣଙ୍କ ଚିନ୍ତାଧାରାଠୁଁ ଦୂରେଇ ରହିବାର ସଂକଳ୍ପ ଯୋଗୁ ମୁଁ ଯାହା କିଛି କାମ କରିପାରିଛି ।

 

ଧନେଶ୍ୱର ଗମ୍ଭୀର ମୁଦ୍ରାରେ ବସିଥିଲେ । କିଛି କହୁ ନଥିଲେ ।

 

ପ୍ରେମାନନ୍ଦ କହିଲା, “ଯେଉଁଦିନ ମୁଁ ପ୍ରଥମେ ଆସି ଏଇ ଅଫିସ୍‌ରେ ଜଏନ୍‌ କରିଥିଲି, ସେଦିନ ଆପଣ ମାଟ୍ରିକ୍‌ରେ ଅଙ୍କରେ ଶହେରେ ଶହେ ରଖିଥିବା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲି ।”

 

ଧନେଶ୍ୱର ଟିକିଏ ପ୍ରସନ୍ନ ଦିଶିଲେ ।

 

: କିନ୍ତୁ ତାପରେ ଆପଣଙ୍କର ନକାରାତ୍ମକ ଚିନ୍ତାଧାରା ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ଆପଣ ପରଚର୍ଚ୍ଚା, ପରନିନ୍ଦା ଓ ଈର୍ଷା-ଅସୂୟା ଭିତରେ ଏତେ ଆନନ୍ଦ ପାଉଥିବା ଦେଖି ମୁଁ ବ୍ୟସ୍ତ ହେଲି ଏବଂ ଶେଷକୁ ସ୍ଥିର କଲି, ଆପଣଙ୍କ ପ୍ରଭାବଠୁଁ ନିରାପଦ ଦୂରତ୍ୱରେ ରହିବି... ।

 

“ହୁଏତ ଏକଥା ଆପଣଙ୍କୁ କେହି କହିନାହାନ୍ତି । ମୁଁ ବି କହି ନ ଥାନ୍ତି । କିନ୍ତୁ ଆଜି ନ ହେଲେ କାଲି ମୁଁ ଏଠୁ ଚାଲିଯିବି । ସେଇଥିପାଇଁ କହିଦେଲି, କିଛି ଖରାପ ଭାବିବେ ନାହିଁ ।”

 

: ସାର୍‌ ! ମୋତେ କଣ କହିବେ ବୋଲି କହୁଥିଲେ ? ସାର୍‌, ସାର୍‌! –ପ୍ରେମାନନ୍ଦ କହୁଥିଲା ।

 

ଧନେଶ୍ୱର ଚମକି ପଡ଼ିଲା ପରି କହିଲେ, “କଣ ନକାରାତ୍ମକ କଥା କହୁଥିଲ ?” ୟା ଭିତରେ ସେ ବେଶ୍‌ କିଛି ସମୟ ଅନ୍ୟମନସ୍କ ହୋଇପଡ଼ିଥିଲେ ।

 

: ନକାରାତ୍ମକ । ନେଗେଟିଭ୍‌ ! କାହିଁ ମୁଁ ତ କିଛି କହିନାହିଁ ! –ପ୍ରେମାନନ୍ଦ ଆଶ୍ଚର୍ଯ୍ୟ ହୋଇ ପଚାରିଲା । “ମୁଁ ତ ଏବେ ଆସିଲି । କଟକ ସର୍କଲର ଫାଇଲ୍‌ କାମ ସରୁ ସରୁ ଏତେ ସମୟ ହୋଇଗଲା ।”

 

: ମାନେ, ଏବେ ତୁମେ ମୋ ବିଷୟରେ କହୁ ନଥିଲ ? ମୁଁ ସମସ୍ତଙ୍କୁ ଈର୍ଷା କରେ । ଅନ୍ୟର ଶିରୀ ଦେଖିପାରେ ନାହିଁ ।

 

: ନା ସାର୍‌, ମୁଁ କିଛି କହିନାହିଁ । ହଁ, ଆପଣ କହୁଥିଲେ କଣ କହିବେ ବୋଲି । କଣ କହିବେ ?

 

ଧନେଶ୍ୱର ଆଶ୍ଚର୍ଯ୍ୟ ହେଲେ । ତାହାହେଲେ ନିଜ ବିଷୟରେ ଏସବୁ କଥା କଣ ସେ ନିଜେ ହିଁ ନିଜକୁ କହୁଥିଲେ । ଚଉକିରୁ ଉଠିପଡ଼ି କହିଲେ, “ଛାଡ଼, ଛାଡ଼ । ଆଜିକାଲି ମୋର ଏମିତି ବିସ୍ମରଣ ହେଉଛି । ମୁଁ ଭାବିଲି, ତୁମେ ଏସବୁ କହୁଥିଲ ।”

 

ଚପଲ ଘୋଷାରି ଘୋଷାରି ବ୍ରଜ ଆସୁଥିଲା । ଏଥର ତାର ଚାବି ପକେଇବା ପାଳି ।

 

ଧନେଶ୍ୱର ଚଉକି ଉପରୁ ଉଠି ଠିଆହେଲେ ।

☆☆☆

 

ବାଉଁଶ ଗଛ

 

‘ତମେ ଆଜିକାଲି ଖୁବ୍‌ ଚିଡ଼୍‌ଚିଡ଼ା ହୋଇଯାଉଛ’ –ଲୀନା କହିଲା ଓ ଆଖିରୁ ଲୁହ ପୋଛୁ ପୋଛୁ ବଡ଼ ବଡ଼ ପାହୁଣ୍ଡ ପକେଇ ସନାତନ ସାମ୍ନାରୁ ଚାଲିଗଲା । ସନାତନ ଲୀନାର ଯିବା ବାଟକୁ ଆଶ୍ଚର୍ଯ୍ୟ ଆଖିରେ ଚାହିଁ ରହିଥିଲା । ତାର ବିଶ୍ୱାସ ହେଉ ନଥିଲା ଯେ ତାର ବାର ବର୍ଷର ଝିଅ ଲୀନା, ଯିଏ ଏହା ଆଗରୁ ଥରୁଟେ ହେଲେ ତା ମୁହଁରେ ଜବାବ ଦେଇ ନଥିଲା, ଆଜି କେମିତି ଏକଥା କହିପାରିଲା ଓ ତାର ବ୍ୟକ୍ତିତ୍ୱ ସଂପର୍କରେ ଏମିତି ଗୋଟେ କଟୁ ମନ୍ତବ୍ୟ ଦେଇପାରିଲା !

 

ହଠାତ୍‌ ସନାତନର ହୃଦ୍‌ବୋଧ ହେଲା ଯେ ଏଇ ମୁହୂର୍ତ୍ତରେ ତା ଅପେକ୍ଷା ଅଧିକ ଦୁଃଖୀ ଲୋକ ଏଇ ପୃଥିବୀରେ ଆଉ କେହି ନାହାନ୍ତି । ଯଦିଓ ନିଜେ ସେ ଏଇ କିଛିଦିନ ହେଲା ନିଜ ସ୍ୱଭାବରେ ପରିବର୍ତ୍ତନ ନେଇ ସଚେତନ ଥିଲା, ତା ସତ୍ତ୍ୱେ ଝିଅଠାରୁ ଏଭଳି ରୋକ୍‌ଠୋକ୍‌ ମନ୍ତବ୍ୟ ଶୁଣି ବିରକ୍ତ ଲାଗିଲା । ସେ ଆଶା କରୁଥିଲା ଯେ ଲୀନା ଏକଥା କହିବା ଶୁଣି ତା ମା ରୋଷେଇ ଘରୁ ଧାଇଁ ଆସିବ ଏବଂ ଝିଅ ଉପରେ ବିରକ୍ତ ହେବ । ମାତ୍ର କଳ୍ପନା ଏକଥା ଶୁଣି କିଛି କହିବା ବଦଳରେ ନିରବରେ ରୋଷେଇଘରକୁ ଯାଇ ରୋଷେଇ କାମରେ ଲାଗିଗଲା । ସନାତନର ମନେହେଲା, ଲୀନାର ଅଭିଯୋଗ କେବଳ ଲୀନାର ନୁହେଁ, ତା ପଛରେ ତା ମାଆର ସମର୍ଥନ ବି ରହିଛି ।

 

ସନାତନ ରାଗ ତମତମ ହୋଇ ବାହାର ଅଗଣାକୁ ଚାଲିଆସିଲା ଓ ଅସ୍ଥିର ଭାବରେ ବୁଲାଚଲା କଲା । ତା ଆଖି ଦୂର ଆକାଶରେ ଧକ୍‌କା ଖାଇ କ୍ରମେ ବାଦଲ ଓ ତାପରେ ଡେଙ୍ଗା ତାଳଗଛ ପାଖେ ଅଟକି ଗଲା । ଏକଲା ତାଳଗଛଟି ତାର ଉଚ୍ଚତା ପାଇଁ ଆଖପାଖର ଚାକୁଣ୍ଡା, ଆମ୍ବ, ପଣସ ଓ ଖଜୁରି ଗଛମାନଙ୍କଠାରୁ ଅଧିକ ସମ୍ମାନ ଓ ସାମ୍ଭ୍ରାନ୍ତ୍ୟ ଦାବି କଲା ପରି ମୁଣ୍ଡ ଟେକି ଛିଡ଼ା ହୋଇଥିଲା ।

 

ଏହି ଗଛଟିକୁ ଆଗରୁ ବି ଅନେକ ବାର ସନାତନ ଦେଖିଥିଲା । ସବୁଦିନେ ସେ ତାର ଉଚ୍ଚତାକୁ ପ୍ରଶଂସା କରି ଆସିଥିଲା ମନେ ମନେ–ଗଛ ହେବ ତ ଏମିତିକା ହେବ, ଯେମିତି ଦୂରରୁ ସୁଦ୍ଧା ଦେଖଣାହାରି ଦେଖିପାରିବେ ।

 

ସେ ତାଳଗଛଠୁଁ ଆଖି ଫେରେଇ ଆଣି ଘର ସାମ୍ନାର ରାସ୍ତାକୁ ଚାହିଁଲା । ରାସ୍ତା ଦୁଇ କଡ଼ରେ ଦୂବଘାସର ଅଣଓସାରିଆ ଗାଲିଚା । ତା ଉପରେ ଟୋପାଟୋପା କାକର ବୁନ୍ଦା ଚକ୍‌ଚକ୍‌ କରୁଥିଲା । କିନ୍ତୁ ଘାସ ଉପରର କାକର ବୁନ୍ଦା ପାଖେ ସେ ବେଶି ସମୟ ଅଟକି ରହିପାରିଲା ନାହିଁ-। କେହି ଜଣେ ତା ପାଦରେ ଦୂବ ଗାଲିଚାକୁ ଅସୁନ୍ଦର କରି ଦେଇଥିଲା । ସେ ନିଜର ଭାଗ୍ୟକୁ ସେଇ ଦୂବଘାସ ସାଙ୍ଗେ ତୁଳନା କଲା ଓ ମନେ ମନେ ପୁଣି ବିରକ୍ତ ହେଲା ।

 

ସନାତନ କିଛିଦିନ ହେଲା ନିଜ ଭାଗ୍ୟକୁ ନିଜେ ନିନ୍ଦୁଥିଲା । ଲାଗୁଥିଲା, ଅନେକ ଦିନ ହେଲା ତା ଭିତରେ ଲଢ଼ିବାର ଯୋଉ ଝୁଙ୍କ୍‌ ଥିଲା, ସେ ଝୁଙ୍କ୍‌ ସତେ କି ମରିଯାଇଛି । ତା ସହ ତାର ଭାଗ୍ୟ ଏମିତି ନିଷ୍ଠୁର ପରିହାସ କରିବାର ଅର୍ଥ କଣ ସେ ବୁଝିପାରୁ ନଥିଲା ।

 

ସନାତନ ଗୋଟେ ସାଧାରଣ ପରିବାରରେ ଜନ୍ମ ହୋଇଥିଲା ଓ ତା ବାପା-ମା ପିଲାଦିନେ ତାର ଦେଖାଶୁଣା ଠିକ୍‌ ରୂପେ କରିପାରି ନଥିଲେ । ସନାତନ କେତେବେଳେ ମଠରେ ଘଣ୍ଟା ପିଟି, କେତେବେଳେ ଗାଁ ସାଆନ୍ତଙ୍କ ଗାଈ ଜଗି ତ କେତେବେଳେ କାହାଘରେ ରୋଷେଇବାସ କରି କଷ୍ଟେମଷ୍ଟେ ବି.ଏ. ପାସ୍‌ କଲା ପରେ କଟକରେ ଜଣେ ମାରୱାଡ଼ି ବ୍ୟବସାୟୀଙ୍କ ଗଦିରେ ଗୁମାସ୍ତା ବନି ଯାଇଥିଲା । ସେଇଠି ତାର ଦରମା ଷାଠିଏ ଟଙ୍କାରୁ ବଢ଼ି ବଢ଼ି ଦଶ ବର୍ଷରେ ଛଅଶହ ଟଙ୍କା ହୋଇଥିଲା ଓ ଯୋଉ ଅନୁପାତରେ ଦରମା ବଢ଼ୁଥିଲା, ସେଥିରୁ ସେ ଷାଠିଏ ବର୍ଷରେ ରିଟାୟାର କଲାବେଳକୁ ଟଙ୍କା ଚାରି ହଜାର ପାଖାପାଖି ପାଇବ ବୋଲି ମାରୱାଡ଼ି ମାଲିକ ଆଶ୍ୱାସନା ଦେଇଥିଲେ । ସେତିକିବେଳେ ତାର କଳ୍ପନା ସାଙ୍ଗରେ ପରିଚୟ ହେଲା ଏବଂ ତା ଜୀବନ ମାରୱାଡ଼ି ଗଦିରୁ ମୁକୁଳି ପ୍ରତାପରୁଦ୍ରବାବୁଙ୍କ ଦପ୍ତରରେ ପହଞ୍ଚିଗଲା ।

 

କଟକରେ ଥିବାବେଳେ ସେ ଜଣେ ବଡ଼ ଲୋକଙ୍କ ଘରେ ଦିନାକେତେ ରୋଷେୟା କାମ କରୁଥିଲା । ତାଙ୍କ ଘରର ପରିବାପତ୍ର କିଣିବା ପାଇଁ ବଜାରକୁ ଯାଉଥିଲା ଓ ସେଇ ପରିବା ପଇସାରୁ ସବୁଦିନ ଆଠଣା କି ଟଙ୍କାଏ ବାଟ ମାରଣା କରୁଥିଲା । କିନ୍ତୁ ସେ ପଇସାଗୁଡ଼ା ସନାତନ ସଞ୍ଜୟ କରି ରଖିପାରୁ ନଥିଲା । କେତେବେଳେ ନିଜର ଭୋକ ମେଣ୍ଟେଇବା ପାଇଁ ଇଆଡ଼ୁ ସିଆଡ଼ୁ କିଛି କିଣି ଖାଇ ଦେଉଥିଲା ତ ଆଉ କେତେବେଳେ ସେଇ ପଇସାରେ କ୍ୟାପିଟାଲ୍‌ ସିନେମା ହଲ୍‌କୁ ଫିଲ୍ମ ଦେଖିବା ପାଇଁ ପଳେଇ ଯାଉଥିଲା । ଯେମିତି ହେଲେ ବି ସେ ବାଟମାରଣା କରିବାର ବାରଘଣ୍ଟା ଭିତରେ ସେ ପଇସା ତା ହାତରୁ ଖସି ଯାଉଥିଲା ।

 

ଫିଲ୍ମ ଦେଖିବା ଦ୍ୱାରା ସନାତନର ଯୋଡ଼ିଏ ଲାଭ ହେଉଥିଲା । ପ୍ରଥମ ଲାଭ ହେଲା, ସେ ନିଜ ବାବୁଘରର ମୁଖରା ମାଲିକାଣୀ କବଳରୁ ତିନି ଘଣ୍ଟାର ଛୁଟି ପାଇ ଯାଉଥିଲା । ଦ୍ୱିତୀୟ ଲାଭ ହେଲା, ସେ ଫିଲ୍ମର ହିରୋ-ହିରୋଇନ୍‌ମାନଙ୍କୁ ଦେଖୁ ଦେଖୁ କ୍ରମେ ସନାତନରୁ ଶଶି କାପୁର ଓ ଦିଲ୍ଲୀପ କୁମାର ପାଲଟି ଯାଉଥିଲା । ଛଅ ଟଙ୍କା ବଦଳରେ ଗୋଲମୋଟଲ, ପୁଚୁକିଗାଲୀ ଓ ସୁନ୍ଦରୀ ହିରୋଇନ୍‌ଙ୍କୁ ହାତ ପାଆନ୍ତାରେ ଦେଖିବା, ଖତେଇ ହେବା ଓ ହୁଇସିଲ୍‌ ଦେଇ ଡାକିବା ପରି କାମ ସେ ଅନ୍ଧାରୁଆ ହଲ୍‌ ଭିତରେ କରି ପାରୁଥିଲା । ସେତେବେଳେ ତାର ବାବୁ ଘରର ମସଲାବଟା, ପରିବା କଟା, ଭାତଗଳା, ତରକାରି ଛୁଙ୍କ କରିବା, ବଜାର ସଉଦା କିଣିବା ଏପରିକି ରୋଷେଇ ସରିବା ପରେ ବାବୁଆଣୀଙ୍କ ଗୋଡ଼ହାତ ଘଷିଦେବା ପରି ବିରକ୍ତିକର କାମ କଥା ଆଦୌ ମନେପଡ଼ୁ ନ ଥିଲା ।

 

କଳ୍ପନା ସାଙ୍ଗେ ଦେଖା ହେବା ପରେ ସନାତନର ଜୀବନଧାରା ବଦଳିଗଲା । କଳ୍ପନା ଗୋଟେ ସ୍କୁଲର ମାଷ୍ଟ୍ରାଣୀ ଥିଲା ଓ ମାସକୁ ମାସ ବାରଶହ ଟଙ୍କା ଦରମା ପାଉଥିଲା । ସେତେବେଳେ ସନାତନ ଶେଠ୍‌ କେଜରିୱାଲ୍‌ ଗଦିରେ ମୁନ୍‌ସୀ ଥିଲା । କଳ୍ପନା ତା ଭିତରେ କଣ ଦେଖିଲା କେଜାଣି ତାକୁ ବାହା ହେବାକୁ ରାଜି ହୋଇଗଲା ଓ ସନାତନ ବି କଳ୍ପନାର ଦରମା ପଇସାତକ ପାଇବା ଲୋଭରେ ‘କଳ୍ପନାକୁ ନ ପାଇଲେ ଜୀବନ ହାରିଦେବ’ ପରି ନାଟକୀୟ କଥା ଶୁଣେଇ କଳ୍ପନାର ଅଭିଭାବକଙ୍କ ମନ କିଣିନେଲା । ସେତେବେଳେ ସେ ଦାମ୍ପତ୍ୟ ଜୀବନ ଓ ମନର ଭୋକ ପରି କଥାକୁ ସେତେ ବେଶି ଗୁରୁତ୍ୱ ଦେଇ ନ ଥିଲା । ସେତେବେଳେ ପେଟର ଭୋକ ହିଁ ତା ପାଖେ ସବୁଠୁ ଜଟିଳ ସମସ୍ୟା ହୋଇ ଠିଆ ହୋଇଥିଲା । ତିରିଶ ବର୍ଷ ବୟସ ପର୍ଯ୍ୟନ୍ତ ଦାରିଦ୍ର୍ୟ ସାଙ୍ଗରେ ଚୋର ପୁଲିସ ଖେଳ ଖେଳି ସେ ଥକି ପଡ଼ିଥିଲା ଓ ସେହି ଭିତରେ ତାର ଆତ୍ମବିଶ୍ୱାସ ଢେର୍‌ କମି ଆସିଥିଲା । ସେଥିପାଇଁ କଳ୍ପନାର ପଣତକାନି ଧରି ସେ ଏ ସଂସାର ବୈତରଣୀ ପାରି ହେବା ଲାଗି ତାକୁ ବାହାହୋଇ ପଡ଼ିଥିଲା ।

 

ସନାତନ ମାରୱାଡ଼ି ଗଦିରୁ ମୁକୁଳି ଆସି ପ୍ରତାପରୁଦ୍ର ଦେଓଙ୍କ ସାଙ୍ଗେ ମିଶିଗଲା । ପ୍ରତାପରୁଦ୍ର ଦେଓ କଳ୍ପନାର ଦୂରସଂପର୍କୀୟ ଓ ରାଜ୍ୟ ଆଇନ ମନ୍ତ୍ରୀଙ୍କ ଭଣଜା । ତାଙ୍କର ନିଜର ବହୁତ ପ୍ରଭାବ । ସେ ନିଜେ କୌଣସି ପଦ ପଦବିରେ ନ ଥିଲେ ବି ରାଜ୍ୟର ଯେ କୌଣସି ପଦ ପଦବି ପ୍ରତାପରୁଦ୍ରଙ୍କୁ ମିଳିପାରେ, ଏମିତି ଗୋଟେ ଧାରଣା ତାଙ୍କ କର୍ମୀ ମହଲରେ ଥିଲା । ପ୍ରତାପରୁଦ୍ର ସେପରି ଧାରଣାକୁ ଉତ୍ସାହିତ କରୁଥିଲେ । ସନାତନ ପ୍ରତାପରୁଦ୍ରଙ୍କ ଦପ୍ତରରେ ସହକାରୀ ଭାବରେ ପ୍ରଥମେ ଯୋଗ ଦେଲା ଓ ମାସକୁ ମାସ ଅନିୟମିତ ଭାବେ ହେଉ ପଛକେ ସାଢ଼େ ଛଅ ଶହ ଟଙ୍କା ଦରମା ପାଇଲା । ଏବେ ସେଇ ଦରମା ବଢ଼ି ବଢ଼ି ଦେଢ଼ ହଜାରରେ ପହଞ୍ଚିଲାଣି ।

 

ଏହାପରେ ସନାତନର ଧାରଣା ଥିଲା, ତାର ସୁଖର ଦିନ ପାଖେଇ ଆସିବ । ହାଇସ୍କୁଲରେ ପାଠ ପଢ଼ୁଥିବା ବେଳେ ସନାତନ ପ୍ରାଚୁର୍ଯ୍ୟର ପରିଭାଷା କହିଲେ ମାସକୁ ମାସ ତିନିଖଣ୍ଡ ଶହେ ଟଙ୍କିଆ ନୋଟ୍‌ର ଦରମା, ଗୋଟେ ନୀଳ ରଙ୍ଗର ରାଲେ ସାଇକେଲ୍‌, ଖଣ୍ଡିଏ ଟୁ ବ୍ୟାଣ୍ଡ ଫିଲିପ୍ସ ବା ମର୍ଫି ରେଡ଼ିଓ ଏବଂ କଚଟିରେ ଗୋଟେ ଆଙ୍ଗ୍‌ଲୋ ସ୍ପିସ୍‌ ରିଷ୍ଟୱାଚ୍‌ର ପ୍ରାପ୍ତି ବୋଲି ବୁଝିଥିଲା । କଳ୍ପନା ସାଙ୍ଗରେ ବାହାଘର ହୋଇଯିବା ସଙ୍ଗେ ସଙ୍ଗେ ଏହି ତିନିଟି ଯାକ ବସ୍ତୁ ତାକୁ ମିଳି ଯାଇଥିଲା, ଯଦିଓ ଏହା ଆଗରୁ ସେ ନିଜେ ଗୋଟିଏ ରିଷ୍ଟୱାଚ୍‌ ନିଜ ଉପାର୍ଜନରେ କିଣି ସାରିଥିଲା । ଏହାପରେ, ସେମାନେ ସହରଠୁଁ ଦୂର ଜାଗାରେ ପ୍ଲଟ୍‌ଟିଏ କିଣି ଦି ବଖରା ଘର ସୁଦ୍ଧା ବି ତୋଳି ପାରିଥିଲେ ।

 

ମାତ୍ର ସୁଖ ବୋଲି ଜିନିଷ ଟିକକ ସବୁବେଳେ ସୀତାଙ୍କ ସାମ୍ନାରୁ ସୁନା ହରିଣ ଖସିଯିବା ପରି ସନାତନ ହାତରୁ ଖସି ଯାଉଥିଲା । ଏବେ ତାର ବାପା-ମା ଆସି ତାର ଦୁଇ ବଖୁରିକିଆ ଘରେ ରହୁଥିଲେ ଓ ସେମାନେ ନିଜ ନିଜର ପିଛିଲା ଦିନର କଥାଗୁଡ଼ିକ ଭୁଲି ଗାଁର ଅନ୍ୟ ପଇସାବାଲା ବୁଢ଼ାବୁଢ଼ୀଙ୍କ ପରି ଆରାମରେ କାହିଁକି ବସିବେ ନାହିଁ ବୋଲି ସବୁବେଳେ କହୁଥିଲେ-। ସନାତନର ସ୍ତ୍ରୀ ଓ ମା ଭିତରେ ସବୁଦିନେ ଝଗଡ଼ା ଲାଗୁଥିଲା ଓ ସେଇ ଝଗଡ଼ା ଶବ୍ଦରେ ହିଁ ସନାତନର ସକାଳ ନିଦ ଭାଙ୍ଗୁଥିଲା । ପ୍ରଥମେ ପ୍ରଥମେ ସନାତନ ସେଥିରେ ମଧ୍ୟସ୍ଥତା କରିବା ପାଇଁ ଚେଷ୍ଟା କରିଥିଲା, ମାତ୍ର କ୍ରମେ ଦେଖାଗଲା ଯେ ତାରି ସେ ମଧ୍ୟସ୍ଥତା ଉଭୟ ପକ୍ଷକୁ ଶାନ୍ତ କରିବା ପରିବର୍ତ୍ତେ ଅଧିକ ଉତ୍ସାହିତ କରୁଥିଲା । ତେଣୁ ସେ ଉଦ୍ୟମରୁ ସେ ନିଜେ କ୍ଷାନ୍ତ ହେଲା ।

 

ସନାତନର ମା ଥିଲା ନିରକ୍ଷରା । ତା ପାଖରେ ଅନ୍ଧବିଶ୍ୱାସ ସବୁ ଠୁଳ ହୋଇ ରହିଥିଲା-। ଶାଶୂ ହିସାବରେ ସେ ନିଜକୁ ଘରର ଅଭିଭାବକ ବୋଲି ଦାବି କରୁଥିଲା ଏବଂ ବୋହୂକୁ ଜବତ କରି ରଖିବା ତାର ପ୍ରଧାନ କାମ ବୋଲି ସେ ଧରି ନେଇଥିଲା । ମାତ୍ର ପାଠ ପଢ଼ିଥିବା ଓ ଚାକିରି କରି ପଇସା ଉପାର୍ଜନ କରୁଥିବା ବୋହୂ ଶାଶୂର ଏ ପ୍ରକାର ଶାସନକୁ ଆଦୌ ସ୍ୱୀକାର କରୁ ନ ଥିଲା । ତା ପାଖରେ ଶିକ୍ଷା ଦୀକ୍ଷାର ସଂସ୍କାର ସାଙ୍ଗକୁ ପଇସା ଉପାର୍ଜନର ଅହଙ୍କାର ମିଶିକି ଥିଲା ଏବଂ ସେ ଶାଶୂକୁ ଜବତ କରି ରଖିବାକୁ ଓଲଟି ପ୍ରୟାସ କରୁଥିଲା । କୌଣସି ନା କୌଣସି କାରଣରୁ କଳିକଜିଆ ଲାଗିଗଲେ କଳ୍ପନା ରାଗ ତମତମ ହୋଇ ଶାଶୂ ଓ ଶ୍ୱଶୂରଙ୍କୁ “ତୁମେମାନେ ଏ ଘରୁ ସମସ୍ତେ ପଳାଅ” ବୋଲି ମୁହେଁ ମୁହେଁ ଧମକ ଦେଉଥିଲା ଓ ସେହି କଥା ପଦକ ଶୁଣି ଶାଶୂ ଶ୍ୱଶୁର ଜୋକ ମୁହଁରେ ଲୁଣ ଦେବା ପରି ସାଙ୍କୁଡ଼ି ଯାଉଥିଲେ ।

 

ଏଭଳି ସାଙ୍କୁଡ଼ି ଯିବାର କାରଣ ବି ଥିଲା ।

 

ସନାତନର ଗୋଟେ ଦାଦି ପୁଅ ଭାଇ ବ୍ରହ୍ମପୁରରେ ଥିବାବେଳେ ମରି ଯାଇଥିଲା । ସେ ମଲା ଆଗରୁ ତୋଳି ଯାଇଥିବା ତାର ଘର ଖଣ୍ଡିକୁ ନିଜ ସ୍ତ୍ରୀ ନାଁରେ କରିଥିଲା । ବଡ଼ ବଡ଼ ଲୋକମାନେ ଇନ୍‌କମ୍‌ ଟିକସ ଫାଙ୍କିବା ପାଇଁ ନିଜର ଘର ଥାଇ ଆଉ ଖଣ୍ଡେ ସରକାରୀ ଜାଗା ହାତେଇବା ପାଇଁ ସ୍ତ୍ରୀ ନାଁରେ ଘର ରଖିବା ଫେସନ ହୋଇଥିବାରୁ ସନାତନର ଦାଦି ପୁଅ ଭାଇ ବି ତା ଘରକୁ ତା ସ୍ତ୍ରୀ ନାଁରେ କରି ଦେଇଥିଲା । ମାତ୍ର ସେ ଜାଣି ନ ଥିଲା ଯେ ନିଜେ ଏତେ ଶୀଘ୍ର ଏ ଦୁନିଆରୁ ଚାଲିଯିବ ଓ ସେ ଚାଲିଗଲା ପରେ ତାର ମାଛିକୁ ମ କହୁ ନ ଥିବା ସ୍ତ୍ରୀ ତା ବାପା-ମାଙ୍କୁ ସେ ଘରୁ ଘଉଡ଼େଇଦେବ ।

 

ସନାତନ ଦାଦି ପୁଅ ଭାଇର ସ୍ତ୍ରୀ ତା ଶାଶୂ ଶ୍ୱଶୁରଙ୍କୁ ସେଠୁ ହଟେଇ ଦେଇ ନିଜ ବାପା ବୋଉଙ୍କୁ ପାଖକୁ ନେଇ ଯାଇଥିଲା । ଏ ଘଟଣା ବାବଦରେ ସବୁକଥା ଜାଣିଥିବାରୁ ସନାତନର ବାପା ବୋଉ ସଦାବେଳେ ସନାତନକୁ, ‘ତୁ କାହିଁକି ବୋହୂ ନାଆଁରେ ଘର କଲୁ’ ବୋଲି ପଚାରୁଥିଲେ । ସନାତନ ଉପରକୁ, ‘ବୋହୂର ଯେଉଁଟା, ମୋର ସେଇଟା’ ବୋଲି କହୁଥିଲେ ବି ଭିତରେ ‘ଯିଏ ଘର ପାଇଁ ଟଙ୍କା ଦେଇଛି ତାଆରି ନାଆଁରେ ତ ଘର ରହିବ’ ବୋଲି ଭାବି ନିରବ ରହୁଥିଲା ।

 

ସନାତନ ରୋଜ୍‌ ରୋଜ୍‌ ତା ସ୍ତ୍ରୀ ଓ ବୋଉର ଝଗଡ଼ା ଶୁଣି ଶୁଣି ଅତିଷ୍ଠ ହୋଇ ଯାଉଥିଲା-। ଏହା ଭିତରେ ତାର ଯୌବନ, ଯାହାକୁ କବି ଲେଖକମାନେ ବସନ୍ତ ଋତୁ ସାଙ୍ଗେ ତୁଳନା କରିଥାଆନ୍ତି, ତାହା କେତେବେଳେ ପ୍ରବଳ ଗରମ ଓ ଜାଡ଼ ଶୀତ ଭିତରେ ନିଖୋଜ ହୋଇ ଯାଇଥିଲା ତାହା ସେ ଖୋଜି ପାଉ ନ ଥିଲା । ସେ ସବୁବେଳେ ଭାବୁଥିଲା ଯେ, ମହାଭାରତର ଜରାସନ୍ଧ ପରି ସେ ଗୋଟାଏ ବର ପାଇଥାଆନ୍ତା କି ! ତାହାହେଲେ ସେ ଦି ଫାଳ ହୋଇ ଫାଳକ ତା ସ୍ତ୍ରୀ ପାଖରେ ତ ଆର ଫାଳକ ତା ମାଆ ପାଖରେ ରହନ୍ତା ।

 

ସନାତନ ରାସ୍ତାରେ ଯିବାବେଳେ ଅନେକ ପୁରୁଷ ଓ ମହିଳାଙ୍କୁ ସାଜିସୁଜି ହୋଇ ସ୍କୁଟର, ମଟରସାଇକେଲ୍‌ କି କାର୍‌ରେ ଯିବାର ଦେଖେ । ସେତେବେଳେ ସେମାନେ ଖୁବ୍‌ ଖୁସି ଖୁସି ଦିଶୁଥାଆନ୍ତି । ସେମାନଙ୍କର ସେହି ଖୁସି ଖୁସି ଚେହେରା ଦେଖିଲେ ସେ ଦୁଃଖୀ ହୋଇଯାଏ ଓ ନିଜ ଭିତରେ ନିଜେ ଉଦାସ ହୋଇପଡ଼େ ।

‘କଳ୍ପନା ପରି ଚାକିରି କରୁଥିବା ଓ ବେଶି ପାଠ ପଢ଼ିଥିବା ଝିଅଟେକୁ ବାହା ହୋଇ ନଥିଲେ ଆମର ଏତେ ସମସ୍ୟା ହୁଅନ୍ତା ନାହିଁ’ ବୋଲି କଥା ପ୍ରସଙ୍ଗରେ ତା ମାଆ ବରାବର ଏହି ପଦକ କହେ । ସେ ସଙ୍ଗେ ସଙ୍ଗେ ଆଉ ପଦିଏ ବି ଯୋଡ଼ିଦିଏ, ‘ଆମେ ପଛେ ଭିକ ମାଗି ଚଳିଥାନ୍ତୁ, ହେଲେ ଏମିତି ଜିଅନ୍ତା ମରଣ ମରନ୍ତୁ ନାହିଁ ।’

ସନାତନ ଏକଥା ଶୁଣି କିଛି କହେ ନାହିଁ । କଳ୍ପନା ସାଙ୍ଗେ ଚିହ୍ନା ହେବା ଆଗରୁ ତାର କୌଣସି ଝିଅଙ୍କ ସାଙ୍ଗେ ଭଲ ଭାବେ ପରିଚୟ ହୋଇ ନଥିଲା । ସେ ଗୋଟେ ରକ୍ଷଣଶୀଳ ସମାଜରେ ବଢ଼ିଥିବାରୁ ଝିଅମାନଙ୍କ ସଙ୍ଗେ ମିଳାମିଶା କରିବାର ସୁଯୋଗ ପାଇ ନ ଥିଲା । ସେହି ଦୃଷ୍ଟିରୁ କଳ୍ପନା ସାଙ୍ଗେ ପରିଚୟ ହେବା କ୍ଷଣି ସେ ଆଇସ୍‌କ୍ରିମ୍‌ ପରି ତରଳିବାକୁ ଲାଗିଥିଲା ଓ ତା ପଛକୁ କଳ୍ପନା ଚାକିରି କରିଛି ବୋଲି ଜାଣିବା ପରେ ସେ ଆହୁରି ପାଣି ହୋଇ ଯାଇଥିଲା । କଳ୍ପନା ଶାଶୂ ଶ୍ୱଶୁରଙ୍କୁ ଆଦର କରୁ ନ ଥିଲେ ବି ସନାତନକୁ ଓ ଝିଅକୁ ବହୁତ ଆଦର କରୁଥିଲା ଓ ବେଳେ ବେଳେ ‘ତମେ ଦୁହେଁ ତ ମୋର ସଂସାର’ କହି ସେ ଅନ୍ୟମାନଙ୍କୁ ତା ସଂସାର ଭିତରୁ ବିଯୁକ୍ତ କରି ଦେଉଥିଲା । ସନାତନ ଜାଣୁଥିଲା ଯେ ତା ବୋଉର ଭିକ ମାଗିବା ବାବଦରେ କୌଣସି ଧାରଣା ନ ଥିଲା ଓ ସେଇଥିପାଇଁ ସେ ‘ଆମେ ଭିକମାଗି ପଛେ ଚଳି ଥାଆନ୍ତୁ’ ବୋଲି କହୁଥିଲା ।

ଏତକ ସମସ୍ୟା ସତେ କି ଯଥେଷ୍ଟ ନ ଥିଲା ଯେ ଦିନେ ସନାତନର ବାପାଙ୍କ ମସ୍ତିଷ୍କ ବିକୃତି ଖବର ତା ବୋଉ ଘୋଷଣା କରିଦେଲା । ସେତେବେଳକୁ ତା ବାପା ତିନି ରାତି ହେଲା ଶୋଇ ନଥିଲେ କି କିଛି ଖିଆପିଆ କରି ନ ଥିଲେ ।

 

ସନାତନର ମୁଣ୍ଡ ଗରମ ହୋଇ ଯାଇଥିଲା । ତେଣେ ପ୍ରତାପରୁଦ୍ର ତାକୁ ଛୁଟି ଦେଉ ନଥିଲେ କି ଠିକଣା ସମୟରେ ଦରମା ଗଣ୍ଡାକ ଦେଉ ନ ଥିଲେ । ଏଣେ କଳ୍ପନା ଶାଶୂ ସାଙ୍ଗରେ ଝଗଡ଼ା ବନ୍ଦ କରୁ ନଥିଲା କି ଶାଶୂ ନିଜ ବୋହୂର କଥାକୁ ଗ୍ରହଣ କରି ପାରୁ ନଥିଲେ । ତା ସାଙ୍ଗକୁ ଅଶୀ ବର୍ଷର ବୁଢ଼ା ବାପା ଛୋଟ ଛୁଆ ପରି ବ୍ୟବହାର ଦେଖଉଥିଲେ ଓ ଖିଆପିଆ ବନ୍ଦ କରି ଦେଇଥିଲେ ।

 

ସବୁଆଡୁ ଆଖି ଫେରେଇ ସନାତନ ନିଜ ଝିଅକୁ ଚାହୁଁଥିଲା ଓ ‘ତୁ କାହିଁକି ଭଲ ପାଠ ପଢୁନୁ’ ବୋଲି ଅଭିଯୋଗ ଆଣି ତା ଉପରେ ବିରକ୍ତ ହେଉଥିଲା । ତା ଝିଅ ଡବଡବ କରି ବାପାର ମୁହଁକୁ ଚାହୁଁଥିଲା ଓ ସନାତନ ତୁଣ୍ଡରୁ କଥା ସରିବାକ୍ଷଣି ମାଡ଼ ଗାଳି ଖାଇବା ଆଶଙ୍କାରେ ଘର ଭିତରକୁ ଦୌଡ଼ି ପଳେଇ ଯାଉଥିଲା ।

 

ଏହି ସବୁ ଘଟଣା ପରେ ସନାତନ ସ୍ଥିର ନିଶ୍ଚିତ ହୋଇ ଯାଇଥିଲା ଯେ, ତାହାଠାରୁ ଆଉ ଅଧିକ ଦୁଃଖୀ ଲୋକ ଏହି ଦୁନିଆରେ କେହି ନାହାନ୍ତି । ସେଇ ସମୟରେ ନିତି ପ୍ରତିଦିନ ରାସ୍ତାଘାଟରେ ଓ ଅଫିସ୍‌ରେ ଦେଖୁଥିବା ଲୋକମାନଙ୍କର ସୌଭାଗ୍ୟ ତାର ମନେ ପଡୁଥିଲା । ଏଇ ଯେମିତି ଏଲ୍‌.ଆଇ.ସି.ରେ କାମ କରୁଥିବା ପାରମିତାର ସୌଭାଗ୍ୟ । ନ ହେଲେ ବୋର୍ଡ ଅଫିସ୍‌ରେ କାମ କରୁଥିବା ରାଖାଲ୍‌ର ସୁଖୀ ଜୀବନର କଥା ।

 

ପାରମିତା କଥା ମନେ ପଡ଼ିଲାରୁ କେତେଗୁଡ଼ିଏ କଥା ସନାତନର ମନେ ପଡ଼ିଲା । ସେ ଅନୁଭବ କଲା ଯେ ଅନେକ ଦିନ ହେଲା ସେ ପ୍ରତାପରୁଦ୍ରଙ୍କ ଦପ୍ତର ଓ ନିଜର ଘର ଭିନ୍ନ ଅନ୍ୟ କୋଉଠିକି ବୁଲି ଯାଇନାହିଁ । ତେଣୁ ସେ ସ୍ଥିର କଲା, ଆଜି ହିଁ ସେ ପାରମିତା ଘରକୁ ଯିବ ।

 

ପାରମିତା ମହାପାତ୍ର ସାଙ୍ଗେ କଟକରେ ପଢ଼ିବା ବେଳେ ଚିହ୍ନା ପରିଚୟ ହୋଇଥିଲା । ପାରମିତା ଦେଖିବାକୁ ସୁନ୍ଦରୀ । ସବୁବେଳେ ସାଜିସୁଜି ହୋଇଥିବା ପରି ଲାଗେ । ବେଶପୋଷାକର ସାମ୍ଭ୍ରାନ୍ତ୍ୟ ପାଇଁ ଯଦିଓ ନୁହେଁ, ତା ଓଠର ସଦା ଢଳଢଳ ହସ ଖଣ୍ଡକ ପାଇଁ ସେ ସବୁରି ମନ କିଣିନିଏ ।

 

ସନାତନ ଶୀଘ୍ର ଶୀଘ୍ର ପ୍ରତାପରୁଦ୍ରଙ୍କ ଦପ୍ତରକୁ ବାହାରିଗଲା । ସେ ସ୍ଥିର କଲା, ଆଜି ଫେରିବା ବେଳେ ପାରମିତାର ଘର ଦେଇ ଯେମିତି ହେଉ ଫେରିବ ।

 

ଫେରିଲା ବି । ଅନେକ ଦିନ ହେଲା ଖୋଜଖବର ନେଇ ନଥିବାରୁ ତାକୁ ପାରମିତାର ଘର ଖୋଜି ପାଇବାକୁ ଅସୁବିଧା ହେଲା । ମାତ୍ର ଘର ଖୋଜା କାମରେ ତା ସାମୟିକ ଜୀବନବୀମା ଏଜେଣ୍ଟ ଅଭିଜ୍ଞତା ସବୁଦିନ ପରି ଆଜି କାମରେ ଆସିଲା ।

 

ପାରମିତାର ଘର ପାଖେଇ ଆସିବାକ୍ଷଣି ସନାତନର ପିଛିଲା କଥାଗୁଡ଼ାକ ବାରମ୍ବାର ମନେ ପଡ଼ିବାକୁ ଲାଗିଲା । ପାରମିତା ତା ନିଜ ଆଡୁ କେତେଥର ସନାତନ ସାଙ୍ଗେ ବନ୍ଧୁତା ଯୋଡ଼ିବା ଲାଗି ଉଦ୍ୟମ କରିଥିବ, ମାତ୍ର ସବୁଥର ସନାତନ ସଂକୁଚିତ ବୋଧ କରି ଫେରି ଆସିଥିଲା । ତା ପାଖରେ ଗର୍ବ କରିବା ପାଇଁ କଣ ବା ଥିଲା ? ନା ସେମିତିକା ଗେଲବସର ପିଲାଦିନ, ହସଖୁସିର କୈଶୋର ନା ସମ୍ଭାବନାମୟ ଭବିଷ୍ୟତ ! ତାର ସଂଘର୍ଷମୟ ଦିନଗୁଡ଼ିକ ତାକୁ ଗେଣ୍ଡା, କଇଁଛ ପରି ଖୋଳପା ଭିତରେ ରୁନ୍ଧି ଦେଇଥିଲା ଓ ସେ ନିଜଆଡ଼ୁ ନିଜକୁ ପାରମିତା ଜୀବନରୁ ଓହରେଇ ନେଇଥିଲା ।

 

ଦମକାଏ ଥଣ୍ଡା ପବନ ବୋହି ସନାତନକୁ ଆସନ୍ନ ବର୍ଷା ବାବଦରେ ସଚେତନ କରିଦେଲା । ସେ ମଥା ଉପରକୁ ଉଠେଇ ଦେଖିଲା, ଖୁବ୍‌ ଜୋର୍‌ରେ ବର୍ଷା ମାଡ଼ି ଆସୁଛି । ସେ ପାଦର ଗତି ବଢ଼େଇ ଦେଲା ।

 

ପ୍ରଥମେ ମୁଖ୍ୟ ରାସ୍ତାରୁ ବାଙ୍କି ଯାଇଥିବା ଲେନ୍‌, ତାପରେ ସେଇ ଲେନ୍‌ର ବାଁ ହାତି ଆଉ ଗୋଟେ ଅଣଓସାରିଆ ଗଳି ରାସ୍ତା, ଶେଷରେ ଗୋଟେ ଦି ମହଲା ଘରର ପଛପଟେ ଆଉଟ୍‌ ହାଉସ୍‌ ପରି ଦିଶୁଥିବା ଘରେ ପହଞ୍ଚିବା ବେଳକୁ ସନାତନ ବର୍ଷା ଛିଟାରେ ଅଧା ତିନ୍ତି ସାରିଥିଲା । ଏମିତି ପରିସ୍ଥିତିରେ ସେ ପାରମିତାର ଘରକୁ ଯିବ ନା ଫେରିଯିବ ସେ କଥା ଚିନ୍ତା କଲାବେଳେ ଗୋଟେ ଚଡ଼ଚଡ଼ି ପରି ଚିତ୍କାର ତାକୁ ଚମକେଇ ଦେଲା । ସେ ଦେଖିଲା, ପାରମିତାର ଘର ଭିତରୁ ଗୋଟେ ଲୋକ ତରବରରେ ବାହାରି ସାମ୍ନାରେ ଥିବା ମୋଟର ସାଇକେଲ୍‌ ଷ୍ଟାର୍ଟ କରି ଚାଲିଗଲା-

 

ସନାତନ ଯାଇ ପାରମିତାର ଘର ସାମ୍ନାରେ ଛିଡ଼ା ହେଲା । ପାରମିତା ତା ଅଫିସ୍‌କୁ ପିନ୍ଧି ଯାଇଥିବା ଲୁଗାପଟା ବଦଳେଇ ନଥିଲା । ସନାତନକୁ ଦେଖି ସେ ଗୋଟାପଣେ ଆଶ୍ଚର୍ଯ୍ୟ ହୋଇଗଲା ।

 

: ଆରେ, ତୁମେ !

 

ସନାତନ ନିଜ ମୁଣ୍ଡର ଓଦା ବାଳକୁ ରୁମାଲରେ ପୋଛୁ ପୋଛୁ ଲକ୍ଷ୍ୟ କଲା ଯେ, ପାରମିତା ଓଠରେ ସବୁବେଳେ ଢଳଢଳ ହେଉଥିବା ହସ ଖଣ୍ଡକ ଦେଖାଯାଉ ନାହିଁ ।

 

ପାରମିତା ବସିବା ଲାଗି ଜାଗା ଦେଖେଇ ଦେଲା । ଘରସାରା ପୁରୁଣା ଖବରକାଗଜ, ମାଗାଜିନ୍‌, ଥାଳି-ଗିନା ଓ ଲୁଗାପଟା ଖେଳେଇ ହୋଇ ପଡ଼ିଥିଲା । ସନାତନ ଅନୁମାନ କରିନେଲା ଯେ, ଏଇ ସାଙ୍ଗେ ସାଙ୍ଗେ ଏ ଘର ଭିତରେ ଗୋଟେ ଝଡ଼ ବୋହିଯାଇଛି ।

 

କେହି ଜଣେ କୁନ୍ଥେଇ କୁନ୍ଥେଇ କାଶିବାର ଶବ୍ଦ ସନାତନକୁ ଶୁଭିଲା । ‘ମୋ ମା’ କହି ପାରମିତା ଉଠିଗଲା । ସନାତନ ପାରମିତା ପଛେ ପଛେ ପାଦ ଚିପି ଚିପି ଗଲା ।

 

ଗୋଟିଏ ଅନ୍ଧାରିଆ ଘର କୋଣରେ ପଡ଼ିଥିଲା ଗୋଟେ ଫିତା ଖଟ । ସେଇ ଖଟ ଉପରେ ପାରମିତାର ମା ଶୋଇଥିଲେ । ତାଙ୍କୁ ଦେଖିଲାକ୍ଷଣି ଗୋଟେ ଆତଙ୍କର ଶୀତଳ ଲହରୀ ସନାତନର ଚମତଳେ ବୋହିଗଲା । ମଣିଷ ନୁହେଁ, ପାରମିତାର ମୁମୁର୍ଷୁ ମା ଦିଶୁଥିଲେ ଗୋଟେ ଜିଅନ୍ତା କଙ୍କାଳ ପରି ।

 

କାଳେ ପାରମିତା ମୁହଁ ବୁଲେଇ ତାକୁ ଦେଖିନେବ, ସେଇଥିପାଇଁ ସେ ଅଧା ବାଟରୁ ଫେରି ଆସିଲା । ପାରମିତା ତାକୁ ଯୋଉଠି ବସେଇ ଦେଇ ଯାଇଥିଲା, ସେ ସେଇଠି ଆସି ବସିପଡ଼ିଲା ।

 

ପାରମିତାର ଡ୍ରଇଂରୁମ୍‌ରେ ଗୋଟେ ଫଟୋ ଝୁଲୁଥିଲା ! ତହିଁରେ ବୋହୂ ବେଶରେ ନିଜେ ପାରମିତା ଓ ତା ପାଖରେ ତାର ସ୍ୱାମୀ ବସିଥିଲା । ସେ ସାଙ୍ଗେ ସାଙ୍ଗେ ଫଟୋର ଲୋକଟାକୁ ଚିହ୍ନି ପାରିଲା । ଏଇ ଟିକକ ଆଗରୁ ତରବରରେ ଘରୁ ବାହାରି ଯାଇଥିବା ଲୋକଟି ହିଁ ଥିଲା ପାରମିତାର ସ୍ୱାମୀ ।

 

ପାରମିତା ଫେରି ଆସିଲା । ଏଥର ସେ ଟିକେ ସହଜ ଦିଶୁଥିଲା । କହିଲା, “ମୁଁ ତୁମ ପାଇଁ ଚା କରି ଆଣୁଛି । ଆଉ ଖବର କଣ ?”

ସନାତନ କହିଲା, “ମୋ ପରି ହତଭାଗ୍ୟ ଲୋକର ଖବର କଣ ? ତମେ ସିନା ସୁଖୀ ଲୋକ । ତମର ଖବର ବରଂ କୁହ ।”

ପାରମିତା ହସିଲା । ସେହି ଢଳଢଳ ହସ ।

ସନାତନ କହିଲା, “ତୁମେ ହସୁଛ ?”

ପାରମିତା ତା ଘର ସାମ୍ନାକୁ ଆଙ୍ଗୁଳି ଦେଖେଇଲା । ଘର ପାଚେରି କଡ଼ରେ ଗୋଟେ ଛୋଟ ବାଉଁଶ ବୁଦା । ମେଘ ପବନରେ ସେ ବାଉଁଶ ବୁଦାଟା ଝୁଙ୍କି ତଳକୁ ନଇଁ ଆସୁଥିଲା ଓ ମାଟିରେ ଲାଗି ଯାଉଥିଲା । ତା ଉପରେ ତୁହାକୁ ତୁହା ବର୍ଷା ଅଜାଡ଼ି ପଡୁଥିଲା । ଟିକିଏ ଫୁରୁସତ୍‌ ପାଇଲେ ଆକ୍ତାମାକ୍ତା ବାଉଁଶ ଗଛଗୁଡ଼ିକ ପୁଣି ଉପରକୁ ଉଠିବାକୁ ଉଦ୍ୟମ କରୁଥିଲା । କହିଲା, “ସେଇ ମୋର ଖବର ଟବର ।”

ସନାତନ ପାରମିତାକୁ ଅନେଇଲା । ପାରମିତା କହିଲା, “ତୁମେ ଟିକିଏ ବସ । ମୁଁ ପାଖ ଘରୁ ଚା କରି ଆଣୁଛି । ସକାଳେ ଗ୍ୟାସ୍‌ ସରି ଯାଇଥିଲା, ଏବେ ତ ଦେଖୁଛ ଲାଇନ୍‌ ନାହିଁ ।”

ପାରମିତା ମୁଣ୍ଡରେ ଓଢ଼ଣା ଢାଙ୍କି ପଡ଼ୋଶୀ ଘର ଆଡ଼େ ବାହାରିଗଲା । ବାଉଁଶ ଗଛରୁ ନଜର ହଟେଇ ପାରମିତାର ମା ପାଖେ ପଡ଼ିଥିବା ଟୁଲ୍‌ ଖଣ୍ଡିକ ଘୋଷାରି ନେଇ ସନାତନ ବସିଲା-। ଡାକିଲା, ‘ମାଉସୀ !’

 

ଗୋଟେ ଗହୀର କୂଅ ଭିତରୁ ଶବ୍ଦଟେ ପରି ବୁଢ଼ୀ ଉତ୍ତର ଦେଲେ, ‘କିଏ ?’

 

: ମୁଁ ସନାତନ । ପାରମିତାର କଲେଜ ସାଙ୍ଗ । କଟକରେ ସାଙ୍ଗ ହୋଇ ପଢ଼ୁଥିଲୁ ।

 

କୌଣସି ପୂର୍ବାପର ପ୍ରସଙ୍ଗ ନଥାଇ ବୁଢ଼ୀ କାଶି କାଶି କହି ଉଠିଲେ, “ହତଭାଗିନୀଟା ! ମରି ଯାଆନ୍ତା ହେଲେ ।”

 

ଆଉ ଗୋଟେ ଚଡ଼ଚଡ଼ି ପଡ଼ିଲା ଆଖପାଖରେ ।

 

ସନାତନ କାନରେ ହାତ ଦେଇଦେଲା । ମାଠିଆରୁ ପାଣି ଢାଳିଲା ପରି ବର୍ଷା ଢାଳୁଥିଲା-। ଚକ୍‌ଚକ୍‌ ବିଜୁଳି ମାରୁଥିଲା । ସେଇ ଆଲୁଅରେ ଅନ୍ଧାରିଆ ଘରଟା ସମୟେ ସମୟେ ଚମକି ଉଠୁଥିଲା ।

 

ସନାତନ ପଚାରିଲା, “କଣ କହୁଥିଲ କି ମାଉସୀ ?”

 

ବୁଢ଼ୀ ଏଥର ଖୁଁ ଖୁଁ ହୋଇ ଅନେକ ସମୟ କାଶିଲା । କଫ ଛିଣ୍ଡୁ ନ ଥାଏ । ସନାତନ ବ୍ୟତିବ୍ୟସ୍ତ ହୋଇପଡ଼ି ଇଆଡ଼େ ସିଆଡ଼େ ଅନେଇଲା । ଅନେକ ସମୟ ପରେ ବୁଢ଼ୀର କାଶ ବନ୍ଦ ହେଲା ।

 

ବୁଢ଼ୀ ସନାତନକୁ ଆଉଁଶି ପକେଇ କହିଲା, “ହତଭାଗିନୀଟା । ଶେଷକୁ ଗୋଟେ ଅଣପୁରୁଷା କୋଢ଼ିଆ ହାତରେ ପଡ଼ିଲା । ତାକୁ ଜଳେଇ ପୋଡ଼େଇ ତା ରକତ ନିଗାଡ଼ି ଖାଇ ସାରିଲାଣି... । କାହିଁକି ବଞ୍ଚିଛି ବିଚାରୀ । ମୋତେ ବି ନିଆଁଲଗା ଯମ ନଉନାହିଁ, ଏଇଆ ଦେଖିବାକୁ ରଖିଛି... ।”

 

ବୋଉ... !

 

ସନାତନ ଚମକି ପଡ଼ିଲା ।

 

ବାମ୍ଫଉଠା ଚା ଗିଲାସ ଧରି ପାରମିତା ଦୁଆର ବନ୍ଧ ପାଖେ ଛିଡ଼ା ହୋଇଥିଲା । ପାରମିତାର ପାଟି ଶୁଣି ବୁଢ଼ୀ ନିରବ ହୋଇଗଲା ।

 

ହେମାଳ ପବନର ସ୍ପର୍ଶ ଘର ଭିତରେ ଖେଳି ବୁଲୁଥିଲା ।

 

ସନାତନ ନିରବରେ ବସି ରହିଲା ।

 

କିଛି ସମୟ ପରେ ପାରମିତା କହିଲା–

 

“ବୋଉର ମୁଣ୍ଡ ଖରାପ । ଯାହାକୁ ଦେଖୁଛି, ନିଜର ଭାବି ତା ମନର ବିଚାରତକ ଗାଇ ଯାଉଛି । ତା କଥାକୁ ତୁମେ ଗୁରୁତ୍ୱ ଦିଅନାହିଁ ।”

 

ସନାତନ ଆଉ ଥରେ ପାରମିତାକୁ ଚାହିଁଲା । ଏତିକିବେଳେ କଟି ଯାଇଥିବା ବିଜୁଳି ପୁଣି ଫେରି ଆସିଲା । ପାରମିତାର ଓଠରେ ଢଳଢଳ ହେଉଥିଲା ସେଇ ପୁରୁଣା ହସ ।

 

ସନାତନ ବୁଝିପାରୁ ନଥିଲା କୋଉଟା ସତ, କୋଉଟା ମିଛ । ସେ ଜାଣିଥିଲା ଯେ ପାରମିତାର ବାହାଘରକୁ ଦଶବର୍ଷ ପୂରିଲାଣି । ଅଥଚ ଏ ଯାଏଁ ସେ ମାଆ ହୋଇନାହିଁ! କିନ୍ତୁ ସେ ପ୍ରଶ୍ନ ପଚାରିବାକୁ ତାର ସାହସ କୁଳଉ ନ ଥିଲା ।

 

ସନାତନ ପାରମିତା ହାତରୁ ଚା ଗିଲାସ ନେଇ ଚା ପିଇଲା ।

 

ଧୀରେ ଧୀରେ ବର୍ଷା ଛାଡ଼ି ଆସୁଥିଲା ।

 

ପାରମିତା କହିଲା, “ଆଉ କେବେ ଇଆଡ଼େ ଆସିବାକୁ ମନ ହେଲେ, ଅଫିସ୍‌ ନମ୍ବରରେ ଫୋନ୍‌ କରିଦେବ ।”

 

ସନାତନ ଘର ଆଗର ବାଉଁଶବୁଦାକୁ ଚାହିଁଲା । ଗଛଗୁଡ଼ାକ ବର୍ଷା ମାଡ଼ରେ ନଇଁ ପଡ଼ିଥିଲା । ତାର ଅଗ ପତର ସବୁ ପାଣି କାଦୁଅରେ ଲୋଟୁଥିଲା ।

 

ପାରମିତା କହିଲା, “କାଲି ସକାଳକୁ ସେ ଗଛ ଆପକୁ ଆପେ ଉଠି ଠିଆ ହୋଇଯିବ ଯେ-!”

 

ସନାତନ ନିରବରେ ପାରମିତା ଘରୁ ବାହାରି ରାସ୍ତା ଉପରକୁ ଆସିଲା । ଏବେ ସେ ରାସ୍ତାରେ । ଘରମୁହାଁ ।

 

ତାର ଆଉ ରାଖାଲ ଘରକୁ ଯିବା ପାଇଁ ଇଚ୍ଛା ନଥିଲା । ପାରମିତାର ଜଖମ ଘରକରଣାର ଦୃଶ୍ୟ ତାକୁ ସତେ କି ନୂଆ ଅଭିଜ୍ଞତା ଆଣି ଦେଇଥିଲା । ତା ସମସ୍ୟାର ଜଟିଳତା ପାଖେ ନିଜ ଘରର ଶାଶୂ-ବୋହୂ ଝଗଡ଼ା ଓ ବୁଢ଼ାବାପାର ଅସୁସ୍ଥତା ଅତ୍ୟନ୍ତ ନଗଣ୍ୟ ମନେ ହେଉଥିଲା ।

 

ଘର ପାଖେ ପହଞ୍ଚିବା ବେଳକୁ ତା ଝିଅ ପଢ଼ାଘରେ ବସି ପଢ଼ୁଥିଲା ଓ କଳ୍ପନା ତାକୁ ଅପେକ୍ଷା କରି କରି ଘର ବାହାର ହେଉଥିଲା । ତାକୁ ଦେଖୁ ଦେଖୁ କହିଲା, “ଏତେ ଡେରି !”

 

ସନାତନ ରାଗିଲା ନାହିଁ, ଯଦିଓ ଏମିତି ପ୍ରଶ୍ନରେ ସେ ଆଗରୁ ରାଗିଯାଉଥିଲା । କିନ୍ତୁ ସେ ହସିପାରିଲା ନାହିଁ । ପାରମିତାର ଦୁଃଖ ତାର ତଥାପି ରହି ରହି ମନେ ପଡ଼ୁଥିଲା ।

 

ଲୀନା ଉଠିଆସି କହିଲା, “ଆଜି ବୋଉ ଓ ଜେଜେମା ଝଗଡ଼ା ଲାଗି ନାହାନ୍ତି । ଜେଜେ ବିଛଣାରୁ ଉଠି ବୁଲାଚଲା କରିଛନ୍ତି” ଓ ଚାଲିଗଲା ।

 

ଇଏ ଗୋଟେ ହସିଲା ଶୁଖିଲା ପାଗର ବିବରଣୀ ଥିଲା । ମାତ୍ର ସନାତନ ଜାଣିଥିଲା ଯେ ଏଭଳି ପାଗ ସବୁଦିନ ରହିବ ନାହିଁ । ସେଇଥିପାଇଁ ଆସନ୍ନ ଝଡ଼ ବର୍ଷାକୁ ସେ କେମିତି ମୁଣ୍ଡ ନୂଆଁଇ ସମ୍ଭାଳି ନେଇ ପାରିବ, ତାର ସୂତ୍ର ସେ ପାରମିତା ଦେଖେଇଥିବା ବାଉଁଶଗଛଠୁଁ ଶିଖିବାର ଚେଷ୍ଟା କରୁଥିଲା ।

☆☆☆

 

ଦାଗ

 

ପନ୍ଦର ବର୍ଷ ପରେ ପୁଣିଥରେ ନିଜର ଭାଗ୍ୟ ତାକୁ ଆଣି ଏମିତି ଗୋଟେ ଚଉଛକିରେ ଛିଡ଼ା କରେଇଦେବ ବୋଲି ଚାରୁଲତା ଆଦୌ ଆଶଙ୍କା କରି ନ ଥିଲା । ସେସବୁ ଘଟଣା ସାଙ୍ଗେ ଆଉ କେବେ ବି ତାର ଭେଟ ହେଉ, ସେକଥା ସେ ଆଦୌ ଚାହୁଁ ନ ଥିଲା । ଯାହା ଘଟିବାର ଥିଲା ଘଟିଯାଇଛି; ସେ ଘଟଣା ହେଉ କି ଦୁର୍ଘଟଣା, ସେ ବିଷୟରେ ଭାବି ଆଉ କିଛି ଲାଭ ନାହିଁ । ଅଧା ଜୀବନ ଏମିତି ବିତିଗଲାଣି, ଅବଶିଷ୍ଟ ଜୀବନ ବି ସେମିତି ବିତିଯାଇଥାଆନ୍ତା ।

 

ନିଜର ପିଛିଲା ଦିନମାନଙ୍କୁ ଫେରି ଚାହିଁବା ଲାଗି ଚାରୁଲତାର ଭୟ ହୁଏ । ଯଦି ତାର ସେ ସାମର୍ଥ୍ୟ ଥାଆନ୍ତା, ତାହାହେଲେ ସେଇସବୁ ମୁହୂର୍ତ୍ତମାନଙ୍କୁ ତା ନିଜ ଜୀବନରୁ ବାହାର କରି ଫିଙ୍ଗିଦିଅନ୍ତା, ଘର ଓଳଉଥିବା ଲୋକ ଅଳିଆଗୁଡ଼ିକୁ ଗୋଟେଇ ବାହାରକୁ ଫିଙ୍ଗିଦେବା ପରି । କିନ୍ତୁ ତାହା ସେ କରିପାରୁ ନଥିଲା । ଯେତେ ଯାହା ଚେଷ୍ଟା କଲେ ବି ପଛଦିନର କଥାଗୁଡ଼ିକୁ ସେ ଭୁଲିପାରୁ ନ ଥିଲା । ରହି ରହି ସେସବୁ ତାର ମନେ ପଡ଼ିଯାଉଥିଲା ।

 

ସ୍କୁଲ, କଲୋନି ଓ ହାଟ ବଜାରରେ କେତେଥର ଯେ ସେ ସେହି ଉତ୍ପୀଡ଼କ ପ୍ରଶ୍ନର ସାମ୍ନାସାମ୍ନି ନ ହୋଇଛି ? ପ୍ରଶ୍ନ ନୁହେଁ ତ, ଗୋଟେ ଗୋଟେ ମୁନିଆଁ ଛୁଞ୍ଚି, ଯାହା ତାର ଚମ ଓ ମାଂସ ଭେଦି ହାଡ଼ରେ ଫୋଡ଼ିହୋଇ ଯାଇଛି । ଦାନ୍ତ ଚାପି, ଆଖି ବୁଜି ସେ ସେଇ ଯନ୍ତ୍ରଣାକୁ ସହିବାର ଉଦ୍ୟମ କରିଛି ସିନା, କଷ୍ଟରୁ ମୁକୁଳି ପାରିନାହିଁ ।

 

ହାଟ, ବଜାର କଥା ସେ ଏଡ଼େଇଯାଏ । କିନ୍ତୁ ସଭା ସମିତି କି ବାହାଘର ଭୋଜି ଭାତରେ କେହି ଯେତେବେଳେ ପଚାରେ ଯେ ଚାରୁଲତାର ସ୍ୱାମୀ କଣ କରନ୍ତି, କେଉଁଠି ରହନ୍ତି; ସେତେବେଳେ ତା ପାଟି ଖନି ବାଜିଯାଏ । କେମିତି ମୁହଁ ଲୁଚେଇ ସେ ଜାଗାରୁ ପଳେଇ ଆସିବ, ସେକଥା ଚିନ୍ତା କରିପାରେ ନାହିଁ ।

 

ସେତେବେଳେ ତାର ଦେବଦତ୍ତ କଥା ମନେପଡ଼େ । ମନେପଡ଼େ ନିଜର ପିଲାଳିଆମି-। ସେ ଦୁଇ ହାତ ପାପୁଲିରେ ମୁହଁ ଢାଙ୍କି ସେସବୁ ସ୍ମୃତିକୁ ନିଜର ଆଖି ଲୁହରେ ଭସେଇ ଦେବାକୁ ଚାହେଁ । ସେସବୁ କିନ୍ତୁ ଭାସିଯାଆନ୍ତି ନାହିଁ, ବରଂ ଧୋଇଧାଇ ହୋଇ ପୂର୍ବ ଅପେକ୍ଷା ଅଧିକ ଉଜ୍ଜ୍ୱଳ ଦିଶନ୍ତି ।

 

ଦେବଦତ୍ତ ସାଙ୍ଗେ ଦେଖା ହେବାର ତିଥି, ବାର ସବୁକିଛି ମନେଅଛି ଚାରୁଲତାର । ସେଦିନ ଥିଲା ଗଣେଶ ଚତୁର୍ଥୀ । ବାପାଙ୍କ ସାଙ୍ଗରେ ଦେଖା କରିବା ଲାଗି ଦେବଦତ୍ତ ତାଙ୍କ ଘରକୁ ଆସିଥିଲା । ଆଗରୁ ଥରେ ଦି ଥର କଲେଜରେ ଦେଖା ହୋଇଥିଲେ ବି ଅତି ନିକଟରୁ ସେଇ ପ୍ରଥମ ଥର ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ଆକର୍ଷିତ କଲା ଭଳି ଦେବଦତ୍ତର ବ୍ୟକ୍ତିତ୍ୱ ଆଗରେ ଚାରୁଲତା ସେଦିନ ନରମି ଯାଇଥିଲା । ତାର ମନେ ହୋଇଥିଲା, ଦେବଦତ୍ତ ଦିନେ ଉପରକୁ ଉଠିବ, ବହୁତ ଉପରକୁ ।

 

ଚାରୁଲତାର ବାପା ବି ସେଇକଥା କହିଥିଲେ । ଦେବଦତ୍ତର ସଂଘର୍ଷମୟ କୈଶୋର ସମ୍ପର୍କରେ ବର୍ଣ୍ଣନା କରୁ କରୁ ବାପା କହିଥିଲେ, ‘ଦିନେ ଏ ପିଲାଟା ଉପରକୁ ଉଠିବ । ଯେଉଁ ବଲ୍‌ ଯେତେ ଗୋଇଠା ଖାଏ, ସେଇ ବଲ୍‌ ସେତେ ଉପରକୁ ଉଠେ । ଦେବଦତ୍ତ ଫୁଟ୍‌ପାଥ୍‌ ଉପରୁ ଉଠି ଉଠି ଏଯାଏଁ ଆସିଛି । ଦିନେ ସେ ଆକାଶକୁ ଉଠିବ ।’

 

ବାପା ସେଦିନ ଦେବଦତ୍ତର ଅନେକ ପ୍ରଶଂସା କରିଥିଲେ । ତା ଭିତରେ ସବୁ ପ୍ରକାର ସୁବିଧା, ସୁଯୋଗ ସତ୍ତ୍ୱେ ପଢ଼ାପଢ଼ିରେ ବେଶି ଦୂର ଆଗେଇ ପାରୁ ନଥିବା ଚାରୁଲତା ଓ ତାର ସାନଭଉଣୀ ପ୍ରତି କିଛି ଇଙ୍ଗିତ ବି ଥିଲା । ସେ କଥା ବାପା ସ୍ପଷ୍ଟ ଭାବେ କହି ନ ଥିଲେ ସୁଦ୍ଧା ଚାରୁଲତା ତାହା ବୁଝିପାରିଥିଲା ।

 

ପ୍ରାଚୁର୍ଯ୍ୟର ନରମ ଘାସ ଗାଲିଚାରେ ଚାରୁଲତା ମୂଳରୁ ଚାଲି ଆସିଥିଲା । ସ୍କୁଲ ଯିବା ଦିନରୁ ସେ ଗାଡ଼ି ଚଢ଼ି ପଢ଼ିବା ଲାଗି ଯାଉଥିଲା । ପାଟିରୁ ନ ବାହାରୁଣୁ ବାପା ଚାହିଁବା ଜିନିଷ କିଣି ଆଣି ଦେଉଥିଲେ । ସେଇଥିପାଇଁ କୌଣସି ଦୁଃଖୀ ଲୋକଟିଏ ଦେଖିଲେ ଚାରୁଲତା ମହମ ପରି ତରଳି ଯାଉଥିଲା ।

 

ଦେବଦତ୍ତକୁ ପ୍ରତିଶ୍ରୁତି ଦେଇଥିଲା, ଯାହା ଘଟିବାର ଥିଲା ଘଟିଯାଇଛି । ସେସବୁକୁ ପୁରୁଣା ପାଠ ପରି ମନର ସିଲଟରୁ ପୋଛିଦିଅ । ଏଣିକି ତୁମର ସବୁ ଦୁଃଖ ମୋର ଦୁଃଖ, ସବୁ କଷ୍ଟ ମୋ ନିଜର କଷ୍ଟ । ମୋର ସବୁ ସୁଖ ତମର, ସବୁ ସୁଯୋଗ ତୁମର । ସବୁ କଥା ଭୁଲି ତମେ କେବଳ ପାଠ ପଢ଼ । ଉପରକୁ ଉଠିଯାଅ ।

 

ଦେବଦତ୍ତର ପିଲାଳିଆ ଚେହେରାରେ ସେଦିନ ଯେଉଁ ସୁଖର ଚିତ୍ରଟିଏ ଚାରୁଲତା ଦେଖିଥିଲା, ସେକଥା ଆଜି ବି ମନେ ଅଛି । ସାନଟିଏ ହୋଇଥିଲାବେଳେ ଦେବଦତ୍ତର ମା ମରିଯାଇଥିଲେ । ଗାଁ ଛକରେ ଅଣ୍ଡା ବିକି ଦେବଦତ୍ତର ବାପା ଘର ଚଳଉଥିଲେ । ଦେବଦତ୍ତ ବି ସ୍କୁଲ ନ ଥିବା ଦିନରେ ରାସ୍ତାକଡ଼ କ୍ରସରରେ କାମ କରି କିଛି ଟଙ୍କା ଉପାର୍ଜନ କରୁଥିଲା ।

 

ପଥରଗୁଣ୍ଡରେ ଧୂଆଁଳିଆ ଦିଶେ କ୍ରସର ମିଲ୍‌ ଚାରିପାଖର ପୃଥିବୀ । ଅସ୍ପଷ୍ଟ ଦିଶେ ଦେବଦତ୍ତର ଭବିଷ୍ୟତ । ସେମିତି ଏକ ପରିବେଶରୁ ଆସିଥିବା ଦେବଦତ୍ତ ଚାରୁଲତାର ପ୍ରତିଶ୍ରୁତି ଏବଂ ଆଶ୍ୱାସନାରେ ଆତ୍ମହରା ହେବା ଥିଲା ସ୍ୱାଭାବିକ ।

 

ସେଇ ଦେବଦତ୍ତକୁ ନିଜର ବାତ୍ୟାକ୍ରାନ୍ତ ସ୍କୁଲ ହତା ଭିତରେ ଆବିଷ୍କାର କରି ଚାରୁଲତା ପଥର ପାଲଟି ଯାଇଥିଲା । ପନ୍ଦର ବର୍ଷ ତଳେ ସ୍ଥିର ହୋଇଯାଇଥିବା ଝରଣାର ଲହରୀ, ପବନର ହିଲ୍ଲୋଳ, ଚଢ଼େଇର ଗୀତ ପୁଣିଥରେ ଚଞ୍ଚଳ ହୋଇ ଉଠିଥିଲେ । ସେଇ ଏକାକୀ କୃଷ୍ଣଚୂଡ଼ା ଗଛର କଥା ମଧ୍ୟ ମନେ ପଡ଼ିଥିଲା, ଯେଉଁଠି ଆରମ୍ଭ ହେବା ଆଗରୁ ଶେଷ ହୋଇଯାଇଥିଲା ତାର ସୁଖ କାହାଣୀ ।

 

ହେଡ୍‌ମିଷ୍ଟ୍ରେସ୍‌ ଓ ଅନ୍ୟ ଦିଦିମାନଙ୍କ ମୁହଁରେ ନୂଆ କମିଶନରଙ୍କର ଭୂରି ଭୂରି ପ୍ରଶଂସା–ଏ କମିଶନର ବିଦେଶରେ ପାଠ ପଢ଼ିଛନ୍ତି, ମଧ୍ୟପ୍ରଦେଶ ପରି ବଡ଼ ରାଜ୍ୟର ଅନେକ ଦାୟିତ୍ୱ ତୁଲେଇଛନ୍ତି, ଏବେ ଏବେ ଆସିଛନ୍ତି ଡେପୁଟେସନ୍‌ରେ । ଭାରି ପରିଶ୍ରମୀ, ଅନ୍ୟ ହାକିମମାନଙ୍କ ପରି ଉପରେ ଉପରେ ଭାସିଯିବା ଅଫିସର ନୁହନ୍ତି ।

 

ଠିକ୍‌ ଏଇପରି ମଣିଷ ଭାବେ ଦେବଦତ୍ତଙ୍କୁ ଦେଖିବାଲାଗି ଚାହିଁଥିଲା ଚାରୁଲତା–ଯାହାର ପ୍ରଶଂସାରେ ସମସ୍ତେ ଗର୍ବ କରୁଥିବେ । କିନ୍ତୁ ସେଦିନ ତାଙ୍କୁ ଦେଖି ସେ ଗର୍ବ କରିପାରୁ ନ ଥିଲା । ଅନ୍ୟମାନଙ୍କ ସାଙ୍ଗରେ ସ୍ୱର ମିଶେଇ ତାଙ୍କୁ ପ୍ରଶଂସା କରିପାରୁ ନ ଥିଲା । ସୁଖ ଓ ଯନ୍ତ୍ରଣା ମିଶାମିଶି ଏକ ଅନୁଭବରେ ସେ ସନ୍ତୁଳି ହେଉଥିଲା ।

 

ଚାରୁଲତା କୌଣସି ଦିନ ଦେବଦତ୍ତକୁ କୃତଜ୍ଞ ମୁଦ୍ରାରେ ଦେଖିବାକୁ ଚାହିଁ ନ ଥିଲା । ସେ ବରଂ ଖୁସି ହେଉଥିଲା ଯେ, ଜୀବନର ଆଉ ଗୋଟିଏ ଦିଗ ସହ ଦେବଦତ୍ତ ତାର ପରିଚୟ କରାଇ ଦେଇଥିଲା । ତାହା ହୋଇ ନ ଥିଲେ ହୁଏତ ଆହୁରି କେତେ ବର୍ଷ ସେ ଜୀବନକୁ ଭଲ ଘର, ଦାମୀ ଗାଡ଼ି, ମାଗିଲେ ମିଳିଯାଉଥିବା ଖୁସି ଓ ଇଚ୍ଛାର ଗୋଟେ ମନୋହାରୀ ଦୋକାନ ଭାବି ରହିଥାଆନ୍ତା-। ଦେବଦତ୍ତକୁ ଖୁସି କରିବା ପାଇଁ ତାର ସବୁତକ ଉଦ୍ୟମ ତେଣୁ ଚାରୁଲତା ପାଇଁ ଥିଲା ଜୀବନ ପାଖେ ଗୁରୁଦକ୍ଷିଣା ।

 

ସେଦିନ ଚାରୁଲତା କହିଥିଲା, “ସମ୍ପର୍କକୁ ସବୁବେଳେ ସର୍ତ୍ତର ସନ୍ଧି ବୋଲି ଭାବିବସିବ ନାହିଁ ଦେବଦତ୍ତ । ସେମିତି ଭାବିଲେ ତୁମର ମୋର ସମ୍ପର୍କ ଗୋଟେ ମହାଜନ ଓ ଖାତକର ସମ୍ପର୍କ ପରି ହୋଇ ପଡ଼ିବ ।”

 

ଦେବଦତ୍ତ ଆଖି ତଳକୁ କରିନେଇଥିଲା । କହିଥିଲା, “ତୁମର ଋଣ ମୁଁ ଜୀବନରେ କେବେ ବି ଶୁଝିପାରିବି ନାହିଁ ।”

 

ଚାରୁଲତା କହିଥିଲା, “ତୁମେ ତ କୋଉକାଳୁ ସେ ଋଣ ଶୁଝିଦେଇ ସାରିଛ । ଗଛଟିଏ ଯଦି ତା ପବନର ବିଛଣାରେ କ୍ଳାନ୍ତ ବାଟୋଇକୁ ବିଞ୍ଛିଦେଇପାରେ, ଫୁଲର ମହକରେ ମହକେଇ ଦେଇପାରେ ତାର ଚାରିପାଖ, ଫଳରେ ଭରି ଦେଇପାରେ କ୍ଷୁଧାର୍ତ୍ତର କ୍ଷୁଧା, ତାହାହେଲେ ମାଳୀକୁ ତାର ଝାଳ, ଖତ ଓ ମାଟିର ମୁଦ୍ରାରେ ଋଣ ପରିଶୋଧ କରିବା ଅର୍ଥହୀନ ।”

 

ଚାରୁଲତାର ମନପଡ଼େ ଦେବଦତ୍ତର ଭାଷଣ ଶୁଣିବାର ପ୍ରଥମ ଅନୁଭବ । ନାରୀର ମୂଲ୍ୟ–ଏଇ ଥିଲା ଦେବଦତ୍ତ ଭାଷଣର ପ୍ରସଙ୍ଗ । ସେଦିନ ସେ ସାବିତ୍ରୀ-ସତ୍ୟବାନ, ଦ୍ରୌପଦୀ-ଯୁଧିଷ୍ଠିର, ଗରିବ ମା ଓ ରାଜା ଝିଅ ପ୍ରେମରେ ଅନ୍ଧ ହୋଇଥିବା ପୁଅର ଉଦାହରଣ ନେଇ ନିଜ ବକ୍ତୃତାଟିକୁ ଏଭଳି ଉପସ୍ଥାପନ କରିଥିଲା ଯେ ପ୍ରେକ୍ଷାଳୟର ଶ୍ରୋତାମାନେ ସ୍ତବ୍ଧ ହୋଇଯାଇଥିଲେ-। କରତାଳିରେ ସମୁଦାୟ ହଲ୍‌ଟି ବାରମ୍ବାର ପୂରିଉଠିଥିଲା । ମଞ୍ଚ ଉପରୁ ଓହ୍ଲାଇବା କ୍ଷଣି ପୁଅଝିଅମାନେ ଦେବଦତ୍ତକୁ ଘେରି ଯାଇଥିଲେ । ଏତେ କମ୍‌ ବୟସର ଯୁବକ ଭିତରେ ଏତେ ପ୍ରତିଭା !

 

ଲେଖୁଥିବା ଚିଠିଟିକୁ ବନ୍ଦ ଲଫାପା ଭିତରେ ଭରି ବନ୍ଦ କଲା ଚାରୁଲତା ।

 

ପୁଣିଥରେ ପଛଦିନର କଥାଗୁଡ଼ିକ ମନେପଡ଼ୁଥିଲା ।

 

କମିଶନର ଆସିବେ ବୋଲି ତାଙ୍କର ଛପର ବିହୀନ ସ୍କୁଲର ବିଷଣ୍ଣ ଚେହେରା କେମିତି ଖୁସି ଖୁସି ଦିଶୁଥିଲା । ବାତ୍ୟା ବୋହିଯିବାର ବର୍ଷେ ପୂରିଗଲାଣି, ଏହା ଭିତରେ ସରକାର ବଦଳିଗଲେଣି, କିନ୍ତୁ କେହି ପାଟପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟର ସମସ୍ୟାଟିକୁ ବୁଝୁନାହାନ୍ତି । ଏବେ ଖରା କି ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ସୁଦ୍ଧା ଟିକିଏ ଜାଗା ନାହିଁ । ବହୁଦିନ ପରେ ଅଫିସ୍‌ ଘରଟିକୁ ଟିଣ ଛପର ପକେଇ ମାଷ୍ଟରମାନେ ମରାମତି କରିଛନ୍ତି । ବାକି ଘରଗୁଡ଼ାକ ସେମିତି ଦିଶୁଛି ଭୂତକୋଠି ପରି ।

 

ସେମିତି ଗୋଟେ ପରିତ୍ୟକ୍ତ ପରିବେଶରେ କମିଶନର୍‌ଙ୍କ କାର୍‌ରୁ ଦେବଦତ୍ତକୁ ଓହ୍ଲେଇବାର ଦେଖି ଚାରୁଲତା ଗୋଟାପଣେ ପଥର ମୂର୍ତ୍ତି ପାଲଟି ଯାଇଥିଲା । ତାକୁ ଲାଗିଥିଲା ସେ ସ୍ୱପ୍ନ ଦେଖୁନାହିଁ ତ !

 

କିନ୍ତୁ ଦେବଦତ୍ତଙ୍କ ମୁହଁର ଆଶ୍ଚର୍ଯ୍ୟ ଭାବ ତାର ବିସ୍ମୟଠାରୁ କେଇଗୁଣ ଅଧିକ ଥିଲା । ଏମିତି ବିସ୍ମିତ ହେବାର ବା କଣ ଥିଲା ? ଦେବଦତ୍ତ କଣ ଧରିନେଇଥିଲା ଯେ ଚାରୁଲତା ମରିଯାଇଛି ! ତା ପାଟିରୁ ଦେବଦତ୍ତ ଉଦ୍ଦେଶ୍ୟରେ କେତେଗୁଡ଼ିଏ ଶବ୍ଦ ବାହାରି ଆସୁଥିଲା । ସେ ଆବେଗ ମୁହଁକୁ ପଥରର ଚାପା ଦେଇ ବନ୍ଦ କରିଦେଲା ।

 

ସେଇ ଦେବଦତ୍ତ, ଯିଏ ପ୍ରଥମ ଦେଖାଚାହାଁ ବେଳେ ସିଧା ସିଧା ଅନେଇ ପାରି ନଥିଲା ଚାରୁଲତାର ମୁହଁକୁ, ସିଏ ତାକୁ ନିଭୃତରେ କହିଥିଲା, ‘ତମେ ତମ ମଥାରୁ ଏ ସିନ୍ଦୂର ଟୋପା ପୋଛିଦିଅ ।’

 

ଚାରୁଲତାର ପାଦ ସତେ କି ଗୋଟେ ସାପ ଉପରେ ପଡ଼ିଯାଇଥିଲା । ତାର ମୁଣ୍ଡ ଚକ୍ରି ପରି ଘୂରି ଯାଇଥିଲା । ସେ ସ୍ତବ୍ଧ ହୋଇଯାଇଥିଲା । କୌଣସି ବିବାହିତା ସ୍ତ୍ରୀକୁ କଣ କେହି ଏଭଳି ପ୍ରସ୍ତାବ ଦେଇପାରେ ? ନିଜର ସ୍ୱାମୀ ବଞ୍ଚି ଥାଉ ଥାଉ ଜଣେ ସ୍ତ୍ରୀ କଣ ତା ମଥାରୁ ସିନ୍ଦୂର ପୋଛିଦେଇପାରେ ?

 

ଚାରୁଲତାର ହାତ ନିଜର ଅଜାଣତରେ ନିଜ କପାଳ ଉପରେ ଘୂରି ଆସିଲା । ମନେ ପଡ଼ିଲା ପ୍ରଥମ ଥର ସିନ୍ଦୂର ଟୋପା ପିନ୍ଧିବାର ସେଇ ପୁଲକମୟ ଅନୁଭୂତି । ସେଦିନ ଏଇ ସିନ୍ଦୂର ଟୋପାକ କେତେ ମୂଲ୍ୟବାନ ମନେ ହୋଇ ନ ଥିଲା ଚାରୁଲତାର ?

 

ପୂର୍ବ ଯୋଜନା ଅନୁସାରେ ଚାରୁଲତା ସେଦିନ ରାତି ଅନ୍ଧାରରେ ନିଜ ବାପାଙ୍କ ଘରୁ ଗୋଟାଏ ସୁଟ୍‌କେସ୍‌ ନେଇ ବାହାରି ଯାଇଥିଲା । କଥା ଥିଲା, ଦେବଦତ୍ତ ଓ ସେ ଦୁହେଁ କଲେଜ ପାଖ କୃଷ୍ଣଚୂଡ଼ା ଗଛମୂଳେ ପରସ୍ପରକୁ ଭେଟିବେ । ତାପରେ ସେମାନେ ଦୂର ସହରକୁ ଚାଲିଯିବେ-

 

ଦିହେଁ ହାତ ଧରାଧରି ହୋଇ ଯାଇଥିଲେ ମନ୍ଦିର । ଦେବତାଙ୍କ ସମ୍ମୁଖରେ ତାକୁ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ ଦେବଦତ୍ତ । ଉପହାର ଭାବେ ତାକୁ ଗୋଟେ ସୁନ୍ଦର ସିନ୍ଦୂର ଫରୁଆ ଦେଇଥିଲେ ।

 

ନିଜ ବାହାଘର ସମ୍ପର୍କରେ ସବୁ ଝିଅଙ୍କ ପରି ଚାରୁଲତାର ବି ଶହେଏକ ପ୍ରକାର ଚିତ୍ର ମନର କାନ୍ଥ ଉପରେ ଝୁଲି ରହିଥିଲା । କେମିତି ସେ ବୋହୂ ବେଶ ହେବ, ପାଟଶାଢ଼ି ପିନ୍ଧିବ, କପାଳରେ ପିନ୍ଧିବ ଚନ୍ଦନ ଓ କୁଙ୍କୁମ, ହାତର କହୁଣି ଅଧାଯାଏ ପାଣିକାଚ, ପାଦରେ ଅଳତା, ଦେହସାରା ହଳଦୀ–ସେସବୁ ସେ ବହୁଥର ଭାବିଥିଲା । ବାଡ଼ୁଅ ଗାଧୁଆଠୁଁ ନେଇ ଝିଅ ବିଦାୟ ପର୍ଯ୍ୟନ୍ତ ବାହାଘରର ସବୁ ଦୃଶ୍ୟ ସେ ସାଇତି ରଖିଥିଲା ତା ଛାତି ଭିତରେ । ମାତ୍ର ସବୁଯାକ ବଦଳିଯାଇଥିଲା ନାଟକୀୟ ଭାବରେ । ଅଥଚ ଯେଉଁ ସିନ୍ଦୂର ଟୋପାକ ପାଇଁ ସେ ତା ବାପା-ବୋଉଙ୍କ ସବୁ ଯୋଜନାକୁ ନିଜ ହାତରେ ଉଜେଇଁ ଦେଇ ଆସିଲା, ସେଇ ସିନ୍ଦୂର ଟୋପାକୁ ଗୋଟେ କଳାଦାଗ ପରି ପୋଛିଦେବା ପାଇଁ କିଭଳି କହିପାରିଲା ଜଣେ ଉଚ୍ଚଶିକ୍ଷିତ ଯୁବକ !

 

ପନ୍ଦର ବର୍ଷ ତଳେ, ଏକ ନିରୋଳା ଲଗ୍ନରେ, ପାଞ୍ଚ ମିନିଟ୍‌ ଭିତରେ ସେମାନଙ୍କର ବାହାଘର ସରିଥିଲା । ଏ ବିବାହର ସାକ୍ଷୀ ଥିଲେ ଜଣେ ନିର୍ଜୀବ ଦେବତା ଓ କିଛି ନିରବ ଅନ୍ଧାର । ପ୍ରାଣଠୁଁ ଭଲପାଉଥିବା ମଣିଷକୁ ଜୀବନସାଥୀ ଭାବେ ପାଇବାଠୁଁ ବଳି ପ୍ରାପ୍ତି ବା ଆଉ କଣ ହୋଇପାରେ–ଚାରୁଲତା ସେଦିନ କହିଥିଲା ଏବଂ ଦୁଇ ଆଖି ବୁଜି ନିଜର କପାଳକୁ ନୁଆଁଇ ଦେଇଥିଲା । ଜୀବନସାରା ତା ହାତଧରି ଚାଲିବାର ସଂକଳ୍ପ କରିଥିବା ପୁରୁଷଟି ସେଇ କପାଳରେ ପିନେ୍ଧଇ ଦେଇଥିଲା ଗୋଟେ ବଡ଼ ସିନ୍ଦୂର ଟୋପା ।

 

ପରଦିନ ଘର ଛାଡ଼ିବାବେଳେ ଚାରୁଲତାର ମନ ଭିତରଟା ଆଦୌ ଦୁର୍ବଳ ଲାଗି ନ ଥିଲା-। ସେ ନିଶ୍ଚିତ ଥିଲା ଯେ, ଯାହା କିଛି କରୁଛି, ତା ପଛରେ ବିବେକର ସମର୍ଥନ ରହିଛି । ଏଥିପାଇଁ ବାପା, ମା କି ସାନଭଉଣୀ ତାକୁ ଭୁଲ୍‌ ଭାବିଲେ ଭାବିବେ ସିନା, କିନ୍ତୁ ଅନ୍ୟ କିଛି କରିପାରିବ ନାହିଁ-। ଯେହେତୁ ବାପା ପ୍ରସ୍ତାବଟାକୁ ଗ୍ରହଣ କରିପାରୁନାହାନ୍ତି, ସେଇହେତୁ ସେ ଲୁଚିଛପି ଚାଲିଯାଉଛି । ବାପା ଯେଉଁଦିନ ଧନୀ-ଗରିବ, ଉଚ୍ଚ-ନୀଚ୍ଚର ଭେଦଭାବକୁ ଡେଇଁ ସେ ଦୁହିଁଙ୍କୁ ଗ୍ରହଣ କରିବେ, ସେଦିନ ସେ ପୁଣି ତାଙ୍କ ପାଖକୁ ଫେରିଆସିବ ।

 

ଦିନ ଆଲୁଅରେ ପରିଚିତ ଲାଗୁଥିବା କୃଷ୍ଣଚୂଡ଼ା ଗଛଟା ରାତି ଅନ୍ଧାରରେ ଭୟଙ୍କର ଦୈତ୍ୟ ପରି ଦିଶିଥିଲା । ସେଇ ଅନ୍ଧାର ଭିତରେ ଚବିଶ ବର୍ଷର ଚାରୁଲତା ଅପେକ୍ଷା କରିଥିଲା ଅନେକ ସମୟ । କିନ୍ତୁ ତାର ଆପଣାର ମଣିଷଟି ଆସି ନ ଥିଲା, ହୁଏତ ଆସିପାରି ନ ଥିଲା । ପାହାନ୍ତା ହେବା ଆଗରୁ ନିଜ ଲାଜତକ ନିଜେ ଢାଙ୍କି ଧରି ସେ ଘରକୁ ଫେରି ଯାଇଥିଲା ।

 

ତାପରେ ସମସ୍ତଙ୍କର ସବୁ ଅପମାନକୁ ଢୋକି ସେ ଅପେକ୍ଷା କରିଥିଲା ପନ୍ଦର ବର୍ଷ । ପ୍ରଥମେ ପ୍ରଥମେ ମା ତାର ସିନ୍ଦୂର ପିନ୍ଧିବାକୁ ବିରୋଧ କରୁଥିଲା । କିନ୍ତୁ ଦିନେ ସେ ଚାଲିଗଲା । ବାପା ଘୋଷଣା କରିଦେଲେ, ଚାରୁଲତା ପାଗଳୀ ହୋଇଯାଇଛି । ସାଇକିଆଟ୍ରିଷ୍ଟ ଆସି ଚିକିତ୍ସା କଲେ । ସବୁଦିନ ପଚିଶ ପ୍ରକାର ପ୍ରଶ୍ନର ସାମ୍ନା କଲା ଚାରୁଲତା । ଶେଷକୁ ଚାଲି ଆସିଲା ପାଟପୁର, ପନ୍ଦର ବର୍ଷ ହେଲା ଯେଉଁ ଗାଁ ସ୍କୁଲର ଗଣିତ ଶିକ୍ଷୟିତ୍ରୀ ଭାବେ ସେ କାମ କରୁଛି ।

 

ଚାରୁଲତା ବାରମ୍ବାର ଜାଣିବାକୁ ଚାହିଁଛି, କାହିଁକି ସେଦିନ କଥାଦେଇ ଆସିଲେ ନାହିଁ ଦେବଦତ୍ତ ? କୌଣସି ଦିନ ଚାରୁଲତା କେବେ ତା ଆଡ଼ୁ ବିବାହର ପ୍ରସ୍ତାବ ଦେଇ ନ ଥିଲା । କେବେ ନିଜକୁ ବା ନିଜର କାମନାକୁ ଲଦିଦେଇ ନ ଥିଲା ପ୍ରିୟ ପୁରୁଷଟି ଉପରେ । ସେ ତ କେବଳ ତାଙ୍କ ଇଚ୍ଛାକୁ ସମର୍ଥନ ଜଣେଇଥିଲା, ତାଙ୍କ ‘ହଁ’ରେ ‘ହଁ’ ମିଳେଇଥିଲା ।

 

ବହୁ ନିଃସଙ୍ଗ ରାତି ଗୋଟେ ଛିଣ୍ଡୁ ନ ଥିବା ହରଣ କଷିବାର ଅସ୍ୱସ୍ତିକର ଓ ଗଳଦ୍‌ଘର୍ମ ପରିଶ୍ରମ ଭିତରେ ବିତିଯାଇଛି । ତା ଭିତରେ କେତେବେଳେ ବର୍ଷା, ବସନ୍ତ ଆସି ଚାଲିଯାଇଛନ୍ତି, ତାର ହିସାବ ସେ ରଖିନାହିଁ । କେତେବେଳେ ଗହଳ ବାଳ ଭିତରୁ ଧଳା ବାଳ ସବୁ ଉପରକୁ ଉଠି ଆସିଛନ୍ତି ସେକଥା ମଧ୍ୟ ସେ ଭାବିନାହିଁ । ସେ କେବଳ ଅପେକ୍ଷା କରିଛି, ଆଜି ନ ହେଲେ କାଲି, କାଲି ନ ହେଲେ ପଅରିଦିନ, ପଅରିଦିନ ନ ହେଲେ ତା ପରଦିନ ତାର ଶୂନ୍ୟ କପାଳରେ ସିନ୍ଦୂରଟୋପା ଭରି ଦେଇଥିବା ମଣିଷଟି ଫେରିବ ।

 

କିନ୍ତୁ ସବୁଯାକ ଆଶା ବ୍ୟର୍ଥ ହୋଇଛି । ସେ ଆସିବା ତ ଦୂରର କଥା, ତାଙ୍କର ଚିଠି ଖଣ୍ଡେ ମଧ୍ୟ ଆସିନାହିଁ । ସେ କେବଳ ଖବର ଶୁଣିଛି, ତାଙ୍କର ବିଦେଶ ଯାତ୍ରାର କଥା, ଭଲ ଚାକିରି ପାଇବାର ସମ୍ବାଦ ଏବଂ ରାଜ୍ୟ ବାହାରେ ନିଯୁକ୍ତି ପାଇବାର ଖବର ।

 

ଦେବଦତ୍ତଙ୍କ ବିଷୟରେ ପ୍ରତିଟି ଖବର ଶୁଣିବା ପରେ ସେ ଖୁସିରେ ଅଧୀର ହୋଇ ମନ୍ଦିରକୁ ଦଉଡ଼ିଯାଇଛି । ନିର୍ଜୀବ ଦେବତାର ପାଦରେ ଫୁଲ ଚଢ଼େଇଛି, ଭୋଗ ଲଗାଇଛି, ଧୂପ ଜାଳିଛି ଓ ଗଳବସ୍ତ୍ର ହୋଇ ପ୍ରଣାମ କରିଛି । ସେ ଯେଉଁଠି ଥାଆନ୍ତୁ, ସୁଖରେ ଥାଆନ୍ତୁ ବୋଲି ପ୍ରାର୍ଥନା କରିଛି । ସେଠୁ ଫେରିଆସି ପୁଣି ଅପେକ୍ଷା କରିଛି । କେବେ ତାଙ୍କ ସାଙ୍ଗେ ଦେଖାହେବ ଓ ସେ ପଚାରିବ, ‘କାହିଁକି ସମସ୍ତଙ୍କ ଆଗରେ ହଟହଟା କରି ମୋତେ ଚାଲିଗଲ ? ଏଭଳି କି ଭୁଲ୍‌ ମୁଁ କରିଥିଲି ତମ ପାଖରେ ?’

 

ଚାରୁଲତା ସିନ୍ଦୂର ପୋଛିଦେବାର ପ୍ରସ୍ତାବ ଶୁଣୁ ଶୁଣୁ କାଲି ସ୍ତବ୍ଧ ହୋଇ ଯାଇଥିଲା । ପଚାରିଥିଲା, ‘କିନ୍ତୁ କାହିଁକି ? ସିନ୍ଦୂର ତ କୁଙ୍କୁମ ନୁହେଁ, ଯାହାକୁ ଯେଉଁଦିନ ଚାହିଁବ ଝିଅଟିଏ ପିନ୍ଧିପାରିବ, ଯେଉଁଦିନ ଚାହିଁବ ନାହିଁ ସେଦିନ ପିନ୍ଧିବାକୁ ଭୁଲିଯିବ ।’

 

: ତଥାପି ତମେ ପୋଛିଦିଅ । ଏପରି ଜିଦ୍‌ର ଅର୍ଥ କିଛି ହୁଏ ନାହିଁ । –ଦେବଦତ୍ତ କହିଥିଲା ।

 

: ଜଣେ ବିବାହିତା ନାରୀକୁ ତା ମଥାର ସିନ୍ଦୂର ପୋଛିଦେବା ପାଇଁ କହିବାର ଅର୍ଥ କଣ ତୁମେ ବୁଝୁଛ ତ ?

 

ଦେବଦତ୍ତ ଚମକି ପଡ଼ିଥିଲା ।

 

ଚାରୁଲତା ଯଥା ସମ୍ଭବ ସ୍ୱରକୁ ନରମେଇ ପଚାରିଥିଲା, ‘ତୁମେ ଏମିତି କାହିଁକି କଲ ଦେବଦତ୍ତ, କାହିଁକି ?’

 

ଦେବଦତ୍ତ ନିରବ ରହିଥିଲା ।

 

ସେଇ ମୁହୂର୍ତ୍ତରେ ଶ୍ୱଶୁରଙ୍କ ଅର୍ଥରେ ବିଦେଶ ଯିବାର ଯୋଜନା ଓ ଚାରୁଲତାକୁ ଭୁଲିଯିବାର ସ୍ୱାର୍ଥପରତା ହୁଏତ ତାକୁ ଏତେ ଟିକେ କରିଦେଉଥିଲା । ସେ କଦାପି ଭାବି ନ ଥିଲା ଯେ, ଏପରି ନାଟକୀୟ ଭାବେ ଚାରୁଲତା ସାଙ୍ଗେ ତାର ଦେଖା ହୋଇଯିବ । କହିଥିଲା, ‘ତୁମ କପାଳର ସେଇ ସିନ୍ଦୂର ଟୋପାଟି ଦେଖିବାକ୍ଷଣି ମୁଁ ଡରିଯାଉଛି ଚାରୁଲତା । ମୋର କୌଣସି କଥା ମନେ ରହୁନାହିଁ । ମୋତେ ଲାଗୁଛି, ମୁଁ ବୋଧହୁଏ ଅପରାଧବୋଧର ଗ୍ଳାନିରେ ପାଗଳ ହୋଇଯିବି-।’

 

: କିନ୍ତୁ ମୁଁ ଏ ସିନ୍ଦୂରଟୋପାଟି ପୋଛି ଦେଇପାରିବି ନାହିଁ । ଆଜି ପର୍ଯ୍ୟନ୍ତ ଏହାକୁ ଦେଖି ସମସ୍ତେ ମୋତେ ବିବାହିତା ବୋଲି ଜାଣିଛନ୍ତି । ସ୍ୱାମୀ କଣ କରନ୍ତି, କେଉଁଠି ରହନ୍ତି ବୋଲି ଜାଣିବାକୁ ଚାହିଁଛନ୍ତି । ଅଥଚ ସେମାନଙ୍କ ଯାବତୀୟ କୌତୂହଳକୁ ଏଡ଼ାଇ ଯାଇ ମୁଁ ନିରବ ରହିଛି । କାଲି ସେଇମାନେ ମୋର ଶୂନ୍ୟ କପାଳକୁ ଦେଖି ହୁଏତ ଆହୁରି ଲକ୍ଷେ ପ୍ରଶ୍ନ ପଚାରିବେ । ସେମାନଙ୍କୁ ମୁଁ କି ଉତ୍ତର ଦେବି ? –ଚାରୁଲତା କହିଥିଲା ।

 

: କିନ୍ତୁ ତାହା କଣ ଗୋଟେ ପାଗଳାମି ନୁହେଁ ?

 

: ତୁମ ପାଇଁ ହୋଇପାରେ, କାରଣ ତୁମେ ପୁଅ ଏବଂ ପୁଅମାନଙ୍କୁ ସିନ୍ଦୂର ପିନ୍ଧିବାକୁ ପଡ଼େ ନାହିଁ ।

 

: କିନ୍ତୁ... । –ଦେବଦତ୍ତ କଥା ସମ୍ପୂର୍ଣ୍ଣ କରିପାରି ନ ଥିଲା ।

 

: ମୋର ଦୁଃଖ ଏତିକି ଯେ ଏତେଦିନ ଯାଏ ଜଣେ ଭୀରୁକୁ ଭଲପାଇ ଆସୁଥିଲି, ଯିଏ ସମ୍ପର୍କକୁ ଶିଡ଼ି ଭଳି ବ୍ୟବହାର କରି ଜାଣେ ।

 

ଚାରୁଲତାର ନାକପୁଡ଼ା ଫୁଲି ଉଠୁଥିଲା । ପ୍ରଚଣ୍ଡ କ୍ରୋଧରେ ତାର ସର୍ବାଙ୍ଗ ଜଳୁଥିଲା ।

 

ଦେବଦତ୍ତ ଚାରୁଲତାକୁ ସାନ୍ତ୍ୱନା ଦେବାକୁ ଉଠିଆସୁଥିଲା । ମାତ୍ର ସ୍ଥାନ, କାଳ ଓ ପାତ୍ରର ବିବେଚନା ତାକୁ ସେଇଠି ରୋକି ଦେଇଥିଲା ।

 

ଚାରୁଲତା ଫେରିଆସିଥିଲା ନିଜର ଦୁଇ ବଖୁରିକିଆ ଭଡ଼ାଘରକୁ । ତକିଆ ଉପରେ ମୁହଁ ଲୁଚେଇ କାନ୍ଦିଥିଲା ଅନେକ ସମୟ । ପନ୍ଦର ବର୍ଷର ଅଭିମାନ, ଅପମାନ ଓ ଅସହାୟତା ସବୁ ସେହି ଲୁହ ଦେଇ ବୋହିଯାଇଥିଲା ।

 

ମନେ ପଡ଼ିଥିଲା, ଦେବଦତ୍ତର ପ୍ରସ୍ତାବ, ‘ତୁମେ ବାହା ହୋଇଯାଅ । ଗୋଟେ ଭୀରୁ ଓ ପ୍ରତାରକ ପାଇଁ ନିଜର ଅବଶିଷ୍ଟ ଜୀବନ ନଷ୍ଟ କରିଦିଅ ନାହିଁ ।’

 

ଗତକାଲି ସେ ପ୍ରସ୍ତାବର ଉତ୍ତର କିଛି ଦେଇ ନ ଥିଲା ଚାରୁଲତା । ଆଜି କିନ୍ତୁ ସେ ଚିଠିରେ ସେଇକଥା ଲେଖିଥିଲା ।

 

ସେ ଲେଖିଥିଲା, ‘ଅବଶିଷ୍ଟ ଜୀବନ କେମିତି କାଟିବି ବୋଲି ତୁମେ ପଚାରିଥିଲ ଦେବଦତ୍ତ ! ଅଧା ଜୀବନ ପ୍ରେମରେ ବିତିଗଲା, ଅବଶିଷ୍ଟ ଜୀବନ ପ୍ରତାରଣାରେ ବିତିଯିବ । ତୁମେ ନିଶ୍ଚିତ ରୁହ, ମୋ ସିନ୍ଦୂରଟୋପାର ରହସ୍ୟ କେବଳ ମୋଅରି ସାଙ୍ଗରେ ରହିଛି, ମୋଅରି ସାଙ୍ଗରେ ମଶାଣିକୁ ଯିବ । ଭଲପାଇବାର ସେଇ ଦାଗକୁ କିନ୍ତୁ ତମେ ଚାହିଁଲେ ବି ଲିଭେଇ ପାରିବ ନାହିଁ ।’

☆☆☆

 

ଭୀରୁ ପୁରୁଷ

 

ନନ୍ଦିତାର ଜହ୍ନ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ତା ସାଙ୍ଗରେ ଟୁକୁଡ଼ା ଟୁକୁଡ଼ା ହୋଇଯାଇଥିଲା ତାର ସବୁତକ ସ୍ୱପ୍ନ । ଏମିତି ଦୟନୀୟ ଭାବରେ ସେସବୁ ଭାଙ୍ଗିଯାଇଥିଲା ଯେ ତାକୁ ଆଉ କୌଣସି ପ୍ରକାରେ ଯୋଡ଼ିହେବ ନାହିଁ ।

 

ଦିଲ୍ଲୀ ଆସିବା ଆଗରୁ ଏ ସଂପର୍କରେ ଯଦି ଏତେ ଟିକେ ଆଶଙ୍କା କରିଥାନ୍ତା, ତାହାହେଲେ ନନ୍ଦିତାକୁ ଏବେ ଏତେ କଷ୍ଟ ହୁଅନ୍ତା ନାହିଁ । କିନ୍ତୁ ସେ ନିଜେ ହିଁ ନିଜର ଓ ତା ସାଙ୍ଗରେ ବାବା-ମାଆଙ୍କର ଆଶା ବଢ଼େଇ ଦେଇଥିଲା । ପରିଣତି ପାଇଁ ଏବେ ସେ ହିଁ ଏକା ଦାୟୀ-

 

ନନ୍ଦିତା ଆମେରିକାର ଆଟଲାଣ୍ଟାରେ ରହେ । ବାବା-ମା ବି ରହନ୍ତି ଆମେରିକାରେ, ନ୍ୟାସଭିଲ୍‌ରେ । ନନ୍ଦିତାର ଜନ୍ମ ହୋଇଥିଲା ଭାରତରେ, କିନ୍ତୁ ସ୍କୁଲ-କଲେଜର ପାଠପଢ଼ା ସବୁ ସେଇଠି । ସେ ମୂଷାଛୁଆଟିଏ ପରି ସାନ ହେଇଥିବା ବେଳେ ତା ବାବା-ମା ତାକୁ ସାଙ୍ଗରେ ନେଇ ସେଠିକି ଚାଲିଯାଇଥିଲେ ।

 

ନନ୍ଦିତା ସେଇଠି ପାଠ ପଢ଼ିଲା, ସେଇଠି ଚାକିରି କଲା । ଷୋଅଳ ବର୍ଷ ହେଇଗଲେ ଷ୍ଟେଟ୍‌ସରେ ପିଲାଏ ଆଉ ବାପା-ମାଆଙ୍କ ପରିବାରରେ ରହନ୍ତି ନାହିଁ । ନନ୍ଦିତାକୁ ବି ରହିବାକୁ ପଡ଼ିଲା ନାହିଁ । କଲେଜରୁ ବାହାରୁ ନ ବାହାରୁଣୁ ତାକୁ ଗୋଟେ କାମ ମିଳିଗଲା । ସେ ଚାଲିଯାଇଥିଲା ଆଟଲାଣ୍ଟା ।

 

ଦିଲ୍ଲୀ ଏୟରପୋର୍ଟରୁ ଆଉ ଗୋଟେ ଏରୋପ୍ଲେନ୍‌ ଟେକ୍‌ଅଫ୍‌ ନେଉଛି । ତାର ଉଜ୍ଜ୍ୱଳ ଆଲୁଅ ରାତି ଆକାଶକୁ ଅନାବଶ୍ୟକ ଭାବେ ଆଲୋକିତ କରିଦେଉଛି ।

 

ନନ୍ଦିତାର ଏବେ ଆଲୋକର ପ୍ରୟୋଜନ ନ ଥିଲା । ତାର ଦରକାର ଥିଲା କଳା କିଟିକିଟି ଅନ୍ଧାର, ଯାହା ଭିତରେ ସେ ଓ ତାର ଅସ୍ତିତ୍ୱ ମିଶିଯାଆନ୍ତା । କେହି ତାକୁ ଦେଖିପାରନ୍ତେ ନାହିଁ ।

 

କାହା ଦ୍ୱାରା ପ୍ରତ୍ୟାଖ୍ୟାତ ହେବାର କଷ୍ଟ ଏଡ଼େ ଯନ୍ତ୍ରଣାଦାୟକ ବୋଲି ଆଗରୁ କେବେ ଜାଣି ନ ଥିଲା ନନ୍ଦିତା । କଥାଟି ଚିନ୍ତା କରି ନିଜକୁ ସଂଶୋଧନ କରିନେଲା ଭିତରେ ଭିତରେ । ସୁଜିତ୍‌ ତାକୁ ପ୍ରତ୍ୟାଖ୍ୟାନ କରିନାହିଁ । ଏବେ ବି କାଳେ ସେ ନନ୍ଦିତାକୁ ଭଲପାଏ ପ୍ରଚୁର । କିନ୍ତୁ ବାପା-ମାଆଙ୍କୁ ସେ କଷ୍ଟ ଦେଇପାରିବ ନାହିଁ । ସେଇ ସୁଜିତ୍‌ର ଅସାମର୍ଥ୍ୟ ।

 

ନନ୍ଦିତା ସୁଜିତ୍‌ର କଥାଗୁଡ଼ାକୁ ମନ ଭିତରେ ଦୋହରେଇଲା । ସୁଜିତ୍‌ କହିଥିଲା, “ମୋତେ ଭୁଲ୍‌ ବୁଝିବ ନାହିଁ ନନ୍ଦିତା । ଆମର ଖୁବ୍‌ ରକ୍ଷଣଶୀଳ ପରିବାର । ମୋ ପାଇଁ ମୋ ବାପା-ମା କଷ୍ଟ ପାଇବେ, ଏକଥା ତୁମେ ବି ହୁଏତ ଚାହିଁବ ନାହିଁ ।”

 

ନନ୍ଦିତା କିଛି ପ୍ରତିକ୍ରିୟା ଜଣେଇବା ଆଗରୁ ସୁଜିତ୍‌ ସେଦିନର ଖବରକାଗଜ ଦେଖେଇଥିଲା । ତାଙ୍କ ସଂପ୍ରଦାୟର ପୁଅଟିଏ ପରିବାରର ବିନା ଅନୁମତିରେ ବାହା ହୋଇଯାଇଥିବାରୁ ଶହ ଶହ ଲୋକଙ୍କ ଆଗରେ ପୁଅଝିଅ ଯୋଡ଼ିକଙ୍କୁ ଗାଁ ଲୋକେ ଫାଶୀ ଦେଇ ଦେଇଥିଲେ । କହିସାରି ଯୋଡ଼ିଥିଲା, “ମୋ ବାପା-ମାଆ ଏତେ କଠୋର ନୁହନ୍ତି, କିନ୍ତୁ ସାହିଭାଇଙ୍କ ସାଙ୍ଗେ ଲଢ଼ିବା ଲାଗି ସେମାନଙ୍କର ସାମର୍ଥ୍ୟ ନାହିଁ ।”

 

ନନ୍ଦିତା କିଛି କହି ନ ଥିଲା । ତିନି ବର୍ଷ ହେଲା ଯେଉଁ ଲୋକଟିକୁ ସବୁଠୁ ସାହସୀ ବୋଲି ମନେ ମନେ ଭାବି ଆସିଥିଲା, ଆଜି ତା ମୁହଁରୁ ଏସବୁ ଶୁଣିଲା ପରେ ତାର ଆଉ କିଛି କହିବା ପ୍ରୟୋଜନ ନ ଥିଲା ।

 

ଆମେରିକାରେ ଥାଇ ବି ଭାରତର ଏସବୁ କଥା ବିଷୟରେ ସେ ତା ବାବାଙ୍କଠାରୁ ଶୁଣେ-। ଭାରତର ପ୍ରେମକୁ ନେଇ ବହୁତ ସିନେମା ତିଆରି ହୁଏ । ଉପନ୍ୟାସ ଓ ଗପ ଲେଖାଯାଏ-। କିନ୍ତୁ ନିଜର ପୁଅ, ଝିଅ କାହାକୁ ଭଲପାଇ ବସିଲେ ବାପା, ମା ଓ ସମାଜ ସମସ୍ତେ ବିରୋଧ କରନ୍ତି । ମୁଜାଫରନଗରର କଥା ସେହି ଘଟଣା ଭିତରୁ ଗୋଟିଏ ।

 

ସୁଜିତ୍‌ର କଥା ଶୁଣିଲା ବେଳେ ତା ଦେହ ଶୀତେଇ ଉଠିଥିଲା । ଶହ ଶହ ଲୋକଙ୍କ ଆଗରେ ଗୋଟେ ପୁଅ ଆଉ ଝିଅକୁ ଫାଶୀ ଦେବା ପରି ବର୍ବରତା କଥା ସେ ଚିନ୍ତା କରିପାରୁ ନ ଥିଲା ।

 

କିନ୍ତୁ ସୁଜିତ୍‌ କଣ ଏସବୁ ବିଷୟରେ ଆଗରୁ ଚିନ୍ତା କରି ନ ଥିଲା ?

 

ସୁଜିତ୍‌ ତାଠୁଁ ବିଦାୟ ନେଇ ଗଲାବେଳେ ବହୁତ ଭାବପ୍ରବଣ ହୋଇପଡ଼ିଥିଲା । ତା ଭିତରର ଦୁଃଖକୁ ବୁଝିପାରୁଥିଲା ନନ୍ଦିତା । ସେ ଜାଣୁଥିଲା ଯେ ନିଜର ଅସହାୟତା ଯୋଗୁଁ ବାକ୍ୟଗୁଡ଼ାକର ଶେଷ ଶବ୍ଦ ସୁଜିତ୍‌ ଠିକ୍‌ ଭାବେ କହିପାରି ନ ଥିଲା ।

 

ବାବା କନ୍‌ଫରେନ୍‌ସରୁ ଫେରି ନାହାନ୍ତି । ଫେରି ଆସିବା ପରେ ହୁଏତ ଆଗେ ପଚାରିବେ ସୁଜିତ୍‌ର କଥା । ନନ୍ଦିତା କଣ କହିବ ତା ବାବାଙ୍କୁ । ସୁଜିତ୍‌ର କଥା ଶୁଣିବା ପରେ ବାବା ନିଜକୁ ସମ୍ଭାଳି ପାରିବେ ତ !

 

ଏଇ ମୁହୂର୍ତ୍ତରେ ତାର କଣ କରିବା ଦରକାର । ମାଆକୁ ଫୋନ୍‌ କରି ଆଗେ ଏ ଖବରଟା କହିଦେବ କି ! ସେ ହୁଏତ ବାବାଙ୍କୁ ଫୋନ୍‌ କରି ଆଗରୁ ପ୍ରସ୍ତୁତ କରିଦେବ ଏସବୁ ଶୁଣିବା ପାଇଁ ! କିନ୍ତୁ ସେ ନିଜେ କଣ ମାଆକୁ ଏକଥା କହିପାରିବ ?

 

ନନ୍ଦିତାକୁ ତା ସାଙ୍ଗମାନେ ଚିଡ଼ାନ୍ତି । କହନ୍ତି, ନନ୍ଦିତା ବହୁତ ବେଶି ପଜିସିଭ୍‌ । ଟିପିକାଲ୍‌ ଇଣ୍ଡିଆନ୍‌ ୱାଇଫ୍‌ ହେବାର ସବୁଯାକ ଗୁଣ ଅଛି ତା ପାଖରେ । ଯାହାକୁ ବାହାହେବ, ତା ବେକରେ ଚେନ୍‌ ବାନ୍ଧି ରଖିବ !

 

ନନ୍ଦିତା ଏଥିରେ ବିରକ୍ତ ହୁଏନାହିଁ । କହେ, ଏଇଟା ତା ଜିନ୍‌ର ଗୁଣ ।

 

କହିଦିଏ ସିନା, ଘରକୁ ଫେରି ଚିନ୍ତା କରେ । ସତରେ କଣ ସେ ବହୁତ ପଜିସିଭ୍‌, ବେଶି ସ୍ୱାର୍ଥପର !

 

ଆମେରିକାରେ ବଢ଼ୁଥିବା ସବୁ ଭାରତୀୟଙ୍କ ସମସ୍ୟା ପରି ନନ୍ଦିତାର ସମସ୍ୟା । ସେମାନେ ରକ୍ଷଣଶୀଳତାକୁ ଚାହିଁ ମଧ୍ୟ ଯେମିତି ଛାଡ଼ି ପାରନ୍ତି ନାହିଁ, ଆମେରିକା ସଂସ୍କୃତିକୁ ଚାହିଁ ମଧ୍ୟ ସେମିତି ଗ୍ରହଣ କରି ପାରନ୍ତି ନାହିଁ । ପୁଅସାଙ୍ଗ ସାଥିରେ ଡେଟିଂରେ ଯିବା, ବାହାଘର ଆଗରୁ ଖୋଲାଖୋଲି ଭାବେ ମିଶିବା ପାଇଁ ନନ୍ଦିତା ମନରେ କୁଣ୍ଠା ହୁଏ । କିନ୍ତୁ ଅନେକ ପୁଅ-ଝିଅଙ୍କ ପାଇଁ ପ୍ରାକ୍‌-ବିବାହ ସେକ୍ସ ଗୋଟେ ଉତ୍ତେଜନାପୂର୍ଣ୍ଣ ଖେଳ ।

 

ନନ୍ଦିତାର ଦେହ ଶୀତେଇ ଉଠେ!

 

ବାଳିକା-ମାତୃତ୍ୱର ଦୁର୍ଦ୍ଦଶା ପ୍ରସଙ୍ଗ ସବୁଦିନ ଟି.ଭି.ରେ ପ୍ରସାରିତ ହୁଏ । କୋଲ୍‌ଡ ଡ୍ରିଙ୍କ୍‌ସରେ ଆଲ୍‌କହଲ୍‌ ନ ହେଲେ ଡ୍ରଗ୍‌ସ ମିଶେଇ ବୟଫ୍ରେଣ୍ଡ୍‌ମାନେ ଗାର୍ଲଫ୍ରେଣ୍ଡ୍‌ଙ୍କ ସାଙ୍ଗେ ଦୁର୍ବ୍ୟବହାର କରିବାର ଖବର ବାହାରେ ଆମେରିକାର ଖବରକାଗଜରେ । ଏସବୁ ପଢ଼ି ଡେଟିଂ ପ୍ରତି ତାର ଭୟ ଆସିଯାଏ । ମନ ଭିତରେ ଭାରତୀୟ ବିବାହ ବ୍ୟବସ୍ଥା ପ୍ରତି ଦୁର୍ବଳତା ଜନ୍ମେ । ଭାରତୀୟ ସିନେମାରେ ବାହାଘରର ଛବି ଦେଖିଲେ ନନ୍ଦିତା ଖୁସି ହୋଇଯାଏ । ଅନେକଟା ରୋମାଣ୍ଟିକ୍‌ ଲାଗେ ତାକୁ ଭାରତର ବାହାଘର ବ୍ୟବସ୍ଥା ।

 

ନନ୍ଦିତାକୁ ତାର ବାବା-ମା ତାକୁ ଭାରତୀୟ ପିଲାଟେ ଖୋଜିବା ପାଇଁ କେବେ ବି ବାଧ୍ୟ କରି ନ ଥିଲେ । ଏଡ଼େ ବଡ଼ ଦେଶରେ, କେଇ ହଜାର ଭାରତୀୟ ରହନ୍ତି ବିକ୍ଷିପ୍ତ ଗ୍ରହ ପରି । କିଏ ସାନ୍‌ଫ୍ରାନସିସ୍‌କୋରେ ତ କିଏ ଆଟଲାଣ୍ଟାରେ । କିଏ ପ୍ରଶାନ୍ତ ମହାସାଗର କୂଳରେ ତ କିଏ ଆଟଲାଣ୍ଟିକ୍‌ କୂଳରେ । କୋଷ୍ଠୀ ଦେଖେଇ, ଜାତକ ମିଳେଇ ବନ୍ଧୁଘର ଖୋଜିବା ଏଠି କେବଳ ଅବାସ୍ତବ ନୁହେଁ, ହାସ୍ୟାସ୍ପଦ । ସେଥିପାଇଁ ଏଠି ରହୁଥିବା ଭାରତୀୟ ପୁଅମାନେ ଚାହାନ୍ତି ‘ଇଣ୍ଡିଆ’ରୁ ବାହାହୋଇ ସ୍ତ୍ରୀ ଆଣିବେ । ସେ ସ୍ତ୍ରୀ ଆମେରିକାରେ ବଢ଼ିଥିବା ଝିଅଙ୍କ ପରି ଏତେ ଉଗ୍ର ଆଉ ଅଧିକାର-ସଚେତନ ହେବନାହିଁ । ଏଠି ବଢ଼ିଥିବା ଝିଅମାନେ ଭାରତକୁ ଯାଇ ବାହାହେବା କଥା କହିଲେ ହସିଦିଅନ୍ତି ।

 

କିନ୍ତୁ ନନ୍ଦିତାର କଥା ଅଲଗା ଥିଲା । ତାର ଅଲକ୍ଷ୍ୟରେ ତାର ବାବା ତାର ଆଦର୍ଶ ପାଲଟି ଯାଇଥିଲେ । ବାବାଙ୍କ ପରି ଆତ୍ମବିଶ୍ୱାସ ଥିବା, ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଥିବା ମଣିଷଟିଏ ଭଲ, ଯିଏ କେବଳ ଅର୍ଥ ଉପାର୍ଜନକୁ ଜୀବନର ଏକମାତ୍ର କର୍ମ ବୋଲି ବିଚାରୁ ନ ଥିବ-

 

ନନ୍ଦିତା ବାବା-ମାଆଙ୍କର ଗୋଟିଏ ଝିଅ । ବାବାର ଗେହ୍ଲାଝିଅ ବୋଲି ମାଆ ଚିଡ଼ାନ୍ତି । ନନ୍ଦିତା ବି ମାଆକୁ ଚିଡ଼ାଏ–ମା ଈର୍ଷା କରୁଛି । ମାଆ ହସି ହସି କୁହେ–ମୋର ଦିନ ଯାଉ ନଥିଲା-

 

ସୁଜିତ୍‌ ସାଙ୍ଗରେ ପ୍ରଥମେ ଦେଖା ହୋଇଥିଲା ୱାଶିଂଟନ୍‌ ଡି.ସି.ରେ ଆଜିକୁ ତିନି ବର୍ଷ ତଳେ । ଭାରତୀୟମାନଙ୍କର ଗୋଟେ ଉତ୍ସବ ହେଉଥିଲା ଡି.ସି.ରେ । ସେଇଠି ସୁଜିତ୍‌କୁ ଦେଖୁ ଦେଖୁ ନନ୍ଦିତା ତା ଭିତରେ ତା ବାବାର ଗୋଟେ କ୍ଷୁଦ୍ର ସଂସ୍କରଣ ଆବିଷ୍କାର କରିଥିଲା ।

 

ପୁଅମାନେ ଯେମିତି ଝିଅଙ୍କୁ ଦେଖିଲେ ତାଙ୍କୁ ପ୍ରଭାବିତ କରିବା ପାଇଁ ଅନାବଶ୍ୟକ ଭାବେ ମିଠାକଥା କହନ୍ତି, ସୁଜିତ୍‌ ସେମିତି କହି ନ ଥିଲା । ତା କଥାବାର୍ତ୍ତାରୁ ନନ୍ଦିତା ଜାଣିପାରୁ ନ ଥିଲା ଯେ ସେ ପୁଅ ସାଙ୍ଗ ସାଥିରେ କଥା ହେଉଛି ନା ଗୋଟେ ଅଚିହ୍ନା ଝିଅ ସାଙ୍ଗରେ !

 

ନନ୍ଦିତାର ବାବାଙ୍କୁ ଗଜଲ୍‌ ଭଲ ଲାଗେ, ହିନ୍ଦୀ ଫିଲ୍ମ, କ୍ଲାସିକ୍‌ ମ୍ୟୁଜିକ୍‌, ନୀଳ ରଙ୍ଗ ଓ ଲାଲ ଗୋଲାପ ମୁଗ୍ଧ କରେ । ସୁଜିତ୍‌କୁ ମଧ୍ୟ ସେଇଆ ଭଲ ଲାଗେ । ନନ୍ଦିତାର ବାବା ଅବସର ବିତେଇବାକୁ ଚାହାନ୍ତି ପର୍ଯ୍ୟଟନରେ, ସୁଜିତ୍‌ ମଧ୍ୟ ଦୂର ଜାଗାକୁ ଯିବାକୁ ଭଲପାଏ । ନନ୍ଦିତାର ବାବା ଇ-ମେଲ୍‌, ଟେଲିଫୋନ୍‌ ଯୁଗରେ ବି ଲେଖନ୍ତି ଲମ୍ବା ଲମ୍ବା ଚିଠି; ସୁଜିତ୍‌ ବି ଚିଠି ଲେଖିବାକୁ ଭଲପାଏ । ନନ୍ଦିତାର ବାବା ବର୍ଷାରେ ଭିଜିବାକୁ ଭଲପାଆନ୍ତି, ସୁଜିତ‌କୁ ବି ସେସବୁ ଭଲ ଲାଗେ ।

 

: ତମେ ତମ ବାବାଙ୍କୁ ଏତେ ନିରିଖେଇ ଦେଖ କାହିଁକି ? –ସୁଜିତ୍‌ ପଚାରେ ।

 

: ସିମ୍ପଲ୍‌, ସେ ଆମ ପରିବାରର ଏକମାତ୍ର ପୁରୁଷ ସଭ୍ୟ । –ନନ୍ଦିତା ସୁଜିତ୍‌ ଜେରାର ଉତ୍ତର ଦିଏ ।

 

: ଇଣ୍ଡିଆ ହେଇଥିଲେ ବାବା ମୋତେ ଛାଡ଼ି ନ ଥାନ୍ତେ । ମୋ ବରକୁ ସେ ଘରଜୋଇଁଆ କରି ରଖିଥାନ୍ତେ ।

 

ସୁଜିତ୍‌ ବୁଝିପାରେ ନାହିଁ । ପଚାରେ, ଉତ୍ତର ଭାରତରେ ଘରଜୋଇଁଆକୁ କଣ କହନ୍ତି ? ନନ୍ଦିତା ବୁଝେଇ ଦିଏ । ସୁଜିତ୍‌ ହସି ହସି ଗଡ଼ିଯାଏ ।

 

ନନ୍ଦିତା ତା ଆଖିରୁ ଲୁହ ପୋଛିଲା । ଅନେକ ଦିନ ତଳେ ସେ ସ୍ୱପ୍ନଟେ ଦେଖିଥିଲା, ପୃଥିବୀର ସବୁଠୁଁ ଯୋଗ୍ୟ ପୁରୁଷଟି ଆସିବା ତା ଜୀବନରେ । ସେ ଆସି ତା ପାଖରେ ଅଟକି ଯିବ-। ନନ୍ଦିତା ସେଇ ଯୋଗ୍ୟତମ ପୁରୁଷଟିର ହାତ ଧରିବ । କିନ୍ତୁ ଆଜି ଏକ ବିଚିତ୍ର ଅନୁଭୂତିରେ ତାର ସମଗ୍ର ଶରୀର ଅବଶ ହୋଇପଡ଼େ । ସେ ପ୍ରଶସ୍ତ ରାଜପଥର ମଝିରେ ଛିଡ଼ା ହୋଇଛି । ତା ମନର ଯୋଗ୍ୟତମ ପୁରୁଷଟି ଆସି ତା ପାଖରେ ଟିକିଏ ଛିଡ଼ା ହେଉଛି, ତାପରେ ତାକୁ ମୂର୍ତ୍ତିଟିଏ ଭାବିଲା ପରି ଅତିକ୍ରମ କରିଯାଉଛି ।

 

ସେ ଦୁଃଖରେ ଭାଙ୍ଗି ପଡ଼ୁଛି । ମହମବତି ପରି ଜଳି ଜଳି ଯାଉଛି ତାର ଅସୁମାରୀ ଆଶା-

ସୁଜିତ୍‌ ବିନା ସେ ଆଉ କାହାକୁ ଭଲପାଇପାରିବ ନାହିଁ । ଅଥଚ ସୁଜିତ୍‌ ତାକୁ ବାହା ହୋଇପାରିବ ନାହିଁ ବୋଲି ଦୁଃଖ ପ୍ରକାଶ କରି କହିଯାଇଛି । ସୁଜିତ୍‌ ହିଁ ଥିଲା ତା କଳ୍ପନାର ମାପକାଠିରେ ଉତ୍ତୀର୍ଣ୍ଣ ନାୟକ । ଯଦି ସେ ନୁହେଁ, ତାହାହେଲେ ଆଉ କେହି ନୁହେଁ ।

ସୁଜିତ୍‌‌ର ବାବା-ମାଆଙ୍କୁ ଭେଟିବା ଲାଗି ବାବା ଏ କନ୍‌ଫରେନ୍‌ସର ଯୋଗାଡ଼ କରିଥିବା ନନ୍ଦିତା ଜାଣେ । ତା ବାବା ତାକୁ ବହୁତ ଗେହ୍ଲା କରନ୍ତି । ନନ୍ଦିତା ଓଠରୁ ଫରମାସି ବାହାରିବା ଆଗରୁ ପୂରଣ କରିଦିଅନ୍ତି ବାବା । ମାଆ ସେଥିପାଇଁ ବିରକ୍ତ ହୁଏ, ‘ତୁମେ ତାକୁ ମୁଣ୍ଡରେ ବସେଇ ନଷ୍ଟ କରିଦେବ ।’

ନନ୍ଦିତାର ବାବା ହସନ୍ତି । ଗମ୍ଭୀର ହୋଇ କହନ୍ତି, ‘ମୋର ଶୈଶବ ଓ କୈଶୋରର ସବୁ ଅପୂର୍ଣ୍ଣ ଇଚ୍ଛା ମୁଁ ମୋ ଝିଅ ଜରିଆରେ ପୂର୍ଣ୍ଣ ହେବା ଚାହେଁ । ତମେ ସେସବୁ ବୁଝିପାରିବ ନାହିଁ ।’

ନନ୍ଦିତାର ମାଆ ସବୁ ବୁଝନ୍ତି ।

ନନ୍ଦିତାର ବାପା କହନ୍ତି, “ଜାଣୁ ନନ୍ଦିତା, ପିଲାଦିନେ ମୁଁ କିଛି ଗୋଟାଏ ଜିନିଷରେ ହାତ ଦେଲେ ମୋ ମାଆ ଚିଡ଼ିଯାଏ । କୁହେ, ଭାଙ୍ଗିଯିବ । ମୁଁ ସେଦିନ କିଛି ବୁଝିପାରୁ ନ ଥିଲି । ଭାଙ୍ଗିଯିବାର ଭୟ କାହିଁକି ? ବଡ଼ ହେଲା ପରେ ବୁଝିଲି, ଭାଙ୍ଗିଗଲେ ନୂଆଟେ କିଣିପାରିବାର ସାମର୍ଥ୍ୟ ନ ଥିବାରୁ ମୋ ମାଆ କୌଣସି ଜିନିଷ ଛୁଇଁବା ଲାଗି ମନା କରୁଥିଲା ।”

ନନ୍ଦିତାର ମାଆ କହନ୍ତି, “ଦିନେ ଝିଅ ତା ମନଲାଖି ବରଟେ ପାଇଁ ବି ତମକୁ ବରାଦ କରିବ । ବଜାରରୁ କିଣି ଆଣି ଦେବ ତ ?”

: କାହିଁକି ନୁହେଁ ? –ତା ବାବା କହିଥିଲେ ।

ଆଉ ଦିନ ହେଇଥିଲେ ନନ୍ଦିତା ହସି ହସି ଗଡ଼ିଯାଇଥାଆନ୍ତା । କିନ୍ତୁ ଆଜି ହସିପାରିଲା ନାହିଁ । ବାବା ତ ତାଆରି ପାଇଁ ବର ଖୋଜିବାକୁ ଆମେରିକାରୁ ଭାରତ ଆସିଥିଲେ । ବାବାଙ୍କର ଦୋଷ କଣ ?

ମାଆ ଠିକ୍‌ କହିଥିଲା, “ସବୁ ଜିନିଷ ଚାହିଁଲେ ବି କିଣି ହୁଏ ନାହିଁ ।”

କିନ୍ତୁ ସୁଜିତ୍‌ ଏଇ କଥାଟି କହିପାରିଥାନ୍ତା ଆଟ୍‌ଲାଣ୍ଟାରେ । ତାହାହେଲେ ତା ବାବାଙ୍କ ପାଇଁ ଆଜିର ଏ ଅପମାନଜନକ ପରିସ୍ଥିତି ଅନ୍ତତଃ ନନ୍ଦିତା ସୃଷ୍ଟି କରି ନ ଥାନ୍ତା ।

ନନ୍ଦିତା ସୁଜିତ୍‌କୁ ସଂପୂର୍ଣ୍ଣ ଦୋଷ ଦେଇପାରେ ନାହିଁ । ତାର ସନ୍ଦେହ ହୁଏ, ସେ ସୁଜିତ୍‌କୁ ଯେଉଁ ଦୃଷ୍ଟିରେ ଦେଖି ଆସିଥିଲା, ସୁଜିତ୍‌ ତାକୁ ସେମିତି ଦେଖି ନ ଥିଲା କି ! ଏମିତି ପ୍ରଶ୍ନ ମନକୁ ଆସିଲେ, ସେ ନିଜକୁ ଦୋଷ ଦିଏ । ଇଣ୍ଡିଆ ଆସିବା ଆଗରୁ ହୁଏତ ସେ ଏକଥା ସିଧାସଳଖ ସୁଜିତ୍‌କୁ ପଚାରି ପାରିଥାନ୍ତା ।

କିନ୍ତୁ ସବୁଯାକ ଦୋଷ କଣ ଏକାକୀ ନନ୍ଦିତାର ! ସୁଜିତ୍‌ ଯେ ନନ୍ଦିତାକୁ ତାର ଜନ୍ମଦିନରେ କାର୍ଡ ପଠାଏ, ତା ପାଖକୁ ଲମ୍ବା ଲମ୍ବା ଚିଠି ଲେଖେ, ତାକୁ ପୃଥିବୀର ସବୁଠୁ ଭଲ ଝିଅ ବୋଲି କହେ–ଏଇଟା କଣ ତା ପ୍ରତି ସୁଜିତ୍‌ର ପ୍ରେମ ନୁହେଁ !

ଶିଡ଼ି ଉପରେ କେହି ଆସିବାର ଶବ୍ଦ ଶୁଭୁଛି ।

ବାବା ଆସିଲେ ବୋଧହୁଏ ।

ନନ୍ଦିତା ତା ଆଖିରୁ ଲୁହ ପୋଛିଦେଲା । ଯଥା ସମ୍ଭବ ସହଜ ହେବାକୁ ଚେଷ୍ଟା କଲା ।

 

ନନ୍ଦିତାର ବାବା ଆସିବାକ୍ଷଣି ବଡ଼ ପାଟିରେ କହିଲେ, ‘ହେ ନନ୍ଦିତା ! ତୋତେ ଆଜି ଗୋଟାଏ ଗପ କହିବି । ଆଗେ ଦି କପ୍‌ କଫି ପିଇବା । ତାପରେ ମୁଁ ଗପ କହିବି । ଗପ ଶୁଣିପାରିଲା ପରେ ମୁଁ ତୋ କଥା ପଚାରିବି ।’

 

: ଆଗରୁ କାହିଁକି ନୁହେଁ ?

 

: ନା, ଗପଟା ମୁଁ ଭୁଲିଯିବି ।

 

ତା ବାବା ସବୁଦିନେ ଏମିତି । ସେଥିପାଇଁ ସେ ଆଦରରେ ବେଳେବେଳେ ତାଙ୍କୁ କୁହେ, ‘ଜୋକର୍‌ !’

 

ନନ୍ଦିତା କଫି କରି ଆଣିଲା । କଫି କପ୍‌ ଉଠେଇଲା ବେଳେ ସେ ଅନୁଭବ କଲା, ତା ହାତ ଥରୁଛି । ସେ ବାବାଙ୍କ ଆଖିକୁ ଏଡ଼ାଇ ଯିବାଲାଗି ଚେଷ୍ଟା କଲା ।

 

ବାବା କହିଲେ, ‘ଗପ ଶୁଣ୍‌ । ଅନେକ ଦିନ ତଳର କଥା । ଇଣ୍ଡିଆର ଗୋଟେ ପୁଅ କଲେଜରେ ତା କ୍ଲାସ୍‌ର ଗୋଟେ ଝିଅକୁ ଭଲପାଉଥିଲା । ଝିଅଟି ଯେମିତି ସୁନ୍ଦରୀ ଥିଲା, ସେମିତି ବୁଦ୍ଧିମତୀ! ବୁଝିଲୁ ?’

 

: ହୁଁ, କୁହ ।

 

: ପୁଅ ଆଉ ଝିଅ ଏକାଠି ହେଲାବେଳେ ବହୁତ ସ୍ୱପ୍ନ ଦେଖନ୍ତି । ଝିଅଟି ପୁଅକୁ ଭଲ ପଢ଼ିବା ଲାଗି ଉତ୍ସାହ ଦିଏ । ଝିଅର ପ୍ରେମ ପୁଅକୁ ଏତେ ସାହାଯ୍ୟ କରେ ଯେ ପୁଅଟି ତା କ୍ଲାସ୍‌ରେ ସବୁଠୁ ବେଶି ନମ୍ବର ରଖେ ।

 

: ପାଠପଢ଼ା ସରିଯାଏ । ଝିଅର ବାପ-ମାଆ ତା ବାହାଘର ପାଇଁ ବ୍ୟସ୍ତ ହୁଅନ୍ତି । ଝିଅଟି ଦିନେ ଲୁଚି ଲୁଚି ଆସି ପୁଅକୁ କୁହେ ଏଇକଥା । ପୁଅଟି ଥମ୍‌ ହୋଇ ବସିପଡ଼େ ।

 

‘ଝିଅଟି ସବୁଦିନ ଖବର ପଠାଏ । ପୁଅ ରହୁଥିବା ହଷ୍ଟେଲ୍‌ରେ ଫୋନ୍‌ ନ ଥାଏ । କେହି ନା କେହି ଆସି ଚିଠିଟିଏ ଦେଇଯାଏ ।’

 

ଝିଅ ଲେଖେ, ‘ମୋତେ କାଲି ଲୋକମାନେ ଦେଖିବାକୁ ଆସିବେ ।’

 

ପୁଅ ଜାଣେ । ଝିଅର ବାପା ବଡ଼ ଅଫିସର । ଖୁବ୍‌ ପ୍ରଭାବଶାଳୀ, ଖୁବ୍‌ କଡ଼ା ।

 

ପୁଅଟି ସେଇମାତ୍ର ଏମ୍‌.ଏ. ପାସ୍‌ କରି କମ୍ପିଟିଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ ।

 

: ଝିଅଟିର ନାଁ କଣ ଥିଲା ? –ନନ୍ଦିତା ପଚାରିଲା ।

 

: ପରେ କହିବି । ଶୁଣ୍‌ ଦିନେ ପୁଅଟିର ଝିଅର ବାପା ସାଙ୍ଗେ ଦେଖା ହୋଇଗଲା । ଝିଅର ଘରେ । ଝିଅ ସେଇଠି ଛିଡ଼ା ହୋଇଥିଲା ତା ବାପା ପଛରେ । ଝିଅର ବାପା ଧମକ ଦେଲେ, ‘ଭଲରେ ଏ ସହର ଛାଡ଼ି ଚାଲିଯିବ ନା ପୁଲିସ ଲଗେଇ ନିକାଲି ଦେବି ?’

 

ପୁଅଟି ଥରେ ସେ ଭଲପାଉଥିବା ଝିଅ ମୁହଁକୁ ଚାହିଁଲା । ଆଉ ଥରେ ତା ବାପାକୁ । କଣ ଭାବିଲା କେଜାଣି ଅପରାଧୀଙ୍କ ପରି ସେ ଜାଗା ଛାଡ଼ି ଚାଲି ଆସିଲା ।

 

: ହାଓ ସ୍ୟାଡ୍‌ ! –ନନ୍ଦିତା ମନ୍ତବ୍ୟ ଦେଲା ।

 

: ହଷ୍ଟେଲ୍‌କୁ ଫେରି ଆସିବାର ସାତଦିନ ପରେ ଗୋଟେ ବାହାଘରର ନିମନ୍ତ୍ରଣପତ୍ର ପାଇଲା ପୁଅଟି । ସେଇଟି ଥିଲା ସେ ଭଲପାଉଥିବା ଝିଅର ବାହାଘର କାର୍ଡ । ତା ସାଙ୍ଗରେ ଛୋଟ ଚିଠିଟେ ଥିଲା । ଝିଅ ଲେଖିଥିଲା, ‘ମୋ ବାବାଙ୍କ ଆଗରେ ମୋ ହାତଧରି ଭିଡ଼ି ନେଇ ପାରିଲ ନାହିଁ ତମେ ! ଗୋଟାଏ ରାତି କୌଣସି ଝୁମ୍ପୁଡ଼ି ଘରେ ବନ୍ଦୀ କରି ରଖିପାରିଲ ନାହିଁ ! ତମେ ହାତ ବଢ଼େଇଥିଲେ ମୁଁ ସବୁ ଶୃଂଖଳକୁ ଛିଣ୍ଡେଇ ତମ ସାଙ୍ଗରେ ଚାଲିଯାଇଥାନ୍ତି । ଜୀବନ କଣ ପ୍ରେମଠାରୁ ଗୁରୁତ୍ୱପୂର୍ଣ୍ଣ ?’

 

ନନ୍ଦିତାର ଆଖି ବଡ଼ ବଡ଼ ହୋଇଯାଇଥିଲା ।

 

ତାର ବାବା ନିରବ ରହିଲେ ।

 

ଘର ଭିତରେ କେବଳ ଏୟାରକଣ୍ଡିସନର୍‌ ଚାଲିବାର ଶବ୍ଦ ।

 

କେତେ ସମୟ ବିତିଗଲା କେଜାଣି, ନନ୍ଦିତା ମୁଣ୍ଡ ଟେକି ଚାହିଁଲା । ଏ ଗପ ଶୁଣିବା ଭିତରେ ସେ ନିଜର କଥା ସତେ କି ଭୁଲିଯାଇଥିଲା !

 

ବାବା କହିଲେ, “ଝିଅଟିର ନାଁ ଥିଲା ଚନ୍ଦ୍ରଲେଖା ।”

 

: ଆଉ ପୁଅର ନାଁ ?

 

: ଚିତ୍ତରଞ୍ଜନ ।

 

: ତମରି ନାଁ ?

 

: ମୋଅରି ନାଁ ନୁହେଁ ପାଗଳୀ, ମୁଇଁ ଥିଲି ସେଇ ଭୀରୁ । ତିରିଶ ବର୍ଷ ତଳେ ଚନ୍ଦ୍ରଲେଖା ଲେଖିଥିବା ସେଇ ଶବ୍ଦଗୁଡ଼ାକ ଆଜି ବି ମୋ ଛାତି ଭିତରେ ହାତୁଡ଼ି ପରି ପିଟି ହେଇଯାଏ ।

 

ନନ୍ଦିତା ଅସ୍ୱସ୍ତିବୋଧ କରୁଥିଲା । ଏମିତି ଗୋଟେ ବ୍ୟକ୍ତିଗତ ପ୍ରଶ୍ନକୁ ଗପ ପରି ବର୍ଣ୍ଣନା କରିବାର କାରଣ ସଂପର୍କରେ ସେ କିଛି ବୁଝିପାରୁ ନ ଥିଲା ।

 

ଚିତ୍ତରଞ୍ଜନ କହିଲେ, “ତିରିଶ ବର୍ଷ ପରେ ବି ଆଶା କରିଥିଲି, ମୋ ପରି ଦିଶୁଥିବା ପୁଅଟିଏ ଏଇ ଭୀରୁପଣକୁ ଅତିକ୍ରମ କରିଯିବ । କିନ୍ତୁ ତାହା ହେଲାନାହିଁ ।”

 

ନନ୍ଦିତା ଚମକି ପଡ଼ିଲା । କାହା କଥା କହୁଛନ୍ତି ତାର ବାବା ?

 

ଚିତ୍ତରଞ୍ଜନ କହିଲେ, “ସୁଜିତ୍‌ ମୋବାଇଲ୍‌ରେ ଡାକିଥିଲା ।”

 

ନନ୍ଦିତା କିଛି କହିପାରିଲା ନାହିଁ । ତା ପାଟିରୁ ସବୁ ଶବ୍ଦ କିଏ ଚୋରେଇ ନେଇଗଲା ।

 

ଚିତ୍ତରଞ୍ଜନ କହିଲେ, “ତୁ ତ ଆସିଥିଲୁ ତୋ ସାଙ୍ଗକୁ ପଚାରିବା ପାଇଁ । ମୁଁ କିନ୍ତୁ ଆସିଥିଲି ତିରିଶ ବର୍ଷ ପରେ ମୁଁ ସେଦିନର ସେଇ ଭୀରୁପଣକୁ ଟପି ପାରିଛି କି ନାହିଁ ଦେଖିବା ପାଇଁ । ମୋ ସାଙ୍ଗେ ବରାବର ସୁଜିତ୍‌ର ତୁଳନା କରି ତା ସହ କେମିତି ଗୋଟେ ଅଦ୍ଭୁତ ସଂପର୍କ ତୁ ଯୋଡ଼ି ଦେଇଥିଲୁ । ଦୁଃଖ ଯେ, ସେ ସତକୁ ସତ ମୋଅରି ପରି ହୋଇ ରହିଗଲା, ମୋତେ ଟପି ପାରିଲା ନାହିଁ ।

 

ନନ୍ଦିତା କଫି କପ୍‌ ଉଠେଇ ନେଇ ଚାଲିଯିବାକୁ ଚାହୁଁଥିଲା ।

 

ଚିତ୍ତରଞ୍ଜନ ତା ମୁଣ୍ଡବାଳ ସାଉଁଳେଇ ଦେଇ କହିଲା, “ବସ୍‌ ମା ବସ୍‌ । ସବୁବେଳେ ମନେ ରଖିବୁ, ଗରିବ ଲୋକଟେକୁ ସାହାଯ୍ୟ ଦେଇ ଧନୀ କରିହେବ, କିନ୍ତୁ ଭୀରୁ ଲୋକକୁ ସାହସୀ କରି ଗଢ଼ିବା ଢେର୍‌ କଷ୍ଟ । ସୁଜିତ୍‌ ମୋ ପରି ଗୋଟେ ଅମେରୁଦଣ୍ଡୀ ମଣିଷ, ଯିଏ ବାହାହେବ, ଗାଡ଼ି କିଣିବ, କୋଠୀ ଗଢ଼ିବ, କିନ୍ତୁ କୌଣସି ଦିନ ପ୍ରେମ ଜିଣିବାର ପୌରୁଷ ହାସଲ କରିପାରିବ ନାହିଁ । ଏଭଳି ମଣିଷକୁ ଦୟା କରି ହୁଏ, ଭଲପାଇ ହୁଏ ନାହିଁ ।”

 

ନନ୍ଦିତା ଉଠିଆସି ତାର ବାବାଙ୍କ ପିଠିରେ ଲାଉ ହୋଇ ପଡ଼ିଲା । ପଚାରିଲା, “ମାଆ ଜାଣେ ଏସବୁ ?”

 

ଚିତ୍ତରଞ୍ଜନ କହିଲେ, “କୋଉ ସ୍ୱାମୀ କଣ ଏତିକି ସାହସୀ ହୋଇ ପାରିବ ?”

 

ନନ୍ଦିତା ଦୀର୍ଘଶ୍ୱାସ ନେଲା । ତା ଦୃଷ୍ଟିରେ ସଫଳତମ ମଣିଷଟିର ଅସଫଳ କାହାଣୀ ତାକୁ ଦ୍ୱିତୀୟଥର ପାଇଁ ଉଦାସ କରିଦେଇଥିଲା ।

 

ବାବା କହିଲେ, “ଆମେ କଣ କାଲି ଫ୍ଲାଇଟ୍‌ରେ ଫେରିଯିବା ?”

 

ନନ୍ଦିତା କହିଲା, “ନା, ତମ ମୂଳ ପ୍ଲାନ୍‌ ଅନୁସାରେ ସବୁଆଡ଼େ ବୁଲାବୁଲି ସାରି ଫେରିବା-। ମୁଁ କାଲି ମାଆକୁ ଫୋନ୍‌ କରି ସୁଜିତ୍‌ କଥା କହିଦେବି ।”

☆☆☆

 

Unknown

ଜୋତା

 

ହାୱଡ଼ା ଷ୍ଟେସନ୍‌ରେ ପହଞ୍ଚିଲାବେଳକୁ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇସାରିଥିଲା ପ୍ରକାଶ । ଷ୍ଟେସନ୍‌ ଘଣ୍ଟାକୁ ଚାହିଁ ଦେଖିଲା ରାତି ଦଶଟା ବାଜିବ, ସେ ଆଉ ଅପେକ୍ଷା ନ କରି ପ୍ଲାଟ୍‌ଫର୍ମମୁହାଁ ଧାଇଁଲା । ଦୁଇ ହାତରେ ଦୁଇଟା ଆଟାଚି ।

 

ହାୱଡ଼ା ଫ୍ଲାଟ୍‌ଫର୍ମ ଗୋଟେ ମିନି ଭାରତ । ଚାରିଆଡ଼େ ଲୋକ ହାଉଯାଉ । ଚାଲିଗଲାବେଳେ କାନ୍ଧକୁ କାନ୍ଧ, ଗୋଡ଼କୁ ଗୋଡ଼ ବାଜେ । ତାଆରି ଭିତରେ ହଜାରେ ବୁଲାବିକାଳି ଓ ନାଲିଫତେଇ ପିନ୍ଧିଥିବା କୁଲିମାନେ ଦ୍ୱିତୀୟ ଶ୍ରେଣୀ ସାଧାରଣ କମ୍ପାର୍ଟମେଣ୍ଟ୍‌ର ଆତ୍ମନିଯୁକ୍ତ ଗାର୍ଜନ ପାଲଟି ଯାଇଥାନ୍ତି । ବିନା ରିଜର୍ଭେସନ୍‌ରେ ଯାଉଥିବା ଯାତ୍ରୀଙ୍କଠାରୁ ପଚାଶ, ଶହେ ଝଡ଼େଇବା ଏମାନଙ୍କର କାମ । ରେଳବାଇ ପୁଲିସଙ୍କ ସାଙ୍ଗେ ସେମାନଙ୍କର ନିଘନ ସଂପର୍କ ରହିଥିବ ନିଶ୍ଚୟ, ପ୍ରକାଶ ଭାବିଲା । ତାହା ନ ହେଲେ, ଶହ ଶହ ଲୋକଙ୍କ ଆଖି ସାମ୍ନାରେ ସିଟ୍‌ଗୁଡ଼ିକ ବିକ୍ରି ହେଉଛି କେମିତି !

 

ପ୍ରକାଶ ମହାପାତ୍ର ଦ୍ୱିତୀୟ ଶ୍ରେଣୀ ଥ୍ରୀ-ଟାୟାର ବର୍ଥର ରିଜର୍ଭେସନ୍‌ ଚାର୍ଟରୁ ନିଜର ନାଁଟିକୁ ଖୋଜିହେଲା । ଶେଷ ପର୍ଯ୍ୟନ୍ତ ତାକୁ ରିଜର୍ଭେସନ୍‌ ମିଳିବ ବୋଲି ସେ ଭାବି ନ ଥିଲା । ରକ୍ଷା ହେଲା, ‘ଉତ୍କଳ ଭବନ’ର ପିଲାଟି ତାକୁ ସାହାଯ୍ୟ କଲା, ତାହା ନ ହୋଇଥିଲେ ସେ ବି ଘରମୁହାଁ ଆଉ ଅନେକଙ୍କ ପରି ଏଇ କୁଲିମାନଙ୍କଠାରୁ ସିଟ୍‌ଟେ କିଣିଥାନ୍ତା, ନ ହେଲେ କେଉଁ ଡବାର ବାଥ୍‌ରୁମ୍‌ ପାଖେ ଛିଡ଼ାହୋଇ ହୋଇ ଭୁବନେଶ୍ୱର ଫେରିଥାନ୍ତା ।

 

ଗୋଟାଏ ଜାଗାରେ ଜଣେ ଲୋକକୁ ପାଞ୍ଚ ସାତ ଜଣ ମିଶି ବିଧା ଚାପୁଡ଼ା ମାରୁଥିଲେ । ଆଉ ଶହେ ସରିକି ଲୋକ ଛିଡ଼ାହୋଇ ସେହି ଦୃଶ୍ୟ ଦେଖୁଥିଲେ । ସେ ବାଟ ଦେଇ ଯାଉ ଯାଉ ସେ ଶୁଣିଲା, ଜଣେ ଲୋକ ଆଗରୁ ରୁମାଲ ପକେଇ ସିଟ୍‌ଟାଏ ରଖିଥିଲା, ଆଉ ଜଣେ ଆସି ରୁମାଲଟିକୁ ତଳକୁ ପକେଇ ଦେଇଥିବାରୁ ଏଇ ଝଗଡ଼ା । ପ୍ରକାଶ ମହାପାତ୍ର ଅଳ୍ପ ଟିକିଏ ବିବ୍ରତ ହେଲା । ଏ ଦେଶରେ ଝଗଡ଼ାଟିଏ ଲାଗିବା ପାଇଁ ବଡ଼ ବଡ଼ କାରଣର ଆଦୌ ପ୍ରୟୋଜନ ପଡ଼େ ନାହିଁ । ସମସ୍ତେ ଏଠି ସମସ୍ତଙ୍କର ଶତ୍ରୁ, ପ୍ରତିଦ୍ୱନ୍ଦ୍ୱୀ । ସାର୍ଟ ପ୍ୟାଣ୍ଟ୍‌ ପକେଟ୍‌ରେ ପ୍ରତ୍ୟେକ ବ୍ୟକ୍ତି ତାର ପ୍ରତିଦ୍ୱନ୍ଦ୍ୱୀ ପାଇଁ ମାରଣାସ୍ତ୍ର ଓ ଅଭିଯୋଗ ଧରି ବୁଲୁଥାଏ ।

 

: ପ୍ର... ପ୍ର... ପ୍ରକାଶ ମହାପାତ୍ର । ବର୍ଥ ନମ୍ବର ସିକ୍ସଟିନ୍‌ । ରେଳବାଇ ଚାର୍ଟରେ ନିଜର ନାଁଟି ଦେଖି ପ୍ରକାଶ ଖୁସି ହୋଇଗଲା ସତେ କି ସେ ଗୋଟେ ପୁରସ୍କାର ଜିଣିଥିଲା । ସେ କମ୍ପାର୍ଟମେଣ୍ଟ୍‌ ଭିତରକୁ ଯିବାକୁ ବାହାରିଲା, କିନ୍ତୁ ତା ଆଗରେ ଜଣେ ପୃଥୁଳକାୟ ବ୍ୟକ୍ତି ସାତଟି ପେଟି ଏବଂ ପାଞ୍ଚଟି ବଡ଼ ବଡ଼ ବ୍ୟାଗ୍‌ ଧରି ବାଟ ଓଗାଳିଥିଲେ । ପ୍ରକାଶକୁ ହସ ମାଡ଼ିଲା । ଜଣେ ଜଣେ ଲୋକ ଏତେ ମାଲମତା ଧରି ଟ୍ରେନ୍‌ରେ ଗଲେ, ଟ୍ରାନ୍‌ସପୋର୍ଟ କମ୍ପାନି ବନ୍ଦ ହୋଇଯିବ ବୋଲି ମନକୁ ମନ କହିଲା । ପୃଥୁଳକାୟ ଭଦ୍ରଲୋକ ଗୋଟିଏ ପରେ ଗୋଟିଏ ପେଟି ଉପରକୁ ଉଠଉଥିଲେ ଓ ଉପରେ ଥିବା ତାଙ୍କର ପୁତୁରାକୁ ସେସବୁ ସିଟ୍‌ ତଳେ ଖଞ୍ଜି ରଖିବା ପାଇଁ ପରାମର୍ଶ ଦେଉଥିଲେ । ପ୍ରକାଶ ଅନେଇ ଦେଖିଲା, ପେଟି ଭିତରୁ ଗୋଟେ ପେଟିରେ କେବଳ ଲିଚୁ ଓ ଅଙ୍ଗୁର, ବୋଧହୁଏ ନିଜ ଭଉଣୀ କିମ୍ବା ଝିଅ ଘରକୁ ଭଦ୍ରଲୋକ ନେଉଛନ୍ତି ।

 

କମ୍ପାର୍ଟମେଣ୍ଟ୍‌ ଭିତରେ ପଶି ପ୍ରକାଶ ନିଜର ସିଟ୍‌ଟି ଖୋଜିହେଲା । ସେ ଜାଣିଥିଲା ଯେ ଷୋଳ ନମ୍ବରଟି ହେଲା ଲୋଅର ବର୍ଥ, ତେଣୁ ସେ ତଳ ବର୍ଥର ନମ୍ବର ପଢ଼ୁଥିଲା । ନିଜ ବର୍ଥ ପାଖରେ ପହଞ୍ଚି ଦେଖିଲା, ଆଉ ଜଣେ ଯୁବକ ଝରକା ପାଖରେ ବସି ଆଗ ସିଟ୍‌ରେ ଗୋଡ଼ ଲମ୍ବେଇ ଆରାମରେ ବସିଛନ୍ତି ଓ ଝରକା ବାଟେ ପ୍ଲାଟ୍‌ଫର୍ମକୁ ଚାହିଁ ସିଗାରେଟ୍‌ ଟାଣୁଛନ୍ତି ।

 

ପ୍ରକାଶ ତାଙ୍କୁ କହିଲା, ‘ଆଜ୍ଞା ଟିକେ ଘୁଞ୍ଚିବେ, ମୋ ସିଟ୍‌ ।’

 

ଯୁବକ ଜଣକ ଉଁ କି ଚୁଁ କହିଲା ନାହିଁ । ଏପରିକି ପ୍ରକାଶ ଆଡ଼କୁ ଚାହିଁଲା ବି ନାହିଁ । ପ୍ଲାଟ୍‌ଫର୍ମ ଆଡ଼କୁ ସେହିପରି ଦାର୍ଶନିକ ଠାଣିରେ ଚାହିଁ କହିଲା, ‘ସେଇଠି ବସନ୍ତୁ ।’

 

ଲୋକଟାର ସ୍ୱରରେ ଥିଲା ନିର୍ଦ୍ଦେଶ ଦେବାର ଭଂଗୀ । ଗୋଟିଏ ମୁହୂର୍ତ୍ତ ପାଇଁ ପ୍ରକାଶ ନିଜକୁ ଲୋକଟିର ଅଧସ୍ତନ ବୋଲି ଭାବିବସିଲା । ପରେ ଲୋକଟିର ହାବଭାବ ଦେଖି ସେ ଅପ୍ରସନ୍ନ ହେଲା । ଗରମ ଓ ଗୁଳୁଗୁଳି ଯୋଗୁଁ ସେ ଏତେ ଅସ୍ତବ୍ୟସ୍ତ ହୋଇ ଯାଇଥିଲା ଯେ କିଛି ସମୟ ଝରକା ପାଖେ ଟିକିଏ ପବନ ଖାଇବାକୁ ଚାହୁଁଥିଲା । ସେ ଆଉଥରେ ତାର କଥାକୁ ଦୋହରାଇଲା, ‘ଆଜ୍ଞା, ସେଇଟା ମୋର ସିଟ୍‌ । ଆପଣ ଉଠିଆସିଲେ ମୁଁ ମୋ ବ୍ୟାଗ୍‌ପତ୍ର ରଖିବି-।’

 

ଲୋକଟି ଏଥର ମଧ୍ୟ ନିରୁତ୍ତର ରହିଲା । ଥରେ ବାହାରର ପ୍ଲାଟ୍‌ଫର୍ମ ଓ ଥରେ ତା ହାତ ଆଙ୍ଗୁଳି ସନ୍ଧିର ଅଧାଜଳା ସିଗାରେଟ୍‌କୁ ଦେଖେଇ ପ୍ରକାଶକୁ ଜଣେଇଦେଲା ଯେ ସିଗାରେଟ୍‌ଟା ସରିଗଲେ ସେ ଝରକା ପାଖରୁ ଉଠିଯିବ । ଏହାପରେ ପ୍ରକାଶ ପାଖେ ଆଉ କିଛି କହିବା ପାଇଁ ନ ଥିଲା । କିନ୍ତୁ ସେ ବିରକ୍ତ ହେଲା ଯେ, ଲୋକଟି ସାମ୍ନା ସିଟ୍‌ ଉପରେ ଗୋଡ଼ ଯୋଡ଼ିକ ଥୋଇ ସଂପୂର୍ଣ୍ଣ ସିଟ୍‌ଟିକୁ କାହିଁକି ଆଗୁଳି ବସିଥିଲା !

 

ପୃଥୁଳକାୟ ଯାତ୍ରୀ ଜଣକ ନିଜ ସିଟ୍‌ର ତଳ ଉପର ଚାରିଆଡ଼େ ଜିନିଷପତ୍ର ଖୁନ୍ଦିସାରି ଏବେ ଅନ୍ୟ ସିଟ୍‌ ତଳର ଜାଗା ଉଣ୍ଡୁଥିଲେ । ହୁଏତ ସେ ପ୍ରକାଶ ବସିଥିବା ସିଟ୍‌ ତଳ ଜାଗା ଅରାଏକୁ ମଧ୍ୟ ଦଖଲ କରି ବସିଥାଆନ୍ତେ, କିନ୍ତୁ ସେତିକିବେଳେ ସାମ୍ନା ସିଟ୍‌ର ଯାତ୍ରୀ ଦି ଜଣ ଆସିଯିବାରୁ ସେ ମୁହଁ ଫେରେଇ ନେଲେ ।

 

ଏଥର ସିଗାରେଟ୍‌ ଟାଣୁଥିବା ଯୁବକଟି ନିହାତି ଅନିଚ୍ଛାରେ, ଯେମିତି ନିଜର ବହୁ କଷ୍ଟୋପାର୍ଜିତ କିଛି ସେ ତ୍ୟାଗ କରୁଛି, ସେହିଭଳି ମୁଦ୍ରାରେ ନିଜର ପାଦ ଯୋଡ଼ିକୁ ସାମ୍ନା ସିଟ୍‌ ଉପରୁ ଉଠେଇ ଆଣିଲା । ପ୍ରକାଶ ଦେଖିଲା, ଯୁବକଟି ହଳେ ସୁନ୍ଦର ଜୋତା ପିନ୍ଧିଛି, ଯାହାର ମୂଲ୍ୟ ଦେଢ଼ହଜାର ଟଙ୍କାରୁ କମ୍‌ ହେବ ନାହିଁ । ନୂଆ ଜୋତାହଳକୁ ଯଥାସମ୍ଭବ ଅପରିଷ୍କାର ଜାଗାରୁ ଦୂରରେ ରଖିବା ପାଇଁ ଯୁବକଟି ପାଦଯୋଡ଼ିକୁ ସାମ୍ନା ସିଟ୍‌ ଉପରେ ଏପର୍ଯ୍ୟନ୍ତ ରଖିଥିଲା, ପ୍ରକାଶ ଅନୁମାନ କଲା ।

 

: ଆପଣଙ୍କ ଜୋତା ହଳକ ଖୁବ୍‌ ସୁନ୍ଦର ହୋଇଛି । –ପ୍ରକାଶ କହିଲା ।

 

ସେତିକିବେଳେ ଟ୍ରେନ୍‌ ପ୍ଲାଟ୍‌ଫର୍ମରୁ ଗଡ଼ିବାକୁ ଆରମ୍ଭ କରିଥିଲା । ଯୁବକଟି ସିଗ୍ରେଟ୍‌ର ଅବଶିଷ୍ଟାଂଶ ବାହାରକୁ ଫିଙ୍ଗିଦେଇ କହିଲା, ‘ଥ୍ୟାଙ୍କ୍‌ ୟୁ’ ଏବଂ ପୁଣି ମୁହଁ ଫେରେଇନେଲା ।

 

ପ୍ରକାଶ ନିଜ ଜୋତାହଳକ ଖୋଲି ଦୂରକୁ ଠେଲିଦେଲା । ତାର ମଧ୍ୟ ହଳେ ଜୋତା ଅଛି, କିନ୍ତୁ ସେ ସେଥିପ୍ରତି ଏତେ ସଚେତନ ହେବା ଆବଶ୍ୟକ ମଣୁନାହିଁ –ଏହିଭଳି କିଛି କହିବାକୁ ଚାହୁଁଥିଲା ସେ ।

 

ଏଥର ଯୁବକଟି ମୁହଁ ଖୋଲିଲା । ପ୍ରକାଶକୁ ପଚାରିଲା, ‘ଆପଣ ବୋଧହୁଏ କେବେ ଜୋତା ହଜେଇ ନାହାନ୍ତି ? ମାନେ ଆପଣଙ୍କର କେବେ ଜୋତା ଚୋରି ହୋଇନାହିଁ ?’

 

ପ୍ରକାଶ ଏ ପ୍ରଶ୍ନର ପ୍ରାସଙ୍ଗିକତା ହଠାତ୍‌ ବୁଝିପାରିଲା ନାହିଁ । ଯୁବକଟିକୁ ଚାହିଁଲା; ବେଶ୍‌ ସୁନ୍ଦର ପୋଷାକ ପିନ୍ଧିଛି, ମୁହଁରେ ଫ୍ରେଞ୍ଚକଟ୍‌ ଦାଢ଼ି, ବେକରେ ଟାଇ ଓ ଆଖିରେ ଦାମୀ ଫ୍ରେମ୍‌ର ଚଷମା । ଯୁବକଟି ଜଣେ କମ୍ପାନି ଏକ୍‌ଜିକ୍ୟୁଟିଭ୍‌ ହୋଇଥିବ ବୋଧହୁଏ –ସେ ଭାବିଲା । କହିଲା, ‘ହଁ ଥରେ ଚୋରି ହୋଇଥିଲା, ଭୁବନେଶ୍ୱରର ଗୋଟେ ହନୁମାନ ମନ୍ଦିର ପ୍ରତିଷ୍ଠା ସଭାକୁ ଯାଇଥିଲି-। ମନ୍ଦିରରୁ ଫେରିଲା ବେଳକୁ ନୂଆ ଚପଲ ହଳକ ଆଉ ନ ଥିଲା ।’

 

: କିନ୍ତୁ ତା ସତ୍ତ୍ୱେ ଆପଣ ନିଜ ଜୋତାର ଦାୟିତ୍ୱ ଠିକ୍‌ ଭାବେ ରଖନ୍ତି ନାହିଁ ।

 

ପ୍ରକାଶ ଏକଥା ଶୁଣି ଖୁସି ହେଲା ଯେ ତାର ଇସାରା ଠିକଣା ଜାଗାରେ ବାଜିଛି । ଏଇ ପ୍ରକାର ଅଙ୍ଗଭଙ୍ଗୀକୁ କୁଆଡ଼େ ବଡି-ଲାଙ୍ଗୁଏଜ୍‌ କୁହାଯାଏ । ଏକଥା ବହୁଦିନ ତଳେ ପ୍ରଦ୍ୟୁମ୍ନ ତାକୁ କହିଥିଲା । ସେ କହିଲା, ‘ତା ବୋଲି ଜୋତାକୁ ତ ଆଉ କେହି ମୁଣ୍ଡରେ ମୁଣ୍ଡେଇ ବୁଲିବ ନାହିଁ ।’

 

ପ୍ରକାଶର କଥା ଶୁଣି ସାମ୍ନା ସିଟ୍‌ର ଭଦ୍ରଲୋକ ଓ ତାଙ୍କ ପତ୍ନୀ ହସିଲେ । ଯୁବକଟିକୁ ଏ ଦୃଶ୍ୟଟି ପସନ୍ଦ ହେଲା ନାହିଁ । ସେ କହିଲା, ‘ମୁଣ୍ଡେଇବାକୁ ପଡ଼େ । ସମୟେ ସମୟେ ଭରତ ସାଜିବାକୁ ପଡ଼େ । ନ ହେଲେ ଟ୍ରେନ୍‌ରୁ ଓହ୍ଲେଇ ଖାଲି ପାଦରେ ଯିବାକୁ ପଡ଼ିବ । ସେତେବେଳେ ଜୋତାର ଦାମ୍‌ ଅପେକ୍ଷା ଆପଣଙ୍କ ଉପରେ ଯେଉଁ ମାନସିକ ଚାପ ପଡ଼ିବ, ସେଇଟି ସମ୍ଭାଳିବା ମୁସ୍କିଲ ହେବ, ବୁଝିଲେ ?’

 

ଯୁବକଟି ଠିକ୍‌ କହୁଥିଲା । ସକାଳୁ ସକାଳୁ ନିଦରୁ ଉଠିଲା ବେଳକୁ ଯଦି ଜୋତାହଳକ ଚୋରି ହୋଇଯାଇଥିବ, ତାହାହେଲେ ମଣିଷ ନିଶ୍ଚୟ ସମସ୍ୟାରେ ପଡ଼ିବ । ଷ୍ଟେସନ୍‌ କି ପ୍ଲାଟ୍‌ଫର୍ମର ତ ଆଉ ସେ ସାଙ୍ଗେ ସାଙ୍ଗେ ଜୋତା ହଳକ କିଣିବାକୁ ପାଇବ ନାହିଁ ।

 

ପ୍ରକାଶ ଏପଟ ସେପଟ ବର୍ଥକୁ ଚାହିଁଲା । ଯାତ୍ରୀମାନେ ଶୋଇବାର ଉପକ୍ରମ କରୁଛନ୍ତି-। ସାମ୍ନା ସିଟ୍‌ର ପ୍ରୌଢ଼ ଦମ୍ପତି ମଧ୍ୟ ବିଛଣା ଚାଦର ବାହାର କରୁଥିଲେ । ଏହାପରେ ସେମାନେ ଲାଇଟ୍‌ ଅଫ୍‌ କରିବାକୁ ନିଶ୍ଚୟ କହିବେ । ପ୍ରକାଶ ଯୁବକଟିକୁ କହିଲା, ‘ଆପଣ ତାହାହେଲେ ତଳେ ଶୁଅନ୍ତୁ, ମୁଁ ଉପରକୁ ଯାଉଛି ।’

 

ଯୁବକଟି ମନାକଲା । କହିଲା, “ନାଇଁ ଆପଣ ଆପଣଙ୍କ ଜାଗାରେ ଶୁଅନ୍ତୁ । ମୁଁ ଉପରକୁ ଉଠିଯିବି । ତେବେ ବର୍ତ୍ତମାନ ତ ମାତ୍ର ଦଶଟା ପଇଁଚାଳିଶ ହୋଇଛି ।”

 

ପ୍ରକାଶ ବାଧ୍ୟ ଛାତ୍ରଟିଏ ପରି ବସିରହିଲା !

 

ଯୁବକଟି କହିଲା, ‘କଥା କଣ ଜାଣନ୍ତି, ମୋର ଟିକେ ଡେରିଯାଏ ଚେଇଁବା ଅଭ୍ୟାସ । ଖୁବ୍‌ ବ୍ୟସ୍ତ ଜୀବନ ମୋର । ସକାଳୁ ରାତିଯାଏ କାମ ଆଉ କାମ । ତେଣୁ ରାତିରେ ଲାଇଟ୍‌ ବନ୍ଦ କରି ଘଣ୍ଟାଏ ଆଖିବୁଜି ପଡ଼ି ରହିବା ପରେ ଯାଇ ନିଦ ଆସେ । ଦିନର ସବୁଯାକ ଟେନ୍‌ସନ୍‌ ଆଗେ ମୁଣ୍ଡ ଭିତରୁ ଗଲେ ତ ଯାଇ ନିଦ ଆସିବ !’

 

: ଠିକ୍‌ କହିଛନ୍ତି । –ପ୍ରକାଶ ଉତ୍ତର ଦେଲା ।

 

: ଆଚ୍ଛା, ଆପଣଙ୍କୁ କଣ ସାଙ୍ଗେ ସାଙ୍ଗେ ନିଦ ହୋଇଯାଏ ?

 

: ନା, ତେବେ କେଉଁଦିନ ଥକି ପଡ଼ିଥିଲେ ଟିକିଏ ଶୀଘ୍ର ନିଦ ହୋଇଯାଏ । ଟ୍ରେନ୍‌ କି ବସ୍‌ରେ ଗଲାବେଳେ ମୁଁ ଜମା ଶୋଇପାରେ ନାହିଁ । ଖାଲି ବିଛଣାରେ ପଡ଼ିରହିବା କଥା ।

 

: ଓଃ, ମୋର ସେ ସମସ୍ୟା ନାହିଁ । ଖୁଟ୍‌ କରି ଶବ୍ଦ ହେଲେ କିନ୍ତୁ ମୋ ନିଦ ଚାଇଁକରି ଭାଙ୍ଗିଯାଏ ।

 

ପ୍ରକାଶ ଯୁବକର ସୁନ୍ଦର ଜୋତା ହଳକ ବିଷୟରେ ପଚାରିବାକୁ ଚାହୁଁଥିଲା କିନ୍ତୁ ହଠାତ୍‌ ଦାମ୍‌ ବିଷୟରେ ପଚାରିବାକୁ ତାର ଇଚ୍ଛା ହେଲା ନାହିଁ । ଜିନିଷକୁ ଦେଖୁ ଦେଖୁ ତାର ଦାମ୍‌ ପଚାରି ବସିବା ଗୋଟେ ମଧ୍ୟବିତ୍ତ ବିକୃତି । ଅଧିକାଂଶ ଲୋକ ଏହାକୁ ପସନ୍ଦ କରନ୍ତି ନାହିଁ । ପ୍ରଶଂସା କରିବା ଓ ଦର ପଚାରିବା ଏକାକଥା ନୁହେଁ ! ସେ କହିଲା, ‘ଆପଣଙ୍କ ଜୋତାଟିର ରଙ୍ଗଟା ନୂଆ ପ୍ରକାରର ।’

 

ଯୁବକଟି ଏଥର ଗୋଟିଏ ଗୋଡ଼କୁ ଆର ଗୋଡ଼ ଉପରେ ପକେଇ ନିଜ ଜୋତାଟିକୁ ସାଉଁଳେଇଲା । ସତେକି, ସେଇଟି ଜୋତା ନୁହେଁ, ଗୋଟେ କଣ୍ଢେଇ । ତାପରେ କହିଲା, ‘ଲୋଟସ୍‌ କମ୍ପାନିର ଜୋତା । ବହୁତ ମହଙ୍ଗା ।’

 

‘ବହୁତ ମହଙ୍ଗା’ ମନ୍ତବ୍ୟଟିର ଅର୍ଥ ପ୍ରକାଶ ବୁଝିପାରିଲା ନାହିଁ । ଯୁବକଟି ସବୁ କଥାରେ ତାକୁ ଦୟା କଲା ଭଳି ତାର ଅନୁଭବ ହେଉଥିଲା । ‘ବହୁତ ମହଙ୍ଗା’ କହିବାର ଅର୍ଥ କଣ ହୋଇପାରେ ? ପୁଣି ମହଙ୍ଗା କାହା ପାଇଁ ? ଯୁବକ ପାଇଁ ନା ପ୍ରକାଶ ମହାପାତ୍ର ପାଇଁ ।

 

ପ୍ରକାଶ ମହାପାତ୍ର ନିଜର ଜୋତା ହଳକୁ ଚାହିଁଲା । ବାଟା କମ୍ପାନିର ଜୋତା, ଦେଢ଼ବର୍ଷ ହୋଇଗଲାଣି । ଦିନସାରା କଲିକତାର ଧୂଳିବାଲିରେ ବୁଲାଚଲା କରି ଅପରିଚ୍ଛନ୍ନ ଦିଶୁଛି । ପଲିସ୍‌ କରିଦେଲେ ପୁଣି ଚକ୍‌ଚକ୍‌ ଦିଶିବ ।

 

ଯୁବକଟି କହିଲା, ‘ଲୋଟସ୍‌ ବାବା, କୁଲର୍ସ ଏସବୁ ପାଖରେ ଏ ବାଟା କମ୍ପାନି କିଛି ନୁହେଁ-। ତାର ଷ୍ଟାଟସ୍‌ ବାଟାର ନାହିଁ । ଆଉ ଆପଣ ଜାଣନ୍ତି, ଜଣେ କୋଉ ବ୍ରାଣ୍ଡ୍‌ର ଡ୍ରେସ୍‌ ସହ କେଉଁ ବ୍ରାଣ୍ଡ୍‌ର ଜୋତା ବ୍ୟବହାର କରୁଛି, ସେଇଥିରୁ ତାର ବ୍ୟକ୍ତିତ୍ୱ ଜଣାପଡ଼ିଯାଏ । ମୋର ଏ ସାର୍ଟ ଚିରାଗଦିନ୍‌ । ଚିରାଗଦିନ୍‌ କଣ ଜାଣୁଥିବେ !

 

ପ୍ରକାଶକୁ ଏ କଥାଗୁଡ଼ା ବିରକ୍ତିକର ଲାଗୁଥିଲା । ସେ ବୁଝିଥିଲା ଯେ ବମ୍ବେର ଗୋଟିଏ ଦୋକାନ ଅଛି–ଯେଉଁଠି ଚିରାଗଦିନ୍‌ ସାର୍ଟ ବିକ୍ରି ହୁଏ । ସେଇ କଂପାନିର ସାର୍ଟ ପକେଟ୍‌ ଉପରେ ଇଂରାଜୀ ସି.ଡି ବୋଲି ଲେଖା ଯାଇଥାଏ । ଯେହେତୁ କମ୍ପାନିର ଅନ୍ୟ କୌଣସି ଶାଖା ଦେଶ ଭିତରେ କେଉଁଠି ନାହିଁ, ତେଣୁ ତାର ଅଲଗା କଦର । ସି.ଡି ସାର୍ଟ ପିନ୍ଧିଥିବା ଲୋକ ହିଁ ତାର ମହତ୍ତ୍ୱ ବୁଝିପାରେ । ତେବେ ବିନା କୌଣସି ପ୍ରୟୋଜନରେ ଏଭଳି ପ୍ରସଙ୍ଗର ଅବତାରଣା ସେ ବୁଝିପାରୁ ନ ଥିଲା ।

 

ସେ ପଚାରିଲା, “ଆପଣଙ୍କର କଣ ଆଗରୁ କେବେ ଜୋତା ଚୋରି ହୋଇଛି ?”

 

: ନା । କାରଣ ମୁଁ ଖୁବ୍‌ ହୁସିଆର ରହେ । ଆପଣ ଜାଣନ୍ତି ନାହିଁ, ଏଇ ଜୋତା ଚୋରମାନଙ୍କର ଗୋଟେ ରାକେଟ୍‌ ଅଛି । ସେ ରାକେଟ୍‌ ଭିତରେ କଂପାର୍ଟମେଣ୍ଟ୍‌ ସଫା କରିବାକୁ ଆସୁଥିବା ବୁତୁରୁମାନଙ୍କଠୁଁ ନେଇ ବୁଲାବିକାଳି ପର୍ଯ୍ୟନ୍ତ ଅନେକ ସାମିଲ ଥାଆନ୍ତି । ଅଳିଆ ସଫା କରିବା ନାଆଁରେ ଭଲ ଭଲ ଜୋତା ଏଇ ପିଲାଏ ବାହାରକୁ ଫିଙ୍ଗିଦିଅନ୍ତି । ବାହାରେ ଅପେକ୍ଷା କରିଥିବା ଲୋକ ସେସବୁ ସଂଗ୍ରହ କରିନିଏ । କେତେକ ଚୋର ପୁରୁଣା ଚପଲ କି ଛିଣ୍ଡା ଜୋତା ପିନ୍ଧି ଡବା ଭିତରକୁ ପଶିଆସନ୍ତି ଓ ଗଲାବେଳକୁ ନୂଆ ଜୋତା ପିନ୍ଧି ଚାଲିଯାଆନ୍ତି । ଆପଣ ସେମାନଙ୍କୁ ଦେଖିଲେ ବି ଜାଣିପାରିବେ ନାହିଁ ।

 

: ଆପଣ ତ ଜୋତାଚୋରମାନଙ୍କ ବାବଦରେ ରୀତିମତ ଗୋଟେ ରିସର୍ଚ୍ଚ କରିଛନ୍ତି !

 

ପ୍ରକାଶ ମହାପାତ୍ରର ମନ୍ତବ୍ୟରେ ଯୁବକଟି ଟିକିଏ ପ୍ରସନ୍ନ ଦିଶିଲା । କହିଲା, “ଏସବୁ କଥା ମୁଁ ଅନେକ ଦିନ ଧରି ନିରୀକ୍ଷଣ କଲାପରେ ଯାଇ ଜାଣିଛି ।”

 

ଟ୍ରେନ୍‌ଟି ଦ୍ରୁତଗତିରେ ଆଗକୁ ମାଡ଼ିଚାଲୁଥିଲା । ଅଶିଣର ଆକାଶରେ ଶୁକ୍ଳପକ୍ଷର ଜହ୍ନ ଉଦ୍ଦେଶ୍ୟହୀନ କିଶୋରଟିଏ ପରି ଘୂରିବୁଲୁଥିଲା । ଦୁଇକଡ଼େ ଧାନକ୍ଷେତ, ଥୋଡ଼ ଭର୍ତ୍ତି ଧାନ କ୍ଷେତର ବାସ୍ନା ପବନ ସାଙ୍ଗରେ ବେଳେ ବେଳେ ଭିତରକୁ ପଶି ଆସୁଥିଲା । ହାୱଡ଼ା ଷ୍ଟେସନ୍‌ର ଯେଉଁ ଗରମ ଓ ଗୁଳୁଗୁଳି ସେସବୁ କେଉଁ କାଳଠୁଁ ପାଶୋର ହୋଇଯାଇଥିଲା । ଏବେ ପ୍ରକାଶର ଲୋଡ଼ା ପଡୁଥିଲା ଦୀର୍ଘ ବିଶ୍ରାମ ।

 

ଯୁବକଟି ଜାଣିପାରିଲା ବୋଧହୁଏ । କହିଲା, “ଆପଣ ବିଛଣା ପାରନ୍ତୁ । ମୁଁ ଉପରକୁ ଉଠିଲି ।”

 

ଯୁବକକୁ ବିଛଣା ପାରିବାରେ ସାହାଯ୍ୟ କରିବା ଲାଗି ପ୍ରକାଶ ଉଠିଗଲା । ମଝି ବର୍ଥ ଖାଲି, ଯୁବକଟି ଚାହିଁଥିଲେ ସେଇଠି ଶୋଇ ପାରିଥାଆନ୍ତା । କିନ୍ତୁ ସେ ସବା ଉପର ବର୍ଥକୁ ଉଠିଗଲା ।

 

ପ୍ରକାଶ ବାଥ୍‌ରୁମ୍‌ରୁ ଫେରିବା ବେଳକୁ ଦେଖିଲା ଯୁବକଟି ଅତି ଯତ୍ନରେ ତାର ଜୋତା ହଳକୁ ନେଇ ନିଜ ପାଖରେ ଥୋଇଛି । ଜୋତା ଲେସ୍‌ରେ ଗଣ୍ଠି ପକେଇ ମୁଣ୍ଡ ଉପର ଶିକୁଳିରେ ବାନ୍ଧିଦେଇଛି । ଯୁବକଟିର ହୁସିଆରିକୁ ପ୍ରକାଶ ପ୍ରଶଂସା କଲା ।

 

ଲାଇଟ୍‌ ଲିଭେଇଦେଲା ପ୍ରକାଶ ମହାପାତ୍ର । ସ୍ଲିପର ବଦଳେଇଲା ଓ ଚାଦର ଘୋଡ଼ିହୋଇ ଶୋଇବା ପାଇଁ ଚେଷ୍ଟା କଲା । କେଉଁ ଗୋଟାଏ ପୋଲ ଉପର ଦେଇ ଟ୍ରେନ୍‌ଟି ଯାଉଥିଲା । ଧକ୍‌ ଧକ୍‌ ଶବ୍ଦରେ କାନ ଅତଡ଼ା ପଡ଼ିଯାଉଥିଲା । ସେ ସେଇ ଶବ୍ଦଟା ନରମିଯିବା ପର୍ଯ୍ୟନ୍ତ ଅପେକ୍ଷା କଲା ଏବଂ ଅପେକ୍ଷା କରିବା ଭିତରେ ତାକୁ କେତେବେଳେ ନିଦ ଲାଗିଯାଇଥିଲା ।

 

କଟକ ଷ୍ଟେସନ୍‌ର କୋଳାହଳ ଯୋଗୁ ପ୍ରକାଶର ନିଦ ଭାଙ୍ଗିଗଲା । ହାୱଡ଼ା ଷ୍ଟେସନରେ ଗୁଡ଼ାଏ ଜିନିଷ ଧରି ଚଢ଼ିଥିବା ସେଇ ପୃଥୁଳକାୟ ଲୋକଟି ବଡ଼ ପାଟିରେ କୁଲି ଉପରେ ବିରକ୍ତ ହେଉଥିଲା । ସେ ଏଭଳି ବ୍ୟବହାର କରୁଥିଲା, ଯେପରିକି ସମୁଦାୟ ବର୍ଥଟିର ମାଲିକ ସେ ନିଜେ-। ସକାଳ ପାଞ୍ଚଟା ପାଖାପାଖି ହୋଇଥାଏ । ଯାତ୍ରୀମାନେ ଚାଦରତଳୁ ଆଖିଖୋଲି ଲୋକଟିର ଧାଁ ଦଉଡ଼ ଓ ପାଟିତୁଣ୍ଡ ଶୁଣୁଥାଆନ୍ତି ଓ ବିଡ଼ିବିଡ଼ି ହୋଇ ଆଖିବୁଜି ଦେଉଥାଆନ୍ତି । ପ୍ରକାଶକୁ ଆଉ ନିଦ ହେଲା ନାହିଁ । ସେ ଉଠିପଡ଼ି ବାଥରୁମ୍‌ ଗଲା । କିନ୍ତୁ ବାଥରୁମ୍‌ ଯୋଡ଼ିକ ଯାକ ଅନ୍ୟମାନଙ୍କ ଦଖଲରେ ଥିଲା । ସେ ବାଧ୍ୟହୋଇ ସେଇଠି ଅପେକ୍ଷା କରି ଛିଡ଼ାହେଲା ।

 

ନିଜ ବର୍ଥ ପାଖକୁ ଫେରିଲାବେଳକୁ ଦୁଇଟି କ୍ରୁଦ୍ଧ ଓ ସନ୍ଦେହପୂର୍ଣ୍ଣ ଆଖି ତାକୁ ଅପେକ୍ଷା କରି ରହିଥିଲା । ସେ ଆଖି ଯୋଡ଼ିକ ଥିଲା ଉପର ବର୍ଥର ଯୁବକଟିର । ପ୍ରକାଶ ଏହାର କାରଣ କିଛି ବୁଝିପାରିଲା ନାହିଁ । ସେ ପଚାରିଲା, “କଣ ହେଲା ?”

 

: ଆପଣ କାଲି ରାତିରେ ଶୋଇଥିଲେ ?

 

: ହଁ । କାହିଁକି ?

 

: କିନ୍ତୁ ଆପଣ ତ କହୁଥିଲେ, ଟ୍ରେନ୍‌ରେ ଆପଣଙ୍କୁ ନିଦ ହୁଏ ନାହିଁ ।

 

: ତା ଠିକ୍‌, ଭଲ ନିଦ ଆଉ ହେଲା କେଉଁଠି ?

 

ଗୋଟାଏ କୁଦାରେ ଯୁବକଟି ତଳକୁ ଓହ୍ଲେଇ ଆସିଲା ଓ କହିଲା, “ତାହାହେଲେ ତ ଆପଣ ଜାଣିଥିବେ ମୋ ଜୋତା କିଏ ନେଇଛି ?”

 

ଦମକାଏ ବିସ୍ମୟରେ ପ୍ରକାଶର ସବୁଯାକ ତନ୍ଦ୍ରା ତୁଟିଗଲା । ଏଥର ସେ ଲକ୍ଷ୍ୟ କଲା, ଯୁବକଟିର ହାତରେ ତା ଜୋତା ଲେସ୍‌ର ଚାରିଖଣ୍ଡ ଟୁକୁଡ଼ା ଝୁଲୁଛି । କେହି ଜଣେ ଧାରୁଆ ବ୍ଲେଡ୍‌ କି ଛୁରୀରେ ଲେସ୍‌ କାଟି ଜୋତାହଳକ ନେଇଯାଇଛି ।

 

ସେ ଯୁବକଟିକୁ ସହାନୁଭୂତି ଜଣେଇବାକୁ ଚାହୁଁଥିଲା । କିନ୍ତୁ ଯୁବକଟି ତାକୁ ଜେରା କରି ବସିଲା, “ଆପଣ ଦେଖିନାହାନ୍ତି ?”

 

: ଆଶ୍ଚର୍ଯ୍ୟ ! ମୁଁ କିପରି ଦେଖିବି ? ମୁଁ ତ ଶୋଇଥିଲି ।

 

: ନା, ଆପଣ ମିଛ କହୁଛନ୍ତି । ସେ ବୁଢ଼ାବୁଢ଼ୀ ଭଦ୍ରକରେ ଓହ୍ଲେଇଯିବା ପର୍ଯ୍ୟନ୍ତ ମୁଁ ଲକ୍ଷ୍ୟ ରଖିଛି, ଆପଣ ଶୋଇ ନ ଥିଲେ । ତାପରେ ମୋତେ ଟିକେ ନିଦ ଲାଗିଗଲା ।

 

ପ୍ରକାଶ ଆଶ୍ଚର୍ଯ୍ୟ ହେଉଥିଲା । କିଏ ଆସି ଏତେ ଚତୁରତାର ସହ ଲୋକଟିର ଜୋତାହଳକ ଚୋରେଇ ନେଇଗଲା ? ତାକୁ ଏହି ଜୋତାଚୋରି ଘଟଣାଟି ରହସ୍ୟମୟ ମନେ ହେଉଥିଲା ।

 

ସେ କହିଲା, “ଆପଣଙ୍କ ଜୋତାର ନମ୍ବର ନିଶ୍ଚୟ ଆଠ ନମ୍ବର ହୋଇଥିବ । କାରଣ ସେହି ନମ୍ବରର ଜୋତା ବେଶି ଚୋରି ହୁଏ ।”

 

: କିନ୍ତୁ ଆପଣ ସେ କଥା କିମିତି ଜାଣିଲେ ? – ଯୁବକଟି ଜେରା କଲା ପରି ପଚାରିଲା-

 

: ମୋ ସାନଭାଇର ଆଠ ନମ୍ବର । ତାର ବହୁତ ଥର ଜୋତା ଚୋରି ହୁଏ । କିନ୍ତୁ ମୋର ଦଶ ନମ୍ବର, ଦେଖୁନାହାନ୍ତି ମୋ ଜୋତା ଯେମିତି ଥିଲା, ସେମିତି ରହିଥିବ ।

 

: ଓ-ହୋ, ଆପଣ ତାହାହେଲେ ସାନଭାଇ ପାଇଁ...

 

: ମାନେ ? ଆପଣ ମୋତେ ସନ୍ଦେହ କରୁଛନ୍ତି । ଆପଣ ତ କହୁଥିଲେ ଯେ ଖୁଟ୍‌କରି ଶବ୍ଦ ହେଲେ ଆପଣଙ୍କ ନିଦ ଭାଙ୍ଗିଯାଏ ।

 

: କିନ୍ତୁ ଆମ ଦି ଜଣଙ୍କ ଛଡ଼ା ତ ଏଠି ଆଉ କେହି ନାହିଁ ।

 

ପ୍ରକାଶର ମୁଣ୍ଡ ଗରମ ହୋଇଗଲା । ସେ ତାର ଆଟାଚି ଯୋଡ଼ିକ ବାହାରକୁ ବାହାର କରିଆଣି ତାକୁ ଖୋଲିଲା ଓ ଯୁବକଟିକୁ ଦେଖାଇଲା । ମାତ୍ର ଯୁବକଟି ତା ଆଡ଼େ ଚାହିଁଲା ନାହିଁ ।

 

ଟ୍ରେନ୍‌ ଭୁବନେଶ୍ୱରରେ ପହଞ୍ଚି ସାରିଥିଲା । ଯୁବକଟି ଖାଲି ପାଦରେ ତାର ବ୍ୟାଗ୍‌ ଧରି ଦୁଆର ଆଡ଼କୁ ଯାଉଥିଲା । ସେ ଯୁବକଟିର ଜୋତାଚୋରି ପାଇଁ ମନକଷ୍ଟ କଲା । ଗତକାଲି ରାତିରେ ଜୋତାଚୋରି ବିଷୟରେ ସେ କହିଥିବା କଥାଗୁଡ଼ାକ ପ୍ରକାଶର ମନେ ପଡ଼ୁଥିଲା ।

 

ଏଥର ପ୍ରକାଶ ସ୍ଲିପର ହଳକ ଗୋଟେ ପଲିଥିନ୍‌ ମୁଣାରେ ବାହାର କରି ରଖିଲା ଓ ସିଟ୍‌ ତଳେ ଗୋଡ଼ ବୁଲେଇ ନିଜ ଜୋତାହଳକୁ ଭିଡ଼ି ଆଣିଲା ।

 

: କିନ୍ତୁ ଏ କଣ ?

 

: ଇଏ ତ ତା ଜୋତା ନୁହେଁ ! ତା ଜୋତା ଜାଗାରେ ଥିଲା ହଳେ ପୁରୁଣା ଓ ରଙ୍ଗଛଡ଼ା ଜୋତା । ସେ ରଙ୍ଗଛଡ଼ା ଜୋତାହଳକୁ ଦେଖିବାକ୍ଷଣି ଦୁଃଖ ଓ କ୍ରୋଧରେ ଚିତ୍କାର କରିଉଠିଲା ।

 

ସେତେବେଳକୁ ସମସ୍ତେ ସେ ବର୍ଥରୁ ବାହାରି ଯାଇସାରିଲେଣି । ପ୍ରକାଶ ସିଟ୍‌ ତଳେ ଅନେଇ ନିଜର ଜୋତାହଳକୁ ଖୋଜିହେଲା । ବର୍ଥ ଭିତରେ ପୁରୁଣା ଖବରକାଗଜ, ଚା ଓ କଫିର ପ୍ଲାଷ୍ଟିକ୍‌ ଗ୍ଲାସ୍‌, ବ୍ୟବହୃତ ପାଣି ବୋତଲ, ପାନ ପିକ, ସିଗ୍ରେଟ୍‌ ଖଣ୍ଡ ଓ ବିସ୍କୁଟ୍‌ ଜରି ବିଛେଇ ହୋଇପଡ଼ିଥିଲା । ମାତ୍ର ତାର ବାଟା କଂପାନି ଜୋତାହଳକ ସେଠି ନ ଥିଲା । ସେ ରାଗରେ ରୋଗୀର ଜୋତା ପରି ଦିଶୁଥିବା ସେ ଜୋତାହଳକୁ ବାହାରକୁ ଛାଟିଦେଲା ଓ ନିଜର ସ୍ଲିପର ବାହାର କରି ପିନ୍ଧିଲା ।

 

ସେ ପ୍ଲାଟ୍‌ଫର୍ମର ପ୍ରସ୍ଥାନ ଫାଟକ ଦେଇ ବାହାରକୁ ଯିବାବେଳେ ଦେଖିଲା, ବାଁ ପଟେ ସେଇ ଯୁବକଟି ଛିଡ଼ା ହୋଇଛି ।

 

ଯୁବକଟି ତାକୁ ଚାହିଁଥିଲା । ତା ଚାହାଣିର ଭାଷା ପଢ଼ିବାକୁ ପ୍ରକାଶ ମହାପାତ୍ର ଉଦ୍ୟମ କଲା । ସେଠି ତା ପ୍ରତି ଅବିଶ୍ୱାସ ଓ ସନ୍ଦେହ ହିଁ ଥିଲା ।

 

ଦୁହେଁ ପାଖାପାଖି ଚାଲୁଥିଲେ । ଯୁବକଟିର ପାଦରେ କେବଳ ଧଳା ମୋଜା ଓ ପ୍ରକାଶ ପାଦରେ ବାଥ୍‌ରୁମ୍‌ ସ୍ଲିପର । କିନ୍ତୁ କେହି କାହାକୁ କିଛି କହୁ ନ ଥିଲେ । ପରସ୍ପର ପ୍ରତି ଉଭୟଙ୍କ ମନରେ ଅନାଦର, ସନ୍ଦେହ ଓ ଅବିଶ୍ୱାସ ହିଁ ଥିଲା ।

 

ପ୍ରକାଶ ଭାବିଥିଲା, ଯୁବକଟିର ପାଖକୁ ଯାଇ ତା ନିଜର ଜୋତାହଳକ ବି ଚୋରି ହୋଇଯାଇଥିବା କଥା କହିବ । ଏ ଖବର ଶୁଣି ଯୁବକଟିର ଦୁଃଖ ଅନ୍ତତଃ କିଛିଟା ଲାଘବ ହେବ । ତାଛଡ଼ା ସେ ନିଶ୍ଚିତ ହେବ ଯେ, ଆଉ କେହି ଚୋର ତା ଜୋତା ନେଇଛି, ପ୍ରକାଶ ନୁହେଁ । ମାତ୍ର ସେ ଯୁବକଟିକୁ ଚାହିଁବାକ୍ଷଣି ଏସବୁ କଥା ଭୁଲିଗଲା ।

 

ପ୍ରକାଶ ଗୋଟିଏ ଜାଗାରେ ଛିଡ଼ା ହେଲା । ଲୋକଟା ଆଗେ ପଳଉ, ତାପରେ ସେ ଯିବ-

 

ଏତିକିବେଳେ ଯୁବକଟି ତାକୁ ବୁଲିପଡ଼ି ଚାହିଁଲା ଓ ପାଖେଇ ଆସି ପଚାରିଲା, “ଆପଣଙ୍କ ଜୋତା କୁଆଡ଼େ ଗଲା ? ଏ ସ୍ଲିପରରେ... ?”

 

ପ୍ରକାଶ କିଛି କହିଲା ନାହିଁ ।

 

ଯୁବକଟି ଏଥର କହିଲା, “ଓହୋ, ଆପଣଙ୍କର ବି ନେଇ ଯାଇଛି । ଧନ୍ୟ ଏ ଚୋରଙ୍କୁ, କେଉଁ ବାଗରେ ଜୋତା ଦି ହଳ ନେଇଗଲେ ଆମେ ଜାଣିପାରିଲେ ନାହିଁ ।”

 

: ମୁଁ ଚୋରକୁ ଦୋଷ ଦେଉନି; ବରଂ ଧନ୍ୟବାଦ ଦେଉଛି । ଜୋତାହଳକ ମୋର ଯାଉ ପଛେ, ଆପଣଙ୍କ ମନରୁ ସନ୍ଦେହଟା ତ ଦୂର ହେଲା । ସେଇକଥା କହିବା ପାଇଁ ମୁଁ ଆପଣଙ୍କ ପଛେ ପଛେ ଆସୁଥିଲି । –ପ୍ରକାଶ କହିଲା ।

☆☆☆

 

ମିଛଗଛ

 

ସମସ୍ତଙ୍କର ମୁହଁରେ ଜାଣ ଗୋଟିଏ ଗୋଟିଏ ତାଲା ପଡ଼ିଯାଇଥିଲା । ମହାନ୍ତି ଘର ବୁଢ଼ୀ, ଯିଏ ସଜ ମାଛରେ ପୋକ ପକେଇବାକୁ ନିଜର ଧରାବନ୍ଧା କାମ ବୋଲି ଧରିଥାଏ, ତା ମୁହଁରେ ଏଡ଼ୁଟେ ତାଲା ! ପିନ୍ଧାଲୁଗାର କାନିକୁ ଦାନ୍ତରେ ଚାପିଧରି, ଓଢ଼ଣାକୁ ମୁଣ୍ଡ ଉପରକୁ ଭିଡ଼ିଆଣି, ସାହିପଡ଼ିଶାଏ ଗୋଟାକ ଉପରେ ଗୋଟାଏ ତାଳ ଥୁଆଗଲା ପରି, ଜଣକ ପିଠିରେ ଆଉ ଜଣେ ମୁଣ୍ଡ ରଖି ଏକ ଧ୍ୟାନରେ ପରିଡ଼ା ଘର ଦାଣ୍ଡ ଦୁଆରକୁ ଚାହିଁଥାଆନ୍ତି । ସେ ଦୃଶ୍ୟ ଏମିତି ବିରଳ, ଏମିତି ନିଆରା ଯେ ନିଜ ନିଜର ଅନୁଭୂତିରୁ ତୁଳନା ଦେଲା ପରି କୌଣସି ଶବ୍ଦ କି ଉପମା ସେମାନେ ପାଉ ନ ଥାନ୍ତି ।

 

ମୁଁ କହୁ ନଥିଲି... । ଗୋଟେ ନିସ୍ତରଙ୍ଗ ପୋଖରୀର ପିଠି ଉପରକୁ କୁନି ଟୋକାଟିଏ ଫିଙ୍ଗିଲା ପରି ଭୁଆସୁଣୀଟିଏ କହିଲା । କିନ୍ତୁ ତାକୁ ତାର ବାକ୍ୟ ପୂରଣ କରିବା ପାଇଁ ଅବକାଶ ମିଳିଲା ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ପ୍ରାଥମିକ ଟିପ୍ପଣୀ ଦେବାର ଯେଉଁ ବିରଳ ଗୌରବ, ସେ ଗୌରବକୁ ହାତଛଡ଼ା କରିବା ପାଇଁ କେହି ଚାହୁଁ ନଥିଲେ ।

 

: ତୁ କଣ କହୁଥିଲୁ ବା ? –ପ୍ରଧାନଘରର ବଡ଼ବୋହୂ ଚିହିଁକି ଆସିଲେ । ଭୁଆସୁଣୀ ବୋହୂଟିକୁ ଅପ୍ରସ୍ତୁତ କରିଦେବା ପାଇଁ ଏହି ମନ୍ତବ୍ୟଟି ଯଥେଷ୍ଟ ଥିଲା । କିନ୍ତୁ ତାଙ୍କର ଆଶଙ୍କା ସତ ହେଲା ନାହିଁ । ଭୁଆସୁଣୀଟି କହିଲା, "ମୁଁ କହୁଥିଲି ପରିଡ଼ାଘର ବୋହୂର ବହୁତ ବଡ଼ ବଡ଼ ଲୋକଙ୍କ ସାଙ୍ଗେ ଚିହ୍ନା ପରିଚୟ ଅଛି । ମୋ କଥା ତ କେହି ଶୁଣିଲେ ନାହିଁ । ଯେତେ ହେଲେ ସେ ଭୋବନେଶର ଝିଅ ।'

 

ମହାନ୍ତି ଘରର ବୁଢ଼ୀ ଆଉ ନିରବ ରହିପାରିଲେ ନାହିଁ । ସେ କହିଲେ, "କିଲୋ, କିଏ କେତେବେଳେ ଏକଥା କହିଥିଲା ? ସମସ୍ତେ ତ ତାକୁ ଛୋପରୀ, ଉପରମୁହିଁ ବୋଲି ସଦାଦିନେ କହୁଥିଲ । ଆଉ ଆଜି କାହିଁକି ଏତେ ଭଲେଇ ହେଉଛ ବା !'

 

: ହଉ, ହଉ ତେଣେ ଦେଖ ! –ଏସବୁ ଆଲୋଚନା ଭବିଷ୍ୟତରେ ଯେ କୌଣସି ଦିନ ହୋଇପାରିବ, ଅଥଚ ସାମ୍‌ନାରେ ଘଟୁଥିବା ଘଟଣା ଆଉ କେବେ ବି ଘଟିବ ନାହିଁ, ଇମିତି ଏକ ଧାରଣା ଦେବା ସହ କିଶୋରୀଟିଏ ସମସ୍ତଙ୍କୁ ପରିଡ଼ା ଘର ଅଗଣାରେ ଘଟୁଥିବା ଘଟଣା ପ୍ରତି ଆକର୍ଷଣ କରୁଥିଲା ।

 

ପାଟପୁର ଗାଁ ମୁଣ୍ଡରେ ହିଁ ପରିଡ଼ାଘର । ସନାତନର ବାପା-ଅଜା ଗାଁ ଭିତରେ ମଉରସୀ ଘରେ ରହୁଥିଲେ । ହୁଏତ ସନାତନ ବି ସେଇଠି ତା ଦିହକ ବିତେଇ ଦେଇଥାନ୍ତା । କିନ୍ତୁ ତୁଳସୀ ସେକଥା କରେଇଦେଲା ନାହିଁ । ସନାତନର ଧର୍ମପତ୍ନୀ ହେଇ ଏ ଗାଁକୁ ଆସିବା ପରଦିନ ସେ ପୁରୁଣାକାଳିଆ ଘରଟା ଉପରେ ବିରକ୍ତ ହେବା ଆରମ୍ଭ କରିଦେଲା । ତାର ନିବୁଜ କାନ୍ଥ, ତେଲଚିକିଟା ଦୁଆର ଝରକା, ତେଲୁଣିପୋକ ଅସରପା ସାଲୁବାଲୁ ଚାଳଛପର ତୁଳସୀ ପେଟରୁ ଭାତ କାଢ଼ି ଆଣିଲା । ସନାତନ ସ୍ୱୀକାର କଲା ଯେ ରେଭେନ୍ୟୁ ଇନିସ୍‌ପେକ୍ଟର୍‌ ପରି ଜଣେ ସରକାରୀ ଅଫିସର୍‌ଙ୍କ ଝିଅ ତୁଳସୀ ପକ୍ଷେ ଏ ପ୍ରତିକ୍ରିୟା ଥିଲା ସ୍ୱାଭାବିକ ।

 

ତୁଳସୀ ତାର ନୂଆ ଟ୍ରଙ୍କ୍‌ ଓ ବ୍ୟାଗ୍‌ ଭିତରେ ଅନ୍ୟାନ୍ୟ ଜିନିଷ ସହ ଡଜନେ ସରିକି ସ୍ୱପ୍ନର ପୁଡ଼ିଆ ଆଣିଥିଲା । ସେସବୁ ସେ ଗୋଟିକ ପରେ ଗୋଟିଏ ଥୋଇଦେଲା ସନାତନ ଆଗରେ । ଗୋଟିକ ଆରଠୁଁ ବଳି, ତା ପରଟା ଏ ଦିହିଙ୍କଠୁଁ ବଳି ସୁନ୍ଦର । ସିଏ ତୁଳସୀର ପାଉଡ଼ରବୋଳା ମୁହଁକୁ ଚାହିଁ, ସ୍କୁଲ୍‌ଦିନରେ ପଢ଼ିଥିବା ଗୋଟେ ନାଟକର ସଂଳାପ ମନେପକେଇ କହିଥିଲା, "ଗଛପରି ଆକାଶଛୁଆଁ ସ୍ୱପ୍ନ ଦେଖିଲେ କଣ ହେବ, ମାଟି ତଳର ଚେରଟା ପହିଲେ ଟାଣ ହେବା ଦରକାର । ସନାତନ ଏକଥା ପଦକ କହିସାରି ନିଜେ ଅଦ୍ଭୁତ ଆତ୍ମପ୍ରସାଦରେ ରୋମାଞ୍ଚିତ ହୋଇଉଠିଲା । କାରଣ ସେ ନିଶ୍ଚିତ ଥିଲା ଯେ, ଏପରି ଗୋଟେ ମୂଲ୍ୟବାନ ବାକ୍ୟ ଏ ଗାଁର କୌଣସି ସ୍ୱାମୀ, ତାର ନବପରିଣିତା ସ୍ତ୍ରୀକୁ କଦାପି କହି ନ ଥିବ । କିନ୍ତୁ ପରସ୍ପରଠୁଁ ଅନେକ ଦୂର ଓ ଅଚିହ୍ନା ପରିବେଶରୁ ଆସିଥିବା ସତ୍ତ୍ୱେ ସିନେମାର ନାୟକ ନାୟିକା ଗୋଟାଏ ଗୀତର ଆଗପଛ ଧାଡ଼ି ଆଗରୁ ଜାଣିଥିବା ପରି ତୁଳସୀ ଯେତେବେଳେ ସନାତନକୁ କହିଲା ଯେ, ଆକାଶକୁ ଛୁଇଁ ହେବ ନାହିଁ ଜାଣି ସୁଦ୍ଧା ଗଛ ବଢ଼ୁଥାଏ, ନ ହେଲେ ତ ମଞ୍ଜିହେଇ ମାଟି ତଳେ ରହିଥାନ୍ତ, ସେତେବେଳେ ବାସ୍ତବିକ ସନାତନ ରୋମାଞ୍ଚିତ ହୋଇଥିଲା । ସେ ରାତିରେ ମୁହୁର୍ମୁହୁଃ ରୋମାଞ୍ଚିତ ସନାତନ ସକାଳୁ ସ୍ଥିର ନିଷ୍ପତ୍ତିରେ ପହଞ୍ଚିଥିଲା ଯେ, ମନ୍ତ୍ରଣାରେ ମନ୍ତ୍ରୀ ପର୍ଯ୍ୟାୟଭୁକ୍ତ ଧର୍ମପତ୍ନୀ ବୋଲି ଯଦି କେହି ଥାଏ, ତାହାହେଲେ ସିଏ ହେଉଛି ଏଇ ତାର ସ୍ତ୍ରୀ, ତୁଳସୀ ।

 

ସେସବୁ କିନ୍ତୁ ଅନେକ ଦିନ ତଳର କଥା । ତାପରେ ନାନା ପ୍ରକାର ନୂଆ ଆଳ ଦେଖାଇ ସନାତନ ପାଟପୁର ଗାଁ ମୁଣ୍ଡର ଏଇ ଡିହକୁ ଉଠି ଆସିଥିଲା । ଭାଇମାନେ ଚାହୁଁଥିଲେ, ଏଇ ଜାଗାଟାରେ ଗୋଟେ ଧାନକଳ ବସେଇବେ । ଡିହଟା ଗାଁ ମୁଣ୍ଡରେ ଓ ବଜାର ଛକ ପାଖାପାଖି ହୋଇଥିବାରୁ ଏଠି ଧାନ କଳଟେ ବସିଲେ ଭଲ ଚାଲିବ ବୋଲି ସନାତନ ସୁଦ୍ଧା ଆଗରୁ ରାଜି ହୋଇଥିଲା । କିନ୍ତୁ ତୁଳସୀର ପ୍ରସ୍ତାବ ତା ପାଇଁ ଥିଲା ଅବଶିଷ୍ଟ ପରିବାରର ନିଷ୍ପତ୍ତି ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ।

 

ସନାତନ ଏଠି ଘର ତୋଳିବାବେଳେ ଜାଗାଟା ନିଛାଟିଆ ଥିଲା । ଏବେ କିନ୍ତୁ ଆଖପାଖରେ ଅନ୍ୟମାନେ ଘର ତୋଳିଲେଣି । ସନାତନର ଘର ଚାରିପଟେ ନଡ଼ିଆଗଛ, ବାଡ଼ିପଟେ ପୋଖରୀ, ଦାଣ୍ଡ ଅଗଣାରେ କୂଅ ଓ କୂଅ ସେପଟେ ତୁଳସୀଚଉଁରା ।

 

: କେତେ ଡଉଲଡାଉଲ ଦିଶୁଛି ପୁଅଟି ! ଇଏ ରଜା ନା ମନ୍ତ୍ରୀ ବା ?

 

: ଆଉ କଣ ରଜା ଅଛନ୍ତି ଦେଶରେ ? ରଜାପଦ କୋଉକାଳୁ ଉଠିଗଲାଣି ପରା । ଇଏ ମନ୍ତ୍ରୀ । –କିଶୋରୀ ଜଣେ କହିଲା ।

 

: ରଜାପଦ ଯଦି ଉଠିଗଲା, ତାହାହେଲେ ମନ୍ତ୍ରୀ ପଦ କେମିତି ରହିଲା ବା ? –ମହାନ୍ତିଘରର ବୁଢ଼ୀ କଥାଟା ନାପସନ୍ଦ କଲା ପରି ପଚାରିଥିଲା ।

 

କିନ୍ତୁ କିଶୋରୀଟି ନିରବ ରହିଲା ନାହିଁ । ‘‘ଆଗରୁ ଯାହାଙ୍କୁ ରଜା କୁହାଯାଉଥିଲା, ଏବେ ତାଙ୍କୁ ମନ୍ତ୍ରୀ କୁହାଯାଉଛି । ଦେଶ ସ୍ୱାଧୀନ ହେଲା, ରଜାରାଜୁଡ଼ା ଶାସନ ଉଠିଗଲା । ଦେଖୁନୁ, ଇଏ କଣ ରଜା ପରି ମୁକୁଟ ପିନ୍ଧିଛନ୍ତି ?’’ –ସେ ଓଲଟା ଜବାବ ଦେଲା ।

 

ଅନ୍ୟ ସମୟ ହୋଇଥିଲେ ମହାନ୍ତିଘର ବୁଢ଼ୀ ନିରବ ରହି ନ ଥାନ୍ତା । ସ୍କୁଲ୍‌ ଯାଉଥିବା ଏଇ ଟୋକୀଖଣ୍ଡକୁ ନିଶ୍ଚୟ ପଦେ ଦି ପଦ କହିଥାନ୍ତା । ମାତ୍ର ଆଜି ତା ହାତରେ ସମୟ ନଥିଲା । ସେ ତାର ଜାଲୁଜାଲୁଆ ଆଖିଯୋଡ଼ିକୁ ପରିଡ଼ା ଘର ଆଡ଼େ ଲମ୍ବେଇ ଘଟୁଥିବା ଘଟଣାମାନ ଦେଖି ନେଉଥିଲା ।

 

ପରିଡ଼ାଘରର ଅଗଣାରେ ଘଟୁଥିବା ଘଟଣାଗୁଡ଼ିକର ଧାରାବିବରଣୀ କେହି ଦେଉଥିଲେ ସେ ଏଇମିତି ଦିଅନ୍ତା :

 

‘‘କୁହା ନାହିଁ, ବୋଲା ନାହିଁ, ହଠାତ୍‌ ମନ୍ତ୍ରୀଙ୍କ ଗାଡ଼ି ଆସି ସନାତନ ପରିଡ଼ାଙ୍କ ଘର ଦୁଆର ଆଗରେ ରହିଲା । ଖବର ଦେବାରେ ବା ପ୍ରୟୋଜନ କେଉଁଠି ? ମନ୍ତ୍ରୀଙ୍କ ସହ ସନାତନ ପରିଡ଼ାଙ୍କ ପରିବାରର ନିବିଡ଼ ସଂପର୍କ ଥିବା ସମସ୍ତେ ଜାଣନ୍ତି । ସନାତନ ପରିଡ଼ାଙ୍କ ପତ୍ନୀ ତୁଳସୀ ଦେବୀ ଆଗରୁ ବାରମ୍ବାର ସାହିପଡ଼ିଶା, ବନ୍ଧୁବାନ୍ଧବ ଓ ଜଣାଶୁଣା ମହଲରେ ଏଇ ସୂଚନା ଦେଇ ଆସିଛନ୍ତି-। ମନ୍ତ୍ରୀଙ୍କ ଗାଡ଼ି ଆସି ପହଞ୍ଚିବା ପରେ ସନାତନ ଧାଇଁଆସି ମନ୍ତ୍ରୀଙ୍କୁ ପାଛୋଟି ନେଲେ । ସାଙ୍ଗେ ସାଙ୍ଗେ ଗଛରୁ ପଇଡ଼ ତୋଳାଗଲା ଓ ମନ୍ତ୍ରୀଙ୍କ ସାଙ୍ଗରେ ଆସିଥିବା ଡ୍ରାଇଭର, ପୁଲିସ, ପ୍ରାଇଭେଟ୍‌ ସେକ୍ରେଟାରି ପଇଡ଼ପାଣି ପିଇଲେ ।

 

ମନ୍ତ୍ରୀ ଓ ତାଙ୍କର ସହଯୋଗୀମାନେ ଘର ଭିତରକୁ ଯିବା ଘଟଣାରେ ସନାତନ ଓ ତୁଳସୀ ଯେତିକି ଖୁସି ହେଲେ, ନିଜ ନିଜ ଘର ଅଗଣାରୁ ଏ ଦୃଶ୍ୟ ଦେଖୁଥିବା ସାହିପଡ଼ିଶାଏ ସେତିକି ଦୁଃଖୀ ହେଲେ । ଏହା ପରର ଦୃଶ୍ୟ ଆଉ ଦେଖି ନ ପାରିବାଟା ଥିଲା ସେମାନଙ୍କ ଦୁଃଖର କାରଣ-

 

ତୁଳସୀର ଗୋଡ଼ ତଳେ ଲାଗୁ ନ ଥିଲା । କେତେ ଶହ ଥର ସେ ଏମିତି ଗୋଟେ ଦୃଶ୍ୟର ବିବରଣୀ ସାହିପଡ଼ିଶା, ପୋଖରୀଘାଟ ଓ ବାହାପୁଆଣିରେ ଦେଇଥିବ । "ଅମୁକ ମନ୍ତ୍ରୀଙ୍କ ସାଙ୍ଗେ ଆମର ବନ୍ଧୁବାନ୍ଧବ, ପୁଲିସ ଡିଜି ଆମ ଘରକୁ ଆସନ୍ତି, କଲେକ୍ଟରଙ୍କ ସ୍ତ୍ରୀ ମୋ ପିଇସୀ ଝିଅ ଭଉଣୀ' ପରି ଗୁରୁତ୍ୱପୂର୍ଣ୍ଣ ଖବର ବହୁବାର ସେ ପାଟପୁର ଗାଁ ଲୋକଙ୍କୁ ଅଯାଚିତ ଭାବେ ଦେଇଛି-। କିନ୍ତୁ ଦୁଃଖର କଥା ଯେ କୌଣସି ଦିନ ଏ ଗାଁର ଜଣେ ହେଲେ ଲୋକ ତା କଥାକୁ ବିଶ୍ୱାସ କରିନାହାନ୍ତି । ଓଲଟି ଆଖି ଡବଡବ କରି, ହସ ଚାପି ତା ମୁହଁକୁ ଅନେଇଛନ୍ତି –ସତେ କି ସିଏ ସେମାନଙ୍କୁ ଗପ କହୁଛି । ଆଉ କାହା କଥା ବା କହିବ ତୁଳସୀ, ଆପଣା ସୁନା ଭେଣ୍ଡି ପରି ସନାତନ ତ ତା କଥାକୁ ବିଶ୍ୱାସ କରିନାହିଁ !

 

ଯେତେବେଳେ ବି ଏମିତି କିଛି କଥା ତୁଳସୀ କହିଛି, ସନାତନ ଅବିଶ୍ୱାସ କରିବା ଭଙ୍ଗୀରେ ତା ପାଖରୁ ଦୂରେଇଯାଇ ପଚାରିଛି, "ସତ ନା ? ମୋତେ ତ କାହିଁ ଆଗରୁ କହି ନ ଥିଲ-?'

 

ତୁଳସୀ ବିଚଳିତ ହୋଇନାହିଁ । ମହାନ୍ତିଘର ବୁଢ଼ୀ ତାଙ୍କ ବାପଘରର ଜମିଦାରୀ, ପ୍ରଧାନଘର ଭୁଆସୁଣୀ ତାଙ୍କ ବାରମାଣିଆ ଚକ, ଦାସଘର ଝିଅ ତା ବାପାଭାଇଙ୍କ ଟ୍ରାକ୍ଟର ଚାଷ ଓ ମହାପାତ୍ରଘରର ବୋହୂ ତା ଯୌତୁକ ସିନ୍ଦୁକ ପାଇଁ ଶ୍ୱଶୁରଘରର ଛାମୁଁ କବାଟ ଭଙ୍ଗା ହେବା କଥା କହିଲାବେଳେ ସେ ବି କହେ, ‘‘ମନ୍ତ୍ରୀ ପରା ଆମର ବନ୍ଧୁ ! ହାକିମ ହୁକୁମାଙ୍କ ଗୋଳଚହଳି ତ ସଦାଦିନେ ଆମ ଘରେ ଚାଲିଥାଏ ।’’

 

କହିସାରି ତୁଳସୀ ଅନ୍ୟ କାହାର ମୁହଁକୁ ଅନାଏ ନାହିଁ । କାଳେ ଅନେଇଦେଲେ ସେ ତା କଥା ପୂରଣ କରିପାରିବ ନାହିଁ ସେଇ ଆଶଙ୍କା କରି ସେଠୁ ପଳେଇ ଆସେ ସିନା କାହାକୁ କିଛି କହେ ନାହିଁ । ଖାଲି ଶୁଣେ, ତା କଥାକୁ ଗାଁରେ କେହି ବିଶ୍ୱାସ କରନ୍ତି ନାହିଁ । ସମସ୍ତେ କହନ୍ତି ‘‘ସନାତନର ମାଇପଟା ଛୋପରୀ, ସରଗରୁ ତୋଳି ଆଣିଲା ପରି କଥା କହେ । ବାପ ଜମିବାଡ଼ି ମାପଚୁପରେ ଏପଟ ସେପଟ କରି ଭୁବନେଶ୍ୱରରେ ଘରଟେ ତୋଳିଛି ବୋଲି ଝିଅ ମନ୍ତ୍ରୀ ସାଙ୍ଗରେ ବନ୍ଧୁ ବାନ୍ଧୁଛି!’’

 

ଆଠ ବରଷ ହେଲା ଏମିତି ଉଲୁଗୁଣା ତୁଳସୀ ଶୁଣି ଆସିଛି । ହାଟଫେରନ୍ତା ସନାତନ ବି ଶୁଣିଛି । ଘରକୁ ଫେରି ତୁଳସୀକୁ କହିଛି, ‘‘ଏମିତି କଥା ସବୁ କହିବା କି ଦରକାର ? ଯିଏ ଶୁଣୁଛି, ସିଏ ହସୁଛି ।’’

 

ନାଗୁଣୀ ପରି ତୁଳସୀ ଚିହିଁକି ଆସେ । ସନାତନର ମୁହଁକୁ ସିଧାସଳଖ ଅନେଇ ପଚାରେ, ‘‘ମୁଁ ଏକା ମିଛେଇ, ଆଉ ତୁମେ ନିଜେ ଭାରି ସତିଆ, ନୁହେଁ ?’’

 

ସନାତନ ଏଇ କଥା ପଦକ ଶୁଣି, ସାପ ପଦ୍ମତୋଳା ଶୁଣିଲା ପରି ନିରବ ହୋଇଯାଏ ।

 

ମନ୍ତ୍ରୀ କଣ ପଚାରିବାକୁ ଯାଉଥିଲେ । ସେତିକିବେଳେ ଆଉ ଗୋଟେ ଜିପ୍‌ ଆସି ସନାତନ ଘର ଅଗଣାରେ ଠିଆହେଲା । ସାହିପଡ଼ିଶାର ଦେଖଣାହାରି ପୁଣିଥରେ ଶିହରିତ ହେଲେ-। ସବୁଯାକ ଘଟଣା କଣ ଆଜି ଏଇଠି ଏକାଥରକେ ଘଟିଯିବ କି ? ସେମାନେ ଆଉ ଗୋଟେ କଥା ବି ଭାବୁଥିଲେ । ସେ କଥା ପାଇଁ ସେମାନେ ମନେ ମନେ ଖୁବ୍‌ ଦୁଃଖ କରୁଥିଲେ । ପ୍ରାୟଶ୍ଚିତ୍ତ କରୁଥିଲେ କହିଲେ ବରଂ କଥାଟି ଠିକ୍‌ ହେବ । ସେମାନେ ଅନୁଭବ କରୁଥିଲେ ଯେ ତୁଳସୀ ପ୍ରତି ସେମାନଙ୍କର ବ୍ୟବହାର ଆଦୌ ଠିକ୍‌ ହୋଇନାହିଁ । ଏମିତି ଗୋଟେ ବୋହୂ, ଯାହା ପାଇଁ ପାଟପୁର ଗାଁର ଆବାଳବୃଦ୍ଧବନିତା ଗର୍ବ କରିବା ଆବଶ୍ୟକ, ତା ପ୍ରତି ସେମାନେ ଗଲା ଆଠ ବର୍ଷ ଧରି ଅନ୍ୟାୟ କରି ଆସିଛନ୍ତି । ଏପରି ବ୍ୟବହାର ଦ୍ୱାରା ସେମାନେ କେବଳ ଯେ ପରିଡ଼ା ଘର ବୋହୂ ତୁଳସୀର ଅପମାନ କରିଛନ୍ତି ତାହା ନୁହେଁ, ନିଜ ନିଜର ଭବିଷ୍ୟତ ଉପରେ କୁଠାରାଘାତ କରିଛନ୍ତି-। ମନ୍ତ୍ରୀ ଚାହିଁଲେ କେତେ କଣ ହୋଇପାରିବ ! ଏ ଗାଁର ଭାଗ୍ୟ ବଦଳିଯାଇ ପାରିବ, ସେମାନଙ୍କର ନିଜ ନିଜର ଭବିଷ୍ୟତ ବଦଳି ଯାଇପାରିବ, ଏ ଗାଁର ବେକାରମାନେ ଚାକିରି ପାଇଯିବେ, ଗାଁ ରାସ୍ତାଘାଟର ଚିତ୍ର ବଦଳିଯିବ, ବଢ଼ି ମରୁଡ଼ି ପୀଡ଼ିତ ପାଟପୁର ସୁନା ହୋଇଯିବ–ଅଥଚ ସେମାନେ ଏତେସବୁ ସୁଯୋଗ ନିଜ ନିଜର ଦାୟିତ୍ୱହୀନ କଥାବାର୍ତ୍ତା ପାଇଁ ମିଛଟାରେ ହଜେଇ ଦେଇଛନ୍ତି । ତୁଳସୀ କଣ ସେସବୁ ଭୁଲିପାରିବ ?

 

ମନ୍ତ୍ରୀ ଯେତେଥର କିଛି ପଚାରିବାକୁ ମୁହଁ ଖୋଲୁଥିଲେ, ତୁଳସୀ ସେତେଥର କିଛି ନା କିଛି ପରଶି ତାଙ୍କୁ କଥା କୁହାଇ ଦେଉ ନ ଥିଲା । ବାପଘରୁ ଆଣିଥିବା ରେକାବିରେ ତୁଳସୀ ପରଶିଥିବା ଲବଙ୍ଗଖୋସା ସାଦାପାନରୁ ଯୋଡ଼ିଏ ଉଠେଇ ନେଇ ମନ୍ତ୍ରୀ ଜିପ୍‌ରେ ଆସିଥିବା ମୋଟା ଲୋକଟିକୁ ଚାହିଁଲେ ଓ ମୋଟା ଲୋକଟି କାନମୁଣ୍ଡ ଆଉଁଶି ‘ଏଇ ନିଅନ୍ତୁ’ ବୋଲି କହି କାଗଜ ପୁଡ଼ିଆଟିଏ ମନ୍ତ୍ରୀଙ୍କ ହାତକୁ ବଢ଼େଇ ଦେବାକ୍ଷଣି ମନ୍ତ୍ରୀ ନିଜ ଗଳାରେ ପଡ଼ିଥିବା ତିନିରଙ୍ଗିଆ ଅଙ୍ଗବସ୍ତ୍ରଟିକୁ ସଜାଡ଼ି ଉଠିପଡ଼ିଲେ ।

 

ମନ୍ତ୍ରୀ ତାଙ୍କ ବସିବା ଜାଗାରୁ ଉଠିପଡ଼ିବା କ୍ଷଣି, ଏତେ ସମୟ ହେଲା ନିରବି ଯାଇଥିବା ଝଡ଼ଟା ବି ଉଠିପଡ଼ିଲା । ସମସ୍ତେ ହୁ କିନା ଉଠିପଡ଼ିଲେ ଏବଂ ଚାବିଦିଆ ଖେଳଣା ପରି ଯାଇ ଗାଡ଼ି ଭିତରେ ବସିପଡ଼ିଲେ । ଏବେ ଆଗରେ ଜିପ୍‌ ଓ ପଛରେ ମନ୍ତ୍ରୀଙ୍କ ଗାଡ଼ି । ମନ୍ତ୍ରୀ ଦୁଇହାତ ଯୋଡ଼ି ସନାତନ, ତୁଳସୀ, ଦେଖଣାହାରି ଏପରିକି ପାଖ ନଡ଼ିଆଗଛ, କିଆବୁଦା ଓ ରାସ୍ତାକଡ଼ର ଘାସ ବୁଦାମାନଙ୍କୁ ବି ନମସ୍କାର କଲେ ଏବଂ ଗାଡ଼ିର ପଛ ସିଟ୍‌ରେ ବସିପଡ଼ିଲେ । ମନ୍ତ୍ରୀ ବସିବାକ୍ଷଣି କଳାକାଚ ଉପରକୁ ଉଠିଗଲା ଏବଂ ଧୂଳି ଉଡ଼େଇ ଉଡ଼େଇ ଗାଡ଼ି ଯୋଡ଼ିକ ପାଟପୁରଠୁଁ ଦୂରକୁ ଚାଲିଗଲା ।

 

ମନ୍ତ୍ରୀ ଚାଲିଯିବା ପରେ ତୁଳସୀର ବ୍ୟସ୍ତତା ବଢ଼ିଗଲା । ଗାଁ ଗୋଟାକର ଲୋକେ ସମସ୍ତେ ଏକାଥରକେ ତାର ନଈକୂଳିଆ ଘର ଅଗଣାରେ ଆସି ରୁଣ୍ଡ ହୋଇଗଲେ । ସନାତନ ପ୍ରଥମେ ନିଜ ଘରେ ଥିବା ଯୋଡ଼ିଏ କାଠ ଚଉକି ଓ ଗୋଟିଏ ପ୍ଲାଷ୍ଟିକ୍‌ ଚଉକିରେ ଅତିଥିଙ୍କ ସତ୍କାର କରିବାକୁ ଚେଷ୍ଟା କରୁଥିଲା । ମାତ୍ର ପରେ ସେ ବୁଝିଲା ଯେ ଦେଖଣାହାରିଙ୍କ ସମାବେଶ ପାଇଁ ଆବଶ୍ୟକ ବ୍ୟବସ୍ଥା ଜୁଟାଇବା ତା ପକ୍ଷେ ଅସମ୍ଭବ । ମାତ୍ର ସେ ନେଇ ଗାଁ ଲୋକେ ଆଦୌ ଚିନ୍ତିତ ନଥିଲେ । ସେମାନେ ସନାତନର ସମୟ ନଷ୍ଟ କରିବା ପାଇଁ ମଧ୍ୟ ଚାହୁଁ ନ ଥିଲେ । ତାଙ୍କର ପ୍ରୟୋଜନ ଥିଲା, ତୁଳସୀ ସାଙ୍ଗେ ସାମାନ୍ୟ ଦେଖାଚାହାଁ । ତୁଳସୀ ଚରକି ପରି ଖାଲି ଘରୁ ବାହାର ଓ ବାହାରୁ ଘର ଘୂରୁଥିଲା । ବେଶବାସ ପ୍ରତି ଯତ୍ନ ନେବା ଭିତରେ ସେ ଖାଲି କହୁଥିଲା, ‘ପରେ କଥା ହେବା । ଏବେ ତ ମୁଁ ବ୍ୟସ୍ତ ଅଛି । ଯାହାର ଯାହା ଆପତ୍ତି ଅଛି ବରଂ କାଗଜରେ ଲେଖିକି ଦିଅ, ମୁଁ ପଛରେ ଯାହା କରିବାର କଥା କରିବି ।’ ସେ ପୁଣି ଖଣ୍ଡିଏ ଶାଢ଼ି ବଦଳେଇବା ପାଇଁ ଭିତରକୁ ପଶିଯାଉଥିଲା ।

 

ପାଟପୁର ଗାଁସାରା ମନ୍ତ୍ରୀଙ୍କ ଗସ୍ତ କଥା ଚର୍ଚ୍ଚା ହେଉଥିଲା । ତୁଳସୀର ପରିବାର ସାଙ୍ଗେ ମନ୍ତ୍ରୀଙ୍କର ଏଭଳି ଘନିଷ୍ଠତା କଥା ଆଗରୁ କେହି କେବେ କଳ୍ପନା କରି ନ ଥିଲେ । ଅନ୍ୟମାନଙ୍କ କଥା ଦୂରେ ଥାଉ ପଞ୍ଚାୟତର ସରପଞ୍ଚ, ଫାଣ୍ଡିର ସବ୍‌ଇନିସ୍‌ପେକ୍ଟର୍‌ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହେଡ୍‌ମାଷ୍ଟର ସୁଦ୍ଧା ସେକଥା ଜାଣି ନ ଥିଲେ । ସରପଞ୍ଚ ଜାଣିଥିଲେ ଯେ ମନ୍ତ୍ରୀ ଚାନ୍ଦବାଲିର ନୂଆ ଡାକ୍ତରଖାନା ଉଦ୍‌ଘାଟନ କରିବାକୁ ଆସୁଛନ୍ତି । କିନ୍ତୁ ଚାନ୍ଦବାଲି-ଭଦ୍ରକ ମଝିର ପାଟପୁର ଗାଁରେ ମନ୍ତ୍ରୀଙ୍କର ଏହି ବ୍ୟକ୍ତିଗତ କାର୍ଯ୍ୟକ୍ରମ ବିଷୟରେ ସେମାନେ ସୁରାକ୍‌ ସୁଦ୍ଧା ପାଇ ନ ଥିଲେ ।

 

ମଣିଷର ଦୀର୍ଘ ଜୀବନ ଭିତରେ ଦଶ ମିନିଟ୍‌ କେତେ ଅଳ୍ପ, ପୁଣି କେତେ ବହୁତ–ଏଇମିତି ଗୋଟେ ଦାର୍ଶନିକ ଚିନ୍ତାରେ ସନାତନ ବୁଡ଼ି ରହିଥିଲା । ତାର ଚାଳିଶ ବର୍ଷର ଜୀବନ ଭିତରେ ଏମିତି ଗୋଟିଏ ଘଟଣା କୌଣସି ଦିନ ଘଟି ନ ଥିଲା । ପାଠପଢ଼ା, ଚାକିରିଖୋଜା, ସବୁଆଡ଼ୁ ବିଫଳ ହୋଇ ଗାଁକୁ ଫେରି ଆସିବା ଏବଂ ଭାଇମାନଙ୍କଠାରୁ ଭିନେ ହୋଇ ଗାଁ ମୁଣ୍ଡରେ ଘରଟେ କରି ରହିବା ପରେ ଘୋସରା ଜୀବନ ଭିତରେ ଏମିତି ଚାଞ୍ଚଲ୍ୟକର ମୁହୂର୍ତ୍ତଟେ କେବେ ଆସି ନ ଥିଲା । ସେଇ ଦଶ ମିନିଟ୍‌ର ଚିନ୍ତା କେବଳ ଯେ ତାର ଘଟଣାହୀନ ଜୀବନକୁ ଅର୍ଥମୟ କରିଦେଇଥିଲା ସେତିକି ନୁହେଁ, ତାଆରି ଭିତରେ ସେ ନିଜର ଭଙ୍ଗାଦଦରା ପ୍ରାୟ ଦିଶୁଥିବା ଭବିଷ୍ୟତକୁ ଆଉ ଥରେ ସଜାଡ଼ି ନେବାର ସମ୍ଭାବନା ଦେଖୁଥିଲା ।

 

ମନ୍ତ୍ରୀ ଯଦି ଚାହିଁବେ ସେ କଣ ନ କରିପାରିବ ? ଚାକିରି, ଠିକାଦାରୀ, ରାଜନୀତି କେଉଁ କଥା ପାଇଁ ବା ତାର ଯୋଗ୍ୟତା ନାହିଁ ? ସେ ବି.ଏ ପଢ଼ିଛି, ଟ୍ରାକ୍ଟର ଚଳେଇପାରେ, ମୋଟର ସାଇକେଲ୍‌ ଛୁଟେଇପାରେ ଅଶୀ କିଲୋମିଟର ବେଗରେ । ଯେଉଁମାନେ ଏବେ ପାଟପୁରରେ ମୁରବି ସାଜିଛନ୍ତି, ସେମାନଙ୍କଠାରୁ ସେ କୋଉ ଗୁଣରେ ବା ପଛରେ !

 

ଅନେକ ସ୍ୱପ୍ନ ଦେଖିଛି ସନାତନ । ଭୁବନେଶ୍ୱର କି କଟକରେ ତାର ଗୋଟେ କୋଠା ହୁଅନ୍ତା । କୋଠା ସାମ୍‌ନାରେ ଗାଡ଼ି ରୁହନ୍ତା । ତା ସ୍ତ୍ରୀ ଓ ସେ ସେଇ ଗାଡ଼ିରେ ବସି ବୁଲିଯାଆନ୍ତେ । ପିଲାଟି ପଢ଼ନ୍ତା ଇଂଲିଶ୍‌ ସ୍କୁଲ୍‌ରେ । ଘର ଭିତରେ ଫୋନ୍‌, ଟେଲିଭିଜନ୍‌, ଫ୍ରିଜ୍‌ ଓ ଆସବାବପତ୍ର ରୁହନ୍ତା । ସେ ରହନ୍ତା ସେଇ ଘରେ । ମଝିରେ ମଝିରେ ପାଟପୁର ବୁଲିଆସି ନିଜର ବଡ଼ପଣ ଜାହିର କରନ୍ତା । କିନ୍ତୁ ଏସବୁ ଖାଲି ସ୍ୱପ୍ନ ହେଇ ରହେ । ତୁଳସୀ କହିଲା ପରି ଗଜା ହେଉ ନ ଥିବା ମଞ୍ଜି ଭଳି ସେ ମାଟି ତଳେ ଚାପି ହେଇ ପଡ଼ିଥାଏ, ତା ଭିତରେ ମାଟି ଫିଟେଇବାର ସାମର୍ଥ୍ୟ ଆସେ ନାହିଁ । ସେ ମଞ୍ଜିରୁ ଅଙ୍କୁରୋଦ୍‌ଗମ ହୁଏ ନାହିଁ । ମାଟିତଳେ ଥାଇ ମାଟି ଉପରର ଆକାଶଛୁଆଁ ସବୁଜିମାର କଥା ସେ କେବଳ ଭାବେ ! ଭାବୁ ଭାବୁ ରାତି ପାହିଯାଏ ।

 

ତୁଳସୀ ତଥାପି ଅଗଣାରୁ ଫେରି ନ ଥିଲା । ସେଇ ଗୋଟିଏ ପ୍ରଶ୍ନକୁ ଗୁଡ଼େଇ ତୁଡ଼େଇ ସମସ୍ତେ ତାକୁ ପଚାରୁଥିଲେ, ‘‘ମନ୍ତ୍ରୀ ଆପଣଙ୍କର କଣ ହୁଅନ୍ତି ?’’ ମାମୁ ନା ମଉସା, ଭାଇ ନା ଭିଣୋଇ ? ମନ୍ତ୍ରୀମାନଙ୍କୁ ଖବରକାଗଜ ଓ ଟି.ଭି.ବାଲାଏ ପଚାରିଲା ପରି ସେମାନେ ପ୍ରଶ୍ନ ପଚାରୁଥାଆନ୍ତି । କିନ୍ତୁ ତୁଳସୀ କେବଳ ହସଟିଏ ହସି ସେମାନଙ୍କ ପ୍ରଶ୍ନକୁ ଏଡ଼ାଇ ଯାଉଥାଏ । ପ୍ରକୃତରେ ତା ପାଖେ ଏତେ ଲୋକଙ୍କୁ ଜବାବ ଦେବା ପାଇଁ ଫୁରୁସତ ନ ଥାଏ ।

 

ମହାନ୍ତିଘର ବୁଢ଼ୀ, ପ୍ରଧାନଘର ଭୁଆସୁଣୀ, ମହାପାତ୍ରଘରର ସ୍କୁଲ୍‌ପଢ଼ୁଆ ଝିଅ, ଗାଁ ଦାଣ୍ଡକୁ ଖେଳପଡ଼ିଆ ବିଚାରୁଥିବା ପିଲାଏ, ମହାଦେବଙ୍କ ପୂଜକ, ସଦାବେଳେ ବ୍ୟସ୍ତ ଗୋବିନ୍ଦ ସାହୁ, ସ୍କୁଲ୍‌ ପଡ଼ିଆ, ପଞ୍ଚାୟତ ପୋଖରୀ ଏବଂ ମନ୍ତେଇ ଘାଟ ସଭିଏଁ ମନ୍ତ୍ରୀଙ୍କ ଗସ୍ତ କଥା ଚର୍ଚ୍ଚା କରୁଥାନ୍ତି । ସେଇ ଚର୍ଚ୍ଚା ଭିତରେ ସେମାନେ ନିଜେ ନିଜକୁ ଖୋଜିବାର ଚେଷ୍ଟା ବି ଜାରି ରଖିଥାନ୍ତି ଯଥାସମ୍ଭବ ଏବଂ ଭବିଷ୍ୟତର ଖସଡ଼ା ସାଙ୍ଗରେ ଆଜିର ଏହି ମହାର୍ଘ ଘଟଣାକୁ କିଭଳି ଓ କେତେ ଶୀଘ୍ର ସେ ସଂପର୍କ ଯୋଡ଼ା ଯାଇପାରିବ ସେଥିପାଇଁ ଯଥାସାଧ୍ୟ ଉଦ୍ୟମ କରୁଥାଆନ୍ତି ।

 

ସେଦିନଟି ଏମିତି ବିତିଗଲା । ସନାତନ ଆଶା କରୁଥିଲା, ପରଦିନକୁ ଭିଡ଼ କମିଯିବ । କିନ୍ତୁ ତୁଳସୀ ସେପରି ଭାବୁ ନ ଥିଲା । ତୁଳସୀର ଅନୁମାନ ହିଁ ଠିକ୍‌ ଥିଲା । ପରଦିନ ତାଙ୍କ ଘରକୁ ଆସୁଥିବା ଲୋକଙ୍କ ସଂଖ୍ୟା ବରଂ ବଢ଼ିଗଲା । କିନ୍ତୁ ମନ୍ତ୍ରୀ ଥିବା ସମୟର କୌତୂହଳ ଏବଂ ଆଜିର କୌତୂହଳ ଭିତରେ ଅନେକ ଫରକ ଥିଲା । ଗତକାଲି ଏକାସାଙ୍ଗେ ସମସ୍ତେ ମନ୍ତ୍ରୀଙ୍କୁ ଦେଖିବା ପାଇଁ ଯେମିତି ଉଠି ଆସିଥିଲେ, ଆଜି ସେମିତି କେହି ତରବର ହେଉ ନ ଥିଲେ । ପ୍ରତ୍ୟେକ ନିରୋଳାରେ ତୁଳସୀ ଓ ସନାତନକୁ ଭେଟିବା ପାଇଁ ଚାହୁଁଥିଲେ । ସେମାନଙ୍କ ଭାବଭଙ୍ଗୀ ପରି ପୋଷାକପତ୍ରରେ ଲକ୍ଷଣୀୟ ସାମ୍ଭ୍ରାନ୍ତ୍ୟ ବାରି ହୋଇପଡୁଥିଲା । ହସି ହସି, ନମସ୍କାର କରି ସେମାନେ ଆସୁଥିଲେ ଓ ‘‘ଗୋଟିଏ ଜରୁରି କଥାରେ ତୁମର ସାହାଯ୍ୟ ଲୋଡ଼ୁଛି’’ କହି କେଜାଣି କେତେ ଛୋଟବଡ଼ କାମର ବରାଦ ଦେଉଥିଲେ ।

 

ତୁଳସୀ ଲକ୍ଷ୍ୟ କରୁଥିଲା ଯେ ତାଙ୍କ ଘରକୁ ଆସୁଥିବା ଲୋକମାନେ କେହି ଆଉ ଖାଲି ହାତରେ ଆସୁ ନ ଥିଲେ । ଆସିଲାବେଳେ ସେମାନେ ପାଖ ଦୋକାନରୁ ମିଠା କିମ୍ବା ଚକୋଲେଟ୍‌ ଆଣୁଥିଲେ ଓ ତାଙ୍କ ପୁଅକୁ ଡାକି ତା ହାତରେ ସେସବୁ ଧରେଇ ଦେଉଥିଲେ । ସେମାନେ ତା ପୁଅର ମୁଣ୍ଡବାଳ ସାଉଁଳେଇ ଦେଉଥିଲେ ଏବଂ ‘ଇଏ ବଡ଼ ହେଲେ ବାପା-ମାଆଙ୍କ ନାଁ ରଖିବ’ ବୋଲି ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ କଥା କହୁଥିଲେ । ସେମାନେ କଥା କହିଲାବେଳେ ସନାତନ ଓ ତୁଳସୀ ପ୍ରତି ଏତେ ସମ୍ମାନ ଦେଉଥିଲେ ଯେ ସନାତନ ସମୟେ ସମୟେ ଅପ୍ରସ୍ତୁତ ହୋଇପଡ଼ୁଥିଲା । ଠିକଣା ସମୟରେ ତୁଳସୀ ତାକୁ ସେ ଅସ୍ୱସ୍ତିର ନିଷ୍କୃତି ଦେଉଥିଲା ।

 

ଅତିଥିଙ୍କ ଚରିତ୍ର ପରି ଚେହେରା ମଧ୍ୟ ବଦଳୁଥିଲା । ପ୍ରଥମେ ପାଖଆଖ ଲୋକ ଚାଲି ଚାଲି ନ ହେଲେ ସାଇକେଲ୍‌ରେ ଆସୁଥିଲେ । ଧୀରେ ଧୀରେ ତାହା ସ୍କୁଟର୍‌, ମୋଟର ସାଇକେଲ୍‌ରେ ପରିଣତ ହେଲା ଏବଂ ସପ୍ତାହ ଶେଷ ବେଳକୁ ପ୍ରତ୍ୟହ ଦିଇ ତିନିଟି ଜିପ୍‌ ଓ କାର୍‌ ଆସି ସନାତନ ଘର ଆଗରେ ବ୍ରେକ୍‌ କଷିଲା । ସନାତନ ପଚାରି ବୁଝିଲା, ସେମାନଙ୍କ ଭିତରୁ କିଏ ଇଞ୍ଜିନିଅର୍‌, କିଏ ଡାକ୍ତର, କିଏ କୃଷି ଅଫିସର୍‌ ଏବଂ କିଏ ଠିକାଦାର । ତାଙ୍କ ଭିତରୁ କେତେଜଣ ସନାତନ ସହ ପରିଚିତ ପରି ବ୍ୟବହାର କରୁଥିଲେ ଏବଂ ଫେରିବା ବେଳକୁ ମିଠା ସହିତ ଖଣ୍ଡେ ଖଣ୍ଡେ ଲଫାଫା ତା ଖଟିଆ ଉପରେ ଭୁଲିଗଲା ପରି ଛାଡ଼ି ଦେଇ ଯାଉଥିଲେ ।

 

ପ୍ରଥମ ଲଫାଫାଟିକୁ ଗୋଟେଇ ଧରି ସନାତନ ଅଗଣାକୁ ଦଉଡ଼ିଥିଲା । ତୁଳସୀ ଚିଲ ପରି ତା ହାତରୁ ସେଇଟା ଝାମ୍ପି ନେଲା ବେଳକୁ ସନାତନର ଡାକ ଶୁଣି ପଛକୁ ଚାହିଁଥିବା ଭଦ୍ରଲୋକଙ୍କର ଆଖି ତୁଳସୀ ଆଖିରେ ମିଶି ଯାଇଥିଲା । ଦୁହେଁ ଏକାସାଙ୍ଗରେ ହସିଦେଲେ ଓ ଇଞ୍ଜିନିୟର ଭଦ୍ରଲୋକ ଜଣକ ଉତ୍ସାହିତ ଭଙ୍ଗୀରେ ‘ଯେତେବେଳେ ଯାହା ଦରକାର ହେବ, ମୋତେ ଖବର ଦେବେ ମାଡାମ୍‌’ କହି ଚାଲିଯାଇଥିଲେ ।

 

: ମାଡାମ୍‌ ! –ସନାତନ ଚମକି ପଡ଼ିଥିଲା ଓ ତୁଳସୀ ହାତରୁ ଲଫାଫାଟି ଭିଡ଼ିଆଣି ତା ଭିତରେ କଣ ଅଛି ଦେଖିବାକୁ ଚାହିଁଥିଲା । ଶୂନ୍ୟରୁ ତାସ୍‌ ଦି ପଟ ଗୋଟେଇ ଆଣିଲା ପରି ତୁଳସୀ ଦେଖେଇଥିଲା, ହଜାରେ ଟଙ୍କିଆ ନୋଟ୍‌ ଦି ଖଣ୍ଡ । ସନାତନ ଦି ପାଦ ପଛକୁ ଫେରିଆସିଥିଲା । ହଜାରେ ଟଙ୍କିଆ ନୋଟ୍‌ ସେ ୟା ଆଗରୁ କେବେ ଦେଖି ନ ଥିଲା କି ଛୁଇଁ ନ ଥିଲା ।

 

ତାର ତୋଟି ଶୁଖିଗଲା । ହାତ ପାଦ ଝାଳେଇଗଲା । ତା ଘରର ପୁରୁଣା ଓ ପରିଚିତ ଖଟ, ଚଉକି, ଲୁଗାପଟା, ବାସନକୁସନ ସବୁକିଛି ନୂଆ ନୂଆ ଦିଶିଲା । ସେ କେବଳ ବୋକାଙ୍କ ପରି ତୁଳସୀ ମୁହଁକୁ ଚାହିଁଲା । ସେ ଚାହାଣିର ଅର୍ଥ ବୁଝିଲା ପରି ତୁଳସୀ କହିଲା, ‘‘ଆମେ ତ କାହାରିକୁ ମାଗିନାହୁଁ । ଏଥିରେ ଏତେ ବ୍ୟସ୍ତ କାହିଁକି ? ଭାବିନିଅ ଯେ ଏସବୁ ଲଟେରି ।’’ ସେ ନୋଟ୍‌ ଦି ଖଣ୍ଡକୁ ନେଇ ଭିତରକୁ ଚାଲିଯାଇଥିଲା ।

 

ସନାତନ ବିବ୍ରତ ହୋଇପଡ଼ିଲା । ସେ ବିବ୍ରତ ଭାବର କାରଣ ସେ ତୁଳସୀକୁ କହୁ ନ ଥିଲା । ଅନ୍ୟମାନେ ଯଦି ତୁଳସୀ ଜରିଆରେ ଲାଭବାନ ହୋଇ ପାରୁଛନ୍ତି, ତାହାହେଲେ ସିଏ କାହିଁକି ସିଧାସଳଖ ଲାଭବାନ ହୋଇପାରିବ ନାହିଁ–ଏଇ ଥିଲା ତା ଭାବନାର କାରଣ । ମାତ୍ର ତାର ରାଜଧାନୀକୁ ଯିବାର ପ୍ରସ୍ତାବକୁ ତୁଳସୀ ନାକଚ କରି ଦେଉଥିଲା । କହୁଥିଲା, ସେ ବେଳ ଆସିଲେ ସେ ତାକୁ କହିବ ।

 

ତୁଳସୀର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଥିଲା ।

 

ଏବେ ତାକୁ ଆଉ କେହି ପରିହାସ କରୁ ନ ଥିଲେ । ବରଂ କେମିତି ସଂଭ୍ରମ ଦେଖେଇ ସମସ୍ତେ ଚଳୁଥିଲେ । କାହାର ସିନା ସରପଞ୍ଚ, ଚେୟାର୍‌ମ୍ୟାନ୍‌ କି ଏମ୍‌.ଏଲ୍‌.ଏ ସାଙ୍ଗେ ପରିଚୟ ଥାଏ, ତା ବୋଲି ଏକାଥରେ ମନ୍ତ୍ରୀ ସାଙ୍ଗରେ ? ପୁଣି ଏମିତି ପରିଚୟ ଯେ ମନ୍ତ୍ରୀ ତାଙ୍କର ଥାଟପାଟ ଧରି ସିଧା ଆସି ପହଞ୍ଚିଯିବେ ୟାଙ୍କ ଘରେ ? ଇଏ କେବଳ ଅତି ଘନିଷ୍ଠ ବନ୍ଧୁପଣିଆରେ ସମ୍ଭବ । କପାଳିଆ ମଣିଷଙ୍କ ଭାଗ୍ୟରେ ଏମିତି ରାଜଯୋଗ ଜୁଟେ ।

 

ସନାତନକୁ ଅନେକ ଲୋକ ଈର୍ଷା କରୁଥିଲେ । କିନ୍ତୁ ସେମାନେ ଭୟ କରୁଥିଲେ ବେଶି-। ସେ କଥା ସନାତନ ଅନୁଭବ କରିପାରୁଥିଲା । ଦୋକାନକୁ ଗଲେ ଦୋକାନୀ ଗୋବିନ୍ଦ ସାହୁ ସମସ୍ତଙ୍କୁ ଛାଡ଼ି ଆଗେ ସନାତନକୁ ଡାକୁଥିଲା ଓ ଚା ପାଣି ପିଆଇ ଜିନିଷ ମାପି ଦେଉଥିଲା-। ସନାତନ ହାତରୁ ପଇସା ନେବାବେଳେ ସେ ଏମିତି କୁଣ୍ଠା ପ୍ରକାଶ କରୁଥିଲା, ସତେ କି ସନାତନ ତା ପ୍ରତି ବହୁତ ଦୟା କରୁଛି । ଫାଣ୍ଡି ସବ୍‌ଇନିସ୍‌ପେକ୍ଟର କାରଣ ନ ଥାଇ ସନାତନକୁ ନମସ୍କାର କରୁଥିଲା ଓ ଫାଣ୍ଡିକୁ ଡାକି ଛେନା ମୁଡ଼ୁକି ଓ ସିଙ୍ଗଡ଼ା ଖୁଆଉଥିଲା । ଗାଁ ସ୍କୁଲ୍‌ର ହେଡ୍‌ମାଷ୍ଟ୍ରେ ସନାତନକୁ ଦେଖିଲେ ପାଠପଢ଼ା ବନ୍ଦ କରି ଦେଶର ଭବିଷ୍ୟତ ସଂପର୍କରେ ଚର୍ଚ୍ଚା କରୁଥିଲେ ଏବଂ ସନାତନ ପରି ଯୋଗ୍ୟ ଲୋକ ସମାଜରେ ଥାଉ ଥାଉ ଅଯୋଗ୍ୟମାନଙ୍କ ହାତରେ ଦେଶର ଶାସନଭାର ପଡ଼ିଥିବାରୁ ଏ ଦଶା ହୋଇଛି ବୋଲି ନିଜର ମତ ଶୁଣଉଥିଲେ । ଗାଁ ସରପଞ୍ଚ ଦିନରେ ଦି ଥର ଯେମିତି ହେଉ ସନାତନକୁ ଭେଟି ଯାଉଥିଲେ ଓ ତୁଳସୀ ଉଦ୍ଦେଶ୍ୟରେ ନମସ୍କାର ଜଣାଇବାକୁ ଭୁଲୁ ନ ଥିଲେ । ପାଖ ବଜାରର ମିଠା ଦୋକାନୀ, ଗାଁ ଯୁବକ ସଂଘର ସେକ୍ରେଟାରି ଓ ଗାଁକୁ ଆସୁଥିବା ବ୍ଲକ୍‌ ଅଫିସ୍‌ର ବାବୁମାନେ ସନାତନ ସାଙ୍ଗେ କଥାଭାଷା ହେବାର ଅବକାଶ ପାଇଲେ କୃତକୃତ୍ୟ ଅନୁଭବ କରୁଥିଲେ ।

 

ସନାତନ ନିଜର ପରିବର୍ତ୍ତିତ ଭାଗ୍ୟ ନେଇ ଯେତିକି ଉଲ୍ଲସିତ ହେଉଥିଲା, ତାକୁ ରାଜଧାନୀ ଯିବା ପାଇଁ ତୁଳସୀ ଛାଡ଼ୁ ନ ଥିବାରୁ ସେତିକି ବିବ୍ରତ ହୋଇପଡୁଥିଲା । ହୁଏତ ଏମିତିରେ ଆହୁରି କିଛି କାଳ ବିତିଯାଇଥାଆନ୍ତା । କିନ୍ତୁ ଦିନେ ଯୁବକ ସଂଘର ସେକ୍ରେଟାରି ଭଡ଼ାଗାଡ଼ିଟିଏ ଯୋଗାଡ଼ କରି ମନ୍ତ୍ରୀଙ୍କୁ ‘ଚିଫ୍‌ଗେଷ୍ଟ୍‌’ କରି ଆଣିବା ଦିଗରେ ସନାତନର ସାହାଯ୍ୟ ଲୋଡ଼ିବା ପରେ, ସେ ଆଉ ତୁଳସୀର ସମ୍ମତି ପାଇଁ ଅପେକ୍ଷା କରିପାରିଲା ନାହିଁ ।

 

ଯୁବକ ସଂଘର ସେକ୍ରେଟାରି ତୁଳସୀକୁ ମଧ୍ୟ ନିମନ୍ତ୍ରଣ କରୁଥିଲେ । ମାତ୍ର ତୁଳସୀ ‘ମୁଁ ଯିବା ଯାହା, ସିଏ ଯିବା ସେଇଆ’ କହି ସନାତନକୁ ଚାହିଁଲା ଓ ସନାତନ ଉଲ୍ଲସିତ ହୋଇ ଉତ୍ତର ଦେଲା, ନା, ନା, ଦି ଜଣ କାହିଁକି ଯିବା ? ଯୁବକ ସଂଘର ସେକ୍ରେଟାରି ଶେଷକୁ ରାଜିହେଲା । ‘କିନ୍ତୁ ଫଙ୍କ୍‌ସନ୍‌ରେ ଆପଣ ନିଶ୍ଚୟ ଆମର ଗେଷ୍ଟ୍‌ ହେବେ’ କହି ସନାତନକୁ ନେଇ ସେ ଚାଲିଗଲା ।

 

ତୁଳସୀ ପୁଅକୁ ସ୍କୁଲ୍‌କୁ ପଠେଇବାକୁ ବାହାରୁଥିଲା । ସେତିକିବେଳେ ଅନ୍ଧାର କରି ମେଘ ଘୋଟି ଆସିଲା । ‘ମେଘର ତ ଚିହ୍ନ ନ ଥିଲା’, କହି ତୁଳସୀ ଆକାଶକୁ ଅନେଇଲା । କଳାହାଣ୍ଡିଆ ମେଘ ଘୋଟି ଆସୁଥିଲା । ତା ସାଙ୍ଗରେ ଧୂଳିଝଡ଼ ଓ ଖଣ୍ଡିଆଭୂତ । ଚାହୁଁ ଚାହୁଁ ପବନରେ କୁଟାପତ୍ର ସବୁ ଚରକି ଉଠିଲା ପରି ଆକାଶକୁ ଉଠିଗଲା । ତୁଳସୀ ଘର ଭିତରକୁ ପଳେଇ ଆସିଲା ।

 

କେତେ ସମୟ ପରେ ପବନ ଥମିଲା । ଆରମ୍ଭ ହେଲା ବର୍ଷା । ବର୍ଷା ଯେ ବର୍ଷା ମାଠିଆରେ ପାଣି ଢାଳିଲା ପରି । ସେତିକିବେଳେ ସେ ସନାତନ କଥା ଭାବିଲା, ‘ଭଲରେ ଭଲରେ ଲୋକଟି ଫେରିଆସୁ ।’

 

ମେଘପଖଳା ପାଟପୁର ରାସ୍ତାରେ ପାଣି କାଦୁଅ । ବେଙ୍ଗ ରଡ଼ୁଛି ଅର୍ଜୁନ ବାଆଜୀ ପୋଖରୀ ହୁଡ଼ାତଳେ । ପୁଅ ଶୋଇପଡ଼ିଲାଣି । ତା ଆଖିକୁ ବି ନିଦ ଆସିଲାଣି । କିନ୍ତୁ ସନାତନ ଖାଲି ଏପଟ ସେପଟ କଡ଼ ବଦଳଉଛି । ତାକୁ ନିଦ ଲାଗୁନାହିଁ । ଅଧରାତି ହେଲାଣି ।

 

କେତେ ସମୟ ପରେ ତୁଳସୀ ପଚାରିଲା, ‘କଣ ହେଲା ? ମନ୍ତ୍ରୀଙ୍କ ଦେଖା ପାଇଲ ନାହିଁ କି ?’

 

ସନାତନ କିଛି କହିବାକୁ ଚାହୁଁ ନ ଥିବା ପରି ଉତ୍ତର ଫେରେଇଲା, ‘ଦେଖା ନ ହୋଇଥିଲେ ବରଂ ଭଲ ହୋଇଥାନ୍ତା ।’

 

: ସେଇଥିପାଇଁ ତ ତମକୁ ମୁଁ ବାରଣ କରୁଥିଲି ।

 

: ତା ବୋଲି... ?

 

: ଓହୋ, ଏଡ଼େ ପାଟି କରୁଛ କାହିଁକି ? ମନ୍ତ୍ରୀଙ୍କ ସାଙ୍ଗେ ଦେଖାହେଲା ବେଳେ ଏ ଯୁବକସଂଘ ଟୋକା କଣ ତମ ସାଙ୍ଗରେ ଥିଲା ?

 

: କାହିଁକି ?

 

: ଯାହା ପଚାରୁଛି, ସେଇଆ କହୁନ । –ତୁଳସୀ କହିଲା ।

 

: ନା ।

 

: ରକ୍ଷା ହୋଇଛି । –ତୁଳସୀ ସ୍ୱସ୍ତିର ପ୍ରଶ୍ୱାସ ନେଲା ।

 

: କଣ ରକ୍ଷା ? ତମେ ମୋତେ ଏଡ଼େ ବଡ଼ ମିଛଟେ କାହିଁକି କହୁଥିଲ ?

 

: କେଉଁ ମିଛ ?

 

: ତମେ ଜାଣିନ ? ତମେ ସବୁ ଜାଣିଛ । ଅଥଚ...

 

: ସମସ୍ତଙ୍କର ଦେଖେଇବା ପାଇଁ ସବୁକଥା ଅଛି । ମୋର କିଛି ନ ଥିଲା । ମୁଁ ଆଉ କଣ କରିଥାନ୍ତି ?

 

ସନାତନ ବିଛଣାରୁ ଉଠି ପଡ଼ିଲା । ଲଣ୍ଠନକୁ ତେଜିଦେଇ ତୁଳସୀ ମୁହଁକୁ ଚାହିଁଲା । ତୁଳସୀ ମୁହଁରେ ଚିନ୍ତା, ଦକ କିଛି ନାହିଁ । ଯେମିତି ସେ ଆଦୌ ବିଚଳିତ ନୁହେଁ ।

 

ସେ ପୁଣି ଶୋଇବାକୁ ଚେଷ୍ଟା କରୁଥିଲା ।

 

ତୁଳସୀ ପଚାରିଲା, ‘କଣ ହେଲା କହୁନ ?’

 

: ମନ୍ତ୍ରୀ ଚିହ୍ନିପାରିଲେ ନାହିଁ । ଅନେକବାର କହିବା ପରେ କହିଲେ, ରଥଶର୍ମା ଜ୍ୟୋତିଷଙ୍କ ଘର ବୋଲି ଭାବି ସେଦିନ ସେ ଭୁଲ୍‌ରେ ଆମ ଘରେ ପହଞ୍ଚି ଯାଇଥିଲେ । ଏସ୍‌.ଡି.ଓ.ଙ୍କ ଗାଡ଼ି ପଛରେ ରହିଯିବାରୁ ମନ୍ତ୍ରୀଙ୍କ ଡ୍ରାଇଭର୍‌ ଘର ଚିହ୍ନିପାରି ନ ଥିଲା ।

 

ତୁଳସୀ ହସିଦେଲା ।

 

ସନାତନ ଚିଡ଼ିଲା ପରି ପଚାରିଲା, “ଏଇଟା କଣ ହସିଲା ଭଳି କଥା ?”

 

ତୁଳସୀ କହିଲା, ‘‘ଶୋଇପଡ଼ । ଏତେ ଦିନ ପରେ ଗୋଟାଏ କିଛି ଦେଖେଇବା ପାଇଁ ମୋତେ ମିଳିଛି । ତୁମର ତାକୁ ଭାଙ୍ଗିବା ଦରକାର ନାହିଁ ।’’

 

: ତା ବୋଲି ମିଛ ?

 

: ଯେଉଁଦିନ ଏସବୁ ସତ ବୋଲି ମୁଁ କହି ବୁଲୁଥିଲି, ସେଦିନ ମୋ କଥା କେହି ବିଶ୍ୱାସ କରୁ ନ ଥିଲେ । ଆଜି ତମେ ଏସବୁ ମିଛ ବୋଲି କହିଲେ ବି କେହି ସେ କଥାକୁ ବିଶ୍ୱାସ କରିବେ ନାହିଁ ।

 

ସନାତନ ତୁଳସୀକୁ ଆଉ ଥରେ ଚାହିଁଲା । ତାର ନିଦ ବଲବଲ ମୁହଁଟି ତାକୁ ଅତ୍ୟନ୍ତ ଅବୁଝା ଲାଗୁଥିଲା ।

☆☆☆

 

ପରିବର୍ତ୍ତନ

 

ମନ୍ତ୍ରୀଙ୍କ ସଭାରେ ଠିକ୍‌ ସମୟରେ ପହଞ୍ଚିବା ନେଇ ସନାତନର ବ୍ୟସ୍ତତା ଯୋଗୁ ରେଣୁ ବିରକ୍ତ ହୋଇ ଉଠିଲା । ଆଜିକାଲି କୋଉ ମନ୍ତ୍ରୀଙ୍କ ସଭାଟା ଠିକ୍‌ ସମୟରେ ଆରମ୍ଭ ହେଉଛି ଯେ ଇଏ ମଣିଷକୁ ବସେଇ ଉଠେଇ ଦେଉନାହାନ୍ତି–ରୋଷେଇ ଘରକୁ ଯାଉ ଯାଉ ସନାତନ ଉଦ୍ଦେଶ୍ୟରେ ସେ ମନ୍ତବ୍ୟ ଦେଲା ।

 

ଅନ୍ୟ ଦିନ ହୋଇଥିଲେ ସନାତନ ନିରବ ରହିଥାଆନ୍ତା । ଏମିତିରେ ରେଣୁ ସାଙ୍ଗରେ ପାଟିତୁଣ୍ଡ କରିବାକୁ ତାକୁ ସୁଖ ଲାଗେ ନାହିଁ । ତା ଛଡ଼ା ରେଣୁ ଏକାକୀ ଘରକରଣା ଜଞ୍ଜାଳରେ ଘାଣ୍ଟିହୁଏ । ପୁଅ ଝିଅଙ୍କ ଅଳି ଅର୍ଦ୍ଦଳି, ସ୍କୁଲ, ପାଠପଢ଼ା, ରୋଷେଇବାସ ଓ ଶାଶୂଙ୍କ ଦେଖାଶୁଣା କରିବାରେ ତାର ସମୟତକ କୁଆଡ଼େ ଉଡ଼ିଯାଏ । ସନାତନର ନିମ୍ନ ମଧ୍ୟବିତ୍ତ ଜୀବନ । ଏ ଜୀବନଟା ଛଅହାତି ଗାମୁଛା ପରି–ବେଢ଼ଣକୁ ଲମ୍ବା, ଧୋତିକୁ ସାନ । ସବୁଦିନେ କିଛି ନା କିଛି ସମସ୍ୟା । ଏବକୁ ବୋଉର ଦେହପା ସମସ୍ୟା ଚିନ୍ତା ବଢ଼େଇଛି ।

 

ସେଦିନ ସନାତନର ସାଙ୍ଗ ବିବେକାନନ୍ଦ ତା ଘରକୁ ଆସିଥିଲା । ବିବେକାନନ୍ଦ ଇନସ୍ୟୁରାନ୍ସ କମ୍ପାନିର ଉନ୍ନୟନ ଅଧିକାରୀ । ସେ ସବୁ ଶୁଣି ଯୁକ୍ତି କରିଥିଲା, “କଥାଟି ତାହା ନୁହେଁ-। ଆମ ତମ ପରି ସାଧାରଣ ଲୋକ ପନିପରିବା, ଡାଲି, ଚାଉଳ, ବାହାପୁଆଣି–ଏସବୁ ପାଇଁ ଖର୍ଚ୍ଚ ଅଟକଳ ରଖୁ । ମନକୁ ମନ ବଜେଟ୍‌ କରୁ । କିନ୍ତୁ ଆମ ଦେହପା ପାଇଁ ମାସିକ କିଛି ଅର୍ଥ ବ୍ୟବସ୍ଥା ରଖୁନା । ସେଥିପାଇଁ ହଠାତ୍‌ କାହାର ଦେହମୁଣ୍ଡ ଖରାପ ହେଲେ, ଆମକୁ ଔଷଧ ଡାକ୍ତର ଖର୍ଚ୍ଚ ଅପବ୍ୟୟ ପରି ଲାଗେ । ଦେହ ହୋଇଛି, ତାର ଭଲମନ୍ଦ ନାହିଁ ? ସ୍କୁଟର, ସାଇକେଲ୍‌ ପାଇଁ ମାସିକ ଖର୍ଚ୍ଚ ବ୍ୟବସ୍ଥା ରହୁଛି, ମଣିଷର ଶରୀର ପାଇଁ ରହିବ ନାହିଁ ?”

 

ରେଣୁ ସବୁ ବୁଝିଲା ପରି ମୁଣ୍ଡ ଟୁଙ୍ଗାରିଥିଲା । ସନାତନ ଜାଣି ପାରିଥିଲା, ରେଣୁ ଅସଲରେ ଔଷଧପତ୍ର ଖର୍ଚ୍ଚ କଥା କହୁନାହିଁ, ଶାଶୂଙ୍କୁ ତା ଘରର ଅଧିକା ସଦସ୍ୟ ଜଣେ ବୋଲି ଭାବୁଥିବାରୁ ତାଙ୍କ ପାଇଁ ଖର୍ଚ୍ଚବାର୍ଚ କଥାକୁ ଅପବ୍ୟୟ ବୋଲି କହୁଛି ।

 

ମେଲାଘର ଦୁଆର ପାଖେ ଛିଡ଼ାହୋଇ ସନାତନ ଆଉଥରେ କହିଲା, “ଚା କପେ ଦେବ କି ନାହିଁ କହିଲ, ମୁଁ ଚାଲିଯିବି । ଏଇଠି ତ ଚାରିଟା ବାଜିଲାଣି, ଆଉ କଣ ସଭା ସରିବା ବେଳକୁ ମୁଁ ଯାଇ ସେଠି ଚୌକି, ଟେବୁଲ୍‌ ଗଣିବି ?”

 

ରେଣୁ ଚା ଉଛୁଳୁଥିବା କପ୍‌ଟାକୁ ଧରି ଧାଇଁବା ଭଙ୍ଗୀରେ ଆସୁ ଆସୁ କହିଲା, “ହେଇ ନିଅ । ସବୁ କଥାରେ ଏମିତି ତରତର ହେଲେ ମୁଁ କିଛି କରିପାରିବି ନାହିଁ, କହିଦେଉଛି । ମୋର କଣ ଚାରିଟା ହାତ ?”

 

ସନାତନ ଉଛୁଳା ଚା କପ୍‌କୁ ଦେଖି ଆଉଥରେ ବିଗିଡ଼ି ଆସୁଥିଲା । ସବୁବେଳେ ଉଛୁଳୁ ମୁଛୁଳୁ କରି ଚା କି ପାଣି ଦେବା ରେଣୁର ଅଭ୍ୟାସ । ଟିକିଏ କମ୍‌ କରି ଦେଲେ କଣ ହୁଅନ୍ତା ନାହିଁ ! କିନ୍ତୁ ଆଜି ସେ ସେକଥା କହିଲା ନାହିଁ । ପ୍ରମୋଦକୁ ଭେଟିଯିବ ବୋଲି ସକାଳ ପହରରୁ ସେ ମନେ ମନେ ବଡ଼ ଉତ୍ସୁକ ହୋଇ ରହିଛି । ସେଇଥିପାଇଁ ସେ ଠିକ୍‌ ସମୟରେ ସର୍କିଟ୍‌ ହାଉସ୍‌ରେ ପହଞ୍ଚି ଯିବାକୁ ଚାହୁଁଛି । ଡେରି ହେଲେ ପ୍ରମୋଦ ସଭାମଞ୍ଚକୁ ଚାଲିଯିବ ଓ ସେ ତା ସାଙ୍ଗେ ଭଲକି ପଦେ ଦି ପଦ କଥା ହୋଇପାରିବ ନାହିଁ ।

 

“ଓ-ହୋ, କେତେ ଗରମ ହୋଇଛି ! ମଣିଷ କାହିଁକି କେଜାଣି ତୁମକୁ ଚା କପେ ପାଇଁ କହିଲା ! ବଜାର ଛକ ପାଖରୁ ପିଇ ନେଇଥିଲେ ବରଂ ଭଲ ହୋଇଥାଆନ୍ତା ।”

 

“ଅସଲ କଥା ତ ମନ୍ତ୍ରୀ ସାଙ୍ଗକୁ ଭେଟିଯିବ ବୋଲି ଉଚ୍ଛନ୍ନ ହେଉଛ । ସେଇଥିପାଇଁ ସବୁକଥା ତମକୁ ଡେରି ଡେରି ଲାଗୁଛି । ନହେଲେ କେତେ ଡେରି ହୋଇଛି ଶୁଣେ ! ଏଇନେ ତ ଜମା ଚାରିଟା ବାଜିଛି । ସଭା ଅଛି ପାଞ୍ଚଟାରେ । ଏଇଠୁ କଚେରି ପଡ଼ିଆ ଅଧଘଣ୍ଟାର ସାଇକେଲ ରାସ୍ତା । ଡେରି ହେଲା କେଉଁଠି ?”

 

ସନାତନ ତୁନି ପଡ଼ିଲା । ପ୍ରକୃତରେ ରେଣୁ ଠିକ୍‌ କଥା କହୁଥିଲା । କିନ୍ତୁ ସେ ସେଇ କଥାଟାକୁ ଏଭଳି ରୋକ୍‌ଠୋକ୍‌ ଭାବେ କହିବ ବୋଲି ସନାତନ ଆଶା କରୁ ନ ଥିଲା । କଲେଜ ଦିନର ସାଙ୍ଗମାନଙ୍କ ଭିତରୁ କିଏ କୁଆଡ଼େ ଗଲେଣି । କାହା ସାଙ୍ଗେ ପାଞ୍ଚ ବର୍ଷରେ ତ କାହା ସାଙ୍ଗେ ନଅ ବର୍ଷରେ ଥରେ ଅଧେ ଦେଖା ହେଉଛି । ଏଇ ପ୍ରମୋଦ ସାଙ୍ଗରେ ତ ପାଞ୍ଚ ବର୍ଷ ପରେ ଦେଖାହେବ । ପାଞ୍ଚ ବର୍ଷ ତଳେ ଥରେ ସେ ଭୁବନେଶ୍ୱରରେ ପ୍ରମୋଦକୁ ଭେଟିଥିଲା । ସେତେବେଳେ ପ୍ରମୋଦ ବିଧାୟକ ହୋଇ ନ ଥିଲା । ତଥାପି ତା ପାଖରେ ସବୁବେଳେ ଭିଡ଼ ଜମି ରହୁଥିଲା । ସନାତନ ସେଥର ତାଙ୍କ ସ୍କୁଲ୍‌ର କେତେକ ସମସ୍ୟା ନେଇ ଡି.ପି.ଆଇ ଅଫିସ୍‌କୁ ଯାଇଥିଲା । ସେଥର ପ୍ରମୋଦ ତାକୁ ଯେମିତି ସଂଖୋଳି ଥିଲା, ସେକଥା ଏବେ ବି ସନାତନର ମନେ ଅଛି । ଆଜି ସେଇ ପ୍ରମୋଦ ଯୁବମନ୍ତ୍ରୀ । ତା ଅଞ୍ଚଳକୁ ଅତିଥି ହୋଇ ଆସୁଛି । ସେ ତାକୁ ଆଗତୁରା ଯାଇ ସଂଖୋଳିବା ଉଚିତ ।

 

ସନାତନ ଚା କପ୍‌ଟାକୁ ଟୁଲ୍‌ ଉପରେ ଥୋଇ ଦେଉ ଦେଉ କହିଲା, “ତୁମର ସବୁ କଥାରେ ରାଗ । ଶୁଣ, ଯଦି ପ୍ରମୋଦର ସମୟ ଥାଏ, ତାହାହେଲେ ମୁଁ ତାକୁ ଆମ ଘରକୁ ଡାକିବି-। କଣ ଟିକିଏ ସର୍ବତ, ଜଳଖିଆ ବ୍ୟବସ୍ଥା କରିଥିବ । ସେ ଆସିପାରିବ କି ନାହିଁ ଜାଣିନି, କିନ୍ତୁ ମୋ ମନ କହୁଛି ସେ ଆସିବ ।”

 

ରେଣୁ ନରମି ଯାଇ କହିଲା, “ତାଙ୍କୁ ଟିକିଏ ଡାକି ଆଣିବ । ଯେତେହେଲେ ସେ ମନ୍ତ୍ରୀ । ସେ ଆମ ଘରକୁ ଆସି ବୁଲିଗଲେ ଏ ସାହି ଲୋକଙ୍କ ମୁହଁରେ ତାଲା ପଡ଼ିଯିବ । ସେପଟେ ଯୋଉ ପଟ୍ଟନାୟକ ବାବୁ ରହୁଛନ୍ତି, ତାଙ୍କ ପୁତୁରାର ସାଙ୍ଗ ଜଣେ କିଏ ଏମ୍‌.ଏଲ୍‌.ଏ. ଅଛନ୍ତି । ସେତିକି ନେଇ କଣ ତାଙ୍କର କମ୍‌ ଗର୍ବ ! କଥାରେ କଥାରେ, ମୋ ପୁତୁରାର ସାଙ୍ଗ ଏମ୍‌.ଏଲ୍‌.ଏ. ବୋଲି ପାଞ୍ଚଥର କହନ୍ତି । ଭାରି ଫୁଟାଣିଆ ଲୋକ ।”

 

ସନାତନ ହାତ ଘଡ଼ିକୁ ଚାହିଁ ମନକୁ ମନ ବ୍ୟସ୍ତ ହୋଇପଡ଼ିଲା । କହିଲା, “ମେଲାଘରଟା କେତେ ଅସନା ଦିଶୁଛି । ଟିକିଏ ସଜାଡ଼ି ଦେବ ।”

 

ରେଣୁ ଗେହ୍ଲେଇ ହେଲାପରି ତା ପାଖକୁ ଲାଗିଆସି କହିଲା, “ମନ୍ତ୍ରୀ କଣ ସତରେ ତମର ଭଲ ସାଙ୍ଗ ? ନା ଏମିତି ଚିହ୍ନା ପରିଚୟ ବା !”

 

ପ୍ରମୋଦ ଗୋଟେ କୁଟିଳ ହସ ହସିଲା । ଅର୍ଥ, ବଳେ ଦେଖିବ ନାହିଁ । ସେ ଆଉ କିଛି ଉତ୍ତର ନ ଦେଇ ପିଣ୍ଡା ତଳକୁ ଓହ୍ଲେଇଗଲା । ଭାବିଲା, ସାଇକେଲ୍‌ଟା ନେବ ନା ନାହିଁ । ଫେରିଲା ବେଳକୁ ତ ସେ ପ୍ରମୋଦର ଗାଡ଼ିରେ ଫେରିବ । ସାଇକେଲ୍‌ଟା ନେଇଥିଲେ ଆଣିବାକୁ ଅସୁବିଧା । ପୁଣି ସାଙ୍ଗରେ ନ ଆସିଲେ ପ୍ରମୋଦର ଡ୍ରାଇଭର ଏ ଗଳିଟାରେ ତା ଘର ପାଇବ ନାହିଁ । ତାଠୁଁ ଭଲ ସେ ରିକ୍ସାରେ ଚାଲିଯିବ ।

ଆଜି ସନାତନକୁ ଖୁବ୍‌ ଖୁସି ଖୁସି ଲାଗୁଥିଲା । ରେଣୁର ସେ କଥା ପଦକ ‘ମନ୍ତ୍ରୀ ତମର ଭଲ ସାଙ୍ଗ ନା ଏମିତି ଚିହ୍ନା ପରିଚୟ’–ବାଟସାରା ତାର ମନେ ପଡ଼ୁଥିଲା । କଲେଜଦିନର କଥାଗୁଡ଼ାକ ତା ଆଖି ଆଗରେ ନାଚୁଥିଲା । ପ୍ରମୋଦ ପାଇଁ ସେ କଣ କରିଛି, ସେ କଥା ପ୍ରମୋଦ କହିବ । ସେ ନିଜେ ସେକଥା କହିବା ଶୋଭା ପାଇବ ନାହିଁ ।

ସେବର୍ଷ କଲେଜର ବାର୍ଷିକ ଉତ୍ସବରେ ଯୋଉ ଗଣ୍ଡଗୋଳ ! ଅତିଥିମାନଙ୍କ ପାଇଁ ଅଲଗା ଅଲଗା ଡିଜାଇନ୍‌ର ଚୌକି ପଡ଼ିଥିବା କଥାକୁ ନେଇ ପ୍ରମୋଦ ପାଟି କରିଥିଲା । ଛାତ୍ର ସଂସଦ ନିର୍ବାଚନରେ ସେଥର ପ୍ରମୋଦ ହାରିଯାଇଥିବାରୁ, ସଭା ଭଣ୍ଡୁର କରିବା ପାଇଁ ଇଏ ଗୋଟାଏ ଚକ୍ରାନ୍ତ ବୋଲି ଛାତ୍ର ସଂସଦ ସଭାପତି ବିକାଶ ଯାଇ ପ୍ରିନ୍‌ସିପାଲ୍‌ଙ୍କୁ କହିଥିଲା । କିନ୍ତୁ ପ୍ରମୋଦ କହିଥିଲା ଯେ, ‘କଲେଜ ହେଉଛି ଶିକ୍ଷାୟତନ । ଏହାର ଅଧ୍ୟକ୍ଷ ଶିକ୍ଷାୟତନର ଅଭିଭାବକ-। ତାଙ୍କ ପାଇଁ ମାମୁଲି ଚଉକି ଓ ଅବକାରୀ ମନ୍ତ୍ରୀଙ୍କ ପାଇ ରାଜକୀୟ ଚଉକି ବ୍ୟବସ୍ଥା ଛାତ୍ର ସମାଜ ପାଇଁ ଅପମାନ । ଏ ଧରଣର ସାମନ୍ତବାଦୀ କାର୍ଯ୍ୟକଳାପକୁ ସେ ବରଦାସ୍ତ କରିବ ନାହିଁ-।’

କ୍ରମେ ସେ ଚଉକିଟି ଗୋଟେ ଗଣ୍ଡଗୋଳର ପ୍ରସଙ୍ଗ ହୋଇଯାଇଥିଲା । ବିକାଶ ଜିଦ୍‌ କରିଥିଲା ଯେ ମନ୍ତ୍ରୀଙ୍କ ପାଇଁ ପଡ଼ିଥିବା ଚଉକି ବଦଳିବ ନାହିଁ । ଯେତେହେଲେ ସେ ମୁଖ୍ୟ ଅତିଥି-। କଲେକ୍ଟର ଓ ପ୍ରିନ୍‌ସିପାଲ୍‌ ମନ୍ତ୍ରୀଙ୍କ ତଳେ । ସେମାନେ ସାଧାରଣ ଚଉକିରେ ବସିଲେ ମହାଭାରତ ଅଶୁଦ୍ଧ ହୋଇଯିବ ନାହିଁ ।

ପ୍ରମୋଦ ଏ କଥାର ପ୍ରତିବାଦ କରିଥିଲା । ଅଭିଯୋଗ କରିଥିଲା ଯେ, ଛାତ୍ର ସଂସଦ ସଭାକୁ ରଜାଝିଅ ବାହାଘର ପରି ଚକମକିଆ କରିବାର କିଛି କାରଣ ନାହିଁ । ଏସବୁ ଅଯଥା ଅପବ୍ୟୟ, କ୍ଷମତା ଓ ଅର୍ଥର ଅଶ୍ଳୀଳ ବିଜ୍ଞାପନ । ଅବକାରୀ ମନ୍ତ୍ରୀଙ୍କଠାରୁ ବିକାଶ ଦଶ ହଜାର ଟଙ୍କାର ମୋଟା ଚାନ୍ଦା ଆଣିଥିବାରୁ ତାଙ୍କ ପ୍ରତି ସେ ଏଭଳି ଅହେତୁକ ଅନୁରାଗ ଦେଖାଉଛି । ମାତ୍ର ଛାତ୍ର ସମାଜ ଏହାକୁ ବରଦାସ୍ତ କରିବ ନାହିଁ ।

ଅବକାରୀ ମନ୍ତ୍ରୀ ଆସିବାକୁ ଅଧଘଣ୍ଟା ବିଳମ୍ବ ଥାଏ । କଲେଜ ପରିସରରେ ଗଣ୍ଡଗୋଳ ଲାଗିଗଲା । ଉଭୟ ଛାତ୍ରନେତାଙ୍କ ସପକ୍ଷ ଓ ବିପକ୍ଷବାଦୀ ହାତାହାତି ହୋଇଗଲେ । ପ୍ରମୋଦର ମୁହଁ, ହାତ ବାନ୍ଧି କଲେଜ ହତା ଭିତରୁ କେତେଜଣ ପିଲା କୁଆଡ଼େ ଟେକି ନେଇଗଲେ । ତାପରେ ସବୁକିଛି ଥଣ୍ଡା ପଡ଼ିଗଲା । ମନ୍ତ୍ରୀ ଆସିଲେ, ରାଜକୀୟ ଚଉକିରେ ବସି ଆନନ୍ଦ ଓ ଉତ୍ସାହ ସହକାରେ ଛାତ୍ରନେତା ବିକାଶକୁ ପ୍ରଶଂସା କଲେ । ମଞ୍ଚ ଉପରେ ଉଦ୍‌ବୋଧନ ଦେଇ ଚାଲିଗଲେ-

ପରଦିନ ରକ୍ତାକ୍ତ ଅବସ୍ଥାରେ ପ୍ରମୋଦ ଆସି ହଷ୍ଟେଲରେ ପହଞ୍ଚିଲା । ତା ଦେହହାତ ସବୁ ଅବଶ ହୋଇପଡ଼ିଥାଏ । ସେ ଦିଶୁଥାଏ ରଣକ୍ଳାନ୍ତ ସୈନିକ ପରି । ସେ ଅବସ୍ଥାରେ ତାକୁ ଦେଖି ସନାତନ ପରାମର୍ଶ ଦେଇଥିଲା, ସେ ଗାଁକୁ ଚାଲିଯାଉ । ଏ ଅବସ୍ଥାରେ ତାର ସେବା ଶୁଶ୍ରୂଷା ଦରକାର । ହଷ୍ଟେଲରେ ସେସବୁ ବୁଝିବ କିଏ ?

ମାତ୍ର ପ୍ରମୋଦ ଗାଁକୁ ଯିବା ଲାଗି ଭୟ କରୁଥିଲା । ତାର ଶିକ୍ଷକ ବାପା ତାର ଏସବୁ ରାଜନୈତିକ କାର୍ଯ୍ୟକଳାପକୁ ପସନ୍ଦ କରୁ ନ ଥିଲେ । ଏଭଳି ଅବସ୍ଥାରେ ଗାଁକୁ ଗଲେ ବାପା ବିରକ୍ତ ହେବେ ଓ ସେ ଅପମାନ ଏହି ଆଘାତକୁ ବଳି ପଡ଼ିବ ବୋଲି ସେ ଆଶଙ୍କା କରୁଥିଲା । ଓଲଟି ଏକଥା ଯେମିତି କେହି ତା ବାପାଙ୍କୁ ନ ଜଣାନ୍ତି, ସେ ଦିଗରେ ସେ ସନାତନର ସାହାଯ୍ୟ ଲୋଡ଼ିଥିଲା ।

 

ସେଇ ସାତ ଆଠଦିନ କାଳ ସନାତନ ପ୍ରମୋଦର ଯତ୍ନ ନେଇଥିଲା । ସେକଥା ଆଜି ତାର ମନେ ଅଛି । ପ୍ରମୋଦର ମଧ୍ୟ ମନେ ଥିବ ।

 

ସର୍କିଟ୍‌ ହାଉସ୍‌ଟି ସନାତନର ଘର ପାଖରୁ ଯଥେଷ୍ଟ ଦୂର ଥିଲା । ସେ ସହରର ଗୋଟିଏ ନୂଆ କଲୋନିରେ ରହୁଥିଲା, ଯେଉଁଟା କି ସହରର ପୂର୍ବ ଦିଗକୁ ଥିଲା ଏବଂ ସର୍କିଟ୍‌ ହାଉସ୍‌ଟି ଥିଲା ପଶ୍ଚିମକୁ । ସେ ବାରମ୍ବାର ତା ହାତଘଣ୍ଟାକୁ ଚାହୁଁଥିଲା । ଘଣ୍ଟାରେ ସାଢ଼େ ଚାରିଟା ବାଜିବାକୁ ଯାଉଥିଲା । ସେ ରିକ୍ସାବାଲାକୁ କହିଲା, “ଏତେ ଧୀରେ ଧୀରେ ଗଲେ ହେବ ? ଜଲ୍‌ଦି ଚାଲ !”

 

ରିକ୍ସାବାଲାଟି ବୁଢ଼ାଲୋକ । ସେ ମନେ ମନେ କଣ ବିଡ଼ିବିଡ଼ି ହେଲା ଓ ଟିକିଏ ଜୋର୍‌ରେ ପେଡାଲ୍‌ ମାରିଲା । କିନ୍ତୁ ଦୁଇ ଚକ ଆଗକୁ ଗଡ଼ିଛି କି ନାହିଁ ତା ରିକ୍ସାର ଚେନ୍‌ ଖସିପଡ଼ିଲା । ସେତେବେଳକୁ ରିକ୍ସାଟି ଗୋଟେ ଉଠାଣିଆ ରାସ୍ତାକୁ ଉଠୁଥିଲା । ସନାତନ ଚିଡ଼ିଯାଇ କହିଲା, “ଶୀଘ୍ର ଚେନ୍‌ ଲଗେଇବୁ ତ ଲଗା, ନ ହେଲେ ମୁଁ ଏଇଠୁ ଚାଲି ଚାଲି ପଳେଇବି ।”

 

ସର୍କିଟ୍‌ ହାଉସ୍‌ ଭିତରେ ଅନେକ ଲୋକ । ବଡ଼ ବଡ଼ ଅଫିସର, ଖଦଡ଼ ପଞ୍ଜାବି ପିନ୍ଧା ନେତା, ପୋଲିସ୍‌ କର୍ମଚାରୀ ଓ କର୍ମୀ । କାହାଠୁଁ ସେ ମନ୍ତ୍ରୀ ଆସିଲେଣି କି ନାହିଁ ପଚାରି ବୁଝିବ ବୋଲି ଭାବି ହେଉଛି, ପଛରୁ ରିକ୍ସାବାଲା ଡାକିଲା, “ମୋ ପଇସା ।”

 

: ଓହୋ, ଦେଉଛି, କେତେ ହେଲା ? –ସଂକୋଚ ଓ ବ୍ୟସ୍ତତା ଭିତରେ ରିକ୍ସାବାଲାକୁ ପଇସା ଦେବା କଥା ସେ ଭୁଲିଯାଇଥିଲା ।

: ଦଶ ଟଙ୍କା ।

: ଦଶ ଟଙ୍କା ! ତମେ ତ ସବୁ କୋଠା ପିଟିବ । ହଉ ହଉ ନେ ।

ସନାତନ ରିକ୍ସାବାଲାକୁ ଦଶଟଙ୍କିଆ ନୋଟ୍‌ ଖଣ୍ଡେ ବଢ଼େଇ ଆଗକୁ ଚାହିଁଲା । ତରତର ପାଦରେ ଜଣେ ଯୁବକ ହତା ଭିତରୁ ବାହାରି ଯାଉଥିଲେ । ସେ ପଚାରିଲା, “ମିନିଷ୍ଟର ଆସିଲେଣି-?”

ଯୁବକଟି ପ୍ରଥମେ ସନାତନକୁ ଅବଜ୍ଞା ଦୃଷ୍ଟିରେ ଚାହିଁଲା ଓ ତାର ସମୟ ନଷ୍ଟ କରିବା ପରି ଅପରାଧ ସତ୍ତ୍ୱେ ସେ ତାକୁ କ୍ଷମା କରିଦେଇଛି–ଏପରି ଏକ ଭାବଭଙ୍ଗୀ ଦେଖାଇ ଉତ୍ତର ଫିଙ୍ଗିଲା, “ସେଇଠି ଡି.ପି.ଆର୍‌.ଓ. ଛିଡ଼ା ହୋଇଛନ୍ତି । ଯାଇକି ପଚାରୁନା !”

ସନାତନ ଲୋକଟିକୁ ଦୋଷ ଦେଲା ନାହିଁ, ବରଂ ଡି.ପି.ଆର୍‌.ଓ.ଙ୍କୁ ଚିହ୍ନେଇ ଦେଇଥିବା ହେତୁ ମନେ ମନେ ଧନ୍ୟବାଦ ଜଣେଇଲା । ସେ ଜିନ୍‌ ପ୍ୟାଣ୍ଟ, ବ୍ୟାନିୟନ ପିନ୍ଧିଥିବା ଓ ଫ୍ରେଞ୍ଚକଟ୍‌ ଦାଢ଼ି ରଖିଥିବା ଡି.ପି.ଆର୍‌.ଓ.ଙ୍କୁ ଯାଇ ପଚାରିଲା, “ଆଜ୍ଞା, ମିନିଷ୍ଟର ଆସିଲେଣି କି ?”

ଡି.ପି.ଆର୍‌.ଓ. ସନାତନକୁ ଚାହିଁଲେ ଓ କହିଲେ, “ଏସ୍‌.ପି.ଙ୍କ ପାଖକୁ ୱାୟାରଲେସ୍‌ ମେସେଜ ଆସିଥିବ । ଭୁବନେଶ୍ୱର ଛାଡ଼ି ସାରିଥିଲେ । କେତେବେଳେ ପହଞ୍ଚିବେ, ତାଙ୍କୁ ଯାଇ ପଚାରନ୍ତୁ ।”

 

ସନାତନ ଆହୁରି ବ୍ୟସ୍ତ ହୋଇପଡ଼ିଲା । ମନ୍ତ୍ରୀ ଆସିଛନ୍ତି କି ନାହିଁ ସେତିକି ଖବର ବୁଝିବା ପାଇଁ ଏତେ ଲୋକଙ୍କୁ ପଚାରିବାକୁ ପଡ଼ିବ ! ସେ ଚାହିଁଲା, ଗୋଟେ ନାଲିବତି ଲଗା ଗାଡ଼ି ପୋର୍ଟିକୋ ପଛକୁ ଠିଆହୋଇଛି । ସେଇଟା ମନ୍ତ୍ରୀଙ୍କ ଗାଡ଼ି ହୋଇଥିବ ଭାବି ସେ ନିଜେ ଗାଡ଼ି ପାଖକୁ ଯାଇ ତାର ନମ୍ବର ପ୍ଲେଟ୍‌କୁ ଅନେଇଲା । ନା, ସେଇଟା କଲେକ୍ଟରଙ୍କ କାର୍‌ । ସେ ଆଉ କାହାକୁ କିଛି ନ ପଚାରି ଗୋଟିଏ ଗଛକୁ ଆଉଜି ଛିଡ଼ାହେଲା ଓ ଲୋକମାନଙ୍କର କଥାବାର୍ତ୍ତା ଶୁଣିବା ପାଇଁ କାନ ଡେରିଲା ।

 

କଚେରି ପଡ଼ିଆ ପାଖରୁ ମାଇକ୍‌ ଯୋଗେ ଯୁବ ସଂଗଠକମାନଙ୍କର ଭାଷଣ ପରିଷ୍କାର ଶୁଭୁଥିଲା । ସେମାନେ ମନ୍ତ୍ରୀଙ୍କ ଆସିବା ଆଗରୁ ଜଣକ ପରେ ଜଣେ ଭାଷଣ ଦେଉଥିଲେ । ଦେଶର ଅଖଣ୍ଡତା, ଏକତା ଓ ଧର୍ମନିରପେକ୍ଷତା ସମ୍ବନ୍ଧରେ ଖୁବ୍‌ ଚମତ୍କାର ଢଙ୍ଗରେ ସେମାନେ ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲେ ।

 

ଧୀରେ ଧୀରେ ଶାଳ ଶାଗୁଆନ ଗଛ ଡାଳରୁ ସଂଜ ଓହ୍ଲେଇ ଆସୁଥିଲା । ଗୋଟିକ ପରେ ଗୋଟିଏ ଗାଡ଼ି ହେଡ୍‌ଲାଇଟ୍‌ ଜଳେଇ ସର୍କିଟ୍‌ ହାଉସ୍‌ ହତା ଭିତରକୁ ପଶୁଥିଲେ ଓ ସେ ଗାଡ଼ିର ଆରୋହୀ ଓହ୍ଲେଇଗଲା ପରେ ଡ୍ରାଇଭର ଗାଡ଼ିକୁ ନେଇ ଦୂରରେ ପାର୍କିଂ କରୁଥିଲା । ସନାତନ ହାତଘଣ୍ଟାକୁ ଚାହିଁ ଦେଖିଲା, ସାଢ଼େ ପାଞ୍ଚଟା ବାଜିଲାଣି । ମନ୍ତ୍ରୀ ଆସି ନାହାନ୍ତି ।

 

ଘରୁ ଆସିବା ବେଳେ ସେ ଅଯଥାରେ ରେଣୁ ଉପରେ ବିରକ୍ତ ହୋଇଥିବା କଥା ମନେପଡ଼ି ତା ମନ କଷ୍ଟ ହେଲା । ତେବେ ତାର ବଡ଼ ଚିନ୍ତା ହେଲା ଯେ, ଏବେ ଯଦି ପ୍ରମୋଦ ଆସେ, ତାହାହେଲେ ଡେରି ହୋଇଥିବା କାରଣରୁ ସେ ହୁଏତ ସର୍କିଟ୍‌ ହାଉସ୍‌କୁ ନ ଆସି ସିଧା ସଭା ଜାଗାକୁ ପଳେଇବ ଓ ସେ ଏଇଠି ଅପେକ୍ଷା କରିଥିବାରୁ ତା ସାଙ୍ଗେ ଦେଖା କରିପାରିବ ନାହିଁ-

 

ସର୍କିଟ୍‌ ହାଉସ୍‌ରେ ରହିବ ନା କଚେରି ପଡ଼ିଆକୁ ପଳେଇବ, ଏ ନେଇ ସେ କିଛି ସମୟ ଦ୍ୱିଧାରେ ପଡ଼ି ରହିଲା । ସ୍ଥିର କଲା, ଏବେ ସେ କଚେରି ପଡ଼ିଆ ଚାଲିଯିବା ବରଂ ଠିକ୍‌ ହେବ ।

 

କଚେରି ପଡ଼ିଆକୁ ଯିବା ପାଇଁ ବାହାରିଛି, ତାର ଏକଦା ଛାତ୍ର ଓ ଏବର ଯୁବନେତା ହେମନ୍ତ ସହ ଦେଖା ହେଲା । ବଢ଼ିପାଣି ସୁଅରେ କୁଟାଖିଅ ପାଇବା ପରି ସେ ହେମନ୍ତକୁ ପଚାରିଲା, “ମନ୍ତ୍ରୀଙ୍କ ଖବର କଣ ?”

 

ହେମନ୍ତ କହିଲା, “ଏବେ ଆସି ପହଞ୍ଚିବେ । ଆପଣ ସଭାକୁ ଯାଉନାହାନ୍ତି ।”

 

ସନାତନ ଭାବୁଥିଲା, ହେମନ୍ତ ଆଗରେ ସେ ମନ୍ତ୍ରୀଙ୍କ ସାଙ୍ଗ ବୋଲି କହିବ ନାହିଁ । ମାତ୍ର ହେମନ୍ତ ଯେମିତି ତାକୁ ଘଉଡ଼େଇଲା ଭଳି ଉତ୍ତର ଦେଲା, ସେଥିରେ ସେ ଟିକିଏ ଆହତ ଅନୁଭବ କରୁଥିଲା । ସେ ହେମନ୍ତର ଆଘାତକୁ ଓଲଟି ଫେରେଇ ଦେବା ପାଇଁ କହିଲା, “ମନ୍ତ୍ରୀ ମୋର ବ୍ୟକ୍ତିଗତ ବନ୍ଧୁ । ତମେ ବୋଧହୁଏ ଜାଣିନାହଁ ।”

 

–‘ଓହୋ, ତାହାହେଲେ ଆପଣ ଯାହା ଠିକ୍‌ ଭାବୁଛନ୍ତି କରନ୍ତୁ’ କହି ହେମନ୍ତ ସେଇ ଭିଡ଼ ଭିତରେ ଅଦୃଶ୍ୟ ହୋଇଗଲା ।

 

ସନାତନ ମନେ ମନେ ଉତ୍ସାହ ଅନୁଭବ କଲା । ଅନୁପସ୍ଥିତ ହେମନ୍ତ ଉଦ୍ଦେଶ୍ୟରେ ସେ କହିଲା, ‘କାଲିକାର ଟୋକା, ମୋତେ ତେଢ଼ା ଜବାବ ଦେଉଛି !’

 

ତାର ଆଉଥରେ ରେଣୁ କଥା ମନେପଡ଼ିଲା । ସେ ସ୍ଥିର କଲା ଯେ ପ୍ରମୋଦ ଯେତେ ବ୍ୟସ୍ତ ଥିଲେ ବି ତାକୁ ସେ ଡାକିକି ନେବ । ପ୍ରମୋଦ ଯିବା ଅର୍ଥ, ତା ଆଗରେ ପଛରେ ପୋଲିସ୍‌ ଗାଡ଼ି ଯିବ । ନାଲିବତି ଲଗା ଧଳା ଗାଡ଼ିଟି ତା ଘର ସାମ୍ନାରେ ରହିବା ପରେ ସେଠି ଗୋଟେ ଛୋଟକାଟିଆ ମେଳା ଲାଗିଯିବ । ଜିଲ୍ଲାର ବଡ଼ ଅଫିସରମାନେ ବିନୟ ସହକାରେ ତା ସହ କଥାବାର୍ତ୍ତା ହେବେ । ତାଙ୍କ ଭିତରେ ସ୍କୁଲ ହେଡ୍‌ମାଷ୍ଟର ଓ ଜିଲ୍ଲା ନିରୀକ୍ଷକ ବି ଥିବେ ।

 

ଅନାଗତ ସମୟର ଲୋଭନୀୟ ଚେହେରା କଳ୍ପନା କରି ସନାତନ ଖୁସି ହୋଇଗଲା ।

 

ସାଇଁ ସାଇଁ କରି ତିନି ଚାରିଟି କାର୍‌, ସାଇରନ୍‌ ବଜଉଥିବା ଗୋଟାଏ ଜିପ୍‌କୁ ଅନୁସରଣ କରି ସର୍କିଟ୍‌ ହାଉସ୍‌ ହତା ଭିତରେ ପଶିଗଲେ । ଚାହୁଁ ଚାହୁଁ ସେ ଜାଗାଟା ଲୋକାରଣ୍ୟ ହୋଇଗଲା-। ବାଣ ଫୁଟିଲା, ବାଜା ବାଜିଲା, ‘ଜିନ୍ଦାବାଦ’ ଓ ‘ସ୍ୱାଗତମ୍‌’ ଶବ୍ଦରେ ପୂରା ଖଣ୍ଡମଣ୍ଡଳ ବୁଡ଼ିଗଲା ।

 

ସନାତନ ମନ୍ତ୍ରୀଙ୍କ ଗାଡ଼ି ପାଖକୁ ଧାଇଁଗଲା । ମାତ୍ର ଭିଡ଼ ଭିତରକୁ ଚେଷ୍ଟା କରି ସୁଦ୍ଧା ସେ ପଶିପାରିଲା ନାହିଁ । ବାଜାବାଲାଏ ମନ୍ତ୍ରୀଙ୍କୁ ଶୋଭାଯାତ୍ରାରେ ନେଇଯିବେ ବୋଲି ପ୍ରସ୍ତୁତ ହୋଇ ରହିଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲଉ ଓହ୍ଲଉ ଫଟୋଗ୍ରାଫରମାନେ ତାଙ୍କୁ ଘେରି ଫଟୋ ଉଠଉଥିଲେ ଓ ସାମ୍ବାଦିକମାନେ କଣ ସବୁ ପଚାରୁଥିଲେ । ସନାତନ ସେ ଭିଡ଼ ଭିତରେ ପଶିବାକୁ ଦି ଥର ଚେଷ୍ଟା କଲା, ମାତ୍ର ମନ୍ତ୍ରୀଙ୍କ ନିରାପତ୍ତା ପାଇଁ ମୁତୟନ ପୋଲିସ୍‌ କନେଷ୍ଟବଳମାନେ ତାକୁ ଠେଲି ବାହାର କରିଦେଲେ । ସେ ଟିକିଏ ଅପମାନିତ ବୋଧ କରି ଫେରିଆସି ଅପେକ୍ଷା କଲା ଓ ମନକୁ ମନ କହିଲା, “ତୁମକୁ ଦେଖିନେବି । ଆଉ ଟିକିଏ ରୁହ । ଖାଲି ପ୍ରମୋଦ ସାଙ୍ଗେ ଦେଖା ହୋଇସାରୁ ।”

 

ମନ୍ତ୍ରୀ ତାଙ୍କ ପାଇଁ ସଂରକ୍ଷିତ କୋଠରି ଭିତରକୁ ପଶିଗଲା ପରେ କଲେକ୍ଟର, ଏସ୍‌.ପି. ଓ ସ୍ଥାନୀୟ ବିଧାୟକ ତାଙ୍କ ପଛେ ପଛେ ପଶିଗଲେ । ପୋଲିସ୍‌ କନେଷ୍ଟବଳଟିଏ ଯାଇ ଦୁଆର ପାଖରେ ଛିଡ଼ାହେଲା ଓ ମନ୍ତ୍ରୀଙ୍କ ଖାସ୍‌ ନିରାପତ୍ତାରକ୍ଷୀ ତା କାନରେ କିଛି କହି କବାଟ ଆଉଜେଇ ନେଲା । ଏଥର କନେଷ୍ଟବଳଟି ଉତ୍ସୁକ ଦର୍ଶନାର୍ଥୀମାନଙ୍କୁ ଘଉଡ଼େଇ ଦେବାର କାମଟିକୁ ନିଷ୍ଠାର ସହ ସଂପାଦନ କରି ଚାଲିଲା । ସନାତନ ପୁଣିଥରେ ବାରଣ୍ଡା ତଳକୁ ଠେଲିହୋଇ ଆସିଲା ।

 

ସେ ଖଣ୍ଡିଏ କାଗଜ ତା ପକେଟ୍‌ରୁ ବାହାର କଲା । ‘ରୁହ, ତୁମ ସମସ୍ତଙ୍କୁ ପାନେ ଦେଉଛି’ ବୋଲି ଆଉ ଥରେ ମନକୁ ମନ କହି କଲମ ବାହାର କରି ଲେଖିଲା–ସନାତନ ମହାନ୍ତି, ରେଭେନ୍ସା-୮୨ । ଏଇ ବୟାଅଶୀ ଅଙ୍କଟି ସେମାନେ ପାଶ୍‌ କରିଥିବା ଊଣେଇଶ ବୟାଅଶୀ ବର୍ଷକୁ ବୁଝାଉଥିଲା । ଏଥର ସେହି କାଗଜ ଖଣ୍ଡିକ ନେଇ ସେ ମନ୍ତ୍ରୀଙ୍କ ଦୁଆର ଜଗିଥିବା କନେଷ୍ଟବଳଟିକୁ ବଢ଼େଇଦେଲା ଓ ତାର ମ୍ୟାଜିକ୍‌-ପରିଣତି କଥା କଳ୍ପନା କରିବସିଲା–

 

କନେଷ୍ଟବଳଟିକୁ କାଗଜ ଖଣ୍ଡିକ ବଢ଼େଇଦେଇ ସେ ଗଛମୂଳେ ଅପେକ୍ଷା କରି ରହିଛି । ମୁହୂର୍ତ୍ତକ ଭିତରେ ସେ ଘରର ଦରଜା ଖୋଲି ଯାଉଛି ଓ ଆଗେ ଆଗେ କନେଷ୍ଟବଳ ଏବଂ ପଛେ ପଛେ ନିଜେ ମନ୍ତ୍ରୀ ତାକୁ ଖୋଜିବା ପାଇଁ ବାହାରି ଆସୁଛନ୍ତି । ମନ୍ତ୍ରୀଙ୍କ ପଛେ ପଛେ ଜିଲ୍ଲାପାଳ, ଏସ୍‌.ପି. ଓ ଅନ୍ୟ ଅଫିସର । ମନ୍ତ୍ରୀ ବ୍ୟଗ୍ରତାର ସହ ତାକୁ ଖୋଜି ହେଉଛନ୍ତି ଏବଂ କନେଷ୍ଟବଳ ଉପରେ ଏସ୍‌.ପି. ବିରକ୍ତ ହେଉଛନ୍ତି ।

 

ସନାତନ ପାଖେ ଆସି ପହଞ୍ଚୁଛନ୍ତି ମନ୍ତ୍ରୀ । ସନାତନ ଖୁସିରେ ପାଗଳ ହୋଇଯାଉଛି । ମନ୍ତ୍ରୀ ତାକୁ କୁଣ୍ଢେଇ ଧରି ତାଙ୍କ ସାଙ୍ଗରେ ତାଙ୍କ ରୁମ୍‌ ଭିତରକୁ ଡାକି ନେଉଛନ୍ତି । ଦେଖଣାହାରିଙ୍କ ଆଖିମାନ ଉପରକୁ ହୋଇଯାଉଛି । ସନାତନ ମହାନ୍ତିଙ୍କ ପରିଚୟ ଚାହୁଁ ଚାହୁଁ ବଦଳି ଯାଉଛି ।

 

ମନ୍ତ୍ରୀ ପଚାରୁଛନ୍ତି, “କଣ ପିଇବ ? ଥଣ୍ଡା ନା ଗରମ ?”

 

: ଥଣ୍ଡା । –ସନାତନ ହସୁ ହସୁ କହୁଛି ।

 

ଏଥର ସେଇ କନେଷ୍ଟବଳ, ଯିଏ ତାକୁ କିଛି ସମୟ ଆଗରୁ ଠେଲି ଦେଇଥିଲା, ସେଇ ଗୋଟେ ଟ୍ରେରେ ସଫା ଗିଲାସରେ ଲିମ୍‌କା ବୋତଲ ନିଗାଡ଼ି ତାକୁ ଆଣି ସନ୍ତର୍ପଣରେ ବଢ଼େଇ ଦେଉଛି । ସନାତନ ଜାଣି ଜାଣି ଟ୍ରେ ଉପରୁ ଗିଲାସଟା ନେବା ପାଇଁ ଡେରି କରୁଛି । କନେଷ୍ଟବଳର ମୁହଁକୁ ଚାହୁଁଛି । ବିଚରା ଲଜ୍ଜା ଓ ଭୟରେ କଳାକାଠ ପଡ଼ିଯାଇଛି ।

 

ସେ ଦୟାକରି ପଚାରୁଛି, “କଣ ଭଲ ?” ଓ ଗିଲାସଟା ନେବା ପାଇଁ ହାତ ବଢ଼ାଉଛି ।

 

ମାତ୍ର ଗିଲାସ ଜାଗାରେ କଣ ? ଇଏ ତ ସେ ଲେଖିଥିବା କାଗଜ । ସେଇ କନେଷ୍ଟବଳଟି ଆଗରେ ଛିଡ଼ା ହୋଇଛି । ବିରକ୍ତ ଓ କଠୋର ଦିଶୁଛି ତା ମୁହଁ । ସେ କିଛି ପଚାରିବା ଆଗରୁ କନେଷ୍ଟବଳଟି କହିଲା, ‘ମନ୍ତ୍ରୀ କହିଲେ ସଭାକୁ ଯାଅ । ସେଇଠି ଦେଖାହେବ ।’

 

ସନାତନ ମଥାନ ଉପରୁ ହୁଗୁଳା ପାଣିକଖାରୁ କଷିଟେ ପରି ଖସି ପଡ଼ିଲା ଯେମିତି !

 

ଏଇ ଟିକକ ଆଗରୁ ସେ ଯେଉଁ ଚିତ୍ରର କଳ୍ପନା କରୁଥିଲା, ସେଇଟା ତାହାହେଲେ ଥିଲା ନିଜର ଭ୍ରାନ୍ତି । ଏ କଥାଟି ହେଜିଲା ବେଳକୁ ସେ ଲଜ୍ଜା ଓ ସଂକୋଚରେ ତେଲୁଣି ପୋକ ପାଲଟି ଯାଉଥିଲା ।

 

ମନ୍ତ୍ରୀଙ୍କ ଗାଡ଼ିର ନାଲିବତି ଜଳି ଉଠିଲା । ସାଙ୍ଗେ ସାଙ୍ଗେ ସେ ପରିବେଶ ବ୍ୟସ୍ତ ହୋଇ ଉଠିଲା । ସେ ବଡ଼ ବଡ଼ ପାହୁଣ୍ଡ ପକେଇ କଚେରି ପଡ଼ିଆ ଆଡ଼େ ମୁହାଁଇଲା ।

 

କଚେରି ପଡ଼ିଆଟି ଦିଶୁଥିଲା ସତକୁ ସତ ଗୋଟେ ବିବାହ ମଣ୍ଡପ ପରି । ଚାରିପଟେ ପତାକା ଓ ତୋରଣ । ମନ୍ତ୍ରୀଙ୍କ ନାଁ ଲେଖା ତୋରଣରୁ ଝୁଲୁଥିଲା ଗେଣ୍ଡୁ ରଜନୀଗନ୍ଧାର ହାର । ନାନା ରଙ୍ଗର ଆଲୋକରେ ସଭାମଞ୍ଚ ଦିବ୍ୟ ଦିଶୁଥିଲା । ସେ ମଞ୍ଚକୁ ଘଡ଼ିଏ ଚାହିଁଲା । ମଞ୍ଚ ଉପରେ, ଏପଟେ ତିନି ଓ ସେପଟେ ତିନିଟି ସାଧାରଣ କମ୍‌ ଉଚ୍ଚ ଚଉକୀ ମଝିରେ ନାଲିରଙ୍ଗର ଭେଲ୍‌ଭେଟ୍‌ କନା ଓ ରୁପା ତାରକସି କାମରେ ଚକ୍‌ଚକ୍‌ କରୁଥିଲା ଗୋଟିଏ ଅତ୍ୟୁଚ୍ଚ ସିଂହାସନ । ସେଇ ସିଂହାସନଟିର ଉପସ୍ଥିତି ସଭାମଞ୍ଚର ସମସ୍ତ ସାଜସଜ୍ଜାକୁ ତା ନିଜର ରୂପ ଗରିମାରେ ମଳିନ କରିଦେଉଥିଲା ।

 

ସନାତନ ମନକୁ ମନ ହସିଲା । ଭାବିଲା, ଏଇ ଆୟୋଜକମାନେ ପ୍ରମୋଦକୁ ଚିହ୍ନି ନାହାନ୍ତି । ସେ ଆସି ସଭା ମଞ୍ଚରେ ପହଞ୍ଚି ଏ ସିଂହାସନକୁ ଦେଖିଲା ପରେ ଏଠି କି ଅବସ୍ଥା ହେବ, ଏକଥା ଏମାନେ ଜାଣନ୍ତି ନାହିଁ । ତାର ସାଙ୍ଗେ ସାଙ୍ଗେ ନିଜ କଲେଜ ବାର୍ଷିକ ଉତ୍ସବ କଥା ମନେ ପଡ଼ିଗଲା । ପୁଣି ଥରେ ଗୋଟେ ନାଟକୀୟ ଦୃଶ୍ୟ ଦେଖିବାଲାଗି ସେ ମନେ ମନେ ଅପେକ୍ଷା କରି ରହିଲା ।

 

କିନ୍ତୁ ମନ୍ତ୍ରୀ ଗଲେ କୁଆଡ଼େ ?

 

ସମୟ ଗଡ଼ି ଚାଲୁଥିଲା । ପାଞ୍ଚଟା ବେଳେ ଆରମ୍ଭ ହେବାକୁ ଥିବା ସଭା ସାତଟା ସୁଦ୍ଧା ଆରମ୍ଭ ହେବାର ନାଁ ଗନ୍ଧ ଧରୁ ନ ଥିଲା । ଲୋକମାନେ ବ୍ୟସ୍ତ ହେଉଥିଲେ । ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ଫେରିଯିବା ପାଇଁ ନିଜ ନିଜ ଭିତରେ ଆଲୋଚନା କରୁଥିଲେ । ସଭାର ସାମ୍ନାପଟେ ବସିଥିବା ଭଦ୍ରଲୋକମାନେ ଖୋଲାଖୋଲି ଭାବେ ମନ୍ତ୍ରୀଙ୍କର ସମୟାନୁବର୍ତ୍ତିତା ନ ଥିବା କଥା କହୁଥିଲେ । କେତେଜଣ ଉଠିପଡ଼ି ଏଣେତେଣେ ଚାହୁଁଥିଲେ ଓ ପୁଣି ବସୁଥିଲେ ।

 

ସର୍କିଟ୍‌ ହାଉସ୍‌ରୁ କଚେରି ପଡ଼ିଆ ଚାଲି ଚାଲି ଆସିଲେ ଦଶ ମିନିଟ୍‌ର ବାଟ । ଅଥଚ ମନ୍ତ୍ରୀଙ୍କ କାର୍‌ ଆସିବା ଲାଗି ଏତେ ବିଳମ୍ବ ହେଉଚି କାହିଁକି ? କଣ କିଛି ଅସୁବିଧା ହେଲା ନା କଣ-?

 

ଅପେକ୍ଷାରତ ଲୋକଙ୍କ ଭିତରେ ନାହିଁ ନ ଥିବା ଉତ୍କଣ୍ଠା । ଭାଳେଣି, ବର୍ଷା ହୋଇପାରେ-। ଆକାଶର ଗୋଟିଏ କୋଣରୁ ତାରା ହଜିଗଲେଣି । ଅସରାଏ ବର୍ଷା ବର୍ଷିଗଲେ ପଡ଼ିଆଟା କାଦୁଅ ପଚପଚ ହୋଇଯିବ । କେହି କେହି ଝାଡ଼ିଝୁଡ଼ି ହୋଇ ଉଠିଲେ । ମୁହଁରେ ଅଶ୍ଳୀଳ ମନ୍ତବ୍ୟ, ‘ସବୁଯାକ ଏମିତି । ୟାଙ୍କର ସମୟ ଜ୍ଞାନ ନାହିଁ ।’

 

ସନାତନ ଲୋକଭିଡ଼ ଡେଇଁ ଆଗକୁ ଗଲା । ସଭାମଞ୍ଚର ନିକଟରେ ମାଇକ୍‌ସେଟ୍‌ ପାଖରେ ବସିଥିବା ଲୋକଟିକୁ ପଚାରିଲା, “ସର୍କିଟ୍‌ ହାଉସ୍‌ରୁ ଆସିବା ଲାଗି ମନ୍ତ୍ରୀଙ୍କର ଏତେ ଡେରି ହେଉଛି କାହିଁକି ?”

 

ଲୋକଟି ତା ପାଖରେ ବସିଥିବା ଆଉ ଜଣେ ଲୋକକୁ କଣ କହୁଥିଲା । ତେଣୁ ସନାତନର କଥା ସେ ବୁଝିପାରିଲା ନାହିଁ । ସନାତନ ଫେରି ଆସିଲା ।

 

ରାତି ଆଠଟା ବାଜିବ । ବର୍ଷା ଉଠେଇ ଆସିଲାଣି । ସଭା ସରୁ ସରୁ ରାତି କେତେ ହେବ କିଏ ଜାଣେ ? ସେ ପ୍ରମୋଦକୁ ସାଙ୍ଗରେ ନେଇ ଯିବାବେଳକୁ ରେଣୁ ଯଦି ଶୋଇପଡ଼ିଥିବ ତାହାହେଲେ ଭାରି ଅସୁବିଧା । କାହା ହାତରେ ସେ ଖବର ପଠେଇବ ? ଘର ପାଖରେ କାହାର ଫୋନ୍‌ ନାହିଁ ।

 

ହଠାତ୍‌ ଗୋଟିଏ ହୋ ଉଠିଲା । ମନ୍ତ୍ରୀ ଆସିଲେ । ସନାତନ ଟିକିଏ ନିଶ୍ଚିନ୍ତ ହେଲା । ଆଗ ଧାଡ଼ିର ଗୋଟିଏ ଚୌକି ଆଡ଼କୁ ଧାଇଁଗଲା ସିଏ । ଆଗରେ ବସିବାର ଅର୍ଥ ହେଉଛି ସେ ପ୍ରମୋଦକୁ ଓ ପ୍ରମୋଦ ତାକୁ ଦେଖି ପାରିବ । ମାତ୍ର ଆଗଧାଡ଼ିର ଚୌକି ଯୋଗାଡ଼ରେ ସେ ବିଫଳ ହେଲା । ଏଇ ଟିକକ ଆଗରୁ ଖାଲି ପଡ଼ିଥିବା ଚଉକିଗୁଡ଼ାକ ଏବେ କାହାରି ନା କାହାରି ଦଖଲକୁ ଚାଲିଯାଇଥିଲା । ସେ ବାଧ୍ୟ ହୋଇ ତୃତୀୟ ଧାଡ଼ିରେ ବସିଲା ।

 

ପ୍ରମୋଦର ମୁହଁ ହସ ହସ । ମୁଣ୍ଡରେ ସିନ୍ଦୂର ଓ ଚାଉଳ । ବେକରେ ଗୋଟାଏ ଉତ୍ତରୀୟ-। ବେଶ୍‌ ମୋଟେଇ ଯାଇଛି । ଏବେ ତାକୁ ଦେଖିଲେ, ସତର ବର୍ଷ ତଳେ ସେ ନହନହକା ଟୋକାଟିଏ ଥିଲା ବୋଲି ଜଣାପଡୁନାହିଁ । ସନାତନ ଚାହିଁଛି, ପ୍ରମୋଦ ଧୀରେ ଗୋଟିଏ ପରେ ଗୋଟିଏ ଚଉକି ଡେଇଁ ସିଂହାସନ ପରି ଦିଶୁଥିବା ଚଉକି ପାଖରେ ଯାଇ ଅଟକୁଛି । ସନାତନ ଏଥର ପ୍ରମୋଦର ପ୍ରତିକ୍ରିୟା ପାଇଁ ନିଜକୁ ନିଜେ ପ୍ରସ୍ତୁତ କରିନେଲା । ପ୍ରମୋଦ କଦାପି ସେ ଚଉକିରେ ବସିବ ନାହିଁ । ସାମ୍ୟବାଦରେ ବିଶ୍ୱାସୀ ପ୍ରମୋଦ ଏ ଧରଣର ସାମନ୍ତବାଦର ବିରୋଧ କରେ ।

ସେ ମୁହଁ ଟେକି ଚାହିଁଛି । ନିରାପତ୍ତାରକ୍ଷୀଟି ସିଂହାସନଟିକୁ ଘୁଞ୍ଚେଇ ନେଇ ପ୍ରମୋଦର ବସିବା ଲାଗି ରାସ୍ତା କରିଦେଲା । ପ୍ରମୋଦ ହସ ହସ ମୁହଁରେ ହାତଯୋଡ଼ି ସମସ୍ତଙ୍କୁ ନମସ୍କାର ଜଣେଇ ସେଇ ସିଂହାସନ ଉପରେ ବସିପଡ଼ିଲା ।

ସନାତନ ଆଖି ବୁଜିଦେଲା ।

ସ୍ୱାଗତ ଭାଷଣ ଦେବା ପାଇଁ ବିଧାୟକ ଉଠି ସାରିଥିଲେ ।

ସନାତନ ଥରକୁ ଥର ସାମ୍‌ନାକୁ ମୁଣ୍ଡ ଝୁଙ୍କେଇ ପ୍ରମୋଦକୁ ତାର ମୁହଁ ଦେଖେଇବା ଲାଗି ଚେଷ୍ଟା କରୁଥିଲା । ଅଥଚ ସେଇ ଆଡ଼କୁ ପ୍ରମୋଦ ବାରମ୍ବାର ଚାହିଁବା ସତ୍ତ୍ୱେ ତାକୁ ସେ ଦେଖିପାରୁ ନ ଥିଲା ।

ପ୍ରମୋଦ ଏଥର ଭାଷଣ ଦେଉଥିଲା । ମାତ୍ର ସେ କଣ କହୁଥିଲା, ତାହା ସନାତନ ବୁଝିପାରୁ ନ ଥିଲା । କେହି ଜଣେ ପଛଧାଡ଼ିରୁ କହୁଥିଲା, ‘ମନ୍ତ୍ରୀ ବାବାଙ୍କ ଆଶ୍ରମକୁ ଯାଇଥିଲେ । ସେଇଠି ଡେରି ହୋଇଗଲା । ନ ହେଲେ ସେ ଏତେବେଳକୁ ସଭା ସାରି ଭୁବନେଶ୍ୱର ବାହୁଡ଼ି ଯାଆନ୍ତେଣି ।’

ସଭା ସରିଥିଲା । ଆଉଥରେ ଭିଡ଼ ଜମି ଆସୁଥିଲା ପ୍ରମୋଦର ଚାରିପଟେ । ଏଥର ସନାତନ ରୀତିମତ ଯୁଦ୍ଧ କଲାପରି ସମସ୍ତଙ୍କୁ ଠେଲିପେଲି ମନ୍ତ୍ରୀ ଓହ୍ଲଉଥିବା ପାହାଚ ପାଖରେ ଛିଡ଼ାହେଲା ଓ ମନ୍ତ୍ରୀଙ୍କ ସାମ୍ନାରେ ଛିଡ଼ାହୋଇ କହିଲା, “ମୋତେ ଚିହ୍ନିପାରୁଛ ଟି ! ନା ଭୁଲିଗଲଣି-?”

ମନ୍ତ୍ରୀ ସାମାନ୍ୟ ଚିନ୍ତିତ ଦିଶିଲେ । ସେସବୁ ମୁହୂର୍ତ୍ତକ ପାଇଁ । ତାପରେ ହସି ହସି କହିଲେ, “ଆରେ ଆପଣଙ୍କୁ ଚିହ୍ନିପାରିବି ନାହିଁ ! ଆଉ, କେମିତି ଅଛନ୍ତି ! ଠିକ୍‌ଠାକ୍‌ ଚାଲିଛି ତ !”

ସନାତନ କହିଲା, “ଏକପ୍ରକାର ଚାଲିଛି ।”

ଏଥର ମନ୍ତ୍ରୀ ଆଉ ଜଣଙ୍କ ଆଡ଼କୁ ଚାହିଁଲେ । ସେ ଲୋକଟି ସେତିକିବେଳେ ମନ୍ତ୍ରୀଙ୍କୁ ନମସ୍କାର କରୁଥାଏ । ମନ୍ତ୍ରୀ ସନାତନ ଉପରୁ ନଜର ହଟେଇ ନେଇ ସେ ଲୋକଟିକୁ ପଚାରିଲେ, “କେମିତି ଅଛନ୍ତି । ସବୁ ଠିକ୍‌ଠାକ୍‌ ତ ?”

ସନାତନକୁ ପଛରୁ କେହି ଜଣେ ଠେଲୁଥିଲା । ସେ ତାକୁ ଭୁଲିଯାଇ ମନ୍ତ୍ରୀଙ୍କୁ କହିଲା, “ଆମେ ଏଇ ପାଖରେ ରହୁଛୁ । ଆମ ଘର ଆଡ଼େ... !”

ମନ୍ତ୍ରୀ ଏଥର ହସିଲେ । କହିଲେ, “ହଁ ନିଶ୍ଚୟ ଯିବା । ଆରଥରକୁ ନିଶ୍ଚୟ ଯିବା । ମାଡାମ୍‌ଙ୍କୁ ମୋର ନମସ୍କାର ଜଣାଇବେ ।”

ସନାତନର ସନ୍ଦେହ ହେଲା, ପ୍ରମୋଦ ସମ୍ଭବତଃ ଠିକ୍‌ ରୂପେ ତାକୁ ଚିହ୍ନିପାରୁନାହିଁ । ସେ କହିଲା, “ମୋତେ ବୋଧହୁଏ ଆପଣ ଚିହ୍ନି ପାରିଲେ ନାହିଁ ।”

-ଆରେ ସନାତନବାବୁ, ଆପଣ ସ୍ଲିପ୍‌ ପଠେଇ ନ ଥିଲେ କି ? ଆପଣଙ୍କୁ କଣ ମୁଁ ଭୁଲିପାରିବି ? ଆସନ୍ତୁ କେତେବେଳେ, ଭୁବନେଶ୍ୱରରେ କଥା ହେବା । ଆଜି ବ୍ୟସ୍ତ ଅଛି ।

ସନାତନର ଆଉ କିଛି କହିବାର ନ ଥିଲା । ସେ ନିରସ୍ତ୍ର ସୈନିକଟେ ପରି ସାମ୍ନାରୁ ହଟିଗଲା । ପ୍ରମୋଦ ନମସ୍କାର ବାଣ୍ଟି ବାଣ୍ଟି ଗାଡ଼ି ପାଖକୁ ଯାଉଥିଲା । ଲୋକମାନେ ତାକୁ ଘେରିଯାଇ ନିଜ ନିଜର ଦୁଃଖ କହୁଥିଲେ । କିଏ ଦରଖାସ୍ତ ଦେଉଥିଲା ତ କିଏ ଅନୁନୟ ଭଙ୍ଗୀରେ କଣ କହୁଥିଲା । ପ୍ରମୋଦ ଜଣକୁ ‘ସବୁ ଠିକ୍‌ଠାକ୍‌ ତ’ ବୋଲି ପଚାରି ତା ଉତ୍ତର ଶୁଣିବା ଆଗରୁ ଆର ଜଣକୁ ଚାହୁଁଥିଲା ।

ସନାତନର ମନ ଭାଙ୍ଗିଯାଇଥିଲା । ସେ ସେଇଠି ଛିଡ଼ାହୋଇ ଏବେ କେବଳ ରେଣୁର କଥା ଭାବୁଥିଲା । ମନ୍ତ୍ରୀ ତାକୁ ଚିହ୍ନିପାରିଲେ ନାହିଁ ବୋଲି ତ ସେ କଦାପି କହିପାରିବ ନାହିଁ । ତାକୁ କହିବ, ଚିହ୍ନିପାରିଲେ ଓ କଥା ହେଲେ । ତଥାପି ତାକୁ ଭଲ ଲାଗୁ ନ ଥିଲା ।

ଏ ପ୍ରକାର ଶୀତଳ ସମ୍ଭାଷଣଠୁଁ ଆଦୌ ନ ଚିହ୍ନିବା ହୁଏତ ତା ପାଇଁ ବେଶି ଗ୍ରହଣୀୟ ହୋଇଥାଆନ୍ତା ।

ସନାତନ ତରବରରେ ରାସ୍ତା ଉପରକୁ ଧାଇଁଲା । ତା ଧୋତି ଜାମାରେ ଲାଗିଥିବା ଧୂଳି ପରି ମନ୍ତ୍ରୀ ପ୍ରମୋଦ ସାଙ୍ଗେ ଦେଖାସାକ୍ଷାତର ଘଟଣାକୁ ସେ ମନରୁ ଝାଡ଼ିଝୁଡ଼ି ଦେବାକୁ ଚାହୁଁଥିଲା-

☆☆☆

 

କିଛି ବଦଳେ ନାହିଁ

 

ହେଲକପ୍ଟରଟି ତଳକୁ ଖସୁଥିଲା । କାଚ ଝରକା ଦେଇ ଅଖିଳମୋହନ ଚାହିଁଲେ, ତାଙ୍କୁ ପାଛୋଟି ନେବା ପାଇଁ ଆଖପାଖ ଗାଁରୁ ଅନେକ ଲୋକ ଛୁଟି ଆସିଛନ୍ତି । ହେଲିକପ୍ଟର ଓହ୍ଲାଇବା ପାଇଁ ତିଆରି ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ ଚାରିପଟେ ବାଉଁଶ ବାଡ଼ ଘେରାଯାଇଛି । ସେଇ ଘେରି ଚାରିପଟେ ବୁଢ଼ା, ବୁଢ଼ୀ, ପୁରୁଷ, ନାରୀ ଓ ସାନ ପିଲାଙ୍କ ସମାବେଶ । ଅଖିଳମୋହନ ଜାଣିଥିଲେ, ଏମାନଙ୍କ ମଧ୍ୟରୁ ତାଙ୍କୁ ଦେଖିବା ପାଇଁ ଯେତିକି ଲୋକ ଆସିଥିବେ, ତାହାଠୁଁ ଅଧିକ ଆସିଥିବେ ହେଲିକପ୍ଟର ଦେଖିବା ପାଇଁ । ଏହି ବଣପାହାଡ଼ ଘେରା ଆଦିବାସୀ ଅଞ୍ଚଳର ଲୋକଙ୍କ ପାଇଁ ନିକଟରୁ ହେଲିକପ୍ଟର କି ଉଡ଼ାଜାହାଜ ଦେଖିବା ସବୁବେଳେ ଏକ ସ୍ୱପ୍ନ । କେବେ କେବେ ଏହି ଅଞ୍ଚଳର ଆକାଶ ଉପରେ ଉଡ଼ାଜାହାଜଟିଏ ଉଡ଼ିଗଲେ, ପିଲାମାନେ ଖେଳ ଓ ମୂଲିଆମାନେ ହଳ ବନ୍ଦ କରି ଆକାଶକୁ ଚାହାଁନ୍ତି ।

ଅଖିଳମୋହନ ଚାହିଁଥିଲେ ରାଜଧାନୀରୁ ଭଲ କାର୍‌ଟିଏ ଭଡ଼ାକରି ଆସିପାରିଥାଆନ୍ତେ-। ଆଗେ ରାଜଧାନୀରେ ଏ.ସି. କାର୍‌ ଭଡ଼ାରେ ମିଳୁ ନ ଥିଲା, ମାତ୍ର ଏବେ ଏ.ସି. ଭ୍ୟାନ୍‌ ମଧ୍ୟ ମିଳୁଛି-। କିନ୍ତୁ ଭାରତରେ ପହଞ୍ଚିବାର ପର ମୁହୂର୍ତ୍ତରେ ସେ ନିଜ ଗାଁରେ ପହଞ୍ଚିବା ପାଇଁ ଚାହୁଥିଲେ-। ନ୍ୟୁୟର୍କରୁ ଆସି ନୂଆଦିଲ୍ଲୀରେ ପହଞ୍ଚିବା ଲାଗି ଅଠର ଘଣ୍ଟା ଲାଗିଥିଲା, କିନ୍ତୁ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପାଇଁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ଚବିଶ ଘଣ୍ଟା । ଗତକାଲି ଲଣ୍ଡନ ଫ୍ଲାଇଟ୍‌ ପହଞ୍ଚିଲା ବେଳକୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫ୍ଲାଇଟ୍‌ ଚାଲିଆସିଥିଲା, ଅଗତ୍ୟା ଆଜି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ଭିନ୍ନ ଅଖିଳମୋହନଙ୍କ ପାଖେ କିଛି ଚାରା ନଥିଲା-। ସେଇଥିପାଇଁ ସେ ଭୁବନେଶ୍ୱରରେ ପହଞ୍ôଚଲା ପରେ ଟାକ୍ସିରେ ଆସି ଆହୁରି ଆଠଘଣ୍ଟା ସମୟ ଡେରି କରିବାକୁ ଚାହୁଁ ନ ଥିଲେ ।

 

ପନ୍ଦର ଦିନ ତଳେ ଅଖିଳମୋହନ ଟେଲିଫୋନ୍‌ ପାଇଲେ–ମାଆର ଦେହ ଭୀଷଣ ଖରାପ । ନିଜ ଅଭିଜ୍ଞତାରୁ ଅଖିଳମୋହନ ବୁଝିଗଲେ, ମାଆ ଆଉ ନାହିଁ । ଅନେକ ଦିନ ହେଲା ଯେଉଁ ଘଟଣାଟି ଘଟିବ ଘଟିବ ବୋଲି ସେ ବରାବର ଆଶଙ୍କା କରୁଥିଲେ, ଅବଶେଷରେ ସେହି ଘଟଣା ଘଟିଗଲା । ସେ ଏକଥା ବି ଜାଣିଥିଲେ, ତାଙ୍କର ଭାରତରେ ପହଞ୍ଚିବା ପର୍ଯ୍ୟନ୍ତ ମାଆର ବାସୀମଡ଼ା ପଡ଼ିରହିବ ନାହିଁ । ସଂପର୍କୀୟ ଭାଇ ରାଇଚରଣ ତାଙ୍କ ମାଆର ମୁଖାଗ୍ନି ଦେବ । ସେ ସୁଯୋଗ ପାଇବେ ନାହିଁ ।

 

ବଡ଼ କଷ୍ଟରେ ଛୁଟି ଯୋଗାଡ଼ କରି ଆସିଥିଲେ ଅଖିଳମୋହନ । ମାଆର ସମାଧିରେ ଫୁଲ ତୋଡ଼ାଟିଏ ଦେବେ, ଗାଁ ଲୋକମାନଙ୍କୁ ଡାକି ରୀତିନୀତି ଅନୁସାରେ ଭୋଜନଟିଏ ଦେବେ । ଏସବୁ ସରିଲା ପରେ ତାଙ୍କରି ଦାନରେ ଗଢ଼ି ଉଠିଥିବା ଗାଁ ସ୍କୁଲ୍‌ର ଭଲମନ୍ଦ ବୁଝି, ସମୟ ମିଳିଲେ ମାଆର ଅସ୍ଥି କଳସ ଧରି ବାହାରିଯିବେ ପ୍ରୟାଗ ।

 

ଅନେକ ଥର ସେ ଖବର ପଠେଇଥିବେ, “ମାଆ, ତୁ ଏଠିକି ଚାଲିଆ । ତୁ ରାଜିହେଲେ ତୋତେ ସାଙ୍ଗରେ ନେଇ ଆସିବାଲାଗି ଲୋକ ମୁଁ ଯୋଗାଡ଼ କରିଦେବି ।” କିନ୍ତୁ ମାଆ ରାଜି ହୋଇନାହିଁ । ସେ ଗାଁରେ ଆଖି ବୁଜିବ, ବିଦେଶକୁ ଆସିବ ନାହିଁ ।

 

ମାଆର ମୁହଁଟି ଅଖିଳମୋହନଙ୍କ ଆଖି ସାମ୍ନାରେ ନାଚିଗଲା । ତିନିଦିନ ଧରି ବଡ଼ କଷ୍ଟରେ ରୋକିଥିବା ଲୁହ ଧାରକୁ ଅଟକେଇବା ଆଉ ସମ୍ଭବ ହେଲାନାହିଁ । ପାଇଲଟ୍‌ଙ୍କ ଦୃଷ୍ଟି ଆଡ଼େଇବା ପାଇଁ ଅଖିଳମୋହନ କଳାଚଷମା ବାହାର କରି ପିନ୍ଧିଲେ । ହେଲିକପ୍ଟର ଫ୍ୟାନ୍‌ ପବନରେ ମଧୁପଡ଼ାର ଧୂଳି ଉପରକୁ ଉଠିଯାଉଥିଲା । ଗାଁ ଲୋକମାନେ ଆଖି ନାକ ବନ୍ଦକରି ପଛକୁ ଘୁଞ୍ଚି ଯାଉଥିଲେ । ଅଖିଳମୋହନ ହେଲିକପ୍ଟରରୁ ଓହ୍ଲାଇ ଧୀରେ ବାହାରକୁ ଗଲେ ଓ ନଇଁପଡ଼ି ଟିପେ ଧୂଳି ଉଠେଇ ମୁଣ୍ଡରେ ଛୁଆଁଇଲେ ।

 

କିଏ ଜଣେ ‘ଅଖିଳମୋହନଙ୍କର ଜୟ’ ବୋଲି ସ୍ଲୋଗାନଟିଏ ଦେଲା । ତା ପଛକୁ ଆଉ ପନ୍ଦର, କୋଡ଼ିଏ ଜଣ ପିଲା । ଅଖିଳମୋହନ ପ୍ରଥମେ ଚମକିପଡ଼ିଲେ । ସେ ନିଜର ଅଭିଜ୍ଞତାରୁ ଜାଣିଥିଲେ କେହି ଜଣେ କେଉଁଠି କିଛି ଗୋଟାଏ ସ୍ଲୋଗାନ ଦେଲେ ଅନ୍ୟମାନେ ଏଠି କିଛି ନ ବୁଝି ‘ଜୟ’ ବୋଲି କହନ୍ତି । ସ୍କୁଲ୍‌ର ପିଲାଏ ସେଇଆ କରନ୍ତି, ସଭା ସମାବେଶର କର୍ମୀମାନେ ସେଇଆ କରନ୍ତି, ବିକ୍ଷୋଭ ଓ ଆନ୍ଦୋଳନରେ ମଜୁରି ନେଇ ଯୋଗଦେଇଥିବା ନିରକ୍ଷର, ଗାଉଁଲି ଲୋକମାନେ ମଧ୍ୟ ସେଇଆ କରିଥାନ୍ତି । ଆଉ କେଉଁ ସମୟ ହୋଇଥିଲେ ସେ ହୁଏତ ଏସବୁକୁ ଉପଭୋଗ କରିଥାଆନ୍ତେ । ମାତ୍ର ଆଜି ସେପରି ସ୍ଲୋଗାନ ଶୁଣିବା ପାଇଁ ତାଙ୍କର ଆଗ୍ରହ ନ ଥିଲା-। ସେ ବାଉଁଶବାଡ଼ ପାଖେ ଛିଡ଼ା ହୋଇଥିବା ଗାଁର ମୁରବି ଧ୍ରୁବଚରଣଙ୍କୁ ପଚାରିଲେ, “ଏଇ ବେଳେ କଣ କେହି ସ୍ଲୋଗାନ ଦିଏ ?”

 

ଧ୍ରୁବଚରଣ ମିଶ୍ର ଆଜି ଅଖିଳମୋହନଙ୍କୁ ଦେଖି ସାପ ଦେଖିଲା ପରି ପଛକୁ ଘୁଞ୍ଚିଗଲେ ନାହିଁ; ବରଂ ଅଖିଳମୋହନଙ୍କ କାନ୍ଧରେ ହାତରଖି ତାଙ୍କୁ ସାନ୍ତ୍ୱନା ଦେଲେ, “ଜନ୍ମ-ମରଣ ତ ବିଧାତା ହାତର କଥା । ଏଥିରେ ଆମେ ମଣିଷ ବା କଣ କରିପାରିବା ?”

 

ଅଖିଳମୋହନଙ୍କ ଭିତରେ ଅଦ୍ଭୁତ ପ୍ରକାର ପ୍ରତିକ୍ରିୟା । ତିରିଶ ବର୍ଷ ଧରି ନିଜର ପ୍ରିୟ ଗାଁଠୁଁ ଦୂରେଇ ରହିବାର ଦୁଃଖ, ମାଆକୁ ହରେଇବାର କଷ୍ଟ ଓ ଚିରପ୍ରବାସୀର ଜୀବନ ଜିଇଁବାର ବାଧ୍ୟବାଧକତା ସବୁ ତହିଁରେ ମିଶିମାଶି ରହିଥିଲା ।

 

ଅଖିଳମୋହନଙ୍କ ଭାବାନ୍ତରର ଠିକ୍‌ ବିପରୀତ ଥିଲା ଦେଖଣାହାରିଙ୍କ କୌତୂହଳ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଖିଳମୋହନଙ୍କୁ ଛାଡ଼ି ସେ ଆସିଥିବା ହେଲିକପ୍ଟର ଓ ପାଇଲଟ୍‌ଙ୍କୁ ଅଧିକ ଯତ୍ନର ସହ ଦେଖୁଥିଲେ । ଏ ବସ୍ତୁ ଓ ବ୍ୟକ୍ତି ଉଭୟ ସେମାନଙ୍କ ପାଇଁ ସଂପୂର୍ଣ୍ଣ ନୂଆ ଥିଲେ ଓ ସେହି ହେତୁ ସେମାନେ ତା ପାଖ ଛାଡ଼ି ଅନ୍ୟ କୁଆଡ଼କୁ ଯାଉ ନ ଥିଲେ । ସେମାନେ ହୁଏତ ଜାଣିସାରିଥିଲେ ଯେ ଅଖିଳମୋହନଙ୍କୁ ଓହ୍ଲାଇ ଦେବାପରେ ହେଲିକପ୍ଟରଟି ପୁଣି ଫେରିଯିବ ।

 

ଅଖିଳମୋହନ ଗାଁ ଭିତରକୁ ପଶିଲେ । ତାଙ୍କ ପଛେ ପଛେ ଗୋଟିଏ ଲମ୍ବାଧାଡ଼ି । ସେମାନଙ୍କ ଭିତରେ ପ୍ରତିଯୋଗିତା – କିଏ ତାଙ୍କ ପାଖରେ ଛିଡ଼ାହେବ, ତାଙ୍କୁ ଛୁଇଁବ ଓ ତାଙ୍କର ଦୃଷ୍ଟି ଆକର୍ଷଣ କରିବ । ଗାଁ ଲୋକମାନଙ୍କର ଏ ବ୍ୟବହାର ତାଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲା । ତିରିଶ ବର୍ଷ ତଳେ ଗାଁ ଛାଡ଼ି ଚାଲିଯିବା ବେଳର ଅନୁଭୂତି ଗୋଟି ଗୋଟି ହୋଇ ମନେ ପଡ଼ୁଥିଲା । ସେଦିନ ସେ ରାତିର ଅନ୍ଧାର ଭିତରେ ଝାଳନାଳ ହୋଇ ଦଉଡ଼ୁଥିଲେ, କଣ୍ଟାଝଣ୍ଟା ନ ମାନି । ତାଙ୍କୁ ଲାଗୁଥିଲା, ସେ ଯେମିତି ଗୋଟେ ଫେରାର ଆସାମୀ । ଧରାପଡ଼ିଗଲେ ତାଙ୍କୁ ପ୍ରାଣଦଣ୍ଡ ଆଦେଶ ମିଳିବ ।

 

ଆଉ ଟିକିଏ ଦୂରରେ ତାଙ୍କର ଘର । ଗାଁ ଶେଷ ହରିଜନପଡ଼ାର ଏକମାତ୍ର ପକ୍କା ଘର । ସେ ଦଣ୍ଡେ ଅଟକି ରହିଲେ । ନିମ୍ବଗଛ ମୂଳେ ଗାଁ ଠାକୁରାଣୀ, ପଥରର ମୂର୍ତ୍ତି ଦେହରେ ସିନ୍ଦୂର ବୋଳାଯାଇଛି । ନାଲିଆ କନା ବନ୍ଧା ହୋଇଛି ଗଛ ଡାଳରେ । ପକ୍କା ଚଟାଣ ଉପରେ ଥୁଆ ହୋଇଛନ୍ତି ପୋଡ଼ାମାଟିର ଘୋଡ଼ା । ସେ ମୁଣ୍ଡ ନୁଆଁଇ ପ୍ରଣାମ କଲେ ।

 

ବାଁ କଡ଼େ ସରୁ ନାଲିଗୋଡ଼ି ରାସ୍ତା । ଆଗେ ଏଇ ରାସ୍ତାରେ ନାଲିଗୋଡ଼ି ପଡ଼ି ନ ଥିଲା-। ଦୁଇକଡ଼େ ଥିଲା ବୁଦୁବୁଦୁକିଆ ଝାଡ଼ବଣ । ସେଥିପାଇଁ ସ୍କୁଲ୍‌କୁ ଗଲାବେଳେ ପିଲାମାନେ ଗୋଟେ ଗୋଟେ କଳମ ଡାଙ୍ଗ ଭାଙ୍ଗି ହାତରେ ଧରୁଥିଲେ, ହୁସ୍‌ ହୁସ୍‌ କରି ସାପ, ନେଉଳ ଘଉଡ଼େଇ ସ୍କୁଲ୍‌କୁ ଯାଉଥିଲେ । ସେଦିନ ଗାଁର ଚାରିପଟେ ଥିଲା ଶାଳ, ପିଆଶାଳ, କେନ୍ଦୁ ଓ ଖଜୁରୀର ଘନ ଜଙ୍ଗଲ । ଦିନ ଦ୍ୱିପହରେ ସୁଦ୍ଧା ଏଇ ବାଟଦେଇ ଯିବା ପାଇଁ ଡର ମାଡ଼ୁଥିଲା-

 

ଦୁଇମୁଣ୍ଡିଆ ପାହାଡ଼ ତଳେ ଆଦିବାସୀପଡ଼ା ମଧୁପଡ଼ା । ଉତ୍ତରପଟକୁ ହରିଜନ ସାହି, ଦକ୍ଷିଣପଟକୁ ଆଦିବାସୀ ସାହି । ଦୁଇ ସାହି ଭିତରେ ସବୁବେଳେ ଝଗଡ଼ାଝାଣ୍ଟି, କଳିକଜିଆ । ଏହିପରି ଗୋଟିଏ ଗାଁରେ ଚଳି ଆସିଲେଣି ଅନେକ କାଳ ।

 

ପିଲାଦିନେ ଅଖିଳମୋହନ ଶୁଣିଥିଲେ, ମଧୁଗଡ଼ର ରାଜା ନିଜର ସୁବିଧା ପାଇଁ ଏମିତି ନିଛାଟିଆ ଜାଗାମାନଙ୍କରେ ଗୋଟେ ଗୋଟେ ପଡ଼ା ବସେଇଥିଲେ । ହରିଜନ ପଡ଼ାର ପୁରୁଷଲୋକମାନଙ୍କୁ ଚୋରି, ଡକେଇତି କାମରେ ଲଗେଇ ଦିଆଯାଉଥିଲା । ସେମାନେ ଯାହା ଉପାର୍ଜନ କରୁଥିଲେ ବାରଣା ଦେଉଥିଲେ ରାଜାଙ୍କୁ, ଆଉ ଚାରଣା ନିଜେ ରଖୁଥିଲେ । ରାଜାଙ୍କ ଫଉଜ ଏମାନଙ୍କୁ ଧରୁ ନଥିଲେ, ଧରା ପଡୁଥିଲେ ଛାଡ଼ ପାଇଯାଉଥିଲେ । ରାଜା ପରେ ରାଜା ଆସୁଥିଲେ ଓ ଯାଉଥିଲେ, ଡକେଇତ ଆଦିବାସୀ ଓ ହରିଜନ ମରୁଥିଲେ ଓ ତାଙ୍କ ପିଲାକବିଲା ଆସୁଥିଲେ । ଏସବୁ ଉପାର୍ଜନ ଥିଲା ରାଜାଙ୍କର ହସ୍ତମୁଦି ମାହାଲ, ଉପୁରି ଉପାର୍ଜନ । ରାଜକୋଷ ସାଙ୍ଗରେ ଏହାର କିଛି ସମ୍ବନ୍ଧ ରହୁ ନ ଥିଲା ।

 

ଏଭଳି ବିଚିତ୍ର ବ୍ୟବସ୍ଥା ସଂପର୍କରେ ଅଖିଳମୋହନ ଯେତେଥର ଚିନ୍ତା କରିଛନ୍ତି, ସେତେଥର ଆଶ୍ଚର୍ଯ୍ୟ ହୋଇଛନ୍ତି । ଯେଉଁମାନେ ଏପରି ଘୃଣ୍ୟବୃତ୍ତିକୁ ଗ୍ରହଣ କରୁ ନ ଥିଲେ, ସେମାନଙ୍କୁ ମିଛ ମାମଲାରେ ପକାଯାଇ ହଇରାଣ ହରକତ କରାଯାଉଥିଲା । ସେମାନଙ୍କର ଝିଅବୋହୂଙ୍କୁ ନିର୍ଯାତନା ଦିଆଯାଉଥିଲା ।

 

କିନ୍ତୁ ଦସ୍ୟୁବୃତ୍ତିକୁ ଆଦରି ନେଉଥିବା ଆଦିବାସୀ ଓ ହରିଜନମାନଙ୍କର ଝିଅବୋହୂ ଯେ ରାଜନିର୍ଯାତନାରୁ ବଞ୍ଚି ଯାଉଥିଲେ, ତାହା ନୁହେଁ । ସେମାନଙ୍କୁ ମଧ୍ୟ ରାଜାଙ୍କ କାମନାଯଜ୍ଞର ଆହୂତି ହେବାକୁ ପଡ଼ୁଥିଲା । ସମୟେ ସମୟେ ରାଜାଙ୍କର ସେଇ ରକ୍ଷିତାମାନଙ୍କୁ ବୟସ ଗଡ଼ିଗଲା ପରେ ପାଖାପାଖି ଅଞ୍ଚଳରେ ଜମିଜାଗିର ଦେଇ ଥଇଥାନ କରାଯାଉଥିଲା । ଯେଉଁମାନେ ଏଥିରେ ପ୍ରତିବାଦ କରୁଥିଲେ ସେମାନଙ୍କୁ କାଠଚୋରି, ଦେବତା ଅପମାନ କିମ୍ବା ରାଜଦ୍ରୋହ ଅପରାଧରେ, ଅଣ୍ଟାରେ ବେଡ଼ି ଓ ହାତରେ କଡ଼ି ପକେଇ ସମସ୍ତଙ୍କ ସାମ୍ନାରେ ଘୋଷାରି ଘୋଷାରି ନିଆ ଯାଉଥିଲା । ଲୋକମାନେ ଦେଖନ୍ତୁ –ରାଜାଙ୍କ ସାଙ୍ଗେ ଦ୍ରୋହ କରିବାର ବିଷମୟ ପରିଣତି !

 

ସେସବୁ ଅନେକ ଦିନ ତଳର କଥା । ଅଖିଳମୋହନଙ୍କ ଜନ୍ମ ହେବା ପୂର୍ବର କଥା ।

 

ଅଖିଳମୋହନ ନିଜ ଘର ସାମ୍ନାରେ ପହଞ୍ଚିସାରିଥିଲେ । ଏଇ ତାଙ୍କର ଘର, ଯେଉଁ ଘରକୁ ଛାଡ଼ି ସେ ତିରିଶ ବର୍ଷ ତଳେ ଦୂରକୁ ପଳେଇ ଯାଇଥିଲେ ଏବଂ ଜୀବନ ଥିବା ଯାଏ ଆଉ କେବେ ଫେରିବେ ନାହିଁ ବୋଲି ପଣ କରିଥିଲେ । ସେ ଥମ୍‌ ହୋଇ ଘର ପିଣ୍ଡା ଉପରେ ବସିପଡ଼ିଲେ ।

 

ଦୁଇ

 

ସବୁଦିନ ନିଦ ଭାଙ୍ଗିଲାବେଳକୁ ଖରା ଆସି ତାଙ୍କ ହାଣ୍ଡିଶାଳ ଦୁଆର ପାଖେ ପହଞ୍ଚି ସାରିଥାଏ । ମାଆ ଆସି କିଶୋର ଅଖିଳମୋହନକୁ ଡାକେ, “ଅଖି, ଅଖି–ଉଠ୍‌ । ସ୍କୁଲ୍‌ ଯିବୁ ନାହିଁ କି ?”

 

ସ୍କୁଲ୍‌ କଥା ଶୁଣି ଆଠବର୍ଷର ଅଖିଳର ନିଦ ଭାଙ୍ଗିଯାଏ । ସାଙ୍ଗେ ସାଙ୍ଗେ ତା କାମ ସାରି ସେ ବହି ବସ୍ତାନି ଧରି ସ୍କୁଲ୍‌କୁ ଯିବା ପାଇଁ ପ୍ରସ୍ତୁତ ହୋଇଯାଏ । କାହିଁକି କେଜାଣି ତାକୁ ତାଙ୍କ ଘରେ ରହିବାଲାଗି ଭଲ ଲାଗେ ନାହିଁ । ନୁଆଁଣିଆ ଦି ବଖରା ଚାଳଛପର ଘର, ତାଆରି ଭିତରେ ଛେଳି, କୁକୁଡ଼ା, କୁକୁର । ସବୁବେଳେ ପେଜ ତୋରାଣି ଏଠି ସେଠି ପଡ଼ିଥାଏ, ସବୁଆଡ଼େ ମାଛି, ମଶା ଭଣଭଣ । ଏ ଘରଠୁଁ ଭଲ ତାର ସ୍କୁଲ୍‌–ମଧୁପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ । ଦି କଡ଼େ ପାହାଡ଼ ଓ ଜଙ୍ଗଲ । ଆଗରେ ବିରାଟ ଖେଳ ପଡ଼ିଆ । ପଛରେ ଧାନ ବିଲ । ସେଠି ପ୍ରଚୁର ଆଲୁଅ, ପ୍ରଚୁର ପବନ । ଅମୁହାଁ ଗୁମ୍ଫା ପରି ନୁହେଁ । ଅଖିଳ ତରବରରେ ସ୍କୁଲ୍‌କୁ ବାହାରିପଡ଼େ ।

 

ବାପା ମୁଦୁଲିପଡ଼ା ଡାକଘରର ପିଅନ । ଚିଠି ନେବା ଆଣିବା ପାଇଁ ସବୁବେଳେ ପାଖରେ ଦିଇଟି ମାଟିଆ ଅଖା ଥାଏ । ସେଇ ଅଖା ଭିତରେ ଆସେ ପୋଷ୍ଟକାର୍ଡ, ଲଫାପା, ଇନ୍‌ଲ୍ୟାଣ୍ଡ୍‌ ଓ ଆଉ ଗୋଟେ ଛୋଟ ମୁଣା ଭିତରେ ମନିଅର୍ଡର । ବର୍ଷସାରା ଖରା, ବର୍ଷା, କାକର ଖାଇ ଯେତେବେଳେ ସେ ବ୍ୟାଗ୍‌ ଛିଣ୍ଡିଆସେ, ସେତେବେଳେ ସେଇଟା ଅଖିଳର ଶୀତଦିନିଆ କମ୍ବଳ ହୋଇଯାଏ । ଅଖା ଭିତରେ ଗୋଡ଼ ପୂରେଇ ବେକ ପର୍ଯ୍ୟନ୍ତ ପଶିଯାଏ ଅଖିଳ, ତାକୁ ଆଉ ଜାଡ଼ ଜଣା ପଡ଼େନାହିଁ । ବାପାର ମାଟିଆ ଢିଲା ପ୍ୟାଣ୍ଟ୍‌ରେ ଅଖିଳର ଅଣ୍ଟା ମାଫିକ୍‌ ସିଲେଇ କରାଯାଏ । ଅଖିଳ ସେଇ ପ୍ୟାଣ୍ଟ୍‌ ଓ ବାପାର ଗଂଜି ପିନ୍ଧି ସ୍କୁଲ୍‌କୁ ଯାଏ ।

 

ମଧୁପଡ଼ା ସ୍କୁଲ୍‌କୁ ଆଖପାଖ ଗାଁର ବି ଅନେକ ସବର୍ଣ୍ଣ ପିଲା ଆସନ୍ତି । ସେମାନେ ବ୍ରାହ୍ମଣ ଘର, ଖଣ୍ଡେଇତ ଘର ଓ ପ୍ରଧାନ ଘରର ପିଲା । ସେଦିନ ତୃତୀୟ ଶ୍ରେଣୀର ସାଙ୍ଗ ନକୁଳ ଗୋଟେ ଜରିପୁଡ଼ିଆରୁ ପୁଳାଏ ଗୁଡ଼ ବାହାର କରି ଅଖିଳକୁ ଦେଖେଇଥିଲା । କହିଥିଲା, ସବୁତକ ଗୁଡ଼ ସେ ଅଖିଳକୁ ଦେଇଦେବ, ଯଦି ସେ ପ୍ରାର୍ଥନା କ୍ଲାସ୍‌ରେ ମାଷ୍ଟରଙ୍କ ଆଗରେ ନକୁଳକୁ ଛୁଇଁଦେବ ।

 

: ବାସ୍‌, କେବଳ ଛୁଇଁଦେବି ? –ଅଖିଳ ପଚାରିଥିଲା ।

 

: ତାହେଲେ ଏ ସବୁଯାକ ଗୁଡ଼ ତୋର ହୋଇଯିବ ।

 

ନକୁଳ ଆଖି ମିଟି ମିଟି କରି ପ୍ରାର୍ଥନା ବୋଲୁଥିଲା । ଅଖିଳ ଧାଡ଼ିରୁ ବାହାରି ଯାଇ ତାକୁ ଠେଲିଦେଲା । ‘ସାରିଦେଲା, ସାରିଦେଲା’ କହି ମାଷ୍ଟ୍ରେ ଦଉଡ଼ିଆସିଲା । ପ୍ରଥମେ ଅଖିଳ ମାଷ୍ଟରଙ୍କ କଥା ବୁଝିପାରିଲା ନାହିଁ । ଏଥିରେ ଏମିତି ବିଗିଡ଼ିବାର କଣ ଅଛି ?

 

ମାଷ୍ଟ୍ରେ ଅଖିଳ ପାଖାପାଖି ପହଞ୍ଚି ଅଟକି ଗଲେ । ଉଞ୍ଚେଇଥିବା ହାତ ତଳକୁ କରିନେଲେ-। ବିଡ଼ିବିଡ଼ି ହୋଇ ବହୁତ କଥା ବକିଗଲେ ଓ ତାପରେ ଆଦେଶ ଦେଲେ, “ଅଖିଳ, ଏ ଭୁଲ୍‌ ପାଇଁ ଖରାରେ ପାଁଶହ ଥର ଉଠ୍‌ବସ ହେବ ।”

 

ସେଇଦିନ ଅଖିଳ ବୁଝିଲା, କାହିଁକି ମାଷ୍ଟ୍ରେ ତାକୁ ଅନ୍ୟ ପିଲାମାନଙ୍କ ଠାରୁ ପାଞ୍ଚଫୁଟ ଦୂରରେ ଅଲଗା କରି ବସାନ୍ତି । ସେ ଛୁଇଁଦେଲେ ସାଙ୍ଗ ପିଲାଙ୍କୁ ଗାଧୋଇବାକୁ ପଡ଼େ । ମାଷ୍ଟ୍ରେ ବିଗିଡ଼ନ୍ତି ।

 

ନକୁଳ ଗୁଡ଼ତକ ଅଖିଳ ଆଡ଼କୁ ଫୋପାଡ଼ିଦେଇ ଘରକୁ ପଳେଇଲା । ମାଷ୍ଟ୍ରେ ତାକୁ ଛୁଟି ଦେଇଦେଲେ । ସେ ଘରକୁ ଯାଇ ଗାଧୋଇବ ଓ ଘର ସ୍କୁଲ୍‌ଠୁଁ ଦୂର ହୋଇଥିବାରୁ ଆଉ ସ୍କୁଲ୍‌କୁ ନ ଆସି ଘରେ ରହିବ ।

 

ସେଦିନ ଅଖିଳ ଆସି ମାଆକୁ ପଚାରିଥିଲା, “ମୁଁ ଛୁଇଁଦେଲେ ପିଲାଏ ଗାଧାନ୍ତି କାହିଁକି-?”

 

ଓଦା ଜାଳ ଚୁଲୀକୁ ମୁହାଁଉଥିଲା ମାଆ । କୁହୁଳା ଧୂଆଁ ଫୁଙ୍କି ଫୁଙ୍କି ତାର ଆଖି ନାଲି ପଡ଼ିଯାଇଥିଲା । ଅଖିଳକୁ କୋଳକୁ ଭିଡ଼ିନେଇ ମାଆ କହିଥିଲା, “ସେମାନେ ଅପରିଚ୍ଛନ୍ନ ପିଲା । ତୁ ବରଂ ତାଙ୍କୁ ସଫା ହେବାରେ ସାହାଯ୍ୟ କରୁଛୁ ।”

 

ସେଦିନ ଅଖିଳ ଏକଥାକୁ ସତ ବୋଲି ମାନି ଯାଇଥିଲା । କିନ୍ତୁ ପରେ ଜାଣିଥିଲା, ମାଆ ତା ମନ ବହଲେଇବା ଲାଗି ମିଛ କହିଥିଲା । ଯଦି ସେ ସତକୁ ସତ ସାଙ୍ଗ ପିଲାମାନଙ୍କୁ ପରିଷ୍କାର ପରିଚ୍ଛନ୍ନ ହେବାରେ ସାହାଯ୍ୟ କରିଥାଆନ୍ତା, ତାହାହେଲେ ମାଷ୍ଟ୍ରେ ତାକୁ ପ୍ରଶଂସା ନ କରି ପାଁଶହ ଥର ସେଇ ଖରାଟାରେ ଉଠ୍‌ବସ୍‌ କରେଇଥାଆନ୍ତେ କାହିଁକି ?

 

ସେଦିନ ରାତିରେ ଅଖିଳର ଆଣ୍ଠୁ ଓ ଗୋଡ଼ର ପେଣ୍ଡା କିଟିକିଟି କରି ବିନ୍ଧିଥିଲା । ସେ ବିକଳରେ ‘ବୋଉଲୋ, ମରିଗଲି ଲୋ’ ବୋଲି ହୁରି ଛାଡ଼ିଥିଲା । ମାଆ ଉଠିପଡ଼ି ତା ଦୁଇ ଗୋଡ଼ରେ ଖାଇବା ତେଲ ଶିଶିରୁ ଅଜାଡ଼ି ତେଲ ମାଲିସ କରିଦେଲାରୁ ବିନ୍ଧାଛିଟିକା ଛାଡ଼ିଥିଲା ।

 

ଅଖିଳ ଆଉ ଗୋଟିଏ କଥା ବି ଲକ୍ଷ୍ୟ କରୁଥିଲା । ଶ୍ରେଣୀର ଅନ୍ୟ ପିଲାମାନେ କେହି ଭୁଲ୍‌ଭଟକା କଲେ ମାଷ୍ଟ୍ରେ ଆସି ତାଙ୍କ କାନଧରି ଭିଡ଼ି ନେଉଥିଲେ, ନିଜ ହାତରେ ବିଧା ଚାପୁଡ଼ା କଷି ଦେଉଥିଲେ । କିନ୍ତୁ ଅଖିଳ କିଛି ଭୁଲ୍‌ କରୁଥିଲେ ମାଷ୍ଟ୍ରେ ତାକୁ କେବେ ବି ନିଜ ହାତରେ ମାରୁ ନ ଥିଲେ । ସବୁବେଳେ ତାକୁ ଉଠ୍‌ବସ ହେବାକୁ କହୁଥିଲେ, ନ ହେଲେ ଦୁଇ ଆଣ୍ଠୁ ତଳେ ଦିଇଟି ଗୋଡ଼ି ରଖି ତା ଉପରେ ଆଣ୍ଠେଇବାକୁ କହୁଥିଲେ । ଏକଥା ପାଇଁ ଅଖିଳ ଆଶ୍ଚର୍ଯ୍ୟ ହେଉଥିଲେ ବି ମନ କଷ୍ଟ କରୁ ନ ଥିଲା; ବରଂ ମାଷ୍ଟରଙ୍କ ଟାଆଁସା ହାତରୁ ଅଜ୍ଞାନ ବିଧା, ଚାପୁଡ଼ା ଖାଇବାଠାରୁ ଏମିତି ଉଠ୍‌ବସ୍‌ ହେବା କିମ୍ବା ଗୋଡ଼ି ଉପରେ ଆଣ୍ଠେଇବା ତାକୁ ହାଲୁକା ଲାଗୁଥିଲା ।

 

ଅଖିଳର ମାଇନର ସ୍କୁଲ୍‌ରେ ପଢ଼ିବାବେଳକୁ ମନ ବଦଳି ଯାଇଥିଲା । ବେଳେ ବେଳେ ସେ ଚାହୁଁଥିଲା ମାଷ୍ଟ୍ରେ ତା ପ୍ରତି ଏମିତି ଦୟା ନ କରି ଅନ୍ୟମାନଙ୍କ ପରି ତାକୁ ବି ତାଙ୍କୁ ହାତରେ ଦି ଚାପଡ଼ା ମାରନ୍ତେ କି ? ତାକୁ ଟିକିଏ କଷ୍ଟ ଦେଲେ ପଛକେ ହୁଅନ୍ତା, ଅନ୍ୟମାନଙ୍କଠୁଁ ଅଲଗା ବୋଲି ବାରି ହୋଇପଡ଼ିବାର ଦୁଃଖ ତାର ରହନ୍ତା ନାହିଁ ।

 

କିନ୍ତୁ ମାଷ୍ଟ୍ରେ ସେଭଳି କାମ କରନ୍ତି ନାହିଁ ।

 

ଅଖିଳ କ୍ଲାସ୍‌ ଭିତରେ ସବୁ ପିଲାଙ୍କ ପଛରେ ଦୂରଛଡ଼ା ହୋଇ ଗୋଟିଏ କୋଣରେ ବସେ-। ସେ କାହାକୁ ଛୁଏଁ ନାହିଁ, ତାକୁ କେହି ଛୁଅଁନ୍ତି ନାହିଁ । ସେ ଗୋଟେ ଅଲଗା ଜଗତର ପ୍ରାଣୀ ପରି ସ୍କୁଲ୍‌ ପଡ଼ିଆରେ ଏକଲା ଖେଳେ, ବୁଲେ, ଘରକୁ ଫେରିଆସେ । ଘରକୁ ଫେରିବା ରାସ୍ତାରେ ଅଖିଳ ଶାଳ ଗଛକୁ କୁଣ୍ଢାଏ, ଶାଳଗଛ ପଛକୁ ଘୁଞ୍ଚିଯାଏ ନାହିଁ କି ତାକୁ ଆକଟ କରେନାହିଁ । ବଣୁଆ ଫୁଲର ପାଖୁଡ଼ାକୁ ଆଉଁଶି ଦିଏ, ଫୁଲ ଘୁଞ୍ଚିଯାଏ ନାହିଁ । ପାହାଡ଼ ତଳ ବିଲରେ ଚରୁଥିବା ଛେଳିଛୁଆକୁ କୋଳକୁ ଉଠେଇ ତାର ରୁମଭର୍ତ୍ତି ଦେହରେ ନିଜର ଗାଲକୁ ଘଷେ, ମା ଛେଳି ପାଖରେ ଚରୁଥିଲେ ବି ତାକୁ ବାରଣ କରେ ନାହିଁ । ସେ ଭାବେ, ଶାଳଗଛ, ଘାସଫୁଲ, ଛେଳି କେହି ଯଦି ତାକୁ ଦୂର୍‌ ଦୂର୍‌ କରନ୍ତି ନାହିଁ, ମାଷ୍ଟ୍ରେ ଓ ସାଙ୍ଗମାନେ କାହିଁକି ତାକୁ ଦୂର୍‌ ଦୂର୍‌ କରନ୍ତି ।

 

ସେତେବେଳେ ତାର ସାହାବାଣୀ ଇନିସ୍‌ପେକ୍ଟରଙ୍କ କଥା ମନେ ପଡ଼େ । ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଦିନେ ମାଷ୍ଟ୍ରେ କହିଥିଲେ, “କାଲିକି ଦି ଜଣ ପରିଦର୍ଶକ ଆସିବେ । ତୁମମାନଙ୍କୁ ପାଠ ପଚାରିବେ ।” ପରଦିନ ଅଖିଳ ତା ବାପାଙ୍କର ଗୋଟେ ନୂଆ ଗଂଜି ପିନ୍ଧି ସ୍କୁଲ୍‌କୁ ଆସିଥିଲା । ସେଇ ଗଂଜିଟା ଏତେ ଲମ୍ବା ହୋଇଥିଲା ଯେ ତା ଭିତରେ ସେ ପାଦ ପର୍ଯ୍ୟନ୍ତ ଘୋଡ଼େଇ ହୋଇ ରହିଥିଲା । ପରିଦର୍ଶକ ଆସିବାର ଉତ୍ତେଜନା ପାଇଁ ହେଉ କି ଲମ୍ବା ଗଂଜିଟା ପିନ୍ଧିବା ଯୋଗୁଁ ହେଉ, ସେଦିନ ପ୍ୟାଣ୍ଟଟା ପିନ୍ଧିବା ଲାଗି ଅଖିଳ ଭୁଲିଯାଇଥିଲା । ସବୁ ପିଲା ସଫା ଜାମାପଟା ପିନ୍ଧି ସେଦିନ ସ୍କୁଲ୍‌ ଯାଇଥିଲେ । ଅଖିଳକୁ କାନ୍ଥ ପାଖରୁ ଡାକିଆଣି ଅନ୍ୟ ପିଲାମାନଙ୍କଠାରୁ ଜମା ଚାରିହାତ ଦୂରରେ ସେଦିନ ବସେଇଥିଲେ ମାଷ୍ଟ୍ରେ ।

 

ଦିପହର ବେଳକୁ ଗୋଟେ ଜିପ୍‌ ଆସି ତାଙ୍କ ସ୍କୁଲ୍‌ ହତାରେ ପହଞ୍ଚି ଥିଲା । ସେମାନଙ୍କର ଜିପ୍‌ ଦେଖିବା ଲାଗି ମନ ଥିଲେ ବି ମାଷ୍ଟରଙ୍କ ଡରରେ ଅଖିଳ କି ଅନ୍ୟ ପିଲା କେହି ନିଜ ନିଜ ଜାଗାରୁ ଟିକିଏ ହେଲେ ହଲି ନ ଥିଲେ ।

 

ଅଖିଳ ଦେଖିଥିଲା, ଟଗର ଫୁଲ ପରି ଜଣେ ତୋଫା ଗୋରା ସାର୍‌ ଓ ଜଣେ ଦିଦି ଆସି ତାଙ୍କ କ୍ଲାସ୍‌ରେ ପହଞ୍ଚିଥିଲେ । ସେମାନେ ପିଲାଙ୍କୁ ପାଠ ପଚାରିଥିଲେ । ଅଖିଳକୁ ବି । ଅଖିଳର ଅସୁବିଧା ଥିଲା ଯେ ସାହାବଙ୍କ ଉଚ୍ଚାରଣରେ ଓଡ଼ିଆ ଶବ୍ଦ ସେ ବୁଝି ପାରି ନ ଥିଲା । ସେଇଥିପାଇଁ ସାହେବ ଯେତେବେଳେ, ‘କୁଳମଣି ଭାତ ଖାଏ’ ବୋଲି ଲେଖିବା ପାଇଁ ଡାକିଥିଲେ, ଅଖିଳ ଲେଖିଥିଲା ‘କୁଳମଣି ଘାସ ଖାଏ ।’ ତା ସିଲଟ ଦେଖିବା ପରେ ସାହେବ ଜୋର୍‌ରେ ହସିଥିଲେ, ତାଙ୍କ ହସ ଦେଖି ଅନ୍ୟମାନେ ବି । କିନ୍ତୁ ସାହାବାଣୀ ଆଦୌ ହସି ନ ଥିଲେ । ଓଲଟି ଅଖିଳକୁ ପାଖକୁ ଡାକି ତାକୁ ଗେଲ କରିଥିଲେ, ତାକୁ କାଖେଇଥିଲେ ଏବଂ ଶେଷକୁ ତାଙ୍କ ବେକର ଗେଣ୍ଡୁଫୁଲ ମାଳଟିକୁ କାଢ଼ି ସେ ଅଖିଳ ଗଳାରେ ଲମ୍ବେଇ ଦେଇଥିଲେ ।

 

ସେଦିନର ଅନୁଭୂତି ଅଖିଳ କେବେ ବି ଭୁଲିପାରେ ନାହିଁ । ଫୁଲମାଳଟି ବେକରେ ପକେଇ ଗାଁ ରାସ୍ତାରେ ଚାଲିଲା ବେଳେ ସେ ନିଜକୁ ମଧୁଗଡ଼ର ରାଜା ବୋଲି ମନେ କରୁଥିଲା । ଘରକୁ ଫେରି ବାପାଙ୍କ ଗଂଜିଟା ଦେହରୁ ଉତାରି ଦେଇଥିଲେ ସୁଦ୍ଧା ବେକର ଫୁଲମାଳଟିକୁ ରାତି ପର୍ଯ୍ୟନ୍ତ ସେ କାଢ଼ି ନ ଥିଲା । ତାର କଳା କିଟିକିଟି ଚେହେରା ସାଙ୍ଗକୁ ସେ ଗେଣ୍ଡୁମାଳ ଅପୂର୍ବ ଦିଶୁଥିଲା ଓ ସେଇ ବେଶରେ ତାକୁ ତାଙ୍କ ପଡ଼ାରେ ଯିଏ ବି ଦେଖୁଥିଲେ, ସିଏ ଠୋ ଠୋ ହୋଇ ହସୁଥିଲେ । ଅଖିଳ ସେମାନଙ୍କ ହସକୁ ଆଦୌ ଗୁରୁତ୍ୱ ଦେଉ ନ ଥିଲା ।

 

ବରାବର ତାର ସାହାବାଣୀଙ୍କ କଥା ମନେ ପଡୁଥିଲା । ସେ କେମିତି ତାକୁ ଏତେ ପିଲାଙ୍କ ଭିତରୁ ବାଛି ବାଛି କୋଳକୁ ଉଠେଇନେଲେ, କାହିଁକି ଏମିତି ସେ ଦୂରଛଡ଼ା ହୋଇ ବସିଛି ବୋଲି ପଚାରିଲେ ଓ ଶେଷକୁ ସମସ୍ତେ ଦେଖୁ ଦେଖୁ ନିଜ ବେକର ଫୁଲମାଳ ତା ବେକରେ ଲମ୍ବେଇଦେଲେ, ସେଇକଥା ସେ ବରାବର ତା ମାଆକୁ କହୁଥିଲା । ଏକା କଥା ସାତ ଆଠଥର ଶୁଣିବା ସତ୍ତ୍ୱେ ପୁଅର ମନ ଖରାପ ହେବ ଭାବି ମାଆ ସବୁଥର ସମାନ ଆଗ୍ରହ ଦେଖେଇ ଅଖିଳର କଥା ଶୁଣୁଥିଲା । ସେଦିନ ରାତିରେ ଅଖିଳ ସ୍ୱପ୍ନଟେ ଦେଖିଥିଲା–ରାତିରେ ସେ ଶୋଇଥିଲା । ତା ଝରକା ସେପଟେ ତୋଫା ଗୋରା ପରୀଟିଏ ଆସି ତାକୁ ଡାକିଲେ । ସେ ଛୁଇଁଦେବା କ୍ଷଣି ଅଖିଳର କାଳିଆ, ଅପରିଚ୍ଛନ୍ନ ଓ ଲେଙ୍ଗୁଟି ପିନ୍ଧା ଚେହେରା କେମିତି ଗୋଟେ ରାଜାଛୁଆ ଚେହେରାରେ ବଦଳିଗଲା । ତାପରେ ଗୋରା ସୁନ୍ଦରୀ ପରୀ ତା କାନ୍ଧରେ ଲଗେଇଦେଲେ ଦିଇଟି ମଖମଲି ଡେଣା ଓ ଚାହୁଁ ଚାହୁଁ ଆକାଶରେ ଉଡ଼ିବାକୁ ଲାଗିଲେ । ଚାରିପଟେ ନେଳି ଆକାଶ, ଝିଲିମିଲି ତାରା, ତୁଳା ପରି ନରମ, ଧଳା ବଉଦ । ସମସ୍ତଙ୍କୁ ଆଡ଼େଇ ସେମାନେ ଜହ୍ନ ଆଡ଼କୁ ଉଡ଼ି ଉଡ଼ି ଯାଉଥିଲେ । ଅଖିଳ ମଝିରେ ମଝିରେ ତଳକୁ ଚାହିଁ ଦେଖୁଥିଲା-। ତା ସ୍କୁଲ୍‌ର ସାଙ୍ଗମାନେ ତାକୁ ଈର୍ଷା କରି ଢେଲା ପଥର ଫୋପାଡୁଛନ୍ତି, ସେମାନଙ୍କ ଆଗରେ ମାଷ୍ଟ୍ରେ ଛିଡ଼ାହୋଇ ତାଙ୍କ ଚଷମା ଫାଙ୍କରୁ ନାଲି ଆଖି ଦେଖଉଛନ୍ତି । ଅଖିଳ ସେମାନଙ୍କ କଥାକୁ ଧ୍ୟାନ ଦେଉନାହିଁ । ମଝିରେ ମଝିରେ ସେଇ ଗୋରୀ ପରୀଟି ତାକୁ ଚାହିଁ ହସି ଦେଉଛି ଓ ସେ ଗୋଟାପଣେ ଉଲୁସି ଯାଉଛି । ସେ ଆଖି ଦିଇଟି ବୁଜିଦେଇ ଖାଲି ହସୁଛି ।

ଆହୁରି କେତେ ସମୟ ଏମିତି ସ୍ୱପ୍ନ ଦେଖିଥାଆନ୍ତା ଅଖିଳ । କିନ୍ତୁ ମାଆର ଡାକରେ ତା ନିଦ ଭାଙ୍ଗିଗଲା । ସେଦିନ ମେଘୁଆ ପାଗ ଯୋଗୁ ଧାନ କୁଟାଯାଇ ପାରି ନ ଥିଲା । ମାଆ ଡାକୁଥିଲା, ଅଖିଳ ଯାଇ ତା ସାଙ୍ଗରେ ଢିଙ୍କି କୁଟିଲେ ସେ ଚାଉଳ ସଅଁପିବ । ଅଖିଳ ତରତରରେ ମସିଣା ଉପରୁ ଉଠିପଡ଼ି ମା ପଛେ ପଛେ ଯାଇଥିଲା ।

ସେ ଦିନସାରା ତାର ସାହାବାଣୀଙ୍କ କଥା ମନେ ପଡ଼ିଥିଲା । ଏକଥା ବି ସେ ଭାବିଥିଲା ଯେ ତା ଗାଁ ଓ ଗାଁ ପାଖର ପିଲା, ବୁଢ଼ାଙ୍କଠୁଁ ନେଇ ମାଷ୍ଟରଙ୍କ ପର୍ଯ୍ୟନ୍ତ ସମସ୍ତେ ତାକୁ ଦୂର୍‌ ଦୂର୍‌ ମାର୍‌ ମାର୍‌ କହୁଥିଲେ ବି କାହିଁ କେତେ ଦୂରର ସାହାବ ସାହାବାଣୀ ତାକୁ ନିଜର ପିଲା ପରି ଗେଲ କରିଥିଲେ, ଆଦର କରିଥିଲେ । ଅଖିଳ ପରଦିନ ଯାଇ ସ୍କୁଲ୍‌ରେ ସାହାବାଣୀଙ୍କୁ ଖୋଜିଥିଲା, କିନ୍ତୁ ବଡ଼ କ୍ଲାସ୍‌ର ପିଲାଏ କହିଥିଲେ, ସାହାବାଣୀ ବିଲାତରୁ ଆସିଥିଲେ । ତାଙ୍କ ସରକାର ଏଇ ସ୍କୁଲ୍‌ ପାଇଁ ସାହାଯ୍ୟ କରିଥିବାରୁ ସେ ଦି ଜଣ ପାଠପଢ଼ା ଦେଖିବା ପାଇଁ ବୁଲି ଆସିଥିଲେ । ତାଙ୍କର କଣ କାମ ନାହିଁ ଯେ ରୋଜ ରୋଜ ଏଠିକି ଆସନ୍ତେ ବୋଲି କେହି ଜଣେ ଅଖିଳକୁ କହିଥିଲା ।

ସେଦିନ ଅଖିଳ, ତାଙ୍କ ଗାଁ ଉପରଦେଇ ଉଡ଼ିଯାଉଥିବା କୁନି ଉଡ଼ାଜାହାଜକୁ ଢେର୍‌ କାଳ ଚାହିଁଥିଲା ଓ ମନେ ମନେ ଭାବିଥିଲା, ଦିନେ ସେ ଏଇ ଉଡ଼ାଜାହାଜରେ ବସି ବିଲାତ ଯିବ ଓ ସାହାବାଣୀଙ୍କୁ ଭେଟିବ । ଢେର୍‌ ସମୟ ଉଡ଼ାଜାହାଜକୁ ଅନେଇବା ଭିତରେ ତା ମନକୁ ଗୋଟେ କଥା ଆସିଥିଲା । ସେ ଭାବିଥିଲା, ସମସ୍ତଙ୍କ ଆଗରେ ସାହାବାଣୀ ତା ଗଳାରେ ଫୁଲମାଳ ପକେଇଦେବା ପରେ ସେ ଆଉ ଅଛୁଆଁ ହୋଇ ରହିନାହିଁ । କାରଣ, ଅଛୁଆଁ ମଣିଷକୁ କେହି ଫୁଲମାଳ ଦିଏ ନାହିଁ । ଠାକୁର, ଠାକୁରାଣୀଙ୍କ ବେକରେ ଫୁଲମାଳ ପଡ଼େ, ସେମାନେ ଅଛୁଆଁ ନୁହନ୍ତି ।

ପରଦିନ ପ୍ରାର୍ଥନା କ୍ଲାସ୍‌ରେ ଅଖିଳ ଛିଡ଼ା ହୋଇଥିଲା । ପ୍ରାର୍ଥନା ବୋଲିବା ପାଇଁ ତାର ଆଦୌ ମନ ନ ଥିଲା । ସେ କେବଳ ଆଖି ମିଟି ମିଟି କରି ଚାହିଁଥିଲା । ଯେମିତି ହେଡ୍‌ମାଷ୍ଟ୍ରେ ଟିକିଏ ଦୂରଛଡ଼ା ହୋଇଯାଇଛନ୍ତି, ସେ ଧାଡ଼ିରୁ ବାହାରିଯାଇ ଏ ମୁଣ୍ଡରୁ ଆରମୁଣ୍ଡ ଯାଏ ସବୁ ପିଲାଙ୍କୁ ଛୁଇଁ ଦଉଡ଼ିଗଲା, ଯେମିତି ରାସ୍ତାକଡ଼ର ଗଛମାନଙ୍କୁ ସେ ଛୁଇଁ ଛୁଇଁ ଦଉଡ଼ିଥାଏ ।

ହାଁ ହାଁ କରି ହେଡ୍‌ମାଷ୍ଟ୍ରେ ଦଉଡ଼ି ଆସିଲେ । ପୃଥିବୀର ସବୁଠୁ ଦୁର୍ଘଟଣା ଅବା ଘଟିଯାଇଥିଲା ।

ପିଲାମାନେ ଆଶ୍ଚର୍ଯ୍ୟ ଓ ଦୁଃଖରେ ଝାଉଁଳି ପଡ଼ିଲେ । ସତେ କି ସେମାନଙ୍କ ଉପରେ କିଏ ମଇଳା ଢାଳିଦେଇଥିଲା ! ସେମାନେ ଗାଧୋଇ ଯିବାଲାଗି ଉଚ୍ଛନ୍ନ ହୋଇପଡ଼ିଲେ ।

ସେଦିନ ସ୍କୁଲ୍‌ ଛୁଟି ହୋଇଗଲା । ହେଡ୍‌ମାଷ୍ଟ୍ରେ ଛୁଟି ଘୋଷଣା କରିଦେଲେ ।

ଅଖିଳ ଘରକୁ ପଳେଇଆସିଲା ।

ପରଦିନ ତାକୁ ଦିନସାରା ସ୍କୁଲ୍‌ରେ ଉଠ୍‌ବସ୍‌ ହେବାକୁ ପଡ଼ିଥିଲା ।

ମାଇନର ସ୍କୁଲ୍‌ର ସେଇ ଥିଲା ଶେଷ ଦିନ । ସବର୍ଣ୍ଣମାନଙ୍କୁ ସ୍ପର୍ଶ କରିବାର ଅଭିଯୋଗରେ ତାକୁ ଅଧନଙ୍ଗଳା ହୋଇ ଉଠ୍‌ବସ୍‌ କରାଯାଉଥିଲା । ଭୋକ ଓ ଶୋଷରେ ତା ତୋଟି ଶୁଖିଯାଉଥିଲେ ସୁଦ୍ଧା ତାକୁ କେହି ପାଣି ଟୋପାଏ ଦେଇ ନ ଥିଲେ; ବରଂ ମାଷ୍ଟ୍ରେ ମଝିରେ ମଝିରେ ଟାହୁଲି କରୁଥିଲେ–ପାଣ ମା, କନ୍ଧ ବାପ । ପୁଅ ପାପୀ ନ ହୋଇ କଣ ହୋଇଥାଆନ୍ତା ? ତାଙ୍କ କଥା ଶୁଣି ଅଖିଳ ଲଜ୍ଜା ଓ ଅପମାନରେ ତେଲୁଣି ପୋକଟେ ପାଲଟି ଯାଉଥିଲା ।

ସେଇଦିନ ସମସ୍ତେ ଶୋଇପଡ଼ିଥିଲା ବେଳେ ସେ ସ୍କୁଲ୍‌ର ଚାଳଛପର ଘରେ ନିଆଁ ଗେଂଜି ଦେଇଥିଲା । ଯାଉ, ଜଳିପୋଡ଼ିଯାଉ ଏଇ ସ୍କୁଲ୍‌, ଯେଉଁଠି କାହାରି ମନରେ ତା ପ୍ରତି ଟିକେ ଆଦର ନାହିଁ, ସ୍ନେହ ନାହିଁ, ଭଲପାଇବା ନାହିଁ ।

ଜଳିପୋଡ଼ି ପାଉଁଶ ହୋଇଯାଉ ।

 

ତିନି

 

ପଞ୍ଚାୟତର ସରପଞ୍ଚ ଓ ସେ ଅଞ୍ଚଳର ମୁରବି କରପତ୍ର ଯୋଡ଼ି ଅଖିଳମୋହନଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ । ସତେ କି ଅଖିଳମୋହନ ଜଣେ ମହାଜନ, ଗାଁ ମୁରବି ଓ ସରପଞ୍ଚ ତାଙ୍କର କରଜ ଶୁଝି ପାରି ନ ଥିବା ନଗଣ୍ୟ ଖାତକ ।

 

ଅଖିଳମୋହନ କହିଲେ, “ଆପଣମାନେ ନିଜେ ସ୍କୁଲ୍‌ର ନୂଆ ଘର ଉଦ୍‌ଘାଟନ କରନ୍ତୁ-। ମୁଁ ସେ ସଭାକୁ ଯିବି ନାହିଁ ।”

 

ଗାଁ ମୁରବିଙ୍କ ମୁହଁ ଶୁଖିଗଲା । ହଠାତ୍‌ ଅଖିଳମୋହନଙ୍କର ଏ ପ୍ରକାର ଭାବାନ୍ତରର କାରଣ ଠଉରେଇ ନ ପାରି ସେ କାନମୁଣ୍ଡ ଆଉଁଶି ହେଲେ । ଅଖିଳମୋହନ କେବଳ ତାଙ୍କ ଗାଁ ନୁହେଁ, ତାଙ୍କ ପଞ୍ଚାୟତର ଗର୍ବ । ଏତେ କମ୍‌ ବୟସରେ ଏତେ ଉପରକୁ କିଏ ବା ଉଠିଛି ? ଅଖିଳମୋହନ ଚାହିଁଲେ ଗୋଟାଏ ଗାଁ କିଣିପକେଇବେ । ତାଙ୍କ ଧନ ସଂପତ୍ତିର ଆକଳନ ସେ କରିପାରିବେ ନାହିଁ । ସେଭଳି ଲୋକ ଯଦି ତାଙ୍କ ପାଖରୁ ମୁହଁ ଫେରେଇ ନେବେ, ତାହାହେଲେ ତାଙ୍କ ଯୋଜନା ସବୁ ସଫଳ ହେବ କେମିତି ? ତାଙ୍କରି ଯୋଗୁଁ ତ ଏ ଦୁଇମହଲା କୋଠା ସ୍କୁଲ୍‌, ଏତେ ବଡ଼ ଖେଳ ପଡ଼ିଆ ଓ ସୁନ୍ଦର ଫୁଲ ବଗିଚା ।

 

ଅଖିଳମୋହନ ସରପଞ୍ଚଙ୍କ ଭାବାନ୍ତର ବୁଝିପାରୁଥିଲେ । ସେ ଆଉ କିଛି ନ କହି ସାମ୍ନାରେ ପଡ଼ିଥିବା ଖବରକାଗଜଟା ସରପଞ୍ଚଙ୍କ ଆଡ଼କୁ ଠେଲିଦେଲେ ।

 

ବାଧ୍ୟ ଛାତ୍ର ପରି ସରପଞ୍ଚ କାଗଜଟି ଉଠେଇନେଇ ପଢ଼ିଲେ । ବଡ଼ ବଡ଼ ଅକ୍ଷରରେ ଛପାଯାଇଥିଲା–ମଧ୍ୟାହ୍ନ ଭୋଜନ ବେଳେ ଦିଇଟି ହରିଜନ ପିଲା ସବର୍ଣ୍ଣ ଶିକ୍ଷକଙ୍କ ଦ୍ୱାରା ନିର୍ଯାତିତ-। ବଲାଙ୍ଗୀର ଜିଲ୍ଲା ସରଗୁଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଜନ ପିଲା ଯୋଡ଼ିକଙ୍କୁ ଉଚ୍ଚ ଜାତିର ପିଲାଙ୍କ ଧାଡ଼ିରୁ, ମଣିଷଙ୍କ ମେଳରୁ ବୁଲା କୁକୁରକୁ ତଡ଼ିଦେଲା ପରି ତଡ଼ି ଦେଇଥିଲେ-

 

ଅଖିଳମୋହନ ନିଜ ଜୀବନର ଗଲା ତିରିଶ ବର୍ଷର କଥା ଭାବୁଥିଲେ । ଭୁବନେଶ୍ୱରରୁ ନେଇ ଦିଲ୍ଲୀ ଫୁଟ୍‌ପାଥ ପର୍ଯ୍ୟନ୍ତ, କେତେ ସଂଗ୍ରାମ ସେ ନ କରିଛନ୍ତି ନିଜ ପାଦରେ ଛିଡ଼ା ହେବାପାଇଁ ! କନଟ୍‌ପ୍ଲେସ ଛକରେ ଦିନ ପରେ ଦିନ ବସି ଅପରିଚିତଙ୍କ ଚିତ୍ର ଆଙ୍କିଛନ୍ତି ଦଶଟଙ୍କା, ପନ୍ଦର ଟଙ୍କା ମଜୁରି ବିନିମୟରେ । ଦିନେ ଏମିତି ଚିତ୍ର ଆଙ୍କୁ ଆଙ୍କୁ ପରିଚୟ ହୋଇଛି ଭାଲେନ୍ତିନା ତେରେସ୍କୋଭାଙ୍କ ସହ । ତାଙ୍କ ଛବି ଆଙ୍କିବାର ଖବର ଭାରତର ବଡ଼ ବଡ଼ ଖବରକାଗଜରେ ପ୍ରକାଶ ପାଇଛି । ତାପରେ ସେ ଅଖ୍ୟାତରୁ ବିଖ୍ୟାତ ହୋଇପଡ଼ିଛନ୍ତି । ସେମିତି ଆକସ୍ମିକ ଭାବରେ ସାକ୍ଷାତ ହୋଇଛି ଭେରୋନିକା ସାଙ୍ଗରେ । ତାଆରି ପ୍ରେମ ତାଙ୍କୁ ଟାଣି ନେଇଛି ଆମେରିକା ।

 

ସରପଞ୍ଚ କଣ କହିବେ ବୋଲି ମୁହଁ ଖୋଲୁଥିଲେ, ଅଖିଳମୋହନ କହିଲେ, “କିଛି ବଦଳି ନାହିଁ ତିରିଶ ବର୍ଷ ଭିତରେ, କିଛି ବଦଳି ନାହିଁ । ଆପଣମାନଙ୍କର ଟଙ୍କା ଦରକାର ଥିଲା, ମୁଁ ଦେଇଛି-। ଆଉ ଯଦି ପ୍ରୟୋଜନ ପଡ଼େ, କହିଲେ ମୁଁ ପଠେଇଦେବି । କିନ୍ତୁ ଯେଉଁ ସ୍କୁଲ୍‌ରେ ପ୍ରେମ ବଦଳରେ ଘୃଣା, ଶ୍ରଦ୍ଧା ବଦଳରେ ହୀନମଣ୍ୟତା ଶିକ୍ଷା ଦିଆଯାଉଛି, ଯୋଉଠି ମଣିଷ ଛୁଆକୁ କୁକୁର ଛୁଆଠୁଁ ହୀନ ଭାବେ ଦେଖାଯାଉଛି, ସେ ସ୍କୁଲ୍‌କୁ ଯିବା ପାଇଁ ମୋତେ କୁହନ୍ତୁ ନାହିଁ ।”

 

: କିନ୍ତୁ ଏମିତି ଘଟଣା ଆଉ ଆମ ସ୍କୁଲ୍‌ରେ ହେଉନାହିଁ । –ସରପଞ୍ଚ ବଡ଼ ସନ୍ତର୍ପଣରେ ଉତ୍ତର ଦେଲେ ।

 

: ମୋ ପାଇଁ ଏ ରାଜ୍ୟ ଗୋଟିଏ, ଢେଙ୍କାନାଳ ହେଉ କି ବଲାଙ୍ଗୀର । ହଜାର ହଜାର ମାଇଲ ଦୂରର ମଣିଷମାନେ, ଯେଉଁମାନେ ଆମକୁ ଚିହ୍ନନ୍ତି ନାହିଁ କି ଜାଣନ୍ତି ନାହିଁ, ସେମାନେ ଆମକୁ ଆଦରରେ ଗ୍ରହଣ କରୁଛନ୍ତି । ଅଥଚ ଆପଣମାନେ ବାପା, ଦାଦା, ଭାଇ ଓ କକା ହୋଇ ଗୋଡ଼ରେ ଠେଲି ଦେଉଛନ୍ତି । ଆଜି ମୋ ପାଖେ ଟଙ୍କା ନ ଥିଲେ ଆପଣ ମୋତେ ସ୍କୁଲ ଉଦ୍‌ଘାଟନ କରିବା ପାଇଁ ଡାକିବାକୁ ଆସିଥାଆନ୍ତେ କି ?

 

ସରପଞ୍ଚ ନିରସ୍ତ ଦିଶୁଥିଲେ । ତାଙ୍କ ମୁହଁରେ ଶବ୍ଦ ନ ଥିଲା ।

 

ଅଖିଳମୋହନ ଦୁଇ ହାତରେ ମୁହଁ ଢାଙ୍କି ବସି ପଡ଼ିଥିଲେ । ଦୂରରେ ଥିବାବେଳେ ମନଟା ସବୁବେଳେ ନିଜ ମାତୃଭୂମିକୁ ଫେରିଆସିବାକୁ ହାଇଁପାଇଁ ହୁଏ । ଯେତେ ଦରିଦ୍ର, ଯେତେ ମଳିନ ହେଉପଛେ ଏଇ ଦେଶର ଶାଳବଣ, ମହୁଲ ଫୁଲ, ଟିବିରି ଝରଣା ଓ ବେଣ୍ଟ ପୋଖରୀରେ ବିତିଛି ତାଙ୍କର ଶୈଶବ-କୈଶୋର । ତାଆରି ଧୂଳିଧୂସର ପଣତକାନିରେ ମୁହଁ ଗୁଂଜିଦେବା ଲାଗି ପ୍ରାଣଟା ଡହଳବିକଳ ହୋଇପଡ଼େ । କିନ୍ତୁ ଥରେ ଏଠି ପହଞ୍ଚିଗଲେ କିଏ ଯେମିତି ଏଠୁ ଗୋଇଠାଟାଏ ଦେଇ ତାଙ୍କୁ ଦୂରକୁ ଠେଲିଦିଏ । କୁହେ–ତୁ ଅଜାତିଆ, ଛୋଟ ଲୋକ ।

 

ଅଖିଳମୋହନ ବସିବା ଜାଗାରୁ ଉଠିପଡ଼ିଲେ । ଆଜି ତାଙ୍କୁ ଫେରିଯିବାକୁ ପଡ଼ିବ ।

☆☆☆

 

କାଗଜଡଙ୍ଗା

 

ପିଲାଦିନେ ବାବୁଲି ସମସ୍ତଙ୍କଠାରୁ ଭଲ କାଗଜଡଙ୍ଗା ତିଆରି କରୁଥିଲା । ଆମେ ତାର ଡଉଲଡାଉଲ କାଗଜଡଙ୍ଗାକୁ ଦେଖି ଖୁସି ହେଉଥିଲୁ, ଈର୍ଷା ବି କରୁଥିଲୁ । କିନ୍ତୁ ବାବୁଲି ସବୁଦିନେ ଗାଁରେ ରହୁ ନ ଥିବାରୁ ଆମେ ଆମର ପତିଆରା ହ୍ରାସ ନ ହେବା ନେଇ ଆଶ୍ୱସ୍ତ ଥିଲୁ । ବାବୁଲି ଆମ ପାଖରେ ନ ଥିଲାବେଳେ ମୁଁ, ନଣ୍ଡା ଓ ବଗୁଲି ତାର କାଗଜଡଙ୍ଗା ତିଆରି ଦକ୍ଷତା ନେଇ କଥାବାର୍ତ୍ତା କରୁଥିଲୁ ଏବଂ ସହରରେ ରହୁଥିବା ବାବୁଲି ଆମଠୁଁ ଭଲ ଡଙ୍ଗା କେମିତି ତିଆରି କରିପାରୁଛି ବିଚାରି ଆଶ୍ଚର୍ଯ୍ୟ ହେଉଥିଲୁ ।

 

ଭଲ କାଗଜଡଙ୍ଗା ତିଆରି ପାଇଁ ଯୋଉ ଯୋଉ ଉପାଦାନ ଓ ପରିବେଶ ଦରକାର ସେସବୁ ଆମ ପାଖରେ ଥିଲା । ପ୍ରଥମ କଥା ହେଲା କାଗଜ । ସେ ଦାୟିତ୍ୱ ବଗୁଲି ନିଷ୍ଠାର ସହ ବୁଝୁଥିଲା । ତାର ବାପା କଟକର ଖବରକାଗଜ ଅଫିସ୍‌ରେ ଚାକିରି କରୁଥିଲେ ଓ ସେଇ ସୁବିଧା ଯୋଗୁଁ ତାଙ୍କ ଘରକୁ ଖଣ୍ଡେ ମାଗଣା ଖବରକାଗଜ ଡାକରେ ଆସୁଥିଲା । ସେ କାଗଜଖଣ୍ଡିକ ପଢ଼ିବା ପାଇଁ ଆମ ଗାଁରେ ବହୁ ଉତ୍ସାହୀ ପାଠକ ଥିଲେ ମଧ୍ୟ ତାର ସୁବିଧା କେବଳ ଦି ଜଣଙ୍କୁ ହିଁ ମିଳୁଥିଲା–ଜଣେ ସେ କାଗଜର ଅସଲ ପ୍ରାପକ ଅର୍ଥାତ୍‌ ବଗୁଲିର ଜେଜେ ଓ ଆଉ ଜଣେ ଚନ୍ଦ୍ରଶେଖର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନେଶ୍ୱର ମହାନ୍ତି । କଟକରୁ ରାଇପୁର ପୋଷ୍ଟଅଫିସ୍‌ ଦେଇ ଏକ ତାରିଖର ଖବରକାଗଜ ଆମ ଗାଁରେ ଚାରି ତାରିଖରେ ଆସି ପହଞ୍ଚେ । କାଗଜ ପହଞ୍ଚିବା ଦିନଟି ତାହା ବଗୁଲିର ଜେଜେଙ୍କ ହାତରେ ଶୋଭାଯାଏ । ତା ପରଦିନ ବଗୁଲି ମାଧ୍ୟମରେ କାଗଜଟି ଯାଏ ହେଡ୍‌ମାଷ୍ଟ୍ରଙ୍କ ପାଖକୁ । ହେଡ୍‌ମାଷ୍ଟ୍ରେ କାଗଜଟି ଉପରେ କେବଳ ଆଖି ବୁଲାନ୍ତି ନାହିଁ, ପାଞ୍ଚ ଦିନର ପୁରୁଣା ସେଇ ଖବରକାଗଜଟିକୁ ସେ ତନ୍ନ ତନ୍ନ କରି ପଢ଼ନ୍ତି । ସ୍କୁଲ ଛୁଟି ଘଣ୍ଟି ବାଜିବା ପୂର୍ବରୁ ସେ ସେଇଟିକୁ ବଗୁଲି ହାତରେ ଫେରେଇ ଦିଅନ୍ତି । ସେତିକିବେଳେ ବଗୁଲି ଖବରକାଗଜ ଭିତରୁ କ୍ରୋଡ଼ପତ୍ରଟି ବାହାର କରି ତା ବ୍ୟାଗ୍‌ରେ ଅଲଗା ରଖିଦିଏ । ସେଇ ହେଲା ଆମ କାଗଜଡଙ୍ଗା ତିଆରି ପାଇଁ କଞ୍ଚାମାଲ୍‌ । ଏ କାର୍ଯ୍ୟ ପାଇଁ ଦ୍ୱିତୀୟ ପ୍ରୟୋଜନ ହେଲା ଜଳଧାର । ସେ ଦାୟିତ୍ୱ ବଣିଆସାହି ପଦା ଦେଇ ବେହେରା ଘରଠୁଁ ମନ୍ତେଇ ପର୍ଯ୍ୟନ୍ତ ଯାଇଥିବା ଗୋହିରିଟି ନିଷ୍ଠାର ସହ ତୁଲଉଥିଲା । ଅବଶ୍ୟ ବର୍ଷାଦିନମାନଙ୍କରେ ଆମେ ସେ ଗୋହିରିକୁ, ମାଛ ତରକାରି ହେବା ଦିନ ନିରାମିଷ ତରକାରିକୁ ଭୁଲିଲା ପରି, ଭୁଲିଯାଉଥିଲୁ । ସେତେବେଳେ ଆମ ଘର ଅଗଣା ବି କାଗଜଡଙ୍ଗା ଭସେଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରିପାରୁଥିଲା । ତୃତୀୟ ପ୍ରୟୋଜନ ହେଲା ଅବସର । ସ୍କୁଲକୁ ଯିବା ଆଗରୁ ଓ ସ୍କୁଲରୁ ଆସିବା ପରେ ଆମ ହାତରେ ଯେଉଁ ସମୟ ମିଳୁଥିଲା, ଆମେ ସେଥିରୁ ଅଧିକ ଭାଗ ସମୟ ଏ କାଗଜଡଙ୍ଗା ପାଇଁ ଦେଉଥିଲୁ । ଯୋଉଦିନ ହେଡ୍‌ମାଷ୍ଟ୍ରେ କୌଣସି କାରଣରୁ ସ୍କୁଲକୁ ଆସୁ ନ ଥିଲେ, ସେଦିନ ପୂରା ସମୟ ଆମେ ଗୋହିରିଦଣ୍ଡାରେ ବିତେଇ ଦେଉଥିଲୁ ।

 

ଏହିସବୁ ଅଭିଜ୍ଞତା ଓ ଅଭ୍ୟାସ ହେତୁ କାଗଜଡଙ୍ଗା ନିର୍ମାଣ କାମରେ ଆମେ ନିଜ ନିଜକୁ ଅଧିକ ଯୋଗ୍ୟ ବୋଲି ବିଚାରୁଥିଲୁ ଏବଂ ବାବୁଲିର ଦକ୍ଷତା ନିଜ ଆଖିରେ ଦେଖି ନ ଥିଲେ ସେହି ଧାରଣାରେ ଶେଷ ପର୍ଯ୍ୟନ୍ତ ରହିଥାଆନ୍ତୁ ।

 

ବାବୁଲିର ବାପା କଟକରେ ଚାକିରି କରୁଥିଲେ । ବାବୁଲି ତା ଭାଇଭଉଣୀଙ୍କ ସାଙ୍ଗେ କଟକରେ ରହୁଥିଲା । ପ୍ୟାରୀମୋହନ ଏକାଡେମୀରେ ପାଠ ପଢ଼ୁଥିଲା । ସେମାନେ ବର୍ଷରେ ଥରେ ଗାଁକୁ ବୁଲି ଆସୁଥିଲେ । ତାଙ୍କ ଗାଡ଼ି (ପରେ ବୁଝିଲୁ ଯେ ସେଇଟା ବାବୁଲି ବାପା କାମ କରୁଥିବା କମ୍ପାନିର ଗାଡ଼ି) ଘଣ୍ଟେଶ୍ୱର ଡେଇଁ ନୂଆ ପୋଖରୀ ପାଖରେ ପହଞ୍ଚିବାକ୍ଷଣି ସତେ କି ଆମ ଗାଁରେ ନିଆଁ ଲାଗିଯାଉଥିଲା । ଆମେମାନେ ନିଜ ନିଜର ବୋତାମହୀନ ପ୍ୟାଣ୍ଟ୍‌କୁ ଗୋଟିଏ ହାତରେ ଓ ଅନ୍ୟ ହାତକୁ ଡେଣା ପରି ଲମ୍ବେଇ ସେଇ ଗାଡ଼ି ପାଖକୁ ଧାଉଁଥିଲୁ ଏବଂ ଗାଡ଼ିକାଚ ସେପଟେ ବସିଥିବା ବାବୁଲି ଓ ତାର କଣ୍ଢେଇ ପରି ଗୁଲୁଗୁଲୁ ସାନ ଭଉଣୀକୁ ହାତ ହଲେଇ ଆମର ବାବୁଲି ସାଙ୍ଗେ ଆଗରୁ ପରିଚୟ ଥିବା ଖବର ଦେବା ପାଇଁ ଚାହୁଁଥିଲୁ । ଗାଡ଼ି ନୂଆପୋଖରୀ ପାଖେ ଅଟକୁଥିଲା ଓ ବାବୁଲିର ବାପା ଆମ ଭିତରୁ ବଗୁଲିକୁ ଖୋଜି ଖୋଜି ଗାଡ଼ି ଭିତରକୁ ଡାକିନେଇ ବସଉଥିଲେ । ଚାହୁଁ ଚାହୁଁ ବଗୁଲି ଓ ଆମ ଭିତରେ ବ୍ୟବଧାନ ଲମ୍ବି ଲମ୍ବି ଯାଉଥିଲା । ଗାଡ଼ିରେ ବସି ବଗୁଲି ଗାଁ ଯାଏ ଆସିବାବେଳେ, ଆମକୁ ହାତ ହଲେଇ ଟା ଟା କରୁଥିଲା ଏବଂ ସତେ କି ସେ ଆମଠାରୁ ସ୍ୱତନ୍ତ୍ର–ଏହି କଥା ଜଣେଇବା ଲାଗି ଚେଷ୍ଟା କରୁଥିଲା ।

 

ସେଦିନ ଆମେ ବାବୁଲି ବାପାଙ୍କୁ ଠିକ୍‌ ଭାବେ ବୁଝିପାରୁ ନ ଥିଲୁ । କେବଳ ଜାଣୁଥିଲୁ, ବଗୁଲି ଓ ବାବୁଲି ଦୁହେଁ ସଂପର୍କୀୟ ଭାଇ । ସେଇଥିପାଇଁ ବାବୁଲିର ବାପା ବଗୁଲିକୁ ଗାଡ଼ିରେ ବସେଇଲେ, ଆମକୁ ବସେଇଲେ ନାହିଁ ।

 

ତା ଦାଦା, ଦାଦାଙ୍କ ପୁଅ ବାବୁଲି ଓ ବାବୁଲିର ଭଉଣୀ ମୀନା ଗାଁରେ ଥିବା ପର୍ଯ୍ୟନ୍ତ ବଗୁଲି ଆମ ସାଙ୍ଗେ ମିଶୁ ନ ଥିଲା । ସତେକି ହଠାତ୍‌ ବହୁତ ଜରୁରୀ କାମ ଆସି ପହଞ୍ଚି ଯାଇଥିଲା ଓ ସେହି କାରଣରୁ ସେ ଆମ ପାଇଁ ସମୟ ବାହାର କରି ପାରୁ ନ ଥିଲା । ମୁଁ ବଗୁଲିର ଏଇ ହାବଭାବ ଦେଖି ଏତେ ରାଗିଯାଉଥିଲି ଯେ ତା ସାଙ୍ଗେ ଭବିଷ୍ୟତରେ ଆଉ କେବେ କଥାବାର୍ତ୍ତା ନ ହେବା ପାଇଁ ଆଖଣ୍ଡଳମଣିଙ୍କ ରାଣ ପକେଇ ହଲପ କରୁଥିଲି । କିନ୍ତୁ ଶେଷ ପର୍ଯ୍ୟନ୍ତ ମୋ ସଂକଳ୍ପ ମୁଁ ରକ୍ଷା କରିପାରୁ ନ ଥିଲି । କାରଣ, ବଗୁଲି କଟକରୁ ଆସିଥିବା ଚକୋଲେଟ୍‌, ସନ୍ଦେଶ ଓ ଅଙ୍ଗୁରକୋଳି ଦେଇ ନିଜର ସାମ୍ଭ୍ରାନ୍ତ୍ୟ ଓ ଦାତାପଣର ପରିଚୟ ପେଶ୍‌ କରୁଥିଲା ।

 

ଆମେମାନେ ବଗୁଲି ଜରିଆରେ ବାବୁଲି ଆଡ଼କୁ ବନ୍ଧୁତାର ହାତ ବଢ଼ଉଥିଲୁ । ତା ପାଖରେ ବସିବା ପାଇଁ, ତାର ହାଲୁକା, ଝାମ୍ପୁରା ବାଳକେରାକୁ ଛୁଇଁ ଦେବାଲାଗି ଆମର ବ୍ୟସ୍ତତା ପ୍ରକଟ କରୁଥିଲୁ । ତାର କୁକୁର କାନ ଚେକ୍‌ ସାର୍ଟ ଓ ଢିଲା ଫୁଲ୍‌ପ୍ୟାଣ୍ଟ ପିନ୍ଧା ଚେହେରା ପାଖରେ ଆମର ଅସନା, ମଳିଛିଆ ଜାମା-ଗେଞ୍ଜି ପିନ୍ଧା ଚେହେରା ବେଖାପ ଦିଶୁଥିଲା । ମାତ୍ର ଆମେ ସେ ଦୁଃଖକୁ ନିଜ ଭିତରେ ଛପେଇ ରଖୁଥିଲୁ । ବାବୁଲି ଆମକୁ ଆହୁରି ନୂଆ ନୂଆ ଜିନିଷ ଦେଖଉଥିଲା, ନୂଆ ଜିନିଷ ଖାଇବାକୁ ଦେଉଥିଲା । ବାବୁଲି ମୋତେ ଦେଇଥିବା ଏମିତି ଗୋଟେ ନୂଆ ଜିନିଷ ଭିତରେ ଥିଲା, ତା ଜନ୍ମଦିନ ଉପଲକ୍ଷେ ତା ବାପା ଆଣିଥିବା ବାର୍ଥଡେ କେକ୍‌ର ଚେନାଏ । ସେପରି ସୁଆଦିଆ ଜିନିଷ ଆଗରୁ ମୁଁ ଖାଇ ନ ଥିଲି ।

 

ବାବୁଲି ପାଖେ ଥିବା ବିସ୍ମୟ ସାମଗ୍ରୀର ସିଏ ଥିଲା ଗୋଟାଏ କ୍ଷୁଦ୍ର ଅଂଶ । ଆମେମାନେ ଖରାବେଳେ ନିଜ ନିଜ ଘରୁ ପଳେଇ ଆସି ତା ପାଖରେ ପହଞ୍ଚୁଥିଲୁ । ତା ସାନଭଉଣୀ ମୀନା ଧରିଥିବା ଡଉଲଡାଉଲ କଣ୍ଢେଇ (ନିଜେ ମୀନା ବି ସେତେବେଳେ ଗୋଟେ କଣ୍ଢେଇ ପରି ଦିଶୁଥିଲା)ର ରେଶମୀ ବାଳ କେରାକୁ ଛୁଇଁଦେବା ଲାଗି ହାଇଁପାଇଁ ହେଉଥିଲୁ । ବାବୁଲି ଆମ ସାଙ୍ଗରେ ଅର୍ଜୁନ ବାଆଜୀ ପୋଖରୀ ଆଡ଼ିକି ଆସୁଥିଲା । ସେଇଠି ସେ ଆମକୁ ତାର ବିସ୍ମୟ ସାମଗ୍ରୀମାନ ଗୋଟିକ ପରେ ଗୋଟିଏ ଦେଖଉଥିଲା–ବିସ୍କୁଟ୍‌ ହାତୀ, ଚକୋଲେଟ୍‌ କଙ୍ଗାରୁ, ଠେକୁଆ-ପେନ୍‌ସିଲ୍‌ଠୁଁ ନେଇ ଟିକି ବାଇସ୍କୋପ୍‌, ଚାବି ରିଙ୍ଗ୍‌, ନାନା ପ୍ରକାର ଜଳଛବି, ସିନେମା ହିରୋଇନ୍‌ଙ୍କ ଚିତ୍ର, ଠେକୁଆ ଲୋମରେ ତିଆରି ଟିକି ପର୍ସ । ଏସବୁ ଦେଖି ଆମେ ବାବୁଲି ସହ ଆମ ଭାଗ୍ୟର ତୁଳନା କରୁଥିଲୁ ଏବଂ ବାବୁଲିକୁ ଆମ ଗାଁ ଉପର ଦେଇ ଉଡ଼ିଯାଉଥିବା ଉଡ଼ାଜାହାଜ ଓ ଆମ ନିଜକୁ କାଉ ବୋଲି ବିବେଚନା କରୁଥିଲୁ ।

 

ବାବୁଲି ତାପରେ ଆମକୁ କାଗଜଡଙ୍ଗା ତିଆରି ବିଷୟରେ ଜେରା କରୁଥିଲା । ଆମେ ନିଜ ନିଜର ଦକ୍ଷତାର ପ୍ରମାଣ ଦେବା ପାଇଁ ଛୋଟ, ବଡ଼ ଓ ମଝିଆଁ କାଗଜଡଙ୍ଗା ମାନ ଆଣି ତାକୁ ଦେଖଉଥିଲୁ । ଡଙ୍ଗା ତିଆରି କାରଖାନାର ସୁପରଭାଇଜର ପରି ବାବୁଲି ସେସବୁ ନିଜ ହାତରେ ଧରି ତଳ, ଉପର ଚାହୁଁଥିଲା ଓ ଅଧିକାଂଶ ସମୟରେ ସେଗୁଡ଼ିକ ଭଲ ଭାବେ ତିଆରି ହୋଇନାହିଁ କହି ନାକଚ କରି ଦେଉଥିଲା । ଆମେ ଭିତରେ ଭିତରେ ଈର୍ଷା ଓ ଅଭିମାନରେ ରାଗିପାଚି ଉଠୁଥିଲେ ବି ଉପରକୁ କିଛି କହୁ ନ ଥିଲୁ ଏବଂ ସେହି ସୁଯୋଗରେ ବାବୁଲି ତା ସାଙ୍ଗରେ ଆଣିଥିବା ବିସ୍ମୟ କାଗଜଡଙ୍ଗାଟି ତା ସାର୍ଟ ତଳୁ ବାହାର କରି ସାମ୍ନାରେ ଥୋଇ ଦେଉଥିଲା ।

 

କି ଅପୂର୍ବ ସେ ଡଙ୍ଗା ! ଡଙ୍ଗା ନୁହେଁ ତ ବୋଇତ । ରୁପା କାଗଜରେ ତିଆରି ସେ ବୋଇତ । ତା ଉପସ୍ଥିତି ଅର୍ଜୁନ ବାଆଜୀ ପୋଖରୀର ଅପନ୍ତରା ଭୂଇଁକୁ ଗୋଟେ ସମୁଦ୍ର ବେଳାଭୂମିରେ ପରିଣତ କରି ଦେଉଥିଲା । ତହିଁରେ କେତେ ପ୍ରକାର ଚିତ୍ର ଖଞ୍ଜିଥିଲା ବାବୁଲି ! ମୋଟା କାଗଜରେ ତିଆରି ହୋଇଥିଲା ସେ ବୋଇତର ପାଲଟଣା ଖୁଣ୍ଟି । ବୋଇତଟି ଯେକୌଣସି ମୁହୂର୍ତ୍ତରେ ସାତ ସମୁଦ୍ର ତେର ନଈ ପାରିହୋଇ ସ୍ୱପ୍ନର ବାଲିଦୀପକୁ ଛୁଟିଯିବା ପାଇଁ ଅବା ପ୍ରସ୍ତୁତ ଥିଲା !

 

ମୁଁ ଆଖିବୁଜି ଦେଇ ସେଇ କାଗଜଡଙ୍ଗାର ସ୍ୱପ୍ନ ଦେଖୁଥିଲି । ବାବୁଲିର ସେ ଡଙ୍ଗା କ୍ରମେ ଆମ ଗୋହିରିରୁ ମନ୍ତେଇ ଦେଇ ବଙ୍ଗୋପସାଗରରେ ପହଞ୍ଚି ଯାଉଥିଲା । ତାପରେ ବଙ୍ଗୋପସାଗରର ନୀଳ ଜଳରାଶି ଉପରେ ତାର ସୁନେଲି ପାଲ ଉଡ଼େଇ ସେ ଛୁଟି ଚାଲୁଥିଲା ଆଗକୁ ଆଗକୁ । ପଛରେ ରହିଯାଉଥିଲା କେତେ ଗାଁ, କେତେ ସହର । କୂଳରେ ରହିଯାଉଥିଲା କେତେ ବଣ, କେତେ ଜଙ୍ଗଲ । ବାବୁଲିର କାଗଜଡଙ୍ଗା ରୁପାର ବୋଇତ ସାଜି ଗୋଟିଏ ପରେ ଗୋଟିଏ ବନ୍ଦର ଅତିକ୍ରମ କରି ଆଗକୁ ଭାସି ଚାଲିଥିଲା । ଉପରେ ନୀଳ ଆକାଶ, ଚାରିପଟେ ନୀଳ ଜଳରାଶି । ମଝିରେ ବାବୁଲିର ଦିଗ୍‌ବିଜୟୀ ବୋଇତ ଓ ସେଇ ବୋଇତ ଉପରେ ରାଜାପୁଅ ପରି ଚିକ୍‌ମିକ୍‌ ପୋଷାକ ପିନ୍ଧିଥିବା ବାବୁଲି ।

 

ଅନେକ ସମୟ ପର୍ଯ୍ୟନ୍ତ ମୁଁ ସେଇ ସ୍ୱପ୍ନରାଇଜରୁ ଫେରି ଆସିବାକୁ ଚାହୁଁ ନ ଥିଲି ।

 

ବାବୁଲି ମୋତେ ହଲେଇ ଦେଇ କହୁଥିଲା, “ଏଇ, ଶୋଇପଡ଼ିଲୁ କି ?”

 

ମୋ ସ୍ୱପ୍ନ ଭାଙ୍ଗିଯାଉଥିଲା ।

 

ତାପରେ ଆମେ ନିଜ ନିଜର ଡଙ୍ଗାଟିମାନ ଧରି ଗୋହିରିଯାଏ ଯାଉଥିଲୁ । ଡଙ୍ଗାଗୁଡ଼ିକୁ ପାଣିରେ ଭସେଇ ଦେଇ ଢେଉଟିଏ ଚହଲେଇ ଦେଉଥିଲୁ । ବାବୁଲି ସବା ପଛରେ ତା ଡଙ୍ଗାକୁ ଭସଉଥିଲା । ଆମେ ତାର ସେ ଚିକିମିକିଆ ଡଙ୍ଗାଟି ଆମ ଗାଁର ଗୋଳିଆ ଗୋହିରି ପାଣିର କୁନି କୁନି ଲହଡ଼ି ଡେଇଁ ଆଗକୁ ଭାସିଯିବାର ଦୃଶ୍ୟ ଦେଖି ବିହ୍ୱଳ ହୋଇଯାଉଥିଲୁ । ଡଙ୍ଗାଗୁଡ଼ିକର ଗତି ସାଙ୍ଗରେ ସମନ୍ୱୟ ରକ୍ଷା କରି କେତେଗୁଡ଼ିଏ ବାଟ ଯାଉଥିଲୁ । ସେତେବେଳେ ଆମକୁ ଭୋକ, ଶୋଷ, ନିଦ କିଛି ଲାଗୁ ନ ଥିଲା । କ୍ରମେ ଆମର କାଗଜଡଙ୍ଗାଗୁଡ଼ିକ ଗୋଟିକ ପରେ ଗୋଟିଏ ହୋଇ ଓଲଟି ପଡୁଥିଲେ, ପାଣିରେ ଓଦାହୋଇ ବୁଡ଼ି ଯାଉଥିଲେ ଗୋହିରି ମଝିରେ । କିନ୍ତୁ ବାବୁଲିର କାଗଜଡଙ୍ଗା ସେମିତି ବୀରଦର୍ପରେ ଆଗକୁ ଭାସିଯାଉଥିଲା, ଏତେ ଆଗକୁ ଯେ ଆମର ଆଖି ପାଉ ନ ଥିଲା ।

 

ବାବୁଲି ଆମ ସାମ୍ନାରେ ବେଳକୁ ବେଳ ମହୀୟାନ ହୋଇଉଠୁଥିଲା । ତାର ଠାଣି, ବାଣୀ, ତାର କଥାବାର୍ତ୍ତା, ତାର ଚାଲି ଓ ଦଉଡ଼–ସବୁଥିରେ ଗୋଟେ ଅଲଗା ଛାପ ବାରିହୋଇ ପଡୁଥିଲା । ଆମେମାନେ ତାର ଆହୁରି ନିକଟକୁ ପାଖେଇ ଆସୁଥିଲୁ । ସେ ଥିଲା ଆମ ସ୍ୱପ୍ନର ରାଜକୁମାର ।

 

କ୍ରମେ ବାବୁଲିର ସହରକୁ ଫେରିବା ଦିନ ପାଖେଇ ଆସୁଥିଲା । ଆଉଥରେ ସହରରୁ ଗାଡ଼ିଟିଏ ଆସୁଥିଲା ସେମାନଙ୍କୁ ନେଇଯିବା ପାଇଁ । ଏ ଗାଡ଼ି ଆଗର ଗାଡ଼ି ପରି ଚକଚକିଆ ନ ଥିଲେ ବି ଆମ ପାଇଁ ଅପୂର୍ବ ଥିଲା । ସେ ଗାଡ଼ି ପଛରେ ବାବୁଲିର ବଡ଼ବାପା ଚାଉଳ, ମୁଗ, ବିରି, କଞ୍ଚା କଦଳୀ ଓ ଆଉରି କେତେ କଣ ବୋଝେଇ କରୁଥିଲେ । ବାବୁଲି ବାପା ଗାଁ ଲୋକମାନଙ୍କ ସାଙ୍ଗରେ ହସି ହସି କଥାବାର୍ତ୍ତା କରୁଥିଲେ ଓ ସେମାନେ ତାଙ୍କୁ ନିଜ ନିଜର ଦୁଃଖ ସବୁ ଜଣାଉଥିଲେ । ମୁଁ ସେତେବେଳେ ଆମ ଗାଁ ଲୋକମାନଙ୍କ ଉପରେ ମନେ ମନେ ବିରକ୍ତ ହେଉଥିଲି ଓ ବିନା କାରଣରେ ବାବୁଲି ବାପାକୁ ସେମାନେ ହଇରାଣ କରୁଥିବା ଯୋଗୁଁ କ୍ଷୁବ୍ଧ ହେଉଥିଲି । ବାବୁଲିର ବାପା ଆମକୁ ଗୋଟିଏ ଗୋଟିଏ ନୂଆ ଚାରଣି ଦେଉଥିଲେ ଓ କାଳେ ସେସବୁ ଆମେ କିପରି ଖର୍ଚ୍ଚ କରିବୁ ଭାବି ହଇରାଣ ହେବୁ ସେଥିପାଇଁ ସେ ଆମକୁ ଚକୋଲେଟ୍‌ କିଣି ଖାଇବା ପାଇଁ ପରାମର୍ଶ ଦେଉଥିଲେ । ଆମେ ବାବୁଲିକୁ ଘେରି ସେ ପୁଣି କେବେ ଆସିବ ଏବଂ ଆରଥର ଆସିଲାବେଳକୁ ଆମ ବରାଦ ମୁତାବକ ଜିନିଷସବୁ ଆଣିବ ନା ନାହିଁ ସେସବୁ ପଚାରୁଥିଲୁ ଓ ବାବୁଲି ମଧ୍ୟ ତା ବାପାଙ୍କ ପରି ଆମକୁ ହସି ହସି ପ୍ରବୋଧନା ଦେଉଥିଲା । ଏହାପରେ ବାବୁଲି, ତା ଭଉଣୀ, ମାଆ ଓ ବାପାଙ୍କୁ ଧରି ଗାଡ଼ିଟି ଗଡ଼ିବାକୁ ଲାଗୁଥିଲା ଓ ଆମେ ସେ ଗାଡ଼ି ସାଙ୍ଗରେ ଆଗକୁ ଧାଉଁଥିଲୁ । ଏହିପରି ଧାଇଁବା ଭିତରେ ଗାଡ଼ିର ଡ୍ରାଇଭର ସାଙ୍ଗରେ ଆମର ପରିଚୟ ହେଇଯାଉଥିଲା ଓ ସେ ଆମକୁ ହରେଇବା ଲାଗି ହଠାତ୍‌ ଗାଡ଼ିର ବେଗ ବଢ଼େଇ ଆଗକୁ ଗାଡ଼ି ନେଇଯାଉଥିଲା । ଗାଡ଼ି ଆମଠୁଁ ଅଧିକ ଜୋର୍‌ରେ ଦଉଡ଼ିପାରେ–ଏଇ ସତ୍ୟରେ ପହଞ୍ଚି ଆଉ ଆଗକୁ ଧାଇଁବାରୁ ଆମେ ନିବୃତ୍ତ ହେଉଥିଲୁ । କ୍ରମେ ଗାଡ଼ିଟି ବାବୁଲିକୁ ସାଙ୍ଗରେ ଧରି ନୂଆ ପୋଖରୀ ପଦା ଡେଇଁ ଯାଉଥିଲା । ତେଣିକି ବାବୁଲିର ଗୋରା ତକତକ ହାତ ଓ ଟା ଟା କରିବା ଦୃଶ୍ୟ ଆଉ ଦେଖାଯାଉ ନ ଥିଲା ।

 

ବାବୁଲି ଗାଁରେ ଥିବା ପର୍ଯ୍ୟନ୍ତ ଆମେମାନେ ବଗୁଲିକୁ କେବଳ କାର୍ଯ୍ୟଘେନା ପ୍ରୀତି ନାଆଁରେ ଲୋଡ଼ି ବସୁଥିଲୁ । ମାତ୍ର ବାବୁଲି କଟକ ଫେରିଯିବା ପରେ ବଗୁଲି ହିଁ ଆମ ପାଖେ ସ୍ୱପ୍ନ ଓ ସତ୍ୟ ଭିତରର ନିକଟତମ ଯୋଗସୂତ୍ର ପାଲଟି ଯାଉଥିଲା ।

 

ବାବୁଲି ପରି ବଗୁଲିଙ୍କ ଘରର ମଧ୍ୟ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଥିଲା ଆମ ଗାଁରେ । ଆମ ଗାଁରୁ କେବେ କେବେ କଟକ ଯାଉଥିବା ବେହେରା ଘର ବୁଢ଼ା ଯାଇ ବଗୁଲି ଦାଦାଙ୍କ ବସାରେ ରହୁଥଲେ ଏବଂ ବାବୁଲିର ମାଆ ତାଙ୍କର ଖୁବ୍‌ ଯତ୍ନ ନେଉଥିଲେ । ନିଜ ଖୁଡ଼ୀ ସମ୍ପର୍କରେ ବଗୁଲିର ଅଭିଜ୍ଞତା ଓ ବେହେରା ଘର ବୁଢ଼ାଙ୍କ ଅନୁଭୂତି ଭିତରେ ସମୟେ ସମୟେ ଯଥେଷ୍ଟ ବ୍ୟବଧାନ ରହିଯାଉଥିଲା । ଆମେ ଏ ନେଇ ବଗୁଲିକୁ କେବେ କିଛି ପଚାରି ବସିଲେ ସେ ରାତାରାତି ଅଭିଜ୍ଞ ମଣିଷ ପାଲଟିଥିବା ଲୋକଟେ ପରି କହୁଥିଲା ଯେ ଗାଁରେ ଆସି ତାଙ୍କ ବିଷୟରେ ଭଲ ପ୍ରଚାର କରିବେ ବୋଲି ଖୁଡ଼ୀ ବେହେରା ଘର ବୁଢ଼ାର ବିଶେଷ ଯତ୍ନ ନେଉଥିବେ । ଆମେ ସେତେବେଳେ ଏ କଥାର ମଞ୍ଜି ଧରିପାରି ନ ଥିଲେ ବି ଏତିକି ଜାଣୁଥିଲୁ ଯେ ବଗୁଲି ତା ଖୁଡ଼ୀଙ୍କୁ ଆଦର କରେ ନାହିଁ । କ୍ରମେ ଏକଥା ମଧ୍ୟ ଆମେ ଜାଣିଗଲୁ ଯେ ବଗୁଲିର ବାପା ଓ ତା ଦାଦାଙ୍କ ଭିତରେ ସମ୍ପର୍କ ମଧୁର ନୁହେଁ । ସେଇଥିପାଇଁ ବଗୁଲିର ଇଚ୍ଛା ଥିଲେ ବି ବାବୁଲି ପରି ସେ କଟକ ଯାଇପାରିଲା ନାହିଁ କି କଟକରେ ପାଠପଢ଼ି ବାବୁଲି ପରି ସିଦ୍ଧି ଓ ସମ୍ଭାବନାର କୈଶୋର ଉପଭୋଗ କରିପାରିଲା ନାହିଁ ।

 

ଆମେ ଏସବୁ ପ୍ରସଙ୍ଗକୁ ପଢ଼ା ବହିର ପୃଷ୍ଠା ପରି ବଦଳେଇ ଦେଉଥିଲୁ ଓ ବାବୁଲି ବିଷୟରେ ବଗୁଲିକୁ ଢେର୍‌ ଢେର୍‌ କଥା ପଚାରୁଥିଲୁ । ବଗୁଲି ସେସବୁ ସମ୍ପର୍କରେ ଆମକୁ ଟିକିନିଖି କରି କହୁଥିଲା ଓ ବାବୁଲି ଆମ ସମସ୍ତଙ୍କ ପାଇଁ ଗୋଟେ ଗୋଟେ ଜରିଦିଆ କାଗଜଡଙ୍ଗା ପଠେଇବ ବୋଲି କହୁଥିବା କହି ଆମକୁ ଆଶାର ଗୋଟେ ଗୋଟେ ବାଲିଯାତ୍ରା ଉପହାର ଦେଉଥିଲା ।

 

ତା ପରଦିନଠାରୁ ଆମେ ବାବୁଲିର ଆସିବା ବାଟକୁ ଅପେକ୍ଷା କରି ରହୁଥିଲୁ । ଆମ ଗାଁ ମଥାନ ଦେଇ ଉଡ଼ିଯାଉଥିବା ଚଢ଼େଇ ଓ ଉଡ଼ାଜାହାଜକୁ ସାକ୍ଷୀ କରି ଆମେ ଆମର ଇଚ୍ଛାମାନ ପବନ ହାତରେ ପଠଉଥିଲୁ ଏବଂ ବିଶ୍ୱାସ କରୁଥିଲୁ ଯେ ସେସବୁ କଥା ବାବୁଲି ପାଖେ ପହଞ୍ଚିପାରିବ । ପାହାନ୍ତା ସ୍ୱପ୍ନ ସତ ହୁଏ ବୋଲି ନଣ୍ଡାର ଦାଦି କହିଥିବା ତତ୍ତ୍ୱ ସାଙ୍ଗରେ ‘ସେତିକିବେଳେ ଯାହାକୁ ସ୍ୱପ୍ନ ଦେଖିଥିବ, ତୁମେ ତୁମର ତକିଆ ଓଲଟେଇ ଦେଲେ, ସେ ମଧ୍ୟ ତୁମକୁ ସ୍ୱପ୍ନ ଦେଖିବ’ ସୂତ୍ରର ପ୍ରୟୋଗ କରି ମୁଁ ବେଳେବେଳେ ତକିଆ ଓଲଟେଇ ଦେଉଥିଲି ଏବଂ ମୋର ମନକଥା ବାବୁଲି ପାଖେ ପହଞ୍ଚିବ ବୋଲି ନିଶ୍ଚିନ୍ତ ହୋଇ ଯାଉଥିଲି ।

 

କ୍ରମେ ସମୟ ଆଗକୁ ଗଡ଼ି ଚାଲୁଥିଲା ।

 

ଆମ ଗାଁର ତେନ୍ତୁଳି ଗଛରୁ ଫୁଲ ଝରୁଥିଲା । ପାକଲା ତେନ୍ତୁଳି ତୋଳା ଯାଉଥିଲା ।

 

ଆମେ ପ୍ରାଇମେରୀ ସ୍କୁଲ ପାଠ ସାରି ଘଣ୍ଟେଶ୍ୱର ମାଇନର ସ୍କୁଲରେ ନାଆଁ ଲେଖେଇଲୁ ଏବଂ ପ୍ରତ୍ୟହ ବ୍ୟାଗ୍‌ ବସ୍ତାନି ଧରି ପାଞ୍ଚ ମାଇଲ ଯିବା ଓ ଆସିବା କଷ୍ଟକୁ ଜଳଖିଆ ଖର୍ଚ୍ଚ ପାଇବାର ପ୍ରାପ୍ତି ଭିତରେ ଭୁଲିବାର ଚେଷ୍ଟା କରୁଥିଲୁ । ଘଣ୍ଟେଶ୍ୱରର ବିସ୍ମୟମାନ କ୍ରମେ ଆମ ହାତପାହାନ୍ତାରେ ପହଞ୍ଚୁଥିଲା ଓ ନାଲି ନେଳି ରଙ୍ଗର ବିଚିତ୍ର ପୋଷାକ ପିନ୍ଧିଥିବା ଚଟପଟିବାଲା ଆମର ଅବସର ମୁହୂର୍ତ୍ତକୁ ରୋମାଞ୍ଚରେ ଭରି ଦେଉଥିଲା ।

 

ତା ପରବର୍ଷ ବାବୁଲି ଆମ ଗାଁକୁ ଆସିଲା ନାହିଁ ।

 

ଆମେମାନେ ବଗୁଲିକୁ ଆମର କାଗଜ ଡଙ୍ଗାଗୁଡ଼ିକର ଭାଗ୍ୟ ବିଷୟରେ ପଚାରିଲୁ । ବଗୁଲି କହିଲା, ‘ଦାଦା ଓ ବାପାଙ୍କ ଭିତରେ ଝଗଡ଼ା ସରିଗଲେ ବାବୁଲି ଆସିବ ଓ ଆସିବା ବେଳେ ତୁମମାନଙ୍କ ପାଇଁ ଡଙ୍ଗା ନିଶ୍ଚୟ ସାଙ୍ଗରେ ଆଣିବ ।’

 

ଏହା ଭିତରେ ଅନେକ ବର୍ଷ ବିତିଯାଇଛି ।

 

ବାଣୀବିହାରରୁ ଏମ୍‌.ଏ. ପାସ୍‌ କରିବା ପୂର୍ବରୁ ଥରେ ବଗୁଲି ସାଙ୍ଗରେ ଦେଖା ହୋଇଥିଲା । ସେ ତା ସାଙ୍ଗମାନଙ୍କ ସାଙ୍ଗରେ କୁଆଡ଼େ ଯାଉଥିଲା । ପ୍ରଥମେ ସେ ମୋତେ ଚିହ୍ନିପାରିଲା ନାହିଁ । ମୁଁ ବି ତାକୁ ଚିହ୍ନିପାରି ନ ଥିଲି । ଚିହ୍ନା ହେବା ପରେ ମୁଁ ବାବୁଲି କଥା ପଚାରିଲି ଓ ଉତ୍ତରରେ ସେ ‘ବାବୁଲି କେମିତି ଅଛି’ ବୋଲି ଓଲଟି ମୋତେ ପଚାରିଥିଲା । ମୁଁ ସେଇକଥାରୁ ଜାଣିଥିଲି ଯେ ତା ବାପା ଓ ଦାଦାଙ୍କ ଭିତରେ ଆଗର ଭଲ ସମ୍ପର୍କ ଆଉ ନାହିଁ । ଆମେମାନେ କିଛି ସମୟ ଗପସପ କରିଥିଲୁ ଓ ବଗୁଲି “ତୁମେ ତ ଆଉ ଗାଁକୁ ଯାଉନାହଁ” କହି ଅଭିମାନ କରିଥିଲା । ମୁଁ ତା ଅଭିମାନର ଓଜନ କଳି ପାରିଥିଲେ ବି ମୋର ଅସହାୟତା କଥା କହିବାକୁ ଚାହିଁ ନ ଥିଲି । ତାକୁ କହି ନ ଥିଲି ଯେ ଆମେ ଗାଁରୁ ଏକପ୍ରକାର ଉଦ୍‌ବାସ୍ତୁ ହୋଇଯାଇଛୁ ।

 

ବଗୁଲି ଚାଲିଯାଇଥିଲା । ପରେ ଶୁଣିଲି, ସେ ବମ୍ବେରେ ଯାଇ କୋଉ କମ୍ପାନିର ଡ୍ରାଇଭର ହୋଇଛି । ଖବରଟା ଶୁଣିବା ଦିନ ଦୁଃଖ ଲାଗିଥିଲା । ବଗୁଲି ଶେଷକୁ ଡ୍ରାଇଭର ହେବ ବୋଲି ମୁଁ କଳ୍ପନା କରି ନ ଥିଲି । ଗାଁରେ ଥିବା ଦିନଗୁଡ଼ିକରେ, ବଗୁଲିକୁ ଆମ ସମସ୍ତଙ୍କଠାରୁ ଅଧିକ ଭାଗ୍ୟବାନ ବୋଲି ଆମେ ଭାବୁଥିଲୁ । ତାର ପୁରୁଣା ବହି ପଢ଼ି ମୁଁ ମୋ ପାଠପଢ଼ା କାମ ଚଳଉଥିଲି । ବଗୁଲି ମଧ୍ୟ ଖୁବ୍‌ ଚାଲାକ ଥିଲା ଏବଂ ତା ପାଖରେ ବଣିକୁ ଢେଲା ଫୋପାଡ଼ିବାଠୁଁ ନେଇ ସ୍କୁଲ ନଡ଼ିଆ ଗଛରୁ ନଡ଼ିଆ ଚୋରେଇବା ପର୍ଯ୍ୟନ୍ତ କୌଣସି କଠିନ କାମ ଅସମ୍ଭବ ନ ଥିଲା-। ଏସବୁ ସତ୍ତ୍ୱେ ସେ ବେଶି ପାଠ ନ ପଢ଼ିବା ମୋତେ ଆଶ୍ଚର୍ଯ୍ୟ କରିଥିଲା । ଶୁଣିଥିଲି, ମାଟ୍ରିକ୍‌ ପରୀକ୍ଷା ଆଗଦିନ ରାତିରେ ସେ ସ୍କୁଲ ବଗିଚାରୁ ସାଙ୍ଗମାନଙ୍କୁ ଧରି ନଡ଼ିଆ ଚୋରଉଥିଲା । ହଠାତ୍‌ ସ୍କୁଲର ମାଳୀ ଉଠିପଡ଼ିବାରୁ ସାଙ୍ଗମାନେ ବଗୁଲିକୁ ଛାଡ଼ି କିଏ କୁଆଡ଼େ ପଳେଇଗଲେ । ଗଛରୁ ଖସିପଡ଼ି ବଗୁଲି ଛୋଟା ହୋଇଗଲା ଓ ସେ ଆଉ ପରୀକ୍ଷା ଦେଇପାରିଲା ନାହିଁ । କ୍ରମେ ସାଙ୍ଗମାନଙ୍କଠାରୁ ପଛରେ ରହିଯିବାର ନ୍ୟୂନମନ୍ୟତା ତାକୁ ଏଭଳି ଗ୍ରାସ କରିଦେଲା ଯେ ସେ ଆଉ ଆଦୌ ପରୀକ୍ଷା ଦେଲା ନାହିଁ । ତା ପାଠପଢ଼ା ସେତିକିରେ ସେ ସାରିଦେଲା ।

 

ତାରି ପାଖରୁ ଶୁଣିଥିଲି, ବାବୁଲି ତା ବାପାଙ୍କ ଇଚ୍ଛା ବିରୋଧରେ ଗୋଟେ ଖ୍ରୀଷ୍ଟିଆନ ଝିଅକୁ କାଳେ ଭଲପାଉଛି । ସେ ଝିଅର ଜଣେ ସମ୍ପର୍କୀୟ ଅଛନ୍ତି ଆମେରିକାରେ । ବାବୁଲି ହୁଏତ ସେ ଝିଅକୁ ସାଙ୍ଗରେ ନେଇ ଆମେରିକା ପଳେଇ ଯାଇପାରେ ।

 

ମୁଁ ଆଶ୍ଚର୍ଯ୍ୟ ହୋଇ ନ ଥିଲି । ବାବୁଲି ପରି ପିଲା ପାଇଁ ଓଡ଼ିଶା କି ଭାରତ ଠିକଣା ଜାଗା ନୁହେଁ । ଉଡ଼ାଜାହାଜକୁ ରେଳଧାରଣା ଉପରେ ଗଡ଼ିବାକୁ କହିବା ଯାହା ବାବୁଲିକୁ ଓଡ଼ିଶାରେ ରହିବାକୁ କହିବା ସେଇଆ । ମୁଁ ବାବୁଲିର ଦୁଃସାହସକୁ ମନେ ମନେ ତାରିଫ କରିଥିଲି ଓ ତାର ନିଷିଦ୍ଧ ଅଭିସାର ସମ୍ପର୍କରେ ଚିନ୍ତା କରି ମନେ ମନେ ରୋମାଞ୍ଚିତ ହୋଇଥିଲି ।

 

ମୋ ମନ ଭିତରେ ଶୈଶବର କାଗଜଡଙ୍ଗା ଆଉଥରେ ନାଚିବାକୁ ଲାଗିଥିଲା । ସେଇ ଜରିଦିଆ କାଗଜଡଙ୍ଗା–ଯାହାର ପବନ ଭର୍ତ୍ତି ସୁନେଲି ପାଲ ଆଗକୁ ପେଟେଇ ପଡ଼ିଛି ଓ ଡଙ୍ଗାଟିକୁ ଆଗକୁ ଠେଲି ନେଉଛି । ମୁଁ ସ୍ଥିର କରିଥିଲି, ଯେମିତି ହେଉ ଥରେ ବାବୁଲିକୁ ଭେଟିବି । ତାର ପ୍ରେମ ଓ ସ୍ୱପ୍ନ ବାବଦରେ ତାଠୁଁ ସବୁ କଥା ଶୁଣିବି ।

 

ମାତ୍ର ମୋର କେବେ ବି ସରୁ ନଥିବା ଜଞ୍ଜାଳ ଓ ସବୁବେଳେ ପାଖେ ପାଖେ ରହୁଥିବା ଆର୍ଥିକ ଦୁଃସ୍ଥିତି ମୋତେ ଆଦୌ ସେ ଅବକାଶ ଦେଉ ନ ଥିଲା । ତା ଭିତରେ ଯେତେବେଳେ ଟିକିଏ ସମୟ ମିଳୁଥିଲା, ମୁଁ ସେ ସମୟତକ ବାବୁଲି ଓ ତାର କାଗଜଡଙ୍ଗା ସମ୍ପର୍କରେ ଚିନ୍ତା କରିବାରେ ବ୍ୟୟ କରୁଥିଲି । ଗୋଟିଏ ପଟେ ମୁଁ ଓ ମୋର ଉଲ୍ଲେଖହୀନ ଜୀବନ ଏବଂ ଆଉ ଗୋଟେ ପଟେ ବାବୁଲି ଓ ତାର ରୁପା ବୋଇତର ସୁନେଲି ଭବିଷ୍ୟତ କଥା ଭାବି ମୁଁ ଜୀବନର ବୈଚିତ୍ର୍ୟ ସମ୍ବନ୍ଧରେ ଚିନ୍ତା କରୁଥିଲି ।

 

ଏହାପରେ ଦିନେ ଖବର ପାଇଲି, ବାବୁଲି ଆମେରିକା ଚାଲିଗଲା । ସେଦିନ ମୁଁ ମୋ ଭଡ଼ାଘରର ମେଲାରୁ ବାହାରକୁ ବାହାରି ଆସି ମଥା ଉପରର ନୀଳ ଆକାଶକୁ ଚାହିଁଥିଲି । ଆକାଶରେ ଉଡ଼ାଜାହାଜଟିଏ ଡେଣାକାଟି ଉଡ଼ି ଯାଉଥିଲା; କେତେବେଳେ ବଉଦ ଭିତରେ ତ କେତେବେଳେ ବଉଦ ଉପରେ ତାର ମସୃଣ ରୁପେଲି ଚେହେରା ଭାସିଯାଉଥିଲା । ସତେ କି ବାବୁଲି ସେଇ ଉଡ଼ାଜାହାଜ ପେଟରେ ବସିଥିବ, ଏମିତି ବିଚାରି ମୁଁ ଉପରକୁ ହାତ ଉଠେଇ ଟା ଟା କରିଥିଲି । କହିଥିଲି, “ଯା, ବାବୁଲି ଯା–ମୁଁ ଜାଣିଥିଲି ତୁ ବହୁତ ଉପରକୁ ଉଠିବୁ । ତୋ ପାଇଁ ମାଟି ନୁହେଁ, ଆକାଶ ହିଁ ଠିକଣା ଜାଗା । ଆମ ପରି ମାମୁଲି ମଣିଷଙ୍କ ପାଇଁ ସିନା ଏ ମାଟି, ଗୋହିରି, ଏ ଅରମା ସଡ଼କ ! କିନ୍ତୁ ତୁ ତ ନଭଚାରୀ, ସ୍ୱପ୍ନର ଉପତ୍ୟକା ତୋର ଅସଲ ଠିକଣା । ତୁ ଲଣ୍ଡନ, ଫ୍ରାନ୍‌ସ, ଜର୍ମାନ ସବୁଆଡ଼େ ବୁଲିବୁ । ତୁ ଆମ ପୁରାଣର ବାମନ ଅବତାର, ଯାହାର ତୃତୀୟ ପାଦ ପାଇଁ ଅକୁଳାଣ ପଡ଼ିବ ଏ ପୃଥିବୀ ।”

 

ଏହାପରେ ସାଙ୍ଗ ମହଲରେ ଯେତେବେଳେ ଯେଉଁଠି କିଛି ଚର୍ଚ୍ଚା ହେଉଥିଲା, ପ୍ରୟୋଜନ ଥାଉ ବା ନ ଥାଉ, ମୁଁ ବାବୁଲିର ଆମେରିକା ରହଣି କଥା କହୁଥିଲି । ସାଙ୍ଗମାନେ ଆମେରିକା କଥା ଶୁଣି ବାବୁଲି ବିଷୟରେ ଅଧିକା ଜାଣିବା ଲାଗି ଆଗ୍ରହ ପ୍ରକଟ କରୁଥିଲେ । ସେମାନଙ୍କ ଆଗରେ ମୋର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ହୋଇଯାଉଥିଲା । ଆମେରିକା ସମ୍ପର୍କରେ ସବୁଯାକ କଥା ସେମାନେ ମୋ ଠାରୁ ଆଦାୟ କରି ନେବା ପାଇଁ ବ୍ୟସ୍ତ ହେଉଥିଲେ । ସତେ କି ମୋ ପାଖେ ଆମେରିକା ଭ୍ରମଣର ଗୋଟେ ସରଳ ସୂତ୍ର ଅଛି ଓ ମୁଁ ଚାହିଁଲେ ସେମାନଙ୍କୁ ସୂତ୍ରଟି ଦେଇପାରିବି–ଏହି ପ୍ରକାରର ଗୋଟେ ଆଶା ସେମାନଙ୍କ ମୁହଁରେ ଝୁଲି ରହୁଥିଲା । ମୁଁ ବୁଝିପାରୁଥିଲି ଯେ ଓଡ଼ିଶା ପରି ଗୋଟେ ଗରିବ ରାଜ୍ୟର ବେକାର ଶିକ୍ଷିତମାନଙ୍କ ନିମନ୍ତେ ଆମେରିକା ଥିଲା ସ୍ୱପ୍ନ ଓ ସମ୍ଭାବନାର ସୁବର୍ଣ୍ଣ ଦ୍ୱୀପ । ଥରେ ସେଠିକି ଚାଲିଗଲେ ତାପରେ ଆଉ ଦୁଃଖ ନାହିଁ, ଅଭାବ ନାହିଁ କି ଚିନ୍ତା ନାହିଁ ! ମାତ୍ର ବାବୁଲି ସମ୍ପର୍କରେ ଅଧିକ କିଛି ଜାଣି ନ ଥିବାରୁ ମୁଁ ମୋ ସାଙ୍ଗମାନଙ୍କ ପ୍ରଶ୍ନଗୁଡ଼ିକର ଯଥାଯଥ ଉତ୍ତର ଦେଇ ପାରୁ ନ ଥିଲି । ‘ବାବୁଲି’ ଓ ‘ଆମେରିକା’ ଶବ୍ଦର ପ୍ରୟୋଗକୁ ମୁଁ ମୋର ‘ଷ୍ଟାଟସ୍‌ ସିମ୍ବଲ’ ଭାବରେ ବ୍ୟବହାର କରୁଥିଲି ଓ ସେ ଦିଗରେ କେତେକାଂଶରେ ସଫଳ ମଧ୍ୟ ହେଉଥିଲି ।

 

ସାଙ୍ଗମାନଙ୍କ ପାଖରୁ ଉଠିଆସିବା ପରେ ମୁଁ ଏକ ପ୍ରକାର ଅହେତୁକ ଅଭିମାନରେ ଭାଙ୍ଗି ପଡୁଥିଲି । ଆମେରିକାର ସ୍ୱଚ୍ଛଳ ଜୀବନ ଉପଭୋଗ କରିବା ସତ୍ତ୍ୱେ ବାବୁଲି ମୋ ପରି ଗୋଟେ ପିଲାଦିନର ସାଙ୍ଗକୁ ଥରୁଟେ ପାଇଁ ମନେ ନ ପକେଇବା କଥାଟାକୁ ମୁଁ ଆଦୌ ସହଜ ଭାବରେ ଗ୍ରହଣ କରିପାରୁ ନ ଥିଲି । ଏଭଳି ଏକ ସମୟରେ ଆମେରିକା ଭ୍ରମଣର ସୁଯୋଗ ମୋ ପାଇଁ ପ୍ରକୃତରେ ରୋମାଞ୍ଚକର ଅନୁଭୂତି ଥିଲା । ଗୋଟିଏ ଆନ୍ତର୍ଜାତୀୟ ସେମିନାରରେ ଯୋଗଦେବା ପାଇଁ ମୁଁ ଆବେଦନ କରିଥିଲି ଓ ମୋତେ ସେଠିକୁ ଯିବାଲାଗି ନିମନ୍ତ୍ରଣ ମିଳିଯାଇଥିଲା । ସେତିକିବେଳେ ବାବୁଲିକୁ ଭେଟିବାର ଇଚ୍ଛା ଆଉଥରେ ମୋ ଭିତରେ ମୁଣ୍ଡ ଟେକିଥିଲା ଓ ଆମେରିକା ଗସ୍ତର ସକଳ ଆୟୋଜନ ଭିତରେ ବାବୁଲି ସହ ଦେଖାସାକ୍ଷାତ ପ୍ରସଙ୍ଗଟିକୁ ମୁଁ ଆଗ୍ରହର ସହ ଲାଳନପାଳନ କରିଥିଲି ।

 

ମ୍ୟାରିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟ ଶ୍ରୀଯୁକ୍ତ ଗୁପ୍ତା ଆମ ୱାଂଶିଟନ୍‌ ଡି.ସି. ଭ୍ରମଣର ଦାୟିତ୍ୱ ନେଇଥିଲେ । ମୋ ସାଙ୍ଗରେ ଯାଇଥିବା ଅନ୍ୟ ବନ୍ଧୁମାନେ ମଧ୍ୟ ଆଗରୁ ଆମେରିକାରେ ଥିବା ନିଜ ନିଜର ବନ୍ଧୁ ଓ ସମ୍ପର୍କୀୟଙ୍କ ଫୋନ୍‌ ନମ୍ବର, ଫ୍ୟାକ୍ସ ଓ ଇ-ମେଲ୍‌ ଠିକଣା ନେଇ ଯାଇଥିଲେ । ମାତ୍ର ମୋର ସେଭଳି କେହି ନିଜର ଲୋକ ଆମେରିକାରେ ନ ଥିଲେ, କେବଳ ବାବୁଲି ଛଡ଼ା । କିନ୍ତୁ ବାବୁଲିର ଫୋନ୍‌ ନମ୍ବର ମୋ ପାଖରେ ନଥିଲା । ଶ୍ରୀଯୁକ୍ତ ଗୁପ୍ତା ପଚାରିଲେ, “ସେ କେଉଁ ଷ୍ଟେଟ୍‌ରେ ରହନ୍ତି, ଆପଣ କହିପାରିବେ ?”

 

ମୁଁ କହିଲି, “ଶୁଣିଥିଲି ସେ ନ୍ୟୁୟର୍କରେ ରହୁଥିଲା । ତାର ଭଲ ନାଁ ଅରବିନ୍ଦ ମହାନ୍ତି । ଡାକ ନାଁ ବାବୁଲି । ସେ ଭଲ ଗିଟାର୍‌ ବଜାଏ । ତା ବାପା କଟକରେ ରହନ୍ତି ।”

 

ଶ୍ରୀଯୁକ୍ତ ଗୁପ୍ତା କହିଥିଲେ, “ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ରବାସୀ ଓଡ଼ିଆମାନଙ୍କର ଏଠି ଗୋଟେ ଆସୋସିଏସନ୍‌ ଅଛି । ସେ ଆସୋସିଏସନ୍‌ରେ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ କାନାଡ଼ାରେ ରହିଥିବା ଅଧିକାଂଶ ଲୋକ ସଭ୍ୟ । ଅରବିନ୍ଦ ମହାନ୍ତି ଯଦି ଦଶ ବାର ବର୍ଷ ହେଲା ଏଠି ରହିଲେଣି, ତାହେଲେ ସେ ଆସୋସିଏସନ୍‌ର ସଭ୍ୟ ହୋଇଥିବେ । ନ ହେଲେ ମଧ୍ୟ ତାଙ୍କୁ ଅନ୍ୟ କେହି ନିଶ୍ଚୟ ଜାଣିଥିବେ । ଆପଣଙ୍କୁ ମୁଁ କାଲି ତାଙ୍କ ବିଷୟରେ ସୂଚନା ଦେବି ।”

 

ପରଦିନ ଆମେ ୱାଂଶିଟନ୍‌ ଡି.ସି. ବୁଲିଗଲୁ । ଓଡ଼ିଶାରୁ କାହିଁକି, ଭାରତରୁ ଯାଇଥିବା ନୂଆ ଲୋକ ପାଇଁ ଆମେରିକା ଗୋଟିଏ ବିସ୍ମୟକର ଅନୁଭବ । ସବୁଆଡ଼ ପରିଷ୍କାର ପରିଚ୍ଛନ୍ନ, ରାସ୍ତାଘାଟ, କୋଠାବାଡ଼ି, ଦୋକାନ ବଜାର । ଚାରିପଟେ ସବୁଜ ବଳୟ, ଧୂଳି କି ଧୂଆଁ ନାହିଁ । ପ୍ରାଚୁର୍ଯ୍ୟ ଓ ସମ୍ଭାବନାର ରାଜଧାନୀ ।

 

ରାତିରେ ହୋଟେଲ୍‌କୁ ଫେରି ମୁଁ ଶ୍ରୀଯୁକ୍ତ ଗୁପ୍ତାଙ୍କୁ ବାବୁଲି ବିଷୟରେ ପଚାରିଲି । ଶ୍ରୀଯୁକ୍ତ ଗୁପ୍ତା ମୋତେ ବାବୁଲିର ଟେଲିଫୋନ୍‌ ନମ୍ବର ଦେଲେ । ସେ ଟେଲିଫୋନ୍‌ ନମ୍ବରଟି ମୋତେ ମିଳିଯିବାକ୍ଷଣି ମୁଁ ଖୁସିରେ ଅଧୀର ହୋଇଗଲି । ତେଣିକି ମନେ ମନେ ଆସନ୍ତାକାଲିର ଯୋଜନା ବିଷୟରେ ମୁଁ ମାନଚିତ୍ର ଆଙ୍କିବସିଲି । କେତେ ବର୍ଷ ପରେ ବାବୁଲି ସାଙ୍ଗରେ ଦେଖାହେବ ! ସେ ମୋତେ ଚିହ୍ନିପାରିବ କି ନାହିଁ ! ଚିହ୍ନିଥିଲେ ବି ପିଲାଦିନର ଖେଳକୁଦ କଥା ମନେ ରଖୁଥିବ କି ନାହିଁ ସେ ବିଷୟରେ ବହୁତ କଥା ଭାବିଗଲି ।

 

ସାଙ୍ଗେ ସାଙ୍ଗେ ଟେଲିଫୋନ୍‌ ଲଗେଇଲି । ସେପଟୁ ଜଣେ ଭଦ୍ରମହିଳା ଫୋନ୍‌ ଉଠେଇଲେ । ମୁଁ ମୋର ଓଡ଼ିଆ-ଇଂରାଜୀରେ ଅରବିନ୍ଦ ମହାନ୍ତିଙ୍କର ସହ କଥା ହେବାକୁ ଚାହେଁ ବୋଲି କହିଲି । ଭଦ୍ରମହିଳା, ‘ଜଷ୍ଟ ଏ ମିନିଟ୍‌’ କହି ଚାଲିଗଲେ ଓ ମୁଁ ଏପଟେ ବାବୁଲିକୁ ପ୍ରଥମେ କଣ କହିବି ତାର ଏକ ତାଲିକା ପ୍ରସ୍ତୁତ କରିନେଲି । ପ୍ରାୟ ଦୁଇ ମିନିଟ୍‌ ପରେ ସେଇ ଭଦ୍ରମହିଳା ଫୋନ୍‌ ପାଖକୁ ଆସିଲେ ଓ ମୋ ନାଁ, ଘର, ଜିଲ୍ଲା ଓ ଚାକିରି ବିଷୟରେ ଜେରା କଲେ । ମୁଁ ଧୈର୍ଯ୍ୟର ସହ ସେସବୁ ବତେଇଲି ଓ କହିଲି, ‘ଅରବିନ୍ଦ ମୋର ପିଲାଦିନର ସାଙ୍ଗ । କୁହନ୍ତୁ–ନିଲୁ ତା ସହ କଥା ହେବାକୁ ଚାହେଁ ।’

 

ଏଥର ଆଉ ଗୋଟିଏ ମିନିଟ୍‌ର ଅପେକ୍ଷା ।

 

ମୁଁ ଅଧୈର୍ଯ୍ୟ ହୋଇପଡ଼ୁଥାଏ । ବାବୁଲି ସହ କଥା ହେବା ପାଇଁ ମୁଁ ଆତୁର ହୋଇସାରିଥାଏ । ଏଥର ସେହି ଭଦ୍ରମହିଳା ପୁଣି ଥରେ ଫୋନ୍‌ ଧରିଲେ ଓ କହିଲେ, “ସୋ ସରି-। ହି ଇଜ୍‌ ନଟ୍‌ ହିଅର ରାଇଟ୍‌ ନାଓ । ପ୍ଲିଜ୍‌ ଗିଭ୍‌ ମି ୟୁଓର ଫୋନ୍‌ ନମ୍ବର ।”

 

ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି । ‘ଏଇ ସାଙ୍ଗେ ସାଙ୍ଗେ ଡାକୁଛି’ କଥାଟି କେମିତି ‘ସେ ଘରେ ନାହାନ୍ତି’ରେ ପରିବର୍ତ୍ତିତ ହୋଇଗଲା ? ମୁଁ ମୁହଁ ଶୁଖେଇ ମୋର ଫୋନ୍‌ ନମ୍ବର ଦେଲି ଓ ଭଦ୍ରମହିଳାଙ୍କୁ ବିନୟ ଭାବରେ କହିଲି, “ମୁଁ କାଲି ଦିନଟି ଏଇଠି ଅଛି । ଦୟାକରି ତାଙ୍କୁ କଲ୍‌ କରିବା ପାଇଁ କହିବେ । ମୋର ବିଶେଷ କିଛି କାମ ନାହିଁ । ମୁଁ ପଅରଦିନ ଏଠୁ ଫେରିଯିବି ।”

 

ସେ ରାତିଟା ବଡ଼ ଦୁଶ୍ଚିନ୍ତାରେ ମୋର ବିତିଲା । ମୁଁ ବାବୁଲିର ଆଶ୍ଚର୍ଯ୍ୟଜନକ ବ୍ୟବହାର କଥା ଚିନ୍ତା କରି ବିବ୍ରତ ହେଉଥିଲି । ବାବୁଲି କଣ ଭାବିଲା କି ମୁଁ ତାର ସାହାଯ୍ୟ ଲୋଡ଼ିବି ! ଭାବିଲା କି ମୁଁ ଅନ୍ୟମାନଙ୍କ ପରି ଆମେରିକାରେ କିଛି ଗୋଟେ ବାହାନା କରି ରହିଯିବାକୁ ଚାହୁଁଛି-। ମାତ୍ର ମୋ ସାଙ୍ଗରେ କଥା ହୋଇସାରିଲା ପରେ ବି ସେ ଆଡ଼େଇ ଯାଇପାରିଥାଆନ୍ତା ।

 

ତା ପରଦିନ ବିତିଗଲା । ବାବୁଲିର ଫୋନ୍‌ ଆସିଲା ନାହିଁ । ମୁଁ ହୋଟେଲ୍‌ରେ ନଥିବା ବେଳେ କାଳେ ଫୋନ୍‌ ଆସିଥିବ ଭାବି ଆନ୍‌ସରିଙ୍ଗ ମେସିନ୍‌ ଅନ୍‌ କଲି । ନା, ବାବୁଲିର ଫୋନ୍‌ ଆସି ନ ଥିଲା । ମୋର ମନ ଭାଙ୍ଗିଯାଇଥିଲା ।

 

ମୁଁ ମୋ କାମରୁ ଟିକିଏ ଫୁରୁସତ୍‌ ପାଉଥିଲେ ବାବୁଲିର ଘର ନମ୍ବରରେ ଫୋନ୍‌ କରୁଥିଲି, ମାତ୍ର ତାକୁ ଆଦୌ ଫୋନ୍‌ରେ ପାଉ ନ ଥିଲି । ମୁଁ ନିଶ୍ଚିତ ହୋଇଯାଇଥିଲି ଯେ ବାବୁଲି ମୋତେ ଉପେକ୍ଷା କରୁଛି । ଆମେରିକା ଆସିବା ପରେ ସେ ଖୁବ୍‌ ଧନୀ ଓ ପ୍ରତିଷ୍ଠିତ ହୋଇଯାଇଛି-। ଏ ଦେଶ ତ ଡଲାର୍‌ର ଦେଶ, ଏଠି ଆବେଗ ବା ଭାବପ୍ରବଣତାର ବେଶି କିଛି ଗୁରୁତ୍ୱ ନାହିଁ । ବାବୁଲି ସେଥିରୁ ବାଦ୍‌ ଯାଆନ୍ତା କିପରି ?

 

ପରଦିନ ଆମକୁ ଏୟାରପୋର୍ଟରେ ବିଦାୟ ଜଣାଇବା ବେଳେ କିଛି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିବା ପାଇଁ ମୋତେ ଶ୍ରୀଯୁକ୍ତ ଗୁପ୍ତା ପଛରୁ ଡାକିଲେ । ମୁଁ ତାଙ୍କ ପାଖକୁ ଗଲି । ସେ କହିଲେ, “କ୍ଷମା କରିବେ, ମୁଁ ଅରବିନ୍ଦ ମହାନ୍ତିଙ୍କ ବିଷୟରେ କିଛି କହିବାକୁ ଚାହୁଁଛି ।”

 

“ଆରେ, କୁହନ୍ତୁ, କୁହନ୍ତୁ । ସେ ଫୋନ୍‌ କରିଥିଲା କି ?”

 

“ନାଇଁ, ସେ ଡ୍ରଗ୍‌ ଆଡିକ୍ଟ ହୋଇଯାଇଛନ୍ତି... ।”

 

ଏୟାରପୋର୍ଟରୁ ଉଡ଼ାଜାହାଜଟିଏ ଅବତରଣ କରୁଥିଲା । ମୁଁ ସେ ଶବ୍ଦରେ ନା ଶ୍ରୀଯୁକ୍ତ ଗୁପ୍ତାଙ୍କ କଥାରେ କେଜାଣି ଚମକି ପଡ଼ିଲି!

 

ଆପଣ ଇଣ୍ଡିଆ ଫେରିଯିବା ପରେ ତାଙ୍କ ପ୍ୟାରେଣ୍ଟସ୍‌ଙ୍କୁ କହିବେ । ତାଙ୍କ ମିସେସ୍‌ ଏବେ ଗୋଟିଏ ମଲ୍‌ରେ କାମ କରୁଛନ୍ତି । ନିଜେ ମହାନ୍ତି ଆଉ ଏକ କ୍ରେଚରେ କାମ କରୁଥିଲେ, ତିନି ମାସ ହେବ ସେ କାମ ତାଙ୍କ ପାଖେ ନାହିଁ । ଗୋଟାଏ କିଛି ଗୁରୁତର ବୁଝାମଣା ଅଭାବରୁ ଇଣ୍ଡିଆର ତାଙ୍କ ପରିବାର ୟାଙ୍କୁ ଲୋଡ଼ୁନାହାନ୍ତି, ଇଏ ବି ଏଠୁ ଫେରିଯାଇ ପାରୁ ନାହାନ୍ତି ।

 

ମୋ ମୁଣ୍ଡ ଚକ୍‌କର କାଟିଦେଉଥିଲା । ମୁଁ ଧୈର୍ଯ୍ୟରଖି ପଚାରିଲି, “ଏକଥା ଆପଣଙ୍କୁ କିଏ କହିଲା ?”

 

“ଆପଣଙ୍କ କମ୍ୟୁନିଟି ଆସୋସିଏସନ୍‌ର ସେକ୍ରେଟାରୀ । ମୋର ଏକଥା ଆପଣଙ୍କୁ ଦୁଃଖ ଦେଇଥିଲେ ଦୟାକରି କିଛି ଭୁଲ୍‌ ବୁଝିବେ ନାହିଁ ।”

 

ମୋର ବନ୍ଧୁମାନେ ଚେକ୍‌-ଇନ୍‌ ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିଲେ । ଆମ ଯାତ୍ରାର ସମୟ ପାଖେଇ ଆସୁଥିଲା । ମୁଁ କଣ କରିବି, ନ କରିବି ସ୍ଥିର କରିପାରୁ ନ ଥିଲି । ୱାଶିଂଟନ୍‌ ଡି.ସି. ପାଖରୁ ନ୍ୟୁୟର୍କ ବେଶ୍‌ ଦୂର । ଏଇଠି କୋଉଠି ପାଖରେ ହୋଇଛି ଯେ, ମୁଁ ଯାଇ ବାବୁଲିକୁ ଭେଟି ପାରିବି !

 

ବାବୁଲି ଡ୍ରଗ୍‌ ଆଡିକ୍ଟ ହୋଇଥିବା କଥା ମୁଁ କଳ୍ପନା କରିପାରୁ ନ ଥିଲି । ଡ୍ରଗ୍‌ ଆଡିକ୍ଟମାନଙ୍କର ଚେହେରା ମୁଁ ଟି.ଭି. ଓ ଖବରକାଗଜରେ ଦେଖିଥିଲି । ଡ୍ରଗ୍‌ ଖାଇବା ବେଳ ହୋଇଗଲେ ସେମାନଙ୍କ ଚେହେରା ବଦଳିଯାଏ । ମୁହଁ ଆଖି ନାଲି ଦିଶେ, ଦେହ ହାତ ଥରେ । ସେତେବେଳେ ଡ୍ରଗ୍‌ ଛଡ଼ା ଆଉ କିଛି କଥା ମନେ ପଡ଼େ ନାହିଁ । ଟିପେ ଚରସ୍‌ କି କୋକେନ୍‌ ପାଇଁ ସେମାନେ ମଣିଷ ମାରିଦେବାକୁ ପଛାନ୍ତି ନାହିଁ ।

 

ମୁଁ ଉଡ଼ାଜାହାଜର ପେଟ ଭିତରକୁ ପଶିଗଲି ।

 

ମୋ ଆଖି ସାମ୍ନାରେ ଶୈଶବର ସ୍ମୃତିସବୁ ନାଚିଯାଉଥିଲା । ନୀଳ ସମୁଦ୍ରର ଢେଉ କାଟି ଗୋଟିଏ ରୁପାର ବୋଇତ ଆଗକୁ ଆଗକୁ ଭାସି ଯାଉଛି, ତାର ପାଲ ଦିଶୁଛି ରାଜହଂସର ମସୃଣ ପକ୍ଷ ପରି । ସେଇ ବୋଇତର ଖମ୍ବ ପାଖରେ ସୁନାର ପୋଷାକ ପିନ୍ଧି ଛିଡ଼ା ହୋଇଛି ବାବୁଲି, ଗୋଟେ ଦିଗ୍‌ବିଜୟୀର ମୁଦ୍ରାରେ । କ୍ରମେ ସେ ରୁପାର ବୋଇତ ସଂକୁଚିତ ହୋଇଯାଉଥିଲା ଗୋଟେ ଲୋଚାକୋଚୋ କାଗଜଡଙ୍ଗାରେ । ସମୁଦ୍ରର ନୀଳ ଜଳ ବଦଳି ଯାଉଥିଲା ଗୋହିରିର ଗୋଳିଆ ପାଣିରେ । କାଗଜଡଙ୍ଗାଟି କିଛିବାଟ ଆଗେଇ ଯାଇ ଚହଲି ଉଠୁଛି । ବତୁରି ଯାଉଛି ତାର ସମଗ୍ର ଅସ୍ତିତ୍ୱ । ତାପରେ ଧୀରେ ଧୀରେ ସେ କାଗଜଡଙ୍ଗାଟି ଗୋହିରିର ବାଙ୍କ ବୁଲାଣିରେ ବୁଡ଼ିଯାଉଛି । ଜଳସମାଧି ନେଇଯାଉଛି ସ୍ୱପ୍ନର ବୋଇତ ।

 

ମୁଁ ଭୟରେ ଦୁଇ ଆଖି ବୁଜିଦେଲି ।

Image